Shanti Mishra

Others

3  

Shanti Mishra

Others

ସିଧା ସଳଖ

ସିଧା ସଳଖ

8 mins
360


ଏ ସବୁ ତାର ଭୁଲ୍ l ସେ ଯେ କାହିଁକି ସେଦିନ ମମିତା ସଙ୍ଗେ ବିଜନର ପରିଚୟ କରେଇ ଦେଲା କେଜାଣି, ଛାଡ ଯାହା ହବାର କଥା ହେଲାଣି ଆଜି ଆଉ ଅନୁତାପ କରି କିଛି ଲାଭ ନାହିଁ l ଏହାର ଗୋଟେ କିଛି ସମାଧାନର ବାଟ ଖୋଜିବାକୁ ପଡିବ l ବିଜନ ତାର ହାଇସ୍କୁଲରୁ ଆରମ୍ଭ କରି କଲେଜ ଶେଷ ପର୍ଯ୍ୟନ୍ତ ସାଙ୍ଗ ଥିଲା l ଥିଲା ମାନେ ଏବେବି ଅଛି l ବନ୍ଧୁତ୍ବରେ କିଛି ପରିବର୍ତ୍ତନ ଘଟିନାହିଁ କିନ୍ତୁ ଏବେ ପରିବେଶରେ ବହୁତ କିଛି ପରିବର୍ତନ ଘଟି ଯାଇଛି l


ଦୁଇ ମାସ ତଳେ ତାର ବାହାଘରର ସମସ୍ତ ଦାୟୁତ୍ବ, କାର୍ଯ୍ୟ ଭାର ବିଜନ ହିଁ ନେଇଥିଲା l ନିରଜର ସେ ହେଉଛି ବଡ ପରାମର୍ଶ ଦାତା l ଜୀବନରେ ଦୁହେଁ ପରସ୍ପର ଠାରୁ ଅନେକ ସାହାଯ୍ୟ ନେଇଛନ୍ତି ଓ କରିଛନ୍ତି l ଏବେ କିନ୍ତୁ କଥାଟା ଟିକେ ଅଲଗା, ସମୟ ଓ ପରିସ୍ଥିତି ବଦଳିବା ସଙ୍ଗେ ମନ ବି ବଦଳି ଚାଲିଛି l ନିରଜର ବାହାଘର ଦିନ ସେ ମମିତା ସଙ୍ଗେ ବିଜନକୁ ପରିଚୟ କରେଇ କହିଥିଲା “ଏ ମୋର ଜୀବନ ଦିଆନିଆ ସାଙ୍ଗ, ତାକୁ ଭଲ କରି ମନେ ରଖିଥାଅ ଯେବେ ବି ଘରକୁ ଆସିବ ତାର ଭଲରେ ଆଦର ଅଭ୍ୟର୍ଥନା କରିବl” ବାସ୍ ତାପରେ ସେ ଘରକୁ ଆସିଲା ମାତ୍ରେ ମମିତାର ଆଦର ଅଭ୍ୟର୍ଥନା ଆରମ୍ଭ ହୋଇଯାଏ l ଟିକେ ଆବଶ୍ୟକତା ଠାରୁ ଅଧିକ ହୋଇଯାଇଛି ବୋଲି ନିରଜର ମନେ ହୁଏ l ସେ ପୁଣି ଦିନକୁ ଦିନ ବଢିବାରେ ଲାଗି ଗଲାଣି l ଉଦେଶ୍ୟ ଓ ଅଭିପ୍ରାୟ ଦୁହିଁଙ୍କର କିଛି ମନ୍ଦ ଯଦିଓ ନୁହେଁ କିନ୍ତୁ ସପ୍ତାହ ଶେଷ ଦିନ ନିରଜ ଏକାକୀ ସମୟ ମମିତା ସଙ୍ଗେ ବିତେଇବାକୁ ଚାହେଁ l


ବିଜନ ଆଗେ ମାସକୁ ଥରେ ଦିଥର ରବିବାରରେ ଘରକୁ ଆସୁଥିଲା ଏବେ ପ୍ରତି ରବିବାର ଆସି ହାଜର l ତା ସଙ୍ଗେ ଫୋନରେ ଯଦିଓ ସବୁଦିନ ବାର୍ତ୍ତାଳାପ ହୁଏ l ପାନ ଦୋକାନ ବା ଚା ଜଳଖିଆ ଦୋକାନରେ ଘଣ୍ଟା ଘଣ୍ଟା କଥାବର୍ତ୍ତା ହୁଏ କିନ୍ତୁ ଘରକୁ ଏପରି ବାରମ୍ବାର ଆସିବାର ମାନେ କିଛି ସେ ବୁଝି ପାରୁନି l ସବୁଠୁ ବେଶୀ ଦୁଖ ଲାଗୁଛି, ତାକୁ ଦେଖି ମମିତାର ପ୍ରଗଳଭତା ବେଶୀ ବଢି ଯାଉଛି l ହଁ ମାନୁଛି ସେ ନିଜେ ହିଁ ତାକୁ କହିଥିଲା ତା ପ୍ରତି ବିଶେଶ ଧ୍ୟାନ ଦେବାକୁ, ତାର ମାନେ ନୁହେଁ ଯେ ଏତେ ବେଶୀ l ସେଦିନ ରବିବାର ନିରଜ ପ୍ଲାନ୍ କରିଥିଲା ମମିତାକୁ ନେଇ ସିନେମା ଯିବ ତାପରେ ରେଷ୍ଟୁରାଂଟରେ ଖାଇବେ ଓ ପାର୍କରେ ବୁଲାବୁଲି କରି ଫେରିବେ l କିନ୍ତୁ ସକାଳୁ ବିଜନର ଫୋନ୍ ଆସିଗଲା, ଯଦି ସେ ଦିପ୍ରହରେ ବେଳେ ଫ୍ରି ଥିବ ସେ ଆସିବ l ବିରକ୍ତ ହେଲା ମନେ ମନେ ନିରଜ l କଣ ଏକାକୀ ଜୀବନରୁ ମୁକ୍ତି ଦରକାର ବାବୁଙ୍କର l ତେବେ ବିବାହ ନକରି ଏପରି ଡ୍ରାମା କରିବାର ମାନେ କଣ l


କିନ୍ତୁ ନିରଜ ତାର ଦେହ ଖରାପର ବାହାନା କରି ଆଜି ନଆସିବାକୁ କହିଲା l ସକାଳୁ ସକାଳୁ ମୁଡ଼ ଖରାପ ହେଲେ ଦିନ ଯାକ ତାର ପ୍ରଭାବ ଟା ରହେ l

ଦେହ ଖରାପର ବାହାନା ସେ କେତେଥର ବା କରି ପାରିବ l ଏହାର ଗୋଟେ ସ୍ଥାୟୀ ସମାଧାନ ଖୋଜିବାକୁ ପଡିବ l କଲେଜରେ ପ୍ରୀତି ବୋଲି ଗୋଟେ ଝିଅ ସଙ୍ଗେ ବିଜନର ବେଶ୍ ଘନିଷ୍ଟ ସମ୍ପର୍କ ଥିଲା କିନ୍ତୁ କୌଣସି କାରଣରୁ ସେମାଙ୍କର ମନୋ ମାଳିନ୍ୟ ଯୋଗୁ ଦୁହେଁ ପରସ୍ପର ଠାରୁ ଦୁରେଇ ଗଲେ l ସେଇ ଦିନଠୁ ବିଜନ ଏକ ରକମ ଶପଥ କରି ନେଇଥିଲା ଆଉ କେବେ ଝିଅ ମାନଙ୍କ ଜାଲରେ ଫସିବ ନାହିଁ l ବିବାହ ଦୁରର କଥା l ନଚେତ ତା ପାଇଁ ଝିଅ ଖୋଜିବାରେ ସେ ଲାଗି ଯାଆନ୍ତାଣି l ତାର ସେ ଭଲ ସାଙ୍ଗ ସତ କିନ୍ତୁ ଭାରି ଏକ ଜିଦିଆ l


ଏବେ ସେ ଭାବୁଛି ବିଜନକୁ ପଟାପଟି କରି ଗୋଟେ ଭଲ ଝିଅ ଦେଖି ବାହା କରିଦେଲେ ସେ ଏତେ ଆଉ ତା ଘରକୁ ଆସି ବୋର କରନ୍ତାନି l ତାର ଏପରି ଆସିବା ଯୋଗୁ ତାର ରୋମନ୍ଟିକ୍ ମୁଡ଼ ନଷ୍ଟ ହୋଇ ଯାଉଛି l ବିବାହ କରିବାକୁ ମନା କରୁଛି ଏଣେ ମମିତା ସଙ୍ଗେ ଆସି ବେଶ୍ ହସ ଖୁସି ଗପ ଜମେଇ ଦଉଛି l ଏହାର ମାନେ କଣ l କିଛି ଗୋଟେ ଉପାୟ କରିବାକୁ ହେବ l ମମିତାକୁ କହିଲେ ସେ ତାର କେହି ସାଙ୍ଗ ସାଥୀ ଦେଖି ବିଜନକୁ ବାଧ୍ୟ କରନ୍ତା ବିବହ ପାଇଁ l ଶପଥ କରିଛି ବିବାହ ନକରିବାକୁ, ମୁର୍ଖ l ବିବାହ ଯେତିକି ସମସ୍ୟା ସୃଷ୍ଟି କରେ ସେତିକି ଆନନ୍ଦ ବି ଜୀବନରେ ଆଣେ l ଏତେ ଲୋକ ପୃଥିବୀରେ ବିବାହ କରୁଛନ୍ତି କଣ ବେକାରରେ l


ମମିତାର କାଲି ଜନ୍ମ ଦିନ ତା ପାଇଁ ଏକ ନୂଆ ଶାଢୀ କିଣି ଉପହାର ଦେବା ପାଇଁ ନିରଜ ମନସ୍ଥ କଲା l ସୀମିତ ସମ୍ବଳ ଭିତରେ ସେ ସେତିକି ମାତ୍ର ଦେଇ ପାରିବ l ଅଫିସ୍ ଫେରନ୍ତି ବାଟରେ ସେ ଗୋଟେ ଶାଢୀ ଦୋକାନକୁ ଗଲା l ଶାଢୀ ବାଛିବାରେ ସେ ମନ ଦେଇଥିଲା ବେଳେ ପଛରୁ କାହାର ତା ନାମ ଡାକୁଥିବାର ଶୁଣିଲା କଣ ଶାଢୀ କିଣୁଛ ନୂଆ ଘରଣୀଙ୍କ ପାଇଁ l ପଛକୁ ଚାହିଁ ଆଶ୍ଚଯ୍ୟ ହୋଇଗଲା ନିରଜ, ଆରେ ଏତ ପ୍ରୀତି l ବହୁତ ଦିନ ପରେ ଦେଖା l

-”କଣ ଚୁପ୍ ଚାପ୍ ବିବାହ କରିନେଲ ସାଙ୍ଗ ସାଥୀ ମାନଙ୍କୁ ଭୁଲିଗଲ ଡାକିବାକୁ” l

-”ଆରେ ଭୁଲିଲି କଉଁଠି l ଯୋଉ ମାନକଂ ଠିକଣା ଜଣା ଥିଲା ଡାକିଥିଲି l ବହୁତ ସାଧା ସିଧା ଥିଲା ବିଭାଘର ତମ ମାନଙ୍କ ପରି ବଡଲୋକ ମାନଙ୍କୁ ହୁଏତ ପସନ୍ଦ ହୋଇ ନଥାନ୍ତା l”

-”କଥା ଟାଳିବକୁ ଚାଷ୍ଟା କରାଯାଉଛି ତାର ମାନେ l”

-ଛାଡ ମୋ କଥା; ମୋର ତ ବେଡା ପାର ତୁମ କଥା କିଛି ଶୁଣାଅ l ବିବାହ କଲେଣି ନା ନାହିଁ l”

-” ନା ବିବାହ ପ୍ରତି ମନ ଛି ହୋଇ ଯାଇଛି ତମେତ ଜାଣିଥିବ ସବୁ କଥା l ତୁମ ବନ୍ଧୁ ଧୋକା ଦେଲା ପରେ ଆଉ କାହାକୁ ବିଶ୍ବାସ କରିବାକୁ ଇଚ୍ଛ। ହେଉନି କି ସେ ଝମେଲରେ ପସି ବାକୁ ଇଚ୍ଛ। ନାହିଁ l


ମନେ ମନେ ବହୁତ ଖୁସି ହୋଇଗଲା ନିରଜ l - “ଆରେ ଇଏ କଣ କହୁଛନ୍ତି ଯିଏ ତୁମକୁ ଏ ପର୍ଯ୍ୟନ୍ତ ଜପା ମାଳି କରି ଦିନ ରାତି ଝୁରୁଛି l ତୁମ ପ୍ରଶଂସାରେ ସତ ମୁଖର ସେ ତୁମକୁ କେବେ ଧୋକା ଦେଇ ପାରେ l କେତେ ଥର ତାକୁ ବୁଝେଇଲିଣି ଭୁଲି ଯା ପଛକଥା l ଆଉ କାହାକୁ ବିବାହ କରିନେ ମୋଟେ ଶୁଣୁନି l କହୁଛି ଯାହାକୁ ଥରେ ଜୀବନଠୁ ଅଧିକ ଭଲ ପାଇଥିଲି ତାକୁ ଭୁଲି ଯିବା ଏତେ ସହଜ ନୁହେଁ l ପାଗଳା ଟା l”

-”ହଉ ତୁମ ସଙ୍ଗେ ଏତେ ଦିନ ପରେ ଦେଖା ହୋଇ ବହୁତ ଭଲ ଲାଗିଲା l ଘରକୁ ଯିବାକୁ ହେବ l” ନୁଆ ସ୍ତ୍ରୀ ଅପେକ୍ଷା କରିଥିବ କହି ଦୋକାନୀକୁ ଟଙ୍କା ଦେଇ ଶାଢୀ ଟିଏ ଆଣି ଘରକୁ ଫେରିଲା ନିରଜ l

ମିଛର ଏ ମେଡିସିନ୍ ଟା ଠିକ୍ କାମ ଦେବ ବୋଲି ତାର କାହିଁ ଧାରଣା ହେଲା l ତା ପର ରବିବାର ଯେତେବେଳେ ବିଜନ ଆସିଲା ଘରକୁ ସେ ବୁଲେଇ ବଙ୍କେଇ ପ୍ରୀତି କଥା ପକେଇଲା ଓ ସେ କିପରି ଏବେବି ତାକୁ ଭଲ ପାଉଛି ତା ପାଇଂ ଅପେକ୍ଷା କରିଛି ଯୋଡା ଯୋଡି କରି କିଛି ସିନେମାର ଡାଇଲଗ୍ ସହ ମିରିଚୀ ମସଲା ଲଗେଇ ତାକୁ ବେଶ୍ କିଛି ଶୁଣେଇଲା l ବିଜନ ମଝିରେ ମଝିରେ ଟିକେ ଚୁପ୍ ହୋଇ ଯାଇ ଅନ୍ୟ ମନସ୍କ ହୋଇ ଯାଉଥାଏ l ସେଦିନ ବି ସେ ବେଶୀ ସମୟ ରହିଲାନି କିଛି କାମର ବାହାନା କରି ଶୀଘ୍ର ଚାଲିଗଲା l


ଖୁସିରେ ଉଛୁଳି ଗଲା ନିରଜ ତା ମନ୍ତ୍ର କାମ କରିବ ବୋଲି ତାର ଦୃଢ ଧାରଣା ହୋଇଗଲା l ତାପର ରବିବାର ବିଜନ ଆସି ନଥିଲା l ଗୋଟେ ବଡ ପ୍ଲାନ୍ କରିନେଲା ନିରଜ l ପ୍ରୀତିଠାରୁ ସେଦିନ ବଡ଼ ଚାଲାକିରେ ତା ଠାରୁ ତା ମୋବୋଇଲ ନମ୍ବରଟା ଆଣିଥିଲା ସମୟ ହେଲେ ତାକୁ ଘରକୁ ଡାକି ତା ସ୍ତ୍ରୀ କୁ ଦେଖେଇବ ବୋଲି କହିଥିଲା l ପ୍ରୀତି ବି ରାଜି ହୋଇଥିଲା କହିଥିଲା ଯେବେ ସୁବିଧା ହେବ ଡାକିଲେ ସେ ନିଶ୍ଚୟ ଆସିବ l

ତାପର ରବିବାର ଦିନ ସେ ପ୍ରୀତିକୁ ଲଞ୍ଚ ପାଇଂ ଡାକିଲା ଏବଂ ତା ସ୍ତ୍ରୀ ଭଲ ରାନ୍ଧେ ବୋଲି କହିଲା l ପ୍ରୀତି ବହୁତ୍ ଖୁସିରେ ରାଜି ହୋଇଗଲା l ବିଜନକୁ ଚିଂଗୁଡି ବହୁତ ଭଲ ଲାଗେ ସେଦିନ ସକାଳୁ ବିଜନକୁ କଲ କରି କହିଦେଲା ଯେ ମମିତା ଚିଂଗୁଡି ରାନ୍ଧୁଛି ଲଞ୍ଚ ପାଇଁ ଆସିବାକୁ ତା ଘରକୁ ।


ନିର୍ଧାରିତ ସମୟ ଠାରୁ ଅଧ ଘଂଟେ ଆଗରୁ ପ୍ରୀତି ଆସିଗଲା କହିଲା ନୁଆ ଭାଉଜଙ୍କଠୁ ଟିକେ ରୋଷେଇ ଶିଖିବି ବୋଲି ଆସିଗଲି ଶୀଘ୍ର, ବୋଧ ହୁଏ ତୁମର କିଛି ଆପତ୍ତି ନଥିବ ନିରଜ l ସେ ଏକା ଏକା କାହିଁ ହଇରାଣ ହେବେ l ମୁଁ କିଛି ସାହାଯ୍ୟ କରିଦେବି l

ଆରେ ନା ନା ଆସ ଭଲ ହେଲା l ମନେ ମନେ ଖୁସି ହୋଇଗଲା ନିରଜ l ସେ ଜାଣେ ବିଜନ ନିଶ୍ଚୟ ଆସିବ କିନ୍ତୁ ପ୍ରୀତି ପାଖରେ ଆସିବା ନଆସିବା ଏକ ପ୍ରଶ୍ନବାଚୀ ଥିଲା l ଏବେ ସେ ନିଶ୍ଚିନ୍ତ l


ବାହାରେ ବିଜନର ସ୍କୁଟର ଆସିବା ଶବ୍ଦ ଶୁଣିବା କ୍ଷଣି ନିରଜ କହିଲା ପ୍ରୀତି କିଛି ଖରାପ ଭାବିବନି ସକାଳେ ଯେତେବେଳେ ତମ ପାଇଁ ଚିଂଗୁଡି ଆଣିବାକୁ ଯାଇଥିଲି ବିଜନ ସଂଗେ ଦେଖା ହୋଇଗଲା ତମରତ ନିଶ୍ଚୟ ମନେଥିବ ଚିଂଗୁଡି ଖାଇବାକୁ ସେ କେତେ ଭଲ ପାଏ ସଙ୍ଗେ ସଙ୍ଗେ ମତେ କିଲେ ଚିଂଗୁଡି କିଣି ଧରେଇଦେଲା କହିଲା ଭାଉଜଙ୍କୁ କହିବୁ ମୋ ପାଇଁ ରାନ୍ଧିଦେବେ ମୁ ଯାଇ ନେଇ ଆସିବି l


ସେ ଖାଲି ପାଞ୍ଚ ମିନିଟ ପାଇଁ ଆସି ନେଇକି ଚାଲିଯିବ; ଭାବୁଛି ତମେ କିଛି ମନେ କରିବନି l ତମେ ଆସୁଛ ଆଜି ଜାଣି ସୁଧା ତା କଥାକୁ ଏଡେଇ ଦେଇ ପାରିଲିନି l ମୁଁ ଜାଣେ ତମେ ତାକୁ ପୁରା ପାସୋରି ଦେଇଛ ଯଦିଓ ସେ ତୁମକୁ ଏଯାଏ ଝୁରି ହେଉଛି l ତୁମ ବିନା ଆଉ ଦ୍ବିତୀୟ ନାରୀ ତା ଜୀବନକୁ କେବେ ଆସିବେନି ବୋଲି ପୁରା ଭିଷ୍ମ ପ୍ରତିଜ୍ଞା ଟାଏ କରି ପକେଇଛି l ଛାଡ ସୁଦୁ ପାଗଳା ଟାଏ l ଏଇ ବୋଧେ ଆସିଯିବ ଯେକୌଣସି ମୁହୁର୍ତ୍ତରେ l

ମୁଁ ତାକୁ ତା ଚିଂଗୁଡି ତରକାରୀ ଶୀଘ୍ର ଦେଇ ଦଉଛି ସେ ଚାଲିଯିବ l ତମେ ଆରାମରେ ବସି ମମିତା ସଂଗେ ଗପସପ କରି ପାରିବ l ବାହାରେ କଲିଂଗ୍ ବେଲ୍ ଶୁଣି ନିରଜ ଯାଇ କବାଟ ଖୋଲିଲା l ଘର ଭିତରେ ପଶୁ ପଶୁ ବିଜନ କହିଲା-’’କି ଚିଂଗୁଡି ବାସ୍ନା ଦାଣ୍ଡ ଦ୍ବାର ବି ତୋର ବାସୁଛି l ଭାଉଜଙ୍କର ପୁରା ଲକ୍ଷ୍ମୀ ହାତ l ଲକି ମ୍ୟାନ୍ l’’

ମମିତା ଟେବଲ୍ ଉପରେ ଖାଇବା ସାମଗ୍ରୀ ଓ ପ୍ଲେଟ୍ ପ୍ରଭୃତ୍ତି ରଖା ରଖି କରୁଥିଲା l ପ୍ରୀତି ତାକୁ ସାହାଯ୍ୟ କରୁଥିଲା l ପ୍ରୀତିକୁ ଦେଖି ବିଜନ ପାଟିର କଥା ଅଧା ରହିଗଲା l ସେ ଆଶ୍ଚର୍ଯ ରେ ନିରଜ ମୁହଁକୁ ଚାହିଁଲା l ନିରଜ ତାକୁ ପରେ ସବୁ କହିବ ବୋଲି ଆଖି ମିଟିକା ଦ୍ବାରା ଇସାରା କରିଦେଲା ଓ ଅଂଗୁଠି ଓଠରେ ଦେଇ ଚୁପ୍ ରହିବାକୁ କହିଲା l


ମମିତା ତମେ ବିଜନ ପାଇଁବି ପ୍ଲେଟ୍ ଲଗେଇଦିଅ ସେ ଖାଇବ ଆମ ସଙ୍ଗେ l ଖାଇବା ବାସ୍ନାରେ ତା ପାଟିରୁ ଲାଳ ଗଡିଲାଣି l ନଚେତ୍ ଆମ ପେଟ କାମୁଡିବ ରାତିରେ l ନିରଜର ଏ ଗୋଳିଆ ମିଶା କଥାରୁ ବିଜନ କିଛି ବୁଝି ପା ରିଲାନି ତାକୁ ଲଞ୍ଚ ପାଇଁ ନିମନ୍ତ୍ରଣ କରି ଏପରି କଣ କହୁଛି l କିନ୍ତୁ ପରେ ସେ ବିଷୟରେ କଥା ହେବ ଏବେ ପ୍ରୀତିକୁ ଦେଖି ସେ ଟିକେ ହଡ ବଡେଇ ଗଲାଣି l ସତରେ କଣ ପ୍ରୀତି ତାକୁ ଏବେବି ମନେ ରଖିଛି l ନିରଜ କଥା କଣ ସତ ଏବେବି କଣ ତା ମନର ଏକ ନିଭୃତ୍ତ କୋଣରେ ବିଜନ ପାଇଁ ଏକ ସ୍ବତନ୍ତ୍ର ଜାଗା ରଖିଛି l

ଯେପରି ଭାବରେ ସେମାନଙ୍କର ମନାନ୍ତର ଘଟି ସେ ମଧୂର ସଂପର୍କର ସବୁଦିନ ପାଇଁ ଇତି ଘଟି ଥିଲା ତାହା ପୁନଉଧାର ଅବସ୍ଥା ରେ ନଥିଲା l ସେ ଝାଉଁଳା ମନ ଗଛର ବନ୍ଚିବାର ଟିକେ ବି ଅଶା ନଥିଲା l କିନ୍ତୁ ନିରଜ୍ କଥାକୁ ବି ଅବିଶ୍ବାସ କରା ଯାଇ ପାରେନା l


ଖାଇବା ବଢା ବଢି ହେଲା ନିରଜ ବିଭିନ୍ନ ପ୍ରକାର କଥା ଆରମ୍ଭ କଲା ଯେ ତାହା ଜମା ଶେଷ ହେଉ ନଥାଏ l ମଝିରେ ମଝିରେ ଶୁଣିଥିବା ବା ପଢିଥିବା ଯୋକ୍ ସବୁ ଶୁଣୋଉ ଥାଏ l ମମିତା ହସି ହସି ଗଡି ଯାଉଥାଏ l ତା ହସ ସହିତ ଯୋଗ ଦଉ ଥାଏ ପ୍ରୀତି l ପ୍ରୀତିର ଏ ହସ ଦେଖି ମନେ ମନେ ବହୁତ କଥା ଅତୀତର ମନେ ପଡିଯାଉ ଥାଏ ବିଜନର l ଅଣାୟତ ମନ ଓ ଆଖି ତାର ପ୍ରୀତି ଆଡେ ଟାଣି ହୋଇ ଯାଉଛନ୍ତି l ଯଦିଓ ପରସ୍ପର ଆଖି ମିଶିଗଲେ ଦୁହେଁ ମୁହଁ ଫେରେଇ ନେଉଥାନ୍ତି l ଘୃଣା ବସତ ନୁହେଁ ଲଯ୍ୟା ବସତ l


ପ୍ରୀତିର ସେଇ ଲଯ୍ୟା ଭରା ମୁହଁ ଟା ବିଜନକୁ ବହୁତ ଭଲ ଲାଗେ ବୋଲି ସେ କେତେ ଥର ପ୍ରୀତିକୁ କହିଛି l ଆଉ ପ୍ରୀତି କହେ ତମେତ ମତେ ଲଯ୍ୟା ହୀନା କରି ସାରିଲଣି କେବେଠୁ l ଦୁହେଁ ହସନ୍ତି l ହଠାତ୍ ମମିତା ଆଉ ପ୍ରୀତି ଙ୍କ ହସରେ ଭାବନା ଭଗ୍ନ ହେଲା ବିଜନର l କିଛି ବୋଧେ ଯୋକ୍ କଲା ନିରଜl ସେ ଶୁଣି ପାରିନି କିନ୍ତୁ ହସରେ ଯୋଗ ଦେଲା l

ସେଦିନର ସବୁ ଆୟୋଜନ ଯେପରି ପ୍ଲାନ୍ ରେ ହୋଇଥିଲା ସବୁ ସେହିପରି ଭାବେ ହୋଇଗଲା l ପ୍ରୀତି ବାହାରିଲା ଘରକୁ ଯିବାକୁ l ସେ କାହାର ନାମ ନନେଇ ସମସ୍ତଙ୍କୁ ‘ବାଏ ଅଲ୍’ କହିଦେଇଗଲା l ସେ ବାଏ ଟା ବିଜନ ପାଇଁ ବି ପ୍ରଯୁଯ୍ୟ ଥିଲା ବୋଲି ଦୁହେଁ ବିଜନ ଆଉ ନିରଜ ଅନୁଭବ କଲେ l


ପ୍ରୀତି ଗଲା ପରେ ନିରଜ କହିଲା ସରୀ ( sorry ) ବିଜନ ମୋର ପ୍ରୀତିକୁ ନିମନ୍ତ୍ରଣ କରିବାର ମୋଟେ ଉଦେଶ୍ୟ ନଥିଲା l ଆଜି ସକାଳେ ଯେତେବେଳେ ଚିଂଗୁଡି କିଣିବାକୁ ତୋ ପାଇଂଯାଇଥିଲି ହଠାତ୍ ତା ସଂଗେ ଦେଖା ହୋଇଗଲା ଏବଂ ପଚାରିଲା -’ତମର ବାହାଘର ହୋଇଗଲା ବୋଲି ଶୁଣିଲି l ଡାକ ଘରକୁ ଭାଉଜଙ୍କ ସଂଗେ ଦେଖା କରିବାକୁ l’ ପାଟିରୁ ବାହାରି ଗଲା ମମିତା ଭଲ ଚିଂଗୁଡି ରାନ୍ଧେ l


ସଙ୍ଗେ ସଙ୍ଗେ ତା ତରଫରୁ କହିଲା ତେବେ ଆଜି ଆସିବି ତମ ଘରକୁ ଭାଉଜଙ୍କଠୁ ରନ୍ଧା ବି ଶିଖିଯିବି କିଛି l ମନା କରି ପାରିଲିନି l କିଛି ଖରାପ ଭାବିବୁନି l ଯଦିଓ ସେ ତତେ ଏବେବି ଭଲ ପାଏ ଏବେବି ମନେ ରଖିଛି l ତୋ ବିନା ଅନ୍ୟ କୋଉ ଦ୍ବିତୀୟ ପୁରୁଷ ତା ଜୀବନରେ ଆଉ ଆସିବେନି ଶପଥ କରି ଏ ଯାଏ ଅବିବାହିତା ରହିଛି l ଛାଡ ଏସବୁ କଥା କହି ତୋ ମନରେ ଦୁଖ ଦେବା ମୋର ଉଦେଶ୍ୟ ନୁହେଁ l


ସେଦିନ ପରେ, ପ୍ରାୟ ଦୁଇମାସ ହେବ ବିଜନର ଆଉ ଦେଖା ନାହିଁ l ଦିନେ ହଠାତ୍ ଫୋନ୍ କରି ତାକୁ ଥ୍ୟାନ୍କ୍ୟୁ (thank you) ଜଣେଇଲା ସେଦିନର ଲଞ୍ଚ ପାଇଁ l ସେ ଆଉ ପ୍ରୀତି ଏବେ ପୁର୍ବ ବନ୍ଧୁତ୍ବକୁ ଫେରି ଆସିଛନ୍ତି l ଶୀଘ୍ର ବିବାହ କାର୍ଡ଼ ତା ପାଖରେ ପହଂଚିବ l

ଓ କି ଖୁସି ଖବର ! ମମିତାକୁ ଧରି ନାଚିଗଲା ନିରଜ କିଛି ସମୟ l ମମିତା ସନ୍ଦେହ ଦୃଷ୍ଟିରେ କେବଳ ଚାହିଁ ରହିଲା ନିରଜକୁ l ପରେ ବୁଝେଇବ ସେ; ଏବେ ତାକୁ ନାଚିବାକୁ ଦିଅ l ସାପ ମଲା କିନ୍ତୁ ବାଡି ଭାଂଗିଲାନି l ବନ୍ଧୁତ୍ବ ରହିଲା କିନ୍ତୁ ଆଉ ସବୁବେଳେ ବିଜନ ଆସି ତା ସୁଖୀ ପାରିବାରିକ ଜୀବନରେ ବ୍ୟାଘାତ ଘଟେଇବ ନାହିଁ l ହା ହା l



Rate this content
Log in