STORYMIRROR

ABhimanyu Panda

Others

4  

ABhimanyu Panda

Others

ଶୂନ୍ୟର ଇନ୍ଦ୍ରଧନୁ

ଶୂନ୍ୟର ଇନ୍ଦ୍ରଧନୁ

8 mins
264

ଦେଶର ରାଜଧାନୀ ଦିଲ୍ଲୀରେ ଉଚ୍ଚପଦସ୍ଥ କର୍ମଚାରୀ ମାନଙ୍କ ପାଇଁ ଉଦିଷ୍ଟ ବାସଭବନର ମରାମତି ଲାଗି ଆମ କମ୍ପାନୀକୁ ଟେଣ୍ଡର ମିଳିଥିଲା । ଆଠ ମହଲା ବିଶିଷ୍ଟ ଅଟ୍ଟାଳିକାର ସୁରକ୍ଷା ଦାୟିତ୍ୱରେ ସଶସ୍ତ୍ର ସୈନିକ ମାନେ ନିୟୋଜିତ । ମୁଖ୍ୟ ଫାଟକରୁ ଅଟ୍ଟାଳିକା ଟିର ଦୂରତା ପ୍ରାୟ ଅଧକିଲୋମିଟର ହେବ । ବିଭିନ୍ନ ପ୍ରକାରର ନିର୍ଦେଶ ପରେ ସମସ୍ତ ଶ୍ରମିକ ଆଉ କର୍ମଚାରୀ ମାନଙ୍କୁ ଉପଯୁକ୍ତ ପ୍ରମାଣ ପତ୍ର ମିଳିଲା ପରେ କାମ ଆରମ୍ଭ ହେଲା । ଓଡିଶା ରୁ ଭାରତୀୟ ରେଳ ବିଭାଗରେ କାର୍ଯ୍ୟରତ ଜଣେ ଉଚ୍ଚପଦସ୍ଥ ଅଧିକାରୀ ଶ୍ରୀଯୁକ୍ତ ଏସ. ପଣ୍ଡା ସପରିବାର ସେହିଠାରେ ରହୁଥିଲେ । କିନ୍ତୁ କେବେବି ଶ୍ରୀଯୁକ୍ତ ପଣ୍ଡାଙ୍କ ସହିତ ଦେଖାକରିବାର ସୁଯୋଗ ମିଳିନି । ଶ୍ରୀମତୀ ପଣ୍ଡା ତାଙ୍କର ୧୦/୧୨ ବର୍ଷର ଝିଅ ଆଉ ତାଙ୍କ ଘରେ କାମ କରୁଥିବା ଜଣେ ଓଡ଼ିଆ ପିଲା ସହ ମୋର ପ୍ରାୟ ସବୁଦିନ ଦେଖା ସାକ୍ଷାତ ଓ କଥାବାର୍ତ୍ତା ହୁଏ । ମଧ୍ୟାହ୍ନରେ ଶ୍ରୀମତୀ ପଣ୍ଡା କିଛିନା କିଛି ଖାଇବା ତିଆରି କରି କାମ କରୁଥିବା ପିଲାଟି ହାତରେ ପଠାନ୍ତି ସବୁଦିନ । ଖାଣ୍ଟି ଓଡ଼ିଆଣୀ ବେଶଭୁଷା , ଉଦୟ କାଳୀନ ସୂର୍ଯ୍ୟପରି ମଥାରେ ବଡ଼ ସିନ୍ଦୁର ଟୋପା । ବ୍ୟବହାରରେ ଶାଳୀନତା ,ଏତେ ବଡ଼ ଅଫିସରଙ୍କ ପତ୍ନୀ ତଥାପି ମନରେ ଲେସ ମାତ୍ର ଗର୍ବ ନାହିଁ । କର୍ମଚାରୀ ହିସାବରେ ମୁଁ ଆଉ ଶ୍ରମିକ ଭାବରେ ଆଉଜଣେ ଓଡ଼ିଆ ପିଲା ଥିଲୁ । କିନ୍ତୁ ଶ୍ରୀମତୀ ପଣ୍ଡା ସମୟ ମିଳିଲେ ସମସ୍ତଙ୍କ ଭଲମନ୍ଦ ପଚାରି ବୁଝନ୍ତି । ଶ୍ରୀମତୀ ପଣ୍ଡାଙ୍କୁ ଦେଖିଲେ ସମସ୍ତଙ୍କ ମଥା ସମ୍ମାନରେ ନଇଁ ଯାଏ । 


     ସୁଚାରୁ ରୁପେ ଆମ କାମ ଚାଲିଥାଏ । ପ୍ରାୟ ଦୁଇ ସପ୍ତାହ ପରେ , ଆଉ ଜଣେ ଭଦ୍ର ମହିଳାଙ୍କ ସହ ମୋର ମୁହାଁ ମୁହିଁ ହେଲା । ପିଲାମାନେ ବାରମ୍ବାର ତାଙ୍କ ଘରକୁ ଗଲାପରେ ମଧ୍ୟ ସେ ତାଙ୍କ ଘରେ କାମ କରେଇ ଦେଉନଥିଲେ । ନିୟମ ଅନୁଯାୟୀ କିଛି ଜରୁରୀ କାଗଜ ଧରି ମୁଁ ସକାଳୁ ସକାଳୁ ସେହି ଭଦ୍ର ମହିଳାଙ୍କ ଘରେ ପହଞ୍ଚିଲି । ଘଣ୍ଟି ବଜେଇଲା ପରେ ଜଣେ ୧୦/୧୨ ବର୍ଷର ବାଳକ କବାଟ ଖୋଲିଲା । ଆଉ ମା' ପରେ ଆସିବାକୁ କହୁଛନ୍ତି ବୋଲି ମତେ କହିଲା । ମୁଁ ସାଙ୍ଗରେ ନେଇଥିବା କାଗଜକୁ ସେ ପିଲାଟିର ହାତକୁ ବଢ଼େଇ ଦେଇ କହିଲି ଏଇଟି ତୁମ ମା'ଙ୍କୁ ଦେଇଦିଅ ଆଉ କୁହ ମୁଁ ବାହାରେ ଅପେକ୍ଷା କରିଛି ବୋଲି । ସେ କାଗଜରେ ଲେଖାଥିଲା ଯେ ଆପଣଙ୍କ ବିନା ସହଯୋଗରେ ଆମ କାମ କରିପାରିବୁନି ,ଏଥିରେ ଆମ କମ୍ପାନୀର କୌଣସି ଦୋଷ ନାହିଁ । ଦୟାକରି ଆପଣ ଦସ୍ତଖତ କରିଦିଅନ୍ତୁ ,ଯାହାଦ୍ୱାରା ଆମେ ଆଉ ଆପଣଙ୍କ ଘରକୁ କାମ କରିବାକୁ ଆସି ଆପଣଙ୍କ ଶାନ୍ତି ଭଙ୍ଗ କରିବୁନି । ଯାହା ଏକ ପ୍ରକାରର NOC ଥିଲା ଆମ ପାଇଁ । କିଛି ସମୟ ଅପେକ୍ଷା କଲା ପରେ ଜଣେ ମଧ୍ୟବୟସ୍କା ଅତିସୁନ୍ଦରୀ ଆଉ ବେଶଭୁଷା ରେ ଆଧୁନିକ ଲାଗୁଥିବା ମହିଳା କବାଟ ଖୋଲିଲେ । ମୁଁ କିଛି କହିବାପୁର୍ବରୁ ଆରମ୍ଭ ହେଇଗଲା ସମ୍ଭ୍ରାନ୍ତିୟ ଗାଳି । ଗାଳିର ବର୍ଷା ! ହିନ୍ଦି, ଇଂଲିଶ ସବୁ ଭାଷାରେ ...ମନେ ମନେ ଭାବିଲି କଣ ଏମିତି ଭୁଲ ହେଇଗଲାକି ମୋର ?! କିଛି ଗାଳି ମୋ ବେଶଭୁଷା ,ମୋ ଶିକ୍ଷା ଦୀକ୍ଷା ଉପରେ ବି ହେଇଗଲା ! ମୋର ଉପରିସ୍ଥ କର୍ମଚାରୀଙ୍କ ନିର୍ଦେଶ ଅନୁସାରେ ମୁଁ ଚୁପଚାପ ସବୁ ଶୁଣୁଥାଏ । କିନ୍ତୁ ଭଦ୍ର ମହିଳା ଜଣଙ୍କ ବର୍ଷି ଚାଲିଥାନ୍ତି ମୋ ଉପରେ । ତାଙ୍କର ଗୋଟେ ଧାଡ଼ି ମୋ ଭିତରର ଓଡ଼ିଆକୁ ଜାଗ୍ରତ କରିଦେଲା । ଜାଣିଛ ମୁଁ କିଏ ? ଚିହ୍ନିଛ ମତେ ? ମହିଳା ଜଣଙ୍କର ଏ ପ୍ରଶ୍ନର ଉତ୍ତର ଦବାକୁ ମନେ ମନେ ସ୍ଥିର କଲି । ବାରବର୍ଷ ଉପାସ ରହି ଭିକ ମାଗିବେ ପଛେ ଓଡ଼ିଆ ମାଇପ ଛଡ଼ା ହବାକୁ ପଛେଇ ଯିବେନି ।


ଆଜ୍ଞା ମୁଁ ନିଜେ ଜାଣିନି ମୁଁ କିଏ ଆଉ ନିଜକୁ ନିଜେ ବି ଚିହ୍ନିନି ଆପଣଙ୍କୁ କେମିତି ଜାଣିବି ? କେବଳ କାମ ଲାଗି ଆପଣଙ୍କ ଗାଳି ଶୁଣୁଛି ,ବ୍ୟକ୍ତିଗତ ଭାବେ ଆପଣଙ୍କୁ ଜାଣିବାରେ ମୋର ତିଳେମାତ୍ର ବି ଆଗ୍ରହ ନାହିଁ । ମୋ ଉତ୍ତରରେ ମହିଳା ଜଣଙ୍କ ରାଗ ପଞ୍ଚମକୁ ଉଠିଗଲା ,। ସ୍ତ୍ରୀ ମାନଙ୍କୁ ତାଣ୍ଡବ ମନାଥିଲେବି ମହିଳା ଜଣଙ୍କର ତାଣ୍ଡବରେ ଆଠ ମହଲା ବିଶିଷ୍ଟ ଅଟ୍ଟାଳିକାଟି ଥରହର ହେଲା । ମହିଳାଙ୍କ ପାଟିଶୁଣି ସୁରକ୍ଷାରେ ଥିବା ସୈନିକମାନେ ଆସି ମୋ ମୁଣ୍ଡରେ ବନ୍ଧୁକ ଲଗେଇଦେଲେ । ଭୋକ ଉପାସରେ ସମୁଦ୍ର କୁଳର ତାତିଲା ବାଲିରେ ଚାଲି ଜଗା ,ବଳିଆ ଦୁଇ ଭାଇ ଯେଉଁ କଷ୍ଟ ପାଇ ନଥିବେ ,ମୁଁ ତାର ଦଶଗୁଣ ପାଇଗଲି । ଜଗନ୍ନାଥେ ତ ଲୀଳା କରୁଥିଲେ । ମୋର ତ ଜୀବନ ଉପରେ ପଡ଼ିଗଲା । ହଠାତ ମହିଳାଙ୍କ ମନକୁ କଣ ଆସିଲା କେଜାଣି ସୁରକ୍ଷା କର୍ମୀ ମାନଙ୍କୁ ଯିବାକୁ କହିଲେ । ସେମାନେ ଚାଲିଗଲା ପରେ ମତେ ବି ଯିବାକୁ କହିଲେ । ମୁଁ ବରଡ଼ା ପତ୍ର ପରି ଥରି ଥରି ସେ ଜାଗାରୁ ଆସିଲି । ମନେ ମନେ ଶ୍ରୀମତୀ ପଣ୍ଡା ଆଉ ସେ ମହିଳା ଜଣଙ୍କୁ ତୁଳନା କରୁଥିଲି । ଜଣେ ଶାନ୍ତ ସରଳ ଲକ୍ଷ୍ମୀ ଠାକୁରାଣୀଙ୍କ ରୂପ ଆଉ ଜଣେ ସଂହାର କାରିଣୀ ମା କାଳୀ । 


      ପରଦିନ ସକାଳୁ ଆମେ ପହଞ୍ଚିବା ପୂର୍ବରୁ ସେହି ମହିଳା ଜଣକ ଆମକୁ ଅପେକ୍ଷା କରିଥାନ୍ତି ଆମ ଅସ୍ଥାୟୀ ଅଫିସ ସାମ୍ନାରେ । ତାଙ୍କୁ ଦେଖି ନମସ୍କାର ଜଣାଇଲି ,ମହିଳା ଜଣକ କିଛି ଉତ୍ତର ନଦେଇ ତାଙ୍କ ଘରେ କାମ କରିବାକୁ କହି ଚାଲିଗଲେ । ପୁର୍ବ ଦିନର ଘଟଣା ଲାଗି କେହିବି ତାଙ୍କ ଘରକୁ ଯିବାକୁ ରାଜି ହେଉନଥାନ୍ତି । ସତ କହିବାକୁ ଗଲେ ମୋରବି ଇଚ୍ଛା ନଥିଲା ଯିବାକୁ । ସାହସ ବାନ୍ଧି ଦୁଇଜଣ ପିଲାଙ୍କୁ ସାଙ୍ଗରେ ଧରି ପହଞ୍ଚିଲି ତାଙ୍କ ଘରେ । କାମ ଚାଲିଥାଏ ,କିଛି ସମୟପରେ ସେ ସ୍ତ୍ରୀଲୋକ ଜଣକ ମତେ ବସିବାକୁ କହିଲେ । ମୁଁ ବି ବିନା ପ୍ରତିକ୍ରିୟାରେ ଚୁପଚାପ ବସିପଡ଼ିଲି ତାଙ୍କ ଇଙ୍ଗିତ ଆସନ ଉପରେ । କାଲିର ଘଟଣା ପାଇଁ ମୁଁ ବହୁତ ଲଜ୍ଜିତ , ମୁଁ ତମକୁ କ୍ଷମା ମାଗୁଛି । ମହିଳାଙ୍କର ଏ କଥା ମୋ ଉପରେ କୌଣସି ପ୍ରଭାବ ପକାଇ ନଥିଲା । ମନରେ ଭୟ ଅସରନ୍ତି । ମହିଳା ଜଣକ କିନ୍ତୁ ପ୍ରଶ୍ନ ଉପରେ ପ୍ରଶ୍ନ କରି ଚାଲିଥାନ୍ତି । ମୁଁ କେଉଁ ରାଜ୍ୟର ? ମୋର ଶିକ୍ଷା ଗତ ଯୋଗ୍ୟତା କଣ ? ମୋର ଭାଇ ଭଉଣୀ କେତେଜଣ ? ବିବାହିତ କି ନୁହେଁ ? ଏମିତି ଅନେକ ପ୍ରଶ୍ନ । ଯଥା ସମ୍ଭବ କମ ଶବ୍ଦରେ ମୁଁ ତାଙ୍କ ପ୍ରଶ୍ନର ଉତ୍ତର ଦେଉଥାଏ । ମୁଁ ଓଡ଼ିଶାର ଜାଣିଲା ପରେ ସେ ଶ୍ରୀମତୀ ପଣ୍ଡାଙ୍କ ବିଷୟରେ କହିଲେ କି ସେ ଦୁଇଜଣଙ୍କ ଭିତରେ ଘନିଷ୍ଠ ବନ୍ଧୁତା ଅଛି ବୋଲି । 


    ସେ ଦିନ ସନ୍ଧ୍ୟାବେଳେ ଛୁଟି ସମୟରେ ସେ ମହିଳା ଜଣକ ପୁଣି ଆମ ଅଫିସକୁ ଆସି ତାଙ୍କ ସହ ବୁଲିଯିବାକୁ ଆମ ସମସ୍ତଙ୍କୁ କହିଲେ । ଇଛା ନଥିଲେ ବି ଆମେ ସମସ୍ତେ ତାଙ୍କ ସହ ବୁଲିବାକୁ ଗଲୁ । ରାସ୍ତାରେ ମହିଳା ଜଣଙ୍କ ମତେ ପଚାରିଲେ ତମେ ମଦ ପିଅ ? ମୁଁ ହଁ ରେ ମୁଣ୍ଡ ହଲେଇଲି । ତା ପରଦିନ ରବିବାର ଥିଲେବି କାର୍ଯ୍ୟର ଅଧିକତା ଯୋଗୁଁ ଆମେ କାମ କୁ ଯାଇଥାଉ । ମହିଳା ଜଣକ ପୂର୍ବଦିନ ପରି ଗୁଡ଼ାଏ ପ୍ରଶ୍ନ ପଚାରୁଥାନ୍ତି । ଅନିଛା ସତ୍ତ୍ୱେ ମୁଁ ଉତ୍ତର ଦେଇ ଚାଲିଥାଏ । ମହିଳା ମତେ ପଚାରିଲେ ଏବେ ମଦ ପିଇବ ? ନାଇଁ ଆଜ୍ଞା ନିଶାରେ ଯଦି କଣ କିଛି କହିଦେଲି ,ମରଣ ସାର ହେବ । ମୁଁ ଏବେ ମରିବାକୁ ଚାହୁଁନି । ମୋ କଥା ଶୁଣି ମହିଳା ଜଣକ ଘର ଭିତରକୁ ଗଲେ ଆଉ ଫେରିଲା ବେଳେ ହାତରେ ମଦ ବୋତଲ ଆଉ ଦୁଇଟି ଗ୍ଲାସ । ମୁଁ ଯେତେ ମନା କଲେବି ମହିଳା ଜଣକ ମାନିଲେନି । ୩/୪ପେଗ ପିଇଲା ପରେ ମନରେ ସାହସ ବାନ୍ଧି ପଚାରିଲି ,ଆଜ୍ଞା ଦୁଇଦିନ ତଳେ ଆପଣ ଜୀବନ ନେଲାଭଳି ପରିସ୍ଥିତି ସୃଷ୍ଟି କଲେ ଆଉ ଏବେ ଏତେ ସ୍ୱତନ୍ତ୍ରତା ଦେଉଛନ୍ତି ! ଆପଣଙ୍କ ମନରେ କଣ ଚାଲିଛି ମୁଁ କିଛି ବୁଝି ପାରୁନି ? !! କିଛି ଉତ୍ତର ଦେଲେନି ମହିଳା ଜଣକ । ଆଛା ଆପଣ ଆପଣଙ୍କର ଗୋଡ଼ର ଦଶ ଆଙ୍ଗୁଳିରେ ଦଶ ରଙ୍ଗର ନଖ ପାଲିସ ଲଗେଇଛନ୍ତି ତା'ର କାରଣ କଣ ? ଗୋଟିଏ ରଙ୍ଗର ଲଗେଇଥିଲେ ହେଇ ନଥାନ୍ତା !? ମହିଳାଙ୍କର ହସ ମୋ କାନରେ ପଡ଼ିଲା ,ନିଶାରେ ଥାଇ ମଧ୍ୟ ତାଙ୍କ ମୁହଁକୁ ଚାହିଁବାର ସାହସ ମୁ କରିପାରୁନଥିଲି । କାମ ସରିଲା ପରେ ଆମେ ସମସ୍ତେ ତାଙ୍କ ଗାଡ଼ିରେ ବୁଲିବାକୁ ଗଲୁ । ବୁଲାବୁଲି ପରେ ସେ ଆମକୁ ଆମେ ରହୁଥିବା ଘର ପାଖରେ ଛାଡ଼ି ଗଲେ ।


       ତା'ପରଦିନ ପୁଣି କାମ ସମୟରେ ମହିଳା ଜଣକ ,ମତେ କହିଲେ ,ତମେ ପ୍ରଥମ ଦିନରେ ମତେ କହିଲ କି ତମେ ନିଜକୁ ଚିହ୍ନିନ କି ଜାଣିନ ସେଥିଲାଗି ତମେ ଅନ୍ୟକୁ ଜାଣିବାକୁ ଆଗ୍ରହୀ ନୁହଁ !ସତରେ ତମେ ନିଜକୁ ଜାଣିବାକୁ ଚାହୁଁଛ ? ତମେ ଯେଉଁସବୁ ନିଜର ଯେଉଁ ପରିଚୟ ଦେଇଛ ମତେ ସେ କଣ ତମେ ନୁହଁ ? ତମ ବେକରେ ଝୁଲୁଥିବା ପରିଚୟ ପତ୍ରରେ ଯେଉଁ ପରିଚୟ ଦିଆ ଯାଇଛି ତାହା ସବୁ କଣ ମିଛ ? ମୋ ପାଖରେ କିଛିବି ଉତ୍ତର ନଥିଲା ତାଙ୍କ ପ୍ରଶ୍ନର । ଆଚ୍ଛା ତମେ ମୋର ଗୋଟେ ପ୍ରଶ୍ନର ଉତ୍ତର ଦିଅ । ମୁଁ ପଚାରନ୍ତୁ ବୋଲି କହିଲି ,

 ତମେ ପୂର୍ବ ଭାରତର ଲୋକ । ସବୁ ପର୍ବ ଭିତରେ ଦୁର୍ଗାପୂଜା ପ୍ରସିଦ୍ଧ ପୂର୍ବ ଭାରତରେ ,ଦୁର୍ଗା ପୂଜାରେ ଜଣେ ସିଳ୍ପିକାର ଗୋଟିଏ ମାଟିର ନାରୀ ମୂର୍ତ୍ତିରେ ନାରୀର ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟ କୁ ଆବଦ୍ଧ କରେ ଆଉ ଆମେ ସମସ୍ତେ ଆବାଳ ବୃଦ୍ଧ ବନିତା ସେଇ ମୂର୍ତ୍ତିକୁ ମା' ବୋଲି କହି ଆଶୀର୍ବାଦ ଆଶାରେ ସାଷ୍ଟାଙ୍ଗ ନମସ୍କାର କରୁ ପ୍ରଶ୍ନ ହେଉଛି ଯଦି ରାସ୍ତାରେ ଯାଉଥିବା ବେଳେ ସେମିତି ଜଣେ ଅତୀବ ସୁନ୍ଦରୀ ନାରୀଟିଏ ଷୋଳ ଶୃଙ୍ଗାର କରି ତୁମ ସାମ୍ନାକୁ ଆସେ ସତରେ କଣ ତମ ମନରେ ଭକ୍ତିଭାଵ ଜାଗ୍ରତ ହେବ ? ସତରେ କଣ ସେ ନାରୀ ପ୍ରତି ତମ ମନରେ ମାତୃପ୍ରେମ ଜାଗ୍ରତ ହବ ?


    ପ୍ରଶ୍ନଟି ଶୁଣିଲା ପରେ ମୋ ଆଶ୍ଚର୍ଯ୍ୟର ସୀମା ରହିଲାନି । ପ୍ରଶ୍ନଟିର ଓଜନ ମତେ ଅଣନିଶ୍ୱାସୀ କରିଦେଉଥାଏ । ଆଶ୍ଚର୍ଯ୍ୟ ଏଇଥିପାଇଁ ଯେ ଏଇ କିଛିଦିନ ତଳେ ଯେଉଁ ମହିଳା ମତେ ବିଭିନ୍ନ ଅସଭ୍ୟ ଭାଷାରେ ଗାଳି କରୁଥିଲେ ,ଗତକାଲି ମୋ ସାଙ୍ଗରେ ମଦ ପିଉଥିଲେ ,ପୋଷାକ ବି ଅତ୍ୟାଧୁନିକ ,ତାଙ୍କ ମୁହଁରେ ଏଭଳି ମୂଲ୍ୟବାନ ପ୍ରଶ୍ନ ମତେ ଆଚମ୍ବିତ କରୁଥାଏ । ନାଇଁ ଆଜ୍ଞା ବର୍ତ୍ତମାନ ମୁଁ ଏ ପ୍ରଶ୍ନର ସଠିକ ଉତ୍ତର ଦେଇପାରିବିନି । କାରଣ ମୋ ମନରେ ବି ଏମିତି ଭାବନା ଆସେନି କୌଣସି ନାରୀଙ୍କୁ ଦେଖିଲେ । ମୋ ଉତ୍ତରର ଜବାବ ଦବାକୁ ଯାଇ ସେ କହିଲେ ,

       ଏକା ତମେ ନୁହଁ ,ପ୍ରାୟ ସମସ୍ତଙ୍କର ଭାବନା ସମାନ ,ଅଳ୍ପକିଛି ବ୍ୟତିକ୍ରମ ଅଛନ୍ତି । ହେଲେ ଆଜ୍ଞା ମନରେ ଏମିତି ତୁଚ୍ଛ ଭାବନା ଆସିବାର କାରଣ କଣ ? ମୁଁ ପଚାରିଲି । ମଣିଷ ସେଇ ରାସ୍ତାରେ ଭଗବାନଙ୍କ ପାଖକୁ ଫେରିବାକୁ ଚାହୁଁଛି ଯେଉଁ ରାସ୍ତାରେ ମାଧ୍ୟମରେ ସେ ଏ ଇହ ଜଗତକୁ ଆସିଛି । ଯାହା ସମ୍ପୂର୍ଣ୍ଣ ଅସମ୍ଭବ । ଅନେକ ଚେଷ୍ଟା କରି ହାର ମଣିଯାଇଛନ୍ତି ତ ଅଗଣିତ ଏବେବି ଚେଷ୍ଟିତ । ପ୍ରକୃତରେ କହିବାକୁ ଗଲେ ମୁଁ ତାଙ୍କ କଥା କିଛି ବୁଝିପାରୁ ନଥାଏ । ତଥାପି ସେ କହିବା ଜାରି ରଖିଥାନ୍ତି । ଶୁଣ ଏ ଆଜିକାଲି ଚଳଚ୍ଚିତ୍ର ମାନଙ୍କରେ ଯେଉଁ ହୃଦୟ ଭାଷାର ପ୍ରଚାର ପ୍ରସାର ଚାଲିଛି ତାହା ଏ ପରିବେଷକୁ ବାଟବଣା କରିବା ଛଡ଼ା ଆଉ କିଛି ନୁହେଁ । କେମିତି ମୁଁ ପୁଣି ପଚାରିଲି ? ଭାବିବା ,ଚିନ୍ତା କରିବା , କିଛି ଲକ୍ଷ ହାସଲ କରିବା କେବେଳ ମସ୍ତିଷ୍କର କାମ । ହୃଦୟ ଆଜ୍ଞାକାରୀ । ତମ ପାଇଁ ଜଣେ ଉଚ୍ଚପଦସ୍ଥ ଅଧିକାରୀ ସହଜ ଲବ୍ଧ ଥିଲେ ତମେ ତାଙ୍କୁ ଦେଖାକରିବାକୁ ଜଣେ କିରାଣୀକୁ କେବେବି ଲାଞ୍ଚ ଦବନି । ସେମିତି ତମର ମାନସିକତା ଶୁଦ୍ଧ ଥିଲେ , ଯଦି ତମର ଶୁଦ୍ଧ ବିଚାର ଶକ୍ତି ଥାଏ ତାହେଲେ ତମେ ଶିଳ୍ପୀଙ୍କ କଳ୍ପନାର ଦେବୀଙ୍କୁ ସାଷ୍ଟାଙ୍ଗ କରିବା ସହିତ ଏ ବିଶ୍ଵର ସମସ୍ତ ନାରୀଙ୍କ ପ୍ରତି ସମ୍ମାନ ଭାବନା ରଖିପାରିବ । ଦେଖ ପୁରାଣ ଶାସ୍ତ୍ର , ଇତିହାସର ପୃଷ୍ଠା ଲେଉଟାଇ ଦେଖ , ରାଜା ମହାରାଜା ମାନଙ୍କର କେତେ ଜଣ ସ୍ତ୍ରୀ ଥିଲେ ,ଅନେଶତ ରାଣୀ । ଆଉ ଲୋକମାନେ କୃଷ୍ଣ ପ୍ରେମର ଭାବକୁ ନଜାଣି ତାଙ୍କର ୧୬୧୦୮ ରାଣୀ ଥିଲେ ବୋଲି କୁହନ୍ତି । ଯଦି ସେଇମାନଙ୍କ କଥା ଧରାଯାଏ ,ସେ ସମୟରେ କଣ ସେତିକି ନାରୀ ଥିଲେ ଧରା ପୃଷ୍ଠରେ ? ଯେଉଁ ରାଜାମାନଙ୍କର ୯୯ ରାଣୀ ଥିଲେ ସେମାନଙ୍କ ସମୟରେ କଣ କେବଳ ୯୯ ନାରୀ ଆସିଥିଲେ ଏ ଧରା ଧାମକୁ । ବିବାହ କରିବା ଲାଗି ନାରୀ ସିମୀତ । ଜଣେ ଯୁବକ ଜଣେ ଯୁବତୀ ବିବାହ କଲାପରେ ଏ ପୃଥିବୀରେ ଥିବା ବାକି ସମସ୍ତ ନାରୀଙ୍କ ପ୍ରତି କଣ ମନୋଭାବ ଆସିବା ଦରକାର ? ଯଦି ମାତୃତ୍ବର ,ସତରେ କଣ ଆସୁଛି ଏ ଭାବନା ? ହଁ ନିଜ ବିବାହିତା ସ୍ତ୍ରୀ ମଧ୍ୟ ମାର ଭୂମିକାରେ ରୁହେ । ଯଦି ତମେ ନାରୀର ସେ ସୁକ୍ଷ୍ମ ରୂପକୁ କଳ୍ପନା ବି କରିପାରିଲ ତାହେଲେ ଜଗତଜନନୀ ତମ ପାଖକୁ ଆସିବେ ମମତାର ଅମୃତ ନେଇ । ସ୍ରଷ୍ଟା ନାରୀ ମସ୍ତିଷ୍କରେ ପୁରୁଷ ଅପେକ୍ଷା କେବଳ ଗୋଟିଏ ବିଭାଗ ଅଧିକ ଦେଇଛନ୍ତି ତାହା ହେଲା ମମତା । ମମତା ହୃଦୟରୁ ନୁହଁ ସେଇ ମସ୍ତିଷ୍କରୁ ହିଁ ସୃଷ୍ଟି । ତା ହେଲେ କଣ କରିବାକୁ ପଡ଼ିବ ଆଜ୍ଞା ? ମୁଁ ପୁଣି ପଚାରିଲି ,ଅନେକଙ୍କୁ ଏକ ହବାକୁ ଦିଅନି ଆଉ ଏକକୁ ଅନେକ ହବାକୁ ଦିଅନି । ଦୁନିଆକୁ ଅନେକତ୍ୱରେ ଦେଖ । ଆଉ ଫେରିବାର ସୁଗମ ରାସ୍ତାଟା ଅଲଗା ,ସେଇ ରାସ୍ତାରେ ଯିବାକୁ ଚେଷ୍ଟା କର । ଯଦି ନିଜକୁ ଜାଣିବାକୁ ଚାହୁଁଛ , ନିଜର ପରିଚୟ ଖୋଜୁଛ ,ଇନ୍ଦ୍ରଧନୁ ପରି ଜୀବନର ରଙ୍ଗମଞ୍ଚକୁ ରଙ୍ଗୀନ କରି ଶୂନ୍ୟରେ ମିଳେଇଯିବାକୁ ଚେଷ୍ଟା କର । ପ୍ରାୟ ତିନିମାସ ଯାଏ ସେ ମହିଳା ଜଣକ ଆମକୁ ଦିଲ୍ଲୀ ବୁଲେଇବା ସହ ବିଭିନ୍ନ ମୂଲ୍ୟବାନ ଉପଦେଶ ମାନ ଦେଇଥିଲେ । ପ୍ରଥମରୁ ତାଙ୍କ ପ୍ରତି ଥିବା ଅବଧାରଣା ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥିଲା । ଆମ ସମସ୍ତଙ୍କ ଲାଗି ସେ ଚିର ନମସ୍ୟ ହୋଇ ରହିବେ ।


        ଏ ଘଟଣା ଘଟିବାର ଦଶବର୍ଷ ବିତିଗଲାଣି । ସେତେବେଳେ ତାଙ୍କ କଥା ମୁଁ କିଛିବି ବୁଝିପାରି ନଥିଲି ,ଆଉ ଏବେବି ସମ୍ପୂର୍ଣ୍ଣ ବୁଝିନି । କେବଳ ଚେଷ୍ଟା ଏତିକି ଯିଏ ଏକ ସେ ଏକରେ ରହୁ ଆଉ ଯିଏ ଅନେକ ସେ ଅନେକରେ ରହୁ ।


Rate this content
Log in