Sasmita Mohapatra

Others

4  

Sasmita Mohapatra

Others

ଶୁଚୀବାଈ

ଶୁଚୀବାଈ

5 mins
21


ସୁମି ବାହାଘର ପରଠାରୁ ଜାଣିଲା ତା "ଶାଶୁ" ଜଣେ ଜିଦଖୋର୍ ଆଉ ଅହଂକାରୀ ନାରୀ । ତା ସହିତ ବଡଗୁଣ ହେଲା ମୁଖୁରି । ପ୍ରତ୍ୟେକ ସମୟରେ କଳି ପାଇଁ ପ୍ରସ୍ତୁତ । ପୁଣି ଏତେ ଜୋରରେ ରଡନ୍ତି ସାହି ପଡିଶା ଲୋକଙ୍କ ଆଗେ, ଲାଜ ଲାଗିବ । କାରଣ ସେ ଏକ ସାଧାରଣ ପରିବାରରୁ ଆସିଥିବା ଉଚ୍ଚଶିକ୍ଷିତା...ସଂସ୍କାରି, ନରମି ଝିଅ । ପଢିବା ସରିବା ପର ଠାରୁ ମାଇନର ସ୍କୁଲରେ ସରକାରୀ ଚାକିରୀ ଖଣ୍ଡେ ପାଇଲା । ପରେପରେ ବାହାଘର ହୋଇଗଲା । ସମୟ ନ ଥିଲା । ସଂସାର ବି ଗୋଟେ ପାଠ । ତାକୁ ପଢିବା ପାଇଁ କିଛି ସ୍କୁଲ ନାହିଁ । ବଡ କୌଶଳ କ୍ରମେ ପଢିବାକୁ ହେବ । ବେଳେବେଳେ ବୋଉ ଉପରେ ଖୁବ୍ ରାଗୁଥିଲା । ସେ ପାଠଟି ମୋତେ ଟିକିଏ ଶିଖେଇ ଦେଇଥିଲେ ହୋଇନଥାନ୍ତା ? କମ୍ ସେ କମ୍ ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ତ ମିଳିଥାନ୍ତା । ଛାଡ... ବୋଉ ତ ଆରପାରିରେ । କାହାକୁ କହିବ ? "ବିକାଶ"(ତା' ସ୍ୱାମୀ)ଙ୍କ ଭଲପାଇବା ଅଧିକ ଥିଲେ ମଧ୍ୟ ସେ ପରିବାରର ଭକ୍ତ । ସେ ସବୁ ଶୁଣି ସାମୟିକ ସାନ୍ତ୍ୱନା ପୁଣି ସେଇ କଥା । ଅନ୍ୟ ଦିଅର, ନଣନ୍ଦ ମଧ୍ୟ ଶାଶୁଙ୍କ କଥାରେ ହାଁ ଜୀ । ଶଶୁର ସବୁ ଜାଣି ସୁଦ୍ଧା ଶାଶୁଙ୍କ ଆଗେ କିଛି କୁହନ୍ତିନି । କାରଣ ଶଶୁର ଥରେ କିଛି କହିଦେଲେ ସେ ଦିନଯାକ ରାମାୟଣ ଶୁଣୁଥିବେ । ଆକାଶବାଣୀ ରେଡ଼ିଓ କେବେ ବନ୍ଦ ହେବ ନାହିଁ । 


  "ସୁମି" ବେଳେବେଳେ ଆଶ୍ଚର୍ଯ୍ୟ ହୁଏ ଗୋଟେ ନାରୀ ଚବିଶ ଘଣ୍ଟା ଝଗଡା ପାଇଁ ନିଜକୁ ମାନସିକ ସ୍ତରରେ କିପରି ପ୍ରସ୍ତୁତ ହୋଇ ରହିଥାଏ । ସବୁଠାରୁ ବେଶି ଚିନ୍ତାର କାରଣ ଶାଶୁ ଜଣେ ଶୁଚୀବାଈ । ଖାଲି ଛୁଆଁ ଅଛୁଆଁ, ଧୂଆ ଧୋଇ, ଅଇଁଠା ଶଂଙ୍ଖୁଡିରେ ଦିନଯାକ ଜଗି ବସିଥାନ୍ତି । ତେଣୁ ଘରେ ଗୋଟିଏ ପିଆଜ କଡେଇ, ଗୋଟିଏ ବିନା ପିଆଜ ରସୁଣ କଡେଇ, ଆଉ ଗୋଟିଏ ଆଇଁଷର । ସେହି ତୁଳନାରେ ଡଙ୍କି, ଲୁହାଖଡିକା, ଅନ୍ୟ ବାସନକୁସନ, ସବୁ ଅଲଗା ଅଲଗା । ସବୁଗୁଡିକ ମନେ ରଖିବାକୁ ଗୋଟେ "ଭାଗବତ" ବହି ଘୋଷିବାକୁ ପଡିବ । ଯେଉଁଦିନ ବାଉଳା ସେଦିନ ସୁମିର "ରାହୁଗ୍ରହ" ପଡିବ । ବାପା, ଅଜା ତିନିପୁରୁଷ ଗାଳି ଖାଇବା ଥୟ । ସେହିକଥା ଶୁଣିଶୁଣି ଦୀର୍ଘ କୋଡିଏ ବର୍ଷ "ସୁମି"ର କାନ ଶିଝିଗଲାଣି । 


ଅଘରି ଘର ଝିଅ... ଲକ୍ଷ୍ମୀଛାଡି... । ଆଚାର ଶିଖିନି । ତା ଯୋଗୁଁ ଆମେ ଭୋଗିବୁ । ଆଖି ଫୁଟିଯିବ । ଅଧା ବୟସରେ ମରିବ । ପିଆଜ ରସୁଣ କଡେଇରେ ସୋମବାର ଦିନ ଡାଲମା ବଘାରିଦେଲା । ଅବଶ୍ୟ ସେଇ କଡେଇଟି ମଜା ହୋଇଥାଉ ପଛେ । କିନ୍ତୁ ସେଇଟା ଛୁଆଁ । 


"ସୁମି" ସବୁ ମାନିଲେ ମଧ୍ୟ ଏତେଗୁଡିଏ ବିକାର ରୋଗକୁ ନିଜ ଭିତରେ ପ୍ରଶ୍ରୟ ଦେବାକୁ ପ୍ରସ୍ତୁତ ନୁହେଁ । କାରଣ ଶୂଚୀବାଇ ଏମିତି ଏକ ରୋଗ ଆସ୍ତେ ଆସ୍ତେ ମଣିଷକୁ ଗ୍ରାସ କରିଥାଏ । ବେଳେବେଳେ ସ୍କୁଲରେ ଖାଲି ପିରିୟଡ଼ରେ ବସି "ସୁମି" ଭାବେ ସେ କ'ଣ ନିଜକୁ ଧୀରେ ଧୀରେ ଶାଶୁଙ୍କ ଢାଞ୍ଚାରେ ଢଳି ସାରିଲାଣି । 


କିଛିନଦିନ ତଳେ ତା' ଭଉଣୀ ଘରକୁ ଯାଇଥିଲା । ସେ ସକାଳୁ ଉଠି ଚା" କପେ କରି ଦେବାରୁ ମନା କରିଦେଲା । ନା ମୁଁ ପିଇବିନି । ତୁ ଅଗାଧୁଆରେ "ଚା" କରି ଆଣିଛୁ । ପୁଣି ସେ ଭାବେ ସେ ଶିକ୍ଷିତା, ଏ ସବୁର ପ୍ରଶ୍ନ ଉଠୁନି । ଯଦିଓ ଏହି ସବୁ ବାରଣ କରିବା ସମ୍ପୂର୍ଣ୍ଣ ଭୁଲ ନୁହେଁ, କିନ୍ତୁ ଠାକୁରଙ୍କ ପାଖରୁ ଧ୍ୟାନଟି ହଟି ଯାଇ କେବଳ ମନଟି କେଉଁଟି ଛୁଆଁ କେଉଁଟି ଅଛୁଆଁରେ ରହିଯାଉଛି । 


  ସକାଳୁ ସକାଳୁ ଶାଶୁଘରେ ତା ନାମରେ ଶାଶୁଙ୍କ ପୁରାଣ ଆରମ୍ଭ ହୁଏ । କେବେ ସରେ କହିହୁଏନି । ବେଳେବେଳେ ତ ହଠାତ୍ ବହୁତ ସୁନ୍ଦର କଥା ହୁଅନ୍ତି । ସୁମି ପାଇଁ ଶାଢୀ କିଣି ଦିଅନ୍ତି । ପାଖରେ ବସାଇ ଏଣତେଣ ଗପ ଗପନ୍ତି । ପୁଣି ଏକ ମିନିଟରେ ପୁଣି ପ୍ରସ୍ତୁତ ହୁଅନ୍ତି କଥାର ଖିଅ ବାହାର କରି ଦଶ କିଲୋମିଟର ଲମ୍ବାଇ ଯୁକ୍ତିତର୍କ ପାଇଁ । । 

  ବରଦାସ୍ତର ସୀମା ପାର କରି ସୁମି ଖୁବ୍ ଜୋରରେ ଚିତ୍କାର କରେ । ଶାଶୁ ମଧ୍ୟ ଆହୁରି ଜିଦି । ଫଳସ୍ୱରୂପ ଖୁବ୍ ଜୋରରେ ପାଟି । ଆଉ ଚାରି/ପାଞ୍ଚଦିନ ଅଶାନ୍ତି । "ସୁମି"କୁ ଦେଖୁ ଦେଖୁ ଗାରୁ ଗାରୁ ହୋଇ ମନକୁ ମନ କ'ଣ କହିଯାଆନ୍ତି । "ସୁମି" କିନ୍ତୁ ଶୁଣେନା । ଦୁଇ କାନକୁ ଖୋଲା ଛାଡିଦିଏ । ଯାହା ସବୁ ରୋଷେଇ କରି ମୁହଁରେ ଦି ମୁଠା ପାଟିରେ ପୁରାଇ ସ୍କୁଲ ଚାଲିଯାଏ । ଚାରିଟା ଯାଏଁ ପିଲାଙ୍କ ସଙ୍ଗେ ଗହଳ ଚହଳ, ପାଠପଢା, ସ୍କୁଲକାମ । 

  ସତେ ଅବା ସ୍କୁଲ ଖଣ୍ଡିକ ତା ପାଇଁ ଭଗବାନଙ୍କ ଆଶୀର୍ବାଦ । ଯେଉଁ ଖରାଛୁଟିରେ ଘରେ ରହେ କାନ୍ଦି କାନ୍ଦି, ଖଟି ଖଟି ଦିନ ବିତେ । ମନେହୁଏ ଘରଦ୍ୱାର ଛାଡି କୁଆଡେ ପଳାନ୍ତା, ହେଲେ ତା ଏକମାତ୍ର ଝିଅ ତା ପାଦରେ ଶୃଙ୍ଖଳ ପିନ୍ଧାଇ ଦିଏ । 


  ଝିଅଟି ମଧ୍ୟ ଶାଶୁଙ୍କ ବିକାରଗ୍ରସ୍ତ ମନର ଶିକାର ହେଲାଣି । ଅଗାଧୁଆରେ ଫ୍ରିଜ୍ର ଛୁଏଁନି କି ରୋଷେଇ ଘର ମାଡେନା । ଏପରିକି ଶାଶୁ ଠାକୁରଙ୍କ ପୂଜା ପାଇଁ ମଠାଲୁଗା ପିନ୍ଧିଥିଲେ ଝିଅଟି ଯଦି ଛୁଇଁଦିଏ ତେବେ ଶାଶୁ ଗାଧେଇ ପଡନ୍ତି ଲୁଗାଧୋଇ । ଖାଲି ଧୁଆଧୋଇ ପୋଛାପୋଛିରେ ଦିନଯାକ ବିତିଯାଏ । 


କେହି ଯଦି ବାହାର ଲୋକ ବାହାରେ ଜୋତା କାଢି ମୋଜା ପିନ୍ଧି ଡ୍ରଇଁରୁମ୍ ଭିତରକୁ ଚାଲିଆସେ,ସେଦିନ ସୁମିର ବୋଝ ଉପରେ ନଳିତା ବିଡା । ଘରଦ୍ୱାର ଧୋଇବାରେ ଦିନ ତମାମ୍ ଲାଗିରହେ । ତେଣୁ ଜଣେ ରୋଗୀ ପାଖେ ରହି ରହି ଆଜି ସେ ମଧ୍ୟ ଗୋଟିଏ ରୋଗୀ ହୋଇ ସାରିଲାଣି । 


କିଏ ଜାଣିଥିଲା "କରୋନା" ଭଳି ଏକ ମହାମାରୀ ରୋଗ ମାଡି ଆସିବ । ଦୀର୍ଘ ଦିନ "ଲକଡାଉନ୍" ରେ ଘରେ ରହିବାକୁ ହେବ । ଶାଶୁଙ୍କ ଗୁଣକୁ ପ୍ରୋତ୍ସାହନ ମିଳିବ । ଯେଉଁମାନେ "ଚା" ପିଇ ହାତ ଧୋଉ ନଥିଲେ, ସେମାନେ ଦିନକୁ ଦଶଥର ହ୍ୟାଣ୍ଡ୍ ଓ୍ୱାସ୍ କରୁଛନ୍ତି । ବାହାରକୁ ଗଲେ ବାହାର ପାଣି ପ୍ୟାଇପରେ ଡ୍ରେସ୍ ଧୋଇ ଶୁଖାଉଛନ୍ତି । ଘର ପୋଛା, ସାନିଟାଇଜର । ତା ଛଡା ପଇସା ସବୁ ଗରମ ପାଣିରେ ଧୂଆ ହେଉଛି । ନୋଟ୍ ସବୁ ଆଇରନ୍ ହେଉଛି । ଲୁଗାପଟା ଖରା ଦିଆ ଯାଉଛି । ଶାଶୁ ଏବେ ବହୁତ ଖୁସି । ଯେଉଁ କାମ ବକବକ ହୋଇ କରାଉଥିଲେ । ଆଜି ସେ କାମ ସମସ୍ତେ ଭୟରେ କରି ପକାଉଛନ୍ତି । କେବଳ ଶାଶୁ "ସୁମି"କୁ ରୋଷେଇ ଘରେ ନଜର ରଖନ୍ତି । ବିଚରା ସୁମି ଆଜି ଅଠାକାଠିରେ । ସ୍କୁଲ ବନ୍ଦ "ଲକ୍ ଡାଉନ୍" ଯୋଗୁଁ, ଘରେ । ତାର ସବୁ ସମୟ ସଫାସଫିରେ । ତଥାପି ଶାଶୁ ଯାଇ ଦେଖି ନିଅନ୍ତି ବାସନ ଠିକ ମଜା ହୋଇଛି କି ନାହିଁ । ଯଦି କୌଣସି ବାସନରେ ଅଇଁଠା ଟିକେ ଲାଗିଥାଏ । ତେବେ ସେ ବାସନ ଷ୍ଟାଣ୍ଡର ସବୁ ବାସନ ଧୋଇବାକୁ ପଡିଥାଏ । ଯଦି ଟିକିଏ ଅବହେଳା କରେ ଶାଶୁ ରାଗ ତମତମରେ ନିଜେ ସବୁ କରିପକାନ୍ତି । ଓ ରାଗ ତକ "ସୁମି" ଉପରେ । ତେଣୁ ସୁମି ଅଣନିଃଶ୍ୱାସୀ ହୋଇ ଧାଉଁଥାଏ । ଶୋଇବା ପୂର୍ବରୁ ପୁଣି ଥରେ ରୋଷେଇ ଘରେ ଦେଖି ଆସେ କିଛି ଭୁଲ ହୋଇଯାଇନି ତ ! କାଳେ ପିଆଜ କଟା ଛୁରୀଟା ପରିବାପତ୍ର କଟା ଛୁରୀ ପାଖେ ମିଶିଯିବ ତା’ହେଲେ ଦୁନିଆ କଥା ଶୁଣାଇବେ । ଖାଦ୍ୟ ଖାଇଲା ବେଳେ କିଛି ଦାନ୍ତରେ ଲାଗିଗଲେ ବେସିନ୍ ପାଖେ ଠିଆ ହୋଇ ହାତ ଧୋଇଲା କି ନାହିଁ ଲୁଚେଇ ଦେଖନ୍ତି । ପୁଣି ଛୁଞ୍ଚିରେ ସୂତା ପୁରାଇଲା ବେଳେ ଅନ୍ୟମନସ୍କ ଭାବେ ସୂତା ଯଦି ପାଟିକୁ ଚାଲିଗଲା ତେବେ ସେ ସୂତା ରିଲ୍ ଅଇଁଠା ତାକୁ ବାହାରେ ଫିଙ୍ଗାଯାଏ । "ସୁମି"ର କେତେ ସୂତାରିଲ୍ ବାହାରେ ଫିଙ୍ଗା ହୋଇଛି ତା’ର ହିସାବ ନାହିଁ । 

ଶାଶୁଙ୍କ ସଙ୍ଗେ "କରୋନା" ଶାଶୁ, ଦୁଇଟା “ଶାଶୁ"ର କାମ । ଫରକ ଏତିକି ଶାଶୁଙ୍କ ଭୟ ଆଉ ନିଜ ପ୍ରତି ଭୟ । ଏବେ ସୁମିର ସ୍କୁଲ୍ ଯିବା ବନ୍ଦ, ଲକ୍ ଡାଉନରେ ଆଉ ଗୋଟିଏ ସ୍କୁଲ୍ ମିଳିଯାଇଛି । ଘରେ ସୁମିକୁ କିଏ ଡାକ ପକାଇଲେ ସେ ଏବେ ରୋଷେଇ ଘର ସିଙ୍କ୍ ପାଖେ ନଚେତ୍ ବାଥରୁମ୍ ୱ୍ୱାସିଙ୍ଗ୍ ମେସିନ ପାଖେ ଥାଏ । ସମସ୍ତେ ଚୁପଚାପ୍ କଥା ହେଲେଣି "ସୁମି" ଗୋଟେ ଶୂଚୀବାଈ, ଶାଶୁ ମଧ୍ୟ ସେଥିରୁ ବାଦ୍ ଯାଇନାହାନ୍ତି । 



Rate this content
Log in