ଶତ୍ରୁଠାରୁ ଦୂରରେ
ଶତ୍ରୁଠାରୁ ଦୂରରେ
ସୁର ହାରିଯାଇନଥିଲା । ବାରମ୍ବାର ଚେଷ୍ଟା କରୁଥିଲା ପୁଣି ଥରେ ଆଗକୁ ବଢ଼ିବାକୁ । ଆଗରେ ବହୁତ ବଡ଼ ସମସ୍ୟା । ପିଲା ଦିନ କଥା ତାର ମନେ ପଡ଼ିଯାଉଥିଲା । ଗୁରୁଜୀ କହୁଥିଲେ ଆଗରେ ଯେତେ ବଡ଼ ସମସ୍ୟା ଆସିଲେ ମଧ୍ୟ ହାରି ନ ଯାଇ ତାକୁ ସାମନା କରିବା ଶିଖ । ତେବେ ଯାଇ ବଡ଼ ମଣିଷ ହୋଇପାରିବ । ସୁର ମନକୁ ଦୃଢ଼କଲା । ଜଙ୍ଗଲି ପଶୁ ବାଘ ବା ସିଂହଠାରୁ ଆହୁରି ଭୟଙ୍କର ନିଜ ଶତ୍ରୁ ନିଜ ମିତ୍ର । ଆଜି ମିତ୍ର ବନିଯାଇଛି ବଡ଼ ଶତ୍ରୁ । ମିତ୍ର ବିକାଶକୁ ଦିନେ ନ ଦେଖିଲେ ସୁର ପାଗଳ ହୋଇ ଯାଉଥିଲା । ସେଇ ବିକାଶ ଆଜି ଠିଆ ହୋଇଛି ଶତ୍ରୁ ରୂପରେ । ସୁର ପୁଣି ଥରେ ଭଲ ଭାବରେ ସ୍ଥିର ଚିତ୍ତରେ ଚିନ୍ତା କଲା । ଖୋଲା ଆକାଶକୁ ଚାହିଁଲା । ଦୂର ସବୁଜ ବଣକୁ ଚାହିଁଲା । ବଣ ଓ ଆକାଶ ତାକୁ ଏକ ନୂଆ ଶକ୍ତି ଓ ଉପାୟ ଦେଲା ଭଳି ଲାଗିଲା । ସୁର ନିଜକୁ ଆୟତ୍ତ କରିନେଲା । ମାନସିକ ଶକ୍ତିକୁ ଆହୁରି ଦୃଢ଼ କରିନେଲା ।
ସେ ଭାବିଲା , ଯଦି ଏଠାରୁ ପଛକୁ ଫେରିଯାଏ, ତେବେ ଲୋକେ କହିବେ ଡରୁଆ । ନା, ସେମିତି ନୁହଁ । ବାଘ ଭୟରେ ଡରି ପଳାଉଥିବା ହରିଣ ବା ମଇଁଶି ଭଳି ସେ ପଛକୁ ଘୁଞ୍ଚିଯାଉନାହିଁ । ତାହେଲେ ଆଜି କାହିଁକି ଆଜି ସୁର ପଛକୁ ଫେରିଯିବାକୁ ଚାହୁଁଛି । ସାଙ୍ଗ ବିକାଶ ଆଖିରେ ପ୍ରତିଶୋଧର ଅଗ୍ନି । କ'ଣ କରୁଛି ସେ ଜାଣି ପାରୁନାହିଁ । ସେ ବଡ଼ ଅହଙ୍କାରୀ । ଏହି ଗୁଣ ପାଇଁ ସୁର ବିକାଶକୁ ଅନେକ ଥର ବୁଝାଇଛି । ନିଜର ରାଗ ନିଜର ବଡ଼ ଶତ୍ରୁ । ତାହେଲେ ସୁର ଆଜି କାହିଁକି ନିଜ ଉପଦେଶକୁ ନିଜେ ପାଳନ କରୁନାହିଁ । ସବୁ ଆଡ଼କୁ ଚାହିଁଲା । ଭାବିଲା,ବିକାଶ ସାଥିରେ ଲଢ଼େଇ ନକରି ବରଂ ତାକୁ ବୁଝାଇଦେବ । ହେଲେ ସେ ବୁଝିଲେ ହେଲା । ମନର ସମସ୍ତ ଶକ୍ତିକୁ ଜାଗ୍ରତ କଲା । ମନକୁ ଏକାଗ୍ର କଲା । ସାଥି ସହିତ ସାମାନ୍ୟ କଥା ପାଇଁ ସେ ଆଉ ଲଢ଼େଇ କରିବ ନାହିଁ ।
ଆଜି ଯିଏ ଶତ୍ରୁ, କାଲି ସିଏ ମିତ୍ର । ପୁଣି ଆଜି ଯିଏ ମିତ୍ର , କାଲି ହୋଇପାରେ ଶତ୍ରୁ । ବିକାଶକୁ ବୁଝେଇଦେଲେ ବୁଝିଯାଇପାରେ । ଆଗରେ ଆସୁଥିବା ବିରାଟ ସମୁଦ୍ର ଲହଡ଼ିକୁ ମୁଣ୍ତ ନୋଇଁ ପାର ହୋଇଯାଇପାର । ଏହାହିଁ ସୁର ଚିନ୍ତା କଲା । ଅନ୍ୟ ସାଥି ଗୋଟିଏ ଛୋଟ ଆଲୋଚନାର ଆୟୋଜନ କଲେ । ସେଥିରେ ସୁର ଓ ବିକାଶ ଯୋଗଦେଲେ । ଆଲୋଚନା ସରଗରମ ହେଲା । ମାତ୍ର ସୁର ସବୁଥିରେ ବିକାଶକୁ ସହଯୋଗ କରିବାକୁ ଲାଗିଲା । ଧୀରେ ଧୀରେ ବିକାଶ ସବୁ ବୁଝିଗଲା । ମନର ତିକ୍ତତା କମିଗଲା ସୁର ଓ ବିକାଶ ଦୁହେଁ କରମର୍ଦନ କରି ମାନସିକ ଓ ଶାରୀରିକ ଲଢ଼େଇକୁ ଶାନ୍ତ କଲେ ।
ସୁର ଶତ୍ରୁଠାରୁ ନିଜକୁ ଦୂରେଇ ନେଲା । ସେ ମନେ ମନେ କହୁଥିଲେ ଭାଗବତର ସେହି ବାଣୀ‐ "ଦୁର୍ଜନ ଜନେ ପରିହର ।" ସୁର ସେହି ଦିନଠାରୁ ନିଜ ଶତ୍ରୁଠାରୁ ଦୂରରେ ରହିବାକୁ ସ୍ଥିର କରିନେଲା ।
