Soumya Shubhadarshinee

Others

4  

Soumya Shubhadarshinee

Others

ଶତ୍ରୁ

ଶତ୍ରୁ

9 mins
602



 କେଉଁ ଶତ୍ରୁ ପ୍ରତି ଆମର ଭୟ କରିବା ଉଚିତ , ବାହ୍ୟଶତ୍ରୁ ନା' ଅନ୍ତଃଶତ୍ରୁ ?


 ସୁଖଲତା ରାତ୍ରୀ ଭୋଜନ ଦରଜା ବାହାରେ ରଖି ଦରଜାରେ ଆଘାତ ଦେଇ ଜଣାଇଦେଲା ଖାଦ୍ୟ ଆସିଗଲା । ଦିନରେ ଚାରିଥର ଦରଜାରେ ଏମିତି ସଂକେତ ଦିଏ ସୁଖଲତା । ତଦ୍ଭିନ୍ନ ଅନ୍ୟ ସମୟରେ ଦରଜା ବନ୍ଦ ରୁହେ ଆଉ ଘର ନିଶବ୍ଦ । ସୁଖଲତା ବେଳେବେଳେ ବିକଳ ହୁଏ , ବଡ଼ ଯନ୍ତ୍ରଣା ପାଏ , ହତାଶ ହୁଏ ଆଉ ଛୁଆ ମା' ଙ୍କୁ ଝୁରି ହୁଏ । ଏମିତି ଗୋଟେ ନିଷ୍ପ୍ରାଣ ଘର ଭିତରେ କେବଳ ଛୁଆ ମା' ହିଁ ଥିଲେ ପ୍ରାଣମୟୀ ସତରେ ।


 ଏକାକୀତ୍ୱର ଦଂଶନ ସବୁବେଳେ ଅସହ୍ୟ !


 ଛୁଆ ମା' ଙ୍କ ସହ ସୁଖଲତା ଆସିଥିଲା ଯୌତୁକରେ । ତା' ନୁହେଁ ତ ଆଉ କ'ଣ ବଡ଼ ବାବୁ କହିଥିଲେ , '' ଲତା ଆମ ମିତାଲି ବଡ଼ ହୁଣ୍ଡିଟାଏ , ଘରକାମକୁ ବଡ଼ ମଠେଇ , ଏକୁଟିଆ ଜମା ପାରିବ ନାହିଁ । ତୁ ଯା ତା' ସହ । ''


 ସୁଖଲତା ସେଦିନ ଆସିଲା ଛୁଆ ମା' ଙ୍କ ସହ ଯେ ବାସ ଅଛି ଆଜିଯାଏଁ । ଘରଟା ତେଣୁ ଯେତିକି ମା' ଙ୍କର ସେତିକି ସୁଖଲତାର । ଦୁହେଁ ଏକାସାଥିରେ ଆସିଥିଲେ କିନ୍ତୁ ଆଉ ଏକା ସାଥିରେ ନାହାଁନ୍ତି ।


 ଛୁଆ ମା' ଙ୍କ କଥା ମନେପଡିବାରୁ ଲୁହ ଜକେଇ ଆସିଲା ସୁଖଲତା ଆଖିରେ । କେଡେ ନିରୀହ ଛୁଆ ମା' କେତେ ଆଦର ଯତ୍ନ ତାଙ୍କର ଆହା !


  ସେତେବେଳେ ବୟସ ଜମା ବାର ବର୍ଷ ତା'ର । ବାପା ବଡ଼ ହରକତ କରୁଥିଲା , ରୋଜ ବାଡ଼ଉଥିଲା , ଖାଇବାକୁ ମୁଠେ ଦେଉନଥିଲା, ଆଉ ସବୁବେଳେ ତା' ହାତରେ ହଜାରେ କାମ କରଉଥିଲା । ସେ କାମଧନ୍ଦା କରି ଯାହା ଆଣୁଥିଲା ବାପା ମଦ ପିଆରେ ଉଡେଇ ଦେଉଥିଲା । ଛୁଆ ମା' ତାକୁ ସେଦିନ ବାପା ମାଡ଼ରୁ ବଞ୍ଚେଇ ଘରକୁ ନେଇଆସିଥିଲେ । ଜିଦ କରି ବଡ଼ ବାବୁଙ୍କୁ କହି ନିଜଘରେ ସ୍ଥାନ ଦେଇଥିଲେ ।


  କେବେ ତାକୁ ହୀନ ଦୃଷ୍ଟିରେ ଦେଖୁନଥିଲେ କେହି ଘରେ । ସେ ଠିକ ଭଉଣୀଟିଏ ଭଳି ଚଳୁଥିଲା । ନିଜ ଘର ଭଳି ସୁଖଲତା ଖୁସି ଖୁସି ଘରକାମରେ ହାତ ବଟଉ ଥିଲା । ଆଉ ସମୟକ୍ରମେ ପୂରା ଘର ସମ୍ଭାଳି ନେଇଥିଲା । ଛୁଆ ମା' ଘଡ଼ିଏ ଛାଡି ରହୁନଥିଲା ସୁଖଲତାକୁ । ସବୁବେଳେ ଦୁହେଁ ସାଥିରେ ଥିଲେ । ବଡ଼ ବାବୁ ଏଥିରେ ଖୁସି ହେଉଥିଲେ । ଘରେ ଦୁଇଟି ଝିଅ ଥିଲା ଭଳି ଅନୁଭବ ପାଉଥିଲେ ସଭିଏଁ । ସୁଖଲତାର ଜୀବନ ବଡ଼ ଅନନ୍ଦରେ ବିତୁଥିଲା । 


 ଏମିତି ଅପ୍ରତ୍ୟାଶିତ ଭାଗ୍ୟ ପରିବର୍ତ୍ତନ କେତେଜନଙ୍କ ଭାଗ୍ୟରେ ଜୁଟେ ଭଲା !


 ସୁଖଲତା ମିତାଲିଙ୍କୁ ଦେଈ ବୋଲି ଡ଼ାକୁ ନଥିଲା , ଡାକୁ ଥିଲା ଛୁଆ ମା' । କେମିତି ଟିକେ ଅଡ଼ୁଆ ଶୁଭୁଥିଲା ଏଇ ସମ୍ବୋଧନ କିନ୍ତୁ ସେ ସେଇଆହିଁ ଡାକୁ ଥିଲା ଆରମ୍ଭରୁ ।ତାକୁ ଭାରି ପସନ୍ଦ ଥିଲା ସେଇ ଡାକ । ମିତାଲି ଙ୍କ ମା' ନଥିଲେ । ତେଣୁ ସେହିଁ ମା' ଥିଲେ ଘରର ହେଲେ ଛୁଆ ମା' ଟିଏ । ସାରା ଜୀବନ ପାଇଁ ଋଣୀ କରିଦେଇଥିଲେ ଛୁଆ ମା' ସୁଖଲତାକୁ ନିଜର କରି ।


     ଜୀବନର ପରବର୍ତ୍ତୀ ପର୍ଯ୍ୟାୟରେ କିନ୍ତୁ ସୁଖଲତା ମିତାଲିଙ୍କ ଶାଶୁ ଘରକୁ ଆସି ଏଇ ସମ୍ବୋଧନକୁ ମର୍ଯ୍ୟାଦା ବଢ଼େଇ ଦେଇଥିଲା । ମିତାଲି ଘରଣୀ ଆଉ ସେ ସେବୀକା ସାଜି ଘର ସମ୍ଭାଳିଥିଲେ । 


 ନୂଆ ଘରେ ଛୁଆ ମା' ଙ୍କ ଠୁ ଅଧିକ ସୁଖଲତାର କାଟତି ଥିଲା । ଜୋଇଁବାବୁ ବେଶ ଲୋଡୁଥିଲେ ସୁଖଲତାକୁ ସବୁ କାମରେ । ଆମ ପରିଚିତ ଜୀବନରେ ଯେଉଁ କାମ ସ୍ତ୍ରୀଟିର ପରିସର ଭୁକ୍ତ ସେସବୁ ମିଳିଥିଲା ସୁଖଲତାକୁ । ସକାଳ ପହରୁ ଲତା' ଏଇଟା ଦେ , ସେଇଟା କର , ଡ୍ରେସ୍ ବାହାର କରିଦେ , ପର୍ସ କୁଆଡେ ଗଲା , ଫାଇଲ କାହିଁ ଏମିତି ନିର୍ଦେଶ ମିଳୁଥିଲା ତାକୁ । ଛୁଆ ମା' ଙ୍କୁ କିନ୍ତୁ କେବେ କିଛି କାମ ବତଉ ନଥିଲେ ଜୋଇଁ ବାବୁ । ଛୁଆ ମା' କେବଳ ରୋଷେଇ ଗଣ୍ଡେ କରୁଥିଲେ ଯାହା ।  ଛୁଆ ମା ' ସୁଖଲତାର ଏସବୁ କାମ ହୁଏତ ପସନ୍ଦ କରୁନଥିଲେ , ବେଳବେଳରେ ମନା ମଧ୍ୟ କରୁଥିଲେ । 

କିନ୍ତୁ ଜୋଇଁବାବୁ ସବୁବେଳେ ଖୋଜୁଥିଲେ ଲତାକୁ ।

 ନିଜପଣର ମଧୁର ଅନୁଭବ ଭିତରେ ଲୋଟଣୀ ପାରା ସାଜୁଥିଲା ସୁଖଲତା । 


  ବାହାଘର ବର୍ଷଟାଏ ବିତିଗଲା ପାରେ ମଧ୍ୟ ଛୁଆ ମା' ଙ୍କ କୋଳ ଖାଲି ଥିଲା। କାହିଁକି କେଜାଣି ସୁଖଲତାକୁ ଏଇ କଥା ବ୍ୟସ୍ତ କରୁଥିଲା । ଆଉ ଦିନକୁ ଦିନ ବଡ଼ ବିଷାଦ ଗ୍ରାସୁଥିଲା ଛୁଆ ମା' ଙ୍କ ମନରେ । ସେ ଯେମିତି କିଛି ଗୋଟେ ଯନ୍ତ୍ରଣା ଭିତରେ ଥିଲେ । ହୁଏତ ସେଇ ପିଲା ନହେବା ଯୋଗୁଁ ଏମିତି ଭାବ ଥିଲା ତାଙ୍କ ଭିତରେ । ଜୋଇଁ ବାବୁ କିନ୍ତୁ ଏତେ ବ୍ୟତିବ୍ୟସ୍ତ ହେଉନଥିଲେ। ଭାରି ଧର୍ଯ୍ୟ ତାଙ୍କର । 


 ସୁଖଲତା କେତେ ଦିଅଁ ଦେବତା ପୂଜାପାଠ କରୁଥିଲା । ଡାକ୍ତର , ବଇଦ , ହାକିମ ଆଦି ଦେଖେଇବା ପାଇଁ ଜିଦ କରୁଥିଲା । ହେଲେ ଛୁଆ ମା' ରାଜି ହେଉନଥିଲେ , ସେ ଅଫଳନ୍ତି ଗଛ ହେଇ ରହିଗଲେ । ଆଉ ସେମିତିହିଁ ଆଖିବୁଜିଲେ । 


  ଗୋଟେ ସଡକ ଦୁର୍ଘଟଣାରେ ଛୁଆ ମା'ଙ୍କ ଜୀବନ ଚାଲିଗଲା । ସୁଖଲତାର ବେଶ ସ୍ପଷ୍ଟ ମନେ ଅଛି । ସେଦିନ ମନ୍ଦିର ଯିବାକୁ ଜୋଇଁବାବୁ ଆଉ ଛୁଆ ମା' ସାଥିରେ ବାହାରିଥିଲେ । ଭଗବାନଙ୍କ ଦୟାରୁ ଜୋଇଁ ବାବୁ ଓଲ୍ହେଇ ପଡ଼ିଥିଲେ ରାସ୍ତାରେ କିଛି କାମ ସକାଶେ । ନହେଲେ ଦୁର୍ଘଟଣାରେ ସେ ମଧ୍ୟ । ଓଃ ! ଭାବିଲେ ସେ କଥା ମୁଣ୍ଡ ଗୋଳମାଳ ଧରିଯାଏ ସୁଖଲତାର । 


ଉଜୁଡା ନୀଡ଼ର ଗାଥା ଭିତରେ ଅଜସ୍ର ବ୍ୟଥାହିଁ ଲୁଚିଥାଏ !


 ଜୋଇଁବାବୁ ଜଣେ ସୁନାମଧନ୍ୟ ଚିତ୍ରକାର। ପୁଳାପୁଳା ଟଙ୍କା ରୋଜଗାର । ଘରେ ବଡ଼ ବଡ଼ିଆ ଆଦ଼ବ କାଇଦା । ସୁଖଲତା ଭାରି ଖୁସି ହେଇଥିଲା ଛୁଆ ମା' ଙ୍କ ଘରଦ୍ୱାର ଦେଖି । ମା' ଏଠି ରାଣୀ ସାଜିବ , ସୁଖ ସୁବିଧାର ହସଖୁସିରେ ଜୀବନ ଜୀଇଁବ, ଏଇ ଆଶା କରିଥିଲା କିନ୍ତୁ ପ୍ରଭୁ ସବୁ କିଛି ଓଲମ ବିଲମ କରିଦେଲେ । ବର୍ଷ ଦୁଇଟାରେ ଛୁଆ ମା' ସଭିଙ୍କୁ ଛାଡି ଆର ପାରିକୁ ଚାଲିଗଲେ । 


 ଜୋଇଁ ବାବୁ ଆଗରୁ ବଡ଼ କାର୍ଯ୍ୟ ବ୍ୟସ୍ତ ରହୁଥିଲେ । କାମ ପାଇଁ କେତେ କେତେ ବଡ଼ ବାବୁଙ୍କ ସହ ବସାଉଠା କରୁଥିଲେ । ଘରକୁ ଅନେକ ଲୋକ ଯା ଆସ 

କରୁଥିଲେ । ଜୋଇଁ ବାବୁଙ୍କ ଚିତ୍ର ସବୁ ବେଶ ପ୍ରସିଦ୍ଧ ଥିଲା । ସୁଖଲତା ଦେଖିଛି ତାଙ୍କ ହାତ ଆଙ୍କା ଛବି ସବୁ । ସତରେ ବଡ଼ ଜୀବନ୍ତ ତାଙ୍କ ରଙ୍ଗ ତୁଳୀର 

ସୃଜନ । 


 ହେଲେ ଏବେ ଆଉ କିଛି କାମ କରିବାକୁ ଇଚ୍ଛା କରୁ ନାହାନ୍ତି ଜୋଇଁବାବୁ । ଆଉ ତାଙ୍କ ନିକଟକୁ ଚିତ୍ର ଆଙ୍କିବା ପାଇଁ ଫର୍ମାଇସ ଆସୁନାହିଁ । ସେ ନିଜେ ଲୋକବାକଙ୍କୁ ଫେରେଇ ଦେଉଛନ୍ତି ।


 ଜୀବନ ସଙ୍ଗିନୀର ଚିର ବିଦାୟ ଏମିତିହିଁ ଶୁନ୍ୟତା ଭରିଦିଏ !


 ଅନୁଭବ ହେଉଛି ଯେମିତି ଜୀବନରେ ମୋହ ନାହିଁ ତାଙ୍କର । ଏଇନେ ଖାଲି ମଦନିଶା ଭିତରେ ବୁଡି ରହି ଚିତ୍ର ଆଙ୍କୁଛନ୍ତି କବାଟ କିଳି । ଆଗରୁ ସୁଖଲତା ସେଇ ଚିତ୍ର ଅଙ୍କା ପାଇଁ ଉଦ୍ଦିଷ୍ଟ ଘରଟିକୁ ଝଡା ଝଡି କରୁଥିଲା । ସଜେଇ ରଖୁଥିଲା ରଙ୍ଗ , ତୁଳୀ , ପେନ୍ସିଲ , ଆଦି ଇତ୍ୟାଦି । କିନ୍ତୁ ମା' ଙ୍କ ଗଲା ପାରେ ସେଇ ଘର ଏବେ ଆଉ କାହାରି ପାଇଁ ଖୋଲା ଯାଉନି । ଯେମିତି ଜୋଇଁ ବାବୁ ସେଇ ଘରେ ସମାଧି ନେଇଛନ୍ତି । କାହା ସହ ଆଉ କଥାବାର୍ତ୍ତା , ମିଳାମିଶା , ହସଖୁସି ନାହିଁ । ଘର ଏକଦମ ଚୁପଚାପ , ଯେମିତି ସେଠି ଜୀବନ ପ୍ରବାହ ରୁଦ୍ଧ ହେଇଯାଇଛି ।

  

  କାହା ଚିତ୍ର ଆଙ୍କୁଛନ୍ତି , କାହା ପାଇଁ ଆଙ୍କୁଛନ୍ତି , କାହିଁକି ଆଙ୍କୁଛନ୍ତି କିଛି ଜଣା ନାହିଁ । କିନ୍ତୁ ଦିନରାତି ବିତୁଛି ସେଇ ବନ୍ଦ ଦରଜା ଭିତରେ । ତାଙ୍କର ଏତାଦୃଶ କାରବାର ଅତିଷ୍ଠ ଲାଗୁଛି ସୁଖଲତାକୁ । କିନ୍ତୁ ସେ ନିରୁପାୟ , ବଡ଼ ଲୋକକଙ୍କୁ ଉତ୍ତର ନାହିଁ !



 ଗାଁରୁ ଜୋଇଁ ବାବୁଙ୍କ ବୁଢା ବାପା ଆସିଥିଲେ । ବହୁତ ବୁଝା ବୁଝି କଲେ । ପୁଣି କାମରେ ମନ ଦେବାକୁ କହିଲେ । ନୂଆ ଝିଅଟିଏ ଖୋଜି ଦୂତୀୟ ବିବାହର ବନ୍ଦୋବସ୍ତ କରିବାର ପ୍ରଚେଷ୍ଟା ମଧ୍ୟ କଲେ । କିନ୍ତୁ ବାବୁ କିଛି ଶୁଣିଲେ ନାହିଁ । ନିଜ ଜିଦ୍ ରେ ରହିଲେ ଆଉ ବଡ଼ ବାବୁଙ୍କୁ ଗାଁକୁ ଫେରିଯିବାକୁ ଅନୁରୋଧ କଲେ । 


 ବୃଦ୍ଧ ବାପା ପୁଅର ଜିଦ ପାଖରେ ଜିତିପାରେ ନାହିଁ , ହରିଯାଏ ଏମିତି !... 


  ସୁଖଲତା କିନ୍ତୁ ଚାହୁଁଥିଲା ବାବୁ ପୁଣି ନିଜ ଜୀବନରେ ବ୍ୟସ୍ତ ହେଇଯାଅନ୍ତୁ ।ବାହା ଚଉରା ହେଇ ପୁଣି ଥରେ ଆରମ୍ଭ କରନ୍ତୁ ଜୀବନ ଯାତ୍ରା । ଆଉ ସେ ଏଠୁ ମୁକ୍ତି ପାଉ । ଫେରିପାରୁ ନିଜ ଗାଁ କୁ । ତା'ର ମଧ୍ୟ ନିଜ ଜୀବନ ପାଇଁ କିଛି ସ୍ୱପ୍ନ ଅଛି । ବାହାସହା ହେବାର ଅଛି । ଛୁଆ ମା' ଥିଲେ ସିନା ତା'ର ଏଠି ରହିବା ଲୋଡ଼ା । ତାଙ୍କ ଅନ୍ତେ ଆଉ କି ମୋହ !


 ହେଲେ ଜୋଇଁ ବାବୁ ସେମିତି କଲେନାହିଁ କି ସୁଖଲତା ଏଠୁ ମୁକୁଳି ପାରିଲା ନାହିଁ । ରହିଲା ଗୋଟେ ମାନବିକତା ଦାୟରେ । ଯେତେହେଲେ ଛୁଆ ମା' ଙ୍କର ଜୋଇଁ , କିଛି ଗୋଟେ ବନ୍ଦୋବସ୍ତ ବିନା କେମିତି ଅସହାୟ କରି ଯାଇ ପାରିବ ସେ ?


 ଚଳି ହୁଅନ୍ତା ଜୀବନ ଯଦି ସେଥିରେ ଥାନ୍ତା ଜୀବନର ସ୍ପୃହା । ଗୋଟେ ଚଳଚଞ୍ଚଳ ପଣ ହଜିଯାଇଥିବା ଜୀବନ ବୋଝ ଭଳି ବଡ଼ କଷ୍ଟକର । ବାବୁ ନୀରବତା ଭିତରେ ଚିତ୍ର ଅଙ୍କା କାମରେ ଆଉ ସୁଖଲତା ଘର ଚାରିକାନ୍ଥ 

ଭିତରେ । ଏଇଟା କ'ଣ ଜୀବନ ?


 ସୁଖଲତାକୁ ଏବେ ଆହୁରି ବୀତସ୍ପୃହ ଲାଗୁଥିଲା କାରଣ ଜୋଇଁବାବୁ ଖାଇବା ପିଇବାରେ ବଡ଼ ଅବହେଳା ଆରମ୍ଭ କରିଦେଇଥିଲେ । ଦିନେ ଦିନେ ଖାଦ୍ୟ ସେମିତି ଦରଜା ବାହାରେ ରହୁଥିଲା କିନ୍ତୁ ସେ ଦରଜା ଖୋଲୁ ନଥିଲେ । ସୁଖଲତା ଏବେ ବଡ଼ ବିରକ୍ତି ଅନୁଭବ କରୁଥିଲା ତାକୁ ଲାଗୁଥିଲା , '' ଜୋଇଁବାବୁଙ୍କ ମୁଣ୍ଡ ଗୋଳମାଳ ହେଇଗଲାଣି ନିଶ୍ଚିତ । ଏମିତି ଗୋଟେ ଘରେ ନିବୁଜ ରହିଲେ ମୁଣ୍ଡ ଗୋଳମାଳ ହେବା ନିଶ୍ଚିତ । ''


 ହେଲେ ସେ କ'ଣ କରିବ , ତାକୁ ବୁଝା ପଡୁନଥିଲା । ସେ ବେଳେବେଳେ ଦରଜାରେ ଆଘାତ କରୁଥିଲା କିନ୍ତୁ ଜୋଇଁ କେବଳ ଡିଷ୍ଟର୍ବ ନକରିବାକୁ କହୁଥିଲେ କିନ୍ତୁ ଦରଜା ଖୋଲୁ ନଥିଲେ । ସୁଖଲତା ଅଧିକ କିଛି କରିବାର ଅଧିକାର ରଖୁ ନଥିଲା । ତେଣୁ ସେ ନୀରବରେ ଅପସରି ଯାଉଥିଲା । ପୁଣି ସେମିତି ଖାଦ୍ୟ ବନେଇ ରଖୁଥିଲା । 


 ଧୀରେ ଧୀରେ ଘରର ଏଇ ବିଚିତ୍ର ପରିବେଶ ସୁଖଲତାକୁ ଗୋଡେଇ ଖାଇଲା ଆଉ ସେ ଚାଲିଯିବାକୁ ଇଚ୍ଛା କଲା । ଆଉ ଅଧିକ ଧର୍ଯ୍ୟ ନଥିଲା ତା' ଭିତରେ । 


 ମଣିଷ ଗୋଟିଏ ଘରେ କେବଳ ସେତେବେଳେ ରହିପାରେ ଯେବେ ସମ୍ପର୍କରେ କିଛି ଉଷ୍ମତା ଥାଏ । ଗୋଟେ ନିଶବ୍ଦ ସହବାସ କେବେବି ସମ୍ଭବ

 ନୁହେଁ । ପୋଷା କୁକୁରଟେ ମଧ୍ୟ ଅତ୍ମୀୟତା ଲୋଡେ। ଗାଈ ଗୋରୁ ମଧ୍ୟ ମଣିଷ ସହ କଥା ଲାଗନ୍ତି , ଭୋକ ଶୋଷ ହେଲେ ଅଳି କରନ୍ତି । କିନ୍ତୁ ଜୋଇଁ ବାବୁ କେବଳ ନୀରବ ଥିଲେ କେଵଳ 

ନୀରବ !


 ସୁଖଲତା ସେଦିନ ରାତିରେ ଖାଇବା ରଖି ଦରଜାରେ ଆଘାତ ଦେଲା ଆଉ କହିଲା ,

 '' ବାବୁ ମୁଁ କାଲି ଗାଁକୁ ଯିବି , ଆପଣଙ୍କୁ ଘର ଲାଗିଲା !''


 ପ୍ରଥମେ ଘର ଭିତରୁ କୌଣସି ସୋର ଶବ୍ଦ ଆସିଲା ନାହିଁ । ସୁଖଲତା ପୁଣି ନିଜ କଥା ଦୋହରେଇଲା । କିଛି ପ୍ରତିକ୍ରିୟା ନଥିଲା । ଏବେ ସେ ଖୁବ୍ ଉଚ୍ଚ ସ୍ୱରରେ ସେଇ କଥା କହିଲା । ତଥପି କୌଣସି ପ୍ରତିକ୍ରିୟା ଆସିଲା ନାହିଁ । 


 ସେ ଧର୍ଯ୍ୟହରା ହେଇ ଜୋର ଜୋରରେ ଦରଜା ବାଡେଇଲା । ଦର୍ଜାର ଶବ୍ଦ ନିଶବ୍ଦ ଘରେ ଗୋଟେ ବିଚିତ୍ର କୋଳାହଳ ସୃଷ୍ଟି କଲା । ହେଲେ ଜୋଇଁବାବୁ ନୀରବ ଥିଲେ । ସାଧାରଣତଃ ସେ ଡିଷ୍ଟର୍ବ ନକରିବା ପାଇଁ କୁହନ୍ତି କିନ୍ତୁ ଆଜି ସେଇ କଥା ପଦକ ମଧ୍ୟ ଶୁଭିଲା ନାହିଁ । 

ସୁଖଲତା ମନକୁ ପାପ ଛୁଇଁଲା , ''ଜୋଇଁ ବାବୁଙ୍କର କିଛି ଅସୁବିଧା ହେଇଛି କି ?" 


 ଖାଇବା ପିଇବା ଅବହେଳା , ରାତି ଅନିଦ୍ରା , ଏମିତି ଗୋଟେ ନିସଙ୍ଗ ଜୀବନ । ଏସବୁ ମଣିଷକୁ ଅସୁସ୍ଥ କରିବାରେ ବେଶ ପାରଙ୍ଗମ । ବୁଝୁଥିଲା ସୁଖଲତା । ସେ ଆଉ କାଳ ବିଳମ୍ବ ନକରି ଦରଜାକୁ ଭାଙ୍ଗିବାକୁ ଚେଷ୍ଟା 

କଲା । ତାକୁ ଜଣା ଥିଲା ଭିତରେ ଗୋଟେ ନହନହକା କୁଣ୍ଡି ଲାଗିଛି । ଦୁଇ ଚାରି ଧକ୍କା ଦେଲେ ଖୋଲିଯିବ । ସେ ସେଥିପାଇଁ ନିଜର ସମସ୍ତ ଶକ୍ତି ଲଗେଇ ଦରଜାକୁ ଧକ୍କା ଦେଲା । 


 ଖୋଲିଗଲା ଦରଜା । ଆଉ ଘର ଭିତରର ଦୃଶ୍ୟ ଦେଖି ଡରିଗଲା ସୁଖଲତା । ଜୋଇଁ ବାବୁ ଆଖିତରାଟି ଶୁନ୍ୟକୁ ଅନେଇ ପଡ଼ିଥିଲେ ଚଟାଣ ଉପରେ । ତାଙ୍କ ଦେହ ଶୀତଳ ଲାଗୁଥିଲା ଅସମ୍ଭବ ଭାବରେ । ନିଷ୍ପ୍ରାଣ ଦେହଟା ଦେଖି ସୁଖଲତା ଭୟ ପାଇଗଲା । 


  ପାଖକୁ ଯାଇ ସେ ନିଶ୍ୱାସ ବାରିଲା , ନା' ଜୀବନ ଅଛି । ଖାଲି ଯାହା ଶକ୍ତିହୀନ ହେଇଯାଇଛି ଦେହଟା । ସେ ସଂଗେ ସଂଗେ ଡାକ୍ତରଙ୍କୁ ଫୋନରେ ଡକେଇଲା ଆଉ ବାବୁଙ୍କୁ ହସ୍ପିଟାଲରେ ଭର୍ତ୍ତି କଲା । ଖାଦ୍ୟହୀନତା ଯୋଗୁଁ ଏମିତି ଚେତାହୀନ ସ୍ଥିତି ହେଇଥିଲା । ଡାକ୍ତର ଚିକିତ୍ସା କରି ବାବୁଙ୍କ ଚେତା ଫେରେଇଲେ । ଆଉ କିଛି ଦିନ ହସ୍ପିଟାଲରେ ରହିବାକୁ ନିର୍ଦ୍ଦେଶ ଦେଲେ । 



 ସୁଖଲତା ବାବୁଙ୍କୁ ଛାଡି ଘରକୁ ଆସିଲା ତାଙ୍କ ପାଇଁ କିଛି ମନ ପସନ୍ଦ ଜିନିଷ ରାନ୍ଧି ନେବାକୁ । ହସ୍ପିଟାଲ ଖାଇବା ଜମା ରୁଚୁନଥିଲା ତାଙ୍କୁ । ସେ ଅନୁରୋଧ କରିଥିଲେ ଘର ରନ୍ଧା ଖେଚୁଡ଼ି ପାଇଁ । 


 ସୁଖଲତା ଖେଚୁଡ଼ି ବସେଇ ଚାଲିଗଲା ସେଇ ଚିତ୍ର ଅଙ୍କା ଘରକୁ । ଭାବୁଥିଲା ସଜାଡି ଦେବ ଟିକେ ଘରଟିକୁ । କାହିଁ କେତେକାଳୁ ଝାଡୁ ବାଜିନି। 


 ଘର ଭିତରକୁ ଯାଇ ଭୟ ପାଇଗଲା ସୁଖଲତା । ବାବୁଙ୍କ ଅସୁସ୍ଥତା ସକାଶେ ଆଉ ଘରଟିକୁ ସଠିକ ଭାବେ ଦେଖିନଥିଲା ସେ । ସାରା ଘରେ ଚିତ୍ର ଥିଲା ଗୋଟେ କେହି ନାରୀର । ଖୁବ୍ ଗୁଡ଼େ ଚିତ୍ର , କିନ୍ତୁ ପୂରା ଅଙ୍କା ହେବା ପରେ ଚିତ୍ରର ମୁହଁଟିକୁ ବିକୃତ କରିଦେଇଥିଲେ ଜୋଇଁ ବାବୁ । ସେଥିରେ ଗାଢ଼ ନାଲି ରଙ୍ଗ ମାଖି କଦର୍ଥ କରିଦେଇଥିଲେ । କିଛି ଚିତ୍ରରେ ଗୋଟେ ପୁରୁଷର ପ୍ରତିଛବି ଥିଲା କିନ୍ତୁ ତା'ର ରୂପ ଅସ୍ପଷ୍ଟ ଆଉ ହାତ ଦୁଇଟିରେ ଗାଢ଼ ଲାଲ ରଙ୍ଗର ରକ୍ତ ଛିଟା । ସମସ୍ତ ଚିତ୍ର ରକ୍ତ ରଞ୍ଜିତ ଥିଲେ ଯେମିତି । ସବୁଠି ସେଇ ବିକଳ ରକ୍ତର ଛିଟା ସ୍ପଷ୍ଟ ଥିଲା । କେମିତି ଗୋଟେ ଭୟ ପାଇଗଲା ସୁଖଲତା । 


 କି ଚିତ୍ର ଏସବୁ । ରକ୍ତାକ୍ତ , ବିଭତ୍ସ , କଦର୍ଯ୍ୟ ଓଃ ! ତା' ମୁଣ୍ଡ ଘୁରେଇ ଦେଲା , ପଡିଯିବା ପୂର୍ବରୁ ସେ ଧରିନେଲା ଟେବୁଲ ଟାକୁ ଆଉ ତା' ହାତରେ ପଡିଲା ଗୋଟେ ଡାଏରୀ । ଜୋଇଁବାବୁଙ୍କ ଡାଏରି ହଁ , ମନେ ପଡିଗଲା ଲେଖନ୍ତି ସେ ନିଇତି । 


 ଅନ୍ୟର ଡାଏରୀ ପଢିବା ଗୋଟେ ନିଷିଦ୍ଧ କାମ । ଶୁଣିଥିଲା ସୁଖଲତା ଛୁଆ ମା' ଙ୍କଠୁ । କିନ୍ତୁ ଆଜି କାହିଁକି କେଜାଣି ଏଇ ଡାଏରି ପଢିବାର ଇଚ୍ଛାକୁ ଦମନ କରିପାରିଲା ନାହିଁ । ଜାଣିବାକୁ ହେବ ଜୋଇଁ ବାବୁଙ୍କ ନିର୍ବାସନର କାରଣ , ଖୋଜିବାକୁ ହେବ ଏଇ ବିଚିତ୍ର ଚିତ୍ର ଗୁଡିକର ଉଦ୍ଦେଶ୍ୟ , ବୁଝିବାକୁ ହେବ ତାଙ୍କ ନୀରବତା ପଛର ଅଭିସନ୍ଧି ?


 ଡାଏରୀ ଭିତରେ ପେନ୍ ଟେ ଥିଲା ଆଉ ସୁଖଲତା ସେଇ ପୃଷ୍ଠାଟି ପଢିଲା ଖୋଲି ।ଯେତେ ପଢୁଥିଲା ସେତେ ଯନ୍ତ୍ରଣା ହେଉଥିଲା ତାକୁ । ସେଥିରେ ଗୋଟେ ଶତ୍ରୁ ବିଷୟରେ ଲେଖା ଥିଲା । ଶତ୍ରୁ ହଁ ଛୁଆ ମା' ଙ୍କ ଶତ୍ରୁ , ତା' ଶତ୍ରୁ ସଭିଙ୍କ ଶତ୍ରୁ । ଏମିତି ଶତ୍ରୁ ଯେ ନିଜ ସଂସାର ନିଜ ହାତରେ ଉଜାଡ଼ି ଦେଲା । ଜୀବନ ଦୁର୍ବିସହ କରିଦେଲା , ଧ୍ୱଂସ କରିଦେଲା , ସବୁକିଛି ଭାଙ୍ଗିରୁଜି ଚୁରମାର କରିଦେଲା !!


 ସୁଖଲତା ଡାଏରୀଟାକୁ ସମସ୍ତ ଶକ୍ତି ଲଗେଇ ଫୋପାଡ଼ି ଦେଲା । ଆଉ ସେଠୁ ଉଠି ଧାଇଁଲା ବାହାରକୁ । ସମ୍ପୁର୍ଣ୍ଣ ଭାବେ ସେଇ ପୃଥୀବିରୁ ନିଜର ଅସ୍ତିତ୍ୱ ମିଟେଇବା ପର୍ଯ୍ୟନ୍ତ ଅଣନିଶ୍ୱାସୀ ହେଇ ଧାଇଁଲା ସୁଖଲତା ।


 " ଜାଣ ଲତା ତୁମକୁ ବହୁତଭଲ ପାଏ ମୁଁ , ମିତା ନୁହେଁ କେବଳ ତୁମେ !......


 ହେଲେ କହିପାରୁନି ଏଇ ମିତା ପାଇଁ । ମୁଁ କିନ୍ତୁ କହିବି ନିଶ୍ଚିତ କହିବି ଯେବେ ମିତାକୁ ହଟେଇ ଦେଵି ଆମ ରାସ୍ତାରୁ । ମୁଁ ସବୁ କରିଦେବି ଆଉ ତା' ପରେ ଆମେ ସୁଖ ସଂସାର କରିବା। 


 କିନ୍ତୁ କେମିତି କହିବି ଲତା , ମିତାଲିକୁ ହଟେଇବା ପାରେ ନିଜକୁ ସ୍ତ୍ରୀହନ୍ତା ଭାବି ବହୁତ ଭୟ ଲାଗୁଛି । ମୁଣ୍ଡ ମୋର ଗୋଳମାଳ ହେଇଯାଉଛି । ମୁଁ ତୁମକୁ ନେଇ ଆଉ କିଛି ଭାବି ପାରୁନି !.....


  ମିତା ସବୁରାତିରେ ଆସି ମୋତେ ବଡ଼ ବିକଳ ଦୃଷ୍ଟିରେ ଚାହୁଁଛି । ଭାରି ଯନ୍ତ୍ରଣା ସେଇ ଦୃଷ୍ଟିରେ । ଗୋଟେ ତୀବ୍ର ଆକ୍ରୋଶ ସେଥିରେ । ମୁଁ ଖିନ ଭିନ ହେଇଯାଉଛି । ନିଃଶେଷ ହେଇଯାଉଛି , ଓଃ !.......'' 


  ଏଇତକ ଲେଖା ଥିଲା ଡାଏରୀ 

 ପୃଷ୍ଠାରେ ।


    


Rate this content
Log in