ଶ୍ରଵଣକୁମାର
ଶ୍ରଵଣକୁମାର
ଓଁ ଯିଏ କି ନିରାକାର,ପରଂବ୍ରହ୍ମ,ଜଗଦୀଶ୍ୱର ଆଉ ରହସ୍ୟମୟ। ସେହି ପରମେଶ୍ବରଙ୍କର ଲୀଳା ଅପାର।ସେ ହିଁ ଆଦି ସେ ହିଁ ଅନ୍ତ।ସେହି ଲୀଳାମୟଙ୍କ କୃପା ଅନନ୍ତ,ଅପାର,ଅସୀମ।ସେ ହିଁ ସୃଷ୍ଟିର ଚାଳକ ଆଉ ଵାହକ ମଧ୍ୟ। ତ୍ରେତୟା ଯୁଗରେ ଶ୍ରୀ ପୁରୁଷୋତ୍ତମ ରାଜା ଦଶରଥଙ୍କ ସମୟରେ ବର୍ଣ୍ଣିତ ଶ୍ରଵଣକୁମାରଙ୍କ କାହାଣୀ ଅତ୍ୟନ୍ତ ହୃଦୟସ୍ପର୍ଶୀ ଅଟେ।
ସତ୍ୟର,ନ୍ୟାୟ ଏବଂ ଧର୍ମର ପୂଜାରୀ ଥିଲେ ରାଜା ଦଶରଥ ଯିଏକି ନିଜର ପ୍ରଜାମାନଙ୍କୁ ନିଜର ସନ୍ତାନ ରୂପରେ ଭାବୁଥିଲେ ଏବଂ ସୁଚାରୁରୂପେ ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ।ଆଉ ପରିବେଶ ମଧ୍ୟ ଶାନ୍ତ ଶୀତଳ ବାତାବରଣ ମଧ୍ୟରେ ଅତିବାହିତ ହେଉଥିଲା।କାହା ମଧ୍ୟରେ କୈାଣସି ଶତୃତା ନ ଥିଲା। ଏପରିକି ସେଠାରେ ମୃଗ ଓ ବାଘ ମଧ୍ୟ ଏକାଠି ନଦୀରୁ ଜଳ ପାନ କରୁଥିଲେ।ରାଜା ଦଶରଥ କୂଳଗୁରୁ ବଶିଷ୍ଠ ଋଷିଙ୍କ ପରାମର୍ଶକ୍ରମେ ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ।
ରାଜା ଦଶରଥ ଶିକାର କରିବାକୁ ଅତ୍ୟନ୍ତ ଭଲ ପାଉଥିଲେ। ତେଣୁ ସେ ଏକଦା ଶିକାର ପାଇଁ ନିଜର ସହଚରଙ୍କୁ ନେଇ ଜଙ୍ଗଲ ଅଭିମୁଖେ ବାହାରି ପଡିଲେ। ସେଠାରେ ଶିକାର ଖୋଜି ଖୋଜି ନିରାଶ ହୋଇ ଏକ ବୃକ୍ଷ ତଳେ ବିଶ୍ରାମ ନେଉଥିଲେ। ଠିକ୍ ସେତିକିବେଳେ ସାନ୍ତନୁ ମୁନି ଏବଂ ଜ୍ଞାନ ଭକ୍ତିଙ୍କର ପୁତ୍ର ଶ୍ରଵଣକୁମାର ନିଜ ପିତାମାତାଙ୍କର ଆଦେଶକୁ କର୍ତ୍ତବ୍ୟ ମନେକରି ସହୃଦୟର ସହ ତୀର୍ଥ ଯାତ୍ରା ନିମନ୍ତେ ଅଗ୍ରସର ହେଉଥିଲେ। ଯେହେତୁ କୁମାରଙ୍କ ପିତାମାତା ଦୃଷ୍ଟିହୀନ ଥିଲେ ସେଥିପାଇଁ ଶ୍ରବଣ ନିଜେ ଏକ ଭାର ତିଆରି କରି ନିଜ କାନ୍ଧରେ ନିଜେ ଵୋହିଥିଲେ। ହଠାତ୍ ତୀର୍ଥ ଯାତ୍ରା ସମୟରେ ପଥ ମଧ୍ୟରେ ସେମାନଙ୍କୁ ପ୍ରବଳ ତୃଷ୍ଣା ଅନୁଭବ ହେଲା ଯେଉଁଥିପାଇଁ ସେମାନେ ଶ୍ରବଣଙ୍କୁ ଜଳ ଆଣିବା ନିମନ୍ତେ ପରାମର୍ଶ ଦେଲେ। ତେଣୁ ପିତାମାତାଙ୍କର ତୃଷ୍ଣା ନିବାରଣ ନିମନ୍ତେ ସେ ଏକ ସ୍ଥାନରେ ଭାରକୁ ରଖିଦେଇ ଜଳର ଅନୁସନ୍ଧାନରେ ବାହାରିପଡିଲେ।ଘଞ୍ଚ ଅରଣ୍ୟ ମଧ୍ୟରେ ଖୋଜି ଖୋଜି ଶେଷରେ ସେ ସରୋଜ ନଦୀ କୂଳରେ ପହଞ୍ଚିଥିଲେ।ସେ ନଦୀର ନୀଳ ଜଳରାଶି ଅତ୍ୟନ୍ତ ମନୋମୁଗ୍ଧକର, ପରିଷ୍କାର।କଳ କଳ ମୁଖରିତ ଶଦ୍ଦରେ ସତେ ଯେମିତି ସେହି ପରିବେଶ ଗଗନ ପବନ ପ୍ରକମ୍ପିତ କରୁଥିଲା। ସେହି ନଦୀର ଜଳକୁ ଦେଖି ଶ୍ରଵଣକୁମାର ଅତ୍ୟନ୍ତ ଖୁସି ହୋଇ ନିଜ ପିତାମାତାଙ୍କର ତୃଷ୍ଣା ଲାଘବ କରିବାପାଇଁ ନଦୀ ନିକଟକୁ ଯାଇ ଏକ ମାଠିଆ ଵୁଡାଇଲେ । ସେହିକ୍ଷଣି ପାଣିର କଳ କଳ ଶଦ୍ଦ ଶୁଣି ବିଶ୍ରାମ ନେଉଥିବା ରାଜା ଦଶରଥ ଏକ ମୃଗ ଜଳପାନ ନିମନ୍ତେ ଆସିଅଛି ଭାବି ନିଃସନ୍ଦେହରେ ଶଦ୍ଦଭେଦୀ ଶର ଛାଡ଼ିଲେ। ଯାହାକି ଶ୍ରବଣଙ୍କ ବକ୍ଷରେ ଭେଦ କଲା ଓ ସେଠାରେ ସେ ଚିତ୍କାର କରି ଟଳି ପଡିଲେ। ଶ୍ରବଣଙ୍କ ଆର୍ତ୍ତ ଚିତ୍କାର ଶୁଣି ରଘୁକୂଳ ରାଜା ଦଶରଥ ସେଠାରେ ପହଞ୍ଚି ଶ୍ରଵଣକୁମାରଙ୍କୁ ଦେଖି ଅତ୍ୟନ୍ତ ମର୍ମାହତ ହୋଇପଡିଲେ ଓ ନିଜକୁ ନିଜେ ଧିକ୍କାର କଲେ ଏବଂ ଦୋଷୀ ସାବ୍ୟସ୍ତ କଲେ। ଶ୍ରବଣଙ୍କ ଠାରୁ ସବୁ କଥା ଶୁଣି ତାଙ୍କ ବକ୍ଷରୁ ଶରଟିକୁ କାଢ଼ି ଆଣିଲେ ଓ ସେଠାରେ ଶ୍ରବଣଙ୍କ ଜୀବନ ଦୀପ ଲିଭିଯାଇଥିଲା।
ଏହାପରେ ରାଜା ଦଶରଥ ଶ୍ରବଣଙ୍କ ପିତାମାତାଙ୍କ ନିକଟକୁ ଯାଇ ନିଜର ଦୋଷ ସ୍ବୀକାର କରି ସମସ୍ତ ଘଟଣା ଜଣାଇଲେ। ଅନ୍ଧ ପିତାମାତା ଏହା ଶୁଣି ଅତ୍ୟନ୍ତ ମର୍ମାହତ ହୋଇ ଭାଙ୍ଗି ପଡ଼ିଲେ ଏବଂ ଏକମାତ୍ର ସାହାରା ନିଜ ପୁତ୍ର ବିୟୋଗରେ କ୍ରୋଧିତ ହୋଇ ରାଜାଙ୍କୁ ଅଭିଶାପ ଦେଇଥିଲେ ଯେ ଆମେ ଯେପରି ପୁତ୍ରକୁ ଝୁରି ଝୁରି ପ୍ରାଣତ୍ୟାଗ କରିବୁ ଠିକ୍ ସେହିପରି ପୁତ୍ରକୁ ଝୁରି ଝୁରି ଆପଣ ମଧ୍ୟ ପ୍ରାଣ ତ୍ୟାଗ କରିବେ।ଏହା କହି ଅନ୍ଧ ପିତାମାତାଙ୍କର ଜୀବନ ଶେଷ ହୋଇଥିଲା। ତେଣୁ ରାଜା ନିଜକୁ ଅକ୍ଷମଣୀୟ ଅପରାଧୀ ମନେ କରି ନିଜର ଶାସନରେ ଏକ କଳଙ୍କର ଦାଗ ଲାଗିଗଲା ବୋଲି ହୃଦବୋଧ କଲେ।ଶେଷରେ ସେମାନଙ୍କ ଶବ ଦାହ କରି ନିଜ ରାଜପ୍ରାସାଦକୁ ଫେରିଯାଇଥିଲେ।
