ଶିକୁଳି
ଶିକୁଳି
"ମା', ଭାରି ଭୋକ ଲାଗିଲାଣି, ଖାଇବାକୁ ଦେଲ | କୁଆଡେ ଗଲ ?"
ସୁମି କଲେଜରୁ ଫେରି ଘରଟା ସାରା ଖୋଜି ଗଲାଣି ହେଲେ ମା' ଙ୍କୁ କୋଉଠି ପାଉନି | ଦେଖିଲା ବେଳକୁ ମା' ଯାଇ ବାଡ଼ି ପଛପଟ ଆମ୍ବଗଛ ପାଖରେ ଆଉଜିକି ଚୁପଚାପ ଛିଡା ହେଇଛନ୍ତି | ପାଖକୁ ଗଲା,ଆଉ ଯାଇକି ଦେଖିଲା ଆଖି ଛଳ ଛଳ,ମୁଁହ ଫୁଲିଯାଇଛି,ସଜ ଫୁଲପରି ସବୁବେଳେ ଚମକୁ ଥିବା ମା'ଙ୍କର ଚେହେରାଟି ପୁରା ଝାଉଁଳି ପଡିଛି |
"କଣ ହେଲା ମା'? ଆଜି ପୁଣି ବାପା ଗାଳି କରିକି ଯାଇଛନ୍ତି ନାଁ ?"
ସନ୍ଧ୍ୟାଦେଵୀ ଲୁହକୁ ଲୁଚେଇବା ଆଳ କରି, ମୁଁହ ବୁଲେଇ ଆଣି, କୋହ ଛୁପା ମୁରୁକି ହସ ଟିଏ ହସି କହିଲେ,
"ନାଁ ରେ ମା', କିଛି ନାହିଁ | ମନଟା ଏମିତି ଭଲ ଲାଗୁନଥିଲା | ତୁ କେତେବେଳେ ଆସିଲୁ ? ମୁଁ ଫୁଲଗଛରେ ପାଣିଦେବାକୁ ଆସି ଏଇଠି ଟିକେ ବୁଲୁଥିଲି | ଚାଲିଲୁ ମୁଁହ ହାତ ଧୋଇ ବସିବୁ, ମୁଁ ଖାଇବା ବାଢିଦେବି |"
ସୁମି ଆଉକିଛି ପଚାରିଲାନି | ତାକୁ ଆଉକିଛି କଥା ବୁଝିବା ବାକି ନଥିଲା | ଚୁପ ଚାପ ମା'ଙ୍କ ପଛେ ପଛେ ଗଲା |
ବାପା, ମା'ଙ୍କୁ ପାଟି କରିବାଟା ନିତିଦିନିଆ କଥା | ଛୋଟବେଳୁ ସବୁବେଳେ ଦେଖି ଆସିଛି ବାପାଙ୍କର ମା'ଙ୍କ ପ୍ରତି ରାଗ, ନାଲି ଆଖି, ଲାଂଞ୍ଛନା, ଭର୍ସନା ଓ କଥା କଥାରେ ଅପମାନ କରିବା | କିଛି ଭୁଲ ଥାଉ ଅବା ନ ଥାଉ ଛୋଟ ଛୋଟ କଥାରେ ସେ ଗାଳି କରନ୍ତି ମା'ଙ୍କୁ | ସବୁଦିନ ଯେମିତି ମା'ଙ୍କୁ ଅପମାନ ନଦେଲେ ତାଙ୍କୁ ଶାନ୍ତି ମିଳେନି | ସୁମି ଏକ ମାତ୍ର ଝିଅ ହେଇଥିବାରୁ ସେ ଅତି ଗେଲବସରରେ ବଢିଛି ସତ, ହେଲେ ବଡ଼ ହେଇଯିବା ପରେ ଯେତେବେଳେ ମା'ଙ୍କ ପ୍ରତି ହେଉଥିବା ବ୍ୟବହାରକୁ ପ୍ରତିବାଦ କରେ ସେ ବି ବାପାଙ୍କ ଠାରୁ ଗାଳି ଶୁଣେ | ହେଲେ କେବେ ବୁଝି ପାରେନି ଏ ବ୍ୟବହାର ପଛର କାରଣ କଣ? ଘରେ କେବେ କୌଣସି ପ୍ରକାରର ଅଭାବ ଅସୁବିଧା ନଥିଲା ହେଲେ ଏ ମାନସିକ ଅଶାନ୍ତି, ସୁମିର କୋମଳମତି ବୟସକୁ ପ୍ରଭାବିତ କରୁଥିଲା | ମା' ଖାଲି କାନ୍ଦନ୍ତି, ସେ ଯେମିତି ଥିଲେ ଅସହାୟ,ଆଉ ଲାଚାର | କେବେ ମା'ଙ୍କ ମୁଁହରୁ ପ୍ରତିବାଦର ସ୍ୱର ସୁମି ଶୁଣିବାକୁ ପାଇ ନଥିଲା | ବରଂ ସୁମି ଯଦି କେବେ ମନ ଖରାପ କରେ ମା' ତାକୁ ବୁଝାନ୍ତି ଯେ, "ତୁ କାଇଁ ମନ ଦୁଃଖ କରୁଛୁ? ଏସବୁ ମୋର ଅଭ୍ୟାସରେ ପରିଣତ ହୋଇଗଲାଣି | ଆଉ ମୋ ପାଖରେ ସହିବା ବ୍ୟତୀତ ଅନ୍ୟ କିଛି ଉପାୟ ବି ନାହିଁ |"
ତା ନଜରରେ ତା ବାପା ମା'ଙ୍କ ସମ୍ପର୍କ ଏକ ଭିନ୍ନ ଥିଲା, ଯେଉଁଥିରେ ଭଲ ପାଇବା, ସ୍ନେହ ଆଦରର ସ୍ଥାନ ଖୁବ କମ୍ ଥିଲା ବା ନଥିଲା କହିଲେ ଚଳେ | ଯାହା ଫଳରେ ସେ ବାପାଙ୍କ ସହ ବେଶୀ କଥା ହବା ମଧ୍ୟ୍ୟ ପସନ୍ଦ କରୁନଥିଲା |
ସବୁ ଝିଅଙ୍କର ପ୍ରଥମ ହିରୋ ତା ବାପା,ଆଉ ସେ ସବୁବେଳେ ନିଜ ବାପାଙ୍କ ଭଳି ଭଲ ପାଇବା ଦେଉଥିବା ସ୍ୱାମୀଟିଏ ହିଁ ଆଶା କରିଥାଏ | ହେଲେ ସୁମିର ଏସବୁ ଓଲଟା ଥିଲା | ତା ବାପା ତା ପାଇଁ, ବାପା ହିସାବରେ ହିରୋ ହୋଇଥାଇପାରନ୍ତି ହେଲେ, ଯେତେବେଳେ ମାଆଙ୍କୁ ଦେଖେ, ହିରୋର ପରିଭାଷାଟା ତା ସମ୍ମୁଖରେ ବଦଳି ଯାଏ | ବାପାଙ୍କ ଭଳି ସ୍ୱାମୀ କେବେ ନ ମିଳୁ ବୋଲି ଭଗବାନଙ୍କୁ ଡାକେ | ଆଉ ମା'ଙ୍କୁ କୁହେ ମୋ ପଢା ସରିଲାପରେ, ମୁଁ ବଡ଼ ଚାକିରୀ ଟିଏ କରି ଚାଲିଯିବି ଆଉ ଘରକୁ ଆସିବିନି କି ଏସବୁ ଦେଖିବିନି ବରଂ ତୁମକୁ ବି ମୋ ସାଙ୍ଗରେ ନେଇଯିବି |
ସମୟ ଅତିବାହିତ ହୋଇ ଚାଲିଥିଲା | ୟା ଭିତରେ ସୁମି ବିବାହ ଉପଯୋଗୀ ହେଇସାରିଥିଲା | ପଢା ନସରୁଣୁ ସୁମିର ବିବାହ ପ୍ରସ୍ତାବ ଆସିଲା | ଭଲ ବରପାତ୍ର ହାତଛଡା ନ କରିବା ପାଇଁ ସୁମି ର ବିବାହ ସ୍ଥିର କରାଗଲା | ବିବାହ ପରେ ମଧ୍ୟ୍ୟ ସୁମି ପାଠ ପଢ଼ିପାରିବ | ଚାହିଁଲେ ଚାକିରୀ ମଧ୍ୟ୍ୟ କରିପାରିବ | ସବୁକିଛି ଏତେ ଉପଯୁକ୍ତ ଥିବାରୁ ଭଲ ବରପାତ୍ର ହାତଛଡା ନ କରିବା ପାଇଁ ସୁମି ର ବିବାହ ସ୍ଥିର କରାଗଲା | ପ୍ରତ୍ୟେକ ଝିଅଙ୍କର ବିବାହକୁ ନେଇ କିଛି ସ୍ୱପ୍ନ ଥାଏ | ସୁମି ବୟସର ଯୌବନରେ ବିବାହ ବନ୍ଧନରେ ବାନ୍ଧି ହବାର ସ୍ୱପ୍ନରେ ବିଭୋର ହେଇ ଉଠୁଥିଲା ହେଲେ, କେବେ କେବେ ମା' ଙ୍କ କଥା, ଓ ବାପା ମା'ଙ୍କ ସମ୍ପର୍କ କଥା ତା ସାମ୍ନାକୁ ଆସିଲେ ଟିକେ ଅଟକିଯିବା କଥା ଚିନ୍ତା କରୁଥିଲା | ହେଲେ ତା' ମନ କହୁଥିଲା ତା' ସ୍ୱପ୍ନର ରାଜକୁମାର ତା' ଜୀବନକୁ ରଙ୍ଗୀନ କରି ଗଢିତୋଳିବ | ବିବାହର ଦିନ ବି ପାଖେଇ ଆସିଲା | ସୌରଭ ସହିତ ସୁମିର ବିବାହ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଗଲା |ବାପଘରୁ ଝିଅଟେ ବିଦା ହୋଇ ଯେତେବେଳେ ଶାଶୁ ଘରକୁ ଯାଇଥାଏ, ସେତେବେଳେ ତା ମନରେ ଅନେକ ସ୍ୱପ୍ନ,ଆଶା,ଉତ୍କଣ୍ଠା ଭରି ହୋଇରହିଥାଏ | ନୂଆ ଦୁନିଆ, ନୂଆ ସମ୍ପର୍କ, ନୂଆ ମଣିଷ ମାନଙ୍କୁ ନିଜର କରିବା ଭିତରେ ଝିଅଟିଏ ନିଜର ପ୍ରତିଟି ସ୍ୱପ୍ନ, ସମ୍ପର୍କ, ଆଶା କୁ କେତେବେଳେ ଜଳାଞ୍ଜଳି ଦେଇ ସାରିଥାଏ ସେ ନିଜେ ମଧ୍ୟ ଜାଣି ନଥାଏ | ୟା ଭିତରେ ବିବାହର କିଛି ମାସ ବିତିଯାଇଥିଲା | ହେଲେ କିଛି ସମୟର ଅନ୍ତରାଳରେ ସବୁ ସ୍ୱପ୍ନ ସୁମିର ଏକ ଝଟକାରେ ଭାଙ୍ଗି ଯାଇଥିଲା,ଯେତେବେଳେ ସୌରଭର ପ୍ରକୃତ ଚେହେରା ତା ସାମ୍ନାକୁ ଆସିଥିଲା | ଅଳ୍ପଦିନର ବିବାହ ପରେ ସୁମି ପ୍ରତି ସୌରଭର ବ୍ୟବହାର ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥିଲା | ସେ ତାହା ସବୁ ଦେଖିଥିଲା,ଯାହା କେବେ ସ୍ୱପ୍ନରେ ମଧ୍ୟ୍ୟ ସେ ଦେଖିବାକୁ ଚାହିଁନଥିଲା | ସେ ଦେଖିଥିଲା ସମ୍ପର୍କର ଏମିତି ଏକ ରୂପ,ଯାହା ପ୍ରତି ଛୋଟବେଳୁ ତା'ର ଡର ଥିଲା | ସମ୍ପର୍କର ରୂପ,ସେ ଦେଖିଥିବା ରୂପ ଠାରୁ ବି କେତେ ଭୟଙ୍କର ହୋଇପାରେ ସେ ଅନୁଭବ କରୁଥିଲା | ସୌରଭର ସୁମି ପ୍ରତି ବ୍ୟବହାର ଦିନକୁ ଦିନ ଖରାପ ହେବାରେ ଲାଗିଥିଲା | ପ୍ରତି ଦିନ ସୁମି ଶାରିରୀକ,ମାନସିକ ରୂପେ ଅତ୍ୟାଚାରିତ ହେବାରେ ଲାଗିଥିଲା | ଶାଶୁଘର ଲୋକ ମଧ୍ୟ୍ୟ ସେଇ ଏକା ମାନସିକତାର ଥିଲେ | ଝଗଡା କରି ଗାଳିଦେଇ, ସୌରଭ ସୁମିକୁ ଆଣି ବାରମ୍ବାର ତା ବାପଘରେ ଛାଡିଦେଇ ଯାଉଥିଲା | ବାରମ୍ବାର ଘରେ ଆସି ରହିବାଟା ସୁମିକୁ ଭଲ ନ ଲାଗିଲେ ବି ସେ ଥିଲା ଅସହାୟ | ବାପା ମା' କାଳେ ମନ ଖରାପ କରିବେ ବୋଲି ନିଜ ଦାମ୍ପତ୍ୟ ଜୀବନର ତିକ୍ତତା ସମ୍ପର୍କରେ ନଜଣାଇଲେ ବି, ସେମାନଙ୍କୁ ଆଉ ବୁଝିବା ପାଇଁ ବେଶୀ ଦିନ ଲାଗି ନଥିଲା | ଧୀରେ ଧୀରେ ସୌରଭ, ସୁମିକୁ ଆଉ ଆଦୌ ନେଲାନି ଓ ସବୁଦିନ ପାଇଁ ଛାଡ଼ିଦେଇ ଗଲା ତାଙ୍କଘରେ ରହିବା ପାଇଁ ଏଵଂ ଯାହା ସମୟକ୍ରମେ ବିବାହ ବିଚ୍ଛେଦର ରୂପ ନେଲା | ଏବେ ସୁମି ଥିଲା ଅସହାୟ ଠିକ୍ ତା ମା'ଙ୍କ ପରି | ଯୋଉ ଘରକୁ ଆଉ ଆସିବନି ବୋଲି ଭାବିଥିଲା,ସମୟ ପୁଣି ଆଣି ସେଇଠି ହିଁ ଛାଡିଦେଇଗଲା, ମା'ଙ୍କର ଆଉ ଏକ ଅସହାୟ ରୂପକୁ ପ୍ରତ୍ୟେକ ଦିନ ନିଜ ଆଖି ସାମ୍ନାରେ ପୁଣି ଦେଖିବା ପାଇଁ |
ସମୟ ବିତି ଚାଲିଥାଏ | ଶୋଭାଦେଵୀ ଝିଅର ନିଃସଙ୍ଗ ଜୀବନର ଦୁଃଖକୁ ଅନୁଭବ କରିପାରୁଥିଲେ, ହେଲେ ସେ ଥିଲେ ନିରୁପାୟ | ନିଜ ଅଲିଅଳି ଝିଅର ଦୁଃଖ ଦେଖିବା ତାଙ୍କ ପକ୍ଷେ କଷ୍ଟଦାୟକ ହୋଇପଡୁଥିଲା | ଦିନକୁ ଦିନ ସୁମି ଯେପରି ସ୍ଥାଣୁ ପାଲଟିଯାଉଥିଲା | ସୁମି ଭିତରର ଗୋଟେ ଅଂଶ ଯେମିତି,ସୌରଭ ତା ନିଜ ସାଥିରେ ନେଇକି ଚାଲିଯାଇଥିଲା | ସେ ଆଉ ଆଗ ଭଳି ନଥିଲା |
ଦିନେ ଦ୍ୱିପ୍ରହର ସମୟ | ସୁମି ଶୋଇଥାଏ ତା ଶେଜ ଉପରେ ଆଉ ଭାବନାରେ ନିମଗ୍ନ ଥାଏ, ଆଖିରେ ଅଜସ୍ର ପ୍ରଶ୍ନସବୁ ଲୁହର ରୂପନେଇ ଢଳ ଢଳ ହେଉଥାନ୍ତି |ଶୋଭାଦେବୀ ସୁମି ନିକଟକୁ ଗଲେ,ଆଉ ସୁମିକୁ କୋଳେଇ ନେଲେ ଅତି ଆଦରରେ ଓ ଦୁଇ ହାତରେ ତା ମୁଣ୍ଡକୁ ଆଉଁଷୁ ଆଉଁଷୁ କହିଲେ,"ମା'ରେ କେତେଦିନ ଆଉ ଏମିତି ଅସହାୟ ହୋଇ ବଞ୍ଚିବୁ! ପ୍ରଥମେ ମୁଁ, ମୋ ପରେ ତୁ | ମୋ ପାଦର ଏ ଶିକୁଳି,ସାରା ଜୀବନଟା ମୋତେ ବାନ୍ଧି ରଖିବ,ହେଲେ ତୋ ପାଦର ଶିକୁଳି ମୁକୁଳି ଯାଇଛି | ତୋ ସହ ଯାହା ଘଟିଛି,ଗୋଟେ ନାରୀ ପାଇଁ ତା ଠାରୁ ବଳି ଦୁଃଖ ବୋଧହୁଏ କିଛି ବି ହୋଇନପାରେ | ମୁଁ କଣ ! କେହି ବି ତୋ ଦୁଃଖ ବୁଝିବାରେ ସମର୍ଥ ହେଇପାରିବେ ନାହିଁ ! ହେଲେ ମା' କେତେଦିନ ତୁ ଆଉ ନିଜକୁ, ଆଉ କାହା ବିଚ୍ଛେଦରେ ଦୁର୍ବଳ କରିଚାଲିଥିବୁ ?ତୋ ଲୁହକୁ ତୁ ଅସ୍ତ୍ର କର...ଏ କଷ୍ଟର ମୂଲ୍ୟ ଦେ.. ନିଜେ ସଂଘର୍ଷ କରି ନିଜ ଗୋଡ ରେ ଛିଡା ହେଇ ଦେଖେଇଦେ ଯେ,ଗୋଟେ ନାରୀ କେବେ ଦୁଃର୍ବଳା କିମ୍ବା ଅବଳା ନୁହେଁ,ସେ ସୃଷ୍ଟିର ଆଧାର ଓ ଶକ୍ତି ସ୍ଵରୂପିଣୀ |" କହିଲା ବେଳେ ଶୋଭାଦେବୀଙ୍କ କଣ୍ଠୠଦ୍ଧ ହୋଇଯାଉଥାଏ |
ମା'ଙ୍କର ଏ ଵୀରତ୍ଵର କଥା ସୁମି ମନରେ ଗଭୀର ପ୍ରଭାବ ପକେଇଲା | ଏତେ ବର୍ଷର ଅସହାୟ ନାରୀଟିଏର ମନ ଭିତରେ କେତେ ଯେ ଅସୁମାରୀ ଆଶା ବସାବାନ୍ଧି ରହିଥାଏ ସେଦିନ ସେ ଶୋଭାଦେଵୀଙ୍କ ଋଦ୍ଧକଣ୍ଠରୁ ଅନୁମାନ କରିପାରୁଥାଏ |
ମା'ଙ୍କ କଥା ସୁମିପାଇଁ ସେଦିନ ପରଠୁ ପାଲଟି ଯାଇଥିଲା ଶକ୍ତି,ସାଧନା ଓ ଉନ୍ନତ୍ତିର ମୂଳମନ୍ତ୍ର | ସୁମି ବିଗତ ଦିନର ସମସ୍ତ ତିକ୍ତ ଅନୁଭୁତିକୁ ମନରୁ ପୋଛି,କିଛି ନୂଆ କରିଦେଖେଇବାର ମନବୃତ୍ତି ନେଇ ଅଣ୍ଟାଭିଡ଼ି ଉଠିଲା | ନିଜର ଆଶା ଥିବା ଉଚ୍ଚଶିକ୍ଷା ପୂରଣ କରିଲା | କିଛି ବର୍ଷ ସମୟ ନେଇ, ଅନବରତ ଚେଷ୍ଟାକରି ଶେଷରେ, ଉଚ୍ଚପଦବୀରେ ଚାକିରୀଟିଏ ପାଇଗଲା | ପ୍ରଥମଥର ପାଇଁ ସହରଠୁ ଦୂରକୁ କାର୍ଯ୍ୟରେ ଯୋଗଦେବାକୁ ଯିବା ସମୟରେ, ସେଦିନ ସୁମି ତା ସାଙ୍ଗରେ ମା'ଙ୍କୁ ବି ନେଇ ଯାଇଥିଲା | ଏକ ନୂତନ ସହରରେ ନୂତନ ସୂର୍ଯ୍ୟୋଦୋୟ ସେମାନଙ୍କୁ ସାଦରେ ସ୍ୱାଗତ ଜଣାଇଥିଲା |
