Pramod Kumar Jena

Others

3  

Pramod Kumar Jena

Others

ଶିକ୍ଷକ

ଶିକ୍ଷକ

2 mins
13.8K


ଶିକ୍ଷକ

        ରାତି ସେତେବେଳକୁ ବେଶି ହୋଇ ନ ଥାଏ l ଦୀପକର ବାବାଙ୍କ ଗୋଡରେ ଔଷଧ ଲଗାଉ ଲଗାଉ ବୋଉ କହିଲେ, କେଡେ ବଡ ଖଣ୍ଡିଆ ହେଇଛି ଦେଖିଲଣି ? ସେ ପୁରୁଣା ମଟର ସାଇକେଲରେ ଷ୍ଟାର୍ଟ୍ କଲାବେଳେ ସବୁ ଦିନ କିଛି ନା କିଛି ଘଟୁଛି l ଏଇଟାକୁ ବଦଳାଇ ନୂଆ ଗାଡିଟେ କିଣିଲେ ହୁଅନ୍ତାନି ? ଦୀପକର ବାବା ନ ଶୁଣିଲା ଭଳି ଚୁପ୍ ରହିଲେ l ତାଙ୍କୁ ଟିକେ ହଲାଇ ପୁଣି କହିଲେ, କଣ ଶୋଇ ପଡିଲ କି ?

        : ନା କୁହ .....

        : ଦୀପକ ସବୁ ଦିନ କହୁଛି, ଆମ ଭଙ୍ଗା ଗାଡିକୁ ଦେଖି ତା ସାଙ୍ଗମାନେ କୁଆଡେ ଥଟ୍ଟା କରୁଛନ୍ତି l

        ପାଖ ବିଛଣାରେ ବାବା ବୋଉଙ୍କର କଥା ଶୁଣି ଦୀପକ୍ ହଠାତ୍ କହିଲା, ନା ବୋଉ l ଏଣିକି ମୁଁ ଆଉ ଜମ୍ମା କହିବିନି l ଦୀପକର କଥା ଶୁଣି ଟିକିଏ ଆଶ୍ଚର୍ଯ୍ୟ ହୋଇ ଦୁହେଁ ଏକା ସଙ୍ଗେ ପ୍ରଶ୍ନ କଲେ, କିରେ କଣ ହେଲା ପୁଣି ? ଦୀପକ୍ କହିଚାଲିଲା, ଜାଣିଛୁ ବୋଉ ଆଜି କ
ହେଲା
? ଆମ ସ୍କୁଲରେ ଆଜି ଜଣେ ନୂଆ ପିଲା ନାମ ଲେଖାଇଲା l ସେ ଲ୍ୟାଣ୍ଡରୋଭର ଗାଡିରେ ଆସିଥିଲା l ତାକୁ ଦେଖି ଯେଉଁ ପିଲାମାନେ କାରରେ ଆସୁଥିଲେ, ସେମାନଙ୍କ ହୋସ୍ ଉଡିଗଲା l କିଏ କହିଲା ଷାଠିଏ ଲକ୍ଷ ତ କିଏ କହିଲା କୋଟିଏ ଟଙ୍କାର ଗାଡି l ତା ବାବା କୁଆଡେ ବହୁତ ବଡ କଣ୍ଟ୍ରାକ୍ଟର୍ l ସାର୍ ଯେତେବେଳେ ଫୁସୁରୁ ଫୁସୁର୍ ଶୁଣିଲେ କଣ କହିଲେ ଜାଣିଛୁ ? ମତେ ଠିଆ କରେଇ ଦେଲେ l ମୁଁ ଡରିକି ଛାନିଆଁ l ସାର୍ କହିଲେ, ଇଏ ଦୀପକ୍ l ଯେମିତି ପାଠ ପଢେ, ସେମିତି ବ୍ୟବହାର l କିନ୍ତୁ ତା ବାପାଙ୍କର ମର୍ସିଡିଜ୍ ନାହିଁ କି ଲ୍ୟାଣ୍ଡରୋଭର୍ ନାହିଁ l ଏଇଟା ବିଦ୍ୟାଳୟ l ଏଠି ଜ୍ଞାନ ଆହରଣ କରାଯାଏ l ଶିକ୍ଷକଙ୍କ ପାଖରେ ସବୁ ଛାତ୍ର ସମାନ l ଏଣୁ ତୁମେମାନେ ଜ୍ଞାନରେ ଧ୍ୟାନ ଦିଅ l ବାପା ଅଜାଙ୍କ ଯାନରେ ନୁହେଁ l ସବୁଠୁ ମଜା କଥା ହେଲା, ସେ ମୋ ସାଥିରେ ହାତ ମିଳେଇ ପଚାରିଲା – ମୋତେ ତୁମ ସାଙ୍ଗ କରିବ ? ଏଣିକି ମୁଁ ଆଉ କେବେବି ମନ ଦୁଃଖ କରିବିନି ପୁରୁଣା ଗାଡି ପାଇଁ l ଦରକାର ହେଲେ ବାବାଙ୍କ ସାଥିରେ ସାଇକେଲରେ ବି ହସି ହସି ଯିବି l ଦୀପକ୍ ଶୋଇଯିବା ପରେ ସେ ଦୁହେଁ କଥା ହେଲେ, ଏମାନେ ହିଁ ପ୍ରକୃତ ଶିକ୍ଷକ l

 

ପ୍ରମୋଦ କୁମାର ଜେନା ©


Rate this content
Log in