ଶେଷ ଶଯ୍ୟା
ଶେଷ ଶଯ୍ୟା
ରାସ୍ତା ମଣିଷ ଜୀବନର ଗତିକୁ କେତେବେଳେ କୋଉଆଡେ ମୋଡ଼ି ଦିଏ ଯାହା ଅଗୋଚର ସଭିଙ୍କୁ । ହେଲେ ସେଇ ପଥରେ ପଥିକଟିଏ ହେଇ ତିଷ୍ଠି ରହିବା ଖୁବ୍ କଷ୍ଟ । ତଥାପି ସେ ସଂଘର୍ଷର ସ୍ଵାଦ ହିଁ ନିଆରା । ସେଇ କଷ୍ଟ ଆଉ ଯନ୍ତ୍ରଣାର ପଥରେ ବି ଅଗଣିତ ଖୁସି ଆସି ମନ ଆଉ ଶରୀରକୁ ଚୁମିଯାଏ । କେତେବେଳେ ଅର୍ଥର ଅଭାବ ଆଉ କେତେବେଳେ ପୁଣି ବିଜନ ବେଳାରେ ଏକଦମ୍ ନିସଙ୍ଗ ଆଉ ଏକେଲାପଣ ମଣିଷକୁ ଗୋଡ଼େଇ ଖାଇଯାଏ । କେତେବେଳେ ସବୁ କିଛି ଥାଇ ବି ନଥିବା ପରି ଅନୁଭବ ହୁଏ । ନିଜର ଅସ୍ତିତ୍ଵ ଉପରେ ବିରାଟ ପ୍ରଶ୍ନବାଚୀ ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରି ଠିଆ ହେଇଯାଏ । ମନୁଷ୍ୟ ନିଜେ ନିଜକୁ ପ୍ରଶ୍ନ କରେ ମୁଁ କିଏ?ମୋର ଏ ଗତି କେଉଁଆଡେ?ପ୍ରତିଦିନର ଏ ଗତିରେ ସେ ନିଜକୁ ହଜେଇ ଦେବା ପରି ମନେ କରେ । ଆଉ ଯଦି ଥକି ଯାଇ ବସି ପଡ଼େ ବା ରୋକି ଦିଏ ନିଜକୁ ତେବେ ଆଉ କେହି ତା ଜାଗାକୁ ନେବା ପାଇଁ ଧସେଇ ପଶିଯାଏ । ଏସବୁ ବାସ୍ତବ କଟୁ ସତ୍ୟ ଯାହାକୁ କେହି ଅସ୍ୱୀକାର କରିପାରିବେନି । ଜେଜେମାଆ ଏସବୁ ବୁଝେଇବା ସମୟରେ ଶାମୁକା କହୁଥିଲା ମାଆ ତମେ ଠିକ୍ କଥା କହୁଛ । ହେଲେ ମୋତେ ଟିକିଏ କହିବ କି ଯେତେବେଳେ ମଣିଷର ହାତ ଗୋଡ ରହିଯାଏ ତେବେ ତାହାର ଗତି କେଉଁଆଡେ?
ହସିଲେ ଜେଜେମାଆ ଆଉ କହିଲେ ତାର ଗତି ବିଧି ନିର୍ଘଣ୍ଟ ଅନୁସାରେ ସ୍ଥିରୀକୃତ ହେଇଥାଏ ଆଉ କେବଳ ସେ ସବୁକୁ ପାଳନ କରିବାକୁ ପଡେ ତାକୁ । ହାତ ଗୋଡ ରହିଗଲେ ମନୁଷ୍ୟ ଜିଅନ୍ତା ଶବ ପାଲଟିଯାଏ । ଆଉ ଶେଷ ଶଯ୍ୟାର ଅପେକ୍ଷାରେ ତା ଆଖିରୁ ଲୁହ ଶୁଖିଯାଏ । ଯେମିତି ଏବେ ମୋର ଶୁଖୁଛି । ମୋ ଆଖି ଆଗରେ ତୋ ଜେଜେ ବାପା ଚାଲିଗଲେ । ତାପରେ ମୋ ଚିହ୍ନା ପରିଚୟ ସମବୟସ୍କ ମାନେ ବି ଚାଲିଗଲେଣି । ହେଲେ ମୁଁ ସେମିତି ଖୁଣ୍ଟା ମାଙ୍କଡ଼ ପରି ବସି ରହିଛି । ହୃଦୟରେ ଅନେକ କୋହ ଏଥିପାଇଁ ଯେ ମୋତେ ପରିବାରର ଲୋକମାନେ ଘୋଷାଡି ହେଇ କେତେ କଷ୍ଟ ପାଉଛନ୍ତି । ଏତେ ଡାକୁଛି ମୁଁ କାଳିଆକୁ, ହେଲେ ମୋତେ ନଉନି କାହିଁକି କେଜାଣି ?
ଓହୋ ଜେଜେମାଆ ଏମିତି କାହିଁକି କହୁଛ?ପାପା କି ମୁଁ ଯେତେବେଳେ ଛୋଟ ଥିଲୁ ସେତେବେଳେ ତ ପୁଣି ତୁମେ ଆମର କେତେ କରିଥିଲ । ତେବେ ଏବେ ଆମେ କରୁଛୁ ବୋଲି ତୁମେ ମନ ଛୋଟ କରୁଛ କାହିଁକି?
ଜେଜେମାଆ ଖାଲି ମୁଣ୍ଡରେ ହାତ ଆଉଁସି ଦେଇ ମଥାରେ ଚୁମାଟିଏ ଦେଇ ଶୋଇବାକୁ ଗଲେ । ହେଲେ ତାଙ୍କ ଆଖିରେ ଯନ୍ତ୍ରଣାର ସେ ଗଭୀର ଚିହ୍ନ ପ୍ରତୀତ ହେଉଥିଲା । ଦୀର୍ଘ ଦଶ ବର୍ଷ ହେଲାଣି ପକ୍ଷାଘାତ ରୋଗରେ ଜେଜେମାଆ ଆକ୍ରାନ୍ତ । ହେଲେ ଘରେ କେବେ ଜେଜେମାଆକୁ ଅଣଦେଖା କରିନାହାଁନ୍ତି । କିନ୍ତୁ ତାକୁ ଏସବୁ ପାଇଁ ଖରାପ ଲାଗୁଛି । ଶାମୁକା ଯାଇ ଶୋଇ ପଡ଼ିଲା । ଆଉ ସକାଳୁ କାନ୍ଦବୋବାଳିରେ ତାର ନିଦ ଭାଙ୍ଗିଗଲା ଆଉ ଆଖି ଖୋଲି ଦେଖେ ତ ଜେଜେମାଆ ଶେଷ ଶଯ୍ୟାରେ ଶୋଇଥିଲେ । ଯନ୍ତ୍ରଣାର ଲେଷ ମାତ୍ର ଚିହ୍ନ ନଥିଲା । ଅନ୍ୟମାନେ କାନ୍ଦୁଥିଲେ ଆଉ ଜେଜେମାଆ ନିରବରେ ଶୋଇ ରହିଥିଲେ । ମଶାଣୀକୁ ପଡ଼ିଥିବା ସେଇ ପାଦ ଚଲା ରାସ୍ତାରେ କାନ୍ଧ ଦେଇଥିଲେ ହାତଗଣତି ସମ୍ପର୍କୀୟ କେଇ ଜଣ କୋକେଇକୁ । ରାମ୍ ନାମ୍ ସତ୍ୟ ହେ,ହରି ନାମ୍ ସତ୍ୟ ହେର ସେ ସ୍ୱର ଧିରେ ଧିରେ ପବନରେ ମିଶି ଯାଉଥିଲା ।
