Prasanta kumar Hota

Others

3.6  

Prasanta kumar Hota

Others

ସେଇ ଶାଲ ଦୁଇଟା

ସେଇ ଶାଲ ଦୁଇଟା

6 mins
151



ଶୀତ ମାସ ଆସୁଆସୁ ବାହାର ଓ ଭିତର ଅଗଣାରେ ଶକ୍ତ ପ୍ଲାଷ୍ଟିକ ଦଉଡି ଗୋଟେ ଲାଗି ଯାଏ। କାହାର ସାହାଯ୍ୟ ନନେଇ ବୋଉ ଏସବୁ କରେ। ଦଉଡିଟା ଲାଗୁ ଲାଗୁ ଆମେ ବୁଝି ଯାଉ ଶୀତ ଆସିବ ବୋଲି ଦସ୍ତକ ଦେଲାଣି।


ଶୀତ ଆସିବାର ଅନେକ ସମ୍ଭାବ୍ୟ ଭାବନା ଭିତରୁ ବିଶେଷକରି ଭୁଲି ହେଇ ଯାଇଥିବା ଶୀତ ବସ୍ତ୍ର ଗୁଡାକ ପୁଣି ଥରେ ଆମ ସ୍ମୃତିକୁ ପଳେଇ ଆସେ। ମନେ ପଡିଯାଏ ସ୍ୱେଟର ସବୁର ସୁନ୍ଦରତା ଓ ତାର ମିଠା ମିଠା ଉଷ୍ମତା। 

ବୋଉ ଯେତେବେଳେ ତା ଟ୍ରଙ୍କରୁ ଏସବୁ କାଢେ ଆମେ ଭାବିବାକୁ ଲାଗୁ, କୋଉଟା ସେ ବୁଣିଥିଲା ଓ ନେପାଳିଙ୍କ ଠାରୁ କୋଉଟା ଆସିଥିଲା। ଦେହକୁ କୋଉଟା କେତେ ମାନିବ ଭାବି ପରଖି ବସୁ। ସ୍ୱେଟର ଛୋଟ ହେଇଥିଲେ ନିଜେ ବଡ ହେଇ ଯାଇଛୁ ଭାବି ଖୁସି ହେଉ। ଏସବୁ ଆନନ୍ଦର କଥା ନହେଲେ ମଧ୍ୟ ଆନନ୍ଦିତ ହେବାକୁ ଖୋରାକ ଯୋଗାଏ ଯାହା ଅନ୍ତର କରିହୁଏ ନାହିଁ। କ୍ଷଣିକ ପାଇଁ ହେଉ ପଛେ, ଯୋଉ ଖୁସି ମାନସିକ ସ୍ତରରେ ଆନନ୍ଦକୁ ବିତରଣ କରେ, ତାର ସ୍ମୃତିଚାରଣ ସଦାବେଳେ ଆମ ଅନାହୂତ ଆସକ୍ତିର କାରଣ।


ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଦଉଡି ଲଗାହେବ। ଶାଲ ସ୍ୱେଟର, କମ୍ବଳ ଆସି ଦଉଡିରେ ଝୁଲା ହେବ। ଶୀତବସ୍ତ୍ର ସବୁ ଖରା ପାଇ ତାଜା ହେବେ, ତାପରେ ପିନ୍ଧାହେବ ଓ ଶୀତ ସରିଗଲେ ପୁଣି ଟ୍ରଙ୍କ ଭିତରକୁ ଚାଲିଯିବ। ସ୍ଥୁଳ ଚକ୍ଷୁରେ ଏହା ଦେଖିବାକୁ ଗଲେ ଅତି ସାଧାରଣ କଥା, ଏଥିରେ କିଛି ବିଶେଷତ୍ୱ ଥିଲା ପରି ମନେହୁଏ ନାହିଁ କିନ୍ତୁ ସୂକ୍ଷ୍ମ ଭାବନା କହିଦିଏ ଅନେକ କିଛି। ସଂସାର ଭିତରେ ପାରିବାରିକ ଆନନ୍ଦ ଆଉ କଣ! କେବଳ ଯେ ଭୋଗ୍ୟ ପଦାର୍ଥରେ ଗୃହସ୍ଥର ଆନନ୍ଦ ଲୁଚି ରହିଥାଏ ଭାବିବା ଭୁଲ୍। 


ବୋଉର ସେ ଟ୍ରଙ୍କଟା ବାପାଙ୍କ ବାହାଘର ବେଳେ ଓଳୁଗ ଲୁଗା ଭର୍ତ୍ତି ହେଇ ଆସିଥିଲା। ଆଟାଚିଗୁଡା ଖରାପ ହେଇ ନଷ୍ଟ ହେଇଗଲାଣି। ଏଇ ଟ୍ରଙ୍କଟା କିନ୍ତୁ ରହିଯାଇଛି ବୋଲି ବୋଉ ତାକୁ ଯତ୍ନ ସହିତ ରଖିଛି। ବାପଘର ଜିନିଷ ଦୀର୍ଘସ୍ଥାୟୀ କହିବାରେ ଏକ ଭିନ୍ନ ପ୍ରକାର ଅହଙ୍କାର ଓ ଆତ୍ମଗର୍ବ ଥାଏ ବୋଲି ମୁଁ ମଧ୍ୟ ମୋ ବାହାଘର ପରେ ପରେ ହୃଦବୋଧ କରୁଥିଲି। ବୋଉ କହେ, ବାପା ନିଜେ ପାଖରେ ରହି ଏଇ ଟ୍ରଙ୍କଟା ଗଢାଇଥିଲେ ବୋଲି ଏପର୍ଯ୍ୟନ୍ତ ସେମିତି ଅଛି। ମଜଭୁତ୍ ଟ୍ରଙ୍କ୍ କହି ମୁଁ ପ୍ରଶଂସା କଲେ ବୋଉ ଖୁସି ହେଇଯାଏ। ମୋ ସ୍ତ୍ରୀ ଲୀନା ଯଦି କହେ, ବୋଉ! ସେଇଟା ତ ଲୁହା ଟ୍ରଙ୍କଟା, ସେଇ ଗୋଟିଏ ଜାଗାରେ କୋଡିଏ ବର୍ଷ ହେଲାଣି ଦେଖୁଛି, ଉଠାପକା କିଛି ନାହିଁ, କଳଙ୍କି ଧରୁଧରୁ ରଙ୍ଗ ଦିଆ ହେଉଛି, କଣ ପାଇଁ ଖରାପ ହେବ ଯେ ! ବାସ୍ ଏତିକି ମାତ୍ର କଥାରେ ବୋଉର ହସ ହସ ମୁହଁଟା ମଳିନ ପଡିଆସେ। ବିଷୟ ପ୍ରତି ଥରେ ଆସକ୍ତି ଆସିଗଲେ ତାର ନିନ୍ଦା ଆଉ ସହ୍ୟ ହୁଏନାହିଁ, ଏହା ଆମେ ଜାଣି ମଧ୍ୟ କାହାର ଆବେଗକୁ ବୁଝିବାକୁ ଚେଷ୍ଟା ନକରି ବିରୁଦ୍ଧାତ୍ମକ କଥା କହିଥାଉ। କାରଣ ଆମ ପାଇଁ ଆମ ଯୁକ୍ତି ଆତ୍ମସନ୍ତୋଷ ଦେଇଥାଏ। ଯୋଉ ସ୍ତ୍ରୀକୁ ତା' ବାପ ଘର ଜିନିଷ ପୁରୁଣା ହେଲେ ବି ଭଲ ଲାଗେ, ସେ ଅନ୍ୟ ଏକ ସ୍ତ୍ରୀକୁ ତା' ବାପଘରର ପୁରୁଣା ଜିନିଷ ପ୍ରଶଂସା କରୁଥିବାର ଶୁଣିଲେ ତାକୁ ଅବାନ୍ତର ଲାଗିବା ପରି ମନେହୁଏ। ଏହା ସଂସାରର ଏକ ବୈଚିତ୍ର୍ୟତା ହେଲେ ମଧ୍ୟ ଏହାର ଆନନ୍ଦ ପ୍ରତ୍ୟେକ ପୁରୁଷକୁ ଗ୍ରହଣ କରି ନେବାକୁ ପଡେ।

ବୋଉର ଟ୍ରଙ୍କ ପ୍ରତି ଏତେ ଦୂର୍ବଳତା ଯେ ମୋର ତା'ପାଇଁ ନୂଆ ଆଣିବାର ଇଚ୍ଛାକୁ ମଧ୍ୟ ସେ ମନା କରିଦିଏ। ଆମଘରେ ରଖିବା ପାଇଁ ଅନ୍ୟ ଯାଗା ଥିଲେ ବି ବୋଉ ଆଜି ପର୍ଯ୍ୟନ୍ତ ସେଇ ଟ୍ରଙ୍କରେ ରଖିବାକୁ ପସନ୍ଦ କରେ। ଯୋଉ ଜିନିଷରେ ଯାହାର ଯେତେ ଆଦର ତାର ତା ପ୍ରତି ସେତେ ଆକର୍ଷଣ ଓ ରୂଚି। ଏହା କୌଣସି ବାହ୍ୟ ରୂପ ରଙ୍ଗକୁ ଦେଖେ ନାହିଁ। ଏ କଥାର ସତ୍ୟତା ମୁଁ ବୁଝି ସାରିଥିଲି। 


ବୟସ ଅନୁସାରେ ବୋଉର ସ୍ଵାସ୍ଥ୍ୟ ପାଇଁ ସବୁକାମ ଧିରେ ଧିରେ କମି ଯାଉଥିଲା କିନ୍ତୁ ଟ୍ରଙ୍କରୁ ଶାଲ୍ କମ୍ବଳ ସ୍ୱେଟର ଆଦି କାଢିବା ଶୁଖେଇବା ଓ ତାକୁ ଘଣ୍ଟାଏ ଧରି ଦେଖିବା ଓ ପୁଣି କର୍ପୂର ଦେଇ ରଖିବା ଆଜି ପର୍ଯ୍ୟନ୍ତ ବନ୍ଦ ହେଇନାହିଁ। ମଣିଷର ତୃପ୍ତି ଯେଉଁ ଥିରେ ଥାଏ, ଶରୀରର କ୍ଳାନ୍ତି ତାର କଠିନତାକୁ ଅନୁଭବ କରିପାରେ ନାହିଁ।


ବଢିବଢି ଆମଘରେ ଯେତେ ଶୀତ ପୋଷାକ ଜମା ହେଲାଣି ପୁରୁଣା ପ୍ରତି ଆମ ଆଦର କମି କମି ଯାଉଥିଲା। ତଥାପି ବୋଉ ପୁରୁଣାକୁ କାଢି ପୁଣି ରଖିବାରେ ଅଦ୍ଭୁତ ଆନନ୍ଦ ପାଏ। ବାସ୍ତବିକ ମଣିଷର ଆଗ୍ରହ ଆଗରେ ତାର ବୋଝ ଛୋଟ ପଡିଯାଏ। କାରଣ ସେଥିରେ ତାର ଜୀବନର ସବୁ ସ୍ମୃତି, ସବୁ ସ୍ୱାଦ ବନ୍ଧା ହୋଇଥାଏ। 

ମୋର ଛୁଆ ବେଳର ସ୍ୱେଟର ଠାରୁ ଆରମ୍ଭ କରି ବାପାଙ୍କର ସାଲ ପର୍ଯ୍ୟନ୍ତ ସବୁ ସାଇତା ହେଇଛି। 

ବୋଉର ବେଶି ନଜର ବାପାଙ୍କ ଶାଲରେ ଓ ବାପା ତାକୁ ଉପହାର ଭାବେ ଦେଇଥିବା ସବୁଜ ରଙ୍ଗର ଫୁଳପକା ଶାଲରେ ଥାଏ। ସେଇ ଦୁଇଟି ଶାଲ୍ ଭିତରେ ଯେମିତି ତାର ସବୁ କିଛି ଦେଖେ। ବାପା ଚାଲିଗଲା ପରଠାରୁ ତାଙ୍କ ଶାଲ୍ କାହାକୁ ଘୋଡି ହେବାକୁ ଦିଆ ହେଇନାହିଁ। ଏଇ ମାନସିକତାକୁ କେବଳ ଜଣେ ଅନୁଭବି ବୁଝିପାରିବ ବୋଲି ମୁଁ ଭାବେ। ବୋଉର ଏଇ ଆଚରଣ କାହାକୁ ଭଲ ଲାଗୁ କି ନଲାଗୁ, ସ୍ନେହ ସମ୍ପର୍କରେ ବନ୍ଧାଥିବା ସମ୍ପର୍କ ସବୁ କାରଣରୁ ଉର୍ଦ୍ଧ୍ୱରେ। ଏଥିପାଇଁ କୌଣସି ପ୍ରଶ୍ନ କରାଯାଇ ନପାରେ। ମଣିଷକୁ ଯୋଉଠି ସ୍ନେହ ସମ୍ମାନ ଠିକ୍ ରେ ମିଳୁନି ସେଠି ତାର ବ୍ୟବହୃତ ବସ୍ତ୍ରକୁ ଯେ ଏତେ ସମ୍ମାନ ଦିଆ ଯାଇପାରୁଛି, ଏତିକି ମାତ୍ର ହିଁ ସବୁ ପ୍ରଶ୍ନବାଚୀର ଉତ୍ତର। 

 

ଆଜି ସମସ୍ତେ ନିଜ ସଂସାର କରିସାରିଲା ପରେ ବି ବୋଉ ସେ ଶୀତବସ୍ତ୍ର ସବୁ ସାଇତି ରଖିଛି, ସତେ ଯେମିତି ତା ଭିତରେ ସେ ତାର ଦୁଃଖ ସୁଖ ଭରା ଅତୀତକୁ ଦେଖିପାରେ। 

ବାପାଙ୍କର ରଫୁକରା ଧଳାଶାଲ ଦେଖିଲେ ବିସ୍ମୟ ଲାଗେ। ଏତେ ରଫୁ ଯେ କାହାକୁ ଦେଲେ ମଧ୍ୟ କେହି ଘୋଡି ହେବେନାହିଁ। ଏପର୍ଯ୍ୟନ୍ତ ସେମିତି ଥୁଆ ହେଇଛି। ସେଇ ଧଳାଶାଲ୍ ଭିତରେ ବାପାଙ୍କ ଅସ୍ତିତ୍ୱକୁ ସତେ ଯେମିତି ବୋଉ ପାଉଥାଏ। କେତେ ନିବିଡତା ଥିଲେ, ମଣିଷ ଏ ଅନୁଭବ କରିପାରେ ଅନ୍ୟଥା ମଣିଷ ତାକୁ ବୁଝିବ କେମିତି! ମୁଁ ଥରେଅଧେ ସେ ଶାଲକୁ ଧରି ଗୁଡେଇ ହେଇଛି, ଗନ୍ଧ କର୍ପୂରର ବାସନା ଛଡା ଆଉକିଛି ପାଇନାହିଁ। ପୁଅ କେମିତି ପାଇବି ବୋଉର ସେ ନିବିଡତା। ଆମେ କେବଳ ଅଙ୍କ କଷିବାରେ ଲାଗିପଡୁ, ବାପା ଆମ ପାଇଁ କଣ କରିଛନ୍ତି। ଅଜାଣତରେ ଆମେ ଏଇ ସ୍ୱାର୍ଥପରତାକୁ ଆମ ପରଜମାନଙ୍କୁ ଦେଇ ଚାଲୁ ଓ ବାର୍ଦ୍ଧକ୍ୟ ଆସିଲେ କହୁ ସଂସାର କେତେ ବଦଳି ଗଲାଣି।


ବୋଉକୁ ଥରେ ଏଇ ସାଲ୍ କଥା ପଚାରିବାରୁ ସେ ନୀରବ ରହିଗଲା। ତା'ପରେ କିନ୍ତୁ ହସିଦେଇ କହିଲା, ସ୍ମୃତି କଣ କେବେ କାହାକୁ ଭାବିଦେଇ ରଖିହୁଏ, ଏହା ବର୍ଷବର୍ଷର ଗଢା ଯାଇଥିବା ସମ୍ପର୍କରୁ ଆସେ। ଏହାର ମହକ ସମସ୍ତଙ୍କୁ ଛୁଇଁପାରେ ନାହିଁ। ଆମେ ସାଧନାରେ ଶରୀର ଶୁଦ୍ଧି କଲା ପରି ଏଥିରେ ନିଜର ଭାବନାକୁ ଶୁଦ୍ଧ କରିବାକୁ ପଡେ। ବୋଉର ଦର୍ଶନରେ ମୁଁ ଅଭିଭୂତ ହୋଇ ଆଉ କିଛି କହି ପାରିଲି ନାହିଁ। 

ବାପାଙ୍କ ଶାଲ ପରେ ବୋଉର ଶାଲ୍ ମଧ୍ୟ ସେୟା। ସେଇ ଶାଲକୁ ସେ କେବେ ଘୋଡେଇ ହେବାର ଆମେ ଦେଖିନୁ। କିନ୍ତୁ ପ୍ରତି ଥର ବାପାଙ୍କ ଶାଲ ଦେଖିସାରି ଏଇ ଶାଲଟି ନିଶ୍ଚିତ କଢାହେବ ଓ ସେ ଶାଲଟିକୁ କୁଣ୍ଢାଇ ଧରି ଲୁଚି ଲୁଚି ଦି'ଠୋପା ଲୁହ ଢାଳିବ। ତାପରେ ଭାଙ୍ଗି ଚଉତି ପୁଣି ରଖିଦେବ। ଏଇ ଶାଲଟି ବାପାଙ୍କ ମୃତ୍ୟୁ ହେବାର କିଛି ଦିନ ପୂର୍ବରୁ ବାପା ବୋଉକୁ ଉପହାର ଦେଇଥିଲେ। ସେଥିପାଇଁ ବୋଧହୁଏ ତାର ଏ ଭାବପ୍ରବଣତା।


ବାପାଙ୍କର ରୋଜଗାର କମ୍ ବୋଲି ସେ ନିଜ ପାଇଁ କେବେ ଶାଲ କିଣି ନଥିଲେ। ପଚାରିଲେ କହିବେ ଆଜିକାଲି ଶୀତ କଣ ଆଗପରି ହେଉଛି, କଂକ୍ରିଟ ସହରରେ ପରା ସଦାବେଳେ ଗରମ। ଯୋଉ ଶୀତ ଅନ୍ୟମାନଙ୍କୁ ହୁଏ, ସେଇ ଶୀତ ବାପାଙ୍କୁ କେମିତି ଅନୁଭବ ହେବନି, ଏ କଥାର ଗୁଢାର୍ଥ, ମୁଁ ସେତେବେଳେ ବୁଝି ପାରୁନଥିଲି। 

ଯେକୌଣସି ଚିରା ପୁରୁଣା ଶାଲଟେ ଦେହରେ ସେ ପକେଇବେ ପଛେ ଭଲ ସାଲଟେ କିଣିବେ ନାହିଁ। ବାପା ଯେ ନିଜର କମ୍ ଆୟ ପାଇଁ ସେଥିରେ ଧ୍ୟାନ ଦେଉନଥିଲେ ସେଇଟା ଆମେ ଜାଣି ପାରୁନଥିଲୁ। ସେଥିପାଇଁ ବୋଉ ଏହି ଶାଲଟା କେମିତି କେମିତି ପଇସା ଏକାଠି କରି ବାପାଙ୍କ ପାଇଁ ନିଜେ କିଣି ଆଣିଥିଲା। କାଶ୍ମିରୀ ଶାଲଟା ବାପାଙ୍କୁ ଭଲ ମଧ୍ୟ ମାନୁଥିଲା। ଶୀତ ଆରମ୍ଭ ହେବା ମାତ୍ରେ ବାପାଙ୍କ ଦେହରେ ସେଇ ଶାଲଟି ପଡିରହେ। ଠାଏ ଠାଏ ଚିରିଗଲାରୁ ଶାଲଟି ରଫୁ ହେଇଥିଲା। ତଥାପି ଶାଲରୁ ଆଗ୍ରହ ବାପାଙ୍କର ଯାଇ ନଥିଲା। 

ବୋଉ ଯେତେବେଳେ ମୋତେ ଏକଥା କହୁଥିଲା, କାନ୍ଦି ପକାଇଲା। ମୁଁ ଭାବିଲି, ବୋଧହୁଏ ବାପା ବହୁତ ମନେ ପଡିଲେ ସେଥିପାଇଁ କାନ୍ଦୁଛି। ମୁଁ ନିଜକୁ ସମ୍ଭାଳି ନପାରି କହିଲି, ବୋଉ ଏଥିପାଇଁ କଣ କାନ୍ଦୁଛୁ ଯେ !

ବୋଉ ଆଖିରୁ ଲୁହ ପୋଛି କହିଲା - ଏଥିପାଇଁ କାନ୍ଦୁନିରେ। 

- ତାହେଲେ ! କଣ ପାଇଁ କାନ୍ଦୁଛୁ ! 

ବୋଉ କହିଲା -ଥରେ ନେପାଳୀମାନେ ଆମ ଗାଁକୁ ଆସିଥିଲେ। ତୋ' ବାପା ମୋତେ କହିଲେ ଚାଲ ଯିବା, ତମ ପାଇଁ ଗୋଟିଏ ଭଲ ସାଲ୍ ଆଣିବା। 

ତୋ ବାପା ସେଇ ସାଲଟା ବାରମ୍ବାର ପିନ୍ଧୁଥିବାରୁ ମୋତେ ଭଲ ଲାଗୁନଥିଲା। ତାଙ୍କୁ ଟିକିଏ ଚିଡେଇ କହିଲେ ସେ ନିଜ ପାଇଁ ଆଉ ଗୋଟେ ଭଲ ସାଲ୍ କିଣିବେ ବୋଲି ମୁଁ ମିଛରେ କହିଦେଲି ଯେ ତମର ଭଲ ସାଲ ନଥିଲା ବୋଲି ପରା ମୋ ବାପଘର ଟଙ୍କା ପଠାଇଲାରୁ ଏଇ ସାଲ ଘୋଡେଇ ହେଉଛ, ତମେ ମୋ ପାଇଁ କଣ ସାଲ ଆଣିବ! ବରଂ ଚାଲ ନିଜ ପାଇଁ ଆଉ ଗୋଟେ ଆଣିବ। ମୁଁ ତମ ଚିରା ଶାଲଟା ଘୋଡେଇ ହେଇଯିବି।

ବାସ ଏତିକି କଥା ତାଙ୍କର ସମଗ୍ର ମାନସିକତାକୁ ପରିବର୍ତ୍ତନ କରିଦେଲା। ଏଇ ସାମାନ୍ୟ କଥାରେ ଏତେ ସ୍ୱାଭିମାନି ହେବେ ବୋଲି ମୁଁ କଳ୍ପନା କରି ନଥିଲି।ସେ ଆଉ ନେପାଳିଙ୍କ ପାଖକୁ ଗଲେ ନାହିଁ।

ସେହି ଦିନରୁ ସେ ତାଙ୍କ ସବୁ ଖର୍ଚ୍ଚରୁ କିଛି କିଛି କାଟି ରଖିବାକୁ ଲାଗିଲେ। ମୋ ଅଜାଣତରେ ଏଇ କଥା ପଦେ ତାଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଥିଲା। 

ଏ ଘଟଣା ଘଟିବାର ଠିକ ପର ବର୍ଷ ଶୀତ ବେଳକୁ ସେ ମୋ ପାଇଁ ତାଙ୍କ ସଞ୍ଚିତ ଟଙ୍କାରେ ଏ କାଶ୍ମୀର ସାଲଟା ଆଣି ଦେଇଥିଲେ। କିନ୍ତୁ ଅତ୍ୟଧିକ ଚିନ୍ତା କାରଣରୁ ଡାଇଵେଟିସ ହଠାତ ବଢିଗଲା ଓ କିଛି ଦିନ ପରେ ହୃଦଘାତ ହେଲା। ତାଙ୍କର ଚିନ୍ତା ବୋଲି କେବେ କିଛି ନଥିଲା। ସେ ସ୍ୱଳ୍ପ ଆୟରେ ବି ଖୁସି ଥିଲେ। ହସଖୁସିର ମଣିଷକୁ ମୋ କଥା ଯେ ଏମିତି କରେଇ ଦେବ ମୁଁ କେବେ ଭାବି ନଥିଲି। ସେଥିପାଇଁ ସେ ଶାଲରେ ଘୋଡି ହେବାକୁ ଚେଷ୍ଟାକଲେ ବି ମୁଁ ଘୋଡେଇ ହେଇ ପାରେନାହିଁ। ମୁଁ କେମିତି ସେ ସାଲ ଦି'ଟା ଛାଡ଼ି ପାରିବି କହ। ତୋ ବାପାର ଆତ୍ମା ଯେ ସେଥିରେ ଅଛି। 

ମୋ ଆଖିରୁ ବି ସେତେବେଳେ ଲୁହ ବୋହିବା ଆରମ୍ଭ ହେଇ ସାରିଥିଲା। ବାସ୍ତଵରେ ଭାବନା ଯୋଉଠି ଭାଗିରଥି ପରି ପ୍ରବହମାନ ସେଠି ଭାବ ପ୍ରବଣତା ଆସିବା ସ୍ଵାଭାବିକ। ଯାହାର ସେଇ ଭାବନାର ସ୍ରୋତ ନାହିଁ ସେ ବା ବୁଝିବ କୋଉଠୁ। ଆମେ ବୁଝି ପାରୁନଥିଲୁ ବୋଲି ପ୍ରଥମେ ସେମିତି ଲାଗୁଥିଲା । ଏବେ ବି ବୋଉ ଯେତେବେଳେ ସେହି ଶାଲ ଦୁଇଟା କାଢେ ଆମ ଆଖିରୁ ଆପେ ଆପେ ଦୁଇ ଟୋପା ଲୁହ ଝରି ଆସେ। 


Rate this content
Log in