Barsha rani Nanda

Others Children

3  

Barsha rani Nanda

Others Children

ସେଇ ନୀଳ ଜାମା

ସେଇ ନୀଳ ଜାମା

5 mins
154


ଆଜି ବି ମନେ ଅଛି ମୋର ନୀଳ ଜାମା କଥା।କେତେ ଜିଦି ନକରିଛି ମୁଁ ସେଇ ନୀଳ ଫ୍ରକ୍ ଟା ପାଇଁ।ବାପା ମତେ ବହୁତ ଭଲ ପାଆନ୍ତି ତେଣୁ ମତେ ଘଡ଼ିଏ ତାଙ୍କ ଆଖି ସାମ୍ନାରୁ ଛାଡନ୍ତିନି।ଯଦିଓ ମୁଁ କେଉଁଠି ଖେଳୁଥାଏ କି କଣ କରୁଥାଏ ତାହେଲେ ମତେ ନଦେଖି ଘରଟା ତାଙ୍କ ପାଟିରେ କମ୍ପି ଉଠେ। ଝିଅ ଝିଅ ଝିଅ ଏତେ ଜୋରରେ ଡାକନ୍ତି ମୁଁ ଯେଉଁଠି ବି ଥାଏ ନା କାହିଁକି ଦୌଡି ଦୌଡି ଘରକୁ ଆସେ‌। ବାପା ବାହାରକୁ ଗଲା ମାନେ ନିଶ୍ଚିତ ମୋ ମନ ପସନ୍ଦ ଜିନିଷ କିଛି ନେଇକି ଆସିଥାନ୍ତି।ବାପା ଘରକୁ ଫେରିଲା ମାତ୍ରେ ମୁଁ ଦୌଡ଼ି ଯାଇ ବାପାଙ୍କ ହାତରୁ ବ୍ୟାଗ୍ ଟା ନେଇ ଆସେ ଆଉ ବାପା ଖୁସିରେ ମତେ କାଖେଇ ଧରନ୍ତି ଆଉ ବୋଉ କୁ କୁହନ୍ତି ଦେଖ ମିତା ଝିଅ ହେବ ତ ମୋ ଝିଅ ପରି। ଯେମିତି କୁହନ୍ତିନି ବାପା ଆସୁ ଆସୁ ତାଙ୍କ ହାତରୁ ବ୍ୟାଗ ନେଇ ପାଣି ଗ୍ଲାସ୍ ଟେ ଯିଏ ଦିଏ ସେଇଟା ହେଲା ଝିଅ।ଆଉ ମୋ ଝିଅ ବି ଠିକ୍ ସେମିତି।ମୋ ଝିଅ ପରା ସେଥିପାଇଁ ମତେ ବହୁତ ଭଲ ପାଏ।ସତ କଥା କହିବାକୁ ଗଲେ ଘରେ ମୁଁ ସାନ ଝିଅ। ବୋଉ କୁହେ ଯେତେବେଳେ ବଡ଼ ଭାଇ ଜନ୍ମ ହେଲା ବାପା ସବୁବେଳେ କହୁଥିଲେ ମୋ ଘରକୁ ଲକ୍ଷ୍ମୀ ଆସିବେ ଦେଖୁଥାଅ ମୋର ଝିଅ ହିଁ ହେବ ଆଉ ସେଥିପାଇଁ ସିଏ କୁଆଡେ ନାଁ ବି ବାଛି ସାରିଥିଲେ‌।କିନ୍ତୁ ଭାଇ ଜନ୍ମ ହେଲା।ଭାଇ ଜନ୍ମ ର ୩ ବର୍ଷ ପରେ ମୋର ଜନ୍ମ। କିନ୍ତୁ ଏଥର ବାପା ଭାବିଥିଲେ ପୁଣି ତାଙ୍କର ପୁଅ ଟେ ଆସିବ କିନ୍ତୁ ଚମକେଇ ଦେଲା ଭଳି ମୁଁ ଜନ୍ମ ହେଲି।ବାପା ମୋ ମୁହଁକୁ ଦେଖି କୁଆଡେ ବହୁତ ଖୁସି ଥିଲେ। ମୋ ଏକୋଇଶିଆ ଦିନ ସତ୍ୟ ନାରାୟଣ ପୂଜା ,ଷୋଳ ପାଲା କରି ପିଠା ମିଠା ବାଣ୍ଟି ଭୋଜି ର ଆୟୋଜନ ମଧ୍ୟ କରିଥିଲେ।ଖୁସି ରେ ମୋ ନାଁ ରଖିଥିଲେ ଅମୃତା। ବାପା ମତେ ଘଡ଼ିଏ କୁଆଡେ ଛାଡନ୍ତିନି।ଆଖିର ପଲକ କରି ରଖିଲେ। ସବୁବେଳେ ବୋଉ କୁହେ ଝିଅ କୁ ଏତେ ଗେଲ କଲେ ଭଲ ନୁହଁ କ'ଣ ପାଇଁ ତାକୁ ମୁଣ୍ଡରେ ବସେଇଛ। ମୁଁ ବି ତା ମା ମୁଁ ବି ତାକୁ ଭଲପାଏ କିନ୍ତୁ ଝିଅ କୁ ଏତେ ଗେଲ କଲେ ସିଏ ସରଳ ହେଇ ରହିଯିବ, ଟିକିଏ ଦୁଃଖ ପଡ଼ିଲେ ସେ ସମ୍ଭାଳି ପାରିବନି। ଝିଅ କୁ ପାଣି ଭଳି ନୁହେଁ ପଥର ଭଳି କର ସିଏ ଯେମିତି ସବୁ ପରିସ୍ଥିତି କୁ ସାମ୍ନା କରି ପାରିବ। କିନ୍ତୁ ବାପା ସବୁବେଳେ ମୋ ବିରୁଦ୍ଧରେ ଯିଏ ଯାହା କହିଲେ ଏ କାନରେ ଶୁଣି ସେ କାନରେ ବାହାର କରିଦେବେ ଆଉ ମତେ କୁଣ୍ଢେଇ ଧରି କରିବେ ମୋ ଝିଅ କୁ ଦୁଃଖ ପଡ଼ିଲେ ତା ସାମ୍ନାରେ ମୁଁ ଠିଆ ହେବି। ସବୁ ଖୁସି ମୁଁ ତା ହାତରେ ଆଣିକି ଧରେଇ ଦେବି। ବୋଉ ଗାଳି କରିଦିଏ ସିନା ମତେ କିନ୍ତୁ ବାପା ଙ୍କର ଏମିତି ଭଲ ପାଇବା ଦେଖି ସିଏ ବହୁତ ଖୁସି ହୁଏ।ଧିରେ ଧିରେ ମୁଁ ବୋଉ ର ପଣତ ତଳେ ଆଉ ବାପା ଙ୍କ ଅସରନ୍ତି ଭଲପାଇବା ଭିତରେ ବଡ଼ ହେବାରେ ଲାଗିଲି। ଝିଅ ର ବ୍ୟବହାର ଦେଖିଲେ ଜଣାପଡେ ବାପା ମା କେତେ ସଂସ୍କାରି ତେଣୁ ବୋଉ ମତେ ଉଚିତ୍ ସଂସ୍କାର ଦେବାରେ କେବେ ହେଳା କରିନି।ଭୁଲ୍ କାମ କଲେ ବିପଦ ଠିକ୍ କାମ କଲେ ସୁରକ୍ଷିତ। କେଉଁଟା ନ୍ୟାୟ ,ଅନ୍ୟାୟ ସବୁକିଛି ଶିଖାଏ ସମୟ ପାଇଲେ ପୁରାଣ ର ପ୍ରତ୍ୟେକ ବିଷୟ ବସ୍ତୁ ଆମ ଭାଇ ଭଉଣୀ ଙ୍କ ଆଗରେ ଉପସ୍ଥାପନ କରେ। ହେଲେ ବି ମୁଁ ଟିକେ ଜିଦିଆ ଏଇଟା ଖାଇବିନି ମାନେ ଖାଇବିନି ସେଠିକି ଯିବିନି ମାନେ ଯିବିନି। ବୋଉ ଯେତେ ବି ବୁଝାଏ ଝିଅ ମାନେ ଜିଦି କଲେ ଭଲ ନୁହଁ ମୁଁ ଶୁଣେନି।ବାପା ଙ୍କୁ ବି ଗାଳି ଶୁଣିବା ପାଇଁ ପଡ଼େ ମୋ ପାଇଁ ତୁମପାଇଁ ଝିଅ ପିଲା ଟା ସିଏ ଏତେ ଜିଦି କରୁଛି ବୋଲି ବୋଉ ବାପାଙ୍କୁ ଗାଳି କରେ‌।ଏବେ ବି ମୋର ମନେ ଅଛି ବାପା ଙ୍କ ର ସାଇକେଲ ରେ ବସି କେତେ ବୁଲିଛି ମୁଁ। ସାଇକେଲ ପେଡାଲ୍ ମାରି ମାରି ବାପା ମତେ ଆଗ ଆଡେ ବସେଇ ବହୁତ ବୁଲାନ୍ତି। କେବେ ଶୁଣିନି ମୁଁ ତାଙ୍କ ଗୋଡ଼ ଦରଜ ହେବା କଥା।ସତରେ ବାପା ମାନଙ୍କ ର ବହୁତ ଧର୍ଯ୍ୟ ସେଇଟା ଏବେ ବଡ଼ ହେବାପରେ ଅନୁଭବ କରେ।ଆମ ଗାଁ ରେ ସପ୍ତାହରେ ଦିନଟେ ହାଟ ବସେ ଆଉ ବାପା ମତେ ସବୁ ପାଳି ହାଟକୁ ନେଇକି ଯାଆନ୍ତି।ସେଠି ଶିଳ,ନୋଳ, ମାଠିଆ ଠୁ ଆରମ୍ଭ କରି ଦୁନିଆ ଯାକର ଜିନିଷ ବିକ୍ରି ହୁଏ ଏବେ ବୋଧେ ସେମିତି ଜିନିଷ ଆଉ ଆସୁନି। ବାପା କୁହନ୍ତି କ'ଣ ଖାଇବୁ ମା କହ ମୁଁ ଯାହା ଇଛା ଖାଏ ଯାହା ଇଛା ଘରକୁ ନେଇକି ଆସେ।ସେଥର ବି ବାପା ମତେ ନେଇ ହାଟକୁ ଯାଇଥାନ୍ତି।ମତେ କାଖ କରି ହାଟ ସାରା ବୁଲଉଥାନ୍ତି ଗୋଟେ ହାତରେ ପରିବା ବ୍ୟାଗ୍ ଆଉ ଆର ହାତକୁ ମୁଁ ଧରିଥାଏ।ସେଥର କାହିଁକି କେଜାଣି ମୁଁ ଖାଇଲିନି। କାହିଁକି ନା ମୋ ଆଖି ଥିଲା ଆଉ ଗୋଟେ ଜାଗାରେ। ଜଣେ ଲୁଗା ଦୋକାନୀ ସାମ୍ନାରେ କେତୋଟି ଫ୍ରକ୍ ଟାଙ୍ଗି ଥାଆନ୍ତି ସେଇ ଭିତରୁ ଗୋଟିଏ ଫ୍ରକ୍ ମତେ ବହୁତ ଭଲ ଲାଗୁଥିଲା। ଫ୍ରକ୍ ରେ ହାତୀକାନ ଭଳି ହାତ ଲାଗିଥାଏ ତଳ ସାରା କୁଞ୍ଚ ହେଇଥାଏ ଗାଢ ନୀଳ ରଙ୍ଗର ଡ୍ରେସ୍ ତା ଉପରୁ ମୋ ଆଖି ହଟୁ ନଥାଏ। କିନ୍ତୁ ବାପା ଙ୍କୁ ବି କହି ପାରୁ ନଥାଏ।ତାପରେ ଆମେ ପଳେଇ ଆସିଲୁ ଘରକୁ।ଘରକୁ ଆସିକି ବୋଉ ଆଗରେ ଜିଦି କରିକି କାନ୍ଦିଲି ମୋର ସେଇ ଡ୍ରେସ୍ ଦରକାର ବୋଉ ଯେତେ ବୁଝେଇଲେ ବି ମୁଁ ବୁଝିବା ପାଇଁ ନାରାଜ।ସେଦିନ ବାପା ଙ୍କ ପାଖେ ପଇସା ବି ନଥାଏ କିନ୍ତୁ ମୋ କାନ୍ଦ ଦେଖିକି ବାପା କେମିତି କେଉଁଠୁ ପଇସା ଆଣି ମୋ ପାଇଁ ସେ ଡ୍ରେସ୍ ଆଣିବେ ବୋଧେ ଭାବୁ ଥାଆନ୍ତି। ବୋଉ ସେଦିନ ଭାଇ ର କୁଣ୍ଡି କୁ ଭାଙ୍ଗି ବାପା ଙ୍କୁ ପଇସା ସବୁ ଦେଇଥିଲା ବାପା ସାଙ୍ଗେ ସାଙ୍ଗେ ସାଇକେଲ ରେ ମତେ ନେଇ ହାଟକୁ ଗଲେ ଭାଗ୍ୟ ବଶତଃ ଡ୍ରେସ୍ ଟି କେହି ନେଇ ନଥିଲେ ସିନା ଦୋକାନୀ ଯେତିକି କହିଲା ବାପା ଙ୍କ ପାଖରେ ସେତିକି ପଇସା ନଥିଲା।ଦୋକାନୀ କୁ ଡ୍ରେସ୍ ର ଦାମ୍ ପଚାରିବା ରୁ ସେ ୨୦୦ ଟଙ୍କା କହିଲା।ବାପା ଙ୍କ ପାଖରେ ଶହେ ଟି ଟଙ୍କା ମାତ୍ର ଅଛି କ'ଣ ବା କରିବେ ମୁଁ ବି ଏତେ ଜିଦିଆ ତାକୁ ଆଣିଲେ ହିଁ ମୋ ମନ ଶାନ୍ତି ହେବ। ବାପା ଜଣେ ଆଦର୍ଶ ଶିକ୍ଷକ ଭାବରେ ଆମ ଆଖପାଖ କେତେ ଖଣ୍ଡ ଗାଁରେ ବେଶ୍ ପରିଚିତ, ବାପାଙ୍କ ର ବହୁତ ଖାତିର କରନ୍ତି ସମସ୍ତେ କାହିଁକି ନା ଯେଉଁ ଛୁଆ ସ୍କୁଲ ଦିନେ ଆସୁ ନଥିଲା ତା ଘରକୁ ଯାଇ ପଚାରି ବୁଝୁଥିଲେ ଆଉ ତା ବାପା ମା ଙ୍କୁ ତାଗିଦ୍ କରି ଦେଇ ଆସୁଥିଲେ ଛୁଆକୁ ସ୍କୁଲ ପଠେଇବା ପାଇଁ। କେତେ କେତେ ଛୁଆଙ୍କୁ ସେ ଶିକ୍ଷା ଦେଇ ମଣିଷ କରିଛନ୍ତି। ପୁଣି ସେ ଜଣେ ଭଲ ଶିକ୍ଷକ ଭାବରେ ବେଶ୍ ପରିଚିତ ସେଇ ଲୁଗା ଦୋକାନୀଟି ବାପାଙ୍କ ଛାତ୍ର ତେଣୁ ବାପାଙ୍କ ଠୁ ଶହେ ଟଙ୍କା ଟି ନେଇ ଡ୍ରେସ୍ ଟା ଦେଇ ଦେଲା‌।ଡ୍ରେସ୍ ଟା ପାଇଗଲା ପରେ ମୋ ଖୁସି କହିଲେ ନ ସରେ।ଚାତକ ମେଘକୁ ଦେଖି ଯେମିତି ନାଚେ ମୋର ମନେ ଅଛି ମୁଁ ଡ୍ରେସ୍ ଟା ପିନ୍ଧି ବହୁତ ନାଚିଛି ସେଦିନ ଖୁସିରେ।ସତେକି ସ୍ଵର୍ଗ ଟାକୁ ଆଣି ବାପା ମୋ ହାତ ମୁଠାରେ ଦେଇ ଦେଇଛନ୍ତି ସେମିତି ଅନୁଭବ ହେଉଥାଏ ମତେ। ସେତେବେଳେ ଯଦି ମୋ ସାମ୍ନାରେ କେହି ଲେଖକ ହେଉ ବା କବି ଟେ ଥାଆନ୍ତେ ତାହେଲେ ସିଏ ମୋ ଖୁସିକୁ ଦେଖି କରିଥିବା ବର୍ଣ୍ଣନା ରେ ନିଶ୍ଚୟ ବହୁତ ଭଲ ଆୱାର୍ଡ଼ ଟେ ପାଇଥାନ୍ତେ।ସେଇ ଡ୍ରେସ୍ ଟି ପିନ୍ଧିଲା ପରେ ବାପା ମତେ ବହୁତ୍ ଗେଲ କରିଥିଲେ। ସେଇ କଥା ପଦକ ଏବେବି ମନେ ଅଛି ବାପା ବୋଉକୁ ଡାକି କହିଲେ ଦେଖ ମିତା ମୋ ଝିଅ ପରୀ ରାଇଜର ପରୀ ଭଳି ଦିଶୁଛି ନୁହଁ।

ସେଇ ନୀଳ ଜାମା ସବୁବେଳେ ମୋ ମନରେ ସ୍ବତନ୍ତ୍ର ସ୍ଥାନରେ ରହିଛି ଓ ରହିବ ମଧ୍ୟ ଜୀବନ ଥିବା ଯାଏ କାହିଁକି ନା ସେଇ ଡ୍ରେସ୍ ଟା ପାଇଁ ସେଦିନ ଯେତେ ଅଡ଼ୁଆରେ ପକେଇ ଦେଇଥିଲି ବାପାଙ୍କୁ ସେଇ କଥା ସବୁ ବେଳେ ଅପାସୋରା ହୋଇ ରହିବ।ତାର ଆକାର,ରଙ୍ଗ ଏବେ ବି ମୋ ମନରେ ଛବି ଟିଏ ହୋଇ ଛାପି ହୋଇ ରହି ଯାଇଛି।

ମୁଁ ଏବେ ଭାବେ କାହିଁକି ଏମିତି ଜିଦି କରିକି ବାପା ବୋଉ ଙ୍କୁ ସବୁବେଳେ ଅଡ଼ୁଆରେ ପକଉ ଥିଲି। ସେମାନେ ବି ଏତେ ଭଲ ପାଉ ଥିଲେ ଯେ ସ୍ଵର୍ଗ ରୁ ଚାନ୍ଦ ଆଣିବା ପାଇଁ ହାତ ବଢଉ ଥିଲେ।ବାପା ମା ସତରେ ଏତେ ଭଲପାଆନ୍ତି ନିଜ ଛୁଆକୁ।



Rate this content
Log in