ସେହି ଗୋଟିଏ ରାତି
ସେହି ଗୋଟିଏ ରାତି
ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି ' । ସାନବେଳେ ଏକଥାଟା ଅନେକ ସମୟରେ ମୁଁ ଆମ ସାହିତ୍ୟ ସାର୍ ଙ୍କର ମୁହଁରୁ ଶୁଣିଛି । ହେଲେ ଏହାଭିତରର ମରମକଥାଟା ମୁଁ ବିବାହ କରିସାରିଲାପରେ ହୃଦୟଙ୍ଗମ କଲି । ପିଲାବେଳରଏପରି ଅନେକ ଉତ୍କଣ୍ଠାରେ ପୂର୍ଣ୍ଣଚ୍ଛେଦ ଆଣିଛି ସମୟ ଆଉ ଅଭିଜ୍ଞତା । ଏଇ ଯେମିତି ସେତେବେଳେ ବିଜ୍ଞାନ ସାର୍ କହୁଥିଲେ ଚିଙ୍ଗୁଡି କଙ୍କଡା ପରି ଅନେକ ଜୀବ ଅଛନ୍ତି ଯେଉଁମାନେ ସମୟକ୍ରମେ ନିଜ ଦେହର ପୁରୁଣା ଖୋଳପା ଛାଡି ପୁଣି ନୂଆ ଖୋଳପା ଧାରଣ କରନ୍ତି । ଏବେ ମୁଁ ବୁଝିପାରୁଛି ଆମ ଭିତରେ ମଧ୍ୟ ବୟସର ପ୍ରତ୍ୟେକଟି ସୋପାନରେ ନୂତନ ଚିନ୍ତାଧାରା ଆଉ ଅଭିଜ୍ଞତାର ପୁନଃଜନ୍ମ ହୁଏ । ପୁରୁଣା ଚିନ୍ତାଧାରା ଆଉ ଅଭିଜ୍ଞତାର ଏକ ଅଦୃଶ୍ୟ ଆସ୍ତରଣଟା ଧିରେଧିରେ ଆମଭିତରୁ ଅପସରିଯାଏ । ଯେତେବେଳେ କଥା ଉଠେ ଚିନ୍ତାଧାରା ଆଉ ଅଭିଜ୍ଞତାର ସେତେବେଳେ ଜୀବନର କିଛି ପୁରୁଣା ପୃଷ୍ଠା ଆପେଆପେ ଖୋଲିଯାଏ ସ୍ମୃତିର ସେ ଅଦୃଶ୍ୟ ଦୃଶ୍ୟପଟରେ । ଜୀବନଯେ କେତେବେଳେ ଆମ ଚିନ୍ତାଧାରାରେ ଏକ ନୂତନ ମୋଡଟିଏ ଆଣିଦେବ ତାହା କହିବା ମୁସ୍କିଲ୍ । ତେବେ ବିଗତ ଦିନର ଅଭିଜ୍ଞତାଟିଏ କହୁଛି । ଆଜିକାଲି ଆମ ସମାଜରେ ଯୌଥପରିବାର ତାର ଅନ୍ତିମ ପର୍ଯ୍ୟାୟରେ ଉପନୀତ । ମୋର କିନ୍ତୁ ପ୍ରଚେଷ୍ଟା ଏହି ଅନ୍ତିମ ପର୍ଯ୍ୟାୟର ଯେପରି ଶୀଘ୍ର ଅନ୍ତ ନଘଟୁ ।
ଆଠଜଣକୁ ନେଇ ମୋର ପରିବାର । ଅନ୍ୟକିଛି ସଦସ୍ୟ ଏହି ଆଠଜଣଙ୍କ ଆଖପାଖରେ ଛନ୍ଦାଛନ୍ଦି । ଏସମସ୍ତଙ୍କୁ ନେଇ ଜୀବନର ବାଟଟା ଚାଲୁଚାଲୁ ଅନେକ ତିକ୍ତ ଆଉ ମଧୂର ଅନୁଭୂତିକୁ ମୁଁ ସାଉଁଟିଥାଏ । ଅନେକ ସମୟରେ ତିକ୍ତ ଅନୁଭୂତି ପାଇଁ କଷ୍ଟହୁଏ କିନ୍ତୁ ତାହାର ଗୋଟିଏ ସୁନ୍ଦର ଉପହାର ମୋତେ ଭବିଷ୍ୟତରେ ଅପେକ୍ଷା କରିଥାଏ । ଯେପରି ତିକ୍ତ ସ୍ବାଦ ମୁଖପାଇଁ ଅରୁଚି ହୋଇପାରେ କିନ୍ତୁ ଶରୀର ପାଇଁ ମଙ୍ଗଳକାରୀ । ଠିକ୍ ସେହିପରି ସମ୍ପର୍କର ତିକ୍ତତାକୁ ଆପଣାଇ ନେଲେ ଜୀବନ ଟା ମଧ୍ୟ ମଧୂମୟ ହୋଇଯାଏ । ସେଦିନ କୌଣସି ଏକ ଘଟଣାକୁ ନେଇ ଘରେ ସୃଷ୍ଟି ହୋଇଗଲା ମହାଭାରତ । ଘରଠାରୁ ଶହେ କିଲୋମିଟର ଦୂରରେ ରହି ମୁଁ ଘଟଣାର ସମାଧାନ ପାଇଁ ଅସମର୍ଥ ହୋଇପଡିଲି । ମୋର ବୁଝାଇବାର ସମସ୍ତ ପ୍ରୟାସ ବ୍ୟର୍ଥ ହୋଇଗଲା । କଥାକଣକି କୌଣସି ଏକ କାରଣକୁ ନେଇ ବାପାମୋର ରାଗିଯାଇଥିଲେ । ସକାଳୁ ସେ ଖାଇନଥିଲେ । ମୋର ସହଧର୍ମିଣୀଙ୍କର ବାପାଙ୍କୁ ବୁଝାଇବାର ସମସ୍ତ ପ୍ରୟାସ ବୃଥାହେଲା । ଘରର ଅଶାନ୍ତ ବାତାବରଣକୁ ଶାନ୍ତ କରିବାର ସମସ୍ତ ପ୍ରୟାସ ଯେତେବେଳେ ବୃଥାହୁଏ ସେତେବେଳେ ମୋ ସହଧର୍ମିଣୀ ମୋର ସାହାଯ୍ୟ ଲୋଡିଥାନ୍ତି । ସେଥିପାଇଁ ଏଘଟଣାଟା ମୁଁ ଜାଣୁଜାଣୁ ଅପରାହ୍ନ ଚାରିଟା ପାଖାପାଖି ହୋଇସାରିଥାଏ । ଘଟଣାଟା ଜାଣିଲାପରେ ମୁଁ ବୁଝାଇବାକୁ ସମସ୍ତ ପ୍ରୟାସ ଜାରିରଖିଲି । ଭାବିଥିଲି କୌଣସି ନା କୌଣସି ଉପାୟରେ ବୁଝାଇଦେବି ବାପାଙ୍କୁ । ମୁଁ ଜାଣେ ବୟସର ଅପରାହ୍ନରେ ମନଟା ବେଳେବେଳେ ଛୋଟଛୋଟ କଥାରେ ଏହିପରି ଜିଦିଆ ଆଉ ଅବୁଝା ହୋଇଯାଏ । ତେବେ ଏସବୁ ଭିତରେ ମୋର ଚିନ୍ତାର ପ୍ରମୁଖ କାରଣଟା ଥିଲା ବାପା ମୋର ସକାଳୁ ଖାଇନାହାନ୍ତି; ପୁଣି ପ୍ରେସର ମେଡିସିନ ମଧ୍ୟ ଖାଉନଥାନ୍ତି । ଏହାଭିତରେ ରାତି ସାଢେ ଏଗାରଟା ହୋଇସାରିଥିଲା । ମୁଁ ମୋର ଶେଷ ଚେଷ୍ଟା ସ୍ବରୂପ ବାପାଙ୍କୁ କହିଲି " ଦେଖ ବାପା ! ଯଦି ତୁମେ ଖାଦ୍ୟଖାଇ ପ୍ରେସର ଟ୍ୟାବଲେଟଟା ନଖାଅ ତାହାହେଲେ ମୁଁ ଏବେ ବାଇକ୍ ଧରି ଘରକୁ ଯିବି " । ବାପା ମଧ୍ୟ ରାଗରେ କହିଦେଲେ " ନା ନା ମୁଁ ଆଜି ଖାଇବି ନାହିଁ " । ଏଥର କିନ୍ତୁ ମୋର ଧୈର୍ଯ୍ୟଚ୍ୟୁତି ହୋଇସାରିଥିଲା । ତୁରନ୍ତ ସେହି ରାତିରେ ମୁଁ ଘରକୁ ଯିବାକୁ ବାହାରିଲି । ମା ମୋର ଫୋନ କଲ୍ କରିକହିଲେ " ପାଗଳାଟା କିରେ ! ଏତେ ରାତିରେ କଣ ପାଇଁ ଆସିବୁ । ସିଏ କାଲି ଠିକ୍ ହୋଇଯିବେ " । ମୋର ଆଉ ମା' ଙ୍କର କଥା ଶୁଣିବାକୁ ଧୈର୍ଯ୍ୟ ନଥିଲା । ଫୋନ୍ କୁ କାଟିଦେଇ ସେହି ଅନ୍ଧାର ରାତିରେ ଆଗପଛ କିଛି ଚିନ୍ତାନକରି ଘରକୁ ବାଇକ୍ ନେଇ ବାହାରିଗଲି ।
ମୋର କର୍ମସ୍ଥାନ ଠାରୁ ଘରକୁ ଯିବାରାସ୍ତାଟା ଶୂନ୍ଶାନ୍ ଆଉ ଜଙ୍ଗଲିଆ । ସେହି ଶୂନ୍ଶାନ୍ ରାସ୍ତାରେ ମୁଁ ଏକୁଟିଆ ବାଇକ୍ ଛୁଟାଇ ଚାଲିଥାଏ । ରାସ୍ତାରେ ବୋଧହୁଏ ମୋଛଡା ଆଉ ଯଦି କେହି ଥିଲେ ସେମାନେ ହେଲେ ମୋ ବାଇକ୍ ର ଶବ୍ଦ ଓ ଲାଇଟ୍ ସେପାଖର ଅନ୍ଧକାରର ନିର୍ଜନତା । ସେଦିନ ମୁଁ ଅନୁଭବ କଲି ଜୀବନର କିଛି ନୂତନତ୍ବ । ଅନୁଭବ ନିର୍ଜନତାର , ଅନୁଭବ ଭୟମିଶା ସାହସିକତାର , ଅନୁଭବ ନିର୍ଜନ ଜ୍ୟୋତ୍ସା ରାତ୍ରିରେ ଏକାନ୍ତ ଭ୍ରମଣର ଆଉ ଅନୁଭବ ଭୟ ରାଗ ଅଭିମାନ ତଥା ଅଶ୍ରୁର ଫେଣ୍ଟାଫେଣ୍ଟି ମାନସିକ ଅବସ୍ଥାରେ ବାଇକ୍ ଚଲାଇବାର । ତେବେ ଏହାଭିତରେ ଅନେକଥର ମୋ ମୋବାଇଲକୁ ମା ଓ ସହଧର୍ମିଣୀ ବ୍ୟସ୍ତହୋଇ ଫୋନ୍ କରିଚାଲିଥାଆନ୍ତି । ପାଖାପାଖି ପନ୍ଦର ସତର କିଲୋମିଟର ଗଲାପରେ ମୁଁ ରାସ୍ତାକଡରେ ଗୋଟିଏ ଜାଗାରେ ଛିଡାହୋଇ ଫୋନଟିକୁ ପ୍ରଥମେ କାଟିଦେଲି । ଏହାପରେ ଦେଖିଲି ମିସ୍ କଲ୍ ଭିତରେ ବାପାଙ୍କର ମୋବାଇଲରୁ ଆସିଥାଏ କିଛି କଲ୍ । ଏଥର ପୁଣି କଲ୍ ହେବାରୁ ମୁଁ କଲ୍ ଟିକୁ ରିସିଭ୍ କଲି । ସେପଟରୁ କାନ୍ଦକାନ୍ଦ କଣ୍ଠରେ ସହଧର୍ମିଣୀ କହୁଥାନ୍ତି " ବାପା ଖାଇସାରିଲେଣି । ମେଡିସିନ୍ ମଧ୍ୟ ଖାଇଦେଇଛନ୍ତି । ତୁମେ ଆଉ ଏତେ ରାତିରେ ଏକୁଟିଆ ଆସନାହିଁ । ନହେଲେ ମୁଁ ବି ଏକୁଟିଆ ସ୍କୁଟିଧରି ରାତିରେ ତୁମ ପାଖକୁ ବାହାରିଯିବି " । ତାଙ୍କ କଥାଶୁଣି ମୁଁ କହିଲି " ନା ମୋର ଫେରିବା ସମ୍ଭବ ନୁହେଁ । ବହୁତ ବାଟ ଚାଲିଆସିଲିଣି " । ଏହାଶୁଣି ସିଏ କହିଲେ " ନା ନା ଦୟାକରି ତୁମେ ଆସନାହିଁ । ତୁମକୁ ମୋ ରାଣ ଅଛି " । ଏତିକିବେଳେ ସେପଟରୁ ବାପା ବ୍ୟସ୍ତ ହୋଇକହୁଥିବାର ଶୁଣିଲି " ବାପାରେ ! ମୁଁ ଖାଇଦେଇଛି । ତୁ ଫେରିଯା । ଆଉ ଏତେ ରାତିରେ ଆସେନାରେ " । ବାପାଙ୍କର କଥାଶୁଣି ମୋ ଅଶାନ୍ତ ମନଟା ଟିକିଏ ଶାନ୍ତ ହୋଇଗଲା । କିଛି ସମୟ ସେମାନଙ୍କ କଥା ଶୁଣିବାପରେ କହିଲି " ହେଉ ମୁଁ ଫେରିଯାଉଛି । କିନ୍ତୁ ଏଭଳି ଛୋଟ ଛୋଟ କଥାରେ ଆଉ ଯେମିତି କେହି ଝଗଡା ନକର " । ଏହାପରେ ମୁଁ ପୁଣି ସେହିରାତିରେ ନିଜ କ୍ବାଟରକୁ ଫେରିଆସିଲି ଆଉ ଫେରିବା ସମୟରେ ଅନୁଭବ କରୁଥିଲି ଯିବା ଓ ଫେରିବା ବେଳର ମାନସିକ ସ୍ଥିତି ମଧ୍ୟରେଥିବା ପାର୍ଥକ୍ୟକୁ ।
ରାତିପାହି ସକାଳ ହେଲା । ଆଉ ଏହାସହ ସମସ୍ୟାର ସମାଧାନ ମଧ୍ୟ ହୋଇସାରିଥିଲା । ଏହି ଘଟଣାଟା ଘଟିବାର କିଛିଦିନପରେ ଯେତେବେଳେ ସବୁକିଛି ସାମାନ୍ୟ ହୋଇଗଲା ସେତେବେଳେ ମୋସହ ଏକ ମଧୁର ମୂହୁର୍ତ୍ତରେ ସହଧର୍ମିଣୀ ମୋତେ ପ୍ରଶ୍ନକଲେ " କେମିତି ଏତେ ରାତିରେ ସେଦିନ ତୁମେ ବାଇକ୍ ନେଇ ବାହାରିଆସିଲ ? ସକାଳୁ ମଧ୍ୟ ଆସିପାରିଥାଆନ୍ତ "? ଏକଥା ଶୁଣି ମୁଁ ଟିକିଏ ହସିଦେଇ କହିଲି " ବୁଝିଲ ଲୀନା ! ଏ ସମୟଟା କାହାରିକୁ ଅପେକ୍ଷା କରେନି । ଆଉ ଜାଣିଛ ଏଜୀବନଟାବି ସବୁବେଳେ ଗୋଟେ ବାହାନା ଖୋଜୁଥାଏ । କିଏ ଜାଣେ ସେଦିନ ସାରାଦିନର ଟେନସନ୍ ପୁଣି ମେଡିସିନ ନଖାଇବାଟା ଯଦି କିଛି ଅଘଟଣର କାରଣ ହୋଇପଡିଥାନ୍ତା ! ତେବେ କଣ କହି ମୁଁ ମୋ ମନଟାକୁ ଆଶ୍ବାସନା ଦେଇଥାନ୍ତି ! କେମିତି ଦର୍ପଣ ଆଗରେ ଛିଡା ହୋଇ ଗୋଟିଏ ପୁଅସହ ଆଖିରେ ଆଖି ମିଶାଇ ଚାହିଁଥାଆନ୍ତି ! ମୁଁ ଅଣନିଶ୍ବାସୀ ହୋଇଯାଇଥାନ୍ତି ଲୀନା । ଆଉ ଯଦି ବାପାଙ୍କ ଜାଗାରେ ଆମ ପୁଅର କିଛି ହୋଇଥାଆନ୍ତା ତେବେବି କଣ ମୁଁ ଅପେକ୍ଷା କରିଥାଆନ୍ତି ସକାଳର ସୂର୍ଯ୍ୟୋଦୟକୁ ! ଅପେକ୍ଷା କରିଥାଆନ୍ତି କିଛି ଗୋଟାଏ ଅଘଟଣ ଘଟିବାର ନିର୍ଦ୍ଧାରିତ ସମୟକୁ " ! " ବାସ୍ ବାସ୍ ଆଉ ଅଧିକ କିଛି କୁହନାହିଁ । ଆଉ କିଏ ଚିହ୍ନୁ କି ନଚିହ୍ନୁ ମୁଁ କିନ୍ତୁ ତୁମକୁ ଚିହ୍ନିଛି । ହେଲେ ମୋର ଏତିକି କହିବା କଥା ଯେ ସେଦିନ ରାତି ଯେତେବେଳେ ତୁମେ ବାଇକରେ ଆସୁଥିଲ ସେତେବେଳେ ମୋ କଥା କି ଆମ ପୁଅକଥା ଟିକିଏବି ଭାବିପାରିଲନି ! ଟିକିଏବି ଚିନ୍ତା କଲନାହିଁ ତୁମର ଯଦି କିଛିହୋଇଯିବ କେମିତି ବଞ୍ଚିବା ମା ପୁଅ ଆମେ ଦୁହେଁ ? ମୋ ଜାଗାରେ ଛିଡ଼ା ହୋଇ ଭାବିଛ କେବେ ସେହି ଗୋଟିଏ ରାତିର ଯନ୍ତ୍ରଣା । କଣ ଲାଭ ମିଳିଲା ତୁମକୁ ଆମ ଦୁଇ ଜଣଙ୍କୁ ଏତେ କଷ୍ଟଦେଇ " ? ଠିକ୍ ସେତିକିବେଳେ ଆମର ପାଞ୍ଚ ବର୍ଷର ପୁଅଟା ନିଦୁଆ ଆଖିକୁ ଦଳିଦଳି ଆମ ରୁମ୍ ଭିତରକୁ ପଶିଆସିଲା । ମୋତେ ଦେଖିଦେଇ ପୁଣି ଚାଲିଗଲା ଶୋଇବାକୁ ତା ଜେଜେବାପାଙ୍କ ପାଖରେ । ଏକଥାରେ ସହଧର୍ମିଣୀ ହସିଦେଇ ମୋତେ କହିଲେ " ଜାଣିଛ ! ସେହିଦିନ ରାତିରେ ମୋ କାନ୍ଦଦେଖି ତାର କଣ ହୋଇଛି କେଜାଣି ତାପରଠାରୁ ସିଏ ରାତିରେ ମୋ ପାଖରେ ଶୋଉଛି । କିଛିଦିନ ଆଗରୁ ହଠାତ୍ ରାତିରେ ଉଠିପଡି ମା'ଙ୍କୁ କହୁଛି 'ଏହେ ରାତି ହୋଇଗଲାଣି । ମୁଁ ଜେଜେ ପାଖରେ ଶୋଇଛି ଯେ । ମୁଁ ମାମା ରୁମକୁ ଯାଏଁ । ମାମା ସେଘରେ ଏକୁଟିଆ ଶୋଇଥିବେ '। ଜାଣିଛ ! ସିଏ ଯେଉଁ ସୁକୁମାର ପିଲା । ସିଏ ବାପାଙ୍କର ଏସି ରୁମ୍ ରେ ନଶୋଇ ଆସି ମୋସହିତ ଏଇଠି ଫେନତଳେ ଶୋଉଛି । ମା ପଚାରିଲାରୁ କହିଲା 'ବାପା କହିଛନ୍ତି ମାମାକୁ ଏକୁଟିଆ ଶୋଇବାକୁ ଡରମାଡିବ । ଜଗିଥିବୁ । ସେଇଥିପାଇଁ ମାମାକୁ ରାତିରେ ଜଗୁଛି '। ବୋଧହୁଏ ଆଜି ତୁମକୁ ଦେଖି ପୁଣି ତା ଜେଜେ ପାଖକୁ ଶୋଇବାକୁ ଚାଲିଗଲା " କହି ମୋ ଆଡକୁ ଚାହିଁରହିଲେ ମୋ ସହଧର୍ମିଣୀ । ଏକଥା ଶୁଣି ମୁଁ ଧୀରେଧୀରେ ତାଙ୍କୁ କହିଲି "ଲାଭ କଥା ପଚାରୁଥିଲ ପରା । ଦେଖିଲତ ! ଏହାଭିତରେ ଆମର ପାଞ୍ଚ ବର୍ଷର ପୁଅଟା କେତେ ବଡ଼ ହୋଇଗଲାଣି ! ବାଳୁତମନର ମାନସିକତାଟା କେମିତି ଦାୟିତ୍ବବୋଧର ପଚାଶ ବର୍ଷର ଅଭିଜ୍ଞତା ପାଇସାରିଲାଣି ! ସେହି ଗୋଟିଏ ରାତି ପାଇଁ ତୁମ ମନରେ ମୋ ପାଇଁ ଅନେକ ଅଭିଯୋଗ ଅଛି ନା ! ହେଲେ ଥରଟିଏ କେବେ ଭାବିଛ ଦାଯିତ୍ବବୋଧର ଯେଉଁ ବିରାଟ ଅଧ୍ୟାୟଟା ଶିଖିବାକୁ ଲୋକଙ୍କ ଜୀବନ ବିତିଯାଉଛି; ତାହାକୁ କେମିତି ଏଜୀବନଟା ସେହି ଗୋଟିଏ ରାତିରେ ହିଁ ତାକୁ ଶିଖାଇଦେଲା " !