ସ୍ଵଭାବ
ସ୍ଵଭାବ
ସେଦିନ ପ୍ରଭୁ ରାମ ଓ ରାବଣଙ୍କ ମହା ସମର ପରେ ଯେବେ ହନୁମାନ ମାତା ସୀତାଙ୍କୁ ପଚାରନ୍ତି, "ମାତା ଏଇମାନେ ଆପଣଙ୍କୁ ବହୁତ କଷ୍ଟ ଦେଇଛନ୍ତି ନା, ଯେତେ ବେଳେ ପ୍ରଥମେ ଆପଣଙ୍କୁ ଭେଟିଲି , ସେବେ ମୁଁ କିଛି କରି ପାରିନଥିଲି, ଏବେ କୁହନ୍ତୁ ମୁଁ ସମସ୍ତ ଙ୍କୁ ଉଚିତ୍ ଶିକ୍ଷା ଦେବି, ଖାଲି ଆଦେଶ କରନ୍ତୁ" ! ମାତା କହନ୍ତି, " ମୁଁ ସେମାନଙ୍କୁ ଓ ସମସ୍ତଙ୍କୁ ସେହି କ୍ଷଣି ହିଁ କ୍ଷମା କରି ଦେଇଥିଲି"!
ହନୁମାନ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। ତେଣୁ ସୀତା ମାତା ତାଙ୍କୁ ଗୋଟିଏ ଗପ କହନ୍ତି। ଜଣେ ଶିକାରୀ ବାଘକୁ ଶିକାର କରିବାକୁ ଯାଇ ଏମିତି ଏକ ପରିସ୍ଥିତିରେ ପଡ଼ିଲା, ନିଜେ ବାଘ ହାବୁଡ଼ରେ ପଡ଼ିଗଲା, ନିଜକୁ ବଞ୍ଚାଇବା ପାଇଁ ପାଖରେ ଥିବା ଗଛକୁ ଚଢ଼ି ଗଲା, କିନ୍ତୁ ସେ ଗଛରେ ଆଗରୁ ଭାଲୁଟିଏ ଶୋଇଥିଲା। ଏବେ ବାଘଟି ଶିକାରୀକୁ କହିଲା ମୋତେ ଖୁବ୍ ଭୋକ, ତୁମ ଦୁହିଁଙ୍କ ଭିତରୁ ଜଣଙ୍କୁ ଖାଇବି, ତେଣୁ ତୁ ଆସ ନଚେତ୍ ଭାଲୁକୁ ଠେଲି ଦେ । ଶିକାରୀ ରାଜି ହୋଇ ଭାଲୁକୁ ଠେଲିବା ପାଇଁ ଚେଷ୍ଟା କଲା, କିନ୍ତୁ ଭାଲୁ ଅତ୍ୟନ୍ତ କୁଶଳତା ସହ ଉପରକୁ ଚଢ଼ିଗଲା, ଶିକାରୀ ପାରିଲାନି।
ଏବେ ବାଘଟି ଭାଲୁ କୁ କହିଲା, "ତା ହେଲେ ତୁ ଶିକାରୀକୁ ମୋତେ ଦେଇଦେ, ତାକୁ ଖାଇ ମୁଁ ଏଠୁ ଚାଲିଯିବି"। ଭାଲୁ କିନ୍ତୁ ତାକୁ କହିଲା, "ଏହା କେବେ ସମ୍ଭବ ନହେଁ, ସେ ମୋର ଅତିଥି, ମୋ ଶରଣରେ ଆସିଚି, ତୁମେ ଏଠୁ ଚାଲିଯାଅ!! ବାଘ ଚକିତ ହୋଇ କହିଲା," କି କଥା ଟିକେ ସମୟ ପୁର୍ବରୁ ସେ ତୁମକୁ ଆକ୍ରମଣ କରିଲା କିନ୍ତୁ ତୁମେ ତାକୁ ପ୍ରତିଶୋଧ ନ ନେଇ ଏମିତି କହୁଚ"?
ଭାଲୁଟି ଉତ୍ତର ଦେଲା, "ତାର ସ୍ଵଭାବ ସେ ପରି, ତେଣୁ ସେ ସେମିତି କଲା, କିନ୍ତୁ ମୁଁ ତା ପାଇଁ ମୋ ସ୍ଵଭାବକୁ କାହିଁକି ବଦଳେଇ ମୋର କର୍ମ ଖରାପ କରିବି" !!
ବାଘଟି ସେଦିନ ସେଠାରୁ ଫେରି ଯାଇଥିଲା।
ମାତା ସୀତା ପୁଣି କହିଲେ, ଯଦି ସାମାନ୍ୟ ପଶୁଟି ଏମିତି କରିପାରିଲା, ତେବେ ଆମେ ତ ମନୁଷ୍ୟ। କେବେ ବି ଅନ୍ୟର ବ୍ୟବହାର ପାଇଁ ନିଜର ସ୍ଵଭାବ ଓ ନିଜର ଦିବ୍ୟତାକୁ ପରିବର୍ତ୍ତନ କରିବା ଉଚିତ ନୁହଁ "।
ହନୁମାନ ସେଦିନ ମାତାଙ୍କ କଥାରେ ନତ ମସ୍ତକ ହୋଇଯାଇଥିଲେ।