ସୌଭାଗ୍ୟବତୀ
ସୌଭାଗ୍ୟବତୀ
ଲେଖା ଯୋଖା ଭାଉଜମାନେ ବି କୁହନ୍ତି , " କୋଉ ରାଜକୁମାର ନିଶ୍ଚୟ ଆସିବେ ଆମ ଅତସୀ ପାଇଁ । ତାଙ୍କ ପ୍ରେମରେ ଏମିତି ବାନ୍ଧି ରଖିବେ ଯେ ଅତସୀ ଆମକୁ ପୁରା ଭୁଲି ଯିବେ ।'"
ଏସବୁ ଶୁଣି ଲଜ୍ଜାରେ ଲାଲ ପଡ଼ି ଯାଉଥିଲା ଅତସୀ । କାନ ମୁଣ୍ଡ ଗରମ ହୋଇ ଉଠୁଥିଲା । ତାକୁ ଯେ ଏସବୁ ଭଲ ଲାଗୁନଥିଲା ଶୁଣିବାକୁ ସେକଥା ନୁହେଁ , କିନ୍ତୁ 'ଜାଇ'ଟି ଯୋଗୁ ତାକୁ ଏତେ ପ୍ରେମିଳ ଜୀବନ ମିଳିବ ସେଇ କଥା ଟି ଦ୍ବନ୍ଦ୍ୱ ରେ ପକାଉଥିଲା ।
ଆଗାମୀ ଦିନର କାଳ୍ପନିକ ସୁନେଲି ଭବିଷ୍ୟତର ଭାବନାରେ କିଛି ସମୟ ପାଇଁ ହଜି ଯାଉଥିଲା ଅତସୀ ।ମନେ ମନେ ବୁଣୁଥିଲା ଅଦେଖା ଯୁଗ୍ମ ଜୀବନର ରଙ୍ଗୀନ ସ୍ୱପ୍ନ ସବୁ ତା ମନର ସଫେଦ କାଗଜରେ ।
କେଜାଣି ସେ ଦିନ କେବେ ଆସିବ ???????
କଲେଜରେ ପାଦ ଦେବାର ପ୍ରଥମ ଦିନରୁ କେତେ ହାଏ, ହାଲୋ ,ସ୍ଵିଟ୍ ହାର୍ଟ ଶୁଣି ଶୁଣି ନିଜ ଉପରେ ଟିକେ ଗର୍ବ ବି ଆସୁଥିଲା ମନରେ ।
ସିଏ କାହାର ହେବ ଏ ନେଇ ଅନେକ ଛକା ପଞ୍ଝା ଆଉ ବାଜି ମଧ୍ୟ ଲାଗି ସାରି ଥିଲା କଲେଜର ପୁଅଙ୍କ ଭିତରୁ ।କିନ୍ତୁ ସେ ଏସବୁଠୁ ନିଜକୁ ଦୁରରେ ରଖିଥିଲା । ନମ୍ରତାର ସହ ପ୍ରତ୍ୟାଖ୍ୟାନ କରୁଥିଲା ବନ୍ଧୁତ୍ୱର ହାତ ବଢ଼େଇ ।
ତାର ଏଇ ଗୁଣ କିଛିଙ୍କୁ ଆପଣାର କଲାବେଳେ ଆଉ କିଛି ଜଳୁଥିଲେ ସୁପ୍ତ ଆଗ୍ନେୟଗିରି ପରି ।
ଏଇ ହଁ , ନାହିଁ ସବୁ ପ୍ରଶ୍ନର ପୂର୍ଣ୍ଣଛେଦ ପକାଇ ହଠାତ ବିବାହ ପ୍ରସ୍ତାବ ଆସି ପହଞ୍ଚିଥିଲା ଅତସୀ ପାଇଁ । ଅତନୁ ସୌମ୍ୟ ଦର୍ଶନ ଯୁବକଟିଏ । ଉଚ୍ଚ ପଦବୀରେ କାର୍ଯ୍ୟରତ ।ପ୍ରଥମ ଦେଖାରେ ପସନ୍ଦ କରି ନେଇଥିଲେ ଉଭୟ ଉଭୟଙ୍କୁ ।
ଖୁବ ଶୀଘ୍ର ବିବାହର ତାରିଖ ମଧ୍ୟ ସ୍ଥିର ହୋଇ ଯାଇଥିଲା ।
ଆଃ !!!! ସେ ଦିନ ସବୁ କେତେ ସୁନ୍ଦର ଥିଲା ........
ପ୍ରତ୍ୟେକ ଦିନ ଫୋନ ରେ କଥା ନହେଲେ ପାଗଳୀଙ୍କ ପରି ହୋଇଉଠୁଥିଲା ସେ । ଅତନୁଙ୍କର ମିଠା ମିଠା ପ୍ରେମାଳାପ ର ସମ୍ମୋହନ ଓ କଳ୍ପନା ର ତାଜମହଲ ଗଢ଼ିବାରେ ମସଗୁଲ ଅତସୀ ଅନେକବାର ଦର୍ପଣ ସମ୍ମୁଖରେ ବସିରହି ନିଜକୁ ଦେଖିବାରେ ବ୍ୟସ୍ତ ରହୁଥିଲା ।
ସବୁ ଶ୍ରେୟ ଏଇ କଳା ଜାଇଟିର । ତା ସୌଭାଗ୍ୟର ଚିହ୍ନ ...............
ଆଈମା ର କଥା ସତ ହେବାକୁ ଯାଉଥିଲା । ସ୍ୱାମୀ ସଂସାରର ପରିପୂର୍ଣ୍ଣ ଚିତ୍ରଟି ଦିନକୁ ଦିନ ସ୍ପଷ୍ଟ ହୋଇ ଉଠୁଥିଲା ।ବିବାହ ପରବର୍ତ୍ତୀ ଅନେକ ଯୋଜନା କରିସରିଥିଲେ ଦୁହେଁ ।