ସାଉଁଟିଥିବା ସମୟ
ସାଉଁଟିଥିବା ସମୟ
ତା .27/3/2020, ଶୁକ୍ରବାର
ଲକ୍ ଡାଉନ ...ତୃତୀୟ ଦିବସ
ଡିଅର ଡାଏରୀ,
ଲକ୍ ଡାଉନ ହୋଇ ଘର ଭିତରେ ରହିବା ତିନି ଦିନ ବିତିଗଲା । ନିଜ ଘର ଲୋକ ଙ୍କ ଛଡା ଆଉ କାହା ସହ ଭେଟଘାଟ ନାହିଁ । ଇଏ ବି ଜୀବନ । ଜୀବନ କାଳ ଭିତରେ ବଞ୍ଚିଥିଲେ କଣ ନ ଦେଖିବ । ଚାରିଆଡେ ସୁନସାନ । ନୀରବତା ର ରାଜୁତି । ଫେସ ବୁକ୍ ,ହ୍ବାଟସ ଏପ୍ ,ଟିଭି ଦେଖି ବାହ୍ଯ ଜଗତ ବିଷୟରେ ଭଲ ମନ୍ଦ, ସତ ମିଛ ଖବର କିଛି ମିଳୁଛି । ଆଗକୁ କଣ ହେବ କେହି ଜାଣିନି । ଆଜି ମୋର ବନ୍ଧୁ ଶାନ୍ତନୁ , ଯିଏ ଆମ ସୋସାଇଟି ରେ ରୁହନ୍ତି, ତାଙ୍କ ସହ ଫୋନରେ କଥା ହେଇ ତାଙ୍କ ଭଲ ମନ୍ଦ ଜାଣିବାର ଇଚ୍ଛା ନେଇ ଫୋନ ଲଗାଇଲି । ସକାଳୁ ମର୍ଣିଂ ୱାକରେ ଗଲା ବେଳେ ତାଙ୍କ ସହ ମୋର ସମୟ ଭଲ କଟିଯାଏ। ଏଇ ଲକ୍ ଡାଉନ ପାଇଁ ,ପୁଣି କରୋନା ଭୟ ଯୋଗୁଁ ବହୁତ ଦିନ ହେଲା ଦେଖା ହୋଇନି ତାଙ୍କ ସହ । ସେପଟୁ ଶାନ୍ତନୁ ଙ୍କ ହେଲୋ କହିବା ଶୁଣି ମୁଁ ପଚାରିଲି, " ଆଉ କଣ ଖବର ବନ୍ଧୁ ?କେମିତି କଟୁଛି ଦିନ? ଏବେ ତ ଲେଖା ଲେଖି ଭଲଭାବରେ କରି ପାରୁଥିବ ? " ବନ୍ଧୁ ମୋର ଜଣେ ଭଲ ଲେଖକ ମଧ୍ଯ। ଭଲ ଲେଖା ଲେଖି କରନ୍ତି । ସେପଟୁ ଶାନ୍ତନୁ କହୁଥାନ୍ତି," ହଁ ଭାଇ, ଲେଖା ଲେଖି ତ ଚାଲିଛି ହେଲେ ଘରେ ରହି ପରିବାର ସାଂଗରେ ସମୟ କଟାଇବାର ସୁଯୋଗ କୁ ବି ଉପଭୋଗ କରୁଛି । ମୋ ସ୍ତ୍ରୀ ଓ ଛୁଆମାନେ ବି ଖୁସି ।ଅନ୍ଯ ସମୟ ରେ ଅଫିସ ର ବ୍ଯସ୍ତତା ଭିତରେ ଘର, ପରିବାର ପ୍ରତି ଏତେଟା ନଜର ଦେଇ ହେଉ ନ ଥିଲା । ଜାଣି ପାରୁ ନ ଥିଲେ ଯେ, ଘର ଭିତରେ ବି ଏତେ ଗୁଡାଏ କାମ ଥାଏ କରିବାକୁ । ସତରେ ସ୍ତ୍ରୀ ମାନେ ଘରେ ରହି କିଛି କମ କାମ କରୁ ନାହାନ୍ତି ।" ଏତିକି ଶୁଣି ମୁଁ ଥଟ୍ଟା କରି ତାଙ୍କୁ କହିଲି , " କଣ ଭାଉ
ଜଙ୍କୁ ଏବେ ରେଷ୍ଟ ଦେଇ , ନିଜେ ଘର କାମରେ ପୁରା ବ୍ଯସ୍ତ ଅଛନ୍ତି , ନୁହେଁ ? ଭଲ କଥା ।" " ହଁ, ପୁରା ଆରାମ ତ ଦେଇ ହେଉନି କିନ୍ତୁ ଆମେ ସମସ୍ତେ ମିଶି କିଛି ନା କିଛି ସାହାଯ୍ଯ ନିଶ୍ଚିତ କରୁଛୁ । ସେ ବି ଖୁସି । କହୁଛି , ଏମିତି ଲକ୍ ଡାଉନ ଆଉ କିଛି ଦିନ ଚାଲନ୍ତା କି । ଆମ ଘରଣୀ ମାନଙ୍କୁ ନିଜର ବୋଲି ଏମିତି କିଛି ସମୟ ମିଳନ୍ତା । ସତରେ ବନ୍ଧୁ , ପରିବାର ସହ ସମୟ ବିତାଇବାକୁ ବା ପରସ୍ପର କୁ ଜାଣିବା , ବୁଝିବା ପାଇଁ ସମୟ କାହିଁ ମିଳୁଛି ?" ମୁଁ ବି ବନ୍ଧୁଙ୍କ କଥାରେ ସହମତ ହେଲି । ସତରେ ଯେତେବେଳେ ଏମିତି ସୁଯୋଗ ମିଳିଛି ନିଜ ପରିବାର ସହ ସମୟ କଟାଇବାକୁ, ତାକୁ ପୂର୍ଣ୍ଣ ରୂପରେ ଉପଭୋଗ କରିବା କଥା । ଦୁନିଆ ର ଗତି କେତେବେଳେ କୁଆଡେ ଯିବ ଠିକ୍ ନାହିଁ । " ବୈକୁଣ୍ଠ ସମାନ ଆହା ସେଇ ଘର..."ଏଇ ପଂକ୍ତି ଟି ମୋର ମନେ ପଡି ଯାଉଥାଏ । ସନ୍ଧ୍ଯା ର ଅସ୍ତରାଗ ସାରା ଆକାଶ କୁ ରଂଗୀନ କରି ଦେଇଥାଏ । ପତ୍ନୀ ସୁଜାତା ଚା ନେଇ ଆସିଲେ ମୋ ପାଖକୁ। ଆଜି ତାଙ୍କ ହାତ ଧରି ମୋ ପାଖ ଚେୟାର ରେ ତାଙ୍କୁ ବସାଇ , ଚା କପ୍ ଟି ତାଙ୍କୁ ଧରାଇ କହିଲି, " ବସ ମୋ ପାଖରେ। କାମ ତ ହେଉଥିବ । ସମୟ ମିଳେନି ତୁମ ସହିତ କଥା ପଦେ ହେବା ପାଇଁ । ଆଜି ମୋ ପାଖରେ ବସ। ସାଂଗ ହୋଇ ଏଇ ବାଲକୋନି ରେ ବସି ଚା ପିଇବା ଆଉ ସନ୍ଧ୍ଯା କୁ ଉପଭୋଗ କରିବା ।" ସୁଜାତା ଧୀରେ ହସି ଚା କପ ଟି ନେଇ ପାଖରେ ବସିଲେ । ଦୁହେଁ ସେଇ ସୁନ୍ଦର ମୁହୁର୍ତ୍ତ କୁ ନିଜ ଭିତରେ ସାଉଁଟି ନେଇ ମନ ଭିତରେ ସାଇତି ରଖିବାକୁ ଚେଷ୍ଟା କଲୁଁ। ସନ୍ଧ୍ଯା ର ସ୍ତୀମିତ ସୂର୍ଯ୍ୟ ପ୍ରତିଚୀ ଭାଲେ ଧୀରେ ଧୀରେ ଅସ୍ତ ହେଉଥାନ୍ତି । ଚଢେଇ ଟି ସେମିତି ସବୁଦିନ ପରି ଚିତ୍କାର କରି , ବୋଧହୁଏ ସେ ବି ତା ସାଥୀ କୁ ପାଖକୁ ଡାକୁଥାଏ ।