STORYMIRROR

ଡ.ସୁରେଶ ଚନ୍ଦ୍ର ବରାଡ଼

Others

4  

ଡ.ସୁରେଶ ଚନ୍ଦ୍ର ବରାଡ଼

Others

ସାତ ଜନ୍ମର ସାଥି

ସାତ ଜନ୍ମର ସାଥି

2 mins
5


ଚାଲିଛନ୍ତି ଦୁଇ ଜଣ। ଆଗରେ ବୁଢ଼ାଟିଏ ପଛରେ ବୁଢ଼ୀଟିଏ। ଦୁହିଁ ହାତରେ ବଙ୍କୁଲୀ ବାଡ଼ି। ବୁଢ଼ାର ବୟସ ଅଶିରୁ ଅଧିକ ହେବ। ବୁଢ଼ୀର ବୟସ ପଞ୍ଚସ୍ତରୀ ପାଖାପାଖି। ବୁଢ଼ା ପିନ୍ଧିଛି ଗାମୁଛା ଖଣ୍ଡେ। ଆଖିକୁ ଠିକ୍ରେ ଦିଶୁନି ନ ଥିବା ସାଙ୍ଗକୁ ମାନସିକ ଅବସ୍ଥା ଠିକ୍ ନ ଥିବା ପରି ଜଣା ପଡ଼ୁଛି। ମଝିରେ ମଝିରେ କିଳିକିଳା ରଡ଼ି ପରି ରଡ଼ି ଛାଡ଼ୁଛି ପୁଣି ଚାଲୁଛି ଧିରେ ଧିରେ ନଦୀ ଆଡ଼କୁ। ପଛରେ ବୁଢ଼ୀ। ସେ ପିନ୍ଧିଛି ଏକ କସ୍ତା ଶାଢ଼ୀ। ବାଁ ହାତରେ ଦୁଇ ଟିପରେ ଧରିଛି ଗୋଟିଏ ଲୁଙ୍ଗି। ଲୁଙ୍ଗିକୁ ସେ ଧରିବା ଭଙ୍ଗିରୁ ମନେ ହେଉଥିଲା ବୁଢ଼ା ଶୋଇବା ଅବସ୍ଥାରେ ଅଜଣାରେ ଝାଡ଼ା ଫେରି ଦେଇଛି କି କ’ଣ। ତା’ ଦେହଯାକ ଲାଗିଛି, ଲୁଙ୍ଗିରେ ଲାଗିଛି। ବୁଢ଼ାକୁ ଧୂଆ ଧୋଇ କରି ଗାଧୋଇ ଦେବ ଓ ଝାଡ଼ା ଲୁଙ୍ଗିକୁ ସଫା କରି ଆଣିବା ପାଇଁ ତାକୁ ନେଇ ବୁଢ଼ୀ ନଦୀକୁ ଯାଉଛି। ମୁହଁରେ ନିରାଶାର ଚିହ୍ନ। ବିରକ୍ତି ସୂଚକ ବିଭିନ୍ନ ଅଶାଳିନ ଶବ୍ଦ ଇଚ୍ଛା ବିରୁଦ୍ଧରେ ବୁଢ଼ୀର ପାଟିରୁ ବାହାରି ଆସୁଥିବା ଶୁଣାଯାଉଛି। 

‘ବାଡ଼ିପୋଡ଼ା ଜୀବନ ସାରା ତୋ ପିଲାଙ୍କ ଗୁହ ପୋଛିଲି, ଏବେ ନିଜ ଗୁହ ପୋଛେଇଲୁ।’ କହି ହଠାତ୍ ବୁଢ଼ୀ ତା’ ବଙ୍କୁଲୀ ବାଡ଼ୀରେ ବୁଢ଼ାର ପିଠିକୁ ଗେଞ୍ଜିଦେଇ ଗାଳି ଦେଲା। ବୁଢ଼ା କିଳିକିଳା ରାବ ଦେଇ ବୁଲି ପଡ଼ି ତା’ ବଙ୍କୁଲୀ ବାଡ଼ି ଉଠେଇଲା। କିନ୍ତୁ ସେଇ ଅଧାରେ ଅଟକି ଗଲା ହାତ ତଳକୁ ଆପେ ହୋଇଗଲା। ଶାନ୍ତ ହୋଇ ପୁଣି ଆଗକୁ ଚାଲିବାକୁ ଲାଗିଲା ବୁଢ଼ା। ବୋଧେ ତା’ର ନିୟନ୍ତ୍ରଣ ହରା ମସ୍ତିଷ୍ମରେ, ଖରାପ ହୋଇ ଯାଇଥିବା ମନ ଯନ୍ତ୍ରରେ ଏବେ ବି ସେଇ ଡାଟା କେଉଁଠି ସଞ୍ଚିତ ହୋଇ ରହିଥିଲା ଯେ, ସାତ ଜନ୍ମର ସାଥି ସିଏ। ଏଇ ବୁଢ଼ୀର ସମସ୍ତ ଦାୟିତ୍ଵ ବୁଝିବ ବୋଲି ତା’ ହାତ ଧରି ଘରକୁ ଆଣିଥିଲା ସେ। ଏଇ ବୁଢ଼ୀ ତାକୁ ଦେଇଛି ପିତୃତ୍ଵର ଆନନ୍ଦ। ମାନସିକ ସ୍ତରରେ ଅସୁସ୍ଥ ଥିଲେ ବି କିଛି ଜାଣୁ ନ ଥିଲେ ବି, ସାରା ଜୀବନର ବୁଢ଼ୀ ପ୍ରତି ଥିବା ଭଲ ପାଇବା ବୋଧେ ଅଜଣାରେ ଗଜୁରି ଉଠୁଛି ସେଇ ଅସଜଡ଼ା ମନ ଭିତରେ। ତେଣୁ ବୁଢ଼ୀର ଏ ଅସହ୍ୟ ଆଚରଣରେ ଶରୀରଟା ସହି ନ ପାରୁ ଥିଲେ ମଧ୍ୟ ଧତଡ଼ା ମନଟାର ପ୍ରତିକ୍ରିୟା ଯଥାବତ୍ ହୋଇ ଯାଉଥିଲା। 

ସମସ୍ତ ନୈରାଶ୍ୟ ସତ୍ତ୍ଵେ ବୁଢ଼ୀ ଚାଲିଥିଲା ସେଇ ପାଗଳ ବୁଢ଼ା ପଛରେ।


Rate this content
Log in