ସାଧନାର ଅନ୍ତରାୟ
ସାଧନାର ଅନ୍ତରାୟ


ଏକଦା ଜଣେ ସାଧୁ ସାଂସାରିକ ବନ୍ଧନ ଛାଡି ତପସ୍ୟା ନିମନ୍ତେ ଆସି ଏକ ବଟ ବୃକ୍ଷ ମୂଳେ ଆସନ ସ୍ଥାପିଲେ, ପ୍ରତ୍ୟହ ପ୍ରାତଃ ନିତ୍ୟକର୍ମ ସାରି ଆସି ବୃକ୍ଷ ମୂଳରେ ଧ୍ୟାନ ନିମଗ୍ନ ରହିବାର ଅଭ୍ୟାସ କରୁଥିଲେ।
ସୁନ୍ଦର ବନାନୀ ପାଖରେ ବହି ଯାଉଥିବା କଳକଳ ନଦୀ ବନ ପ୍ରଦେଶ ର ଫଳମୂଳ ଆହାର ଦ୍ୱାରା ସାଧୁ କିଞ୍ଚିତ ମାତ୍ରାରେ ଧ୍ୟାନ ନିମଗ୍ନ ରହିବାର କୌଶଳ ହସ୍ତଗତ କରିଥିଲେ।
ପ୍ରାୟ ସବୁଦିନେ ସେ ଜଣେ ଚିତା ଚୈତନ୍ୟଧାରୀ ଗଳାରେ ତୁଳସୀ କଣ୍ଠି ଧାରଣ କରିଥିବା ବୈଷ୍ଣବ ଙ୍କୁ ହରିନାମ ଜପ କରି ସେଇ ମାର୍ଗରେ ଏକ ନିର୍ଦିଷ୍ଟ ସମୟରେ ଯିବାର ଲକ୍ଷ୍ୟ କରୁଥିଲେ। ସେ ଲୋକଟି ଯାଉଥିବା ସମୟର ସାମାନ୍ୟ ବିଳମ୍ବ ମଧ୍ୟ ପରିଲକ୍ଷିତ ହେଉନଥିଲା। ଏପରି କିଛିଦିନ ବିତିଗଲା ପରେ ସାଧୁ ଙ୍କ ମନେ ଲୋକ ର ଏହି ପ୍ରକାର ସର୍ବଦା ବନପ୍ରଦେଶ ଦେଇ ଯାତ୍ରା ଅଭିପ୍ରାୟ ର କୌତୁହଳ ଜାଗ୍ରତ ହେଲା।
ଥରେ ସାଧୁ ସେ ଲୋକଙ୍କୁ ଫେରିବା ସମୟରେ କୌତୁହଳ ସମ୍ବରଣ ନକରିପାରି ପଚାରିଲେ," ଶ୍ରୀମାନ! ମୁଁ ଏକ କୌତୁହଳ ଜନିତ ଉତ୍ତର ଜାଣିବା ପାଇଁ ତୁମକୁ ଡାକିଛି"।
"ମହାତ୍ମା! ମୋର ପ୍ରଣାମ ଗ୍ରହଣ କରନ୍ତୁ,କୁହନ୍ତୁ ମୁଁ କି ସେବା କରିପାରିବି? କେଉଁ ଉତ୍ତର ଆପଣଙ୍କ ପ୍ରୟୋଜନ? " ଲୋକଟି ନମ୍ରତାରେ ପ୍ରଶ୍ନ କଲେ।
"ବତ୍ସ! ମୁଁ ଲକ୍ଷ୍ୟ କରୁଛି ତୁମେ ନିତ୍ୟ ଏଇ ମାର୍ଗ ଦେଇ ଏକ ଗନ୍ତବ୍ୟ ଅଭିମୁଖେ ଯାଉଛ ପୁଣି ପ୍ରତ୍ୟାବର୍ତ୍ତନ କରୁଛ, ତୁମ ସେଇ ଗନ୍ତବ୍ୟ ପଥଟି ଜାଣିବାକୁ ଇଚ୍ଛା ଜାଗ୍ରତ ହେଉଛି", ସାଧୁ ଉତ୍ତରରେ କହିଲେ।
ମହାତ୍ମା, ଆପଣ ପୁଣ୍ୟାତ୍ମା, ମୁଁ ଜଣେ ସାତ୍ତ୍ଵିକ ବୈଷ୍ଣବ, ମୁଁ ମିଥ୍ୟା କହି ଆପଣଙ୍କ ଠାରେ ଦୋଷୀ ହେବିନାହିଁ, ମୁଁ ସତ୍ୟବାଦୀ।ତେଣୁ ହେ ପୂଜ୍ୟ!ମୁଁ ହରିନାମ ଜପ କଲେ ସୁଦ୍ଧା କାମନା ଲାଳସା ରୁ ମୁକ୍ତି ପାଉନାହିଁ।ଯଦି ମୁଁ ଏହାକୁ ତୃପ୍ତ ନ କରୁଛି, ତାହେଲେ ଦିନ ସାରା ଏକ ଚିତ୍ତରେ ନାମଜପ କରିପାରୁନାହିଁ, ତେଣୁ କାମନାକୁ ଶୀଘ୍ର ଚରିତାର୍ଥ କରି ପୁଣି ଶୁଦ୍ଧ ମନଯୋଗରେ ନାମଧରିବାକୁ ମୁଁ ଏହି ମାର୍ଗ ଦେଇ ଏକ ରୂପବତୀ ସୁନ୍ଦରୀ କାମିନୀ ବେଶ୍ୟା ପାଖକୁ ଯାଇ ପୁଣି ଯଥା ସମୟରେ ଫେରି ଆସୁଛି।ଏହା କହି ବ୍ୟକ୍ତି ପୁନଃ ପ୍ରଣାମ କରି ହରିନାମ ଧରିଧରି ବିଦାୟ ନେଲା।
ଏହିପରି ନିତ୍ୟ ବ୍ୟକ୍ତି ଜଣଙ୍କ ସେହି ମାର୍ଗରେ ଯିବାବେଳେ ସାଧୁଙ୍କୁ ପ୍ରଣାମ କରିଯାଏ।
ଅନେକ ଦିନ ପରେ ବୃଦ୍ଧାବସ୍ଥାରେ ଉପନୀତ ଉଭୟ ସାଧୁ ଓ ବ୍ୟକ୍ତିଙ୍କ ଶେଷ ସମୟ ନିକଟ ହେଲା, ସାଧୁ ଦେଖିଲେ ଦୁଇ ବିଷ୍ଣୁଦୂତ ଆସି ସେ ବ୍ୟକ୍ତିଙ୍କ ଆତ୍ମାକୁ ବୈକୁଣ୍ଠକୁ ଆମନ୍ତ୍ରିତ କରିନେଲେ।କିଛି ସମୟ ପରେ ଦୁଇ ଯମଦୂତ ଆସି ସାଧୁଙ୍କୁ ତାଙ୍କ ସହ ଶରୀର ଛାଡି ଯମପୁର ଯିବାକୁ କହିଲେ।
"କି ଆଶ୍ଚର୍ଯ୍ୟ!ମୁଁ ମୋହମାୟା ତ୍ୟାଗ କରି ନିକାଞ୍ଚନେ ସାଧନା କଲି, ମୋତେ ଯମପୁର ଯିବାକୁ ହେବ ଅଥଚ ସେ ବ୍ୟକ୍ତି ଯିଏକି କାମନା ତୃପ୍ତିର ଅଭିଳାଷକୁ ଦମନ ନକରି ପୂରଣ କରୁଥିଲା ତା ପାଇଁ ବୈକୁଣ୍ଠ!ଏହା କି ପ୍ରକାର ନ୍ୟାୟ, ଦେଖନ୍ତୁ ସେ ବ୍ୟକ୍ତିର ପାପ କର୍ମର ମୁଁ ହିସାବ ରଖିଛି", ଏହା କହି ସାଧୁ ପାଖ ଏକ ସ୍ଥାନକୁ ଇଙ୍ଗିତ କଲେ।
ସେଠାରେ ସାଧୁ ଜଣଙ୍କ ବ୍ୟକ୍ତି ଜଣଙ୍କ ଯେତେଥର ବେଶ୍ୟା ପାଖକୁ ଯାଇଛନ୍ତି ସେତୋଟି ଲେଖାଏଁ ଗେଙ୍ଗୁଟି ପଥର ଗଣି ଗଣି ରଖିଛନ୍ତି ଓ ତାହା ଏବେ ଏକ ବିରାଟ କୁଢ଼ରେ ପରିଣତ ହୋଇଯାଇଥିଲା।
ଏହା ଦେଖି ଯମଦୂତ ହସିବାକୁ ଲାଗିଲେ ଓ କହିଲେ,"ତପୋବର! ତୁମେ ନିଜର ସାଧନା ଅପେକ୍ଷା ଅନ୍ୟର କୁକର୍ମର ଅଧିକ ହିସାବ ରଖିଛ, ଏହା ଦ୍ୱାରା ତୁମ ମନରେ ଶ୍ରେଷ୍ଠ ହେବାର ଏକ ମିଥ୍ୟା ଅହମିକା ସୃଷ୍ଟି ହେଇଯାଇଛି, ଯାହା ତୁମର ଆନ୍ତରିକ ଓ ଚେତନାଗତ ଉନ୍ନତି କୁ ସ୍ଥଗିତ କରିଦେଇଛି, ଫଳରେ ତୁମେ ଏହା ର ଅବଗତ ହୋଇପାରିନାହଁ"।
ତେଣୁ ଆମ ସହ ତୁମକୁ ଯମପୁରୀ ଯିବାକୁ ପଡିବ।