ସାଧନା
ସାଧନା


ଆଜି ପ୍ରଥମଥର ପାଇଁ ପାଦ ଘସି ଦେଉଥିବା ବେଳେ ସୁମି କୁ କହିଲେ ଶାଶୁ - " ଥାଉ ମା ଥକି ଯାଇଥିବୁ ଯା ଟିକେ ଶୋଇ ପଡିବୁ "
ଶ୍ବଶୁର ଙ୍କ ପ୍ରତିକ୍ରିୟା ବି ଆଶ୍ଚର୍ଯ୍ୟ ଜନକ ଥିଲା ଖାଇବା ବେଳେ
- " ମା'ରେ ତରକାରୀ ରେ ଟିକେ ଲୁଣ ଅଧିକ ହୋଇଯାଇଛି , ଆଗକୁ ଧ୍ୟାନ ଦେବୁ ମା "
ଆଉ ନଣନ୍ଦ ଯେତେବେଳେ କହିଲା -" ଥାଉ ଭାଉଜ , ତମେ ଗଲ ରୋଷେଇ କରିବ, ମୁଁ ବାସନ ମାଜି ଦେଉଛି "
ସୁମି ପାଇଁ ଏସବୁ ବହୁତ କିଛି ଥିଲା ବର୍ଷ ବର୍ଷ ର ଦୁଃଖ ଯନ୍ତ୍ରଣା ଯାତନାକୁ ମୁହୂର୍ତ୍ତକେ ଭୁଲିଯିବା ପାଇଁ । ତାକୁ ଲାଗୁଛି ଯେମିତି ସାରା ଜୀବନ ବାଟ ସାରା କଣ୍ଟା ବିଛେଇ ଆସୁଥିବା ଲୋକମାନେ ଆଜି ବଦଳି ଯାଇଛନ୍ତି କଣ୍ଟାକୁ ଆଡେଇ ଦେଇ ଫୁଲ ବିଞ୍ଚି ଦେଇଛନ୍ତି ।
ଏମାନେ ଏମିତି ପରିବର୍ତ୍ତନ ହେବାର ଗୋଟେ ବଡ କାରଣ ବି ଅଛି । ଶ୍ରଦ୍ଧା ଆଜି ୨ ବିଜ୍ଞାନ ଶେଷ ବର୍ଷ ପରୀକ୍ଷାରେ ରାଜ୍ୟରେ ସର୍ବୋତ୍ତମ ନମ୍ବର ରଖି ଟପ୍ପର ହୋଇଛି ।
ଦୂରଦର୍ଶନ ଖବରକାଗଜ ସବୁଥିରେ ଶ୍ରଦ୍ଧା ର ଫଟୋ ଶ୍ରଦ୍ଧା ର କଥା ବନ୍ଧୁ ବାନ୍ଧବ ପ୍ରିୟଜନ ଫୋନ୍ ପରେ ଫୋନ୍ କରୁଛନ୍ତି ବାଃ ଶ୍ରଦ୍ଧା ଆମର ଟପ୍ପର ହୋଇଗଲା । ଯାହା ହେଉ ତମ ନାଁ ରଖିଦେଲା ।
ଏମିତି ଫୋନ୍ ଶୁଣି ଶାଶୁ ଙ୍କ ମନ କୁଣ୍ଢେ ମୋଟ ହୋଇ ଯାଉଛି ନାତୁଣୀ କୁ ପାଖକୁ ଡାକି ଥରକୁ ଥର ଗେହ୍ଲା କରି ପକାଉଛନ୍ତି ।
ଶ୍ବଶୁର ଯେବେ ଘରୁ ପଦାକୁ ଆସିଲେ ସମସ୍ତେ ଖାଲି ଘେରି ଯାଉଥାଆନ୍ତି ।
- " ଆଉ କ'ଣ ମିଠା କାଇଁ ? ବାଃ ତମ ନାତୁଣୀ ଖାଲି ରାଜ୍ୟରେ ଟପ୍ପର ହେଲାନି ତ ଆମ ଗାଁ ର ଟେକ ରଖିଦେଲା ଜାଣ । ହେଇ ଦେଖ ତା ଫଟୋ ବାହାରିଛି ଖବରକାଗଜ ରେ , ଯାଅ ଯାଅ ମିଠା ଆଣ ତାପରେ ଯୋଉ କଥା ।"
ଶ୍ବଶୁର ପାଞ୍ଚ କିଲୋ ମିଠା ଆଣି ବାଣ୍ଟି ସାରିଲେଣି ସକାଳୁ ।
ସୁମି ପାଇଁ ଏ କଥା ବହୁତ ବଡ଼ ଖୁସି ର କଥା ଥିଲା ତା ସହିତ ଆଶ୍ଚର୍ଯ୍ୟ ର କଥା ବି ।
ଶ୍ରଦ୍ଧା ଜନ୍ମ ହେବା ପରେ ପରେ । ଶ୍ବଶୁର ଶାଶୁ ନଣନ୍ଦ ଙ୍କ ଯେଉଁ ହତାଦର ଅବହେଳା ବିତୃଷ୍ଣା ଭାବ , ଆଉ ଆଜିର ବ୍ୟବହାର କାର୍ଯ୍ୟକଳାପ ଭିତରେ ଆକାଶ ପାତାଳ ଫରକ୍ । ଏମିତି ବି କୁହା ଯାଇପାରେ ଶ୍ରଦ୍ଧା ରାଜ୍ୟ ରେ ଖାଲି ଟପ୍ପର ହେଲା ତା ନୁହଁ ତା ସହିତ ନିଜକୁ ଆଉ ତା ମାମା କୁ ଗୋଟେ ସ୍ନେହ ଭଲପାଇବା ରେ ଆଦରି ନେବା ର ବଳୟ ଭିତରେ ରଖିଦେଲା ।
ସୁମି ଏଇ ଦିନ ଗୁଡାକୁ କାହିଁ କେତେ ଦିନୁ ଅପେକ୍ଷା କରି ରହିଥିଲା । କାସ୍ ପ୍ରଥମ ରୁ ଏମାନେ ବୁଝି ଯାଇ ଥାଆନ୍ତେ କି ତାକୁ ଆଉ ତା ଝିଅକୁ ।
ସେ ଯା ହେଉ ଏବେ ସୁମି ଜୀବନର ଦୁଃଖ ଯନ୍ତ୍ରଣାର ରାତି ପାହି ସୁଖ ଆନନ୍ଦ ର ସୂର୍ଯ୍ୟୋଦୟ ହୋଇ ସାରିଛି ।
କଲେଜ ରେ ଗୋଟେ ଉତ୍ସବ ରଖା ଯାଇଥିଲା ଦୁଇ ଦିନ ପରେ । ସମସ୍ତେ କୃତି ଛାତ୍ର ଛାତ୍ରୀ ମାନଙ୍କ ସମ୍ବୋର୍ଦ୍ଧନ ନିମନ୍ତେ । ଖାସ୍ କରି ଏହି ଉତ୍ସବ ଟି ଶ୍ରଦ୍ଧା ପାଇଁ ହିଁ ଥିଲା ।
କେବଳ ତା ଲାଗି ଆଜି କଲେଜର ନା ସବୁଆଡେ ଚର୍ଚ୍ଚା ।
ଯେତେବେଳେ ଶ୍ରଦ୍ଧା ର ପାଳି ପଡ଼ିଲା ତାକୁ ମଞ୍ଚ କୁ ଡକାଗଲା । ସେତେବେଳେ କରତାଳି ରେ ମୁଖରିତ ହୋଇ ଉଠିଲା ଉକ୍ତ ଗୃହ ଟି । ସୁମି ଖୁସି ରେ ଆତ୍ମହରା ହୋଇ ଢଳ ଢଳ ଆଖିରେ ଖାଲି ଚାହିଁ ରହିଥିଲେ ଝିଅକୁ । ତାକୁ ଯେତେବେଳେ ୨୦ ହଜାର ଟଙ୍କା ସହ ମାନପତ୍ର ଆଉ ସିଲ୍ ପ୍ରଦାନ କରାଗଲା ସେତେବେଳେ ଶ୍ରଦ୍ଧା ମନାକଲା । ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ତାପରେ ଶ୍ରଦ୍ଧା ମାଇକ୍ରୋଫୋନ ହାତରେ ଧରି କହିଲା -- " ଏସବୁ ର ହକଦାର ମୁଁ ନୁହେଁ , ମୋ ମାମା । ତାଙ୍କ ଠୁ ମୁଁ ଏହାକୁ ଗ୍ରହଣ କଲେ ଅଧିକ ଖୁସି ହେବି । ତାପରେ ଶ୍ରଦ୍ଧା ସୁମି କୁ ହାତ ବଢେଇ ଡାକିଲା । ତାପରେ ସୁମି ଲୁହ ଛଳଛଳ ଆଖିରେ ଓଠରେ ହସ ଅଥଚ ସଙ୍କୁଚିତ ଭାବ ର ମୁହଁ ନେଇ ଠିଆ ହେଲେ । ସମସ୍ତେ କରତାଳି ଦେବାସହ ସମସ୍ତ ଙ୍କ ନଜର ସୁମିତ୍ରା ଙ୍କ ଆଡ଼କୁ ବୁଲିଗଲା ।
ସୁମିତ୍ରା ହାତ ହଲେଇ ମନାକଲେ ନାଇଁ ଥାଉ ମୁଁ ଯିବିନି ।
କିନ୍ତୁ ଶ୍ରଦ୍ଧା ମାନିଲନି ପୁଣି ହାତ ବଢ଼େଇ ଡାକିଲା ।
ସୁମିତ୍ରା ଆସୁଥାନ୍ତି ମଞ୍ଚ ନିକଟକୁ ସମସ୍ତେ କରତାଳି ରେ ତାଙ୍କୁ ସ୍ବାଗତ କରୁଥାନ୍ତି । ସୁମି କେବଳ ଏତିକି ଭାବୁଥାଏ । ଧନରେ ଏତେ ଖୁସି ମୁଁ ବରଦାସ୍ତ କରି ପାରିବି ତ ? ତୁ ମୋତେ ଆଜି ଯାହା ଦେଲୁ । ମୋ ଜୀବନରେ ସବୁ ଦୁଃଖ କୁ ସବୁ ସନ୍ତାପ କୁ ପାଣି କରିଦେବା କୁ ତାହା ଯଥେଷ୍ଟ ।
ଛୋଟ ବେଳୁ ଆଜି ପର୍ଯ୍ୟନ୍ତ ସୁମି କେବଳ ଥଟ୍ଟା , ପରିହାସ , କଷ୍ଟ , ଯନ୍ତ୍ରଣା, ଛଳନା , ପ୍ରତାରଣା ରେ ବଞ୍ଚି ଆସିଛି । ଅଳ୍ପେ ବହୁତେ ସମସ୍ତେ ତା ସହ ଏମିତି ବ୍ୟବହାର କରିଛନ୍ତି । ଯୋଉ ଦିନ ଅମ୍ଲାନ ତା ଜୀବନରେ ଆସିଥିଲେ । ସେ ଭାବି ନେଇଥିଲା ଏ ଦୁନିଆ ରେ ତା ବାପା ବୋଉ ଆଉ ପ୍ରିୟ ସାଙ୍ଗ ଦିପ୍ତୀ ପରେ ସେହିଁ ଏକମାତ୍ର ବିଶ୍ବସ୍ତ ଭରଷା ଯୋଗ୍ୟ ମଣିଷ ଯାହାକୁ ଆଖି ବୁଜି ନିଜର କରାଯାଇ ପାରେ । ନିଜକୁ ସଂପୂର୍ଣ୍ଣ ସମର୍ପି ଦେଇଥିଲା ଅମ୍ଲାନ ପାଖେ କେବଳ ଦେହ ଛଡ଼ା ।
ଅମ୍ଲାନ ବେଳେ ବେଳେ କହେ
-- " ତୁମକୁ ସିନ୍ଦୂର ଦେଇନି ସିନା କିନ୍ତୁ ମୁଁ ତ ତୁମକୁ ମୋର ସ୍ତ୍ରୀ ବୋଲି ଭାବି ସାରିଛି । ତେବେ ଅସୁବିଧା କ'ଣ । ମୋ ଉପରେ କ'ଣ ତମର ଭରଷା ନାହିଁ ?
ସୁମିତ୍ରା ଅମ୍ଲାନ ର ହାତକୁ ଧରି କହିଥିଲା
-- "ଏଠି ସନ୍ଦେହ ଅବିଶ୍ବାସ ର କଥା ପଡିନି ତୁମେ ଭଲ ଭାବେ ଜାଣିଛ ମୁଁ ତୁମକୁ କେତେ ବିଶ୍ବାସ କରେ । ତୁମର ଗୋଟେ ହଁ ରେ ମୁଁ ସାରା ଦୁନିଆଁ କୁ ମୁହଁ ମୋଡ଼ି ପାରେ । ବାହାଘର ପୂର୍ବରୁ ଏସବୁ ... ଏତେ ବ୍ୟସ୍ତ କ'ଣ ପାଇଁ ଯେ । ସୁଣ ମୋ ପ୍ରିୟ ଅମ୍ଲାନ ଜନ୍ମ ର ମୁଁ ତ ମୋର ଗୋଟିଏ ମୂଲ୍ୟବାନ ଜିନିଷ ଦୂରେଇ ସାରିଛି ମୁଁ ଚାହେଁନା ବିବାହ ପୂର୍ବରୁ ଏସବୁ । ତୁମେ କ'ଣ ମୋ ସମ୍ମାନ ପାଇଁ ଏତିକି ବିବାହ ପର୍ଯ୍ୟନ୍ତ ନିଜକୁ ନିୟନ୍ତ୍ରଣ କରି ରଖି ପାରିବନି ? ତମ ସୁମି ର ଏତିକି କଥା ତୁମେ ରଖିବନି ?
ତାପରେ ସୁମି ହାତ ଉପରେ ହାତ ରଖି ଅମ୍ଲାନ ନିଜର ସହମତି ଜଣାଇଥିଲା । ବାସ୍ ସୁମି ଲୋଟି ପଡ଼ିଥିଲା ଅମ୍ଲାନ ର ଛାତି ଉପରେ ନିଜକୁ ସର୍ବଶ୍ରେଷ୍ଠ ପ୍ରେମିକା ଟିଏ ଭାବି । ସବୁକିଛି ଠିକ୍ ଠାକ୍ ଥିଲା କିନ୍ତୁ ଏମିତି ପରିଚିତ ହୋଇ ଅପରିଚିତ ହୋଇଯିବେ କିଏ ଜାଣିଥିଲା ।
ଆସିଥିଲେ ସୁଗନ୍ଧରାଜ ହୋଇ ଜୀବନକୁ ବାସ୍ନାମୟ କରି ଚାଲିଗଲେ ଗନ୍ଧମୟ ହେଙ୍ଗୁ କରିଦେଇ । ଅମ୍ଲାନ ସୁମିତ୍ରା କୁ ଆଶ୍ଚୟ କରି ହଠାତ ଦୂରେଇ ଯିବାଟା ଯେତେ କଷ୍ଟ ଦେଲାନି ତାଠୁ ଅଧିକ କଷ୍ଟ ଦେଲା ଏଇ କଥାଟି ଅନ୍ୟ ମାନଙ୍କ ଠାରୁ ଶୁଣି
" ଅମ୍ଲାନ ବାହା ହୋଇ ଯାଇଛି , ଅମ୍ଲାନ ବାହା ହେଲାଣି ୬ ମାସ ହେବ "
ଏକଦମ୍ ଭାଙ୍ଗି ପଡ଼ିଲା ଏମିତି କଥାରେ ମିନତୀ । ତାକୁ ଏମିତି ଲାଗିଲା ତା ଜୀବନଟା ହିଁ ଅଭିଶପ୍ତା ଭଗବାନ ତାଙ୍କୁ ଜନ୍ମରୁ ଏମିତି ବିକଳାଙ୍ଗ କରି ଦେଇଛନ୍ତି ଯେ ଯାହା ଫଳରେ ସେ ଛୋଟ ବେଳୁ ଆଜି ପର୍ଯ୍ୟନ୍ତ ସମସ୍ତ ଙ୍କ ର ଅବହେଳିତ ହେଉଛି ଆଉ ନାପସନ୍ଦ ର ପାତ୍ରୀ ହେଇ ଆସୁଛି । ସେଥିପାଇଁ ଗୋଟେ ପରେ ଗୋଟେ ପ୍ରିୟ ଜନ ତାଠୁ ଦୂରେଇ ଯାଉଛନ୍ତି ।
କଇଁ କଇଁ ହୋଇ ମନଭରି କାନ୍ଦିଥିଲା ସେଦିନ । ଇଛା ହେଉଥିଲା ନିଜକୁ ସାରି ଦେବାକୁ । ଅମ୍ଲାନ ବିନା ଜୀବନଟା ମୂଲ୍ୟହୀନ ଲାଗୁଥିଲା । ଗୋଟେ ମୁହୂର୍ତ୍ତ ବି ଲାଗି ନଥାନ୍ତା ସୁମି କୁ ବିଶ ପିଇ ଶୋଇ ଯିବାକୁ । ପଙ୍ଖା ରେ ଝୁଲି ଯିବାକୁ । କିନ୍ତୁ ସେ ସେମିତି କା ଝିଅ ନଥିଲା । ସାଥ୍ ଦେଉନଥିବା ପରିସ୍ଥିତି ପରିବେଶ କୁ ଡରି ପଛ ଘୁଞ୍ଚା ଦେଉଥିବା ଝିଅ ସେ ନଥିଲା ବରଂ ପରିବେଶ ପରିସ୍ଥିତି ସହ ନିଜକୁ ସାଲିସ୍ କରି ଆଗକୁ ବଢୁଥିବା ଝିଅ ସେ ଥିଲା ।
ସୁମି ର ବୋଉ ବି ବୁଝେଇଲେ --" ଜଣକ ପାଇଁ ଜୀବନ ବଞ୍ଚି ହୁଏନି କି ଜଣକ ବିନା ଜୀବନକୁ ହାରି ଦିଆ ଯାଏନି । ଦୁନିଆଁ ଟା ବହୁତ ବଡ଼ ମା' । ପାଖରେ ଥିବା ସବୁ ଲୋକ ନିଜର ନୁହନ୍ତି କି ଦୂରରେ ଥିବା ସବୁ ଲୋକ ପର ନୁହନ୍ତି । କିଏ କହିବ ତୋତେ ବୁଝି ପାରୁଥିବା ଭଲ ମଣିଷ ଆମ ଅଗୋଚର ରେ କୋଉଠି ଥିବ ।
କିଛି ଦିନ ପରେ ବାହାଘର କଥା ସୁଣି ସୁମି ମନଦୁଃଖ କରି କାନ୍ଦିଲା ପକାଇଲା ।
-- " ନାଇଁ ବୋଉ ମୁଁ ଯେମିତି ଅଛି ବହୁତ ଭଲରେ ଅଛି ବାହା ହେଇକି ମୁଁ ପରେ ଦୁଃଖରେ ରହିଯିବି ହେଲେ ତୁମ ମାନଙ୍କୁ ମୁଁ ଦୁଃଖରେ ଦେଖି ପାରିବନି ।
ଯଦି ବାହାଘର ପରେ ମୋର କିଛି ଅସୁବିଧା ହୁଏ । ତୁମେ ସହି ପାରିବ ତ ? "
ସୁମି କହି ସାରି କାନ୍ଦି ପକାଇଲା । ତା'ପରେ ବୋଉ ବୁଝେଇଲେ ।
-- " ନାଇଁ ରେ ମା' , ଏମିତି ଭାବେନି । ଯାହା ହେବ ଭଲ ହିଁ ହେବ , ଇଶ୍ବର ତୋତେ ଗଢ଼ିଛନ୍ତି ମାନେ ତୋ ପାଇଁ ଜୀବନ ସାଥି ଟେ ନିଶ୍ଚୟ ଗଢ଼ିଛନ୍ତି । ଛୋଟ ବେଳୁ ତୁ ଏମିତି ବୋଲି ସିନା ତୋ ମନରେ ଏସବୁ ଖରାପ ଭାବନା ଆସୁଛି । ନହେଲେ ତୋ ଠାରୁ ଆହୁରି ଅସୁବିଧା ରେ ଥିବା ଝିଅ ବି ବାହା ହେଉଛନ୍ତି ନା ନାହିଁ ? ଦେଖିବୁ ସବୁ ଠିକ୍ ହୋଇଯିବ ? ଗରିବ ଘର ପୁଅ ଟି ଚାଷ ବାସ କରେ । ବାପା ମା ସାନ
ଭାଇ ଭଉଣୀ କୁ ନେଇ ଛୋଟିଆ ପରିବାର । ତୋର ସେଠି କିଛି ଅସୁବିଧା ହେବନି । ମାଲୋ ମୁଁ ଜାଣିଛି ତୁ ଆମର କେତେ ଶିକ୍ଷିତା କେତେ ବୁଦ୍ଧିମତି । ତୋର ଏଇ ଛୋଟିଆ କ୍ଷୁଣ ଟେ ଅଛି ବୋଲି ସିନା ନହେଲେ । ଦେଖେ ମା' ସବୁ ବାପା ମା ଙ୍କର ଇଛା ଥାଏ ତାଙ୍କ ଝିଅକୁ ବାହା ବିଦା କରି ତାଙ୍କରି ଖୁସି ରେ ଖୁସି ହେବାକୁ। ଥାଉ ତୁ ଯଦି ଆମ ଖୁସି ଚାହୁଁନୁ ତେବେ ଠିକ୍ ଅଛି ଆମେ ଦୁହେଁ ବାଧ୍ୟ କରିବୁନି ତୋତେ । ତାପରେ ଆଉ ଗୋଟେ କଥା ଭାବିଲୁ ମା' ତୋପରି କେତେ ଝିଅ ଏମିତି ଅବିବାହିତ ରହି ଯାଉଛନ୍ତି । ତୁ ତ ଆମର ଲକ୍ଷ୍ମୀପ୍ରତିମା ଟିଏ । ହେଲେ ସେମାନେ କେତେ ଭଲ ତୋ ବିଷୟରେ ସବୁ ଜାଣିବା ପରେ ବି ତୋତେ ବୋହୂ କରିବାକୁ ରାଜି ହୋଇଛନ୍ତି । ତାଙ୍କ ପରି ବନ୍ଧୁ ଭାଗ୍ୟରେ ଥିଲେ ମିଳେ ମା । ତୁ ସେଠି ନିଶ୍ଚୟ ଖୁସିରେ ରହିବୁ ।
ଯଥା ରିତି ଦୁଃଖେ ସୁଖେ ବାହାଘର ସରିଗଲା ସୁମିର ।
ବାହାଘର ଛମାସ ପର୍ଯ୍ୟନ୍ତ ସେ ଜାଣିବାକୁ ପାଇଲାନି ସେ ସେ ଘରର ବୋହୂ ବୋଲି । ସୁମିର ପ୍ରତିଟି କଥାକୁ ଯତ୍ନ ର ସହ ଧ୍ୟାନ ଦେଉଥିଲେ ପରିବାର ଲୋକେ । ସେ ନିଜକୁ ବଡ ସୌଭାଗ୍ୟବତୀ ବୋଲି ଭାବୁଥିଲା । ମନେ ମନେ ନିଜ ବୋଉ କୁ ଧନ୍ୟବାଦ ଦେଇ କହୁଥିଲା ବୋଉ ଠିକ୍ କହୁଥିଲା । କିନ୍ତୁ ଧିରେ ଧିରେ ବର୍ଷେ ଛମାସ ପରେ ସୁମି କୁ ଲାଗିଲା ସମସ୍ତେ ତା ପ୍ରତି ଅବହେଳା ହତାଦର କରୁଛନ୍ତି । କୋଉ ଦିନ କେମିତି ଟିକେ ତର୍କାରୀ ଅଲଣା ହେଉ କି ଲୁଣିଆ ବା ଠିକ୍ ଥାଉ , ସାଇ ଘର ସମୟରେ ଓଳା ହେଉଥାଏ ଗାଇ ଗୋରୁ ଙ୍କ ଆଗରେ ଠିକ୍ ସମୟରେ ପେଜ ତୋରାଣି ଦିଆ ଯାଉଥାଉ ତଥାପି ଘରର ଯାବତୀୟ କାମ ପରେ ନିଜକୁ ବିଶ୍ରାମ ନେବାକୁ ଯଥେଷ୍ଟ ସମୟ ବରଂ ନଥାଉ ।
କୋଉଥିରେ କୋଉଠି ଗୋଟେ ଖୁଣ ବାହାର କରି ସୁମିକୁ ତିରସ୍କାର କରି ତାତ୍ସଲ୍ୟ କହିବେ ହିଁ କହିବେ । ଶାଶୁ ଶ୍ୱଶୁର ନଣନ୍ଦ ତିନିହେଁ ।
ପ୍ରତି କଥାରେ ଗୋଟିଏ କଥା କୁହାଯାଏ ଯୋଉଟାକି ସୁମି ର ଛାତି କୁ ବିଦାରି ତାକୁ ଅଣନିଃଶ୍ବାସୀ କରି ପକାଏ । " ଆମେ ବୋଲି ସିନା ତୋ ଭଳି ଗୋଟେ ଅଦ୍ଭୂତ ପିଲା କୁ ଆମ ଘର ବୋହୂ କଲୁ । ନହେଲେ ଆଉ କିଏ ବା ଏମିତି ତୋ ଭଳି ଗୋଟେ ହୁଣ୍ଡିଟାକୁ ତା ଘରର ବୋହୂ ଭାବରେ ଗ୍ରହଣ କରିଥାନ୍ତା ? ଛାଡ ଆମର ତ କପାଳ ମନ୍ଦ । "
ଏମିତି କଥାରେ ସୁମି ଖୁବ୍ ଆହତ ହେଉଥିଲେ ବି କିଛି ପ୍ରତିବାଦ କରି ପାରୁନଥିଲା । କେବଳ ସ୍ବାମୀଙ୍କ ପ୍ରେମ ଆଉ ଦିଅର ଙ୍କ ସ୍ନେହ ଭଲପାଇବା ତାପାଇଁ ମଲମ ସଦୃଶ ହେଉଥିବାରୁ ଦିନ ରାତି ଚବିଶ ଘଣ୍ଟା ରୁ ସତର ଘଣ୍ଟା କାଟି ଦେଉଥିଲା ଯାହା । ସେ ସମୟ ଦୁଃଖର ଥିଲା କି ସୁଖର ଠିକ୍ ସେ କହି ହେବନି ବାସ୍ ସେ ଥିଲା ସେଠି ସମସ୍ତଙ୍କ ପାଇଁ ନିଜକୁ ଭୁଲି । କିନ୍ତୁ ଏ ସବୁର ମାତ୍ରା ଯଥେଷ୍ଟ ଅଧିକ ହୋଇଗଲା ସେତେବେଳେ ଯେତେବେଳେ ସୁମିର ଝିଅ ଟିଏ ହେଲା ।
ସବୁ ତାତ୍ସଲ୍ୟ ଛି ଛାକର ଭିତରେ ଆଉ ଗୋଟେ ଯୋଡ଼ା ହୋଇଗଲା
-- " ଆଲୋ ହତଲକ୍ଷ୍ମୀ ତୁ ଆମ ବଂଶ ରକ୍ଷା କରି ପାରିଲୁନି ? "
ସୁମିର ପ୍ରତି କଥାରେ ପ୍ରତି କାମରେ ପ୍ରତି କ୍ଷେତ୍ର ରେ ତାକୁ ଏମିତି ତାତ୍ସଲ୍ୟ ଆକ୍ଷେପ କରାଯାଉଥିଲା ଯେମିତି ଝିଅ ହେବାରେ କେବଳ ତାର ଭୂମିକା ଅଛି ଆଉ ପୁଅ ବି ହେବାର ଥିଲା ସେ ଜାଣିଶୁଣି ସେ ଭୃଣଟିକୁ ଝିଅରେ ପରିଣତ କରି ଦେଇଛି ।
ଶ୍ରଦ୍ଧା ହେଲା ପରେ ମା ଝିଅ କୁ ବହୁତ ମାପିଚୁପି ହାତେ ମାପି ଚାଖଣ୍ଡେ ନ୍ୟାୟରେ ଚାଲିବାକୁ ପଡିଛି ସେ ଘରେ ।
ତାଙ୍କ ଦ୍ବାରା ଭୁଲରେ ବି ଯଦି ଅଣୁଟେ ତୃଟି ହୋଇଯାଉଥିଲା ତେବେ ତା'କୁ ପରମାଣୁ ବୋମା ର ଆଖ୍ୟା ଦିଆଯାଉଥିଲା ଯେନତେନ ପ୍ରକାରେ । ଚାଲିଥିଲା ସଂସାର ସେମିତି ଦୁଃଖେ ସୁଖେ ଭଲେ ମନ୍ଦେ । କିନ୍ତୁ ସେଦିନ ପ୍ରଥମଥର ପାଇଁ ସୁମି ପ୍ରତିବାଦ କଲା ଯେବେ ଶ୍ରଦ୍ଧା କୁ କଲେଜ ରେ ପଢିବାକୁ ସେମାନେ ମନାକଲେ ।
ତା ପ୍ରତି ଯେତେ ଦୁଃଖ କଷ୍ଟ ଆସିଲେ ସେ ସହିପାରେ କିନ୍ତୁ ଝିଅ ଭବିଷ୍ୟତ କୁ ନେଇ ଖେଳ ଖେଳିଲେ ସେ ଜମ୍ମା ସହି ପାରିବନି । ଶ୍ବଶୁର ଶାଶୁ ନଣନ୍ଦ ତିନିହେଁ ଚିହିଁକି ଉଠିଲେ ସୁମି ଉପରେ ।
-- " କ'ଣ ଟା ବାପଘର ଲୋକେ ଓଜାଡି ପକେଇଥିଲେ କି ସେଇ ପଇସା ରେ ଝିଅକୁ ପାଠ ପଢେଇବୁ କଲେଜରେ ନାଁ ଲେଖାଇବୁ ? ମନେରଖ ଯଦି ତୋ ଝିଅ କଲେଜ ଯିବ ତେବେ ଟଙ୍କା ଟା ଦିଆ ଯିବନି ଟଙ୍କା ନାହିଁ ଆମ ପାଖରେ।
ଯଦି ତାକୁ ପଢେଇବୁ ତୋ ବାପଘର ପଇସା ଆଣି ପଢେଇବୁ । ନହେଲେ ତୁ କେମିତି ତା ପଢା ଖର୍ଚ୍ଚ ଟିୟୁସନ ଖର୍ଚ୍ଚ ଉଠେଇବୁ ତୁ ଜାଣିଥିବୁ । "
ସୁମି କିଛି ସମୟ ନୀରବ ରହିଲା ତାପରେ ମନେମନେ ଦୃଢ଼ ନିଷ୍ପତ୍ତି ଟିଏ ନେଇ କହିଲା - " ଶ୍ରଦ୍ଧା ଟିୟୁସନ ହେବନି , କେବଳ ବହିପତ୍ର ଆଉ ନାମ ଲେଖା ଖର୍ଚ୍ଚ ଟା ଦିଅ "
ପୁଣି ରାଗ ତମ ତମ ସ୍ବର - " କିଛି ଦିଆ ହେବନି "
ଆଉ ପଦେ ହେଲେ ବି କିଛି କହିନଥିଲା ସୁମି, ଗହଣା ବିକି ଝିଅର ବହିପତ୍ର ଆଉ ନାମଲେଖା ଖର୍ଚ୍ଚ ଭରଣ କରିଥିଲା । ଅବଶ୍ୟ ପରେ ବହୁତ ମାଡ ଗାଳି ଖାଇଥିଲା ଶାଶୁ ଶ୍ୱଶୁର ଙ୍କ ଠାରୁ ।
- " କୈଫିୟତ ଦେ କାହାକୁ ପଚାରି ତୁ ଗହଣା ବିକିଛୁ "
ଏହାର ଉତ୍ତର ରେ ସୁମି କହିଥିଲା -" ମୋ ଝିଅ ଭବିଷ୍ୟତ ପାଇଁ ମୁଁ କିଛି ବି ଭୁଲ୍ କରିନି । ଆଉ ଏକଥା ବି ତୁମେ ମାନେ ଦିନେ ବୁଝି ପାରିବ ।"
ତାପରେ ଗୋଟେ ସଂଘର୍ଷପୂର୍ଣ୍ଣ ଜୀବନ ଆରମ୍ଭ ହୋଇଥିଲା ସୁମିର ଝିଅ ପାଇଁ । ଘର କାମ ଜଞ୍ଜାଳରେ ବି ନିଜ ଝିଅ ପାଇଁ ଘଣ୍ଟାଟେ ସମୟ ଦିଏ । ତାକୁ ପଢାଏ । ସ୍ଵାଭିମାନୀ ସଂସ୍କାରୀ ଭଲ ମଣିଷ ଟିଏ ହୋଇ ବଞ୍ଚିବାର କଳା ଶିଖାଏ । କଥା କହିବାର ଶୈଳୀ ଶାଳିନତା ଶିଖାଏ । କପଡା ପିନ୍ଧି ବାର ଶୈଳୀ । ଆଉ ମନ୍ଦ ପ୍ରକୃତିର ଲୋକଙ୍କ ଠୁ ଦୂରେଇ ସୁରକ୍ଷିତ ରହିବାର କଥା ବି ଭଲକି ବୁଝାଏ ଝିଅକୁ ।ସୁମି ଶ୍ରଦ୍ଧାକୁ ତୃଟିହୀନ ମେଧାବୀ ବୁଦ୍ଧିମତୀ ସଂସ୍କାରୀ ପିଲାଟିଏ ପରି ଗଢିତୋଳିବ ସେଥିପାଇଁ ସେ ପ୍ରତିଜ୍ଞାବଦ୍ଧ । ଆଉ ଶ୍ରଦ୍ଧା ବି ତା ମାମା ର ସାଧନାକୁ ତ୍ୟାଗକୁ ସମ୍ମାନ ଜଣେଇ ତା ମାମା ମୁତାବକ ନିଜକୁ ମାଠିମୁଠି କି ଗଢି ତୋଳୁଥାଏ ।
ଆଉ ଆଜି ତା ଫଳାଫଳ ଉଭୟଙ୍କୁ ପରିବାର କୁ ସମସ୍ତ ଙ୍କୁ ମିଳି ଯାଇଛି ।
ଉତ୍ସବ ଗୃହ ଟି କରତାଳି ରେ ମୁଖରିତ ହେଉଥାଏ
ସୁମିତ୍ରା ଲୁହ ଭିଜା ସଂକୋଚ ମୁହଁ ନେଇ ଆଗକୁ ଧିରେ ଧିରେ ବଢୁଥାଏ । ସୁମିତ୍ରା ମଞ୍ଚ ଉପରେ ପହଞ୍ଚିବା କ୍ଷଣି କଲେଜର ଅଧ୍ୟକ୍ଷା ମାଇକ୍ରୋ ଫୋନ୍ ନେଇ କହିଲେ
-- " ଯିଏ ନିଜ ଘରର ଯାବତୀୟ କାମ , ମଧ୍ୟବିତ୍ତ ପରିବାରରେ ସବୁ ଦାୟିତ୍ଵ ତୁଲାଇ ତା ଭିତରେ ସମୟ ବାହାର କରି ନିଜ ଝିଅ କୁ ବିନା ଟିୟୁସନ ରେ ନିଜେ ପଢେଇ ଆଜି ରାଜ୍ୟ ର ଟପ୍ପର କରି ପାରିଛନ୍ତି ସେ ମା'ଙ୍କୁ ଆମ କଲେଜ ତରଫରୁ ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ।
ତାଙ୍କୁ ପୁଣି ଆଉଥରେ କରତାଳି ମାଧ୍ୟମରେ ସ୍ବାଗତ କରିବାକୁ ଅନୁରୋଧ କରୁଛି "
ପୁଣି କରତାଳି ଖେଳିଗଲା ଗୃହଟି ସାରା
ତାପରେ ଅଧ୍ୟକ୍ଷା ଯୋଡିଲେ -- " ଚାଲନ୍ତୁ ତାଙ୍କ ମୁହଁରୁ କିଛି ଶୁଣିବା "
ସୁମିତ୍ରା ଶାଢ଼ୀ କାନିରେ ଲୁହ ପୋଛୁଥାଏ ।
ଶ୍ରଦ୍ଧା ମାଇକ୍ରୋ ଫୋନ୍ ଅଧ୍ୟକ୍ଷା ଙ୍କ ହାତରୁ ନେଇ ଲୁହ ଛଳ ଛଳ ଆଖି କରି କାନ୍ଦିକି କହିଲା
-- " ମୋ ମାମା ଯାହା କୁହେ ଲେଖିକି କୁହେ , ମାମା କଥା କହି ପାରେନି ଛୋଟ ବେଳୁ "
ଉତ୍ସବ ଗୃହଟି ହଠାତ୍ ଶାନ୍ତ ପଡ଼ିଗଲା ସାକ୍ଷାତ ଇଶ୍ବରଙ୍କୁ ଦେଖିଦେବା ପରି ।
---------------------୦୦୦------------------
✍️.. ପରମେଶ୍ବର ଓଝା
ମହାକାଳପଡ଼ା , କେନ୍ଦ୍ରାପଡ଼ା
ମେଲ୍-- ojhaparameswar@gmail.com
ମୋ -- ୬୩୫୫୧୩୩୩୦୧