ସ୍ୱପ୍ନ ସହ ନିନି
ସ୍ୱପ୍ନ ସହ ନିନି
କେବେ କେମିତି ଆଖିର ସରହଦ ଭିତରେ ସାଇତା ହୁଏ ଅଦେଖା ସ୍ୱପ୍ନ ଟିଏ । ଆଉ ଲାଗିଯାଏ ତମାମ ଜୀବନ ସେଇଟିକୁ ବାସ୍ତବ ରୂପ ଦେବାକୁ ।
★★★★★★★★
ଆମେ ଜୀବନକୁ ଦେଖୁ ନିଜ ନିଜର ଲେନ୍ସରେ । କେବେ ଚିତ୍ରିତ ପୁଣି କେବେ କଳା ଧଳା । ଦେଖିବାର ଦୃଷ୍ଟି ଟିକକ କିନ୍ତୁ ସବୁବେଳେ ପର୍ଯ୍ୟାପ୍ତ ନୁହେଁ । କେବେ କେମିତି ଉଣା ହେଇଯାଏ ଆମର ନଜର ଟିକକ ଦେଖିବାକୁ ଇପ୍ସିତ ।
ନିନି ଆଉ ଥରେ ଦେଖିଲା ନିରିଖେଇ , ନା' ହେଇନାହିଁ ଏଯାଏଁ ଆଖିଦୃଶିଆ ।.....
ବୟସ କେତେ ହେଲା ତା'ର , ବୋଉ ଥିଲେ କହିଥାନ୍ତା । କିଏ ଆଉ ଜାଣିଛି ଏଠି ତା'ର ପ୍ରକୃତ ବୟସ । ହରିଆ ମା' ବୁଢ଼ୀ କୁହେ ସେ ଯେତେବେଳେ ମିଳିଥିଲା ଏଇ ରେଳ ଷ୍ଟେସନରେ ତା' ବୟସ ହେଇଥିଲା ପାଞ୍ଚ କି ଛ । ସେବେଠାରୁ ଆଜିଯାଏଁ ଯଦି ଗଣିବା ତେବେ ସତର ବର୍ଷ ହେବ ତାକୁ ।
କିନ୍ତୁ ଦେଖିଲେ ଲାଗିବ ସାତ କି ଆଠ । କହୁଥିଲା ଚେରୀ ,'' ତୁ ଝିଅ ନୋହୁଁ ବୁଝିଲୁ । ତୁ ବୋଧେ ସେଇ , ମାନେ ବୁଝୁଛୁ ଟି ?''
ନିନି ର ଆଖି ଦୁଇଟା ଭରିଗଲା । ଭାରି ଯନ୍ତ୍ରଣା ହେଲା ଏତକ ଶୁଣି । ଅବଶ୍ୟ ହରିଆ ମା ' ଏଯାଏଁ ଆଶା ରଖିଛି । ଖାଇଲା ପିଇଲା ଘର ପିଲାଏ ସିନା ଚଞ୍ଚଳ ବଡ଼ ହେବେ ଏ ରଙ୍କ ଛୁଆ ଗୁଡା ହେବେନି । ସମୟ ହେଇନି ଏଯାଏଁ ମଁ । କିଏ କହିଦେଲେ କ'ଣ ହେଇଯିବ ?........
ହରିଆ ମା କଥା ଭଲ ଲାଗେ ଶୁଣିଲେ , ଟିକେ ବିଶ୍ୱାସ ଆସେ । ହଁ ତାଙ୍କ ଭଳିଆ ସୁକୁଟା ଦେହରେ କେତେ ରକତ ଯେ ନିଗାଡି ହେବ ଏଡ଼େ ସହଳ !..........
ହେଲେ ତା' ସହ ଖେଳୁ ଥିବା ଚେରୀ , ବୁଲି , ରିନି ସଭିଏଁ ତ ସେମିତି ଦେଖିବାକୁ ଠିକ ତା' ଭଳି ସୁକୁଟା । ତେବେ ସେମାନେ କେମିତି ??..........
ଝିଅ ଟିଏ ହେବା କେତେ କଷ୍ଟ ଆହା !
ସବୁବେଳେ ଝିଅଟିକୁ ନେଇ ହଜାରେ ଟିକାଟିପ୍ପଣୀ । ଆମ ଆଖପାଖ ଲୋକକଙ୍କ ନଜର ବେଶୀ ଝିଅଙ୍କ ଉପରେ । ଆରେ ସେ ଝିଅ ହେଉ କି ସେ ହେଉ ଅନ୍ୟ କିଛି ଲୋକଙ୍କର ମୁଣ୍ଡ ବଥଉଛି କିଆଁ ?? ବେଳେବେଳେ ଏମିତି ଭାବେ ନିନି । କିନ୍ତୁ ଯେତେବେଳେ ମୁହଁ ସଞ୍ଜ ବେଳେ ଦେଖେ ରିକୁ ଭାଇକୁ ମନ ଭିଜି ଯାଏ । ଭଲ ଲାଗେ ତାକୁ ପିଲାଟା । କେମିତି ଗୋଟେ ଆପଣାର ଲାଗେ ତା' କଥା ସବୁ । କିନ୍ତୁ ସେ ଯଦି ଝିଅଟେ ହିଁ ନୁହେଁ ତେବେ ଆଉ କି ଲାଭ ?.....
****************
ପୂଜା ଥିଲା ସେଦିନ , ଝିଅଙ୍କ ପୂଜା କୁମାର ପୂର୍ଣ୍ଣିମା । ବୋଉ କି ଘର ଉଭୟ ନଥିବା ନିନି ପାଇଁ ଏଇଟା ଗୋଟାଏ ଦୁଃଖ ଦିନ । ରେଳ ଷ୍ଟେସନ ରେ ଜୀବନ ଜୀଉଁଥିବା ତା' ଭଳି ଅଲୋଡ଼ା ଗୁଡାଙ୍କର କି ପୂଜା ଆଉ ?
ସେ କିନ୍ତୁ ଏଇ ପୂଜାଟା ଜାଣେ କାରଣ ରିକୁ ଭାଇ ସେଦିନ ଲଡୁ ଆଣିକି ଆସେ ତା ଛୁଆ ଭଉଣୀ ଚେରୀ ପାଇଁ । ତାଙ୍କର ବୋଉ ଅଛି । ସେମାନେ ବି ଏଇ ଷ୍ଟେସନରେ , କିନ୍ତୁ ନିନି ଠୁ ଭାଗ୍ୟବାନ ।
ଚେରୀ ଆଜି ଧୁଆଜାମା ଟେ ପିନ୍ଧେ । ମା' ମାଗିକି ଆଣିଥାଏ ବାବୁ ଘରୁ । ପାଇଟି କରେ ସେ କିଛି ଲୋକଙ୍କ ଘରେ । ଆଉ ସେଇଟା ପିନ୍ଧି ଚେରୀ ପୂଜା କରେ ବୃନ୍ଦାବତୀ ପାଖରେ । ଡାକି ନିଏ ନିନିକୁ ସାଥିରେ ପୂଜା କରିବାକୁ । କୁହେ , '' ଦେଖ ଚାନ୍ଦ ଆସିବା ଆଗରୁ ପୂଜା କରିବାକୁ ପଡିବ ନହେଲେ ବୁଢା ବର ଟେ ମିଳିବ ।''
ନିନି ଆକାଶକୁ ନିଘା କରିଥାଏ ଅପଲକ ଆଖିରେ । ଆଉ ଚାନ୍ଦ ଆସିବା କ୍ଷଣି ପୂଜା କରେ ଚେରୀ ସହ ମିଶି । ସବୁକିଛି ଚେରୀର ଲଡୁ , ଫୁଲ , ସଞ୍ଜ ବତୀ , ଧୂପ କାଠି । ନିନି କେବଳ ଆଣେ ଟିକେ ଗୁଡ଼ ବାସ୍ । ପୂଜା କରି ମାଗେ ରିକୁ ଭାଇକୁ ।&
nbsp;
ଏବର୍ଷ କିନ୍ତୁ ପୂଜା ହେବନି । ଚେରୀ କରିବ ନାହିଁ ପୂଜା । ତା' ମନ ସେଥିପାଇଁ ବହୁତ ଦୁଃଖ । ଏଇ ପୂଜା ଆଉ କେହି କଲେ ହେବନି । ନିଜେ କଲେ ସିନା ବର ପାଇବ । ତେଣୁ ନିନି ର ବି ପୂଜା ବନ୍ଦ।
ନିନି କୁ ସାରା ରାତି ନିଦ ନାହିଁ । ହରିଆ ମା' ବୁଢ଼ୀ ଘୁଡୁଘୁଡୁ ହେଉଛି ତା' ପାଖରେ । ସେଇ ତ ତାକୁ ରଖିଛି ନିଜର କରି ।
ସେ କିନ୍ତୁ ଅନ୍ଧୁଣି ଟା । ପୂଜା ପାଠ କରିବ ଆଉ କ'ଣ ? ଭିକ ମାଗେ ନିନି କୁ ଧରି । ଗୀତ ଗାଇଗାଇ ଟ୍ରେନ ସାରା । ନିନି କୁ ଭଲ ଲାଗେନି ଏଇ ଭିକାରୀ ଜୀବନ କିନ୍ତୁ ଆଉ ଭିନ୍ନ ଉପାୟ ବି ତ ନାହିଁ ।
ହରିଆ ମା' କିଛି ନକଲେ ବି ନିନି ର ମା' ଭଳିଆ । ତା' ଦେହ ପା କଥା ବୁଝେ । ଭଲ ମନ୍ଦ ପାଇଲେ ଖାଇବାକୁ ଦିଏ । ଲୁଗା ପଟା ମାଗି ଯାଚି ଯୋଗାଡ଼ି ଦିଏ । ଆଉ ଭଲ ପାଏ ତା' ତରିକାରେ ।
ସେଇ ବୁଝେଇ ବାଝେଇ କହିଛି , '' ଆର ବର୍ଷ କୁ ତୁ ବି ଝିଅଟିଏ ହେଇଯିବୁ ମୋ ମନ କହୁଛି ଲୋ । ଆଉ ଚାନ୍ଦ ଭଳିଆ ବର ଟିଏ ଯୋଗାଡ଼ି ନେବୁ ସେଇ ପୁନେଇଁ ଜହ୍ନ ରାଣ ।''
ନିନି ପୁଣି ଦେଖିଲା ଆକାଶକୁ ଆଉ ଥରେ ନିଜକୁ । ନା' ସେ ଝିଅଟେ ଭଳି ନୁହେଁ । ତା' ଭିତରେ ଗୋଟେ ପରିପୂର୍ଣ୍ଣ ଝିଅଟେ ସାଇତା ହେଇନି । ସେ ଏମିତି ଅଧା ଅଧୁରା ସାରା ଜୀବନ । ରିକୁ ଭାଇ କେବଳ ଗୋଟେ ଅଦିନିଆ ଝଡ଼ । ଯେ କେବଳ ଭାଙ୍ଗି ରୁଜି ପାରେ , ଖିନଭିନ କରିପାରେ , ଧୂଳି ଧୂସର କରିପାରେ କିନ୍ତୁ ଭିଜେଇ ପାରେନି କେବେ ।
ଭିଜିବାର ପର୍ବ କେବଳ ବର୍ଷା ଆଣିପାରେ କିନ୍ତୁ ସେ ବର୍ଷୁନଥିବା ଶ୍ରାବଣ । ସେଠି ଆଉ ଫୁଲ ଫୁଟିବ କେମିତି ?
ଭାରି ଯନ୍ତ୍ରଣା ହେଉଛି ସତରେ , ସେ ଚେରୀ ଭଳି ହେଇଯିବାକୁ ଚାହୁଁଚି ପ୍ରବଳ ଭାବରେ । ସେମିତି ପରିବର୍ତ୍ତନ ଖୋଜୁଛି ନିଜ ଭିତରେ ବଡ଼ ବିକଳ ହେଇ । ସୃଜନର ସଂକେତ କେତେ ସଜଳ କିଏ ଆଉ ବୁଝେଇପାରିବ ତା' ବ୍ୟତୀତ ?
ବିନ୍ଦୁଏ ସିନ୍ଦୁର ,ଦୁଇପଟ ଶଙ୍ଖା , ଆଉ ଗୋଟେ ମନର ମଣିଷ ଏଇତକ ତ ସ୍ୱପ୍ନ ସବୁ ମଣିଷର । କେମିତି ନିନି ଏଇ ରୀତିରୁ ମୁକୁଳି ଯିବ ଭଲା । ବଡ଼ ଘରର ଝିଅ ସିନା ପାଠ ପଢ଼ନ୍ତି , ଚାକିରୀ ବାକିରି କରନ୍ତି , ପୁଅଙ୍କ ସହ ପାଦ ମିଶେଇ ଚାଲନ୍ତି । ବହାହୁଅନ୍ତି ବହୁତ ଡେରିରେ । ନିଜେ କିଛି ଗୋଟାଏ କରି ଦେଖେଇଲେ ଯାଇଁ ଘର ସଂସାର କରନ୍ତି ମନ ହେଲେ ନୋହିଲେ ରୁହନ୍ତି ସମାଜ ସେବୀକା ହେଇ ବା ହୁଅନ୍ତି ଆଉ କିଛି ବଡ଼ ଲୋକ । ହେଲେ ନିନି ଭଳି ଝିଅଙ୍କ ଜୀବନର ଗୋଟିଏ ଲକ୍ଷ୍ୟ ଘର ଗଢିବା । କାରଣ ନଥାଏ ତାଙ୍କର ଘର ବୋଲି କିଛି । ଏଇ ଷ୍ଟେସନର ଜୀବନରେ ଚାରିକାନ୍ଥ ଥିବା ଘରଟେ ଲୋଡ଼ା ପଡେନି । କାହିଁ ସମ୍ବଳ ଯେ ଭାବିବ ମଣିଷ । ଗରିବ ହେବା ନିଜ ଭିତରେ ଗୋଟେ ଅଭିଶାପ । ସେଠି ଆବଶ୍ୟକତାର ଚଦର ଭାରି ଛୋଟ ।
ନିନି ଯଦି ଝିଅଟିଏ ହେବ ନାହିଁ ତେବେ ତା' ଭିତରେ ସାଇତା ଏଇ ଆଦେଖା ସ୍ୱପ୍ନଟି ସାକାର ହେବନାହିଁ କେବେବି । ଭାରି କାନ୍ଦ ଲାଗିଲା ତାକୁ । ସେ ଶୋଇଗଲା ହରିଆ ମା'ର କାନିକୁ ଘୋଡ଼ି ହେଇ ।
********
ସକାଳର ସୂର୍ଯ୍ୟ ଆସିବାକୁ ଡେରି କଲେ ବୋଧେ । କାଇଁ ନିଦ ଭାଙ୍ଗିଲା ନାହିଁ ଜମା ।ଉଠିଲା ବେଳକୁ ବେଳ ଆସି କେତେ କେଜାଣି ଦଶଟା ବେଳେ ଲାଗୁଥିବା ଗାଡିଟା ଠିଆ ହେଇଥିଲା । ତରତର ହେଇ ଉଠି ପଡ଼ିଲା ନିନି , ଏଥୁରୁ ଭଲ ରୋଜଗାର ହୁଏ । ବହୁତ ଜଳଖିଆ ମିଳେ ଏଠୁ । ସକାଳ ଜଳଖିଆ ଖିଆ ଲୋକେ ଦେଇଦିଅନ୍ତି କିଛି କିଛି ।
ଉଠି ଯିବା ବେଳକୁ କିନ୍ତୁ ଯାଇ ପାରିଲା ନାହିଁ ନିନି । ଯିବାକୁ ଥିଲା ତାକୁ ନିଜ ପୂର୍ଣ୍ଣତାର ପରିଚୟ ପାଇବା ପରବର୍ତ୍ତୀ ପର୍ବ ପାଇଁ । ସେ ଥିରି ହଲେଇଲା ହରିଆ ମା' କୁ ନିଦରୁ ।