ABhimanyu Panda

Others

3  

ABhimanyu Panda

Others

ସ୍ୱାଭୀମାନ

ସ୍ୱାଭୀମାନ

8 mins
168



ଜଣେ ଅବସରପ୍ରାପ୍ତ ସୈନିକ , ବୟସର ଅପରାହ୍ନରେ ଉପନୀତ । ସୈନିକ ନିତିନିୟମର ଦିନଚର୍ଚା ଯୋଗୁଁ , ଚେହେରାରେ ବୟସର ଛାପ ଏତେ ବାରିହେଉନି । ବୟସର ତାରତମ୍ୟ ସତ୍ତ୍ୱେ ସେ ମୋର ଜଣେ ବନ୍ଧୁ , ଶୁଭଚିନ୍ତକ ଓ ସହଯୋଗୀ ମଧ୍ୟ । 


        ଆଉ ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ । ଜୀବନର ପ୍ରାୟ ଷାଠିଏ ବସନ୍ତ ଭୋଗ କରିସାରିଲେଣି । ଆଖିର ଚମକ , ବ୍ୟବହାରରେ ଶାଳୀନତା , ଆଉ ଅନୁଶାସନ ପୂର୍ଣ୍ଣ ଜୀବନ ତାଙ୍କୁ ଆଜିବି ଚଳଚଞ୍ଚଳ କରି ରଖିଛି । ଏ ମହିଳା ଜଣଙ୍କ ସହିତ ମଧ୍ୟ ମୋର ସମ୍ପର୍କ ଅତି ଆପଣାର । ଅତୀ ସ୍ନେହୀ ,ମମତାର ପ୍ରତିମୂର୍ତ୍ତି । ମାତୃତ୍ବର ଉବୁଟୁବୁ ହେଉଥିବା ତାଙ୍କ ମନ, ମୋର ତାଙ୍କ ପ୍ରତି ସମ୍ମାନକୁ ବହୁଗୁଣ ବଢ଼େଇ ଦିଏ । 


   ମୋର ଏହି ଦୁଇଜଣ ପ୍ରିୟ ବ୍ୟକ୍ତି ଅବିବାହିତ । ଉଭୟଙ୍କ ପରିବାର ସମ୍ପନ୍ନ ,ଉଚ୍ଚଶିକ୍ଷିତ । ଆଖପାଖ ଦଶଖଣ୍ଡ ଗାଁରେ ଏମାନଙ୍କର ଖାତିର ଓ ସମ୍ପନ୍ନତାର ଦୃଷ୍ଟାନ୍ତ ଦିଆହୁଏ । ଏଇ ମାନଙ୍କ ଆଖିଆଗରେ ମୁଁ ବଡ଼ ହେଇଛି ,ଏମାନଙ୍କ କୋଳରେ ଖେଳିଛି ମଧ୍ୟ । ମୋ ମନରେ କେବେବି ଏମାନଙ୍କର ଅବିବାହିତ ରହିବାର କାରଣ ବିଷୟରେ ଜାଣିବାର ଜିଜ୍ଞାସା ମୋ ମନରେ କେବେବି ଆସିନି !! କିନ୍ତୁ ପ୍ରତିବର୍ଷ ଏକ ନିର୍ଦିଷ୍ଟ ଦିନରେ ମହିଳା ଜଣକ ଏକ ନିର୍ଦିଷ୍ଟ ଖାଇବା ତିଆରି କରି ମୋ ହାତରେ ପଠାନ୍ତି ଅଭୟ (ଅବସର ପ୍ରାପ୍ତ ସୈନିକ ଜଣଙ୍କର ନାମ ) ପାଖକୁ । ତା ସହିତ ତାଗିଦ କେବଳ ଅଭୟ ହାତରେ ଦବୁ ,ଆଉ କାହାକୁ ନୁହଁ । ମୁଁ ବି ମୋ କର୍ତବ୍ୟରେ କେବେ ଖିଲାପ କରିନି । 


        ପ୍ରତିଥର ଅଭୟ ବି ସେହି ନିର୍ଦିଷ୍ଟ ଦିନରେ ମତେ ଅପେକ୍ଷା କରିଥାନ୍ତି ସେଇ ନିର୍ଦିଷ୍ଟ ଖାଇବାକୁ ମୋ ହାତରୁ ନେବାକୁ । ମୋ ଜାଣତରେ ସେ ଦୁଇଜଣ କେବେବି ମୁହାଁ ମୁହିଁ କଥା ହେଇନାହାନ୍ତି । ମୁଁ ଛୋଟରୁ ବଡ଼ ହେଲି ,ତଥାପି ମୋ କାମ ପୂର୍ବବତ ,ବର୍ଷରେ ଥରେ ମୋ ଡ୍ୟୁଟିରେ କିଛିବି ପରିବର୍ତ୍ତନ ଆସିନି । ଉଭୟଙ୍କୁ ଏ ବିଷୟରେ ଯେବେବି କିଛି ପଚାରେ ,ଉଭୟେ କିଛି ନା କିଛି ବାହାନା କରି ମୋ କଥାକୁ ଏଡ଼ାଇ ଦିଅନ୍ତି । ଧିରେ ଧିରେ ମୋ ଜିଜ୍ଞାସା ପ୍ରବଳ ହେଉଥାଏ ଏ ଦୁହିଁଙ୍କ ବିଷୟରେ ଜାଣିବାକୁ । ସେମାନଙ୍କ ସମକାଳୀନ ବହୁତ ଜଣଙ୍କୁ ପଚାରିଛି କେହି କିଛି କୁହନ୍ତିନି । ସେମାନେ ବି ଏଡ଼ାଇ ଯାନ୍ତି ମୋ ପ୍ରଶ୍ନକୁ । ଏମିତି ଜିଜ୍ଞାସା ଭିତରେ ବର୍ଷର ସେଇ ନିର୍ଦିଷ୍ଟ ଦିନ ( ପନ୍ଦର ଅଗଷ୍ଟ) ପୁଣି ଆସିଲା । ସବୁଥର ପରି ଏଥର ବି ଅଳକା ମା (ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ) ମତେ ଡାକି ମୋ ହାତରେ ପୁଡ଼ିଆଟି ଧରେଇଦେଇ ,ଅଭୟଙ୍କୁ ଦବାକୁ ଆଦେଶ ଦେଲେ । ଏଥର କିନ୍ତୁ ମୁଁ ନିଜକୁ ପ୍ରସ୍ତୁତ କରି ଆସିଥିଲି । ସେ ଦୁହିଁଙ୍କ ବିଷୟରେ ଜାଣିବାକୁ । ହଁ ମୁଁ ଦେଇଦେବି ଯେ କିନ୍ତୁ ଗୋଟେ ସର୍ତ୍ତ ଅଛି ,ମୁଁ କହିଲି ??? ହଉ ହଉ ଯା ଏଥର ପାଞ୍ଚଶହ ଟଙ୍କା ଦେବି ହେଲା । ତୁ ଡେରି ନ କରି ଜଲଦି ଯା । ସେ ଚାହିଁଥିବେ । ନା ମା' (ଗାଁ ସମ୍ପର୍କରୁ ସେ ମୋର ସାଆନ୍ତ ମା ଲାଗନ୍ତି ) ମୁଁ ପଇସା ନେବିନି ଏଥର । ମୋର କିଛି ପଚାରିବାରେ ଅଛି ,କିଛି ଉତ୍ତର ଦରକାର ମୋର । ଯଦି ମୋ ପ୍ରଶ୍ନର ଉତ୍ତର ମିଳିବାର କଥା ଦବ ତାହେଲେ .। ହଁ ନିଶ୍ଚୟ ଦେବି । ରାଣ ଖାଅ ! ଖାଉଛି । କାହାର ରାଣ ନଉଛ ମା' ? ତୁ ଯାହାର କହିବୁ । ଅଭୟଙ୍କ ରାଣ ଖାଅ । ମହିଷାସୁର ବଧ ସମୟର ମା ଜଗଜ୍ଜନନୀଙ୍କ ଅଗ୍ନିପରି ଜ୍ୱଳନ୍ତ ଆଖିକୁ ପଢ଼ି ଅଳ୍ପକିଛି ଅନୁଭବ କରିଥିଲି । କିନ୍ତୁ ମୋ କଥାରେ କ୍ଷଣିକ ଭିତରେ ଏ ଅଳକା ମା'ର ଆଖିରେ ଯେଉଁ କ୍ରୋଧଗ୍ନି ଜଳି ଉଠିଲା ,ମତେ ଲାଗିଲା ଯେମିତି ମୁଁ ପୋଡ଼ି ଜଳି ପାଉଁଶ ହେଇଯିବି । ଆଖିରେ ଆଖି ନ ମିଶେଇ ,ମନରେ ସାହସ ବାନ୍ଧି ପୁଣି ଥରେ ମୋ କଥାକୁ ଦୋହରେଇଲି । କୁହ ମା' ଯିବି ନା ନାଇଁ । କିଛି ସମୟରେ ମୋ ମୁଣ୍ଡରେ ହାତ ଦେଇ ମା' କହିଲେ ତୁ ଯା । ଯାହା ପଚାରିବୁ ମୁଁ କହିବି । ଆଉ ଡେରି କରନି । ତାଙ୍କ ଆଖିରୁ ଦୁଇଟୋପା ଲୁହ ତାଙ୍କ ହାତ ଚକିର ପିଠିରେ ପଡ଼ି ଚକ୍ ଚକ୍ କରୁଥିବା ମୁଁ ଦେଖୁଥିଲି । ଆଉ ପୁଡ଼ିଆଟେ ଧରି ଘରୁ ବାହାରି ଗଲି ଅଭୟଙ୍କ ପାଖକୁ । ସେ ବି ମୋ ଆସିଲା ବାଟକୁ ଚାହିଁବସିଥିଲେ (ହିସାବରେ ଅଭୟ ମୋର ନାତି ) ପୁଡ଼ିଆଟି ଲାଗି । ତାଙ୍କ ହାତକୁ ପୁଡ଼ିଆଟି ଦଉ ଦଉ ମୁଁ କହିଲି ,ବାଃ ବୃଦ୍ଧ କାଳେ ବାଲ୍ୟଲୀଳା । ମୋ କଥାରେ ଅଭୟ ଆଶ୍ଚର୍ଯ୍ୟ ହେଇ ମତେ ଚାହିଁଲା !! ମୁଁ ସମୟ ନଷ୍ଟ ନ କରି ଧାଇଁଲି ଅଳକା ମା' ପାଖକୁ .....। 


        ଆସିଗଲୁ... ଅଳକା ମା' ପଚାରିବା ସଙ୍ଗେ ସଙ୍ଗେ କହିବା ଆରମ୍ଭ କଲେ । ଅଭୟ ଆଉ ମୋର ସମ୍ପର୍କ ବିଷୟରେ ଜାଣିବାକୁ ଚାହୁଁଛୁ ? କଣ ପଚାରିବୁ ? ଶୁଣ । ଅଭୟ ଆଉ ମୁଁ ଗୋଟେ ସ୍କୁଲରେ ପଢ଼ୁଥିଲୁ । ସାଙ୍ଗ ହେଇ ଖେଳୁଥିଲୁ ,,। ଏ ଭିତରେ ଆମେ କେତେବେଳେ ବାଲ୍ୟ ସୁଲ୍ଲଭ ମନ ଭିତରୁ ମୁକ୍ତହେଇ , କୈଶୋରାବସ୍ଥାକୁ ଅତିକ୍ରମ କରି ଯୌବନରେ ପ୍ରବେଶ କରିସାରିଥିଲୁ ଆମ ଅଜାଣତରେ । ଅଭୟ ତାଙ୍କ ପସନ୍ଦ ମୁତାବକ ଭାରତୀୟ ସେନାରେ ଚାକିରୀ ପାଇଲେ ,ମୁଁ ବି ମୋର ପସନ୍ଦ ଅନୁଯାୟୀ ଶିକ୍ଷକତା କରିବାକୁ ଆବଶ୍ୟକ ଉଚ୍ଚ ଶିକ୍ଷାରେ ଲାଗି ପଡ଼ିଲି । ପ୍ରଥମ ଛୁଟିରେ ଅଭୟ ଗାଁକୁ ଆସିଥିଲେ ,ଏମିତି କଥାରେ କଥାରେ ମତେ ଜୀବନ ସାଥି କରିବାକୁ ଚାହୁଁଛନ୍ତି ବୋଲି କହିଲେ । ମୁଁ ବି ଚାତକ ପରି ଚାହିଁ ରହିଥିଲି ତାଙ୍କର ଏ ଶବ୍ଦକୁ । ଅବିଳମ୍ବେ ତାଙ୍କ ପ୍ରସ୍ତାବକୁ ସ୍ୱୀକାର କରିଥିଲି ,ସର୍ତ୍ତ ଥିଲା ଯେ ମୁଁ ଶିକ୍ଷକତା କଲା ପରେ ଆମେ ବିବାହ କରିବା । ଅଭୟ ମଧ୍ୟ ମୋ ଇଛାକୁ ସମ୍ମାନ ଜଣାଇ ସ୍ୱୀକୃତି ପ୍ରଦାନ କରିଥିଲେ । ପାଠପଢ଼ା ପରେ ମୁଁ ଚାକିରୀବି ପାଇଲି । ଅଭୟ ପୁଣି ଛୁଟିରେ ଗାଆଁକୁ ଆସିଲେ । ମୋର ବାପା ,ଭାଇ ମୋ ବାହାଘର ପାଇଁ ଯୋଗ୍ୟ ପାତ୍ର ଖୋଜୁଥାନ୍ତି । ଅଭୟ ତାଙ୍କ ବାପା ମା' ଆଉ ମୁଁ ଆମ ଘରେ ଆମର ପସନ୍ଦ ବିଷୟରେ ଜଣାଇଲୁ । 


       ଏଇଠୁ ଆରମ୍ଭ ହେଲା ସମାଜର ନିର୍ଯ୍ୟାତନା । ସଂସ୍କାର ଆଉ ମାନବିକତାର ଦ୍ୱାହି । କାରଣ ଅଭୟ ଉଚ୍ଚ ଜାତି ବ୍ରାହ୍ମଣ ପରିବାରର ଆଉ ମୁଁ କ୍ଷତ୍ରିୟ କୁଳର । ଉଭୟ ପରିବାର ଭିତରେ ଆରମ୍ଭ ହେଲା ଖଣ୍ଡ ଯୁଦ୍ଧ ,। କିଏ ଅପରାଧୀ ଆଉ କଣ ଅପରାଧ ଏହାର ବିଚାର ନ କରି ସମସ୍ତେ କେବଳ ଦଣ୍ଡ ବିଧାନର ବ୍ୟବସ୍ଥା କରୁଥାନ୍ତି ,ଅନ୍ୟ ଜଣକ ଲାଗି । ଏ ସବୁ ଭିତରେ ଅଭୟ ରାଗି ନିଜ କର୍ମ କ୍ଷେତ୍ରକୁ ଫେରିଗଲେ । ଭାରି ସ୍ୱାଭିମାନୀ । ମୁଁ ବି ବାପା ମା'ଙ୍କୁ ରୋକଠୋକ ଶୁଣାଇଦେଲି କି ମୁଁ ଅନ୍ୟତ୍ର ବିବାହ କରିବିନି । ଘରେ ଯେତେ ଚାପ ପକେଇଲେବି ମୁଁ ଅଭୟଙ୍କ ଆସିବା ବାଟକୁ ଚାହିଁ ସବୁ ସହି ଯାଉଥାଏ । ଏ ଭିତରେ ଦଶବର୍ଷ ବିତିଗଲା । ଏ ଦଶବର୍ଷ ଭିତରେ ଅଭୟଙ୍କର କିଛିବି ଖବର ଆସିନଥିଲା । ଦଶବର୍ଷ ପରେ ଅଭୟ ଗାଁକୁ ଆସିଲେ , । ଆମର ପୁଣି ଦେଖାହେଲା । ମୁଁ ଏ ଯାଏ ବାହା ନ ହବାର କାରଣ ଜାଣିବାକୁ ଚାହିଁଲେ ଅଭୟ । ଗୋଟେ ଭାରତୀୟ ହିନ୍ଦୁନାରୀ ଗୋଟେ ସ୍ୱାମୀ ଥାଉ ଥାଉ ଅନ୍ୟତ୍ର ବିବାହ କଲେ ତାକୁ ପତିତା କୁହନ୍ତି ,ଆଉ ମୁଁ ତୁମର ସ୍ତ୍ରୀ ତେଣୁ ଦ୍ଵିତୀୟ ବିବାହର ପ୍ରଶ୍ନ ଉଠୁନି । ତମେ ଏ କଥା ପଚାରିପାରିଲ କେମିତି !!? ଅଭୟ ପୂର୍ଣ ଆଶ୍ୱସ୍ତ ଆଉ ବିଶ୍ୱାସ ଭରା ନଜରରେ ମତେ ଚାହିଁ କହିଲେ ,ମୁଁ ବି ଠିକ ତୁମ ପରି ଭାବୁଛି । ମୁଁ ଚାହିଁଥିଲେ ତମକୁ ନେଇ ଯାଇଥାନ୍ତି । ଏ ଦେଶର ଆଇନ ବ୍ୟବସ୍ଥା ବି ଆମକୁ ସମର୍ଥନ ଦେଇଥାନ୍ତା । ତମେ କଣ ଏମିତି କିଛି ଭାବିନ ? ଅଭୟଙ୍କ ପ୍ରଶ୍ନରେ ମୁଁ ହସିଲି । ଦେଖ ଅଭୟ ଆମେ ଉଭୟ ଉଭୟଙ୍କୁ ଭଲ ପାଇବା ସଙ୍ଗେ ସଙ୍ଗେ ଉଭୟେ ଉଭୟଙ୍କ ପରିବାରକୁ ସମ୍ମାନ ମଧ୍ୟ କରୁ । ମା' ସତୀ ଭୋଳାନାଥଙ୍କୁ ସ୍ୱାମୀ ରୂପେ ପାଇବାକୁ କେତେ ଜନ୍ମ ତପସ୍ୟା କରିଥିଲେ ତାର ସଠିକ ବିବରଣୀ କାହା ପାଖରେ ନାହିଁ । ମୁଁ ସେମିତି ଭାବିବାର ପ୍ରଶ୍ନ ଉଠୁନି । ମୁଁ ବି ଆର୍ଥିକ ଭାବେ ତୁମପରି ସ୍ୱାଧୀନ । ତମ ପ୍ରତି ଯେମିତି ତମର ବାପା , ମା' ଙ୍କର ତ୍ୟାଗ ଆଉ ବଳିଦାନର ବୋଝ ଅଛି ମୋ ପ୍ରତି ମଧ୍ୟ ଠିକ ସେମିତି ଅବଦାନ ମୋ ପରିବାର ବର୍ଗଙ୍କର । ମୁଁ ବି ଚାହୁଁଛି ମୋ ବାପାହିଁ ମତେ ତମରି ହାତରେ ଟେକି ଦିଅନ୍ତୁ । ଅଭୟ ପୁଣି ଥରେ ମୋ ବଡ଼ଭାଇଙ୍କୁ ଆମ ବାହାଘର ବିଷୟରେ କହିଲେ । ମୋ ଭାଇ ଅଭୟଙ୍କ ଉପରକୁ ହାତ ଉଠେଇଦେଲେ । ସେଇ ଦିନ ଠାରୁ ଆମେ ଏମିତି ଅଛୁ । ଇଛା ଥିଲା ଅଭୟ ମୋ ମଥାରେ ସିନ୍ଦୁର ପିନ୍ଧେଇ ଥାନ୍ତେ ,,। ହେଲେ ...........


     ଅଳକା ମା' ପାଖରୁ ତାର ଅଙ୍ଗେଲିଭା କାହାଣୀ ଶୁଣିଲାପରେ ମୁଁ ନିଜକୁ ନିଜେ ଧୈର୍ଯ୍ୟ ଧରି ,,,କାର୍ଗିଲ ଯୁଦ୍ଧ ସମୟର କଥା ଭାବୁଥାଏ । ଅଳକା ମା' କେମିତି ଦିନ ରାତି ଆମ ଗାଁ ର ମନ୍ଦିରରେ ବସି ଦୀପ ଜାଳୁଥିଲେ ଆଉ ଦୀପର ସଳିତା ହେଇ ନିଜେ ଜଳୁଥିଲେ । ଆଉ ଯୁଦ୍ଧ ପରେ ଅଭୟ ଘରକୁ ଫେରିଲା ପରେ ମୋରି ହାତରେ ପୁରା ଗାଁରେ ମିଠା ବାଣ୍ଟିବା କାରଣର ଦ୍ଵିତୀୟ ପାର୍ଶ୍ଵକୁ ମୁଁ ଏବେ ବୁଝି ଯାଇଥିଲି । ଆହାଃ କି ସୁନ୍ଦର ଆଉ କରୁଣ ସତ୍ୟ ଏ ! କଣ ପାଇଲା ଏ ସମାଜ ? କି ପ୍ରକାରର ଆଭିଜତ୍ୟ ଏ !? ଏ କଣ ଅଭିମାନ ନା ସ୍ୱାଭିମାନ !? ନା ଅହଂକାର ? ମୁଁ କଣ କରିପାରିବି ,କେବଳ ଏଇ ଗୋଟିଏ ପ୍ରଶ୍ନ ? 


      ଅଳକା ମା'ର ବଡ଼ଭାଇ ,। ଯିଏ ତାଙ୍କ ପରିବାରର ମୁଖ୍ୟ । ତାଙ୍କ ପାଖରେ ପହଂଚି ଅଳକା ମା'ର ସବୁ କାହାଣୀ କହିଲି । ସେ ପୂର୍ବରୁ ତ ସବୁ ଜାଣିଥିଲେ । ମୋ କହିବା ପରେ କାନ୍ଦି ପକେଇଲେ । ଅଳକା ମୋର ଭଉଣୀ ନୁହଁରେ ମୋ ଜୀବନ । ଭାଇର ଅହଂକାର ପାଇଁ ନିଜର ଜୀବନକୁ ବାଜି ଲଗେଇ ଦେଲା । ମୁଁ ଭାଇ ହେଇ ତା ପାଖରେ ଋଣୀ ହେଇ ରହିଗଲି । ଏ ପରିଣତ ବୟସରେବି ଭୟ ଆସୁଛି ତା ସାମନାରେ କଥା କହିବାକୁ । ମୁଁ ଅପରାଧୀ । ତାଙ୍କ କଥାକୁ କାନ ନଦେଇ ମୁଁ ଭିନ୍ନ ଚିନ୍ତାରେ ଚିନ୍ତିତ । ତମେ ଅଭୟଙ୍କ ଘରକୁ ଅଳକା ମା' ର ବିବାହ ପ୍ରସ୍ତାବ ନେଇ ଗଲେ କେମିତି ହୁଅନ୍ତା । ପସରି ଗଲା ନୀରବତା । ପବନର ସାଇଁ ସାଇଁ ଶବ୍ଦରେବି ମୁଁ ଅଭୟଙ୍କର ବିବାହର ରୋଷଣୀ ଶବ୍ଦ ଶୁଣି ପାରୁଥିଲି । ହେଲେ ନୀରବ । ଅଭୟ କଣ ଏବେ ଏହା ସ୍ଵୀକାର କରିବ ? ଜେଜେଙ୍କ ପ୍ରଶ୍ନରେ ମୁଁ ମୋ ଆଖିରେ ଅଳକା ମା' ଆଉ ଅଭୟଙ୍କର ଅଧା ସ୍ୱପ୍ନର ପୂର୍ଣ୍ଣତା କୁ ଦେଖିପାରୁଥିଲି । ହଁ ହଁ ନିଶ୍ଚୟ । ତମେ ଯାଅ ଥରେ । ନିଜ ଅପରାଧର ପ୍ରାୟଶ୍ଚିତ ସୁଯୋଗକୁ ହାତ ଛଡ଼ା କରନି । 


       ଅଭୟଙ୍କ ବାପା ଆଉ ଅଳକା ମା' ର ବଡ଼ଭାଇ ସେମାନଙ୍କ ବାହାଘର ଘର କଥା ହେବା ପରିବର୍ତ୍ତେ ଉଭୟ ଉଭୟଙ୍କୁ କ୍ଷମା ମାଗି ଚାଲିଥାନ୍ତି । ଉଭୟ ପକ୍ଷ ନିଜର କଲାକର୍ମ ଲାଗି ଅନୁତପ୍ତ । ଅଭୟଙ୍କୁ ତାଙ୍କ ବାପା ଡାକି ତାଙ୍କର ବାହାଘର କଥା କହିଲେ । ଅଭୟ ସବୁଦିନ ପରି ଆଜି ବି ନୀରବ । ମୁଁ କିନ୍ତୁ ଉତ୍ତର ପାଇଗଲି । ଝପଟି ଗଲି ଅଳକା ମା' ପାଖକୁ । ମା' ଲୋ ତମେ କନିଆଁ ବେଶରେ ଭାରି ସୁନ୍ଦର ଦେଖାଯିବ । ମା' ଚକିତ ! ମୁଣ୍ଡରେ ଅଧା ଚୁଟି ତ ପାଚି ଗଲାଣି ,ଛାଡ଼ ଛାଡ଼ ସେ ଦାୟିତ୍ୱ ମୋର । ତମ ଭାଇ ଆଉ ଅଭୟଙ୍କ ବାପା ତମ ଦିଜଣଙ୍କର ବାହାଘର କରେଇବେ । ଅଳକା ମା ' ସ୍ଥାଣୁ ପାଲଟିଗଲେ ,ମୂର୍ତ୍ତିଟିଏ ପରି ଅପଲକ ନୟନରେ ମୋ ଆଡ଼କୁ ଚାହିଁ ରହିଲେ । କେତେଯେ ସଂଘର୍ଷ ,କେତେଯେ ଅପମାନ ଯାହା ମନ ଭିତରେ ଥିଲା ସବୁ ଆଖିର ରାସ୍ତା ଦେଇ ପାଦତଳ ପକ୍କା ଘରକୁ ଭିଜେଇ ଚାଲିଥାଏ । ସେ ପୁଣି ନୀରବରେ ବିରହର ମୂର୍ତ୍ତ ଆଜି ସାକାର ରୂପରେ । ହେଲେ ମା ' ମୋ ଖର୍ଚ୍ଚ ଯେମିତି ବନ୍ଦ ନ ହୁଏ । ମା ବସିପଡିଲେ । ହେଲେ ଧାରା ଅନବରତ । ଧାରାକୁ ନରୋକି ମୁଁ ଚାଲି ଆସିଲି ,,ବିଜୟର ଲୁହ ନେଇ । 


         ଗଳାରେ ମାଳତୀ ଫୁଲର ମାଳା , ଶରୀରରେ କେଶର ଚନ୍ଦନର ଲେପ , ପ୍ରାଣପ୍ରିୟା ସୁନ୍ଦରୀ ବାହୁ ବନ୍ଧନରେ ଥିଲା ବେଳେ ଭାବନା ସ୍ୱର୍ଗ ର ଉପସ୍ଥିତିର ହିଁ ଆସେ ,ଏମାନଙ୍କର ଯୌବନତ ସମାଜ ଖାଇଗଲା । ନବ ଯୁବତୀ ମାନେ ପୁରୁଷର ହୃଦୟରେ ପ୍ରବେଶ କରି କଣ ଯେ ନ କରନ୍ତି । ମନ ମୁତାବକ ପୁରୁଷ ସାମ୍ନାରେ ପାଇଲେ ଏମାନେ ତାଙ୍କୁ ବସୀଭୁତ କରିଦିଅନ୍ତି ,ନିଜର କାମନା ମୋହରେ ପୁରୁଷକୁ ପାଗଳ ପ୍ରାୟ କରିଦିଅନ୍ତି , ନିଜେ ମଧ୍ୟ ତାଙ୍କର ଅନୁକରଣରେ ପାଗଳିପ୍ରାୟ ହେଇଯାନ୍ତି , ପୁଣି ଆରମ୍ଭ ସମ୍ଭୋଗ, କାମକ୍ରୀଡ଼ା ,ଆଉ ପୁରୁଷ ଯଦି ଦୁରେଇ ଯାଏ ଆରମ୍ଭ ହୁଏ ମିଛ ଅଭିନୟ । ହେଲେ ଏମାନେ ତ ତ୍ୟାଗର ଉଦାହରଣ । ସବୁ ଭଲପାଇବା ଉର୍ଧ୍ଵ ରେ ଏମାନଙ୍କ ପ୍ରେମ । ଯାହାର ଆରମ୍ଭରେ ପ୍ରେମ ଆରମ୍ଭ ହୁଏ ଏମାନଙ୍କର ତ ସେ କାମ ଭାବନା ଶୂନ୍ୟ ପ୍ରାୟ । ତଥାପି ଉଭୟ ଉଭୟଙ୍କ ସାନିଧ୍ୟକୁ ବ୍ୟାକୁଳ । କଣ ପାଇଲେ ଏମାନେ ? କଣ ବା ପାଇବେ !? ପାଇବେ ଆଉ ପାଇଛନ୍ତି ଯାହା ପ୍ରତ୍ୟେକଟି ସମ୍ପର୍କର ମୂଳଦୁଆ । ବିଶ୍ୱାସ ଭରସା । ଏମାନେତ ବିଶ୍ୱାସର ,ଭରସାର ଉଦାହରଣ ପାଲଟି ଯାଇଛନ୍ତି । 


       ସେଦିନ ବି ଆସିଗଲା ,ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ଅଭୟ ଅଳକା ମା' ମଥାରେ ସିନ୍ଦୁର ଦେଲେ । ସମାଜର ସ୍ୱୀକୃତି ମିଳିଗଲା ଉଭୟଙ୍କୁ । ବୟସ ଗଡିଯାଇଥିଲେ ବି ଉଭୟଙ୍କର ତପସ୍ୟାର ଫଳ ସ୍ୱରୂପ ଦୁହିଁଙ୍କ ଶରୀର ସ୍ଵର୍ଣପ୍ରାୟ କାନ୍ତି ମୟ ଦିଶୁଥିଲା । ସତେ ଯେମିତି ଈଶ୍ୱର ପାର୍ବତୀଙ୍କ ଯୋଡ଼ି । ମୋ ମନରେ ବିଜୟର ଅହଂକାର । କଥାରେ ଅଛି ଯେଉଁ ସ୍ତ୍ରୀ ପ୍ରେମ ଭାବରେ ଉନ୍ମତ ହୋଇ ଯେଉଁ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଏ ସେ କାମ କରିବାକୁ ସ୍ୱୟଂ ଭଗବାନ ବି ଅଟକାଇ ପାରନ୍ତିନି । ସେ ସନ୍ତାନ ପ୍ରେମ ହଉ କି ସ୍ୱାମୀ ପ୍ରେମ । 

            ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଶବରୀ ଅଇଁଠା ଖାଇଥିଲେଯେ ।

               


Rate this content
Log in