Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Dr Subas Chandra Rout

Others


3  

Dr Subas Chandra Rout

Others


ରମଣୀୟ ଦକ୍ଷିଣ ଆଫ୍ରିକା ଯାତ୍ରା

ରମଣୀୟ ଦକ୍ଷିଣ ଆଫ୍ରିକା ଯାତ୍ରା

11 mins 576 11 mins 576

ରୁଟିନ ବା ଦୈନନ୍ଦିନ ଜୀବନରେ ଏକା କାମ କରି କରି ମଣିଷ ଅନାସକ୍ତ ହୋଇଯାଏ । ବେଳେ ବେଳେ ମନେହୁଏ ସବୁ କିଛି ଛାଡ଼ି ଛୁଡ଼ି ଦେଇ କୁଆଡ଼େ ପଳେଇବାକୁ, କିନ୍ତୁ କୁଆଡ଼େ ବି ଯାଇ ହୁଏନି । ଗୋଟିଏ ଅଦୃଶ୍ୟ ବନ୍ଧନରେ ଜୀବନ ବାନ୍ଧି ହୋଇରହିଛି । ପର୍ଯ୍ୟଟନ ଏଥିରୁ ଆମକୁ ସାମୟିକ ମୁକ୍ତି ଦିଏ । ଭ୍ରମଣ ସମୟରେ ଆମେ ପ୍ରଭୂତ ଆନନ୍ଦ ପାଉ । ପରବର୍ତ୍ତୀ ସମୟରେ ସେଇ ଅନୁଭୂତି ବୃତ୍ତାନ୍ତ ଯେତେବେଳେ ମନେ ପଡ଼େ, ସେତେବେଳେ ମଧ୍ୟ ମନ ଆନନ୍ଦମୟ ହୋଇଯାଏ । ଅବସୋସ, ଏହି ଭ୍ରମଣ ପାଇଁ ସମୟ ଓ ଅର୍ଥ ଯୋଗାଡ଼ କରିବା ଏକ ମଧ୍ୟବିତ୍ତ ପରିବାର ନିମନ୍ତେ କାଠିକର ପାଠ ହୁଏ । ମୋ ଜୀବନରେ ଏହି ଭଳି ସମୟ ଅନେକ ଥର ଆସିଥିଲା କିନ୍ତୁ ଥରେ ଏମିତି ଏକ ସମୟ ଆସିଲା ଯେତେବେଳେ ମୋର ଏହି ଭ୍ରମଣ ବାସନା ଚରିତାର୍ଥ ହୋଇଗଲା । ଏ ମନ ଭାବୁଥାଇ ଯାହା, କାଳେ ପ୍ରାପତ ହୁଏ ତାହା । ସୀମିତ ଖର୍ଚ୍ଚରେ ଦକ୍ଷିଣ ଆଫ୍ରିକା ଭଳି ବିଦେଶ ଭ୍ରମଣ ସମାହିତ ହୋଇଗଲା । 

           ଆମ ଭାରତୀୟମାନଙ୍କର ମନରୁ ଦକ୍ଷିଣ ଆଫ୍ରିକା କେବେ ହେଲେ ଲିଭିବନି । ମହାତ୍ମା ଗାନ୍ଧୀ ସେହି ସ୍ଥାନରେ ଓକିଲାତି ପେସାର ଶୀର୍ଷରେ ପହଞ୍ଚିଥିଲେ ଓ ସେହିଠାରୁ ଆସି ଭାରତରେ ସ୍ଵାଧିନତା ସଂଗ୍ରାମର ବୀଜ ବପନ କରିଥିଲେ । ସେହି ବୀଜ ଦିନେ ମହାଦ୍ରୁମରେ ପରିଣତ ହେବା ପରେ ବିଦେଶୀ କବଳରୁ ଦେଶକୁ ମୁକ୍ତ କରିବାରେ ଗାନ୍ଧୀ ମୂଖ୍ୟ ଭୂମିକା ନିର୍ବାହ କରିଥିଲେ । ମୋତେ ସେଇ ପୂଣ୍ୟ ଭୂମି ଦକ୍ଷିଣ ଆଫ୍ରିକାକୁ ଯିବା ସୁଯୋଗ ମିଳିବାରୁ ମନ ଆନନ୍ଦରେ ଭରିଯାଇଥିଲା । ଏହି ଦେଶର ଗୋଟିଏ ବୈଚିତ୍ର ଅଛି । ଅନ୍ୟ ରାଜ୍ୟ ଭଳି ଗୋଟିଏ ରାଜଧାନୀ ନଥାଇ ଏହାର ତିନୋଟି ରାଜଧାନୀ ଅଛି ଯଥା:- ପ୍ରଶାସନିକ ରାଜଧାନୀ ପ୍ରିଟୋରିଆ, ବ୍ୟବସ୍ଥାପକ ରାଜଧାନୀ ବ୍ଲୋମଫଣ୍ଟେନ ଓ ନ୍ୟାୟୀକ ରାଜଧାନୀ କେପ ଟାଉନ ।  

           ଆମେରିକାର ଉଇକିମିଡିଆ ସଂସ୍ଥା ପ୍ରତି ବର୍ଷ ଭିନ୍ନ ଭିନ୍ନ ସ୍ଥାନରେ ଉଇକିମାନିଆ ନାମକ ଏକ ସମ୍ମିଳନୀ ଆୟୋଜନ କରନ୍ତି । ଉକ୍ତ ସଂସ୍ଥା ନିମନ୍ତେ ସାରା ପୃଥିବୀର ଅନେକ ଭାଷାରେ ଉତ୍ତମ କାମ କରୁଥିବା ସ୍ଵେଚ୍ଛାସେବୀମାନଙ୍କ ମଧ୍ୟରୁ ବାଛି ବାଛି ପ୍ରାୟ ୫୦୦ ଲୋକଙ୍କୁ ସମ୍ମିଳନୀରେ ଯୋଗଦାନ କରିବାକୁ ଉଇକିମିଡିଆ ସଂସ୍ଥା ନିମନ୍ତ୍ରଣ କରି ଡାକନ୍ତି ଓ ଯିବା ଆସିବା, ଖାଇବା ତଥା ରହିବା ଖର୍ଚ୍ଚ ବହନ କରନ୍ତି । ଉଇକିମିଡିଆ ସଂସ୍ଥାର ଅନେକ ପ୍ରକଳ୍ପ ମଧ୍ୟରୁ ଓଡିଆ ଉଇକିପିଡ଼ିଆ ଗୋଟିଏ ଓ ମୁଁ ତାହାର ଜଣେ ସକ୍ରିୟ ସଭ୍ୟ ଅଛି । ଚିକିତ୍ସା ବିଜ୍ଞାନରେ ପ୍ରାୟ ଏକ ହଜାର ଡାକ୍ତରୀ ବିଷୟ ଲେଖିଥିବାରୁ ଓ ଉଇକିପ୍ରୋଜେକ୍ଟ ମେଡ ଫାଉଣ୍ଡେସନର ବୋର୍ଡ ମେମ୍ବର ତଥା ଉଇକିଜର୍ନାଲ ଅଫ ମେଡ଼ିସିନର ଆସୋସିଏଟ ସମ୍ପାଦକ ହୋଇଥିବାରୁ ଏଇ ନିମନ୍ତ୍ରଣର ଯୋଗ୍ୟ ହୋଇଥିଲି । ବିଗତ ୧୬/୦୭/୨୦୧୮ ତାରିଖ ଦିନ ମୋତେ ଦକ୍ଷିଣ ଆଫ୍ରିକାର କେପଟାଉନ ସହରକୁ ଯିବାର ଅପୂର୍ବ ସୌଭାଗ୍ୟ ମିଳିଥିଲା । ସେଠାରେ ଜ୍ଞାନ ଲାଭ ସହିତ ଅନେକ ସୁନ୍ଦର ତଥା ବିଚିତ୍ର ଅନୁଭୂତି ପ୍ରାପ୍ତ ହୋଇଥିଲା ଯାହା ମୁଁ ବନ୍ଧୁମାନଙ୍କ ସହ ବାଣ୍ଟିବାକୁ ଯାଉଛି ।   

            ଉଇକିମାନିଆ ସମ୍ମିଳନୀରେ ବିଭିନ୍ନ ଦେଶର ଲୋକମାନେ ପରସ୍ପର ମୁହଁରୁ ତାଙ୍କର କାମ ବିଷୟରେ ଶୁଣନ୍ତି, ଚର୍ଚ୍ଚା କରନ୍ତି ଓ ଶିକ୍ଷା ଲାଭ କରନ୍ତି । ସକ୍ରିୟ ବ୍ୟକ୍ତିମାନେ ତାଙ୍କର ସମସ୍ତ ନୂଆ ନୂଆ କାମ ଓ ଅନୁଭୂତି ସ୍ଲାଇଡ ସାହାଯ୍ୟରେ ଦର୍ଶାନ୍ତି । ଏହା ବ୍ୟତୀତ ସେଠାରେ ପୃଥିବୀର ବିଭିନ୍ନ ଭାଷାଭାଷୀ ବହୁତ ଲୋକଙ୍କ ସାଥିରେ ମିଳାମିଶା କରିବାକୁ ପ୍ରଭୂତ ସୁଯୋଗ ମିଳେ । 

           ବିଦେଶ ଯିବାକୁ ହେଲେ ପ୍ରଥମେ ପାସପୋର୍ଟ ଓ ଭିସା ଆବଶ୍ୟକ ହୁଏ । ପାସପୋର୍ଟ ଭୁବନେଶ୍ଵରରେ ମିଳିଯାଏ । ଭିସା ପାଇବା ନିମନ୍ତେ ଦିଲ୍ଲୀରେ ଥିବା ସେହି ଦେଶର ଏମ୍ବାସିକୁ ଦରଖାସ୍ତ କରିବାକୁ ପଡ଼େ । ଅନଲାଇନରେ ବା ଏଜେଣ୍ଟ ମାଧ୍ୟମରେ ଦରଖାସ୍ତ ଦିଆଯାଇପାରେ । ମୁଁ ଏଜେଣ୍ଟ ମାଧ୍ୟମରେ ଦେଇଥିଲି । ଏହା ସୁବିଧା ଜନକ । କିଛି ଅର୍ଥ ଖର୍ଚ୍ଚ ହେଲେ ମଧ୍ୟ ଭିସା ପାଇଁ ଦିଲ୍ଲୀ ବା କୋଲକାତା ଯିବା ଆସିବା ଓ ରହିବା ଖର୍ଚ୍ଚରୁ କମ ଖର୍ଚ୍ଚ ହୁଏ । ବିଦେଶ ଗଲା ବେଳେ ଓ ସେଠାରେ ରହିବା ବେଳେ ପାସପୋର୍ଟ ସବୁବେଳେ ପାଖରେ ରଖିବା ବିଧେୟ ।        

           ଫ୍ଲାଇଟରେ ଗଲା ବେଳେ ଏୟାରପୋର୍ଟରେ ପ୍ରଥମେ ଧାଡ଼ିରେ ଯାଇ କାଉଣ୍ଟରରେ ପୂର୍ବରୁ ବୁକ ହୋଇଥିବା ଇଲେଟ୍ରନିକ ଫ୍ଲାଇଟ ଟିକେଟ ଦେଖେଇ ବୋର୍ଡିଙ୍ଗ ପାସ ନେବାକୁ ହୁଏ । ତା’ପରେ ସାଥିରେ ବଡ଼ ଜିନିଷ ଥିଲେ ଲଗେଜ ଚେକ ହୁଏ ଯାହାକୁ ଚେକ୍‌ଡ ବ୍ୟାଗେଜ କୁହାଯାଏ । ତାହା ଉଡ଼ାଜାହାଜର ସାମୁହିକ ଲଗେଜ ରଖିବା ସ୍ଥାନକୁ ନିଆଯାଏ ଯାହାକୁ ହୋଲ୍ଡ କୁହାଯାଏ । ସେଠାରୁ ଚେକ୍‌ଡ ଇନ ଡେସ୍କକୁ ଗଲେ ସେକ୍ୟୁରିଟି ଚେକ କରାହୁଏ । ସେହି ଚେକ ସମୟରେ ସାଥିରେ ଥିବା କ୍ୟାବିନ ଲଗେଜ ବା ଛୋଟ ଛୋଟ ହ୍ୟାଣ୍ଡ ବ୍ୟାଗ ଓ ଫ୍ଲାଇଟ ବ୍ୟାଗ ସ୍କାନ ହୁଏ । ତା ପରେ ଭିତରକୁ ଯାଇ ଫ୍ଲାଇଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହୁଏ । ବଡ଼ ବଡ଼ ଏୟାରପୋର୍ଟରେ ଗୋଟିଏ ସ୍ଥାନରେ ବୋର୍ଡିଙ୍ଗ ପାସ ଓ ବଡ଼ ଲଗେଜ ଚେକ ହୋଇଯାଏ ।

           ଇଣ୍ଟରନ୍ୟାସନାଲ ଫ୍ଲାଇଟରେ ସେକ୍ୟୁରିଟି ଚେକ ପୂର୍ବରୁ ଗୋଟିଏ ଅଧିକ କାମ ହୁଏ । ଅନ୍ୟ ଦେଶକୁ ଯିବା ପୂର୍ବରୁ ଓ ପହଞ୍ଚିବା ପରେ ଇମିଗ୍ରେସନ ଚେକ କରାଯାଏ । ଏହି ଯାତ୍ରାରେ ଦିଲ୍ଲୀ ଓ କେପ ଟାଉନରେ ଏହି ଇମିଗ୍ରେସନ ଚେକ କାମ ହୋଇଥିଲା । ଫେରିବା ସମୟରେ ମଧ୍ୟ ସେହି ସମାନ ପ୍ରଥା ଦେଇ ଗତି କରିବାକୁ ହୁଏ । ଏ ସବୁ କାମ ସରିଲେ ଫ୍ଲାଇଟ ଆସିବା ନିମନ୍ତେ ଅପେକ୍ଷା କରିବାକୁ ପଡ଼େ । ଏୟାରପୋର୍ଟରେ ଖବରକାଗଜ ବିନା ମୂଲ୍ୟରେ ମିଳେ । ଗନ୍ତବ୍ୟ ସ୍ଥାନରେ ପହଞ୍ଚିବା ପରେ କାରୁସେଲ ନାମକ ସ୍ଥାନକୁ ଯାଇ ଚେକ୍‌ଡ ବ୍ୟାଗେଜ ସଂଗ୍ରହ କରିବାକୁ ହୁଏ । ସେଠାରେ ଗୋଟିଏ ଅହରହ ଘୂର୍ଣ୍ଣାୟମାନ ସ୍ଥାନରେ ଲଗେଜ ଘୂରୁଥାଏ । ଏହି ସ୍ଥାନରେ ଲଗେଜ ଘୁରି ଘୁରି ନିଜ ପାଖକୁ ଆସିଲେ ସଂଗ୍ରହ କରାଯାଏ ।  

           ଆନ୍ତର୍ଜାତିକ ଫ୍ଲାଇଟରେ ଗଲେ ସବୁ ଆବଶ୍ୟକୀୟ ଜିନିଷ ଗୋଟିଏ ବଡ଼ ବ୍ୟାଗରେ ରଖିବା ଉଚିତ ନୁହେଁ, କାରଣ ବେଳେ ବେଳେ ଲଗେଜ ବାଟମାରଣା ହୋଇ ଅନ୍ୟ ସ୍ଥାନକୁ ଚାଲିଯାଏ ଓ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ଦିନେ ଦୁଇ ଦିନ ଚଳିବା ଭଳି ଲୁଗାପଟା ଓ ଜିନିଷ ଗୋଟିଏ ଛୋଟ ବ୍ୟାଗରେ ନେଇ ଉଡ଼ାଜାହାଜରେ ନିଜ ସିଟ ଉପର ସ୍ଥାନ ବା ଓଭରହେଡ ବିନରେ ରଖିବା ଭଲ ।    

           ଭୁବନେଶ୍ଵରରୁ ୧୫/୦୭/୨୦୧୮ ତାରିଖ ରାତି ୯:୨୦ ମିନିଟରେ ଏୟାର ଇଣ୍ଡିଆ ୪୭୪ ଫ୍ଲାଇଟରେ ମୁଁ ଯାତ୍ରା ଆରମ୍ଭ କଲି । ଫ୍ଲାଇଟର ସିଟ ଗୁଡିକ ବେଶ ଆରାମଦାୟକ ଥିଲା ଓ ଆମକୁ ଯେଉଁ ଡିନର ପରିବେଷଣ କରାଯାଇଥିଲା ତାହାର ମାନ ବହୁତ ଭଲ ଥିଲା । ଏୟାର ହୋଷ୍ଟେସ ଓ ବିମାନ କର୍ମଚାରୀମାନେ ଅତିଶୟ ଭଦ୍ର ଥିଲେ । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିଲି ରାତି ୧୧ଟା ୪୫ ମିନିଟରେ । ଦିଲ୍ଲୀରୁ ଦୁବାଇ ଯିବାକୁ ଏମିରାଟେସ ଫ୍ଲାଇଟ ସକାଳ ୪: ୧୫ ମିନିଟରେ ଛାଡ଼େ । ଏହି ଫ୍ଲାଇଟ ସକାଶେ ରାତି ୨ଟା ପରେ ବୋର୍ଡିଙ୍ଗ ପାସ ପାଇଁ ଧାଡ଼ିରେ ଠିଆ ହେବାକୁ ପଡ଼ିଲା । ଧାଡ଼ିରେ ପ୍ରାୟ ୨୦୦ ଲୋକ ଠିଆ ହୋଇଥିଲେ । ପ୍ରତି ଲୋକର ଚେକିଙ୍ଗ ପାଇଁ ବେଶ କିଛି ସମୟ ଲାଗୁଥିଲା । ଏୟାର ପୋର୍ଟର ଜଣେ କର୍ମଚାରୀ ମୋ ପାଇଁ ଗୋଟିଏ ହୁଇଲ ଚେୟାର ବନ୍ଦବୋସ୍ତ କରିଦେବାରୁ ପ୍ରାୟ ଏକ ଘଣ୍ଟା ଠିଆ ହେବା କଷ୍ଟରୁ ବଞ୍ଚିଗଲି । ସେଠାରେ ଉଭୟ ଦୁବାଇ ଓ କେପ ଟାଉନ ପାଇଁ ବୋର୍ଡିଙ୍ଗ ପାସ ମିଳିଗଲା, କାରଣ ଦୁବାଇରୁ ସେଇ ଏକା କମ୍ପାନୀର ଅନ୍ୟ ଏକ ଏମିରାଟେସ ଫ୍ଲାଇଟ କେପ ଟାଉନକୁ ଯାଏ ।

           ବୋର୍ଡିଙ୍ଗ ପାସ ଓ ପାସପୋର୍ଟ ହାତରେ ଧରି ଇମିଗ୍ରେସନ କାଉଣ୍ଟରକୁ ଗଲି । ହୁଇଲ ଚେୟାରରେ ମୁଁ ବସିଥାଏ । ଇମିଗ୍ରେସନ ଅଫିସର ମୋତେ କେପ ଟାଉନ ଯିବାର କାରଣ ପଚାରିଲେ । ଟିକିଏ ଦୂରରେ ବସିଥିବାରୁ ମୋତେ ଶୁଣାଗଲାନି । ସେ ତାଙ୍କ ସ୍ଥାନରୁ ମୋ ପାଖକୁ ଆସି ଯିବାର ଉଦ୍ଦେଶ୍ୟ ପ୍ରଶ୍ନ କଲେ । ମୁଁ କହିଲି, “ମୁଁ ଉଇକିପିଡ଼ିଆର ଏକ ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗଦେବାକୁ ଯାଉଛି ।” ସେ ପ୍ରଶ୍ନ କଲେ, “ଉଇକିପିଡ଼ିଆ କଅଣ ?” ମୁଁ ଟିକିଏ ଆଶ୍ଚର୍ଯ୍ୟାନ୍ଵିତ ହୋଇ ଭାବିଲି, ଉଇକିପିଡ଼ିଆ ଜାଣିନାହାନ୍ତି ! କହିଲି, “ଏହା ଏକ ଏନସାଇକ୍ଳୋପେଡିଆ ।” ସେ ପ୍ରଶ୍ନ କଲେ, “ଏନସାଇକ୍ଳୋପେଡିଆ କଅଣ ?” ବୁଝେଇଦେବା ପରେ ଆମ ପାସପୋର୍ଟରେ ଇମିଗ୍ରେସନ ସିଲ ଓ ସନ୍ତକ ମାରି ଫେରେଇଦେଲେ । ପରେ ଭାବିଲି, ସମସ୍ତେ ସବୁକଥା ଜାଣିବା କେବେହେଲେ ସମ୍ଭବ ନୁହେଁ, ଯେତେ ଉଚ୍ଚ ପଦବୀରେ ଜଣେ ଥାଉ ନା କାହିଁକି । 

           ଦିଲ୍ଲୀରେ ସେକ୍ୟୁରିଟି ଚେକ ସମୟରେ ଗୋଟିଏ ମଜାଦାର ଘଟଣା ହୋଇଥିଲା । ଏଠାରେ ମଧ୍ୟ ଧାଡ଼ିରେ ଠିଆ ହୋଇ ନିଜ ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହୁଏ । ମୁଁ ଧାଡ଼ିରେ ଠିଆ ହୋଇ ଯାଇ ଚେକିଙ୍ଗ ଜାଗାରେ ପହଞ୍ଚିଲି । ସେକ୍ୟୁରିଟି ଅଫିସର ମୋର ସାରା ଶରୀର ସ୍କାନ କରିବା ପରେ ପକେଟରେ ଥିବା ଜିନିଷ କାଢ଼ିବାକୁ କହିଲେ ଓ ମୁଁ ତୁରନ୍ତ ଡାହାଣ ପକେଟରୁ କିଛି କାଗଜ ଓ କରେନ୍ସି ନୋଟ ଓ ବାମ ପକେଟରୁ ରୁମାଲ ଓ ଚାବି କାଢ଼ି ଟେବୁଲ ଉପରେ ଥୋଇଲି । ତା’ପରେ ସେ ଆଉଥରେ ଚେକ କଲେ । ହଠାତ ତାଙ୍କ ମୁହଁରେ ସନ୍ଦେହ ଭାବ ଫୁଟିଉଠିଲା । ମୋ ପାଖରେ କିଛି ଧାତୁ ବା ଚୋରା ଜିନିଷ ଥିବା ବୋଧହୁଏ ସନ୍ଦେହ କଲେ । ଗମ୍ଭୀର ସ୍ଵରରେ ଓ ଆଦେଶ ଦେବା ଭଙ୍ଗୀରେ କହିଲେ, “ଆଉ କଅଣ ପକେଟରେ ଅଛି କାଢ଼ନ୍ତୁ ।” ମୁଁ ବିସ୍ମିତ ହେଲି । ତାଙ୍କ ମୁହଁ ଦେଖି ମୋତେ ଡର ଲାଗିଲା । ଭାବିଲି, ସିନେମାରେ ଦେଖିଲା ଭଳି କେହି କିଛି ପଦାର୍ଥ ମୋ ଅଜାଣତରେ କେହି ରଖିଦେଇଛି କି ! ମୁଁ ପକେଟରେ ହାତ ପୁରେଇବାରେ କିଛି ହାତକୁ ଲାଗିଲାନି । ସେ ପକେଟଟି ଟିକିଏ ଗଭୀର ପକେଟ ଥିଲା । ଆହୁରି ତଳକୁ ହାତ ପୁରେଇବାରୁ ଦୁଇଟି କଏନ ହାତକୁ ଲାଗିଲା ଓ କଏନ ଦ୍ୱୟକୁ ଆଣି ଟେବୁଲ ଉପରେ ଥୋଇଲି । ଆଉଥରେ ସ୍କାନ କଲେ ଓ କିଛି ନପାଇ ମୋତେ ଭିତରକୁ ଛାଡ଼ିଦେଲେ । ତାଙ୍କ ମୁହଁରେ ‘ସରି ’ ଭାବନା ଥିବା ଦେଖାଯାଉଥିଲା ।   

           ତା’ପରେ ସକାଳ ଫ୍ଲାଇଟ ପାଇଁ ଅପେକ୍ଷା କରି ବସି ରହିଲୁ । ରାତିରେ ପହଞ୍ଚି ଭୋରରୁ ଯିବାକୁ ଥିଲେ ଆଉ ଶୋଇବାକୁ ସମୟ କାଇଁ ! ସାରା ରାତି ଅନିଦ୍ରା ହୋଇ ବସି ରହିଲୁ । କିନ୍ତୁ ମୁଁ ମୋର ଏହି ପ୍ରଥମ ବିମାନ ଯାତ୍ରାରେ ଏତେ ଉତ୍ସାହିତ ହୋଇଥିଲି ଯେ, ସେ ରାତି କେତେବେଳେ ବିତିଲା ଜାଣିହେଲାନି । ଆଶ୍ଚର୍ଯ୍ୟର ବିଷୟ କିଛି ଥକ୍କା ବି ଲାଗୁନଥାଏ । ସକାଳ ପ୍ରାୟ ସାଢେ ପାଞ୍ଚଟା ବେଳେ ମୁଁ ହୁଇଲ ଚେୟାରରେ ବସି ଏମିରାଟେସ ଇକେ ଫ୍ଲାଇଟ ନମ୍ବର ୫୧୩ରେ ଯାଇ ବସିଲି । ନିର୍ଦ୍ଦିଷ୍ଟ ସମୟରେ ଫ୍ଲାଇଟ ଦିଲ୍ଲୀରୁ ବାହାରିଲା ।

           ମଧ୍ୟମ ଆକାରର ଉଡ଼ାଜାହାଜ । ଅତି ଆରାମ ଦାୟକ ସିଟରେ ତକିଆ ଓ ଟର୍କିଶ ତଉଲିଆ ଥୁଆ ହୋଇଥିଲା । ବସିବାର କିଛି ସମୟ ପରେ ଅର୍ଡର ଅନୁସାରେ ବ୍ରେକ ଫାଷ୍ଟ ଓ ଗରମ ବା ଥଣ୍ଡା ପାନୀୟ ଆସିଗଲା । ଚା, କଫି, ଫଳ ରସ, କୋକା କୋଲା ଓ ମଦ୍ୟ ଇତ୍ୟାଦି ଇଚ୍ଛା ଅନୁସାରେ ମିଳିଲା । ଆଗ ସିଟର ପଛ ପାଖରେ ଛୋଟ ଟିଭି ଖଞ୍ଜା ହୋଇଥିଲା । କାନରେ ଇଅର ଫୋନ ଲଗେଇ ଶୁଣିବା ଓ ଟିଭି ଦେଖିବାରେ ଅଧିକାଂଶ ସମୟ କଟିଗଲା । ଏହି ଫ୍ଲାଇଟର ଭିଡିଓ ଚାନେଲରେ ଭାରତୀୟ ସିନେମା ଦେଖାନ୍ତିନି । ପୁରୁଣା ଇଂରାଜୀ ସିନେମା ଓ କାର୍ଟୁନ ଫିଲ୍ମ ଚାଲିଥାଏ । ଆଉ ଗୋଟିଏ ଚାନେଲରେ ଉଡାଜାହାଜ କେତେ କି:ମି: ଉପରେ ଯାଉଛି, କେତେ ବେଗରେ ଯାଉଛି ଓ କେତେ ଦୂରରେ ଆମର ଗନ୍ତବ୍ୟ ସ୍ଥଳ ଅଛି, ଉତ୍ତାପ ପରିମାଣ ଓ ମେଘ ସୂଚନା ଇତ୍ୟାଦି ଅବିରତ ମିଳୁଥାଏ । ପ୍ରାୟ ୨ ଘଣ୍ଟା ପରେ ୦୬:୨୦ ମିନିଟରେ ଆମେ ଦୁବାଇରେ ପହଞ୍ଚିଲୁ ।  

           ଦୁବାଇ ଏୟାରପୋର୍ଟ ଗୋଟିଏ ବିରାଟକାୟ ସ୍ଥାନ । ପ୍ରାୟ ୩୧୦୦ ଏକର ପରିମିତ ସ୍ଥାନରେ ଏହା ଅବସ୍ଥିତ । ଏହାର ୩ ନମ୍ବର ଟର୍ମିନାଲ ପୃଥିବୀର ବୃହତ୍ତମ ଟର୍ମିନାଲ । ମୁଁ ପହଞ୍ଚିଥିବା ଏୟାରପୋର୍ଟ ଟର୍ମିନାଲରୁ ଗନ୍ତବ୍ୟ ଟର୍ମିନାଲର ଦୂରତ୍ଵ ବହୁତ ଥିଲା । ଟର୍ମିନାଲର ଅନ୍ୟ ଏକ ନାମ କନକୋର୍ଷ । ଚାଲି ଚାଲି ଗଲେ ଅନେକ ସମୟ ଲାଗେ । ସେଠାରୁ ବଡ଼ ବସ ଆକାରରର ଏକ ସଟଲ ଟ୍ରେନ ଅନ୍ୟାନ୍ୟ ଟର୍ମିନାଲକୁ ଚାଲେ ଯାହାକୁ ମୋନୋରେଲ ମଧ୍ୟ କୁହାଯାଏ । ସେଥିରେ ଠିଆ ହୋଇ ମୁଁ ପ୍ରାୟ ୨୦ ମିନିଟ ପରେ ଦୁବାଇର ଗନ୍ତବ୍ୟ ଟର୍ମିନାଲରେ ପହଞ୍ଚିଲି । ଆଉ ଥରେ ସେକ୍ୟୁରିଟି ଚେକ ପରେ ଅପେକ୍ଷା କଲୁ ପରବର୍ତ୍ତୀ ଫ୍ଲାଇଟରେ ଯିବାପାଇଁ । ପୂର୍ବବର୍ତ୍ତୀ ଫ୍ଲାଇଟରେ ଥିବା ମୋ ଲଗେଜ ପରବର୍ତ୍ତୀ ଫ୍ଲାଇଟକୁ ଏମିରାଟେସ ତରଫରୁ ସ୍ଵତଃ ନିଆଗଲା । 

           ସକାଳ ୧୦:୨୫ ମିନିଟରେ ଦୁବାଇରୁ ଫ୍ଲାଇଟ ଇକେ ୭୭୮ରେ ବସି ମୁଁ ଦୁବାଇରୁ କେପ ଟାଉନ ଅଭିମୁଖେ ବାହାରିଲି । ଏହି ବିମାନଟି ଏକ ବିରାଟକାୟ ବିମାନ । ତା’ ଭିତରେ ପ୍ରାୟ ୫ଟି କମ୍ପାର୍ଟମେଣ୍ଟ ଥିଲା । ଫାଷ୍ଟ କ୍ଳାସ ସିଟରେ ସୋଫାର ବ୍ୟବସ୍ଥା ଥିବାରୁ ଗୋଡ଼ ଲମ୍ବେଇ ଆରାମରେ ବସିହୁଏ । ଗୋଟିଏ ଧାଡ଼ିରେ ଫାଷ୍ଟ କ୍ଳାସରେ ୬ଟି ସିଟ ଥିଲାବେଳେ, ବିଜନେସ କ୍ଳାସରେ ୭ଟି ସିଟ ଓ ଇକୋନୋମି ଶ୍ରେଣୀରେ ୧୦ଟି ସିଟ ଥାଏ । ଦଶଟି ସିଟ ୩-୪-୩ କ୍ରମରେ ଥାଏ ଅର୍ଥାତ ଦୁଇ ଝରକା ପାଖରେ ତିନି ତିନି ସିଟ ଓ ମଝିରେ ୪ଟି ସିଟ ଥାଏ । ଏୟାର ହୋଷ୍ଟେସମାନେ ଅତିଶୟ ଗୋରୀ ଓ ଭଦ୍ର ଥିଲେ । ମୁଁ ଇକୋନୋମି ଶ୍ରେଣୀର ଯାତ୍ରୀ ଥିଲି ।

           ଖାଦ୍ୟ ଅର୍ଡର ନେବାର କିଛି ସମୟ ପରେ ଲଞ୍ଚ ଆସିଗଲା । ଖାଇ ସାରିବା ପରେ ଆଖି ବୁଜିହୋଇଆସିଲା । ପ୍ରାୟ ଦୁଇ ଘଣ୍ଟା ଶୟନ ପରେ ନିଦ୍ରା ଭଙ୍ଗ ହେଲା । ପ୍ରାୟ ତିନି ଘଣ୍ଟା ପରେ ସ୍ନାକ ଆସିଗଲା । ସନ୍ଧ୍ୟା ୦୬:୧୦ରେ କେପ ଟାଉନରେ ପହଞ୍ଚିବାର ଥିଲା । ଭାରତ ଓ କେପ ଟାଉନ ମଧ୍ୟରେ ସମୟ ପାର୍ଥକ୍ୟ ୩ ଘଣ୍ଟା ୩୦ ମିନିଟ ଥାଏ । ତେଣୁ ଆମେ ୬:୧୦ ପହଞ୍ଚିବା ବେଳକୁ ଭାରତୀୟ ସମୟ ଅନୁସାରେ ରାତି ୯:୪୦ ହୋଇଥାଏ । ଫ୍ଲାଇଟରୁ ବାହାରି ଲଗେଜ ନେଇ ଏୟାରପୋର୍ଟ ବାହାରକୁ ଆସିବା ବେଳକୁ ପ୍ରାୟ ରାତି ୧୧:୦୦ଟା ହୋଇଥାଏ । ତାପରେ ଟାକସି ନେଇ ହୋଟେଲରେ ପହଞ୍ଚିଲୁ । ସେଠାରେ ଚେକ ଇନ କଲା ବେଳକୁ ଦେଖାଗଲା ମୋର ସେଦିନ ହୋଟେଲ ବୁକିଙ୍ଗ ହୋଇନି । ସଙ୍ଗେ ସଙ୍ଗେ ଆମର ପ୍ରାୟୋଜକଙ୍କୁ ଫୋନ କରାଗଲା ଓ ସେ ଏହି ସମସ୍ୟାକୁ ଦୂର କରିଦେଲେ । ନିଜ ରୁମରେ ଜିନିଷ ଥୋଇ ହୋଟେଲ ବାହାରେ ଖାଇବାକୁ ବାହାରିଲୁ । ସେତେବେଳକୁ ସାଢ଼େ ବାରଟା ସମୟ ହୋଇଗଲାଣି । ଭୋକ ହେଇ ମରିଗଲାଣି । ପାଖରେ କୌଣସି ରେଷ୍ଟୁରାଣ୍ଟ ମିଳିଲାନି । ରାସ୍ତା ପ୍ରାୟ ଶୁନଶାନ ଥିଲା । ପ୍ରାୟ ଦେଢ଼ କିମି ଚାଲିବା ପରେ ଗୋଟିଏ ଇଥିଓପିଆନ ରେଷ୍ଟୁରାଣ୍ଟ ଖୋଲା ଥିବା ଦେଖିଲୁ । ଆଉ ଚାରି ଜଣ ଆମ ସାଥିରେ ଯାଇଥିଲେ । ସେଠାରେ କେବଳ ଇଥିଓପିଆନ ଖାଦ୍ୟ ଥିଲା । ଅଗତ୍ୟା ସେହି ଖାଦ୍ୟ ଅର୍ଡର ଦେଇ ବସିରହିଲୁ । ଆହୁରି ଅଧ ଘଣ୍ଟା ବିତିଗଲା । ମନ ହେଉଥାଏ କିଛି ନଖାଇ ଫେରିବାକୁ, କିନ୍ତୁ ଏକୁଟିଆ ବିଦେଶ ରାସ୍ତାରେ ଯିବାକୁ ଭୟ ଲାଗିଲା । ଅର୍ଥ ଓ ପାସପୋର୍ଟ ଛଡ଼େଇ ନେବାର ଡର ଥିଲା । 

           ଶେଷରେ ଖାଦ୍ୟ ଆସିଗଲା । ଖାଇବା ଟେବୁଲରେ ଗୋଟିଏ ଚାରି ଫୁଟିଆ ଗୋଲାକାର ଡମ୍ବରୁ ଆକାରର ଫ୍ରେମ ଉପରେ ଗୋଟିଏ କୋନ ଆକାରର ଫ୍ରେମ ଥୁଆହୋଇଥିଲା । ଫ୍ରେମଟି କାଠିରେ (ବେତ କାଠି ଭଳି ଦେଖାଯାଉଥିଲା) ତିଆରି ହୋଇଥିଲା ଓ ସୁନ୍ଦର ରଙ୍ଗ ଦିଆହୋଇଥିଲା । ପ୍ରାୟ ୪୦ ମିନିଟ ପରେ ଗୋଲାକାର ଥାଳି ଆଣିଲେ ଓ କୋନ ଘୋଡଣିଟି କାଢ଼ି ଥାଳିକୁ ସେହି ସ୍ଥାନରେ ରଖି କୋନ ଘୋଡ଼େଇ ଦେଲେ । ଆମ ମଧ୍ୟରୁ ଜଣେ ଉକ୍ତ କୋନକୁ ଟେକିବାକୁ ଗଲାବେଳେ ଜଣେ ବଏ ମନା କଲେ । କହିଲେ, ସେଇଟା ଆମ କାମ । ସେ ନିଜେ ଘୋଡାଣି କାଢ଼ି ହାତରେ ଧରି ଅଣ୍ଟା ପାଖରୁ ୯୦ ଡିଗ୍ରୀ ଆଗକୁ ନଇଁ ପଡ଼ି ଦୁଇ ବାହୁକୁ ପ୍ରସାରିତ କରି ଅଭିବାଦନ କଲେ ଓ ଖାଇବାକୁ ଆରମ୍ଭ କରିବାକୁ କହିଲେ । ସେଇ ଥାଳିରେ ଗୋଟିଏ ବିରାଟକାୟ ଚକୁଳି ପିଠା ଥିଲା ଓ ତା’ ଉପରେ ଚାରୋଟି ସ୍ଥାନରେ ତରକାରୀ ଥିଲା । ଚିକେନ, ମଟନ, ପନିର ଓ ସାଦା ତରକାରୀ ଥିଲା । କୋଣସି ଝୋଳ ନଥିଲା । ଆମେ ଚାରି ଜଣ ଟେବୁଲର ଚାରି ପାଖରେ ବସି ଗୋଟିଏ ଜାଗାରୁ ପରିବାରରେ ଭୋଜନ କଲା ଭଳି ଖାଇଲୁ । ଖାଇ ସାରି ଚାଲି ଚାଲି ହୋଟେଲରେ ପହଞ୍ଚିଲା ବେଳକୁ ଆମ ସମୟରେ ରାତି ୨:୩୦ ମିନିଟ ହୋଇଥିଲା । ସେଇ ରାତିରେ ବ୍ୟାଗରୁ ଜିନିଷପତ୍ର କାଢ଼ି ଧୁଆଧୋଇ ହୋଇ ବିଛଣାରେ ଯିବା ବେଳକୁ ରାତି ୩ ହୋଇସାରିଥିଲା ।

           ସକାଳ ୧୦:୩୦ ମିନିଟରେ ନିଦ ଭାଙ୍ଗିଲା । ସେତେବେଳକୁ ସେଠାରେ ସକାଳ ୭ଟା ଓ ହୋଟେଲରେ ବ୍ରେକଫାଷ୍ଟ ସମୟ ହୋଇଥିଲା । ପରିଷ୍କାର ପରିଚ୍ଛନ୍ନ ହୋଇ ହୋଟେଲ ଡାଇନିଙ୍ଗ ହଲକୁ ଗଲି । ସେଠାରେ ଅନେକ ନୂଆ ପୁରୁଣା ବ୍ୟକ୍ତିଙ୍କ ସହିତ ଦେଖା ହେଲା । ସେହି ଦିନଟି ବିଶ୍ରାମ ଦିନ ଥିଲା କାରଣ ବହୁତ ଦୂରରୁ ଆସିଥିବା ଲୋକ ଥକ୍କି ଯାଇଥିବା ସମ୍ଭାବନା ଥିବାରୁ କିଛି କାର୍ଯ୍ୟ ନିର୍ଘଣ୍ଟ ନଥିଲା । ପୁରା ଦିନଟି ବିଭିନ୍ନ ସ୍ଥାନକୁ ଯାଇ ଅନେକ ଦର୍ଶନୀୟ ସ୍ଥାନ ଦେଖିଲୁ ।

           ମୁଁ ରହୁଥିବା ହୋଟେଲର ନାମ ‘ସାଉଥ ସନ କେପ ସନ ହୋଟେଲ’ । ଏହି ଚାରି ଷ୍ଟାର ବିଶିଷ୍ଟ ହୋଟେଲରେ ୩୦ଟି ମହଲା ଅଛି, ଗୋଟିଏ ଗ୍ରାଉଣ୍ଡ ଫ୍ଲୋର ଓ ୨୯ଟି ଉପର ଫ୍ଲୋର ବା ମହଲା । ମୁଁ ୧୫ତମ ମହଲାରେ ରହୁଥିଲି । ସେହି ରୁମରୁ ସହରର ଅପୂର୍ବ ଦୃଶ୍ୟ ଦେଖାଯାଏ । ସବା ଉପର ମହଲାରେ ସ୍ଵିମିଙ୍ଗ ପୁଲ ଓ ଜିମ ଅଛି । ଉପର ତଳ ଯିବା ଆସିବା ନିମନ୍ତେ ୬ଟି ଲିଫ୍ଟ ଅଛି । ଆଜିକାଲି ଆଧୁନିକ ହୋଟେଲ ରୁମର କବାଟ ଖୋଲିବାକୁ ଚାବି ଆବଶ୍ୟକ ହେଉନି । ଏଟିଏମ କାର୍ଡ ଭଳି ଗୋଟିଏ ଡିଜିଟାଲ କାର୍ଡ ଦିଆଯାଏ ଯାହା ସାହାଯ୍ୟରେ ରୁମ ଖୋଲାଯାଏ । ଏହି କାର୍ଡକୁ ସ୍ଲଟରେ ଭର୍ତ୍ତି କରି ହାଣ୍ଡଲ ମୋଡ଼ିଲେ କବାଟ ଖୋଲେ । ହାଣ୍ଡଲ ମୋଡ଼ି ଭିତରକୁ କବାଟ ଠେଲିବାରେ ଟିକିଏ ଡେରି ହେଲେ ଆଉ ଖୋଲେନି । କାର୍ଡକୁ ଆଉ ଥରେ ଆକ୍ଟିଭେଟ କରିବାକୁ ହୁଏ । କବାଟକୁ ବନ୍ଦ କରିଦେଲେ ସ୍ଵତଃ ତାଲା ପଡ଼ିଯାଏ । ସବୁବେଳେ ସେହି କାର୍ଡକୁ ପାଖରେ ରଖିବାକୁ ପଡ଼େ । ଅସାବଧାନତା ବଶତଃ ବାହାରକୁ ଆସିଲେ ଯଦି କବାଟ ବନ୍ଦ ହୋଇଗଲା ତା’ହେଲେ କାର୍ଡ ନଥିଲେ ଆଉ ଖୋଲିବନି ।     

           କେପ ଟାଉନ ନଗରୀଟି ପୁରୀ ଭଳି ସମୁଦ୍ର କୂଳରେ ଅବସ୍ଥିତ । ଏହା ସାଉଥ ଆଫ୍ରିକାର ଦ୍ଵିତୀୟ ବୃହତ୍ତମ ସହର ଯାହା ବିରାଟ ବିରାଟ ଅଟ୍ଟାଳିକାମାନଙ୍କରେ ପରିପୂର୍ଣ୍ଣ । ରାସ୍ତା ପରିଷ୍କାର ପରିଚ୍ଛନ୍ନ । କାର, ବସ ଓ ଅନ୍ୟାନ୍ୟ ଗାଡ଼ି ସବୁ ଧାଡ଼ିରେ ଯାଆନ୍ତି । ଓଭରଟେକର ପ୍ରଶ୍ନ ନାହିଁ । ଛକ ଜାଗାମାନଙ୍କରେ ପାର୍ଶ୍ଵରୁ ଆସୁଥିବା ଗାଡ଼ି, ମୁଖ୍ୟ ଧାଡ଼ିରେ ଆସୁଥିବା ଗାଡ଼ି ରହିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି । ମୁଖ୍ୟ ଧାଡ଼ିର ଗାଡ଼ିର ଡ୍ରାଇଭର ସାମନାରେ ତିନି ଚାରଟି ଗାଡ଼ି ଥିବା ସମୟରେ ସାଇଡରୁ ଆସୁଥିବା ଗାଡ଼ିକୁ ଆପେ ବାଟ ଛାଡ଼ିଦିଅନ୍ତି । ଏଠିକା ଭଳି ସାଇଡ଼ ଗାଡ଼ି ଧୀରେ ଧୀରେ ମୁଖ୍ୟ ରାସ୍ତାକୁ ମାଡ଼ି ଆସନ୍ତିନି ।   

           କେପ ଟାଉନରୁ ଗୋଟିଏ ସର୍ପିଳ ମେରାଇନ ଡ୍ରାଇଭ ରାସ୍ତା ସମୁଦ୍ର କୂଳେ କୂଳେ ଲମ୍ବି ଯାଇଛି । ଏହି ରାସ୍ତାର ଗୋଟିଏ ପାଖରେ ସମୁଦ୍ର ଓ ଅନ୍ୟ ପାଖରେ ପାହାଡ଼ ଶ୍ରେଣୀ ଲମ୍ବି ଯାଇଛି । ସେହି ସବୁଜ ଘଞ୍ଚ ବନାନୀ ପରିପୂର୍ଣ୍ଣ ପାହାଡ଼ମାନଙ୍କ ଉପରେ ଆମର ଗାଙ୍ଗଟକ ବା ଦାର୍ଜିଲିଂରେ ଥିବା ଘର ଭଳି ଅସଂଖ୍ୟ ଘର ଅଛି । ଅତି ସୁନ୍ଦର ସେ ଦୃଶ୍ୟ । ନ ଦେଖିଲେ ଅନ୍ଦାଜ କରିହୁଏନି । ସେ ସମୁଦ୍ର ଜଳ ଅତ୍ୟନ୍ତ ପରିଷ୍କାର, ରଙ୍ଗ ନୀଳ, ଆମ ପୁରୀ ପାଖ ସମୁଦ୍ରଠାରୁ ଅଲଗା ଦେଖାଯାଏ ।

           ସାଇମନ ଟାଉନ, କ୍ଲିଣ୍ଟୁଇନ ରୋଡ଼ର ଗୋଟିଏ ସ୍ଥାନରେ ପେଙ୍ଗୁଇନ ପକ୍ଷୀ ପାର୍କ ଦେଖିଲୁ । ମୁଁ ଜାଣିବାରେ ପେଙ୍ଗୁଇନ ଦକ୍ଷିଣ ମେରୁରେ ରହନ୍ତି । କିନ୍ତୁ ସେଠାରେ ସେମାନଙ୍କୁ ଦେଖି ବହୁତ ଭଲ ଲାଗିଲା । ହାଉଟବେ ନାମକ ସ୍ଥାନରେ କାଚ ତଳ ବିଶିଷ୍ଟ ବୋଟରେ ବସି ସମୁଦ୍ରରେ ଭିତରେ ଥିବା ଜୀବ ଜନ୍ତୁ ଦେଖିବା ସୁବିଧା ଥିଲା । ତା’ପରେ ଲାଇଟ ହାଉସ ଦେଖିବାକୁ ଗଲି । ଏହି ଘରଟି ଗୋଟିଏ ସୁଉଚ୍ଚ ପାହାଡ଼ ଉପରେ ଅବସ୍ଥିତ । ସେଠାକୁ ଯିବା ନିମନ୍ତେ ଗୋଟିଏ କାଚ ନିର୍ମିତ ଗୋଟିଏ ଅତି ଛୋଟ ବିଦ୍ୟୁତ ଚାଳିତ ଟ୍ରେନ ଅଛି । ସେହି ଟ୍ରେନରେ ତିନି ଚତୁର୍ଥାଂଶ ବାଟ ଗଲା ପରେ ଗୋଟିଏ ସମତଳ ଭୂମି ଥାଏ । ସେଠାରେ ମୁଁ ଗାଡ଼ିରୁ ବାହାରି ଲାଇଟ ହାଉସର ଫୋଟୋ ଉତ୍ତୋଳନ କଲି । ଅନେକ ଲୋକ ସେହି ଲାଇଟ ହାଉସ ସ୍ଥାନକୁ ଚାଲି ଚାଲି ଗଲେ, କିନ୍ତୁ ମୁଁ ଯାଇପାରିଲିନି । 

           କେପ ଟାଉନରେ ଅନେକ ଦର୍ଶନୀୟ ସ୍ଥାନ ଅଛି ଯାହା ସମୟ ଅଭାବରୁ ଦେଖିପାରିଲୁନି । ଗୋଟିଏ ଦିନରେ ଯେତିକି ସମ୍ଭବ ସେତିକି ଦେଖିଲୁ । ମୋର ଧାରଣା ଥିଲା, ଏହା ଆମ ଦେଶ ଅପେକ୍ଷା ଅପେକ୍ଷାକୃତ ଗରିବ ଦେଶ । କିନ୍ତୁ ସେଠାକାର ମୁଦ୍ରା ଏକ ‘ଜାର’ ସହିତ ଆମର ପ୍ରାୟ ୫ 'ଟଙ୍କା/ଆଇଏନଆର' ସମାନ । ନିଗ୍ରୋ ଜାତୀୟ ଲୋକଙ୍କୁ ଦେଖିଲି । ବେଶ ହୃଷ୍ଟପୁଷ୍ଠ । ତା’ ପରଦିନଠାରୁ ପାଞ୍ଚ ଦିନ ଧରି ୨୨ ତାରିଖ ପର୍ଯ୍ୟନ୍ତ ସମ୍ମିଳନୀର କାର୍ଯ୍ୟକ୍ରମ ଚାଲିଲା ।

           ଉଇକିମାନିଆ ସମାପ୍ତ ହେବା ପରେ କେପ ଟାଉନରୁ ଅସୁମାରି ମିଠା ସ୍ମୃତି ବହନ କରି ୨୩ ଜୁଲାଇ ୨୦୧୮ ତାରିଖ ଦିନ ସେଠାରୁ ସନ୍ଧ୍ୟା ୮:୦୫ ମିନିଟରେ କେପ ଟାଉନରୁ ପ୍ରତ୍ୟାବର୍ତ୍ତନ କଲି । ଫେରିବା ସମୟରେ ସେହି ଦୁବାଇ, ଦିଲ୍ଲୀ ବାଟ ଦେଇ ଫେରିଲି । ଅବଶେଷରେ ଜୁଲାଇ ୨୪, ୨୦୧୮ ତାରିଖ ଦିନ ରାତି ପ୍ରାୟ ୧୦:୩୦ ମିନିଟ ସମୟରେ ଭୁବନେଶ୍ଵରରେ ପରିବାର ପାଖକୁ ଆନନ୍ଦିତ ମନରେ ମୁଁ ଫେରିଆସିଲି । ବିଦେଶ ଯିବାର ଏକ ସ୍ଵପ୍ନ ଭଗବାନଙ୍କ କୃପାରୁ ସାକାର ହୋଇଗଲା ।    

           କଥାରେ ଅଛି, ପରିଶ୍ରମର ଫଳ ସର୍ବଦା ମିଠା ହୁଏ । ଉଇକିପିଡିଆ ନିମନ୍ତେ ସ୍ଵେଚ୍ଛାସେବୀ ଭାବରେ ବର୍ଷ ବର୍ଷ ଧରି କମ୍ପ୍ୟୁଟର ଆଗରେ ବସି କିବୋର୍ଡରେ ଅଙ୍ଗୁଳି ଚାଳନା କଲାବେଳେ ସ୍ଵପ୍ନରେ ସୁଦ୍ଧା ଭାବିନଥିଲି ଏହି ଭଳି ବିରଳ ପୁରସ୍କାର ମୋତେ ମିଳିବ । ବହୁତ ଧନ୍ୟବାଦ, ଉଇକିମିଡିଆ । 



Rate this content
Log in