puspanjali das

Others

3  

puspanjali das

Others

ରଖେ ହରି

ରଖେ ହରି

5 mins
32



      ବନାନୀ ଘର ଓଳାଉ ଓଳାଉ ଫୋନଟି ତାଙ୍କର ବାଜି ଉଠିଥିଲା।ତର ତର ହୋଇ ଫୋନଟି ଉଠାଇ ଦେଇ ,ଆରପଟୁ ଅମ୍ବାର ସ୍ୱର ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।କାନ୍ଥରେ ଟଙ୍ଗା ହୋଇଥିବା କ୍ୟାଲେଣ୍ଡରଟି ଉପରେ ଆଖି ପଡ଼ିଯାଇ ଥିଲା।ଆରେ!ଆଜି ତ ଛ ତାରିଖ!ଅମ୍ବାର ବାହାଘର ତ ପାଞ୍ଚ ତାରିଖରେ ହେବାର ଥିଲା!ସେ ତ ବ୍ୟସ୍ତତା ଭିତରେ ପୁରାପୁରି ଭୁଲି ଯାଇଥିଲେ!ଅମ୍ବାର ସ୍ୱରରେ କିନ୍ତୁ ଆନନ୍ଦର ସ୍ପର୍ଶ ଅନୁଭବ କରି ଯଦିଓ ସାମାନ୍ୟ ଆଶ୍ୱସ୍ତ ହୋଇଥିଲେ,ତଥାପି ପଚାରି ପକାଇଲେ-ଆଲୋ,ତୋ ବାହାଘର ପା କାଲି ଥିଲା,କ'ଣ ହେଲା?ଆଜି କୋଉଠୁ ଫୋନ କରୁଛୁ,ଆଉ ଏଇଟା ତ ତୋ ନମ୍ବର ନୁହେଁ, କାହା ନମ୍ବର?ଏତେ ଗୁଡିଏ ପ୍ରଶ୍ନ ଏକା ସାଙ୍ଗରେ ପଚାରି ପକାଇ ଟିକିଏ ହାଲିଆ ହୋଇଗଲା ଭଳି ସ୍ୱରରେ କହିପକାଇଲେ,ରହ ରହ,ମୁଁ ଟିକେ ବସିପଡ଼େ। ପାଖ ଚେୟାର ଟିରେ ଫୋନଟି ଧରି ବସିପଡି କିଛି କହିବା ପୂର୍ବରୁ ଆରପଟୁ ଅମ୍ବାର ସ୍ୱର ଭାସି ଆସିଥିଲା–ମା,ତେମେ ଏତେ ସାହାସୀ ଯାଉଛ କାହିଁକି? ଓଷଦି ଖାଉନ କି? ତମ ଦିହ ଭଲ ଅଛି ତ?ବନାନୀ ସାମାନ୍ୟ ହସି କହିପକାଇଲେ-ଆରେ ହଁ, ତୁ ଆଗ କହ ତୋ ବାହାଘର କ'ଣହେଲା।ଏଥର କିନ୍ତୁ ଆରପଟୁ କିଛି ଉତ୍ତର ଆସିଲାନି କେବଳ କିଛି ସମୟ ନିରବତା ପରେ ଅମ୍ବା ଧୀରେ କରି କହିପକାଇଲା-ତେମେ ତା'ହେଲେ ଦେଖିନ! ତା' ସ୍ୱରରେ ଥିଲା ଅଭିମାନର ସ୍ପର୍ଶ! ତା' ଅଭିମାନକୁ ବୁଝି ନ ପାରି ବନାନୀ କିନ୍ତୁ ପଚାରି ପକାଇଥିଲେ--ଆଲୋ,ମତେ କଣ ଦେଖିନି ବୋଲି ଓଲଟି ପଚାରୁଛୁ ତୋ ବାହାଘର କ'ଣ ହେଲା କହୁନୁ? କଣ ଦେଖି ନି?ଏଥର ଅମ୍ବାର ସ୍ୱର ଆଉ ଟିକେ କ୍ଷୀଣ ହୋଇ ଯାଇଥିଲା କିଛି ସମୟ ଚୁପ୍ ରହିଯାଇ କହିପକାଇଲା-ହଉ ମା,ମୁଁ ରଖୁଛି। ପରେ କଥା ହେବି। ଫୋନଟି ସେପଟୁ କଟି ଯାଇଥିଲା।

       ଯଦିଓ ବନାନୀର ମନ ଭିତରେ ଅମ୍ବାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା ହେଲେ ନିଜର ଶରୀରର ଅସୁସ୍ଥତା ଯୋଗୁଁ ସେସବୁରେ ପୂର୍ଣ୍ଣଛେଦ ପକାଇ ଘରର ସକାଳର ବାସି କାମରେ ଲାଗିପଡିଲେ।ସବୁ କାମ ସାରି ବିଶ୍ରାମ ନେବାକୁ ଆସିଲା ବେଳକୁ ସମୟ ଅପରାହ୍ନ ତିନିଟା ବାଜି ଯାଇଥିଲା। ହଟ୍ ୱାଟର ବ୍ୟାଗଟିରେ ଗରମ ପାଣି ପୁରାଇ ବେଡ଼ ଉପରେ ଗଡୁ ଗଡୁ ଫୋନଟିରେ WA ଟି ଦେଖିବାକୁ ବାହାରିଲେ। ଏତେ ଗୁଡିଏ ମେସେଜକୁ ପଢି ସେସବୁର ଉତ୍ତର ଦେବାକୁ ସେଦିନ ଯେମିତି ଆଉ ଧୈର୍ଯ୍ୟ ନ ଥିଲା! ତଥାପି ଥରୁଟିଏ ଆଖି ବୁଲାଇ ଆଣୁ ଆଣୁ ଅମ୍ବା ଠାରୁ ଆସିଥିବା ମେସେଜ ଉପରେ ଆଖି ତାଙ୍କର ଅଟକି ଯାଇଥିଲା। ଆରେ ତାକୁ ତ କିଛି ଆସେନି ବୋଲି କହୁଥିଲା! ଏଇ କେତେଟା ଦିନରେ କ'ଣ ଶିଖିଗଲା! ଏକଥା ମନେ ମନେ ଭାବି ଭାବି ତା' ମେସେଜ ଖୋଲି ଦେଖି ଦେଇଥିଲେ । ଅମ୍ବାର ବାହାଘର ଫୋଟୋ ଗୁଡିକ ଦେଖି ଯେତିକି ଆଶ୍ଚର୍ଯ୍ୟ ହୋଇଥିଲେ ତା'ଠାରୁ ଅଧୁକ ଖୁସି ହୋଇଯାଇଥିଲେ!ସେଗୁଡିକୁ ଭଲ କରି ଦେଖୁ ଦେଖୁ ହଠାତ ଗୋଟିଏ କାଗଜରେ ବଙ୍କା ତେଢା ଅକ୍ଷରରେ ଲେଖା ହୋଇଥିବା ଦୁଇଟି ଶବ୍ଦ -'ରଖେ ହରି.' ଉପରେ ଆଖି ତାଙ୍କର ଲାଖି ରହିଯାଇଥିଲା।

        ଅମ୍ବାର ବଙ୍କା ତେଢା ଅକ୍ଷର ଗୁଡିକ ବନାନୀ ଠିକ ଚିହ୍ନି ପାରିଥିଲେ। ଭାବନାର ଖିଅଟା ତାଙ୍କର ଲମ୍ବି ଯାଇଥିଲା କିଛି ମାସ ତଳକୁ..ସେଦିନ ଅମ୍ବା ମୁହଁଟି ଶୁଖାଇ ତାଙ୍କ ଘରକୁ ବହୁତ ଡେରିରେ କାମକୁ ଆସିଥିଲା;ସବୁଦିନ ପୁରା ସକାଳୁ ଠିକ ସମୟରେ ଆସୁଥିବା ଆଉ ସବୁବେଳେ ହସ ହସ ମୁହଁର ଝିଅଟିର ବ୍ୟତିକ୍ରମ ଦେଖି ବନାନୀ ପଚାରି ଦେଇଥିଲେ-ଆଲୋ,ଆଜି ତୋର କ'ଣ ହୋଇଛି? ଏତେ ଡେରି ସାଙ୍ଗକୁ ମୁହଁ କାହିଁକି ଶୁଖିଛି? କିଛି ନାହିଁ ମା,ପରେ କହିବି କହି ଅମ୍ବା ସକାଳର ବାସି କାମ ସାରିବାରେ ଲାଗିପଡିଥିଲା ହେଲେ ଯେତେ ଚେଷ୍ଟା କଲେ ବି ସବୁଦିନ ପରି ହସି ପାରୁନଥିଲା! ଝାଡୁ ପୋଛା ସାରି ଦେଇ ଯେତେବେଳେ ଚା'କପ୍ ଟି ଧରି ବସିପଡିଲା,ବନାନୀ ମଧ୍ୟ ସବୁଦିନ ପରି ନିଜ ପାଇଁ ଚା'କପ୍ ଟିଏ ଧରି ତା' ପାଖରେ ଚେୟାରଟି ଉପରେ ବସିପଡିଥିଲେ।ଅମ୍ବାର ମୁଣ୍ଡ ଉପରେ ହାତଟି ରଖି ଯେତେବେଳେ ତା'ମୁହଁକୁ ଚାହିଁ ଦେଇଥିଲେ, ସେତେବେଳେ ଅମ୍ବା ଆଉ ରହିପାରିନଥିଲା ବାଷ୍ପାକୁଳ କଣ୍ଠ ରେ କହି ପକାଇଥିଲା–ମା,ମୁଁ ଯାହା କହୁଥିଲି ଠିକ, ମୁଁ ବାହା ହେବିନି।ମୋ ଭାଗ୍ୟରେ ବାହାଘର ନାହିଁ ।ମୋ ବଡ଼ ନାନୀ ଭଳି ମୁଁ ମଧ୍ୟ ରହିଯିବି। ଆଉ କିଛି କହି ପାରିନଥିଲା କେବଳ ଲୁହ ତା'ର ଧାର ଧାର ହୋଇ ଗଡି ଚାଲିଥିଲା।

     ବନାନୀ ନିଜେ ବସିଥିବା ଚେୟାର ଟିକୁ ଆଉ ଟିକେ ଅମ୍ବା ପାଖକୁ ଟାଣି ନେଇ ଧୀରେ ପଚାରି ଦେଇଥିଲେ–କ'ଣ ହେଲା,ମତେ ଟିକେ କହିବୁ?ଏଥର ଅମ୍ବା ମୁହଁ ଉଠାଇ ଧୀରେ କରି କହିପଳାଇଲା–ସେମାନେ ଏ ସନ କରିବେନି ବୋଲି କହିଲେ ମା ମୁଁ ଜାଣିଛି ଆମ ବସ୍ତି ଲୋକ ଗୁଡା ଭାରି ଖରାପ,କଣ ସବୁ କହିଛନ୍ତି ବୋଧେ ସବୁଥରକ ଭଳିଆ । ସେମାନେ ଏଇ 'କରୋନା'ର ଆଳ ଦେଖେଇ ଏତେ ଦୂର ରେ ସେମାନେ କେମିତି ହେବ କହିଟାଳୁଛନ୍ତି।ସେଇ କଥା ତ ଜାଣିଥିଲେ ଭିଡିଓ କରି ଦେଖା ଚାହାଁ ତ କଲେ ସବୁ ଠିକ ଠାକ ହେଲା।ତେମେ ମେତେ କେତେ ବୁଝେଇ ରାଜି କରେଇଲ।ଦେଖୁନ, ମୁଁ ରାଜି ହେଲା ବେଳକୁ ସେମାନଙ୍କର ଏଇ ପେଖନୀ!ମୁଁ ଜାଣିଥିଲି ପା, ମୋ ବାପ ଗଲା ଦିନ ଠୁ ଏ ବସ୍ତି ଲୋକ ଗୁଡା ଆମକୁ ଶାନ୍ତିରେ ରଖେଇ ଦେବେ ନାହିଁ ମୋ ବାହାଘର କରେଇ ଦେବେନି!ଆଲୋ,ଏମିତି କାହିଁକି ଭାବୁଛୁ ଭଗବାନ କ'ଣ ନାହାଁନ୍ତି? ତୁ ଟିକେ ଧୈର୍ଯ୍ୟ ଧର ସବୁ ଠିକ ହୋଇଯିବ।ହେଲେ ତୁ ପଳେଇଲେ ମୁଁ କଣ କରିବି କହିଲୁ? କିଏ ଆଉ ତୋ ଭଳିଆ କରିବ ମୋ ଦେହ ମୁଣ୍ଡ କିଏ ବୁଝିବ?ଗମ୍ଭୀର ପରିସ୍ଥିତିକୁ ହାଲୁକା କରିବା ପାଇଁ ବନାନୀ ସିନା ଏତକ ଅମ୍ବାକୁ କହିଦେଇଥିଲେ ହେଲେ ନିଜେ ବି ଜାଣିପାରୁନଥିଲେ କେମିତି କଣ କରିଲେ ସବୁ ଠିକ ହୋଇଯିବ! ତଥାପି ଅମ୍ବା ଠାରୁ ତା'ଶାଶୁଘର ର ଫୋନ ନମ୍ବରଟି ନେଇ ବୁଝିବାକୁ ଓ ବୁଝାଇବାକୁ ନିଶ୍ଚିତ କରିଥିଲେ।ବାପ ମା' ଛେଉଣ୍ଡ ପିଲାଟିର ଅଭିଭାବକ କେହି ନ ଥିବାରୁ ତାରି ସାଙ୍ଗରେ କଥା ହୋଇ ଯଦିଓ ତାର ନମ୍ରତାରେ ପ୍ରଭାବିତ ହୋଇଥିଲେ ହେଲେ ତାକୁ ଯେ ବୁଝାଇପାରିବାରେ ସକ୍ଷମ ହୋଇଛନ୍ତି ଏକଥା ନିଶ୍ଚିତ ହୋଇ ପାରିନଥିଲେ। ତଥାପି କ୍ଷୀଣ ଆଶା ଟିକିଏ ରଖି ଅମ୍ବାକୁ ପୁରା ଆଶ୍ୱାସନା ଦେଇ ଦେଇଥିଲେ।କରୋନା ଯୋଗୁଁ ଅମ୍ବାର କାମ ବନ୍ଦ କରିବା ବେଳେ ଆଶୀର୍ବାଦ ସ୍ୱରୂପ ତାକୁ ବାହାଘରିଆ ଶାଢ଼ୀଟିଏ ଦେବାକୁ ମଧ୍ୟ ଭୁଲି ନ ଥିଲେ! ଅମ୍ବା ରହିଥିବା ବସ୍ତିରେ କିନ୍ତୁ ଦିନକୁ ଦିନ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଥିବାରୁ ସେ ଆଶା ଟି ମଧ୍ୟ ତାଙ୍କର ମଉଳି ଯାଇଥିଲା।ୟା'ଭିତରେ ଅନେକ ଦିନ ଗଡି ଯାଇଥିଲା, ନିଜର ସ୍ୱାସ୍ଥ୍ୟ ଗତ ଅସୁବିଧା ଓ ଘର ର ଅନ୍ୟାନ୍ୟ ସମସ୍ୟାକୁ ନେଇ ଏତେ ବ୍ୟସ୍ତ ରହି ଯାଇଥିଲେ ଯେ ଅମ୍ବା ର ଫୋନ ରେ ଜଣାଇଥିବା ଖୁସି ଖବରଟି ଯେ-'ତା'ବାହାଘର ଆସନ୍ତା ପାଞ୍ଚ ତାରିଖ ରେ ହେଉଛି'ମଧ୍ୟ ମନରୁ ସାମାନ୍ୟ ଖସି ଯାଇଥିଲା। 

    ଅମ୍ବାର ଫୋଟୋ ସାଙ୍ଗରେ ଥିବା ଲେଖାଟି ଦେଖୁ ଦେଖୁ,ସେଦିନର ଫୋରେ ଅମ୍ବା ସାଙ୍ଗରେ ହୋଇଥିବା କଥୋପକଥନ ଟି ଯେମିତି ପୁଣି ତାଙ୍କ କାନରେ ବାଜି ଯାଉଥିଲା-ଅମ୍ବାର ବ୍ୟସ୍ତ ବିବ୍ରତ କଥା ଗୁଡିକ କାଟି ବନାନୀ ତାକୁ ବୁଝାଇ ଚାଲିଥିଲେ-ଆଲୋ ବ୍ୟସ୍ତ କାହିଁକି ହଉଛୁ ! ତୁମ ବସ୍ତି ତ କଣ୍ଟେଣ୍ଟମେଣ୍ଟ ଜୋନ୍ ଏପର୍ଯ୍ୟନ୍ତ ହେଇନି ତୁ ବାହା ହୋଇ ପଳା ତୋ ଶାଶୁଘର ଲୋକ ଯଦି କହୁଛନ୍ତି ଗାଡି ନେଇକି ଆସିବେ, ତୁ ଓ ତୋ ଘର ଲୋକ ସମସ୍ତେ କଟକ ରୁ ଆନ୍ଧ୍ର ପଳାଅ।ତୋ ବାହାଘର ପରେ ତୋ ଘର ଲୋକ କିଛି ଦିନ ସେଇଠି ରହିକି ଏଠିକାର ପରିସ୍ଥିତି ସୂଧୁରିଲେ ଆସିବ।ତୋର ମଝିଆ ଭଉଣୀ ପରା ସେଇ ଗାଁ ରେ ବାହା ହୋଇଛି।ତୁମର ଆଉ କେତେ ବନ୍ଧୁ ବାନ୍ଧବ ଅଛନ୍ତି ସେଠି!ଦେଖିବୁ,ସବୁ ଠିକ ହୋଇଯିବ।କଥାରେ ପା ଅଛି–'ରଖେ ହରି,ମାରେ କିଏ?'ଠାକୁରଙ୍କର ଯଦି କୃପା ଦୃଷ୍ଟି ଥିବ,କୋଉବାଟେ ହେଲେ ତୁମକୁ ରକ୍ଷା କରିଦେବେ!ଏକଥା ଜମାରୁ ଭୁଲିବୁନି।ସତରେ ତା' ହେଲେ ଅମ୍ବା ଓ ତା'ପରିବାରକୁ ଠାକୁର ହିଁ ସେଠିକି ନେଇ ଯାଇ ରକ୍ଷା କରିଦେଇଛନ୍ତି!ସେଇକଥ ଜଣାଇବାକୁ ଅମ୍ବାର ସେଇ ଦୁଇଟି ଶବ୍ଦ ଯେମିତି ସମର୍ଥ ହୋଇ ଯାଇଥିଲେ!

       ଫୋନ ଟିକୁ ଧରି ଉଠି ବସିଥିଲେ ବନାନୀ ଆଉ ଅମ୍ବାର ଫୋନ ଆସିଥିବା ନମ୍ବରରେ ଡାଏଲ କରି ସ୍ପିକର୍ ଟି ଅନ କରି ଅମ୍ବାର ସ୍ୱରକୁ ଅପେକ୍ଷା କରିଥିଲେ, ହେଲେ ଅନ୍ୟପଟୁ ସେଇ ନମ୍ର ପୁରୁଷ ସ୍ୱରଟି ଭାସି ଆସିଥିଲା--ନମସ୍କାର ଆଜ୍ଞା,ଅମ୍ବାକୁ ଦେଉଛି କଥା ହୁଅନ୍ତୁ।ବନାନୀ କିଛି କହିବା ପୂର୍ବରୁ ଅମ୍ବାର ସ୍ୱର ଭାସି ଆସିଥିଲା,ଯୋଉଥିରେ ପୂର୍ବର ଅଭିମାନ କି ଦୁଃଖର ସ୍ପର୍ଶ ନ ଥିଲା,ବରଂ ପ୍ରଗଳ୍ଭ ଅମ୍ବାର ପୂର୍ଣ୍ଣ ଛେଦ ବିହୀନ ବାକ୍ୟଗୁଚ୍ଛ। ଅମ୍ବାର ଅଛିଣ୍ଡା କଥା ସବୁ ଶୁଣୁ ଶୁଣୁ ବନାନୀ ନିଜ ଶରୀର କଷ୍ଟ ଯେମିତି ଭୁଲି ଯାଇଥିଲେ!ମନେ ମନେ ସେଇ ଜଗତର କର୍ତ୍ତା ଙ୍କୁ ଧନ୍ୟବାଦ ନ ଦେଇ ରହିପାରିଲେନି!ପିଲାଦିନରୁ ବୋଉ ଠାରୁ ଶୁଣି ଆସୁଥିବା ସେଇ ବାକ୍ୟ ଟି ବାରମ୍ବାର ମନରେ ଆସିଯାଉଥିଲା,ସତରେ–'ରଖେ ହରି,ମାରେ କିଏ??'

           

    

           


Rate this content
Log in