ରଜ ମଉଜ
ରଜ ମଉଜ
ଗୋପାଳ ଅପା ଅପା ଡାକି ଡାକି ଭିତର କୁ ଆସି କହିଲା, ଘର ଭଡା ଦେବକି ଅପା,ତ କହିଲି ନାହିଁ ଗୋପାଳ, ଘର ଭଡା ଦେଲା ଭଳି ଘର କରିନୁ ଆମେ, ନିଜ ପାଇଁ ଯାହା ଯେମିତି, କାହାକୁ ରଖିବୁ କାହିଁକି ଏଇଟା ହେଇନି ସେଇଟା ହେଇଥିଲେ ଭଲ ହୋଇଥାନ୍ତା ଶୁଣିବୁ କାହିଁକି? ନାଇଁମ ଅପା ଏମାନେ ସ୍ୱାମୀ ସ୍ତ୍ରୀ ଦୁଇଜଣ ଆଉ ପିଲା ବୋଲି ବକଟେ ରଖୁନ, ତୁମକୁ ଗହଳି ଲାଗିବ, ହ, ହଉ ଦେଖିବା ଭାଇ ଆସନ୍ତୁ ପଚାରି କହିବି, ଆଛା ଗୋପାଳ ସାହିରେ ସବୁ ଭଲଟି?, ହଁ ଅପା ସବୁ ଭଲ, ନାଇଁ କଥା କଣ କି ଆରବର୍ଷ ସାଇର ସେଇ ଯୋଉ ପାଗଳ ବୁନୁ ତାକୁ ଗାମୁଛା ଓ ଶାର୍ଟ ପ୍ୟାଣ୍ଟ ଦେବି ବୋଲି ଏ ବର୍ଷ କୁ କହିଥିଲି ତ କାହିଁ ଦେଖୁନି, ନାଇଁ ଅପା ସେ ପରା ଯାଆଁଳା ଆଶ୍ରମ ରେ ଭଲରେ ଅଛି ବରଂ ମତେ ଦେଇଦେବ, ହଉ ହଉ ଭଲ କହି ତାକୁ ମେଲାଣି ଦେଲାବେଳକୁ ପହଂଚିଗଲେ ଇଏ, ଗୋପାଳ ପୁଣି ଥରେ ସବୁ ବଖାଣି ଟେକୁ ଥିଲା ଭଡା ରାହିବାକୁ ଚାଁହୁଥିବା ପରିବାର କୁ ଗୋଟାପଣେ ତ ଇଏ କହିଲେ ହଉ ଆସନ୍ତୁ ସେମାନେ କାଲିକୁ କଥା ହେବା, ଗୋପାଳ ଖୁସି ହୋଇ ଚାଲିଗଲା
କାଲି ସକାଳ କେଡେ ଚଞ୍ଚଳ ପାହି ବି ଗଲା ଆଉ ଭଡା ରହିବାକୁ ଘର ଖୋଜୁଥିବା ପରିବାର ବି ଆସିଗଲେ ଦେଖିବାକୁ ଘର, ସେମାନେ ଘର ଦେଖିବାକୁ ଆସି ଜବରଦସ୍ତ ଅତିଥି ସାଜିଲେ, ସାଙ୍ଗରେ ଗୋପାଳ ବି ଆପାୟିତ
ହୋଇ କହୁଥାଏ, ଅପା କଣ ସେମିତି ଛାଡିବ, ଏଠାରେ ରହିଲେ ଜାଣିବନି, ଆଗକୁ ରଜ ଆସୁଛି, ପଳେଇଆସ ଚଞ୍ଚଳ, ମୁଁ ବି ଆସିବି ଅପା ହାତର ପିଠା ପଣା ଆଉ ବାହୁନିବାର ଅଛି, ମୁଁ ପ୍ରତିବାଦ କରି କହିଲି ନାଇଁ ଗୋପାଳ ରଜ କୁ ଝିଅ ଜୋଇଁ ଆସିବାର ଅଛି ଆସିକି ଯାଆନ୍ତୁ ଘର ଦେବା କଥା ଚିନ୍ତା କରିବା, ତ ଗୋପାଳ ନଛୋଡବନ୍ଧା, କଣ ହେଲା ସେଠୁ ଝିଅ ଜୋଇଁ କଣ ତାଙ୍କର ନୁହେଁ?
ଘର ଶେଷରେ ଭଡା ଦିଆଗଲା, ନୂଆ ଘରେ ଦାଗ ଲାଗିନଥିବା ସ୍ଥାନରେ ଟ୍ରଙ୍କ ଠୁ ଆରମ୍ଭ କରି ଗଡ଼ରେଜ ର ଘୋଷଡା ଦାଗ ରେ ଛିନଛତ୍ର ହେଲା, ପାଣି ଟାଙ୍କି ଦିନକୁ ଦୁଇ ବଦଳରେ ପାଞ୍ଚ କି ଛଅ ଥର ଭରିବାକୁ ପଡିଲା, ଇନଭରଟର ନକାଟି ଥିବାରୁ ରାତିରେ ଲାଇନ କାଟିଲେ ପାଞ୍ଚ ରୁମ ରେ ଫ୍ୟାନ ବୁଲି ବନ୍ଦ ହେଲା ଯେ ଅଧରାତିରୁ ଅନିଦ୍ରା ହେବାକୁ ପଡିଲା, ତା ପରେ ବ୍ୟକ୍ତିଗତ ବୋଲି କିଛି ରହିଲାନି, ନିଜକୁ ଭଡାଟିଆ ମନେ ହେଲା l
ରଜ ଦିନ ଗୋପାଳ ସହ ନୂଆ ଭଡାଟିଆ ପରିବାର ଙ୍କର ଆମ ଆଡ଼େ ରୋଷେଇ, ଖିଆପିଆ ସରିଲା ପରେ ଗୋପାଳ କୁ ନୂଆ ଗାମୁଛା ଶାର୍ଟ ପ୍ୟାଣ୍ଟ ଦେଇ ତା ହାତରେ ପାଞ୍ଚଶହ ଗୁଞ୍ଜିଦେଇ କହିଲି ରଜ ଖର୍ଚ୍ଚ ରଖ ଆଉ ଭଡାଟିଆ ଙ୍କୁ ଅନ୍ୟ ଘର ବୁଝି ନେଇଯାଅ, ଇଏ କି କଥା ଅପା, ସେମାନେ ଅଛନ୍ତି ବୋଲି ମୁଁ ପ୍ରତିଦିନ ଭଲ ମନ୍ଦ ବୁଝିବାକୁ ଆସୁଛି ନା ନାହିଁ ପୁଣି ତୁମକୁ ଦେଖୁଛି ତୁମ ହାତ ତିଆରି ଚା ବି ପିଉଛି କି ନାହିଁ, ଆଉ ସେମାନେ ଅଛନ୍ତି ବୋଲି ତୁମେ ନିଧଡ଼କ ନା ନାହିଁ, ନାଇଁ ଯେ ଗୋପାଳ, ନୂଆ ପାଣି ମେସିନ କିଣିବାକୁ ପଡିବ, ପୁଣି ଇନଭରଟର ଖରାପ, ଉପରେ ତାର ଛିଂଡିଗଲାଣି ଦୁଇଘର ଲୁଗାପଟା ଶୁଖିବାରେ ଆଉ ଏମିତି କେତେ କଣ, ଆଉ କଣ ସବୁ ହିସାବ ଦେବି, ଆମେ ସଜାଡି ସାରୁ ପୁଣି ରଖିବା, ତମର ଯୋଉ କଥା ଅପା, ସେମାନେ ଥାଇ କଣ ଏସବୁ କରିହେବନି, ତା ପରେ ତୁମର ଯାହା ଖରାପ ହେବ, ତୁମେ କରିବନି ଆଉ କିଏ କରିବ, ହଁ ଗୋପାଳ ଆମେ କରିବୁ ଯେ, ଟିକେ ଅସୁବିଧା ଅଛିତ ତୁମେ ତାଙ୍କ ପାଇଁ ଅନ୍ୟ ବ୍ୟବସ୍ଥା କର, ଗୋପାଳ ବିଡି ବିଡି ହୋଇ କହି କହି ଯାଉଥିଲା ହଉ କାଲି ରଜ ସଂକ୍ରାନ୍ତି ଭଲ କି ବାଡିଆ ଡାଲମା କରିବ ଅପା, ସେ ଚାଲିଗଲା ପରେ ଭଡାଟିଆ ସ୍ୱାମୀ ସ୍ତ୍ରୀ ଆଉ ଏପଟ ଛାଡ଼ୁନାହାନ୍ତି, ପିଲାଟି ବି ଆମ ଖଟ ଦଖଲ କରିଛି, ପାଠ ବୁଝିବାକୁ ଆସିଛି କହି ଆଉ ଯିବା ନାମ ଧରୁନି, ସବୁ ସମ୍ଭାଳି ନ ନେଲେ "ଲୋକ ଲଜ୍ଜ୍ୟା ମରଣ ରୁ ବଳି "l
କିନ୍ତୁ ତା ଆରଦିନ ଆମଘର ତାଲା ପଡ଼ିଥିବା ଦେଖି ଗୋପାଳ ର ଘନ ଘନ ଫୋନ, ଝିଅ ଘରେ ଥାଇ ଉତ୍ତର ଦେଲି ଭଡା ବାଲାଙ୍କୁ ଅନ୍ୟ ଆଡ଼େ ଥଇଥାନ କଲେ ଆମେ ଘରକୁ ଯିବୁ, ଗୋପାଳ ଚିଡି ଉଠି କହୁଥିଲା ହ ହଉ, କେତେ କଷ୍ଟ ରେ ଭଡା ଯୁଟେଇ ଥିଲି, ଘରକାମ ହେଲେ ସେମାନେ କଣ ଘର ଲୋକ ପରି ଚାଲି ନଥାନ୍ତେ, ଏଇ ରଜ ତଟାରେ ଝିଅ ଘରକୁ ପଳେଇଲ ଅପା, ନାଇଁ ଗୋପାଳ ତୁମେ ଯେତେ ଶୀଘ୍ର ତାଙ୍କୁ ଥଇଥାନ କରିବ ଆମେ ତୁମକୁ ଖୁସି କରିଦେବୁ, କେତେ ଦବ କହୁନା, ହଁ ତୁମ ମନ ଖୁସି ହେଲା ଭଳି ଦେବୁ, ହଉ କହିବା ଶୁଣି ମ ଦେହରେ ଶେଷ ରଜରେ ଜୀବନ ପଶିଲା ଯେମିତି, ହେଲେ ସେପଟେ ଗୋପାଳ ଟଙ୍କା ବକ୍ସ ଖୋଲି ଗଣିବାକୁ ଲାଗିଥିଲା ଆଉ କେତେ ହେଲେ ରାଉଣ୍ଡ ଫିଗର ହେବ, ରଜମଉଜ ଜମିଯିବ l
