ରାମ ବଡ ନା ନାମ ବଡ
ରାମ ବଡ ନା ନାମ ବଡ
(ରାମାୟଣର ଲୁକ୍କାୟିତ ଫର୍ଦ୍ଦ )
ଅଦୃଶ୍ଯ ବସ୍ତୁର ନାମ ହୃଦୟରୁ ଜପ କଲେ ସେ ନାମର ସ୍ୱରୂପ ପ୍ରକଟିତ ହେବ। ପୁରାଣ କହେ ପ୍ରଭୁଙ୍କ ନାମାଶ୍ରୟ ନେବା ବ୍ୟକ୍ତିଙ୍କ ପ୍ରଭୁଦର୍ଶନ ନିଶ୍ଚିତ। ପରମାତ୍ମାଙ୍କ ନାମରେ ନିଷ୍ଠା ହେବା ଅତ୍ୟନ୍ତ କଠିନ। ଉଦାହରଣ ଦେଉଛି : ମୁଁ ପ୍ରତିଦିନ ଠାକୁରପୂଜା କରେ ।କିନ୍ତୁ...କେତେ ଧ୍ୟାନରେ ? ଆଜି ଅଧାପୂଜା ସମୟରେ ଉପରିସ୍ଥ ଅଧିକାରୀ ଫୋନକଲେ, ଜିଲ୍ଲାପାଳ ଆପଣଙ୍କୁ ପଚାରୁଛନ୍ତି ଶୀଘ୍ର ଆସନ୍ତୁ। ସରିଗଲା ପୂଜା। ସେମିତିରେ ଭଗବତ୍ ଦର୍ଶନ ଅସମ୍ଭବ। ସେ ପୂଜାର ମୂଲ୍ଯ ନଥାଏ। କେବଳ ଧୂପଦୀପରେ କୋଠରୀଟି ସୁଗନ୍ଧିତ ହୁଏ। ନାମ ସ୍ମରଣ ସମୟରେ ପାପ ବହୁତ ବାଧାବିଘ୍ନ ଘଟାଏ। ଅନ୍ତକାଳ ପର୍ଯ୍ୟନ୍ତ ବ୍ରହ୍ମନିଷ୍ଠା ରଖିବା ଅତ୍ୟନ୍ତ କଠିନ। ନାମନିଷ୍ଠା ବିନା କଳିକାଳରେ ଜୀବର ଉଦ୍ଧାର ପାଇଁ ଅନ୍ୟ ସାଧନ ନାହିଁ। ତେଣୁ ତ " କଳୌ ତତ୍ ହରି କୀର୍ତ୍ତନାତ୍। " ରାମନାମ ରାମଙ୍କ ଠାରୁ ବଡ, ଏହାର ଜ୍ୱଳନ୍ତ ପ୍ରମାଣ ସେତୁବନ୍ଧ ପରର ଘଟଣା। ରାମ ନାମରେ ବାନର ମାନଙ୍କ ଦ୍ୱାରା ପକାଯାଉଥିବା ପଥର ଭାସିଲା, କିନ୍ତୁ ରାମଙ୍କ ଦ୍ୱାରା ପକାଯାଇଥିବା ପଥର ପାଣିରେ ବୁଡିଗଲା। ସେତୁ ନିର୍ମାଣ ପରେ ରାମଙ୍କ ମନରେ କୌତୁହଳ ଜାତ ହେଲା। ମନେମନେ ଭାବିଲେ ସେ ମୋର ନାମ ଉଚ୍ଚାରଣ କରି ଶିଳ୍ପୀ ନଳନୀଳ ମର୍କଟ ମାନଙ୍କୁ ନେଇ ଏତେ ବଡ ସେତୁ ନିର୍ମାଣ କରିଦେଲେ । ଏବେ ମୁଁ ଦେଖିବି ନିଜେ ସ୍ପର୍ଶ କଲେ ପଥର ଭାସୁଛି ନା ନାହିଁ। ରାମଚନ୍ଦ୍ର ପରୀକ୍ଷା କରିବାପାଇଁ ସମୁଦ୍ର ତଟରେ ଏକ ନିକାଞ୍ଚନ ସ୍ଥାନକୁ ଆସି ଚାରିଆଡକୁ ନିଘା କଲେ। କାଳେ କିଏ ଦେଖିଦେବ ଭାବି ତୁରନ୍ତ ସମୁଦ୍ରକୁ ପଥର ଫୋପାଡିଲେ। ପଥର ସବୁ ବୁଡିଗଲା। ରାମଚନ୍ଦ୍ର ଆଶ୍ଚର୍ଯ୍ଯ ହୋଇଗଲେ। ମୋ ନାଆଁ ଲେଖିଲେ ତ ପଥର ଭାସୁଥିଲା। ହନୁମାନ ଲୁଚିରହି ଏହି ଦୃଶ୍ଯ ଅବଲୋକନ କରୁଥିଲେ। ଶ୍ରୀରାମ ପଥର ଫିଙ୍ଗିଫିଙ୍ଗି କ୍ଳାନ୍ତ ଓ ନିରାଶ ହୋଇ ଫେରିବା ସମୟରେ ହନୁମାନ ପଥ ଓଗାଳିଲେ। ରାମଚନ୍ଦ୍ର ପ୍ରିୟ ଭକ୍ତକୁ ନିଜ ନିରାଶାର କାରଣ ବୟାନ କଲେ। ହନୁମାନ କହିଲେ, ଏହା ସ୍ୱାଭାବିକ। ଆଶ୍ଚର୍ଯ୍ଯ ହେବାର କିଛିନାହିଁ ପ୍ରଭୁ ! ଆପଣ ନିଜେ ଯାହାକୁ ଫିଙ୍ଗିଦେବେ ସେ ଭାସିବ କିପରି ? ସେ ପଥର ସବୁ ନିଜେ ଫିଙ୍ଗିବା ଅର୍ଥ ଆପଣ ସେମାନଙ୍କୁ ତ୍ୟାଗକଲେ। ଅତଃ ସେମାନେ ବୁଡିଗଲେ। ଯାହାକୁ ଆପଣ ନିଜର କରିବେ ସେ କେବେ ବୁଡିବ ନାହିଁ। ହେ ପ୍ରଭୁ ! ମୋ ଔଦ୍ଧତ୍ୟ କ୍ଷମା କରିବେ। ଆପଣଙ୍କ ଠାରୁ ଆପଣଙ୍କ ନାମ ବଡ।
