Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

ABhimanyu Panda

Others

3  

ABhimanyu Panda

Others

ପୁନରାବୃତ୍ତି

ପୁନରାବୃତ୍ତି

6 mins
504


ସବୁଦିନ ପରି ଆଜିବି ଘରକାନ୍ଥର ପାଖେ ପାଖେ ପାଦର ପାଉଁଜୀରୁ ଘୁଙ୍ଗୁର କାଢ଼ି, ହାତରେ ପିନ୍ଧିଥିବା ଚୁଡ଼ିକୁ ହାତରେ ଜାବୁଡ଼ି ଧରି ଶକୁନ୍ତଳା ଦେବୀ ପହଞ୍ଚିଲେ ନିଜର ଠିକଣା ସ୍ଥାନରେ । ରାତିର ଶେଷ ପ୍ରହର । ସଚ୍ଚିଦାନନ୍ଦ ବାବୁ ବିଛଣାରେ ଲମ୍ବ ହେଇ ଶୋଇ ରହିଛନ୍ତି ।ନୀରବତାକୁ ପ୍ରତିହତ କରି ସଚ୍ଚି ବାବୁଙ୍କର ନିଃଶ୍ୱାସର ପ୍ରଖରତାର ସାଇଁ ସାଇଁ ଶବ୍ଦ ସ୍ପଷ୍ଟ ବାରି ହେଇଯାଉଥାଏ । ଶକୁନ୍ତଳା ଦେବୀଙ୍କ ଲାଗି ଏ ସବୁ କିନ୍ତୁ ଅତି ପରିଚିତ । ବିଗତ ପଚାଶ ବର୍ଷ ହେବ ସେ ଏ ସବୁ ଶୁଣି ଆଉ ଦେଖି ଆସୁଛନ୍ତି । ସଚ୍ଚି ବାବୁଙ୍କ ପାଦ ଆଡ଼କୁ ବିଛଣା କଡ଼ରେ ବସିପସଡ଼ି ଭଲ କରି ଥରେ ତାଙ୍କ ମୁହଁକୁ ଚାହିଁ ଶକୁନ୍ତଳା ଦେବୀ ଡାକୁଛନ୍ତି ଏଇ ଶୁଣୁଛ କଣ ଏମିତି ଶୋଇଛଯେ ଟିକେ କଥା ହୁଅନ୍ତନି, ସବୁଦିନ ଭଳି ଆଜିବି କଣ ମୁଁ ଏକା ଏକା କଥା ହେଇ ଫେରିବି । ମୋ ଧୈର୍ଯ୍ୟର ଆଉ ପରୀକ୍ଷା ନିଅନି । ସହିବାର ବି ଗୋଟେ ସୀମା ଥାଏ । ଆଜି ବହୁତ ଇଚ୍ଛା ତମ ସହିତ ଟିକେ ମନଖୋଲି କଥା ହବାକୁ । ତମେ ପରା ପୁରୁଷ ! ପୁରୁଷ ଜାତିକୁ ଅଭିମାନ କଣ ଶୋଭା ଦିଏ ? ତଥାପି କୌଣସି ଉତ୍ତର ନାହିଁ । କୋଠରୀ ଭିତରର ନୀରବତାକୁ ବାହାରର ଝିଟିପିଟି ସଙ୍ଗୀତ ହିଁ ଜିଣୁ ଥିଲା । ସଚ୍ଚି ବାବୁ କିନ୍ତୁ ନୀରବ । 

    ଶକୁନ୍ତଳା ଦେବୀ ପୁଣି ଆରମ୍ଭ କଲେ । ଏଇ କିଛି କହୁନା କାହିଁକି ? ସମସ୍ତେ ଜାଣିଛନ୍ତି ତମେ କମ କହିବାକୁ ଭଲ ପାଅ ଏମିତି ପୁରା ନୀରବ !? ହେଲେ ମୁଁ ଜାଣିଛି ତମେ କେଡ଼େ ଗପୁରା । ତମ ଗପ ଶୁଣି ମୁଁ ବିରକ୍ତି ହୁଏ କଣ ମନେ ପଡ଼ୁନି ? ମୁଁ କିନ୍ତୁ ଭୁଲିନି, ସବୁ ମନେ ଅଛି ମୋର । ମୋ କାନ ମୋ ମନ ସବୁ ବିଳାପୀତ ତମର ଗମ୍ଭୀର ସ୍ୱରରେ କିଛି ଶବ୍ଦ ଶୁଣିବାକୁ । ଜାଣିଛ ସବୁଦିନ ଆସୁଛି ଆଉ ତମକୁ ଏମିତି ଦେଖି ପୁଣି ଚାଲିଯାଉଛି ମନଦୁଃଖରେ । ତମ ବାପା ମା' ବି ମନ ଦୁଃଖ କରୁଛନ୍ତି ମୋ ଶୁଖିଲା ମୁହଁକୁ ଚାହିଁ । ତମେ ଯାହା ଜିଦି ଧରିଛ ଯେ ଧରିଛ । ଏତେ ରାଗ କଣ ପାଇଁ ? ଯାହା ଘଟିଯାଇଛି ସେସବୁରେ କଣ ମୋର ହାତ ଅଛି ? ତମେ ବୁଝୁନ କାହିଁକିଯେ ମୁଁ ନିର୍ଦ୍ଦୋଷ । ଏମିତି କେତେ କଣ ଏଣୁତେଣୁ ଗପି ଚାଲିଛନ୍ତି ଶକୁନ୍ତଳା । ସଚ୍ଚି ବାବୁ କିନ୍ତୁ ନୀରବ । 

   ଏଇ ଆମର ବାହାଘର କଥା ତମର ମନେ ପଡ଼ୁଛି ନା ନାହିଁ ? ଯେତେବେଳେ ତମେ ବର ବେଶ ହେଇ ଆମ ଗାଁକୁ ଆସିଥିଲ ! ପୁରା ରାଜ କୁମାର, କୋଟିଏ ଗନ୍ଧର୍ବକୁ ଜିଣିଲା ପରି ରୂପ ତମର । ବାହା ବେଦୀରେ ଓଢଣୀ ତଳୁ ବହୁ ଚେଷ୍ଟା କରି ଦେଖିଥିଲି । ମୋ ବଡ଼ ଭାଉଜ ଯାହା ସବୁ କହୁଥିଲେ ତମେ ତା ଠାରୁ ଶହେ ଗୁଣରେ ଅଧିକ ଲାଗୁଥିଲ । ସେ ବୟସରେ ଚିନ୍ତା କରିବାର ସାମର୍ଥ୍ୟ ନଥିଲେ ବି ମୋ ମନରେ ହଜାରେ ବସନ୍ତର ପୁଲକ ଭରିଯାଇଥିଲା । ଶୁଣୁଛ !! ଆମର ପ୍ରଥମ ମିଳନର ସେ ଅଭୁଲା ରାତି କଥା ମନେ ରଖିଛ ନା ନାହିଁ । ତମ ହାତ ଉପରେ ମୁଣ୍ଡ ରଖି ମୁଁ ପୁରା ରାତି ସୋଇଯାଇଥିଲି, କାଳେ ମୋ ନିଦ ଭାଙ୍ଗିଯିବ ତମେ ରାତିସାରା ସେମିତି ହିଁ ସୋଇ ରହିଥିଲ । ଏ କେବଳ ଗୋଟିଏ ରାତିର କଥା ନୁହେଁ ଏମିତି ଅନେକ ରାତି ବିତିଛି କେବେ କେବେ ତ ମୁଁ ଜାଣିଶୁଣି ଏମିତି କରେ, ତମେ ମୋ ମୁଣ୍ଡ କୁ ହଟେଇବ କି ନାହିଁ, ମୋ ନିଜ ସହ ବାଜି ମାରେ ସବୁଥର କିନ୍ତୁ ତମେ ଜିତି ଯାଅ । ମୁଁ ରାଗିଲେ ତମେ ମତେ କେମିତି ବୁଝେଇ ଦଉଥିଲ । ଦୀର୍ଘ ଚାଳିଶ ବର୍ଷ ହେବ ମତେ ଆଉ କେହି ବୁଝେଇବାକୁ ନାହାଁନ୍ତି । କାହା ଉପରେ ରାଗି ବି ପାରୁନି । ନିଜ ଉପରେ ରାଗୁଛି ଆଉ ନିଜେ ହିଁ ନିଜକୁ ବୁଝେଇ ଦଉଛି । ଏମିତି କହୁ କହୁ ଶକୁନ୍ତଳା କାନ୍ଦି ପକେଇଲେ । କାନ୍ଦ କାନ୍ଦ ହେଇ କହୁଛନ୍ତି ସତରେ ତମକୁ ମୋ କାନ୍ଦିବା ଶୁଭୁନି ! ? କେବେତ ଚେଷ୍ଟା କର ମୋ ମନ କଥା   ବୁଝିବାକୁ । ମୁଁ ତମର ସେହି ଫୁଲେଇ । 

      ଉଚ୍ଚ ଶିକ୍ଷା ପାଇଁ ଯେବେ କଲିକତା ଯାଇଥିଲ, ସପ୍ତାହକୁ ଗୋଟିଏ ଚିଠି ଲେଖୁଥିଲ । ସେ ଚିଠିରେ ଲେଖିଥିବା ପ୍ରତ୍ୟେକଟି ଶବ୍ଦରେ ମୁଁ ତୁମର ଉପସ୍ଥିତି ଅନୁଭବ କରୁଥିଲି । ଚିଠିରେ ଲେଖାଥିବା ପ୍ରତ୍ୟେକଟି ଶବ୍ଦ ଏବେବି ଆକଣ୍ଠ ମନେ ଅଛି ମୋର । ତମେ ଭୁଲିଯାଇଛ କେମିତି ? ତମେ କଲିକତାରେ ଥିଲାବେଳେ ହିଁ ଆମର ପୁଅ ଜନ୍ମ ହେଇଥିଲା । ଫେରିଲା ବେଳେ ତମ ବ୍ୟାଗ ଭିତରେ ଯାହା ବି ଉପହାର ଥିଲା ସବୁ ମୋ ପାଇଁ । ମୁଁ ଭୁଲିପାରୁନି । ଆମର ଦ୍ଵିତୀୟ ସନ୍ତାନ ଯେତେବେଳେ ଝିଅ ଜନ୍ମ ହେଲା ତମେ ସେଦିନ ବେଶି ଖୁସି ହେଇଥିଲ ତମ ବାପିଝିଅଙ୍କ ଭଲ ପାଇବା ଦେଖି ମୁଁ ମିଛମିଛିକା ରାଗୁଥିଲି, କେତେ କଅଁଳ କଅଁଳ କଥା କହି ମୋ ରାଗକୁ ଶାନ୍ତ କରୁଥିଲ ସବୁ ମନେ ଅଛି ମୋର । ଦେଖ ମୁଁ ଆଉ ଥରେ ରାଗୁଛି, । ଟିକେ ମନାନ୍ତନି । ପଥର ହେଇଗଲଣି ଏ ଭିତରେ । ମୋର କଣ ଦୋଷ । ? 

      ହଠାତ ଶକୁନ୍ତଳାଙ୍କ ଚେହେରାରେ ବିଷର୍ଣ୍ଣତାର ଭାବ ଉଙ୍କି ମାରିଲା, ।ଚେହେରାର ଲାଳୀମା ଉଭେଇଗଲା ଆଖିରୁ ଧାର ଧାର ଲୁହ ବହିଗଲା । ଏଇ....ଥରଟିଏ ମୋ କଥା ଶୁଣ ! ସେ ଦିନର ସେ ନିଷ୍ଠୁର ସମୟରେ ମୁଁ ନିରୁପାୟ ଥିଲି । ହାରିଯାଇଥିଲି ନିଜଠାରୁ ନିଜେ । ଯନ୍ତ୍ରଣା ବି ଅସହ୍ୟ ଥିଲା ତମେ କଣ ଜାଣିନ ? ସେଦିନର ସେ ଦୃଶ୍ୟ ମନେପଡ଼ିଗଲେ ମୋ ମନ ଶିହରି ଉଠୁଛି, । କିଛି ଖୁସି ବି ଥିଲା ମନରେ । ରାତି ପାହିଆସୁଥିଲା ପୂର୍ବ ଦିଗରେ ସିନ୍ଦୁରା ଫାଟି ଆସୁଥିଲା । ଦିନମଣି ମନ୍ଦ ମନ୍ଦ ହସି ଧରାପୃଷ୍ଠରେ ପ୍ରବେଶ କରିବାକୁ ସଜ ହେଉଥାନ୍ତି । ଅପରାଜେୟ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୁଁ ପଡିରହିଥାଏ ମୃତ୍ୟୁ ବିଛଣାରେ । ତମେ ସେଦିନ ମୋ ପାଦ ପାଖରେ ବସିଥାଅ । ତମ ଆଖିର ଗରମ ଲୁହ ବର୍ଷା ମୋ ହୃଦୟରେ ଅସୀମ ଶୀତଳତା ଭରିଦେଉଥାଏ । ଜନ୍ମଦାତ୍ରୀ ମା ଠୁଁ ବି ଅଧିକ ମୋ ଶାଶୁ ମା ମୋ ମଥାରେ ତାଙ୍କ ମମତାର ମିଠା ମିଠା ସ୍ପର୍ଶ ଦେଇଚାଲିଥାନ୍ତି । ତମ ବାପା ତ ସେଦିନ ବେଶି ଅବାଧ୍ୟ ହେଇଯାଇଥିଲେ । ଗୋଟେ ଛୋଟ ପିଲାପରି । ଆଖିରେ ଚାରିମେଘକୁ ଏକାଠି କରି ଦେଇଥିଲେ । ସେଦିନ ସମୟ ସାଙ୍ଗରେ ହାତ ମିଳେଇଥିଲି ମୁଁ ଜାଣିଜାଣି ଗୋଟେ ନାରୀକୁ ଏସବୁରୁ ଆଉ କଣ ଅଧିକ ମିଳିବ ? ହେଲେ ଅଳ୍ପ କିଛି ଅବଶୋଷ ବି ରହିଥିଲା । ବହୁତ କିଛି କହିବାକୁ ଇଛା ଥିଲା ତମକୁ । ପାରିଲିନି ହାରିଯାଇଥିଲି । ମୁଁ ଏକ ଲୟରେ ତମରି ମୁହଁକୁ ଚାହିଁ ରହିଥିଲି ତମେ ବି ତମ ଆଖିରେ ମାଡ଼ିଯାଇଥିବା ଲୁହର ବଳୟ କାଟି ମତେ ଶେଷଥର ମନଭରି ଦେଖିବାକୁ ଚାହୁଁଥିଲ । ଶେଷଥର ଆଖିରେ ଆଖି ମିଶିଲା ପରେ ସବୁଦିନ ପାଇଁ ମୁଁ ଆର ପାରିକୁ ଚାଲିଗଲି । ଏ ସବୁରେ ମୋର କଣ ଦୋଷ ଅଛି କୁହତ !!? ତମ ଅଭିମାନର ଅନ୍ତ ହେଉନି ମୋ ଉପରେ । ସେ ଦିନଠୁ ଆଜି ପର୍ଯ୍ୟନ୍ତ ମୁଁ ସବୁଦିନ ଆସୁଛି ତମକୁ ଥରେ ଦେଖିବାକୁ ହେଲେ ତମେ !! ପୁରା ଭୁଲିଗଲ ମତେ । ତମର ଯୋଗ୍ୟ ଆଉ ସଂସ୍କାରୀ ପୁଅ, ବୋହୁ  ମା ଟିଏ ପରି ଯତ୍ନ ନେଉଥିବା ଝିଅ ଏ ସବୁ ତମକୁ ମୋ ପାଖରୁ ଦୁରେଇ ରଖିଛି ନା ? ମୋ ମନରେ ଯେଉଁ ଅବଶୋଶ ଥିଲା ତମେ ତାର ଅଭିଯୋଗ କରିବାକୁ ଦେଇନ । ନିଜ କର୍ତ୍ତବ୍ୟରେ କେବେ ବି ଅବହେଳା କରିନ । ମୋ ସ୍ବପ୍ନକୁ ନେଇ ବଞ୍ଚିଲ । ଦିଜଣ ପିଲା ଆଉ ଦିଜଣ ପ୍ରୌଢଙ୍କର ଯତ୍ନ ନେବାରେ ତମେ କେବେବି ଅବହେଳା କରିନ କି ମନରେ କୁଣ୍ଠା ଭାବ ବି ଆସିନି ତମର । ମୁଁ ସବୁ ଜାଣିଛି ସବୁଦିନ ଆସିଦେଖିଯାଉଛି । ସମସ୍ତେ ଶୋଇଗଲା ପରେ ଏ ବୟସରେ ବି ମୋ ହାକିମବାବୁ ମୋ ପାଖକୁ ଚିଠି ଲେଖନ୍ତି ବସି ! ବାଃ ଧନ୍ୟ ତୁମ ରସିକିଆ ପଣ । ତମ ରସିକିଆ ପଣକୁ କୋଟି ଜୁହାର, । ତମେ କଣ ଭାବୁଛ ମୁଁ ଖାଲି ନିଜ ଇଚ୍ଛାରେ ଏଠିକି ଆସୁଛି ? ତମର ନୀରବଛିନ୍ନ ଭଲ ପାଇବା ମତେ ଟାଣି ଆଣୁଛି । ତମର ଅନାବିଳ ଭଲପାଇବା ଲାଗି ମୁଁ ମଲା ପରେ ବି ଜୀବିତ !। 

   ଜାଣିଛ ତମ ଭଲପାଇବା ଆଗରେ ମୋ ପାଇଁ ସ୍ୱର୍ଗ ସୁଖ ବି ତୁଚ୍ଛ । ଏବେ ତମ ବାପା ମା' ବି ଆସିଲେଣି, ଆମେ ଏବେ ଗୋଟିଏ ଘରେ ରହୁଛୁ । ଯେତେ ଯିଏ ପ୍ରଲୋଭନ ଦେଲେବି ସେମାନଙ୍କୁ କେବଳ ତମେହିଁ ଦରକାର ପୁଅ ରୂପରେ । ମୁଁ ବି କଠିନ ପରୀକ୍ଷାର ସମ୍ମୁଖୀନ ହେଇଛି ପ୍ରଥମେ ଆସିଲାବେଳେ । କେହିବି ମୋତେ ପରିବର୍ତ୍ତନ କରିପାରିନାହାନ୍ତି । ଏ ସବୁ କେବଳ ତମ ଭଲ ପାଇବା ପାଇଁ ହିଁ ସମ୍ଭବ ହେଇପାରିଛି । 

    ମୋର ଯିବା ସମୟ ଆସିଲାଣିତମେ ଉଠୁନ ଯେ ତମର ଉଠିବା ସମୟ ହେଇଗଲାଣି । କଣ ଟିକେ କଫ ହେଇଗଲାଯେ ସକାଳେ, ସବୁ ବନ୍ଧୁବାନ୍ଧବ, ଝିଅ ଜ୍ବାଇଁ, ନାତି ନାତୁଣୀ ସମସ୍ତଙ୍କୁ ଡାକି ମେଳି କରିଦେଇଛ । ତମେ ପରା ଏବେବି ସେଇ ଚବିଶ ବର୍ଷର ଜୁଆନ ଟୋକା । ଦେଖ ପୁଅ ବି ଆମର ଶୋଇନି ରାତିସାରା ବସି କାନ୍ଦୁଛି, । ଝିଅବି ଦେଖ ତମ ପାଦତଳେ କେମିତି ପଡ଼ିଛି ? ଆଉ ଅଭିନୟ କରନି ତମେ ଉଠି କାଁଥରେ ଲାଗିଥିବା ମୋର ସେ ଫଟକୁ ଥରେ ଚାହିଁଦେଲେ ମୁଁ ଚାଲିଯିବି । ଜଲଦି ଉଠ । 

    ଏଇ ସମୟରେ, ଶକୁନ୍ତଳା କାହାର ଉପସ୍ଥତି ଅନୁଭବ କଲେ ନିଜର ଅଲୌଲିକ ବଳୟ ଭିତରେ । ବୁଲିଚାହାନ୍ତେ ......... ଏ କଣ !!? ବାରମ୍ବାର ସଚ୍ଚି ବାବୁ ଶୋଇଥିବା ବିଛଣା ଆଉ ନିଜ ପାଖରେ ଦଣ୍ଡାୟମାନ ପ୍ରତିଛବି । ଆଶ୍ଚର୍ଯ୍ୟ ଚକିତ ହେଇ ପ୍ରଶ୍ନ କରିବା ଭାବରେ ଚାହିଁ ରହିଲେ ସେଇ ପ୍ରତିଛବିକୁ । ଇଏ କଣ ? ତାହେଲେ କଣ ତମେ ? ଶକୁନ୍ତଳାଙ୍କର ଆଉ ବୁଝିବା ଡେରି ହେଲାନି । ଘରେ ବିଚ୍ଛେଦର ରଡ଼ି ଶୁଭୁଛି । ଅଧୈର୍ଯ୍ୟ ପୁଅ, ଝିଅ, ବୋହୁ, ନାତୀ ନାତୁଣୀ ମାନଙ୍କୁ ଦେଖି ସେ ସବୁ ବୁଝିଯାଇଥିଲେ, । ସଚ୍ଚି ବାବୁଙ୍କ ମୁହଁରେ ଥିଲା ଆତ୍ମତୃପ୍ତିର ମନ୍ଦ ମନ୍ଦ ହସ, କର୍ତ୍ତବ୍ୟ ବନ୍ଧନରୁ ମୁକୁଳିବାର ଆନନ୍ଦ । ଶକୁନ୍ତଳାଙ୍କ କାନ୍ଧରେ ହାତ ରଖି ନିଜ ଆଡ଼କୁ ପାଖେଇ ଆଣିଲେ । ଲାଜକୁଳୀ ଲତା ପରି ଝାଉଁଳି ଯାଇ ନିଜକୁ ସମର୍ପିତ କରିଦେଲେ ନିଜର ପ୍ରିୟର ମଣିଷ ପାଖରେ । କହୁଛନ୍ତି ତମେ ଟିକେ ବି ବଦଳିଲନି, ରସିକିଆ ପଣରେ ତମେ ସବୁବେଳେ ପାଦେ ଆଗରେ, ସଚ୍ଚି ବାବୁ ଶକୁନ୍ତଳା ଙ୍କୁ ବାହୁ ବନ୍ଧନରେ ଭିଡ଼ି ଧରି ନୀରବରେ କେବଳ ପୁରଣ କରିଚାଲିଥିଲେ ନିଜ ହୃଦୟରେ ସୃଷ୍ଟି ହୋଇଥିବା ବିଚ୍ଛେଦ ଜନିତ ଗାଢ଼ ସବୁ, । 

   ଏଇ ଛାଡ଼ ଚାଲ ଯିବା ଦେଖ ପୂର୍ବ ଆକାଶକୁ ଥରେ ଚାହିଁ ଦେଖ କେମିତି ଲୋହିତ ବର୍ଣ୍ଣ ହେଇଆସିଲାଣି ସମୟର ପୁନରାବୃତ୍ତିକୁ ଅନୁଭବ କରିପାରୁଛ ଟି ? ଶକୁନ୍ତଳା ସଚ୍ଚି ବାବୁଙ୍କ ହାତ ଧରି ଚାଲିଲେ ତାଙ୍କ ନୂଆ ଠିକଣାକୁ । ଆରପାରିର ବର୍ଣ୍ଣନା ସବୁ କରିଚାଲିଥାନ୍ତି ଅଜ୍ଞ ସଚିବାବୁଙ୍କ ଆଗରେ । ସଚ୍ଚି ବାବୁ କିନ୍ତୁ ନୀରବରେ ସମୟର ପୁନରାବୃତ୍ତିକୁ ନିଜେ ନିଜେ ଉପଭୋଗ କରୁଥାନ୍ତି ।



Rate this content
Log in