Lopamudra Mishra

Others

3  

Lopamudra Mishra

Others

ପ୍ରତାରଣାର ଆଲୋକ

ପ୍ରତାରଣାର ଆଲୋକ

2 mins
504


      

  

    ସୁଧାକର କବାଟ ତଳେ ଖେଞ୍ଚା ହେଇଥିବା ଲଫାପାଟାକୁ ଟାଣି ଆଣିଲା । ଲଫାପା ଖୋଲି ଚିଠି ପଢ଼ିଲା:-

  

"ବାପା, 

ତୁମକୁ କୁଟିଳ,ରୁକ୍ଷ, ସ୍ୱାର୍ଥପର, ଅସଭ୍ୟ, ଅଭଦ୍ର ଲେଖିବାକୁ ମୋତେ କଷ୍ଟ ହୁଏ । ତୁମର ସବୁ ଅନ୍ଧ ନିଷ୍ପତ୍ତିକୁ ମୁଁ ଆଖି ବନ୍ଦକରି ଗ୍ରହଣ କରିନେଇଥିଲି । ତୁମେ ମୋର ଆତ୍ମୀୟଙ୍କ ଆତ୍ମାକୁ ଖିନଭିନ୍ କରି କ୍ଷତାକ୍ତ କରୁଥିଲା ବେଳେ ମୁଁ ତୁମକୁ ସମର୍ଥନ କରିଛି, ନୀରବ ରହିଛି । ପାଟି ଖୋଲିନି କେବଳ ଏଇଥିପାଇଁ ଯେ କାଳେ ତୁମକୁ ମୋ କଥା କଷ୍ଟ ଦେବ । ମୁଁ ଭାବେ ତୁମେ ଯାହା କରୁଛ ଓ କରିବାକୁ ଯାଉଛ ନିଶ୍ଚୟ ତା'ର କିଛି ଭଲ ଉଦ୍ଦେଶ୍ୟ ଥିବ । କିନ୍ତୁ ନାଁ, ନଥିଲା । କିଛି ଭଲ ନଥିଲା, ସବୁ ତୁମର ମନ୍ଦ ଉଦ୍ଦେଶ୍ୟ ହିଁ ମିଶିଥିଲା ସେଥିରେ । ମୁଁ ଭୁଲ ଥିଲି ।


    ତୁମର ଭୁଲ ନିଷ୍ପତ୍ତିକୁ ନୀରବରେ ଗ୍ରହଣ କରିନେବା ମୋର ଓ ଆମ ସମସ୍ତଙ୍କର ମସ୍ତବଡ଼ ଭୁଲ ଥିଲା । ତୁମର ସାହସ ବଢ଼ିଚାଲିଲା । ତୁମେ ଆହୁରି ଅଧିକରୁ ଅଧିକ ଭୁଲ କରିଚାଲିଲ । ଆମକୁ ନିର୍ଯାତନା ଦେବା ତୁମର ଅଧିକାର ବୋଲି ତୁମେ ଭାବିନେଲ । ଧିରେ ଧିରେ ଆମେ ସମସ୍ତେ ତୁମର ଦାସ ହେଇଗଲୁ । ଆମେ ସବୁ ସହୁଥିଲୁ, ପ୍ରତିବାଦ କରୁନଥିଲୁ କେବଳ ଗୋଟିଏ ଆଶାରେ, ତୁମେ ଦିନେ ନିଶ୍ଚେ ବୁଝିବ ତୁମେ ଯାହା କରୁଛ ଭୁଲ କରୁଛ । ତୁମେ ଆମକୁ ଯେତେ ପ୍ରକାର ଅତ୍ୟାଚାର କଲେ ବି ଆମେ ଚୁପଚାପ ରହୁଛୁ ଜାଣି ତୁମ ମନ ବଦଳିଯିବ । କିନ୍ତୁ ତୁମେ ବୁଝିବା ବଦଳରେ ଆମ ପ୍ରତି ତୁମର ରୁକ୍ଷତା, କଠୋରତାକୁ ବଢ଼େଇ ଚାଲିଲ । ତୁମ ଅତ୍ୟାଚାର ଓ ଶୋଷଣର ସୀମା ପାର ହେଇସାରିଥିଲା । ଭୁଲ ତୁମର ଯେତିକି ଥିଲା ଆମର ତା ଠାରୁ ଅଧିକ ଥିଲା, କାହିଁକି ନା ଆମେ ପ୍ରତିବାଦ କରିବା ବଦଳରେ ସହିବା ଶିଖିଯାଇଥିଲୁ । 


  ଆମକୁ ଗୋଟେ ଆଲୋକ ରେଖାର ଆବଶ୍ୟକତା ଥିଲା । ସେଇଟା କୋଉଠୁ ଓ କେମିତି ମିଳିବ ଆମେ ସେହି ଚିନ୍ତାରେ ଥିଲା ବେଳେ ତୁମେ ଆମକୁ ବଡ଼ ଗୋଟେ ଧୋକା ଦେଇଦେଲ । ଆମକୁ ଆମର ସବୁ ନାଯ୍ୟ ଅଧିକାରରୁ ବହିସ୍କୃତ କରି ଧକ୍କା ଦେଇ ରାସ୍ତା ଉପରେ ଛାଡ଼ିଦେଲ । ସେହିଦିନ ହିଁ ଆମେ ଆଲୋକ ଦେଖିଲୁ । ନୂଆ ଆଲୋକ ଅଜାଡି ହେଇପଡିଲା ଆମ ଅସହାୟ, ବେସାହାରା ଜୀବନ ଉପରେ । ଆମେ ସାହସ ଜୁଟେଇ ତୁମକୁ ଯାହା ଇଚ୍ଛା ଗାଳି ଦେଇ ପାରିଲୁ । ତୁମ ମୁହଁ ଉପରେ ଜବାବ ରଖିପାରିଲୁ । ତୁମକୁ ଜଣେ ଅସଭ୍ୟ ଲୋକ କହିବାକୁ ଆଉ ଆମ ଜିଭ ଥରି ଉଠିଲାନି । ସତରେ ପ୍ରତାରଣାର ଆଲୋକଟା ନା ଖୁବ୍ ପ୍ରଖର, ଉଜ୍ଜ୍ୱଳ । 


    ବାପା, ମୁଁ ଏତିକି କାମନା କରୁଛି ତୁମେ କେବେ ବି ଭଲରେ ନରୁହ । ନୂଆକରି ଗଢିଥିବା ତୁମ ସଂସାରଟା ମୋ ବୋଉର ଆଖିରୁ ଝରୁଥିବା ନିଆଁଝୁଲ ଲାଗି ଜଳିଯାଉ । ରହୁଛି ବାପା ।

ଇତି

 ତୁମକୁ ଘୃଣା କରୁଥିବା ଅତୀତର ଏକ ଝିଅ । "


   ସୁଧାକର ଚିଠି ପଢ଼ିସାରି ରାଗରେ ଚିଠିଟା ଚିରିଦେଲା ଓ ଧାଇଁଯାଇ ଗ୍ୟାସ୍ ଚୁଲ୍ଲାର ନିଆଁରେ ସେଇଟିକୁ ପୋଡି ଫିଙ୍ଗିଦେଲା । ଦଲକାଏ ପବନ ଉଡ଼ନ୍ତା, ଜଳନ୍ତା ସେହି ପୋଡା ଚିଠିକୁ ଟାଣି ନେଇ ସୁଧାକରର ଘରର ପରଦାରେ ଲଗେଇଦେଲା । ଚାହୁଁ ଚାହୁଁ ଅନ୍ଧାର ଥିବା ଘରଟା ନିଆଁର କ୍ରୁରତାରେ ଉଜ୍ଜ୍ୱଳି ଉଠିଲା । ସୁଧାକର କିଛି କରିପାରିଲାନି । ଚାହୁଁ ଚାହୁଁ ତାହାରି ପ୍ରତାରଣା ନିଆଁ ହେଇ ତା'ର ସବୁକିଛି ଜାଳି ଭଷ୍ମ କରିଦେଲା ।



Rate this content
Log in