ପ୍ରତାରଣା
ପ୍ରତାରଣା
ଭୁତିଆ ବାବୁ ଜଣେ ରସିକ ପୁରୁଷ। ତାସହିତ ସେ ଜଣେ ଆଜୀବନ ପ୍ରେମିକ ବି। ବିବାହର ଅନେକ ବର୍ଷ ପରେ ବି ତାଙ୍କର ପ୍ରେମ ଫଲ୍ଗୁ ହୃଦୟରୁ ଚିର ପ୍ରବାହିତ ହେଉଛି। ସତେ ଯେମିତି ପ୍ରଣୟର ବୈତରଣୀ ସେ।
ଅଫିସରେ ଷ୍ଟେନୋଙ୍କ ସହ ତାଙ୍କର ସମ୍ପର୍କ ଅତି ନିବିଡ଼ ଆଉ ପୁରୁଣା। ବେଳେ ବେଳେ ଅଫିସ ସରିବା ପରେ ହୋଟେଲ କିମ୍ୱା କେଉଁ ମଲ୍ ରେ ଦୁହେଁ ଘଣ୍ଟେ ଦୁଇ ଘଣ୍ଟା ସମୟ ବିତାଇ ଦିଅନ୍ତି। ଘରେ ସ୍ତ୍ରୀ ପଚାରିଲେ କିଛି ଗୋଟେ ବାହାନା କରି ବୁଝାଇ ଦିଅନ୍ତି। ଯେପରି ଆଜି ଗାଡି ପମଚର ହୋଇଗଲା, ଦୁଇ କିମି ଚାଲି ଚାଲି ଆସିଲି। ଟ୍ରାଫିକ ବହୁତ ଭିଡ ଥିଲା। ଆଜି ଗୁଡ଼ାଏ କାମ ଥିଲା ଅଫିସରେ, ଗୋଟେ ଜରୁରୀ ମିଟିଙ୍ଗରେ ଥିଲି।
ଭୁତିଆ ବାବୁଙ୍କର ନିଜର ଶାଳୀ ନାହାଁନ୍ତି।। କିନ୍ତୁ ଲେଖା ଯୋଖାରେ ସେ ଶାଳୀଟିଏ ଖୋଜି ପାଇଛଟି। ନାଁ ତାର ମିଲି। ପଲ୍ଲୀରୁ ଦିଲ୍ଲୀ କଥା ସେ ତାଙ୍କ ସହ ବାଣ୍ଟନ୍ତି। ସବୁବେଳେ ତାଙ୍କ ସହ ଅନେକ ସମୟ ଧରି ଫୋନରେ ଗପୁ ଥିବେ। ଆଉ ରାତିରେ ଚାଟିଙ୍ଗ ବି କରନ୍ତି.... ବିଳମ୍ବିତ ରାତିରେ ଭୁତିଆ ବାବୁଙ୍କ ମୋବାଇଲକୁ ମିଲିର ମେସେଜ ଆସିଲା...
- କଣ କରୁଛ?
- ନାଇଁ, ଏମିତି ଗଡ଼ ପଡ଼ ହେଉଛି।
- କଣ ଖାଇଲେ?
- କଣ ଆଉ ଖାଇବି, ଭାଉଜର ଦେହ ଖରାପ।(ସ୍ତ୍ରୀଙ୍କ ଦେହ କିନ୍ତୁ ଠିକ ଥାଏ)
- କଣ ହୋଇଛି?
- କହି ହେବନି।
- ଓଃ, ହୋ। ଆମ ଘରକୁ ଆସ ମୁଁ ରାନ୍ଧି କି ଦେବି ଖାଇବାକୁ।
- ସେ ଭାଗ୍ୟ ମୋର କାଇଁ?
-ନାଇଁ ମ। ହଉ, ଥରେ ଆସିକି ଦେଖ।
- ହଉ ଛୁଟି ଦିନ ଦେଖି ଯିବା।
- ତୁମର ପ୍ରିୟ ଖାଦ୍ୟ କଣ?
- ସବୁ।
- ସବୁ ମାନେ?
- ଗଲେ କହିବି।
- plz କୁହନା।
- ନା ନା ପରେ।
- plz
- ସବୁ ମାନେ ଆମିଷ ଆଉ ନିରାମିଷ।
ଏମିତି ସବୁବେଳେ ଚାଲେ ଉଭୟଙ୍କ ସନ୍ଦେଶ ଦିଆ ନିଆ।
ଭୁତିଆ ବାବୁ ସବୁବେଳେ ସବୁ ସମୟରେ ସ୍ତ୍ରୀକୁ ଭଲ ପାଉଥିବାର ମିଥ୍ୟା ବାଣୀ ଶୁଣାଇ ରାଖୀ ପୂର୍ଣ୍ଣିମାରେ ଭଉଣୀ ବୋଲି କହି ରାଖୀ ବାନ୍ଧି ସରିବା ପରେ ସିନେମା ଦେଖାଇ ନିଅନ୍ତି। ସିନେମା ହଲର କାନ୍ଥ ପାଖ ଦେଖି ସିଟ ଖଣ୍ଡେ ହାତେଇ ନେଲେ ତାଙ୍କ ଖୁସି ଦ୍ୱିଗୁଣିତ ହୋଇଯାଏ।
ଆଜି ଭୁତିଆ ବାବୁଙ୍କ ସ୍ତ୍ରୀଙ୍କ ଜନ୍ମ ଦିନ। ସକାଳୁ ସକାଳୁ ଫେସବୁକରେ ସ୍ତ୍ରୀଙ୍କ ଫଟଟିଏ ପୋଷ୍ଟ କରି ଲେଖିଲେ,
"ଏ ହେଉଛନ୍ତି ମୋର ଜଣେ ଭଲ ବାନ୍ଧବୀ, ମୋ ପ୍ରେମିକା, ସର୍ବୋପରି ସେ ଜଣେ ସୁନ୍ଦର ସ୍ତ୍ରୀ। ସୁଗୃହିଣୀର ପ୍ରତିଟି ଦାୟିତ୍ଵ ଓ କର୍ତ୍ତବ୍ୟକୁ ସୂଚାରୁରୂପେ ତୁଲେଇ ପାରୁଥିବା, ମୋ ବେଟର ହାଫ୍।
ମୋ ରାଗ, ରୁଷା,ମାନ, ଅଭିମାନ,ମୋ ପସନ୍ଦ ନା ପସନ୍ଦ କୁ ସମ୍ମାନ ଦେଇ, ଜୀବନର ପ୍ରତିଟି ମୁହୂର୍ତ୍ତରେ ମୋ ସହ ଠିଆ ହୋଇଥିବା ମୋ ଅର୍ଦ୍ଧାଙ୍ଗିନୀ।
ପ୍ରତ୍ୟେକ ସଫଳ ପୁରୁଷ ପଛରେ ଜଣେ ନାରୀର ହାତ ଥାଏ। ମୁଁ ତ ସଫଳ କି ନିଷ୍ଫଳ ସେକଥା ତ କହି ପାରିବିନି କିନ୍ତୁ ଆଜି ମୋ ଜୀବନରେ ମୁଁ ଯାହା କିଛି ବି ପାଇଛି ସେ ସବୁ ୟାଙ୍କର ସ୍ନେହ, ବିଶ୍ଵାସ, ଭଲପାଇବା ଓ ପ୍ରେରଣା ପାଇଁ। ଏହିଭଳି ଜଣେ ସୁନ୍ଦର, ସୁଶୀଳ ନାରୀଙ୍କୁ ଜୀବନସାଥୀ ଭାବରେ ପାଇଁ ମୁଁ ଧନ୍ୟ ଏବଂ କୃତ୍ୟ କୃତ୍ୟ"।
ଲେଖାଟି ପଢି ଭୁତିଆ ବାବୁଙ୍କ ସ୍ତ୍ରୀ ଖୁସିରେ ପାଗଳ। ରାତିରେ ଶୋଇବା ବେଳେ ଭୁତିଆ ବାବୁଙ୍କ ସ୍ତ୍ରୀ ପଚାରିଲେ "ତମେ କଣ ମତେ ସତରେ ଭଲ ପାଅ"। ମନ ଭିତରର ହଳାହଳ ବିଷକୁ ଚାପି ରଖି ଭୁତିଆ ବାବୁ ସ୍ତ୍ରୀଙ୍କୁ ଭୂତେଇ ଦେଇ କହିଲେ, "ମୋ ଛାତିରେ ହାତ ରଖ, ମୋ ଦୃଦୟର ପ୍ରତିଟି ସ୍ପନ୍ଦନ ତୁମକୁ ସେକଥା କହିବ। ତୁମ ବିନା ମୋ ସଂସାର ପରା ଅନ୍ଧାର। ଆଉ କେତେ ବର୍ଷ ଏକାଠି ରହିଲେ ତମେ ମତେ ଜାଣିବ"। ଭୁତିଆ ବାବୁଙ୍କ ସ୍ତ୍ରୀ ଭାବୁଥିଲେ, ତାଙ୍କ ଠୁଁ ଭାଗ୍ୟଶାଳୀ ସଂସାରରେ ଦ୍ୱିତୀୟ କେହି ନାହାଁନ୍ତି।