Aravinda Das

Others

3  

Aravinda Das

Others

ପର୍ସ ଓ ପ୍ରଭୁ

ପର୍ସ ଓ ପ୍ରଭୁ

4 mins
7.4K


ପୁରୀ ମନ୍ଦିରର ଭିଡକୁ ଦେଖି ସୁବାଷ ବାବୁ ପତ୍ନୀ ଜ୍ୟୋତିଙ୍କୁ କହିଲେ, "ମୁଁ ଏତେ ଠେଲାପେଲାରେ ପଶି ପାରିବି ନାହିଁ। ପରେ ବରଂ ଆସିବା।"

ବିରକ୍ତ ହୋଇ ଜ୍ୟୋତି କହିଲେ, "ତୁମପରି ନାସ୍ତିକ ଲୋକ ମୁଁ ଦୁନିଆରେ ଦେଖିନି ।ଅରୁଣ ସ୍ତମ୍ଭ ପାଖରୁ କିଏ ଫେରେ ?ପରେ କ'ଣ ଭିଡ଼ କମିଯିବ ?କଟକରେ ୱାନ ଡେ଼ କ୍ରିକେଟ ମ୍ୟାଚ ବେଳେ ୟା’ ଠାରୁ ଅଧିକ ଭିଡ଼ରେ ପଶି ତ ଷ୍ଟାଡିଅମ ଯାଅ ।ସେତେବେଳ ତ କଷ୍ଟ ହୁଏନା ।ଭକ୍ତି ତୁମର ଟିକେ ବି ନାହିଁ ?ଭକ୍ତି ଯୋଗ ହିଁ ଶ୍ରେଷ୍ଠ ଯୋଗ।"

ଛେପ ଢୋକି ସୁବାଷ କହିଲେ,"ଗତଥର କାର୍ତ୍ତିକ ପୂର୍ଣ୍ଣିମା ଭିଡ଼ରେ ତୁମ ଗୋଡ଼ ମକଚି ହୋଇଥିଲା ।ସେଇଥି ପାଇଁ କହୁଛି ।ତା ଛଡ଼ା ସୁନାହାର, କାନଫୁଲ ପିନ୍ଧିଛ।"

"ଚାରିଆଡେ ସି ସି ଟିଭି କ୍ୟାମେରା ଲାଗିଛି ।ତମେ ଆସିବ ନା ନାହିଁ?"

ଅଗତ୍ୟା ବାଧ୍ୟ ହୋଇ ସୁବାଷ ବାବୁ ଧାଡିରେ ଠିଆ ହେଲେ ଓ ଧୀରେ ଧୀରେ ବାଇଶି ପାହାଚ ଆଡ଼କୁ ଅଗ୍ରସର ହେଉ ହେଉ ପଚାରିଲେ, "କେଉଁ ମାନସିକ କରିଛ " ଝିଲିର ବାହାଘର ପାଇଁ ନା ବବଲୁର କଲେଜ ଆଡ଼ମିସନ ପାଇଁ ?

ନିର୍ବିକାର ଭାବେ ଜ୍ୟୋତି କହିଲେ,"ମୁଁ ଏଥର ଆମ କମ୍ପାନୀର ଲେଡିଜ କ୍ଲବ ପ୍ରେସିଡେଣ୍ଟ ପଦ ପାଇଁ ଠିଆ ହେଉଛି ।ଡି-୩୫ କ୍ବାଟରରେ ରହୁଥିବା ସେ ଫୁଲେଇ କାଦମ୍ବିନୀ ସାହୁ ମୋ ବିପକ୍ଷରେ ଠିଆ ହୋଉଛି ।ସାଙ୍ଗରେ ମୁଁ ନୋମିନେସନ ଫର୍ମ ନେଇ ଆସିଛି ପୂଜା କରିବା ପାଇଁ । କାଲି ପା ଦାଖଲର ଶେଷ ତାରିଖ । ଜିତିଲେ ପୁଣି ଆସିବି ନୀଳଚକ୍ରରେ ବାନା ବାନ୍ଧିବା ପାଇଁ।"

ପ୍ରବଳ ଭିଡ଼ ମନ୍ଦିର ଭିତରେ ।ଠେଲାପେଲାରେ ପଶିଲା ବେଳେ ଜଣେ ସେବାୟତ ଜ୍ୟୋତିଙ୍କୁ ପଚାରିଲେ,"ଲକ୍ଷ୍ମୀ ମା’ ଆମର ଏ ଗରିବ ବ୍ରାହ୍ମଣକୁ ଯଦି ଦକ୍ଷିଣା କି ଭୋଜନ ଦିଅନ୍ତେ, ତେବେ ଆରାମରେ ଅନ୍ୟ ବାଟେ ନେଇ ଜଗ ମୋହନ ଭିତରେ ପଶାଇ ଦର୍ଶନ କରାଇଦିଅନ୍ତି ।ପୋଲିସ ସବୁ ମୋ ଚିହ୍ନା ।ସେଠି ବି ଟିକେ ହାତଗୁଞ୍ଜା ଦେବାକୁ ହେଉଛି ଆମକୁ ।କଣ କହୁଛ ମା’ ?"।

ସୁବାଷ କିଛି କହିବା ଆଗରୁ ଜ୍ୟୋତି କହିଲେ,"ଖଣ୍ଡେ କାଗଜ କାଳିଆ ପାଦରେ ଟିକେ ଛୁଆଁଇ ଆଣିବ ନନା ।ସେତିକି ମୋର ଦରକାର।"

"ଝିଅ ବାହାଘର କାର୍ଡ କି? ଦଉନ ,ଇୟେ ଗୋଟେ କଥା ?ଟଙ୍କା ଦୁଇଶ ଲାଗିବ।"

"ବାହାଘର କାର୍ଡ ନୁହେଁ ନନା । ଇଲେକ୍‌ସନ ଫର୍ମ, ଆମ କ୍ଲବର ଇଲେକ୍‌ସନ।

"ଆମ ଲକ୍ଷ୍ମୀ ସାଆନ୍ତାଣୀ ହିଁ ଜିତିବେ ।ଟଙ୍କା ପାଞ୍ଚଶ ଦେବେ ମା ଏ ଗରିବ ବ୍ରାହ୍ମଣକୁ।"

" ସୁପ୍ରିମକୋର୍ଟ ପରା ଦକ୍ଷିଣା ବ୍ୟାନ କରିଛି। "ସୁବାଷ କହିଲେ।

ଚିଡିଯାଇ ଜ୍ୟୋତି କହିଲେ,"ତମେ ଟିକେ ଚୁପ୍ ରହିବ ?"ତାପରେ ବୁଲିପଡ଼ି କହିଲେ, "ନନା, ଶହେ ଦେବି । ଇଚ୍ଛା ହେଲେ କର, ନହେଲେ....

ଦୁଇଶହରେ କଥା ଛିଣ୍ଡିଲା ।ନୋମିନେସନ ଫର୍ମ ଠାକୁରଙ୍କୁ ଛୁଆଇଁଲା ବେଳେ ଜ୍ୟୋତିଙ୍କ ଆଖି ଖୁସିରେ ଛଳଛଳ ହୋଇଗଲା ।ତାଙ୍କୁ ଲାଗିଲା ବିଜୟୀ ମୁକୁଟ ସେ ହିଁ ପିନ୍ଧିଛନ୍ତି, ମିସେସ୍ ସାହୁଙ୍କୁ ହରାଇ। ପର୍ସରେ ଫର୍ମ ରଖି, ନନାଙ୍କୁ ଟଙ୍କା ଦେଇ ପୁଣିଥରେ ମୁଣ୍ଡିଆ ମାରି ଆସିଲେ ଗରୁଡ଼ ସ୍ତମ୍ଭ ପାଖକୁ ଦୀପ ଜାଳିବା ପାଇଁ।

"ଏ, ମୋ ପର୍ସ କୁଆଡେ ଗଲା? ଏଇନା ତ ଥିଲା ।"ଏକ ଅସ୍ପଷ୍ଟ ଚିତ୍କାର ବାହାରି ପଡ଼ିଲା ଜ୍ୟୋତିଙ୍କ ପାଟିରୁ।

ସୁବାଷ ବି ବ୍ୟସ୍ତ ହୋଇପଡିଲେ । ଆଖପାଖ,ତଳ ସବୁ ଖୋଜାହେଲା ।ପବନରେ ଯେମିତି ଉଭାନ ହୋଇଯାଇଥିଲା ପର୍ସ।

"କେତେ ଟଙ୍କା ଥିଲା? ଆଉକଣ ରଖିଥିଲ ?ସେ ନନା ନେଇନି ତ ?"ପଚାରିଲେ ସୁବାଷ।

" ତମର ସବୁ ରାଗ ନନାମାନଙ୍କ ଉପରେ ।ପର୍ସରେ ଘର ଚାବି,ତମ ଏ ଟି ଏମ କାର୍ଡ, ଆଧାର କାର୍ଡ ଥିଲା ।ଟଙ୍କା କେତେଥିଲା ମୋର ଭଲକରି ମନେନାହିଁ ।ତେବେ ବେଶୀ ନ ଥିଲା ।ପୁରୀରୁ ମୋ ପାଇଁ ଶାଢ଼ୀ ନେଇଥାନ୍ତି ।ତମ ଏଟିଏମ ଥିଲା ବୋଲି ଟଙ୍କା ବେଶୀ ଆଣିନଥିଲି ।ଯିଏ ନେଇଛି,ତା’ ହାତ ଗୋଡ଼ ଛିଣ୍ଡିଯାଉ ।ରୋଗରେ ପଡିବ ସେ ଚୋର ।"କାନ୍ଦ କାନ୍ଦ ହୋଇଯାଉଥିଲେ ଜ୍ୟୋତି।

"ଭକ୍ତି ଯୋଗ କହୁଥିଲ ପରା? ଏବେ ଭକ୍ତି ବିଯୋଗ ମିଳିଲା।"

ପାଖରେ ଥିବା ଦୁଇ ବୁଢ଼ୀଙ୍କୁ ଧରିପକାଇ ଜ୍ୟୋତି କହିଲେ, "ମୋରି ପଛରେ ଏମାନେ ଦୁହେଁ ଠେଲାପେଲା କରୁଥିଲେ ।ଏମାନେ ନେଇଥିବେ।"

ସୁରକ୍ଷା କର୍ମୀ ଓ ପୋଲିସ୍ ଆସିଯାଇଥିଲେ ।ତନଖି ପରେ ସେ ଦୁଇ ବୃଦ୍ଧାଙ୍କୁ ଛାଡିଦେଲା ପୋଲିସ୍ ।ସୁବାସ ସେମାନଙ୍କୁ କ୍ଷମା ମାଗିଥିଲେ।

"ସି ସି ଟିଭି ଟିକେ ଦେଖନ୍ତୁ । ଚୋର ଧରାପଡ଼ିଯିବ ।ଏଫ ଆଇ ଆର ଲେଖିବେ?"

ସୁବାଷଙ୍କ କଥା ଶୁଣି ପୋଲିସବାବୁ କହିଲେ,"ସି ସି ଟିଭି କ୍ୟାମେରା କାମ କରୁନି । ନୂଆ କ୍ୟାମେରା କିଣା ହେବ ବୋଲି ଟେଣ୍ଡର ପଡିଛି ।ଆପଣ ନିଜ ନାଁ, ଠିକଣା ଓ ଫୋନ୍ ନମ୍ବର ଦେଇଯାଆନ୍ତୁ । ମିଳିଲେ ଆମେ ଜଣାଇଦେବୁ । ଟଂକା ବେଶୀ ନାହିଁ,ପୁଣି ମ୍ୟାଡମଙ୍କର ଭଲ କରି ମନେ ନାହିଁ ।ଏଫ ଆଇ ଆର ଅଯଥାରେ କାହିଁକି ଦେବେ ? ଚୋରୀ ହେଲେ,ପର୍ସ ,ମୋବାଇଲ କଣ ଆଜିକାଲି ମିଳୁଛି ?"

ରାଗ ଓ କ୍ଷୋଭରେ ବିନା ଅଭଡ଼ା ଖାଇ ଚାଲି ଆସିଲେ ଜ୍ୟୋତି ।ଜଗନ୍ନାଥଙ୍କୁ ଅନେକ ଅଭିଯୋଗ।

ସନ୍ଧ୍ୟା ବେଳେ ଜଣେ ବ୍ୟକ୍ତି ଫୋନ କଲେ,ପାର୍କିଂ ଏରିଆ ପାଖରେ ପର୍ସ ମିଳିଛି ବୋଲି ।ଖୁସିରେ ଉଛୁଳି ପଡି ଜ୍ୟୋତି ପହଁଚିଲେ ସେଇ ଠିକଣାରେ ।ଗୋଟେ ବୁଦା ପାଖରେ ପର୍ସଟା କିଏ ପକାଇଦେଇଥିଲା।

ପର୍ସକୁ ତନ୍ନ ତନ୍ନ କରି ଖୋଜିପକାଇଲେ ଜ୍ୟୋତି। ଘର ଚାବି,ଆଧାର କାର୍ଡ ,ଏଟିଏମ କାର୍ଡ ମିଳିଗଲା ।ହେଲେ ଟଙ୍କା ଓ ନୋମିନେସନ ଫର୍ମ ନଥିଲା । ସୁବାଷ ବାବୁ ଅବଶ୍ୟ ଏଟିମ ବ୍ଲକ କରିଦେଇଥିଲେ । ଆଖପାଖରେ ଖୋଜିଲେ ସେ ଫର୍ମକୁ ଜ୍ୟୋତି ।ପାଇଲେନି ସେ ଚନ୍ଦନ ସିନ୍ଦୁର ଲଗା ଫର୍ମ ।ମୁହଁଟା ଶୁଖି ଯାଇଥିଲା ଜ୍ୟୋତିଙ୍କର।

ଭଦ୍ରବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇ ସୁବାଷ ଗାଡ଼ିରେ ବସି କହିଲେ "ଯାହାହେଉ ପ୍ରଭୁ ତୁମ ଡାକ ଶୁଣି ପର୍ସ ଫେରାଇଦେଲେ ।ଖୁସି ତ ?"

"ଖୁସି କଣ ହେବି? ପ୍ରଭୁ'ଙ୍କ କୃପା ଥିଲେ ଚୋର ମୋ ନୋମିନେସନ ଫର୍ମକୁ ପର୍ସରେ ରଖିଥାନ୍ତା। ଏଟିଏମ ତମେ ବ୍ଲକ କରିଛ ।କିଛି କିଣିହେବନି ।ମିସେସ୍ ସାହୁ ବୋଧେ ଜିତିବ ଇଲେକ୍‌ସନ ।କାଲି ପୁଣି ଗୋଟେ ଫର୍ମ ଆଣି ଫିଲ ଅପ୍ କରିବାକୁ ପଡିବ ।ହେଲେ ଆଉକଣ ପୁରୀ ଆସି ପୂଜା କରିହେବ? ଦିନ ଦଶଟାରେ ନୋମିନେସନ ଦେବାକୁ ପଡିବ। ସବୁ ମୋ ଦୁର୍ଭାଗ୍ୟ।"

ହାଠାତ୍ ସାମ୍ନାରେ ମିଷ୍ଟର ଓ ମିସେସ୍ ସାହୁଙ୍କୁ ଦେଖି ସାପ ଦେଖିଲା ଭଳି ଚମକି ପଡିଲେ ଜ୍ୟୋତି ।ପ୍ରେସିଡେଣ୍ଟ ପଦ ପାଇଁ ତାଙ୍କ ପ୍ରତିଦ୍ବନ୍ଦୀ ପୁରୀରେ !!ଅସ୍ପଷ୍ଟ ସ୍ୱରରେ କହିଲେ"ହେ ଭଗବାନ, ଏ ଫୁଲେଇ ବି ପୁରୀ ଆସିଛି ଆଜି ?"

ଜ୍ୟୋତିଙ୍କୁ କୁଣ୍ଢେଇ ପକାଇ କାଦମ୍ବିନୀ ସାହୁ କହିଲେ "କଣ ଜ୍ୟୋତି ,ଚୁପଚାପ ପୁରୀ ଆସିଛ ?ତମ କାମବାଲୀ ଠାରୁ ଜାଣିଲି ।ଆଗରୁ ଜାଣିଥିଲେ ଆମ ଗାଡ଼ିରେ ଏକାଠି ଆସିଥାନ୍ତେ ।ଦର୍ଶନ ଭଲରେ ହେଲାତ ? କିଛି ମାନସିକ ?"

ଦୀର୍ଘ ନିଶ୍ବାସ ଛାଡି ଜ୍ୟୋତି ଉତ୍ତର ଦେଲେ, " ୟା’ଙ୍କର ପ୍ରମୋସନ ପାଇଁ ମାନସିକ କରିବାକୁ ଆସିଥିଲି। "

ହାଠାତ୍ କାଶି ପକେଇଲେ ସୁବାସ।

"ଦେଖୁ ନାହାନ୍ତି, ଶୁଖିଲା କାଶ ବି ୟାଙ୍କର ଛାଡ଼ୁନି ।ତାଙ୍କରି ପାଇଁ ଯାହା ଆସିବା କଥା।"

ମୁରୁକି ହସି ମିସେସ୍ ସାହୁ ଚାଲି ଯାଉଯାଉ କହିଲେ, "ହଉ, ଅଲ ଦି ବେଷ୍ଟ।"

ସୁବାଷଙ୍କୁ ବୋକାଙ୍କ ଭଳି ଅନେଇଥିବା ଦେଖି ଜ୍ୟୋତି କହିଲେ, "ଦେଖୁଛ ତ ଏ ଧୁର୍ତ୍ତ ସ୍ତ୍ରୀଲୋକକୁ ?ଚାକରାଣୀଠାରୁ ଖବର ନେଉଛି ।ପୁରା ସି ଆଇ ଡି । କାମବାଲୀ ରମ୍ଭାକୁ କାଲି ବିଦା କରିବାକୁ ପଡିବ । କଦମ୍ବିନୀ'ର ଆଜି ମୋ ପଛେ ପଛେ ପୁରୀ ଆସିବା, ମୋ ପର୍ସ ଚୋରୀ ହେବା ଓ ନୋମିନେସନ ଫର୍ମ ଗାଏବ ହେବା ....ସବୁ କେମିତି ଅଡୁଆ ଅଡୁଆ ଲାଗୁନି ? ମୋତେ ତ ଲାଗୁଛି ପର୍ସ ହଜିବା ପଛରେ କାଦମ୍ବିନୀ ସାହୁ....ତମେ କଣ ଭାବୁଛ ?

ସ୍ତ୍ରୀଙ୍କ କଥା ଶୁଣି"ହେ ପ୍ରଭୁ "କହି ହଠାତ୍ ଗାଡ଼ିର ବ୍ରେକ୍ କଷିଲେ ସୁବାଷ ବାବୁ।

ଜ୍ୟୋତିଙ୍କ ହାତରୁ ପର୍ସଟା ତଳକୁ ଖସିପଡ଼ିଲା।

(ଅରବିନ୍ଦ ଦାସ)


Rate this content
Log in