Kulamani Sarangi

Others

3  

Kulamani Sarangi

Others

ପରକୀୟା ପ୍ରୀତି

ପରକୀୟା ପ୍ରୀତି

3 mins
7.7K


ପରକୀୟା ପ୍ରୀତି

(ରମ୍ୟ ରଚନା)

------------------

ଭୋଳାନାଥ ସକାଳୁ ସକାଳୁ ଜପତପ ସାରି ଶ୍ମଶାନ ଭ୍ରମଣରେ ବାହାରିଲା ବେଳକୁ ପାର୍ବତୀ ଦାଣ୍ଡଘରେ ବସି ମଲ୍ଲିଫୁଲର ଗଜରା ହାର ଗୁନ୍ଥୁଛନ୍ତି।ଯାଉଁ ଯାଉଁ ଶିବ ପଚାରିଲେ " ପ୍ରିୟେ !ଆଜି ମର୍ତ୍ତ୍ୟର ସଦ୍ୟତମ ଖବର କଣ?"ପାର୍ବତୀ କହିଲେ "ସଦ୍ୟତମ ହଉଚି ଯେ ପେଟ୍ରୋଲ୍ ଦାମ୍ ବଢିଚାଲିଚି।ମୁମ୍ବାଇରେ ନବେ ଟଙ୍କା ଉପରେ।"ଶିବ କହିଲେ "ହଁ ହେ ଆମକୁ କଣ ମିଳୁଚି ସେଥିରୁ।ଆମେ ତ ନନ୍ଦୀ ପିଠିରେ ଚଢି ବୁଲିବା ଲୋକ।ନନ୍ଦୀ କଣ ପେଟ୍ରୋଲ ଖାଉଚି?।"

ତାପରେ ପାର୍ବତୀ କହିଲେ "ଦ୍ୱିତୀୟ ଖବର ହେଲା କଂଗ୍ରେସର ମୋଦିଙ୍କ ଉପରେ ରାଫାଲ୍ ଡିଲ୍ ନେଇ ପ୍ରବଳ ଆକ୍ରମଣ।"ଏହାଶୁଣି ଶିବ ଫେଁକିନା ହସିଦେଲେ ।କହିଲେ "ଗୋଟେ ପାଲା ଲଗେଇଛନ୍ତି।ଇଏ କହୁଚି ରାଫାଲରେ ଖାଇଗଲ ତ ସିଏ କହୁଚି ବୋଫରସ। ଏ ବୋଫରସ କି ଆମ୍ବରସରୁ ପବ୍ଲିକି କିଛି ଟେର୍ ପାଉନାହାନ୍ତି,କିଏ ଭଦ୍ରଲୋକ ଆଉ କିଏ ଭଦ୍ରଖୋଳିଆ।ଏମିତି ଚାଲିବ ନିର୍ବାଚନଯାଏ।ଲୋକଙ୍କୁ ଯିଏ ଯେତେ ଭୁଆଁ ବୁଲେଇଲା ସିଏ ସେତେ ଭୋଟ ହାତେଇଲା।"

ଶିବ ଠେଙ୍ଗେଣିଟା ଧରି ନନ୍ଦୀକୁ ଗୁହାଳରୁ ଫିଟେଇବାକୁ ଯାଉଚନ୍ତି,ପାର୍ବତୀ କହିଲେ "ଆଉ ଗୋଟେ କଥା ଶୁଣିଚ,ତମକୁ ଏବେ ନେତାମାନେ ବହୁତୁ ପୂଜା କଲେଣି।କିଏ ମାନସରୋବର ଗଲାଣି ତ କିଏ ବାରଣାସୀରେ ଘଣ୍ଟି ବଜେଇଲାଣି ତ କିଏ କାଉଡିଆଙ୍କ ସାଙ୍ଗେରେ ବସି 'ବଂବଂଭୋଳେ'ଚିଲ୍ଲେଇଲାଣି।'ତମେ ଆଶୀର୍ବାଦ ଦେଲେ ସେମାନେ କୁଆଡେ ନିର୍ବାଚନରେ ଜିତିବେ।"ଶିବ କହିଲେ "ନାଟକ ,ସୁଦୁ ନାଟୁଆ ଗୁଡାକ।ଉପର ଦେଖାଣିଆ କଥା।ଦର୍ଶନ କରିବାକୁ ଆସିବା ପୂର୍ବରୁ ଖାସୀମାଉଁଷ ମୁଗଲାଇ ପରଟା ଖାଇଥିବେ ବା ଡବଲ ଅଣ୍ଡା ବ୍ରେଡ୍,କିଛି ଠିକ୍ ଅଛି?ମୁହଁରେ ରାମ୍ ରାମ୍ ଅଣ୍ଟିରେ ଛୁରୀ।ବୁଝିଲ ପ୍ରିୟେ,ୟାଙ୍କର ଅତୀତ ଇତିହାସ ମତେ ସବୁଜଣା।କାଉଡିଆ ଆଉ ଶିବଭକ୍ତଙ୍କ ଭୋଟ ମିଳିଯିବ ବୋଲି ଏତେ ନାଟକ।ଦେଖିବନି,ଭୋଟ ସରିଲେ ପାଞ୍ଚବର୍ଷ ପାଇଁ ଆଉ ମନ୍ଦିର ମାଡିବେନି।"

ଶିବ ନନ୍ଦୀ ଉପରେ ବସୁ ବସୁ ପଚାରିଲେ "ଆଜି ଆଉ କିଛି ହାଟ ବଜାରରୁ ଆଣିବାର ଅଛି?"

ପାର୍ବତୀ କହିଲେ "କି ବଜାର କିହୋ !କିଏ ଅଛି ଯେ ରନ୍ଧାବଢା ହବ?ତମରତ ଫଳମୂଳରେ ଚଳିଯାଉଚି ।ଭୃଙ୍ଗୀ ଯାଇଚି ଫଳ ସଂଗ୍ରହ କରିବାକୁ।ତମେ ଯାହା ଛାଡିଯାଇଥିବ,ସେଥିରେ ମୋର ଚଳିଯାଏ।ଗଣେଶ ତ ଏଠି ସେଠି ପାଠପଢେଇ (ଟିଉସନ)ସେମାନଙ୍କ ଘରେ ଭୋଗଖାଇ ସବୁବେଳେ ପେଟକୁ ଠୋସ୍ କରିରହୁଚି।ଘରେ ତାର କୋଉଦିନହେଲେ ଖାଇବାର ନାହିଁ ।କାର୍ତ୍ତିକ ତାର ସ୍ୱର୍ଗର ମିଲିଟାରୀ କଲେଜରେ ସବୁବେଳେ କାର୍ଯ୍ଯବେସ୍ତ।ତାର ବ୍ରେକ୍ ଫାଷ୍ଟ, ଲଂଚ,ଡିନର ସବୁ ମିଲିଟାରୀ କ୍ୟାଣ୍ଟିନରେ।ଆଉ ଖାଇବାକୁ କିଏ ଅଛିଯେ ରୋଷେଇ କରିବି?କିଛି ସଉଦା ଆଣିବା ଦର୍କାର ନାହିଁ ।"

ଶିବ ହସି ହସି କହିଲେ "ତମଭଳି ଦୁଃଖର ସୁଖର ସ୍ତ୍ରୀଟିଏ ଥିଲେ ଗେରସ୍ତକୁ ମୁଦ୍ରାସ୍ଫୀତି ବାଧିବନି।ମୋ ମୁଣ୍ଡରେ ଥିବା ଚନ୍ଦ୍ର ଆଲୁଅ ବ୍ୟବହାର କରି ବିଜୁଳି ବିଲ୍ ଶୁନ କରିଦେଲ।ଜଟାରୁ ଝରୁଥିବା ଗଙ୍ଗାଜଳ ବ୍ୟବହାର କରିବା ଯୋଗୁଁ ଘରକୁ ପାଣି ଲାଇନ୍ ଆଣିବା ଦର୍କାର ପଡିଲାନି।ମୋର ବାଘଛାଲଟି ଧୋଇବା ଦର୍କାର ନାହିଁ ,ତଥା ତମର ଅମ୍ଳାନବସ୍ତ୍ର ମଧ୍ୟ ଧୋଇବା ଅନାବଶ୍ୟକ ।ତେଣୁ ସର୍ଫ ବା ଏରିଅଲ୍ ର ଆବଶ୍ୟକତା ନାହିଁ ।"

ପାର୍ବତୀ ପଚାରିଲେ "ତମ ହୁଣ୍ଡିରେ ଯେତେ ପଇସା ପଡୁଚି,କୁଆଡେ ଯାଉଚି?ତମେ ଗୋଟେ ଆକାଉଣ୍ଟ ଖୋଲି ସେଥିରେ ରଖିଲେ ଆମର କେତେ ସଞ୍ଚୟ ହୁଅନ୍ତା।"

ଶିବ କହିଲେ "ନଦେଖିଲା ଲୋକ ଦେଖ ନା କଇଁଛ କାଢିଚି ବେକ।ଦେଖୁଚ ମନ୍ଦିର ଭୁଶୁଡି ପଡୁଚି ଯେ ମରାମତି ନାହିଁ ।ସବୁ ସର୍ବଗିଳା ପଣ୍ଡା ପୂଜାରୀ ଖାଇଲେ।କଣନା ଆକାଉଣ୍ଟ ଖୋଲ।ମନ୍ଦିର ନାଁରେ ଆକାଉଣ୍ଟ ନାହିଁ କି? ।ସଞ୍ଚୟରେ କେତେ ସୁଧ ମିଳୁଚିକି?ଚାରି ପରସେଣ୍ଟ୍ ବି ନୁହଁ । ଛାଡ ଆମେ ବାବାଜୀ ଲୋକ।ପଇସା ଆମର କଣ ହବ?"

ପାର୍ବତୀ କହିଲେ "ଆହେ ଏବେ ସୁପ୍ରିମକୋର୍ଟର କଣ ନିଷ୍ପତ୍ତି ହେଇଚି ଜାଣିଚ?ସ୍ତ୍ରୀ ଲୋକ ମାନେ କୁଆଡେ ପରକୀୟାପ୍ରେମ କଲେ ଦୋଷନାହିଁ।"

ଶିବ କହିଲେ "କୋଉ ନଥିଲା ଯେ ନୂଆ କଥାଟା।ପରକୀୟା ପ୍ରେମ ସବୁ କରୁଥିଲେ ଲୁଚେଇ ଲୁଚେଇ।ଏବେ ଖୁଲମଖୁଲ୍ଲା କରିବେ।କୋର୍ଟ ତ ସମାନ ଅଧିକାର ତମ ନାରୀମାନଙ୍କୁ ଦେଇଦେଲା ଆଉ ପରୱା କଣ?"

ପାର୍ବତୀ କହିଲେ "ଅଲାଜୁକ ହେଲେ ତ ସରିଲା।ଏମିତି କଥା କିମିତି କହିପାରୁଚ?ସଂସ୍କାର ଓ ଲୋକଲଜ୍ଜା ଥିବା ନାରୀ କଣ ଖୋଲାଖୋଲି ପରକୀୟା ପ୍ରୀତି କରିପାରେ?"

ଶିବ କହିଲେ "ଦିହକୁ ନିଅନି ପ୍ରିୟେ,ତମ କଥା କହୁନି।ଯେଉଁ ମାନେ ଲୋକଲଜ୍ଜା ଆଉ ସଂସ୍କୃତିକୁ ମାନନ୍ତିନାହିଁ, ସେମାନେ ତ ଖୁସି ହେଉଥିବେନା।ଏହାଦ୍ବାରା ପିଲାଙ୍କ ଉପରେ କି ପ୍ରଭାବ ପଡିବ?ପରବର୍ତ୍ତୀ ପୀଢୀ କଣ ଶିଖିବେ?"

ପାର୍ବତୀ କହିଲେ "ଆଚ୍ଛା ଏମିତି କରିଥିଲେ ହେଇନଥାନ୍ତା?ଶହେ ଅଠାବନ ବର୍ଷର ଯେଉଁ ନିୟମ ନାରୀମାନଙ୍କ ପ୍ରତି ଲାଗୁହେଉଥିଲା,ତାକୁ ପୁରୁଷ ମାନଙ୍କ ଉପରେ ଲାଗୁ କରିଥିଲେ ହେଇନଥାନ୍ତା?"

ଶିବ କହିଲେ "ବୋଧହୁଏ ଋଢିବାଦୀ ନିୟମକୁ ଆଧୁନିକ ପ୍ରଗତିଶୀଳ ସମାଜ ଢାଞ୍ଚାରେ ପକାଇବାପାଇଁ ଏପରି କରାଗଲା।"

ପାର୍ବତୀ କହିଲେ "ତମେ ଦେବତା ମାନେ ଏଥିରେ କିଛି ହସ୍ତକ୍ଷେପ କରିପାରିବନି?"

ଶିବ କହିଲେ "ନା ନା,ପ୍ରଥମେ ତ ବିଷ୍ଣୁ ମନାକରିବେ।ସେ ସବୁବେଳେ କହନ୍ତି 'ମନୁଷ୍ୟ ତାର କର୍ମ କରିଯାଉ।ଭଲ ମନ୍ଦ ଚିନ୍ତା କରିବା ଶକ୍ତି ତାକୁ ସ୍ରଷ୍ଟା ଦେଇଛନ୍ତି ।ତେଣୁ ସବୁକଥାରେ ଦେବତାମାନେ ହସ୍ତକ୍ଷେପ କରିବେ କାହିଁକି? ଠିକିଲେ ଶିଖିବେ।"

(କାହାପ୍ରତି ଆକ୍ଷେପକରି ଲେଖାଯାଇନାହିଁ)


Rate this content
Log in