ପ୍ରିୟ ପୁସ୍ତକ ଚରିତ୍ର
ପ୍ରିୟ ପୁସ୍ତକ ଚରିତ୍ର
———————— ସବୁ ପୁସ୍ତକ ପ୍ରିୟ | ପୁସ୍ତକର ବିଷୟ ବସ୍ତୁ ମନକୁ ହରଣ କରେ | ଆଉ ସବୁଠାରୁ ବେଶୀ ଆକର୍ଷଣୁୟ ହୁଏ ବିଷୟର ଚରିତ୍ର | ଗଂଗାଧର ମେହେରଙ୍କ ତପସ୍ବିନୀ କାବ୍ୟ ଏଠାରେ ନିଆଯାଇପାରେ | କାବ୍ୟ ହୋଇଛି ଚଳଚଞ୍ଚଳ ନିର୍ବାସିତା ସତୀ ସୀତାଙ୍କର ପଦ ଚାଳନାରେ ଭକ୍ତିର ଅନନ୍ୟ ଉଚ୍ଚାଙ୍ଗ ସ୍ବରରେ | ପବିତ୍ର ହୋଇଉଠିଛି ସାହିତ୍ୟ ପଦ୍ୟାଞ୍ଚଳ | ଗୌରବ ମହିମା ମଣ୍ଡିତ ହୋଇଛି ତପସ୍ବିନୀ କାବ୍ୟାମୃତ |ରସପିପାସୁ ରସଗ୍ରାହୀ ହୃଦୟକୁ ଆହୁରି ଭକ୍ତିରସରେ ଆପ୍ଳୁତ କରିପକାଉଛି ତପସ୍ବିନୀର ତପସ୍ବିନୀ ସୀତାଙ୍କର ଆଖିର ଭାଷା ଓ ଉଷା | ବାଲ୍ମିକୀ ଋଷିଙ୍କ ଆଶ୍ରମର ଶୋଭାର ପଟାନ୍ତର ନାହିଁ | ଋଷିକନ୍ୟାଙ୍କର ପଦପାତରେ ଚଳଚଞ୍ଚଳ ହୋଇଉଠେ ଆଶ୍ରମ ପ୍ରାଙ୍ଗଣ | କଳ କଳ ନାଦରେ ପ୍ରବାହିତ କଳନାଦିନୀ ଝର ସଦୃଶ କନ୍ୟାମାନଙ୍କର ମୁକ୍ତାବାଣୀ | ହସର ଜୁଆରରେ ପୂରିଉଠୁଥିବା ଆଶ୍ରମ ପୁଣି ଓଁକାର ନାଦରେ ଗୁରୁବାଣୀ ନୀଳନଭକୁ ପ୍ରତିଧ୍ବନିତ କରେ | ସତେକି ସ୍ବର୍ଗର ଦେବତା ଓହ୍ଲାଇ ଆସି ପଦଚାରଣ କରନ୍ତି ବାଲ୍ମିକୀଙ୍କ ଆଶ୍ରମରେ | ନିର୍ବାସିତା ସୀତାଙ୍କ ନିରାନନ୍ଦ ଜୀବନରେ ରାମଙ୍କ ପ୍ରତି ପ୍ରେମ ଓ ଭକ୍ତିର ଫଲଗୁ ଅନ୍ତରର ପ୍ରତିଟି ରକ୍ତବିନ୍ଦୁରେ ସମାହିତ | ଆଲୋକରେ ସିନା ପ୍ରତିଛବି ପ୍ରତୀୟମାନ ହୁଏ; ମାତ୍ର ସୀତାଙ୍କ ଉଜ୍ଜଳରୂପୀ ଅନ୍ଧାରର ଛାଇ ହୋଇ ମିଳେଇ ଯାଉଥାଏ ସରଜୁ ନଈ ଜଳରେ | ସୀତାଙ୍କ ନୟନାଶ୍ରୁ ନଈ ଜଳରେ କରେ ଅସ୍ପଷ୍ଟ କଳରବ | ମୃଗମାନେ ଦନ୍ତରେ କୃଶ ଧରି ସ୍ତବ୍ଧ ଓ ମ୍ରିୟମାଣ | | ପବନରେ ଦୋଳାୟମାନ ଦୁଃଖାଭିଭୂତ ପତ୍ରରାଜି | ମାତ୍ର ଆଶ୍ରମବାସିନୀ ଋଷିକନ୍ୟାଙ୍କର ସାହଚର୍ଯ୍ଯ କରିଦେଇଥାଏ ସୀତାଙ୍କୁ ଠିକ୍ ଋଷିରାଜନନ୍ଦିନୀ | ବାଲ୍ମିକୀ ଋଷିନନ୍ଦିନୀ | ଋଷିବାସରେ ପରିହିତା ସୀତା ଦେଖାଯାଉଥାନ୍ତି ଞସ୍ବର୍ଗାଚ୍ୟୁତ ଅପସରି ଯେ କି ଅନନ୍ତ ବର୍ଷ ପାଇଁ ଧ୍ୟାନସ୍ତ ପ୍ରଭୁଙ୍କ ସାନିଧ୍ୟ ପ୍ରାପ୍ତି ନିମିତ୍ତ | ଲୋକମଙ୍ଗଳ ପ୍ରଜାନୁରଂଜନ ନିମିତ୍ତ ସୀତାଙ୍କ ଏ ବନବାସ ପ୍ରସଙ୍ଗ ଅତି ମାର୍ମିକ ଓ ହୃଦଦହନକାରୀ | ସୀତା ଚରିତ୍ର ଆହୁରି ମଙ୍ଗଳମୟ ଓ ପବିତ୍ର ହୋଇଉଠିଛିଶ୍ରୀଲବକୁଶଙ୍କର ଜନ୍ମଲାଭରେ | ମାତାପୁତ୍ରଙ୍କର ଅନାବିଳ ବାତ୍ସଲ୍ୟ ସ୍ନେହର ଏକ ଊଜ୍ଜଳ ଦୃଷ୍ଟାନ୍ତ | ରାମ ନାମ ସର୍ବଶ୍ରେଷ୍ଠ ନାମ; ଯେଉଁନାମ ଉଚ୍ଚାରଣ ମାତ୍ରେକ ସବୁ ପାପ ନଷ୍ଟହୁଏ | ସେହି ନୟନାଭିରାମ ହୋଇଉଠିଛନ୍ତି ସାଧାରଣ ଚକ୍ଷୁରେ ରାମ; ମାତ୍ର ଜ୍ଞାନଚକ୍ଷୁରେ ରାମ ଯେ ସମଗ୍ର ବିଶ୍ବର ସର୍ବଶ୍ରେଷ୍ଟ ଅନ୍ତରର ତ୍ରାଣକର୍ତ୍ତା ମହାବିଷ୍ଣୁ ରାମ | ସେ ହୋଇ ଉଠନ୍ତି ସର୍ବମୟ କର୍ତ୍ତା | ନିଜ ଶରୀରର ମୃତ୍ୟୁ ପରେ ସୀତା ଆଶା କରିଛନ୍ତି ଯେ ଦଦ୍ଗିଭୂତ ପାଉଁଶରେ ବଢ଼ି ଉଠିଥିବା ବୃକ୍ଷରେ କଠଉ ମୋ ପ୍ରଭୁ ପିନ୍ଧିବେ | ଯେତେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସୀତା କେବେହେଲେ ରାମଙ୍କୁ ଦୋଷାରୋପ କରିନିହାନ୍ତି | ବରଂ ସଦାକାଳେ ରାମଙ୍କର ଗୁଣ କୀର୍ତ୍ତନରେ ନିଜକୁ ନିମଜ୍ଜିତ କରିରଖିଛନ୍ତି | ସେହି ରାମ ନାମ ସ୍ମରଣରେ ଭୁଲିଯାଇଛନ୍ତି ଜୀବନର ସକଳ ଯାତନା ଦୈନ୍ୟ ଅବା ଦୁର୍ଭାବନା | ସଞ୍ଜବତୀଟିଏ ଭଳି ନିଜକୁ ତିଳ ତିଳ ଜାଳି ସାଜିଛନ୍ତି ଅସଲ ରାମ ଭକ୍ତି ସ୍ବରୂପୁଣୀ | ତପସ୍ବିନୀ କାବ୍ୟର ଚରିତ୍ରର ପରାକାଷ୍ଠା ନାହିଁ | ଶ୍ରବଣ,କଥନ ,ଆଲୋଚନ, କୀର୍ତ୍ତନରେ ସୀତା ନାରୀ ଚରିତ୍ର ଆହୁରି ପବିତ୍ର ହୋଇଉଠେ | ପାଠକ ହୃଦୟ ଏକ ନୂତନ ଆବେଗରେ ଭରିଯାଏ | ହୋଇଉଠେ ଭକ୍ତିର ସ୍ରୋତସ୍ବିନୀ, ପ୍ରେମର ମହାସ୍ରୋତ ଆଉ ଉତ୍ସର୍ଗୀକୃତ ଜୀବନର ମହାମୂଲ୍ୟବୋଧ |
