Nityananda Sahu

Others

3  

Nityananda Sahu

Others

ପ୍ରିୟ ମଣିଷ

ପ୍ରିୟ ମଣିଷ

14 mins
173



ସକାଳର ସୁନେଲି କିରଣରେ ଉଷୁମ ଉଷୁମ ଚା" କପର ସ୍ୱାଦ ଖୁବ ଅନ୍ୟମନସ୍କ କରାଇଦିଏ ସ୍ୱପ୍ନାକୁ । ବୟସର ଅପରାହ୍ନରେ ଜୀବନର ଅନେକ ସୁଖ ଦୁଃଖର ସ୍ୱାଦ ଭିତରେ ଆଜି ଯାଏ ହାର ମାନି ନାହାନ୍ତି ସେ । ପରିଶ୍ରମ, ଏକାଗ୍ରତା ଆଉ ଦୃଢ଼ ଇଛାବଳ ପାଇଁ ଆଜି ସେ ସଫଳ ହୋଇ ପାରିଛନ୍ତି । ଅନେକ ଥର ଭାବିଛନ୍ତି, ଯଦି କିଏ ପଚାରେ ଆପଣଙ୍କ ସଫଳତାର ଶ୍ରେୟ କାହାକୁ ଦେବା ଚାହୁଁଛନ୍ତି,ତେବେ ସେ କି ଉତ୍ତର ଦେବେ ଆଜିଯାଏଁ ସନ୍ଦେହରେ ଅଛନ୍ତି। ଅନେକ ଥର ଆଖିର ଲୁହକୁ ଏ ପ୍ରଶ୍ନ ପଚାରି ସାରିଛନ୍ତି । ତୁ ତ ମୋ ନିଜର । ସୁଖରେ ଝରୁ ଆଉ ଦୁଃଖରେ ବି ଝରି ଥାଉ । ତୁ କଣ ଏତିକି ସାହାଯ୍ୟ ମତେ କରି କି କହି ପାରିବୁ ନାହିଁ,ମୋ ସଫଳତାର ଶ୍ରେୟ କାହାକୁ ଦେବା ଉଚିତ ହେବ ? 

 ନା " ଏ ପ୍ରଶ୍ନର ଉତ୍ତର ହୁଏତ ଲୁହ ବି ଦେଇ ପାରିବ ନାହିଁ ! କାହିଁକି ? କେଉଁ କାରଣ ପାଇଁ ଆଜି ଏ ପ୍ରଶ୍ନ ମନକୁ ଏତେ ଆନ୍ଦୋଳିତ କରୁଅଛି। 

   ଆପଣାର ସମସ୍ତେ ଥାଇ ବି ପାଖରେ କାହିଁକି ଏତେ ଏକାନ୍ତ ଲାଗେ ଜୀବନଟା । ଏଥିପାଇଁ ଦାୟୀ କିଏ । ମୋ ହୃଦୟ ନା " ମୋ ପ୍ରେମ ? ଏମିତି ଅନାଵନା ପ୍ରଶ୍ନ ନିଜକୁ ନିଜେ କରି ବସନ୍ତି ସ୍ୱପ୍ନା (ଓରଫ, ସ୍ୱପ୍ନା ଦାଶ) । 

  ନାରୀର ବୟସର ଅଙ୍କ ଜାଣିବା ପୁରୁଷ ପାଇଁ ଅପରାଧ ସଦୃଶ୍ୟ। କିନ୍ତୁ ରୂପ କ୍ରାନ୍ତିରୁ ଠଉରେଇବାରେ କାହାକୁ କଣ କିଏ ଅଟକାଇ ପାରିବ। ମୁଣ୍ଡରେ ଘନ ଇରମ୍ବଦ କେଶ ରାଶି ଆଜି ଶୁଭ୍ରତାରେ ପରିଣତ ହୋଇଛି । ଦେହରେ ଅନେକଟି ବସନ୍ତ ଅତିବାହିତ କରିଥିଲେ ବି ଯୌବନର କୁସୁମ ଆଜି ବି ବାସ୍ନାହିତ। ସମ୍ମୋହନର ଚାହାଣୀ ଆଜି ବି ନୟନ ଯୁଗଳରେ ଭରି ରହିଛି। ତା' ନ ହୋଇଥିଲେ ରିଟାର୍ଡ ମେଣ୍ଟକୁ ଆଉ ଦିନ କେତୋଟି ବାକି ଥିଲେ ବି ଅଫିସର ଠାରୁ ଚପରାସି ଯାଏଁ ସମସ୍ତେ ଘଡ଼ିଏ ଆଜି ଯାଏଁ ବି ଦେଖିକି ଚାହିଁ ରହୁଛନ୍ତି । 

  ଆଜକୁ ସତେଇଶ ବର୍ଷ ତଳେ ସିଭିଲ ସର୍ବିସରେ କୃତ କାର୍ଯ୍ୟ ହାସଲ କରି, ସରକାରଙ୍କର ଅଧିନସ୍ତ ଲୋକଆୟୁକ୍ତ ବିଭାଗରେ ବ୍ଲକ ଉନ୍ନୟନ ଅଫିସରର ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ସେବେଠୁ ଆଜି ଯାଏଁ ଆଉ ସେ ପଛକୁ ଫେରି ଦେଖି ନାହାନ୍ତି । ହଜିଲା ଅତୀତ ମନେ ପଡିଗଲେ ଖୁବ କଷ୍ଟ ଦିଏ ତାଙ୍କୁ । ନିଜକୁ ନିଜେ ଦୋଷ ଦେଇ ଖୁବ କାନ୍ଦନ୍ତି ମଧ୍ୟ । 

    ଆଜି ସଫଳତାରର ପାହାଚ ଚଡି, ଅତିରିକ୍ତ କଲେକ୍ଟର ଭାବରେ କାର୍ଯ୍ୟ ନିର୍ବାହ କରୁଛନ୍ତି । ସବୁ ଦିନ ସକାଳୁ ଦୈନିକ ପେପର ପଢିବାର ନିଶାରେ ହଜି ଯାଆନ୍ତି । ମୋବାଇଲର ଆଲରାମ ବାଜି ଉଠିଲା । ଚମକି ପଡିଲେ, ଖବର କାଗଜ ପଢିବାର ନିଶାରେ ସମୟର ଅବଧିକୁ ଭୁଲି ଯାଇଛନ୍ତି । ଆଜି ରାମଚନ୍ଦ୍ର ଭବନର ସମ୍ବର୍ଦ୍ଧନା ସଭାରେ ତାଙ୍କୁ ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରିତ କରାଯାଇଛି । ଦିନ ଦଶଟାରେ ସଭା ଆୟୋଜିତ କରାଯାଇଛି । ଆଉ ଡେରି ନ କରି ନିତ୍ୟକର୍ମ ସାରି ଚଟାପଟ ବାହାରିବାକୁ ହେବ । 


  

ସମୟ ଦଶଟା । ରାମଚନ୍ଦ୍ର ଭବନରେ ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱପ୍ନା ମ୍ୟାଡ଼ମ ମୁଖ୍ୟ ଅତିଥି ଭାବରେ ନିଜର ବକ୍ତବ୍ୟ ରଖି ସାରିଲା ପରେ ସମ୍ବର୍ଦ୍ଧନା ପାଇଁ ବିଭିନ୍ନ ବିଭାଗକୁ ଜିଲ୍ଲାର ପ୍ରତିଭା ସମ୍ପନ୍ନ ବ୍ୟକ୍ତିମାନଙ୍କୁ ମାନପତ୍ର ସହ ଅର୍ଥ ରାଶି ପ୍ରଦାନର କାର୍ଯ୍ୟ ଆରମ୍ଭ କରାଗଲା । ନିଜର ଦୃଢ଼ ମନୋବଳ, ସାମାଜିକ କାର୍ଯ୍ୟ, ପିଲାମାନଙ୍କର ଭବିଷ୍ୟତ ପାଇଁ ମାଗଣାରେ ଶିକ୍ଷା ଦାନ କରିବା ସହ ନିଜର ପକେଟରୁ ଅର୍ଥ ପ୍ରଦାନ କରି ଆଧିବାସୀ ପିଲାଙ୍କୁ ଉଚ୍ଚ ଶିକ୍ଷା ଦେବା ପାଇଁ ସର୍ବଦା ଚେଷ୍ଟିତ ହେଉଥିବା ସେଇ ମହାନ ଗୁରୁ ଶ୍ରୀନିବାସ ସ୍ୱାଇଁଙ୍କୁ ମଞ୍ଚ ଉପରକୁ ଅନୁରୋଧ କରାଯାଉଛି, ଆସିକି ନିଜର ମାନପତ୍ର କଲେକ୍ଟର ମ୍ୟାଡ଼ମଙ୍କ ଠାରୁ ଗ୍ରହଣ କରିବେ । କିଛି ସମୟ ପାଇଁ ମଞ୍ଚରେ ଉପସ୍ଥିତ ଅତିଥି ଆଉ ସଭା ଗୃହରେ ଉପସ୍ଥିତ ଜନତାଙ୍କ ମଧ୍ୟରେ ନିରବତା ଖେଳି ଗଲା। ଯେତେବେଳେ ପନ୍ଦର ବର୍ଷର ଜଣେ ବାଳିକା ଶ୍ରୀୟା ନାମ୍ନୀ ଆସି ଗୁରୁଙ୍କ ପ୍ରତି ବଦଳରେ ପୁରସ୍କାର ଗ୍ରହଣ କରେ । ଝିଅଟିର ମୁଣ୍ଡକୁ ଆଉଁସି ଦେଉ ଦେଉ ମ୍ୟାଡ଼ମ ପଚାରିଲେ,

  ମାଆରେ ତୁମେ କଣ ସାରଙ୍କର ଝିଅ ହେବ ? ନାଇଁ ମ୍ୟାଡ଼ମ, ଉତ୍ତରରେ ଝିଅଟି କହିଲା, ସାରଙ୍କର ଦେହ ଭଲ ନାହିଁ । ଚାରି ଦିନ ହେଲା ସାରଙ୍କୁ ଜର। ଦେହରେ ତାତି ଫୁଟୁଛି। ସେଥିପାଇଁ ଆସିପାରିଲେ ନାହିଁ । ମତେ ପାଖକୁ ଡାକି ପୁରସ୍କାର ଗ୍ରହଣ କରିବାକୁ କହିଥିଲେ ।

  ତୁମେ କଣ ହେବ ସାରଙ୍କର ? 

  ମୁଁ, ତାଙ୍କର ଛାତ୍ରୀ । 

  ଓଃ, !!! 

  

ଝିଅ ଟି ଯେତେବେଳେ ପୁରସ୍କାର ନେଇ ଚାଲି ଯାଉଥିଲା, ମ୍ୟାଡ଼ମଙ୍କର ହୃଦୟ ପୁଣି ଥରେ କାହିଁକି ଥରିବାକୁ ଲାଗିଲା । ଜୀବନରେ ଅତୀତ ଆଉ ଥରେ ଆଖିରେ ଭାସି ଉଠିଲା । ଶ୍ରୀନିବାସ ସାରଙ୍କ ପରି ତାଙ୍କ ଜୀବନରେ ବି ଏମିତି ଜଣେ ଥିଲେ, ଯାହାଙ୍କ ପାଇଁ ତାଙ୍କ ଜୀବନରେ ଦିନେ ପରିବର୍ତ୍ତନ ଆସିଥିଲା । କଳା ରଙ୍ଗର ଚଷମା ପିନ୍ଧିଥିଲେ ବି ଆଖିର ଲୁହ ସିନା କେହି ଦେଖି ପାରୁନଥିଲେ କିନ୍ତୁ ହୃଦୟର କୋହରେ ଆଖି ଭିଜି ଆସୁଥିଲା ତାଙ୍କର। ସଭା ସରିବା କ୍ଷଣି ଆଉ ଡେରି ନ କରି ସିଧା ନିଜର ବାସ ଭବନକୁ ବାହାରି ଆସିଲେ। ଘରେ ପହଞ୍ଚି ବହୁ ଦିନର ସାଇତା ଡାଏରୀକୁ ଖୋଲି ପଢିବାକୁ ଆରମ୍ଭ କରନ୍ତି।


 ଯୌବନର ମଧ୍ୟ ଭାଗରେ ଭବିଷ୍ୟତ ଯେତେ ବେଳେ ଦୂର ଦିଗବଳୟ ପର୍ଯ୍ୟନ୍ତ ଅସମାପ୍ତ ଏକ ମାନସାଙ୍କ ପରି ଅନୁଭବ ହୁଏ, ଅନେକ ପ୍ରଚେଷ୍ଟା ସତ୍ତ୍ୱେ ଜୀବନରେ ସଫଳତା ମଣିଷ ପ୍ରାପ୍ତ କରି ପାରେ ନାହିଁ,ସେତେବେଳେ ଭବିଷ୍ୟତ ଅନ୍ଧକାର ମୟ ହୋଇ ଉଠେ। ଘର ଲୋକଙ୍କ ଆକ୍ଷେପ, ସାଙ୍ଗ ସାଥି ମାନଙ୍କର ତାଛଲ୍ୟ ଶୁଣି ଶୁଣି ଜୀବନରେ ବଞ୍ଚି ରହିବାର ଆଶା ମଉଳି ପଡେ । ସେ ଦିନ ମେଟ୍ରିକରେ ଫାଷ୍ଟ କ୍ଳାସରେ ପାସ ହୋଇଥିବା ସ୍ୱପ୍ନା କେବେ ବି ଭାବି ନ ଥିଲା ପ୍ଲାସ ଟୁରେ ଦ୍ଵିତୀୟ ଶ୍ରେଣୀରେ ପାସ କରିବ। ଘରର ପରିସ୍ଥିତି ବେଳେ ବେଳେ ଜୀବନର ସଫଳତା ଉପରେ ପ୍ରଭାବ ପକାଇ ଥାଏ । ସେ ସବୁକୁ ଭୁଲି କୋଚିଂ ନେଇ ଆଗକୁ ଖଣ୍ଡେ ଭଲ ଚାକିରୀ କରିବାର ଆଶାରେ ଅନେକ କମ୍ପିଟେଟିଭ କୋର୍ସ ପାଇଁ ପଢିବା ଆରମ୍ଭ କରନ୍ତି । ଘରେ ଆର୍ଥିକ ବୋଝ ଆଉ ଭବିଷ୍ୟତ ପାଇଁ ଆଖିର ସ୍ୱପ୍ନ ମଧ୍ୟରେ ବେଳେ ବେଳେ ରାତି ରାତି କଟି ଯାଇଛି ତାଙ୍କର ପାଠ ପଢିବାରେ । କୌଣସି କୋର୍ସରେ ଆଡ଼ମିଶନ ପାଇବା ପାଇଁ ଉପଯୁକ୍ତ ନମ୍ବର ଠାରୁ ଅଳ୍ପ ମାର୍କରେ କଟି ଯାଇ ନିରାଶ ହେବାକୁ ଅନେକ ଥର ପଡୁଥିଲା । ଶେଷରେ ବାଧ୍ୟ ହୋଇ ଯୁକ୍ତ ତିନି ବିଜ୍ଞାନ ବିଭାଗରେ ଡିଷ୍ଟାଂଶରେ ଆଡ଼ମିଶନ କରି ନିଜର ଚେଷ୍ଟା ଜାରି ରଖିଥାନ୍ତି । ସମୟ ଯାହାର ଖରାପ ପଡେ, ଭାଗ୍ୟ ବି ନିଜର ସାଥ ଛାଡି ଦିଏ । ଠିକ ସେମିତି ସ୍ୱପ୍ନାଙ୍କ ସହ ଘଟେ । ଲହୁର ମୂଲ୍ୟ ବେଳେ ବେଳେ ଜୀବନକୁ ଖୁବ ତାଉଲାଇ ଥାଏ । ନିଜ ଉପରୁ ତାଙ୍କର ଭରସା ଉଠିଗଲା ଯେତେବେଳେ ଯୁକ୍ତ ତିନି ବର୍ଷର ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବି, କମ୍ପିଟେଟିଭ ପରୀକ୍ଷାକୁ ସଫଳତା ହାସଲ କରିନପାରୁଥିବାରୁ । ଘରେ ଏଥର ଆହୁରି ବେଶି ପ୍ରେସର ପଡିଲା । ବଢ଼ିଲା ଝିଅ ମୁଣ୍ଡ ଉପରର ବୋଝ । ସେଥିପାଇଁ ଆର୍ଥିକ ସମସ୍ୟା ପାଇଁ ସ୍ୱପ୍ନାର ବାହାଘର କରାଇବା ପାଇଁ ବାପା ମାଆ ସ୍ଥିର କରନ୍ତି ।।ଅନ୍ୟପଟେ ଚାକିରୀ ନ କରିବା ଯାଏଁ ବାହା ହେବେ ନାହିଁ କହି ନିଜ ଜିଦରେ ଅଟଳ ରହିଥାନ୍ତି ସ୍ୱପ୍ନା । 

  ଦିନେ କାହାକୁ କିଛି ନ କହି ଘର ଛାଡ଼ି ଚାଲି ଆସନ୍ତି । ଘରେ ଆଉ ସାହିରେ ଅନେକ ଗୁଜବ ଖେଳି ଯାଏ । ଝିଅର ଅସଫଳତା ପାଇଁ କୁଆଡେ ପ୍ରେମ ହିଁ ଦାୟୀ ବୋଲି ବାହାର ଲୋକେ କହି ହୁଅନ୍ତି । ଝିଅ ଯେ ବାପା ମାଆଙ୍କ ମୁହଁରେ କଳା କନା ବୁଲେଇ ଦେଇ ଚାଲି ଯାଇଛି ଭାବି, ବାପା ମାଆ ଦୁହେଁ ଆଜି ଠାରୁ ତାଙ୍କଝିଅ ମରିଗଲା ବୋଲି ଭାବି ଶୁଦ୍ଧି ହୋଇ ପଡ଼ନ୍ତି । ବଢ଼ିଲା ଝିଅ ଦେଇ ଯାଇଥିବା ଅପବାଦ ପାଇଁ କାହାକୁ ବି ମୁଣ୍ଡ ଉଠାଇ ଦେଖି ପାରନ୍ତି ନାହିଁ । ଦୁଇ ଝିଅଙ୍କ ମଧ୍ୟରୁ ବଡ଼ ଏମିତି କରି ଚାଲି ଯାଇଥିବା କାରଣ ପାଇଁ, ସାନ ଝିଅକୁ ଏଥର ଜଗିବାକୁ ଆରମ୍ଭ କରନ୍ତି। 

 ପୋଲିସରେ ଖବର ଦେଲା ପରେ ବି ଖାନ ତଲାସ କରିବି କୌଣସି ସୁରାକ ମିଳିଲା ନାହିଁ। 

  ଏହା ଭିତରେ ପାଞ୍ଚ ବର୍ଷ ବିତି ଯାଇଥାଏ । ଥରେ ଦୈନିକ ଖବର କାଗଜରେ ନିଜ ଝିଅର ଫଟୋ ସହ, ସେ ଯେ ସରକାରଙ୍କର ସିଭିଲ ସର୍ଭିସ ପରୀକ୍ଷାରେ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବାର ଖବର ପଢି ସ୍ୱପ୍ନାଙ୍କର ବାପ ମାଆ ଦୁହେଁ ବହୁତ ଖୁସି ହୋଇ ଯାଆନ୍ତି । 

   ଝିଅର ସଫଳତାରେ ଅତୀତର ଲଜ୍ୟାକୁ ଭୁଲି ଯାଇ ଶେଷରେ ଖବର କାଗଜରେ ପ୍ରକାଶିତ ଆଡ୍ରେସକୁ ଧରି ବାହାରି ଯାଆନ୍ତି ଦୁହେଁ ଭୁବନେଶ୍ୱର ଅଭିମୁଖେ ସ୍ୱପ୍ନାକୁ ଦେଖା କରିବା ପାଇଁ । ଭୁବନେଶ୍ବରର ଏକ ଭଡା ଘରେ ପହଞ୍ଚି କଲିଂ ବେଲ ମାରିଲା ପରେ, କବାଟ ଖୋଲିବା କ୍ଷଣି ଆଖି ସାମ୍ନାରେ ପିତା ମାତାଙ୍କୁ ଦେଖି ପାଦ ଛୁଇଁ ପ୍ରଣାମ କରିବା ସହ ଘର ଭିତରକୁ ଡାକି ନେଇ ବସିବାକୁ କୁହନ୍ତି ସ୍ୱପ୍ନା । ପରସ୍ପର ପ୍ରଥମେ ଏତେ ଦିନ ପରେ ଦେଖା ହେବାର ଖୁସିରେ ଆନନ୍ଦିତ ହୋଇ ଉଠନ୍ତି। କାନ୍ଥରେ ଝୁଲି ଥିବା ଏକ ଫଟୋକୁ ଦେଖି ସ୍ୱାମୀ ସ୍ତ୍ରୀ ଦୁହେଁ ଦୁହିଁଙ୍କୁ ଚାହିଁ ମୁକ ହୋଇ ଯାଆନ୍ତି।

  ଏ ପ୍ରିୟ ନା ? ପଚାରନ୍ତି ସ୍ୱପ୍ନାର ମାଆ ।

  ହଁ, ବୋଉ । 

ତୁ ଚାଲି ଆସିଲା ପରେ ତତେ କେତେ ଖୋଜିଚୁ । ପ୍ରିୟ ପାଖରେ ତୁ ଥିଲୁ ବୋଲି କାହିଁକି ଖବର ଦେଲୁ ନାହିଁ । ତୋ ଫୋନ ନମ୍ବରକୁ କେତେ ଥର ଚେଷ୍ଟା କରିଛୁ,ହେଲେ ଲାଗୁ ନ ଥାଏ । କାନ୍ଦି କାନ୍ଦି କହୁଥିଲେ ସ୍ୱପ୍ନାର ମାଆ । 

  କେମିତି ବା ଲାଗିବ ବୋଉ । ତୁମ ମାନେ ମୋ ପାଇଁ ବହୁତ କଷ୍ଟ ପାଉଥିଲ। ଦେଖି ସହି 

ପାରୁନଥିଲି । ଭବିଷ୍ୟତ ପାଇଁ ଚିନ୍ତାରେ ବୁଡି ରହିବା କାରଣରୁ, ତୁମେ ମାନେ ଯେତେବେଳେ ବାହାଘର ପାଇଁ ପ୍ରସ୍ତାବ ଦେଖିବା ଆରମ୍ଭ କରିଲ, ମୋ ମନ କହୁଥିଲା ଆତ୍ମହତ୍ୟା କରି ଦେବା ପାଇଁ । ସେ ଦିନ ଫେସବୁକରେ ସାରଙ୍କର(ପ୍ରିୟ) ପ୍ରୋଫାଇଲ ଦେଖି ମେସେଜ କରିଲି। ସାର (ପ୍ରିୟ)ଙ୍କର ଏତେ ଦିନ ପରେ ଖବର ପାଇବା ପରେ ଭଲମନ୍ଦ ସବୁ କହିଲି, ଶେଷରେ ଆତ୍ମହତ୍ୟା ପରି ଘୃଣ୍ୟ ପ୍ରଥାକୁ ପରିତ୍ୟାଗ କରି ଜୀବନକୁ ନଷ୍ଟ କରିବା ଆଗରୁ ଥରେ ଭାବିବାକୁ ପରାମର୍ଶ ଦେଲେ। ତାଙ୍କର ପ୍ରେରଣାରେ ଦଶମ ଶ୍ରେଣୀରେ ସଫଳତା ପ୍ରାପ୍ତ କରିଥିଲି। ଯୁବ ବୟସରେ ଆର୍ଥିକ ପରିସ୍ଥିତି ଆଉ ତାଙ୍କର ଭବିଷ୍ୟତ ପାଇଁ ଦୃଢ଼ ଇଚ୍ଛା ଶକ୍ତି ସେତେବେଳେ ମତେ ଖୁବ ପ୍ରଭାବିତ କରିଥିଲା । ଟିୟୁସନକୁ ଆସିବା ବେଳେ ବୋଉ ଯେମିତି ଜଗି ବସୁଥିଲା ଭାବିଲା ବେଳକୁ ମତେ ଖରାପ ଲାଗୁଥିଲା। ହେଲେ ଯୁବକ ଅବସ୍ଥାରେ ତାଙ୍କର ନିଷ୍ଠା ଆଉ ପରିଶ୍ରମ ଦ୍ୱାରା ମୁଁ ଯେଉଁ ସଫଳତା ପ୍ରାପ୍ତ କରିଥିଲି, ସେ ସବୁକୁ ଭୁଲି ପାରି ନ ଥିଲି । ଦୁହିଁଙ୍କରର ମଧ୍ୟରେ ବୟସର ପାର୍ଥକ୍ୟ ମାତ୍ର ପାଞ୍ଚ ବର୍ଷର ଥିଲା । ସେଥିପାଇଁ ଯେ ବି କେହି ଦେଖିଲେ ସନ୍ଦେହ କରିବେ । ତୁମ ଦୁହିଁଙ୍କର ସନ୍ଦେହ ବି ସ୍ବାଭାବିକ ଥିଲା। ହେଲେ ସେତେବେଳେ ଏ ସବୁ ଜାଣି ବି ସାର(ପ୍ରିୟ) କେବେ ବି ମତେ ଖରାପ ଦୃଷ୍ଟିରେ ଦେଖୁ ନ ଥିଲେ। ସର୍ବଦା ମୋ ଭବିଷ୍ୟତ ପାଇଁ ବରଂ ଚିନ୍ତା ପ୍ରକଟ କରୁଥିଲେ।

 ଘରୁ ଚାଲି ଆସି ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚିଲା ପରେ କୁଆଡେ ଯିବି କିଛି ବୁଦ୍ଧି ବାଟ ଦିଶୁ ନଥିଲା ମତେ । ପ୍ରଥମେ ମୋବାଇଲ ସିମକୁ କାଢି ଭାଙ୍ଗିକି ଫିଙ୍ଗି ଦେଲି । ସେଠାରୁ ନୂଆ ସିମ ଗୋଟେ କିଣି ପ୍ରିୟ ସାରଙ୍କୁ କଲ କଲି । ଭୁବନେଶ୍ୱରକୁ ମୁଁ ଏକା ଏକା ଆସିଥିବା ଖବର ଶୁଣି, ମୋ ପାଖରେ ଆସି ପହଞ୍ଚିଲେ । ସବୁ କଥା ଶୁଣିଲା ପରେ, ପ୍ରଥମେ ସେ କହିଲେ ତୁମ ମାନଙ୍କୁ ସବୁ ଜଣାଇ ଦେବା ପାଇଁ କିନ୍ତୁ ମୁଁ ମନା କଲି । ଆଉ ଏ କଥା ମଧ୍ୟ କହିଲି, ସେମାନେ ଯଦି ଜାଣିବେ ତେବେ ମତେ ଏଠୁ ନେଇ ବାହାଘର କରି ଦେବେ । ମୋ ଭବିଷ୍ୟତ ନ ହେବା ଯାଏଁ,ମୁଁ ଆଉ ଘରକୁ ଫେରିବି ନାହିଁ। 

  ମୋ ରାଣ ନିୟମରେ ସାର ଯାହା ବି କହିବାକୁ ଚାହୁଁ ଥିଲେ ଚୁପ ରହିଲେ । କେଉଁଠି ରହିବି,କଣ କରିବି ଭାବିବା ଭିତରେ ନିଜ ଉପରକୁ ମୋ ଦାୟିତ୍ୱ ନେଇ, ମତେ ଆଣି ତାଙ୍କ ପାଖରେ ରଖିଲେ। ମୋ ପାଠ ପଢା ଠାରୁ ଆରମ୍ଭ କରି ସବୁ ଭଲ ମନ୍ଦ ବୁଝିଲେ । ତାଙ୍କ ତତ୍ୱାବଧାନରେ ଆଜି ଏ ସଫଳତା ମୁଁ ପ୍ରାପ୍ତ କରିଛି । 

 ହେଲେ ପ୍ରିୟ କେଉଁଠି ଅଛି ।କାହିଁ ଦେଖା ଯାଉନାହିଁ ?

ସେ ଏବେ ଟିୟୁସନ କରିବାକୁ ଯାଇଛନ୍ତି । ଆସୁଥିବେ । ତୁମେ ମାନେ ବସିଥାଅ,ମୁଁ ଚା" କରି ନେଇ ଆସୁଛି।

  

 ଝିଅର ସଫଳତା ପଛରେ ପ୍ରିୟ ସାରଙ୍କର ହାତ ଥିବା କଥା ଶୁଣି ଦୁହେଁ ଯେତିକି ଖୁସି ହେଉଥିଲେ, ସ୍ୱପ୍ନାର ମାଆଙ୍କ ମନରେ ଥିଲା ଆଉ ଏକ ଭୟ । ଦୀର୍ଘ ଏତେ ଦିନର ରହଣି ଭିତରେ କାଳେ ଦୁହିଁଙ୍କ ଭିତରେ କିଛି ଖରାପ ସମ୍ପର୍କ ଗଢି ଉଠି ନାହିଁ ତ ? ଏ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ତାଙ୍କ ମନ ବ୍ୟସ୍ତ ହେଇ ଉଠୁଥିଲା। ଗୋଟେ ପଟେ ଝିଅର ସଫଳତା ପାଇଁ ଗର୍ବ କରୁଥିବା ବେଳେ ଅନ୍ୟ ପଟେ ଚରିତ୍ର ପାଇଁ ସନ୍ଦେହରେ ଥିଲେ । ତାଙ୍କର ନୈଷ୍ଟିକ ବ୍ରାହ୍ମଣ ପରିବାର ହୋଇ ଥିବା ବେଳେ ପ୍ରିୟ ଥିଲେ ଜଣେ ସାଧାରଣ ଖଣ୍ଡାୟତ ଘରର ପୁଅ । ସମାଜ କଣ କହିବ ତାଙ୍କୁ ? ଏ କଥା ଭାବି ସ୍ୱାମୀ ସ୍ତ୍ରୀ ଦୁହେଁ ଚିନ୍ତିତ ଥିଲେ।

  ଠିକ ସମୟରେ ପ୍ରିୟ ଆସି ରୁମରେ ପହଞ୍ଚିଲେ।ମଉସା ମାଉସୀ ଦୁହିଁଙ୍କୁ ଦେଖି ପାଦ ଛୁଇଁ ପ୍ରଣାମ କରିବା ସହ ସବୁ କୁଶଳ ମଙ୍ଗଳ ପଚାରି ବୁଝିଲେ । ପ୍ରିୟର ପିଠିକୁ ଥାପୁଡ଼େଇ ଦେଇ ସ୍ୱପ୍ନାର ବାପା ବି ସାବାସୀ ଦିଅନ୍ତି। ସମସ୍ତେ ସେଇ ମୁହୂର୍ତ୍ତକୁ ଖୁସିରେ କାଟି ଦିଅନ୍ତି। ବାପା ମାଆଙ୍କୁ ପାଖରେ ପାଇ ସ୍ୱପ୍ନା ବି ବହୁତ ଖୁସି ହେଉ ଥାଏ । ରାତିର ଖାଇବା ସରିଲା ପରେ, ସ୍ୱପ୍ନାର ବାପା ଏକୁଟିଆ ଅବସ୍ଥାରେ ଛାତରେ ପ୍ରିୟକୁ ପାଇ ଦୁହିଁଙ୍କ ଭିତରେ ଥିବା ସମ୍ପର୍କକୁ ଜାଣିବାକୁ ଚେଷ୍ଟା କରନ୍ତି। ସ୍ୱପ୍ନା ସହ କୌଣସି ଅନୈତିକ ସମ୍ପର୍କ ସ୍ଥାପନା ରଖି ନ ଥିବାର ବିଶ୍ୱାସ ପାଇ ଆଜି ପର୍ଯ୍ୟନ୍ତ ଯାହା ବି ତାଙ୍କ ଝିଅ ପଛରେ ଟଙ୍କା ଖର୍ଚ୍ଚ ହୋଇଛି ଦେବାକୁ କହି, କାଲି ସକାଳେ ଝିଅକୁ ନେଇ ଚାଲିଯିବାର କଥା କୁହନ୍ତି । ପ୍ରଥମେ ପ୍ରିୟ ଆଉ କିଛି ଆଶା କରୁଥିବା ବେଳେ,ଯେତେବେଳେ ଜାତି କଥା ସ୍ୱପ୍ନାର ବାପାଙ୍କ ଠାରୁ ଶୁଣିଲେ ଚୁପ ରହି ନିଜର ସମ୍ମତି ଜଣାଇବା ସହ ଟଙ୍କାଟିଏ ବି ନେବେ ନାହିଁ ବୋଲି ପ୍ରକାଶ କରିଲେ । କିନ୍ତୁ ସ୍ୱପ୍ନାର ବାପା ବୁଝିବାକୁ ପ୍ରସ୍ତୁତ ନଥିଲେ। ହାତକୁ ତାଙ୍କର ବିଡାଏ ଟଙ୍କା ଧରାଇ ଦେଇ ଚାଲିଗଲେ। 

  

 ରାତି ପାହି ସକାଳ ହେଲା । ଯେତେବେଳେ ସ୍ୱପ୍ନାକୁ ଘରକୁ ଯିବା ପାଇଁ ତାଙ୍କର ବାପା କହିଲେ, ପ୍ରଥମେ ସ୍ୱପ୍ନା କିଛି ବୁଝି ପାରୁ ନ ଥିଲା। ପ୍ରିୟକୁ ପଚାରିବାରୁ, ପରିବାର ସହ ଚାଲିଯିବା ପାଇଁ ଶୁଣିବା ପରେ ସେ ଚକିତ ହୋଇ ପଡ଼ିଲା। 

  ଦୀର୍ଘ ଦିନର ସମ୍ପର୍କ ଭିତରେ ଯେଉଁ ସୁନ୍ଦର ଅନୁଭୂତି ହୃଦୟରେ ଗଢି ଉଠିଥିଲା,ଆଜି ହୁଏତ ଭାଙ୍ଗିଗଲା ପରି ଅନୁଭବ କଲା। କାହାକୁ ବିଶ୍ୱାସ କରିବ ବୁଝି ପାରୁ ନ ଥିଲା। ଅଗ୍ରାଧିକାର କାହାକୁ ଦେବ ଜାଣି ପାରୁ ନ ଥିଲା। ସମୟ ଗଡି ଯାଉଥାଏ, ପରିବାର ଲୋକଙ୍କର ପ୍ରସ୍ଥାନ ନିମନ୍ତେ ଡାକିବା ଅନ୍ୟ ପଟେ ପ୍ରିୟଙ୍କର ନିରବତା ଭିତରେ ନିଜର ଅସ୍ତିତ୍ୱକୁ ଖୋଜି ପାଇ ପାରୁ ନ ଥିଲା। ପୁଣି ଥରେ ପରାଧୀନତାର ସୀଙ୍କୁଳିରେ ଆବଦ୍ଧ ହେଲା ପରି ସ୍ୱପ୍ନା ଅନୁଭବ କଲା। ମନର କଥା ବାପା ମାଆଙ୍କୁ ପ୍ରକାଶ କରିବା ପୂର୍ବରୁ, ଗୁରୁ ଶିଷ୍ୟଙ୍କ ମଧ୍ୟରେ କେବେ ବି ଅନ୍ୟ କେଉଁ ସମ୍ପର୍କ ସ୍ଥାପନା ହୋଇ ପାରେ ନାହିଁ ବୋଲି ଶୁଣିଲା ପରେ ହୃଦୟ ଭାଙ୍ଗି ଗଲା ତାର। ସ୍ୱପ୍ନର ରାଜମହଲ ଭାଙ୍ଗି ଯାଇ ଚୁରମାର ହେବାକୁ ଲାଗିଲା। ଏହା ଭିତରେ ସାର ଡାକିବାର ଶବ୍ଦକୁ ଭୁଲି ଯାଇଥିବା ସ୍ୱପ୍ନା ଏବେ ଦ୍ଵନ୍ଦ ଭିତରେ ପଡି ଗଲା। ତାର ଭବିଷ୍ୟତ ପାଇଁ ପ୍ରିୟ ଯେଉଁ କଷ୍ଟ ଉଠାଇଛନ୍ତି, ତା ପ୍ରତି ବଦଳରେ ଟଙ୍କା ଦେଇଥିବା କଥା ବାପାଙ୍କଠୁ ଶୁଣି, କାହାକୁ ସେ ନିଜର ଭାବିବ ବୁଝି ପାରୁ ନ ଥିଲା। ଶେଷରେ ଚାଲିଯିବା ପାଇଁ ପ୍ରିୟଙ୍କର ମୁହଁରୁ ଶୁଣି ଲୁହରେ ନିଜକୁ ଭିଜେଇ ଫେରି ଆସିଥିଲା। 


 ଦୀର୍ଘ ଏତେ ଦିନ ପରେ ବି ଆଉ ପ୍ରିୟଙ୍କ ବିଷୟରେ କୌଣସି ଖବର ପାଇ ନାହିଁ । ଅନେକ ପ୍ରୟାସ କରି ବିଫଳ ହୋଇଛି। ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସମ୍ପର୍କୀୟଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖକୁ ଯାଇ ନିରାଶ ହୋଇଛି । ବାହାଘରର ଖବର ପଠାଇ ଥିଲେ ବି ପ୍ରିୟଙ୍କର ଅନୁପସ୍ଥିତି ଆଉ କୌଣସି ଖବର ନ ପାଇ ତାଙ୍କ ମନରେ କୌଣସି ଆଶକ୍ତି ନ ଥିବା ଭାବି ଘର ଲୋକଙ୍କର ପସନ୍ଦରେ ଶେଷରେ ବିବାହ କରିଲା। 

  ହେଲେ ଶିକ୍ଷିତ ଜୀବନ ଭିତରେ ବେଳେ ବେଳେ ସମ୍ପର୍କ ବି ମଧୁମୟ ହୋଇ ପାରେ ନାହିଁ । ବାହାଘରର କେତେ ଦିନ ପରେ ଜାଣିବାକୁ ପାଆନ୍ତି ତାଙ୍କ ସ୍ୱାମୀଙ୍କର ଆଉ ଏକ ଝିଅ ସହ ସମ୍ପର୍କ ଅଛି। ଦୁହେଁ ଦୁହିଁଙ୍କୁ ଚାହାଁନ୍ତି । କିଛି ଦିନ ସ୍ୱାମୀଙ୍କୁ ବୁଝେଇବାକୁ ଚେଷ୍ଟା କରି ଶେଷରେ ନିରାଶ ହୁଅନ୍ତି । ଧୀରେ ଧୀରେ ଯୌତୁକ ନିର୍ଯ୍ୟାତନାର ଶିକାର ହୋଇ ବି, ପରିବାରର ଇଜ୍ଜତ ପାଇଁ ପ୍ରତିବାଦ କରନ୍ତି ନାହିଁ। ବାପା ବୋଉଙ୍କୁ ଜଣାଇଲା ପରେ ବି ଶାଶୁଘରେ ରହିବାର ଉପଦେଶ ଶୁଣି ନିରାଶ ହୁଅନ୍ତି । ସ୍ୱାମୀ ପ୍ରେମ ଆଉ ଦେହର ସୁଖରୁ ବଞ୍ଚିତ ହୁଅନ୍ତି। ଶେଷରେ ସ୍ୱାମୀଙ୍କୁ ଛାଡପତ୍ର ଦେଇ ଚାଲିଯିବାକୁ ନିଷ୍ପତ୍ତି ନିଅନ୍ତି। ସେଇ ଦିନ ଠାରୁ ଆଜି ଯାଏ ତାଙ୍କ ଜୀବନରେ ଖୁସି ଆଉ ଫେରି ନାହିଁ । 

 ପ୍ରିୟଙ୍କର ଭଲ ନାଁ ଥିଲା ପ୍ରିୟବ୍ରତ ସ୍ୱାଇଁ । ହେଲେ ଆଜି ସଭାରେ ଯେଉଁ ନାଁରେ ମାନପତ୍ର ଦିଆଗଲା ସେ ହେଉଛନ୍ତି ଶ୍ରୀନିବାସ ସ୍ୱାଇଁ। କିଛି ବୁଝି ପାରୁନଥିଲେ । ମନର ପ୍ରିୟ ମଣିଷକୁ ଖୋଜିବାର ନିଶା ଆଉ ଥରେ ତାଙ୍କୁ ବିବଶ ଯେମିତି କରି ଦେଉ ଥିଲା।

  

 ବସିବା ସ୍ଥାନରୁ ଉଠି ପଡିଲେ । ଡ୍ରାଇଭରକୁ ଗାଡି କାଢ଼ିବାର ନିର୍ଦେଶ ଦେଇ, ଆଲବମରେ ସାଇତା ପ୍ରିୟଙ୍କର ପୁରୁଣା ଏକ ଫଟୋକୁ ଛାତିରେ ଚାପି ଧରି ବାହାରି ପଡିଲେ ।

 ଗାଡିର ବେଗ ସହ ହୃଦୟର ଆବେଗ ଯେମିତି କ୍ଷିପ୍ର ଗତିରେ ଦୌଡୁ ଥିଲା। ଭୁବନେଶ୍ୱରରେ ରହିବା ସମୟରେ ଅନେକ ଥର ଚେଷ୍ଟା କରିଥିଲେ ତାଙ୍କ ମନର ମାନସୀ ହେବା ପାଇଁ । ନିଜର ଦେହକୁ ପଖାଳି ଦେଇଥିଲେ ତାଙ୍କର ତ୍ୟାଗ ସମ୍ନାରେ । ହେଲେ ଥରୁଟିଏ ପାଇଁ ବି ବାପା ବୋଉଙ୍କର ବିଶ୍ୱାସକୁ ଭାଙ୍ଗିବାର ସାହସ ନାହିଁ ମତେ କହି ଦେହକୁ ବି ଛୁଇଁ ନ ଥିଲେ । ହୃଦୟରୁ ସେ ଥିଲେ ଖୁବ ପବିତ୍ର।

 ମୁଁ ରହିବାର ଅନେକ ଦିନ ପରେ, ଥରେ ତାଙ୍କର ଘର ଲୋକେ ଆସି ଭଡା ଘରେ କାହା ଠାରୁ କଣ ଖବର ପାଇ ପହଞ୍ଚିଲେ। ତାଙ୍କୁ ଖରାପ କରି ମୁଣ୍ଡକୁ ହାତ ପାଇଗଲାଣି କହି ଗାଳି କଲେ ।ମତେ ଘରୁ ତଡି ଦେବା ପାଇଁ କହିଲେ। ହେଲେ ପ୍ରିୟ ଥିଲେ ନିର୍ବିକାର। କୌଣସି ବି ପରିସ୍ଥିତିରେ ମତେ ଛାଡିବେ ନାହିଁ ବୋଲି ପରିବାରକୁ ରୋକ ଠୋକ ଶୁଣାଇ ଦେଲେ । ଘରେ ପାଞ୍ଚ ଭାଇ ମଧ୍ୟରେ ପ୍ରିୟ ଥିଲେ ସାନ ମଝିଆଁ। ବାପା ତାଙ୍କର ସେଇ ଦିନ ହିଁ ତାଙ୍କ ପାଇଁ ପୁଅ ମରିଗଲା ବୋଲି ପ୍ରିୟଙ୍କୁ କହି ଚାଲିଗଲେ। ପ୍ରିୟ ବି ବହୁତ ବୁଝେଇବାକୁ ଯାଇ ଅସଫଳ ହେଲେ। ପରିବାର ଲୋକେ ପୁଅ ଆଉ ଝିଅକୁ ଗୋଟେ ଘର ଭିତରେ ରହିବାର ସମ୍ପର୍କକୁ ଆଡ଼ ଆଖିରେ ଦେଖୁଥିଲେ।

 ଶେଷରେ ମୋ ପାଇଁ ତାଙ୍କର ପରିବାରକୁ ବି ଦୁରେଇ ଦେଇଥିଲେ।ଆଉ ମତେ ଭରଷା ଦେବାକୁ ଯାଇ କହିଥିଲେ। ତୁମେ କାହିଁକି ବ୍ୟସ୍ତ ହେଉଛ। ଦିନେ ନିଶ୍ଚୟ ଘର ଲୋକେ ବୁଝି ପାରିବେ। 


 ହେଲେ ପାଞ୍ଚ ବର୍ଷ ଯାଏଁ ତାଙ୍କ ପରିବାର କାହାରି ଦେଖା ନ ଥିଲା । କେବେ ବି ମନ ଦୁଃଖ କରିବାର ତାଙ୍କୁ ଦେଖିବାକୁ ପାଇ ନ ଥିଲି। ମୁଁ ଭଲ ଭାବରେ ଜାଣିଥିଲି, ଯେ ମୋ ପ୍ରତି ତାଙ୍କର ଦୁର୍ବଳତା ଥିଲା। କିନ୍ତୁ ସେ ପ୍ରକାଶ କରି ପାରୁ ନ ଥିଲେ। ସେ ଦିନ କାହିଁକି ନିଜର ମନ କଥା ବାପାଙ୍କୁ କହିଲେ ନାହିଁ ? ଆଜି ଯାଏଁ ବି ମୁଁ ବୁଝି ପାରୁ ନାହିଁ। 


 ଗାଡି ଅଟକିଲା ସ୍କୁଲ ନିକଟରେ ଥିବା ଏକ ଆଜବେଷ୍ଟ ଘର ନିକଟରେ। ଆଦିବାସୀ ଅଧିସୃତ ଗାଁରେ କଲେକ୍ଟର ଗାଡି ଦେଖି ସମସ୍ତେ ରୁଣ୍ଡ ହୋଇ ଗଲେ। ଘର ଭିତରୁ ଶ୍ରୀୟା ବାହାରି ଆସି, ପାଛୋଟି ନେଲା।

  ଅଧା ଭଙ୍ଗା ଖଟ ଉପରେ ନିସ୍ତେଜ ରୁଗ୍ଣ ଶରୀରକୁ ଧରି ମୁହଁକୁ ତଳକୁ କରି ଶୋଇରହିଛନ୍ତି। ଶ୍ରୀୟାର ଡାକରେ,

 ସାର, 

    ଆପଣଙ୍କୁ ଦେଖିବା ପାଇଁ କଲେକ୍ଟର ମ୍ୟାଡ଼ମ ଆସିଛନ୍ତି। ଏତକ ଶୁଣିବା ଭିତରେ ବୁଲି ଦେଖିଛନ୍ତି କି ନାହିଁ, ସ୍ୱପ୍ନାଙ୍କର ଆଖି ଭିଜି ଆସିଲା।

 ଏ କଣ ସେଇ,ଯାହାଙ୍କର ବଳିଦାନ ପାଇଁ ଆଜି ମୁଁ କଲେକ୍ଟର ହୋଇ ପାରିଛି। ଦେହରେ ଆଉ ବଳ ନାହିଁ । ନିଶ ଦାଢୀରେ ମୁହଁକୁ ଦେଖିଲେ କେହି ଚିହ୍ନି ପାରିବେ ନାହିଁ। 

  ହାତ ଯୋଡି ମତେ ପ୍ରଣାମ କରିବାର ଦେଖି, ହାତକୁ ମାଡି ବସି ଦେଖେ ଦେହରେ ତାତି ଖଇ ଫୁଟୁଛି। ପଚାରିଲି, ମତେ ଚିହ୍ନି ପାରୁଛନ୍ତି ? 

  ------ଥର ଥର ହୋଇ କହିଲେ କିଏ ...? ମ୍ୟାଡ଼ମ ପରା ! ଦୁର୍ବଳତା ପାଇ ଆଖିକୁ ଝାପ୍ସା ଦେଖା ଯାଉଚି। 

ମୁଁ ସ୍ୱପ୍ନା । ଓଃ, ହଁ ଜାଣି ପାରିଲି । ତୁମକୁ ଆସିବାକୁ ଏତେ ଦିନ ଲାଗିଗଲା। ଦେହ ପା ସବୁ ଭଲ ଅଛି ତ? ଆରେ ମାଆ ଶ୍ରୀୟା ଗଲୁ ଗଲୁ ମ୍ୟାଡ଼ମଙ୍କ ପାଇଁ ହରି ଦୋକାନରୁ ଥଣ୍ଡା ନେଇ ଆସିବୁ । 

 ଥାଉ ଶ୍ରୀୟା, କିଛି ଆଣିବା ଦରକାର ନାହିଁ। ଚାଲନ୍ତୁ ଯିବେ ମୋ ସାଥିରେ । ଆପଣଙ୍କୁ ମେଡ଼ିକାଲ ଯିବାକୁ ହେବ। ତାତିରେ ଦେହ ଖଇ ଫୁଟୁଛି। 

 ଏ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ମିଳିବା କଷ୍ଟକର। ଦିନେ ଦୁଇ ଦିନ ଭିତରେ ମୁଁ ସମ୍ପର୍ଣ୍ଣ ଠିକ ହୋଇଯିବ। ଆପଣ କାହିଁକି ଖାଲି ଟାରେ କଷ୍ଟ କରିବେ। 

 ନାଇ, ମୋର କିଛି ଶୁଣିବାର ନାଇ। ଉଠନ୍ତୁ ଯିବା । 

 ହେଲେ .....?

 କହିଲି ନା ଉଠନ୍ତୁ । ଡ୍ରାଇଭର ସାହାଯ୍ୟ ଧରି ନେଇକି ଗାଡ଼ିରେ ବସାଇଲେ । ତାତିରେ ଦେହ ଖଇ ଫୁଟୁଥାଏ । ଗାଡିର ପଛ ସିଟରେ ଶୋଇବାକୁ କହି ତାଙ୍କ କୋଳରେ ମୁଣ୍ଡ ରଖି ଆଉଁସି ବାକୁ ଲାଗିଲେ ସ୍ୱପ୍ନା। 

   ଆଖିରେ ଆଖିଏ ଲୁହ । ସେ ଲୁହରେ ଭାସି ଉଠୁ ଥାଏ ଅତୀତର ମୁହୂର୍ତ୍ତ। କେତେ ଆଉ କଷ୍ଟ ସହିଲା ପରେ ପ୍ରିୟ ଜୀବନରେ ନିଜ ପାଇଁ ପ୍ରତିବାଦ କରିବା ଜାଣିବେ । ନିଜ ପାଇଁ ନିଜେ ବଞ୍ଚିବାକୁ ଚେଷ୍ଟା ଏମିତି କେତେ ଦିନ ଆଉ ଚେଷ୍ଟା କରୁଥିବେ। ଗାଡି ଯାଇ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟ ନିକଟରେ ପହଞ୍ଚିଲା। ଡାକ୍ତର ମାନେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ରକ୍ତ ନମୁନା ନେଇ ପରୀକ୍ଷା କରି ଜାଣିଲେ ମେଲେରିଆ ରୋଗ ହୋଇଛି। ତୁରନ୍ତ ଚିକିତ୍ସା ଆରମ୍ଭ କରି ଦେଲେ । ତିନି ଦିନ ପରେ ସୁସ୍ଥ ହୋଇ ଉଠି ବସିଲେ ପ୍ରିୟ। ସେଇ ତିନି ଦିନ ଗୋଟେ ବି ମୁହୂର୍ତ୍ତ ପାଇଁ ପାଖ ଛାଡି ପ୍ରିୟଙ୍କର ଯାଇ ନାହାନ୍ତି ସ୍ୱପ୍ନା। 

 ନିଜର କର୍ତ୍ତବ୍ୟ ପାଳନ କରିବାରେ ଯେଉଁ ଅବହେଳା ଏତେ ଦିନ ହେଲା କରିଥିଲେ ତାହା ଆଜି ତାଙ୍କୁ କିଛି ପରିମାଣରେ ସେବା କରିବାରେ ଆତ୍ମୋ ସନ୍ତୋଷ ମନେ ଭରି ଦେଇଛି। ସୁସ୍ଥ ହୋଇ ମେଡ଼ିକାଲରୁ ଡିସଚାର୍ଚ୍ଚ ହେଲା ପରେ ନିଜର ବାସଭଵନକୁ ପ୍ରିୟଙ୍କୁ ସାଥିରେ ନେଇଗଲେ ସ୍ୱପ୍ନା।

ଗୋଟେ ଦିନର ରହଣି ପରେ ଯେତେବେଳେ ପ୍ରିୟ ଫେରି ଯିବାକୁ ବାହାରନ୍ତି, ସ୍ୱପ୍ନା ପ୍ରଶ୍ନ କଲେ ?

  ଏମିତି କେଉଁ ପାପ ମୁଁ କରିଛି କହିବେକି, ଆଜି ଯାଏଁ ଆପଣ ନିଜର ନାଁ ବଦଳାଇ ମୋ ଠାରୁ ସମ୍ପୂର୍ଣ୍ଣ ଦୁରେଇ ରହୁଥିଲେ। ସେ ଦିନର ଘଟଣା ପରଠୁ ପରିବାର ସହ ବି ସମ୍ପର୍କ ନାହିଁ । କାହିଁକି ଆଜି ଯାଏଁ ବିବାହ କରି ନାହାନ୍ତି ? ଏ ସବୁ ପ୍ରଶ୍ନର ଉତ୍ତର ନ ଦେବା ଯାଏଁ, ଆପଣ କୁଆଡେ ଯାଇ ପାରିବେ ନାହିଁ ।

  କିଛି ସମୟର ନିରବତା ପରେ, ଶେଷରେ ମୁହଁ ଖୋଲିଲେ ପ୍ରିୟ ଓରଫ ଏବେକାର ଶ୍ରୀ ନିବାସ ସ୍ୱାଇଁ। 

  କିଛି ପ୍ରଶ୍ନର ଉତ୍ତର ଦେଇ ହୁଏ ନାହିଁ କି ସହି ହୁଏ ନାହିଁ । ସମୟ ବଦଳି ଯାଇଛି,ଆଉ ବଦଳି ଯାଇଛି ଜୀବନ ଜିଇଁବାର ତରିକା। ଆଜି ଫୁଣି କାହିଁକି ସେ ଅତୀତକୁ ମନେ ପକାଇବାକୁ ବାଧ୍ୟ କରୁଛ। 

  ମୋ ନିରବତା ହିଁ ତୁମ ପ୍ରଶ୍ନର ଶେଷ ଉତ୍ତର ସ୍ୱପ୍ନା ମ୍ୟାଡ଼ମ।

ବାସ, ମୋ ପାଇଁ କେବଳ ଏମିତି ଜୀବନ କାଟିବା ହୁଏତ ବିଧାତା ଭାଗ୍ୟରେ ଲେଖି ଥିଲା। ଆଉ ହଁ, ମୋ ପିଲାମାନଙ୍କ ସହ ମୁଁ ବହୁତ ଖୁସିରେ ଅଛି ।

  ନା'....ନା", ଆପଣ ନା ସେତେବେଳେ ଖୁସିରେ ଥିଲେ । ନା" ଆଜି ଅଛନ୍ତି। ଆଉ କେତେ ଦିନ ଏମିତି ଲୁଚିବେ ନିଜେ ନିଜ ଠାରୁ। ବାସ ବହୁତ ହୋଇଗଲା। ଏବେ ଠାରୁ କିନ୍ତୁ ଆପଣ ମୋ ସାଥିରେ ରହିବେ। 

 ହେଲେ ......? ଦୁନିଆଁ କଣ କହିବ !! 

 ଭୁଲି ଯାଆନ୍ତୁ ସେ ଦୁନିଆଁ,ଆଉ ସମାଜକୁ । କଣ ଦେଇଛି ଆପଣଙ୍କୁ ଏ ସମାଜ ଆଉ ଦୁନିଆଁ । ଯେଉଁ କୋହରେ ଆପଣ ଜଳୁଛନ୍ତି ଭିତରେ ଭିତରେ ସେ ନିଆଁ କଣ ଲିଭିବ ନାହିଁ ? ସବୁ ସମ୍ପର୍କ ପାପ ହୋଇ ପାରେ ନାହିଁ । ସେଥି ମଧ୍ୟରୁ ଏ ସମ୍ପର୍କ ବି ପାପ ନୁହେଁ । ପବିତ୍ର । ଦେହ,ମନ ଆଉ କାୟାରେ ବି । ଆପଣଙ୍କର ଋଣ ଯଦି ଏ ଜନ୍ମରେ ସୁଝି ପାରିବି ନାହିଁ, ତେବେ ମୋର ବଞ୍ଚି ରହିବାର କଣ ଆବଶ୍ୟକ ତା ଅଛି କୁହନ୍ତୁ। 

 ସେ ଦିନ ମୋ କଥା ରଖିଥିଲେ ଆପଣ।ଆଜି ଶେଷ ଥର ପାଇଁ ହାତ ଯୋଡି ଅନୁରୋଧ କରୁଅଛି। ମତେ ସେବା କରିବାର ସୁଯୋଗକୁ ହାତ ଛଡା କରିବାକୁ ଦିଅନ୍ତୁ ନାହିଁ । ଏତକ କହି ପଦ ତଳେ ପଡ଼ିଯାଏ ସ୍ୱପ୍ନା।

 ତୋଳି ଧରି ଆଖିରୁ ଲୁହ ପୋଛି ଦେଇ ପ୍ରିୟ କୁହନ୍ତି, ଜୀବନରେ କିଛି ସମ୍ପର୍କକୁ ସମାଜ ଗ୍ରହଣ କରି ନ ଥାଏ । ଆଉ ସେ ମଧ୍ୟରେ ଅନ୍ୟତମ ହେଉଛି ଗୁରୁ ଶିଷ୍ୟର ସମ୍ପର୍କ। ତୁମର ନିଷ୍ଠାରେ ଆଜି ମୁଁ ଆଲ୍ଲାଦିତ। ତୁମର ସମାଜ ସେବାରେ ମୁଁ ଖୁବ ଆନନ୍ଦିତ। ହେଲେ .....?

 ଠିକ ଏହି ସମୟରେ ରିକ୍ସାରେ ଗେଟ ଭିତରକୁ ପଶି ଆସନ୍ତି ବୟସ୍କା ବୃଦ୍ଧ ବୃଦ୍ଧା ଦୁହେଁ । ଦୌଡ଼ି ଯାଇ ପାଛୋଟି ଆଣନ୍ତି ପ୍ରିୟ । ଚିହ୍ନି ପାରି ପାଦ ଛୁଇଁ ସ୍ୱପ୍ନାଙ୍କର ପିତାମାତାଙ୍କୁ ପ୍ରଣାମ କରନ୍ତି । 

  ଆଶୀର୍ବାଦ ସ୍ଵରୂପ ନିଜର ଝିଅର ହାତକୁ ବଢ଼ାଇ ଦେଇ ପ୍ରିୟକୁ କୁହନ୍ତି, ଆମ ସମୟ ସରି ଆସିଲାଣି ।ଆଜି ଯାଏଁ ଆମ ଝିଅର ଭଲ ମନ୍ଦ ବୁଝୁଥିଲ । ଆଜି ପର ଠାରୁ ପୁଣି ଥରେ ଏଣିକି ଆମ ଝିଅ ତୁମକୁ ଲାଗିଲା। ଆମେ ଏବେ ସବୁ ଦାୟିତ୍ବରୁ ମୁକ୍ତ । ଜାଣିଛୁ,ଏବେ ବହୁତ ଡେରି ହୋଇଯାଇଛି। ତଥାପି ବୟସର ଅପରାହ୍ନରେ ଦୁହେଁ ଦୁହିଁଙ୍କ ପାଇଁ ଜରୁରୀ ଅଟ। ସେଥିପାଇଁ ଆଉ ଥରେ ଆମ ଭରସାକୁ ଭାଙ୍ଗିବ ନାହିଁ ବୋଲି ମୋର ବିଶ୍ୱାସ ତୁମ ଉପରେ ଅଛି ପ୍ରିୟ । ଏତକ କହି ସ୍ୱପ୍ନାର ମାଆ କାନ୍ଦୁଥିଲେ। ପାଖରେ ବସି ସ୍ୱପ୍ନା ବି । 

  ତୁମ ଦୁହିଁଙ୍କ ମୁହଁରେ ହସ ଦେଖି, ଆମେ ବୁଢା ବୁଢ଼ୀ ଶେଷ ନିଃଶ୍ୱାସ ତ୍ୟାଗ କରି ଦେବୁ। ଦୁନିଆଁ ବି ଦେଖୁ ଆଉ ଏକ ମଧୁର ପବିତ୍ର ସମ୍ପର୍କର ରୂପ ରେଖାକୁ । ଆଉ ଜାଣୁ କିଛି ସମ୍ପର୍କ ବି ଏମିତି ହୋଇ ପାରେ ?

କଣ ଠିକ କହିଲି ନା ସ୍ୱପ୍ନା ! ମାଆଙ୍କର ପ୍ରଶ୍ନରେ ଲାଜେଇ ଯାଇଥିଲେ ସ୍ୱପ୍ନା । ମାଆ କୋଳରେ ମୁହଁ ଲୁଚାଇ ଦେଇଥିଲେ ଷୋଡ଼ଶୀ ତରୁଣୀଟିଏ ପରି।

 ଆକାଶରେ ସୂର୍ଯ୍ୟଙ୍କର ନବୀନ କିରଣର ସ୍ପର୍ଶରେ ଧରଣୀରେ ଆଉ ଏକ ନୂତନ ଆଶାର ଭସା ବାନ୍ଧୁଥିଲା। ସଭିଏଁ ବହୁତ ଖୁସି ହେଉ ଥିଲେ।

   

  



Rate this content
Log in