ପ୍ରେରଣା
ପ୍ରେରଣା


କୁନାକୁ ଦୁଇ ଦିନ ହେଲା ଜ୍ୱର, କିଛି ଖାଉନି। ମେଡ଼ିକାଲ ନେବାକୁ ନା ମଣିଷ ଅଛନ୍ତି ନା ପଇସା। ଘରେ କଣ ପୁରୁଣା ଔଷଧ ଥିଲା, ସେଥିରୁ ଟିକେ ଦେଇଥିଲେ ମାଳତୀ ନାନୀ । ଦୁଇ ବର୍ଷର ପୁଅଟା ଶୁଖି କଳା କାଠ ପଡ଼ିଗଲାଣି। ମାଳତୀ ନାନୀ ଦୁଇ ଦିନ ହେଲା ଚୂଲି ଲଗେଇ ନାହାଁନ୍ତି। କେବଳ ଠାକୁରଙ୍କ ପାଖରେ ଗୁହାରି କରିବା ଛଡା କିଛି ଉପାୟ ନାହିଁ ତାଙ୍କର।
ଖବର ପାଇ ମଣିଆ ଭାଇ ଦୁଇଦିନ ପାଇଁ ଘରକୁ ଆସିଲେ, ପୁଅକୁ ମେଡ଼ିକାଲ ନେବା ପାଇଁ। ଭୁବନେଶ୍ବରରେ ସିକୁରୀଟି ଗାର୍ଡ ଚାକିରୀ ତାଙ୍କର। ମାସକୁ ଦରମା ସାତ ହଜାର ଟଙ୍କା, ନିଜ ପେଟ ମାରି ଟଙ୍କା ତିନି ଚାରି ହଜାର ବଞ୍ଚାଇବା ବି କଷ୍ଟକର। ଘରେ ଛୋଟ ପିଲା, ମାସକୁ ତିନି ଚାରିଥର ଆସିବାକୁ ପଡୁଛି। ସରକାରଙ୍କ ଅନେକ ଯୋଜନା କିନ୍ତୁ ଗରିବ ଲୋକଟି କେତେ ଉପକୃତ ହେଉଛି? ଆର ସାହିର ହରି ସାହୁ ଦୁଇ ମହଲା କୋଠା ଆଗରେ ଲେଖା ହୋଇଛି ଇନ୍ଦିରା ଆବାସ କିନ୍ତୁ ମଣିଆ ଭାଇର ଅନେକ ଦିନର ଭଙ୍ଗା, ପାଣି ଝରୁଥିବା ଆଜବେଷ୍ଟ ଘରଟିକୁ ଇନ୍ଦିରା ଆବାସ ମିଳିପାରୁନି। କାରଣ କେବଳ ଚାଳ ଛପର ଘର ଯେଉଁ ମାନଙ୍କର, ସେଇ ମାନେ ହିଁ କେବଳ ଇନ୍ଦିରା ଆବାସ ପାଇବାର ପାଇଁ ଯୋଗ୍ୟ। କଣ କରିବା? ତେଲିଆ ମୁଣ୍ଡରେ ତେଲ।
ଆଜି ଟିକେ ଭଲ ଲାଗୁଛି କୁନା ଦେହ। ମାଳତୀ ନାନୀ, ମଣିଆ ଭାଇକୁ କହିଲେ ପୁଅ ଦେହ ଟିକେ ଭଲ ଲାଗୁଛି ଔଷଧ ଆଣିବନି। ସେଇ ପଇସାରେ ହାର୍ଲ୍ଲିକସ ଗୋଟେ ଆଣିବ, ଧନଟା ମୋର ଦୁଇ ବର୍ଷର ହେଲାଣି ଭଲ ମନ୍ଦ ଟିକେ ଖାଇଲାନି। ଭାଇନାଙ୍କ ପିଲା ଖାଇବା ଦେଖି ପିଲାଟା କାନ୍ଦୁଛି। ସେମାନେ ବି ଦେଖେଇ ଦେଖେଇ କେତେ କଥା କହୁଛନ୍ତି। ମଣିଆ ଭାଇ "ହଉ ଆଣିବି" କହି ପକେଟକୁ ଦେଖିଲେ, ଟଙ୍କା ଚାରିଶ ପଡିଛି। ସାଇକେଲରେ ବ୍ୟାଗ ଖଣ୍ଡେ ଟାଙ୍ଗି ଚାଲିଲେ ପାଖ ବଜାରକୁ। ଗଲାବେଳେ ମାଳତୀ ନାନୀ କହିଲେ ପୁଅ ପାଇଁ କଣ ଆଣିବ ଖାଇବାକୁ। ନ ହେଲେ ଜମା ବୁଝିବନି। ମଣିଆ ଭାଇ କହିଲେ, ପଇସା ପତ୍ର ବେଶି ନାହିଁ କଣ ଆଣିବି?? କିଛି ନ ହେଲେ ଗୋଟେ ପାଞ୍ଚ ଟଙ୍କାର କୁରକୁରି ଆଣିବ, ମାଳତୀ ନାନୀ ଘର ଭିତରେ ଥାଇ କହିଲେ।
ବଜାରରୁ କଣ ଦୁଇଟା ପରିବା ଆଣିବା ପରେ ହରଲ୍ଲିସ ପାଇଁ ପଚାଶ ଟଙ୍କା କମ ପଡିଲା, ଯାହା ହେଉ ଚିହ୍ନା ଦୋକାନୀ ପଚାଶ ଟଙ୍କା ପରେ ଦେଇ ଦେବାକୁ କହି ହରଲ୍ଲିସ ପ୍ୟାକେଟଟା ବଢ଼େଇ ଦେଲା ମଣିଆ ଭାଇ ହାତକୁ। ଫେରିଲା ବେଳେ ନିଜ ଭାଗ୍ୟକୁ ନିନ୍ଧା କରୁଥିଲେ ମଣିଆ ଭାଇ। ବାପ ହିସାବରେ କେତେ ଅଯୋଗ୍ୟ ସେ? ପିଲାଟା ପାଇଁ ଆଜି ପାଞ୍ଚ ଟଙ୍କା ବି ମିଳିଲାନି।
କୁନା ବାପାଙ୍କୁ ଅପେକ୍ଷା କରିଛି ଦାଣ୍ଡ ପିଣ୍ଡାରେ। ପୁଅକୁ ଦେଖି ମନ ଦୁଃଖରେ ଘରକୁ ଯିବାକୁ ସାହସ କରୁ ନାହାନ୍ତି ମଣିଆ ଭାଇ। ଏହି ସମୟରେ ବଡ଼ ଭାଇନାଙ୍କ ଆଠ ବର୍ଷର ପୁଅ ଓଁମ କୁରକୁରି ଖାଇ ଖାଇ ଆସିଲା କୁନା ପାଖକୁ। ଦୁଇ ବର୍ଷର ପୁଅ କଣ ବା ଜାଣିଛି। କୁରୁକୁରି ଖାଇବା ପାଇଁ ମାଗିଲା, ଓଁମ ନ ଦେବାରୁ କାନ୍ଦି ତଳେ ଗଡ଼ିଗଲା। ଓଁମ ହସି ହସି କହିଲା "କେଡେ କାଙ୍ଗାଳଟା କିରେ"। ମାଳତୀ ନାନୀ ଘର ଭିତରେ ଥାଇ ସବୁ ଶୁଣୁଥିଲେ, ଆଉ ସମ୍ଭାଳି ପାରିଲେନି। ଦୁଇ ବିଧା ଦେଇ କାନ୍ଦି କାନ୍ଦି ପୁଅକୁ ନେଇଗଲେ ଘରକୁ।
ସବୁ ଘଟିଗଲା ମାଣିଆ ଭାଇ ଆଖି ସାମ୍ନାରେ। ଏତେ ଶୀଘ୍ର ସବୁ ଘଟିଥିଲା, କଣ କରିବେ କଣ ନ କରିବେ କିଛି ଜାଣି ପାରୁ ନ ଥିଲେ। ଦୋଷୀଟିଏ ଭଳି ଚୁପଚାପ ଘରକୁ ଯାଇ କାନ୍ଦୁଥିବା କୁନାକୁ ଉଠାଇ ଆଣିଲେ ଛାତି ଉପରକୁ। ଆଖିରେ ଆଖିଏ ଲୁହ, ପୁଅକୁ ବୁଝାଇବାକୁ ବାରିପଟକୁ ନେଇଗଲେ। ଆଉ କୋହ ଭରା କଣ୍ଠରେ ପୁଅକୁ ବୁଝାଇବାକୁ ଗାଉ ଥିଲେ...
ଶୋଇଯା ଧନରେ ଶୋଇଯା
ଆଖିର ଲୁହ ନେଇ ତୁ ଧନ
ଘଡ଼ିଏ ଶୋଇ ଯା, ମୋ କୁନା ଶୋଇ ଯା.....
ମୋ କୁନା....ଶୋଇ ଯା......
ରାତିରେ ମାଳତୀ ନାନୀ ମନ ଦୁଃଖରେ କିଛି ଖାଇଲେନି। ପିଲାଟାକୁ ହାତ ଉଠାଇ ମାରି ଥିବାରୁ ମନ ଭାରି ଦୁଃଖ। ଶୋଇଲା ସମୟରେ ମାଳତୀ ନାନୀ ମଣିଆ ଭାଇ କୁ କହୁଥିଲେ "ଆମ ପାଖରେ ଟଙ୍କା ପଇସା ନାହିଁ ବୋଲି କିଏ କଣ ନ କହୁଛି? ଶେଷରେ ମୋ ଛୁଆ କୁ ବି ଛାଡିଲେ ନାହିଁ"। ମଣିଆ ଭାଇ ମାଳତୀ ନାନୀକୁ ସାନ୍ତ୍ୱନା ଦେଇ କହିଲେ "ସମୟକୁ ଅପେକ୍ଷା କର। ଲବ କୁଶ ରାଜକୁମାର ହୋଇ ବି ପତ୍ର କୁଡ଼ିଆରେ ବଢିଥିଲେ। ମା ସୀତା ରାଜକନ୍ୟା ହୋଇ ମଧ୍ୟ ନିଜ ହାତରେ ସବୁ କାମ କରୁଥିଲେ। ରୋଷେଇ ପାଇଁ ଜାଳ ସଂଗ୍ରହ ଠୁ ଆରମ୍ଭ କରି ଧାନ କୁଟିବା ପର୍ଯ୍ୟନ୍ତ। ତା ସହିତ ପିଲାମାନଙ୍କୁ ଶିକ୍ଷା ସଂସ୍କାର ଦେବା ସହ ସ୍ୱାବଲମ୍ବୀ କରି ଗଢ଼ିଥିଲେ। ଲବ କୁଶଙ୍କ ଉପରେ ମା ସୀତାଙ୍କର ଗଭୀର ପ୍ରଭାବ ପଡିଥିଲା। ଶେଷରେ ନିଜେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ବି ଏହି ପରାକ୍ରମୀ ବାଳକ ନିକଟରେ ପରାସ୍ତ ହୋଇଥିଲେ। ସୀତା ମାତାଙ୍କ ପରି ଶିକ୍ଷା ଓ ସଂସ୍କାର ଦେଇ କୁନାକୁ ଆମେ ଭଲ ମଣିଷଟିଏ କରି ଗଢି ତୋଳିବା। ସେଇ ହିଁ ହେବ ସମସ୍ତଙ୍କ ପାଇଁ ଉଚିତ ଜବାବ"। ଏତିକିରେ ମନ ବୁଝି ଗଲା ମାଳତୀ ନାନୀର। ଏବେ ଲାଗିପଡିଲେ କୁନାର ଭବିଷ୍ୟତ ଗଢିବା କାମରେ। ଏବେ ସବୁବେଳେ ଠାକୁରଙ୍କୁ ମୁଣ୍ଡିଆ ମାରିଲା ବେଳେ କୁହନ୍ତି, ହେ ପ୍ରଭୁ ମୋ କୁନାକୁ ମଣିଷ ପରି ମଣିଷଟିଏ କର।
ଅଭାବ ଅନଟନ ମଧ୍ୟରେ କୁନା ଶଶୀ କଳା ପରି ବଢିବାକୁ ଲାଗିଲା। ମାଳତୀ ନାନୀ କୁନାକୁ ରାଣାପ୍ରତାପ, ଛାତ୍ରପତି ଶିବାଜୀ, ସୁବାଷ ଚନ୍ଦ୍ର ବୋଷ ଇତ୍ୟାଦି ମହାପୁରୁଷଙ୍କ ଅସୀମ ଧର୍ଯ୍ୟ, ବୀରତ୍ବ ଏବଂ ସଂଘର୍ଷ କାହାଣୀ ଶୁଣାଉ ଥିଲେ। ମାଳତୀ ନାନୀର ଶିକ୍ଷା ସଂସ୍କାରର ଖୁବ ପ୍ରଭାବ ପଡିଥିଲା କୁନା ଉପରେ। କୁନା ବି ଥିଲା ଅତି ମେଧାବୀ ଛାତ୍ର। ସବୁ ପାଠ ଖୁବ ସହଜରେ ମନେରଖି ପାରୁଥିଲା।
ଏବେ କୁନା ସ୍କୁଲରେ ଶିକ୍ଷକ ମାନଙ୍କର ସବୁଠୁ ଅତି ପ୍ରିୟ ଛାତ୍ର। ସ୍କୁଲରୁ ଗାଁ ପର୍ଯ୍ୟନ୍ତ ସବୁଠି କୁନାର ପ୍ରଶଂସା। ଯେଉଁ ଦିନ କୁନା ବୃତ୍ତି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କଲା ପୁରା ଗାଁ ଖୁସିରେ ନାଚି ଉଠିଲା। ମାଳତୀ ନାନୀର ଆଖିରୁ ଝରିଗଲା ଦୁଇ ଧାର ଆନନ୍ଦର ଅଶ୍ରୁ। ଅଭାବ ଅନାଟନରେ ବି କୁନାର ଚାଲିଥାଏ ସଂଘର୍ଷ। ଦିନେ ଖାଇଲେ ଦିନେ ଉପାସ। ଏପରିକି କୁନା ବି ପାଠ ପଢିବା ସହ ମଜୁରି କରେ। ଶେଷରେ ପରିଶ୍ରମର ମୂଲ ମିଳିଲା। ଦଶମ ପରୀକ୍ଷାରେ କୁନା ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କଲା। ଯେତେବେଳେ କୁନାର ଦୁଖଭରା କାହାଣୀ ସାରା ରାଜ୍ୟର ଗଣମାଧ୍ୟମରେ ପ୍ରଚାରିତ ହେଲା, ଅନେକ ସହୃଦୟ ବ୍ୟକ୍ତି ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଲେ।
ଏବେ କୁନା ଇଂଜିନିୟରିଂ ଛାତ୍ର। ଅଭାବ ଅନଟନ ଭିତରେ କେବେ ବି ପଛଘୁଞ୍ଚା ଦେଉ ନ ଥାଏ କୁନା। କେବେ ଖାଏ ତ କେବେ ଉପାସ। ଶୀତ ଦିନର ହାଡ଼ଭଙ୍ଗା ଶିତରୁ ରକ୍ଷା ପାଇବା ପାଇଁ ଶୀତବସ୍ତ୍ର ବି ନ ଥାଏ। ସାରା ରାତି କଟେ ଉଜାଗରରେ। ପାଠ ପଢିବା ସହ ଟିଉସନ ବି କରେ। ରାସ୍ତାକଡରେ ଖବରକାଗଜ ବି ବିକ୍ରିକରେ। ମାଳତୀ ନାନୀ ବାରମ୍ବାର କୁହନ୍ତି, କୁନା ଘର ଅବସ୍ଥା ତ ଜାଣୁଛୁ। କେଉଁଠି ଦେଖି ଚାକିରି ଖଣ୍ଡେ କରିଦେ। କେତେ ଦିନ ଆଉ ଏମିତି ଚାଲିବ? ବାପାଙ୍କର ତ ବଳ ବୟସ କମିଲାଣି। କୁନା ବୋଉଙ୍କୁ କୁହେ ଏତେ ଦିନ ତ ଗଲାଣି। ବାସ୍ ଆଉ କିଛିଦିନ। ମୋ ଉପରେ ବିଶ୍ୱାସ ରଖ। ଆମ ଜୀବନରେ ପୁଣି ନୂଆ ସକାଳ ଆସିବ।
ପାଞ୍ଚ ବର୍ଷ ପରେ....
ଅଦମ୍ୟ ନିଷ୍ଠା, କୋଠର ସାଧନା ଏବଂ ଦୃଢ ମନୋବଳ ଦ୍ବାରା ଯେ କୌଣସି କାର୍ଯ୍ୟ କଲେ ସଫଳତା ସୁନିଶ୍ଚିତ ତୁମ ପାଦ ଛୁଇଁବ। ଆଜି କେଦାର ସେନାପତି ଏହାର ଉଦାହରଣ। ସେ Indian space research organisation (ISRO) ବୈଜ୍ଞାନିକ ଏବଂ ଯନ୍ତ୍ରୀ ପଦରେ ନିଯୁକ୍ତି ପାଇଛନ୍ତି। ଆଜି ସେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ର(ଶାର)ରେ ଯୋଗ ଦେବେ। ISROର ବୈଜ୍ଞାନିକ ଏବଂ ଯନ୍ତ୍ରୀ ପଦ ପାଇଁ ସର୍ବଭାରତୀୟ ସ୍ତରରେ ହୋଇଥିବା ଲିଖିତ ପରୀକ୍ଷାରେ ଦୁଇ ଲକ୍ଷ ପ୍ରାର୍ଥୀଙ୍କ ମଧ୍ୟରୁ ଶୀର୍ଷ ସ୍ଥାନ ଅଧିକାର କରି ରାଜ୍ୟର ସମସ୍ତଙ୍କ ପାଇଁ ସେ ଗୌରବ ଆଣିଛନ୍ତି।
ସେ କେଦାର ସେନାପତି ଆଉ କେହି ନୁହଁନ୍ତି। ମାଳତୀ ନାନୀ ଆଉ ମଣିଆ ଭାଇଙ୍କ ସେଇ ପୁଅ କୁନା, ଯିଏ ପିଲାଦିନେ ପାଞ୍ଚ ଟଙ୍କାର କୁରୁକୁରି ପାଇଁ ଅନ୍ୟ ପାଖରେ ହାତ ପତେଇ ମାଡ଼ ଖାଉଥିଲା।