STORYMIRROR

TASNEEM SULTANA LADLEE

Children Stories Inspirational

3  

TASNEEM SULTANA LADLEE

Children Stories Inspirational

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

2 mins
295


ସେଦିନ ଶନିବାର ଥିଲା । ସାର ଓ ପିିଲାମାନଙ୍କ ପାଇଁ ସ୍ବତନ୍ତ୍ର ଦିନ । ପାଠ ପଢାସହ ନିଜର 'ଅତୀତର ଅନୁଭୁତି ସେୟାର କରିବା' ବିଷୟବସ୍ତୁ ଥିଲା । ସମସ୍ତ ପିଲା ଡ୍ରିଲ କରିବା ପରେ ଶ୍ରେଣୀଗୃହରେ ପ୍ରବେଶ କଲେ ।ଆଗ ବେଞ୍ଚରେ ବସିବା ପାଇଁ ଆୟତ ଯିବା ସମୟରେ ଆଗରୁ ସେଠାରେ ସୀମା ଓ ତା'ର ଦୁଇଜଣ ସାଙ୍ଗ ବସିଥିଲେ । ଆୟତ ସେଠି ବସିବା ପାଇଁ କହିଲା। ଏହାକୁ ନେଇ ସାଙ୍ଗମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା ।ଯିଏ ଆଗ ଆସିବ ସିଏ ଆଗ ବେଞ୍ଚରେ ବସିବ ବୋଲି ସେମାନେ କହୁଥିଲେ । ଶେଷରେ ଆୟତ ରାଗ ତମତମ ହୋଇ ପଛ ବେଞ୍ଚରେ ଯାଇ ବସିଲା ।


ସବୁବେଳେ ଆଗ ବେଞ୍ଚରେ ବସୁଥିବା ଆୟତ ଆଜି ପଛ ବେଞ୍ଚରେ ବସିଥିବାରୁ ତାକୁ ବହୁତ ଖରାପ ଲାଗୁଥିଲା । ଏଇସମୟରେ ଶ୍ରେଣୀ ଗୃହରେ ସାର ପ୍ରବେଶ କଲେ । ସାରଙ୍କୁ ଦେଖି ଆୟତ ଭୋଭୋ କାନ୍ଦି ଉଠିଲା । ଶ୍ରେଣୀଗୃହରେ କେହି କିଛି କହୁ ନଥିଲେ । ସାର ତାକୁ କାନ୍ଦିବାର କାରଣ ପଚାରୁଥିଲେ । ସେ କିଛି କହିଲା ନାହିଁ । କିନ୍ତୁ ତାକୁ ତା ସାଙ୍ଗମାନଙ୍କ ତା ପ୍ରତି ବ୍ୟବହାର ବହୁତ ଖରାପ ଲାଗିଲା । ସାର ପିଲାମାନଙ୍କୁ ଦୁଇ ମିନିଟ ଆଖିବୁଜି ସାଙ୍ଗମାନଙ୍କ ସହ ଭୁଲି ନଥିବା ଦିନ ସ୍ମରଣ କରିବା ପାଇଁ କହିଲେ ଓ ଏ ବିଷୟରେ ନିଜର ସେଇ ସ୍ମରଣୀୟ ଦିନ ଗୁଡିକୁ ଡାଇସକୁ ଆସି ସେୟାର କରିବା ପାଇଁ କହିଲେ ।


ଆୟତ ଓ ସୀମା ସହ ଆଗ ବେଞ୍ଚରେ ବସିଥିବା ସାଙ୍ଗମାନେ ମଧ୍ୟ ଏ ବିଷୟରେ ଭଲଦିନସବୁ ସ୍ମରଣ କରିବାକୁ ଲାଗିଲେ ।ତିନି ମିନିଟ ଆଖିବୁଜି ନିରବ ରହିବା ପରେ ସମସ୍ତ ପିଲା ଶାନ୍ତ ପଡିଯାଇଥିଲେ । ସୀମା ଆଗବେଞ୍ଚରେ ବସିଥିବାରୁ ତାକୁ ପ୍ରଥମେ ସାଙ୍ଗ ମାନଙ୍କସହ ଭଲଦିନର ସ୍ମୃତି ଡାଇସ ଉପରକୁ ଯାଇ କହିଲା । ସାଙ୍ଗମାନେ ! ଦେଢବର୍ଷ ତଳର କଥା ।'ସେତେବେଳେ ମୁଁ ଷଷ୍ଠଶ୍ରେଣୀରେ ପଢୁଥିଲି । ଶନିବାର ଦିନ ଥାଏ । ମୋତେ ପ୍ରବଳ ଜ୍ବର ହୋଇଥାଏ । ମୁଁ ସ୍କୁଲକୁ ତିନିଦିନ ହେଲା ଆସି ନଥାଏ ।ଲକଡାଉନ ସମୟରେ ବାପା ଗୁଜରାଟରୁ ଫେରି ଘରେ ବସି ରହିଥାନ୍ତି ।ରେଜଗାରର କୌଣସି ବାଟ ନଥାଏ ।ମୋତେ ଜ୍ବର ହୋଇଥିବା ଜାଣି ଆୟତ ମୋତେ ଶ୍ରେଣୀରେ ନପାଇ ବ୍ୟସ୍ତ ହୋଇ ପଡିଥିଲା ବୋଲି ପରେ ମୁଁ ସାଙ୍ଗ ପିଲାମାନଙ୍କ ଠାରୁ ଶୁଣିବାକୁ ପାଇଥିଲି ।ତା' ପର ଦିନ ସେ ତା ବାପାଙ୍କସହ ମୋତେ ମୋ ଆମ ଘରେ ଆସି ଦେଖା କରିଥିଲା ।ମୋ ମୁଣ୍ଡ ଆଁଉସି ଦେଇଥିଲା । ତା ବାପାଙ୍କ ପରାମର୍ଶରେ ମୋର ରକ୍ତ ପରୀକ୍ଷା ହୋଇଥିଲା । ରିପୋର୍ଟରେ ବ୍ରେନ ମ୍ୟାଲେରିଆ ହୋଇଥିବା ଜଣା ପଡିଥିଲା । ରିପୋର୍ଟ ଦେଖି ମୋ ବାପା ଛାନିଆ ହୋଇ ପଡିଥିଲେ ।ଡାକ୍ତର ଅଙ୍କଲ କହୁଥିଲେ ଠିକ ସମୟରେ ଝିଅକୁ ଆଣିଛନ୍ତି ।ଆଉ ଦିନେ ଡେରି କରିଥିଲେ ଅସୁବିଧା ହୋଇଥାନ୍ତା । ଆୟତ ବାବା ମୋ ବାପାଙ୍କୁ ଧର୍ଯ୍ୟ ଧରିବାକୁ କହି ବୁଝେଇବାସହ ସରକାରୀ ଡାକ୍ତରଖାନାରେ ଓୌଷଧର ସମସ୍ତ ବ୍ୟବସ୍ଥା କରିଥିଲେ' । 


ଏତିକି କହିବା ପରେ ସୀମା ଆଖିରୁ ଲୁହଝରି ପଡୁଥିଲା । ସେ କଥା କହି ପାରୁ ନଥିଲା । ଡାଇସ ଉପରେ କଇଁ କଇଁ କାନ୍ଦିବାକୁ ଲାଗିଲା । ଆୟତ ପଛ ବେଞ୍ଚରେ ବସି ଏସବୁ ଶୁଣୁଥିଲା । ସେ ଡାଇସ ଉପରକୁ ଆସି ସୀମାକୁ କୁଣ୍ଢେଇ ପକାଇଲା ।ଏ ଦୃଶ୍ୟ ଦେଖି ଶ୍ରେଣୀରେ ସମସ୍ତ ପିଲାଙ୍କ ଆଖିରେ ଲୁହ ଝରି ଆସି ଯାଇଥିଲା । ସୀମା ଆଉ କିଛି କହି ପାରୁ ନଥିଲା । ସେ ଆୟତକୁ ଭିଡି ଆଗ ବେଞ୍ଚରେ ବସେଇବାକୁ ଚେଷ୍ଟା କରୁଥିଲା ।


ସାର ଘଟଣାକୁ ଠଉରେଇ ନେଇ କହିଲେ, ପିଲାମାନେ ! ' ଆଗ ବା ପଛ ବେଞ୍ଚରେ ବସିଲେ କେହି ବଡ ବା ଛୋଟ ହୋଇ ଯାଇ ନଥାଏ' ।ବିଦ୍ୟାଳୟ ଦିନ ଗୁଡିକର ଛୋଟ ଛୋଟ କଥାରେ ମନ ଉଣା ନକରି ନିଜର ମନ ଓ ଚିନ୍ତାଧାରାକୁ ବଡ କଲେ ଆମେ ସମସ୍ତଙ୍କ ଆଦରଣୀୟ ହୋଇ ପାରିବା ।


  


Rate this content
Log in