ପଣା ସଂକ୍ରାନ୍ତି ବସନ୍ତରା ଠେକି
ପଣା ସଂକ୍ରାନ୍ତି ବସନ୍ତରା ଠେକି
ପଣାସଂକ୍ରାନ୍ତି ବସନ୍ତରାଠେକି ଓ ବୃନ୍ଦାବତୀ
ଅରବିନ୍ଦ ଦାସ
ବେଲ ପଣା ଗିଲାସେ ହାତରେ ଦେଇ ସଙ୍ଗୀତା ,ଅଶୋକଙ୍କୁ କହିଲେ ,"ନନାଙ୍କୁ ସଂକ୍ରାନ୍ତି ହୋମ ପାଇଁ ମନେ ପକାଇ ଠିକ୍ ସମୟରେ ଆସିବାକୁ କହିଛ ତ ?"
ରଙ୍ଗ ତୁଳି ଧରି ତୁଳସୀ ଚଉରା କୁ ଏକ ଲୟରେ ଅନାଇଥିଲେ ଅଶୋକ।ପ୍ରତିବର୍ଷ ବୃନ୍ଦାବତୀ ମୂର୍ତ୍ତି ସହ ଏଇ ଚଉରା ଟିକୁ ପଣାସଂକ୍ରାନ୍ତି ଦିନ ଯେମିତି ହେଉ ନିଜ ହାତରେ ରଙ୍ଗ କରନ୍ତି ସେ।
- ଜେଜେମା,ତମେ ଏତେ କଷ୍ଟ କରି ଏଇ ଚାଉଳ ,ଗହମ,ବୁଟ ଡାଲି,ବାଦାମ,ମକା କୁ କାହିଁକି ଭାଜି ଗୁଣ୍ଡ କରାଅ ?ବଜାର ରେ ଆଜିକାଲି କେତେ ବଢିଆ ପ୍ୟାକେଟ ଛତୁଆ ମିଳିଲାଣି ।
ବିଟୁ ପ୍ରଶ୍ନ କରୁଥିଲା ବୋଉକୁ।ନାତିକୁ କୋଳକୁ ନେଇ ଛତୁଆ ଭୋଗ ତା ପାଟିରେ ଦେଇ ବୋଉ କହିଲା,"ଛିଃ, ସେ ବଜାର ଛତୁଆରେ କଣ ନାହିଁ କଣ ଶସ୍ତା, ଖରାପ ଜିନିଷ ମିଶେଇଥିବେ।ଠାକୁରଙ୍କୁ ସେଇ ଜିନିଷ କାହିଁକି ଭୋଗ ଲଗାଇବା ?ପଣା ସଂକ୍ରାନ୍ତି ପରା ;ଆମ ଓଡ଼ିଆ ନୂଆ ବର୍ଷ।ମାଟି ବସନ୍ତରା ଠେକି ବନ୍ଧା ହୋଇ,ପଣା ଓ ଛତୁଆ ଭୋଗ ଦିଆଯାଏ।ସମସ୍ତଙ୍କ ଚଉରାରେ ମାସେ କାଳ ସେଇ ଠେକି ରହେ।ଆଜି ପରା ମହାବିଷୁବ ସଂକ୍ରାନ୍ତି,ପଣା ସଂକ୍ରାନ୍ତି।
- କିନ୍ତୁ କାହିଁକି ଏଇ ମାସେ ?
- ବୈଶାଖ ଗରମ ରେ ଚଉରା ତୁଳସୀ ଯେମିତି ଝାଉଁଳି ନଯାଇ ସତେଜ ରହିବ,ସେଇଥିପାଇଁ ଥପ ଥପ ହୋଇ ବସନ୍ତରା ଠେକିରୁ ପାଣି ପଡ଼େ ତୁଳସୀ ଗଛ ଉପରେ।ଚଉରା ତୁଳସୀ ଆମ ସମସ୍ତଙ୍କୁ ବିପଦ ଆପଦରୁ ରକ୍ଷା କରନ୍ତି ଓ ଶୁଭ ବୋଲି ଘର ସାମ୍ନାରେ ରହିଥାନ୍ତି ।ଛୁଆଙ୍କ ଦିହ ଖରାପ ହେଲେ ଆମ ବେଳେ ଡାକ୍ତର ପାଖକୁ ଯିବା ଆଗରୁ ତୁଳସୀ ମୂଳ ମାଟି ଟିକେ ଛୁଆଙ୍କ ମୁଣ୍ଡରେ ମାରିଦେଉଥିଲେ।ମୁଁ ପରା ଆଜି ଯାଏଁ ତମ ମୁଣ୍ଡରେ ମାରୁଛି।
- କିନ୍ତୁ ଆମ ଚଉରାରେ ବର୍ଷ ସାରା ସେଇ ଠେକି କାହିଁକି ଓହଳି ଥାଏ ?
ଅଶୋକ ଙ୍କ ଆଡ଼କୁ ଅନାଇ ଟିକେ ହସିଦେଇ ବୋଉ କହିଲା," ଗାଁରେ ମୋର ପ୍ରିୟ ଚଉରାରେ ପାଣି ନପାଇ ତୁଳସୀ ଥୁଣ୍ଟା
ହୋଇଯାଇଥିଲା।ଏଠି ତୋ ବାପା ଏସବୁ କରିଛି,ତାକୁ ପଚାରେ।"
ଭାବନା ରାଜ୍ୟରେ ବୁଡିଗଲେ ଅଶୋକ।ଗାଁରେ ଜେଜେମା ବରାଦ ଦେଇ ବୃନ୍ଦାବତୀ ଚଉରା ତିଆରି କରି,ନିଜେ ପୁରୀରୁ ଆଣିଥିବା ଅଭଡ଼ା କୁଡୁଆରେ କଳା ଧଳା ଦୁଇଟି ତୁଳସୀ ଗଛ ଲଗାଇ ବୋଉକୁ କହିଥିଲା,"ମୋ ତୁଳସୀ ଯେମିତି ଦିନେ ଝାଉଁଳି ନଯାଏ।ଘର ର ଅନିଷ୍ଠ ହୁଏ ପରା।ବଡ଼ ବୋହୁ ହିସାବରେ ଏଇଟା ତୋ ଦାୟିତ୍ୱ।ପଣା ସଂକ୍ରାନ୍ତିରେ ବୃନ୍ଦାବତୀଙ୍କୁ ନୂଆ ଲୁଗା ପିନ୍ଧାଇବାକୁ ଭୁଲିବୁନି।'
ବୋଉ ସବୁ ନୀତି ନିୟମ ପାଳୁଥିଲା।ଭୋରୁ ଗାଧେଇ ଆସି ଚଉରା ମୂଳେ ପାଣି ଦେଇ ଓଲଗି ହେଲା ବେଳେ ଧୀର ହାତରେ ତୁଳସୀ ଗଛକୁ ଟିକେ ହଲାଇ ଦିଏ।ଝଡି ପଡିଥିବା ଗୋଟେ ଦୁଇଟା ପାଚିଲା ତୁଳସୀ ପତ୍ର ପାଟିରେ ପକାଇ ତା ଦିନଚର୍ଯା ଆରମ୍ଭ କରେ।ଆଉ ପଣା ସଂକ୍ରାନ୍ତି ଦିନ ତ ଦାଦା,ବାପାଙ୍କୁ କାମରେ ଲଗାଇ ଛାମୁଣ୍ଡିଆ କରି ବସନ୍ତରା ଠେକି ଓହଳାଏ।ଛତୁଆ ନିଜେ ଚକିରେ ପେଷି, ସେଥିରେ ନଡିଆ,କଦଳୀ,ଗୁଡ଼,ଆମ୍ବ,ଦୁଧ,ଛେନା,ଗୋଲମରିଚ ପକାଏ।ତା ସହିତ ବେଳ ପଣା।ସଂକ୍ରାନ୍ତି ହୋମ ପରେ ଖେଚୁଡ଼ି,ଡାଲମା,ଆମ୍ବ ଖଟା,ଖିରୀ।କଦଳୀ ପତ୍ର ପକାଇ ସମସ୍ତେ ପଙ୍ଗତ ରେ ବସି ଯାଆନ୍ତି।
ସବୁ ଠିକ୍ ଚାଲିଥିଲା।ଦିନେ ସାମାନ୍ୟ ବଚସାରୁ ପାଟିଗୋଳ ,କଜିଆ ଓ ପୋଲିସ କେସ କରିଥିଲେ ଦାଦା।ବାପା ବି ଥାନାରେ ପ୍ରତିଅଭିଯୋଗ କରିଥିଲେ।ଜମି ବାଡ଼ି,ଘର ଡିହ ଭାଗ ବଣ୍ଟା ଓ ଭିନ୍ନେ ହେବା ପାଇଁ ଜିଦି।ଚଉରା ଟା ଅଗଣା ମଝିରେ ଥିଲା।କାହା ଭାଗରେ ଯିବ ବୋଲି ଯୁକ୍ତି ତର୍କ ଚାଲିଲା।ଦୁଇଟା ବାଡ଼ ମଝିରେ ବୃନ୍ଦାବତୀ ଚଉରା ରହିଲା।ବୋଉ ସବୁଦିନ କାନ୍ଦେ।
ବାପା ହାଠାତ୍ ଚାଲିଗଲା ପରେ ,ବୋଉକୁ ନିଜ ପାଖକୁ ନେଇ ଆସିଥିଲେ ଅଶୋକ।ଗାଁ ଘରବାଡି ସେମିତି କେସ ଚାଲିଥିଲା।
ଦିନେ ପଣା ସଂକ୍ରାନ୍ତି ପୂର୍ବଦିନ ବୋଉ କହିଥିଲା,"ଘର କଥା ଭାରି ମନେ ପଡୁଛି ରେ।ଚଉରା ରେ କିଏ ପାଣି ଦେଉଥିବେ କି ନାହିଁ କେଜାଣି ?"
ଘରେ ପହଁଚି ଚଉରା ମୂଳ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଅଶୋକ।ଘାସ,ଅରମା ରେ ଭର୍ତ୍ତି ହୋଇଥିଲା ଚଉରା ;ତୁଳସୀ ଗଛ ଶୁଖିକି ଜାଳ।କୁକୁର ଗୋଟେ ପରିଶ୍ରା କରୁଥିଲା ଚଉରା ପିଣ୍ଡିରେ।କୋହ ସମ୍ଭାଳି ନପାରି କଇଁ କଇଁ ହୋଇ କାନ୍ଦିଥିଲା ବୋଉ।ଦୁଇ ଖଞ୍ଜା ପୁରା ଖାଲି।ଦେହ ଖରାପ ଯୋଗୁଁ ଦାଦା,ଖୁଡ଼ୀ ବି ତାଙ୍କ ପିଲାଙ୍କ ପାଖକୁ କଟକ ଚାଲିଯାଇଥିଲେ। ଶୁନଶାନ ଘରେ ଅବହେଳିତ ବୃନ୍ଦାବତୀ ଚଉରା ! କେତେ ଯତ୍ନରେ ରଖିଥିଲା ବୋଉ ?କି ଫାଲତୁ ଝଗଡା ?ଆଜି କିଏ କୁଆଡେ ?କି ଘର,କି ସମ୍ପତ୍ତି !
ବାପା,ବାପା ..ବିଟୁ ଡାକରେ ଭାବନା ରାଜ୍ୟରୁ ଫେରିଆସିଲା ଅଶୋକ।
- ମାଟି ଠେକି ତ ସମସ୍ତେ ମାସେ ପାଇଁ ବସାନ୍ତି।ତମେ କାହିଁକି ଆମ ଚଉରା ଉପରେ ସବୁଦିନ ପାଇଁ ଠେକି ଲାଗିବା ପାଇଁ ଷ୍ଟାଣ୍ଡ ବନେଇ ଦେଇଛ ?ଗାଁ ଚଉରା କଣ ହେଲା ?"
ଅଶୋକ କିଛି କହିବା ପୂର୍ବରୁ ସଂଗୀତା କହିଲେ,"ବାହୁବଳୀ ସିନେମାରେ ନିଜ ମା ପାଇଁ, ଶିବ ଲିଙ୍ଗ ଉଠାଇ ଅମରେନ୍ଦ୍ର ବାହୁବଳୀ ଚାଲି ଆସିବା ଭଳି ତୋ ବାପା ପରା ଗାଁ ଚଉରାକୁ ତୋ ଜେଜେମା ପାଇଁ ଗାଡ଼ିରେ ପକେଇ ଏଠିକୁ ନେଇ ଆସିଥିଲେ ପଣା ସଂକ୍ରାନ୍ତି ଦିନ।ଆମ ଓଡ଼ିଆ ନୂଆ ବର୍ଷ ସହ ଚଉରା ର ହାପି ବାର୍ଥ ଡ଼େ ବୋଲି ଭାବେ।ତୋ ବାପା ଏମିତି କାହିଁକି କଲେ ଭାବୁଛୁ କି ? ତୋ ଜେଜେମାଙ୍କ ନାଁ କଣ ମନେ ପକାଉନୁ ?
- ବୃନ୍ଦାବତୀ ; ଜେଜେମାଙ୍କ ନାଁ ତ ବୃନ୍ଦାବତୀ।
ଶାଶୁ,ବୋହୁ ହସୁଥିଲେ।ଅଶୋକ ପୁଣି ଥରେ ଅନାଇଲେ ବସନ୍ତରା ଠେକି ଓହଳି ଥିବା ଚଉରା କୁ।
(ଅରବିନ୍ଦ ଦାସ)