Soumya Shubhadarshinee

Others

5.0  

Soumya Shubhadarshinee

Others

ପକ୍ଷୀ

ପକ୍ଷୀ

6 mins
636


 

 ଡେଣା ଲଗେଇ ହୁଅନ୍ତାନି ଦେହରେ ଠିକ ପକ୍ଷୀ ଭଳି । ଉଡି ହୁଅନ୍ତା ସାରା ଆକାଶ । ପ୍ରତିରୋଧ ଆଉ ପ୍ରତିବନ୍ଧକ ବିହୀନ ହେଇଯାନ୍ତା ଜୀବନ !.........


★★★★★★★


-- '' ମୋର ଭୁଲ ହେଇଗଲା !''......


--'' ନା ' ଭୁଲ ଠିକ ବିଚାର କରିବାର ଅଧିକାର ତୁମର ନାହିଁ ।''


--'' ହଁ ଅବଶ୍ୟ ଅଧିକାର ଗୋଟେ ବହୁତ ବଡ଼ ପ୍ରସଙ୍ଗ । ତୁମେ ଦେଇନ କି ମୁଁ ଯତେଇନି।''


--'' ମୁଁ ଦେଇଛି ସବୁବେଳେ , ତୁମେ ଯତେଇନ ଯାହା ଖାଲି ।''


  ଅଂଶୁ କଣ ସତରେ ଦେଇଛି କିଛି ଅଧିକାର । ହୁଏତ ହଁ , ବା ନା' କେବେ ନୁହେଁ । ପ୍ରଶ୍ନଟିର ଉତ୍ତର କେବେବି ନଥିଲା ପରୀ ପାଖରେ ଆଉ ଆଜିବି !.....


 ************


 ପୁରୁଣା ପାହାଚ ଗୁଡା ନଦୀକୂଳର କେମିତି ଗୋଟେ କାଦୁଆ ହେଇଯାଇଛି। ବର୍ଷାରେ ଧୋଇ ହେଇ ପରିଷ୍କାର ଲାଗୁଥିଲା ସକାଳେ। ଏବେ ପୁଣି ମାଟି କାଦୁଅ ପଚ ପଚ । ପରୀ ସାବଧାନ ହେଇ ପାଦ ଥାପିଲା ପାହଚରେ , ଖସି ପଡିବାର ଭୟ ପ୍ରଛନ୍ନ !.....


  ପରୀ ପାଇଁ ସବୁ ପାହାଚ ସେମିତି , ଖସଡ଼ା , କାଦୁଆ , ଭୟାର୍ତ୍ତ । ଝିଅଟିଏ ନା' ସେ !.…....


 ଉଚ୍ଚ ବନ୍ଧ ବନ୍ଧା ହେଇ ପାଣି ଅଟକା ହେଇଛି ନଦୀରେ । ବର୍ଷକ ବାର ମାସ ପାଣି ଆଉ ବର୍ଷା ଦିନେ ଅକାତ କାତ । ପାହାଚ ଅଛି ତଳକୁ ଯିବାକୁ । ଅନେକ ଥର ଆସିଛି ପରୀ ଏଇଠିକି ତା' ସହ ।


 ଏଇ ନିଥର ନଦୀ ସହ ଗୋଟେ ଭିନ୍ନ ଭାବ ଯୋଡ଼ା ପରୀ ଆଉ ତା' ଭିତରେ । ଏଇଠି ହିଁ ଦେଖିଥିଲା ତାକୁ ପରୀ ।

---------------------


-- '' ଏହେ ..ନଦୀ ଏବେ ଉଛୁଳୁଛି ଏମିତି କ'ଣ ଝାଂକୁଛ ପଡିଯିବ ଯଦି ?''


--'' ଭଲ ହେବ ।''


--'' ହେ ....ହେ.... ତୁମେ କୁଆଡେ ଆସିଛ କହିଲ ?''


--'' ପ୍ଲିଜ ମୋତେ କିଛି ପଚାରନି ।''


-- '' ତୁମେଏ ସତରେ କ'ଣ ସବୁ 

କାମ ସାରିଦେଇଛ ଯେ ମରିବାର ଅଧିକାର ପାଇଗଲ ? ମୋର ମଧ୍ୟ ଇଚ୍ଛା ଅଛି କିନ୍ତୁ ସରିନି ମୋ କାମ ସବୁ ।''


--'' ମୋର ଇଚ୍ଛା ନାହିଁ ମରିବାକୁ ବିଲକୁଲ !''


--'' ତେବେ କାହିଁକି ଭୀରୁ ଭଳି ନିଜକୁ ନିଜେ ନିଃଶେଷ କରିବାକୁ ଚାହୁଁଛ ?''


--'' ମୋର ବ୍ୟକ୍ତିଗତ ପ୍ରସଙ୍ଗରେ ଆଉ କାହାରି ହସ୍ତକ୍ଷେପ ଭଲ ଲାଗେନି

 ମୋତେ ।"


--'' ଠିକ ଅଛି , ମୁଁ ପରୀ , ତୁମେ ମୋ ସହ ବନ୍ଧୁତା କରିବ ?''


--'' ନା ସମୟ ନାହିଁ !''


--'' ହଁ କୁହ , ଗୋଟେ ସେକେଣ୍ଡ ଲାଗିବ  

ବାସ ।''


--'' ତୁମେ ଗୋଟେ ବଦ୍ଧ ପାଗଳ ଝିଅ ବୁଝିଲ !"


--'' ଆଛା , ତେବେ ତୁମେ ବନ୍ଧୁ ହେଇଗଲ ମୋର ।''


--'' କେମିତି ?''


--'' ଦୁଇ ପାଗଳ ଭଲ ବନ୍ଧୁ ହେବେନି କି ?''


--'' ମୁଁ ପାଗଳ ନୁହେଁ !''


--'' ସୁସ୍ଥ ମଣିଷ ଏମିତି କରିବାର ନଜିର ନାହିଁ । ଏମିତି ନିଜକୁ ନିଜେ ମାରିବାର ଚିନ୍ତାଧାରା ପାଗଳ ଲୋକ ହିଁ କରେ ।''


--'' ନା ମୁଁ ସେମିତି କିଛି କରିବାକୁ ଚାହୁଁନି , କିନ୍ତୁ ପରିସ୍ଥିତି !''


--'' ଜାଣ , ସଭିଙ୍କର ପରିସ୍ଥିତି ଅଳ୍ପ ବହୁତ ସମସ୍ୟାଜନକ ଥାଏ । ଆମକୁ ଲଢ଼ିବାକୁ ହୁଏ ଅହରହ ।"


--'' ମୁଁ ପାରୁନି ଆଉ , ତୁମେ କିଛି ଜାଣିନ !!''


--'' କୁହ ଶୁଣିବି ମୁଁ , ତେବେ ସିନା ଜାଣିବି । କିଛି ନକହି ଚାଲିଯିବ ଯଦି ତେବେ କେମିତି ଆଉ ଜାଣିବି ଯେ ?''


--'' କିନ୍ତୁ ତୁମେ କିଛି କରିପାରିବ ନାହିଁ ବୁଝିଲ , କାହିଁକି କହିବି । ''


--'' କିଏ ଜାଣେ ଯଦି କିଛି କରିପାରେ !!''


 ବାସ ରହିଯାଇଥିଲା ସେ , କହିବାକୁ ତା' ଭାଗର ଦୁଃଖତକ । ଆଉ ବନ୍ଧା ହେଇଯାଇଥିଲା ପରୀ ସହ ତା ଭାଗ୍ୟ ଡୋର ଅଦୃଶ୍ୟ ସୂତା ଖିଅରେ ।


------------------------


 ଅଂଶୁ କେବେ ବୁଝେଇ ପାରିନଥିଲା ନିଜ ସ୍ତ୍ରୀକୁ । ତା' ନିଜସ୍ୱ ଅସ୍ତିତ୍ବ , କେବଳ ଆଉ କେବଳ ସ୍ତ୍ରୀ ର ଅଧିକୃତ ନୁହେଁ । ଆହୁରି ଗୋଟେ ବିଶାଳ ପୃଥିବୀ ଅଛି । ଯେଉଁଠୁ ସେ ସୃଷ୍ଟି । ବାବା ନାହାଁନ୍ତି ସିନା କିନ୍ତୁ ମା' ଅଛି , ଆଉ ସେ ଲୋଡେ ଅଂଶୁକୁ । ମା' ନିର୍ଭରଶୀଳ , କାରଣ ସେ ସେଇ ଅକ୍ସିଡେଣ୍ଟ ରେ ଆଖି ହରେଇ ଦେଇଛି । ସେଇ ଆକ୍ସିଡେଣ୍ଟ୍ ଯେଉଁଠି ବାବା ଜୀବନ ହାରିଦେଇଥିଲେ । ଅଂଶୁ ସେତେବେଳେ ବାହାରେ ଥିଲା । କିନ୍ତୁ ଏଇ ଦୁର୍ଘଟଣା ପରେ ଓଡିଶା ଫେରିଲା , କେବଳ ମା' ପାଇଁ । ହେଲେ ସ୍ତ୍ରୀ ତା'ର ଏଇ ଅଲୋଡ଼ା ବୋଝକୁ ବୋହିବାକୁ ନାରାଜ । ପୁଅଟେ ନିଜ ପାଖରେ ଅସହାୟ ମା' କୁ ରଖିପାରୁନି କାରଣ ସ୍ତ୍ରୀ ଚାହୁଁନି । ଓଃ ! କେମିତି ସମାଧାନ ହେବ ଏଇ ସମସ୍ୟାର ?


 ନିଜ କ୍ଳୀବତ୍ୱ ପାଇଁ ଅଣନିଶ୍ୱାସୀ ହେଇଯାଉଛି ଅଂଶୁ । ସ୍ତ୍ରୀ ନା ମା' ଦୁଇଟା ଭିତରୁ ଜଣକୁ ବାଛିବା କ'ଣ ସହଜ ?.....


ମା' ର ନିଥର ଆଖି ଭିତରେ ତା' ସାରା ଜୀବନର ଛବି ସାଇତା ହେଇଛି ଭାରି ଯତ୍ନରେ । ସେଇ ଆଖିର ସ୍ୱପ୍ନରେ ସମୃଦ୍ଧ ହେଇଛି ଅଂଶୁର ବର୍ତ୍ତମାନ । ସେଇ ଆଖିରେ ଅଂଶୁ ଦେଖିଛି ଦୁନିଆ । ସେଇ ଦୁଇଟି ଆଜି ଆଲୋକ ବିହୀନ ବୋଲି ମା' କୁ ସେ ଦୁରେଇ ଦେବ । ମା' କୁ ବୋଝ କହିବ !!.....


  ମା' ଶୁଣି ନେଲା ସେଦିନ , ସେ ସିନା ଦେଖିବାର ଶକ୍ତି ହରେଇ ଦେଇଛି କିନ୍ତୁ ଶୁଣିବାର ଶକ୍ତି ଆଜିବି ଅଛି । ଭୁଲି ଯାଇଥିଲା ବୋଧେ ସ୍ତ୍ରୀ ତା'ର !

'' ଦେଖ ବିଦା କରିଦିଅ ବୁଢ଼ୀକୁ ବୃଦ୍ଧାଶ୍ରମ , ନହେଲେ ଛାଡ଼ପତ୍ର ଦେଇଦିଅ ମୋତେ । ଆଉ ସହି ହେଉନି ଏଇ ବାଧ୍ୟତାମୂଳକ ଜୀବନ । ମୋର ମୁକ୍ତି ଲୋଡ଼ା । ''


  ମା' ରାତିରେ ବଡ଼ ଉଦାସ ହେଇ କହିଲା , '' ବାପା ମୋତେ ଛାଡ଼ି ଯିବାର ନଥିଲା ଅଂଶୁ ! ସାଥିରେ ନେଇଯାଇଥିଲେ ଭଲ ହେଇଥାନ୍ତା । ତୁ ମୋତେ ବୃଦ୍ଧାଶ୍ରମରେ ଛାଡି ଦେଇଆ । ତୋର ଘର ସଂସାର ମୋ ଠାରୁ ବେଶି ଜରୁରୀ । ମୁଁ ଏବେ ଗୋଟେ ଅଚଳ ଟଙ୍କା । ସାଇତିବା ଲୋଡ଼ା ନାହିଁ ।"


 ଅଂଶୁ ସହି ପାରିନଥିଲା ମା' ଏଇ କଥା । ଧିକ୍କାର କରୁଥିଲା ନିଜ ନିପାରିଲାପଣକୁ । ଆଉ ଇଚ୍ଛା କରୁଥିଲା ଖୋଜିବାକୁ ଗୋଟେ ମୁକ୍ତିର ବାଟ । ବାସ ଭରା ନଈ ହିଁ ବିକଳ୍ପ ଥିଲା ହୁଏତ । କିନ୍ତୁ ସେତକ ମଧ୍ୟ ପରୀ କରେଇ ଦେଲାନି । ମା' ଲାଗି ଘର ଗୋଟେ ପରୀ ପାଖରେ ଅଛି ବୋଲି ଜଣେଇ ଦେଇ ମୁକ୍ତ କରିଦେଲା ଅଂଶୁକୁ । 


 ମା' କୁ ପରୀ ନିଜ ଅନୁଷ୍ଠାନରେ ସାଇତି ନେଲା । ଅଛି ତା' ପାଖରେ ଗୋଟେ ଅନ୍ଧ , ମୁକ, ବିଧିର ଆଶ୍ରମ , ' ସାହାରା ' । ଜେଜେ ପରିକଳ୍ପନା କରିଥିଲେ ଆଉ ସେ ସାକାର କରିଛି ।


****************


 ' ଭିନ୍ନକ୍ଷମ ହେବା ଏକ ଅଭିଶାପ ', ଏଇ ଧାରଣା ସଭିଙ୍କ ମନରେ। କିନ୍ତୁ 'ସାହାରା' ର ଅନ୍ତେବାସୀ କେବେ ଏତକ ଅନୁଭବ କରନ୍ତି ନାହିଁ । କାରଣ ସେଠି ପ୍ରତ୍ୟେକ ମଣିଷ ଭିତରେ ଥିବା କାର୍ଯ୍ୟଦକ୍ଷତାକୁ ଶିଳ୍ପୀର କୁଶଳୀ ନିହାଣ ମୁନରେ ବେଶ ଯତ୍ନ ସହକାରେ ଖୋଦେଇ କରାଯାଏ ପରିପୂର୍ଣ୍ଣ ବିନିଯୋଗ ପାଇଁ । ହଁ ପରୀ ପାଖରେ ଅଛି ସେଇ ଯାଦୁକାରୀ ଶକ୍ତି । ନିଜର ଧର୍ଯ୍ୟ ଓ ଅଧ୍ୟବସାୟ ସାହାଯ୍ୟରେ ସେ ଅସହାୟ ମଣିଷକୁ ସ୍ୱୟଂଭୁ ସଜେଇ ପାରେ । 


  ମନସ୍ତତ୍ୱ ପଡ଼ିଥିଲା ସେ , ତା' ସବୁଠାରୁ ପସନ୍ଦର ବିଷୟ । ଆଉ ସମୟକ୍ରମେ ସେଇ ଜ୍ଞାନକୁ ବିନିଯୋଗ କଲା ଏଇ ଭିନ୍ନକ୍ଷମ ମଣିଷ ଗୁଡିକର ମନ ପଢିବାରେ । ଏଇ ଉପକ୍ରମରୁ ତା' ଭିତରେ ଶକ୍ତି ସଂଚାର ଆଉ ଆଜିର ଏଇ 'ସହାରା ' । ମଣିଷର ରୁଚିକୁ ପୁଞ୍ଜି କରି କିଛି କରି ଦେଖେଇବାର ଝୁଙ୍କ । 


 ଯାହାକୁ ଯାହା ପସନ୍ଦ , ଯେମିତି ଇଚ୍ଛା ଠିକ ସେମିତି ସୁଯୋଗ ଟିକେ ଜୁଟେଇ ଦିଏ ପରୀ । ଚିତ୍ର ପ୍ରତି ଆତ୍କୃଷ୍ଟ ମୁକ ଝିଅଟିକୁ ରଙ୍ଗ ତୁଳୀ ଧରେଇ ଦିଏ ସେ , ତ ଗୀତ ପାଇଁ ଆଗ୍ରହୀ ଅନ୍ଧ ପୁଅଟିକୁ ବଂଶୀ । ଏଇତକ ତ ଲୋଡ଼ା ଆମର , ଆଉ କ'ଣ !......


 ଦୁଃଖର ବିଷୟ ଏତକ ମିଳେନି ଆମକୁ ସବୁବେଳେ । ପରିପୂର୍ଣ୍ଣ , ସମର୍ଥ , ସ୍ଥିତିବାନ ମଣିଷଟିଏ ମଧ୍ୟ ମନଲାଖି ସୁଯୋଗଟିଏ ପାଇପରେନି । ଗୋଟେ ବାଧ୍ୟ ବାଧକତା ଭିତରେ ଜିଇଁବାକୁ ହୁଏ ଜାକିଜୁକି । ତେଣୁ ଆମକୁ ମିଳେନି ସମ୍ପୂର୍ଣ୍ଣ ସଫଳତା । ଏଇ ପ୍ରାପ୍ତି ଅପ୍ରାପ୍ତି ଭିତରେ ତ୍ରିଶଙ୍କୁ ହେଇ ବିତିଯାଏ ଜୀବନ । 


 ପରୀ କିନ୍ତୁ ଦିଏ ସୁଯୋଗ ଭରପୁର । ଅନ୍ତର ନିହିତ ଗୁଣର ପରିପୂର୍ଣ୍ଣ ପରିପ୍ରକାଶ ପାଇଁ । ତେଣୁ 'ସାହାରା' ରେ ସଭିଏଁ ସକ୍ରିୟ ଆଉ ସଜଳ । ଅଂଶୁର ମା' ମଧ୍ୟ ଏବେ ବେଶ ସୁଖୀ । ବଡ଼ ସୁନ୍ଦର ଗପ ଲେଖୁଛନ୍ତି ଆଣ୍ଟି , ଶିଶୁ ଗପ । ନିଜ ଅନୁଭୂତି ଭିତରୁ ସାଉଁଟି ଆଣି ବାଢି ଦେଉଛନ୍ତି କୁନି କୁନି ପିଲାଙ୍କ ପାଇଁ ଭାରି ସ୍ନେହରେ । ପ୍ଲେ ସ୍କୁଲ ଗୁଡିକ ଖୋଲିଗଲା ପରେ ଏମିତି କୁନି କାହାଣୀର ଆଦର ବହୁତ । 


**************


 ସବୁ ଭଲ ଅଛି ପରୀର ପୃଥିବୀରେ । କିନ୍ତୁ ପାହାଚର ଖସଡ଼ା ଏବେବି ଭୟ ସଞ୍ଚାର କରୁଛି । କାରଣ ସେ ଏକାକୀ । ଏମିତି ଗୋଟେ ଅନୁଷ୍ଠାନ ଚଲଉ ଥିବା ଝିଅଟି ସହ ଜଣେ ସାଧାରଣ ମଣିଷର ଯତିପାତ 

ଅସମ୍ଭବ । ତା'ର ବ୍ୟକ୍ତିଗତ ଜୀବନ ବୋଇଲେ ନାହିଁ କିଛି । ସେ ନିଜେ ହିଁ ଗୋଟେ ଅନୁଷ୍ଠାନ । କେବେ କାହା ଦେହ କଥା ବୁଝିବାକୁ ପଡେ ତ କେବେ କାହା ମନ

 କଥା । କେବେ କାହା ଝିଅ ହେବାକୁ ପଡେ ତ କେବେ ମା' । ଏଇ ସୁନ୍ଦର , ସୁସଙ୍ଗଠିତ ଅନୁଷ୍ଠାନଟି ସବୁବେଳେ ପରୀର ସହଚାର୍ଯ୍ୟ ଲୋଡେ ଏମିତି । ଏଥିରୁ ନିଜକୁ ମୁକୁଳେଇ ଆଉ ଗୋଟେ ନିଜସ୍ୱ ପୃଥିବୀର ପରିକଳ୍ପନା କରାଯାଇ ନପାରେ । କିନ୍ତୁ ଇଚ୍ଛାମାନେ , କ'ଣ ରୁହନ୍ତି ସବୁବେଳେ ଲଗାମ ଲଗେଇ ??............


 ବାନ୍ଧବୀ ଅପୂର୍ବାର ବାହାଘର ଦିନ ସତରେ ପରୀ ଅନୁଭବ କଲା , ସମୟ ଗଡି ଯାଉଛି ।ତାକୁ ମଧ୍ୟ ଜଣେ କେହି ଏମିତି ସାହାରା ଦେବା ଜରୁରୀ , ଆଜିପାଇଁ ନୁହେଁ ଆଗାମୀ ଦିନ ପାଇଁ । ସେଇ ଅବିଶ୍ୱାସୀ ବାର୍ଦ୍ଧକ୍ୟ ପାଇଁ , ଅସହାୟ ଏକାକିତ୍ୱ ପାଇଁ , ନିର୍ଭରଶୀଳ ଶେଷ ସମୟ ପାଇଁ । ଲୋଡ଼ା ଜଣେ ଏକାନ୍ତ ବ୍ୟକ୍ତିଗତ । କିନ୍ତୁ କିଏ , ସେ ମଣିଷ ଯିଏ ଗୋଟେ ଅନୁଷ୍ଠାନ ସହ ଭାଗବତ ସମ୍ପର୍କରେ ଯୋଡିବ ସାତ ଜନ୍ମ ପାଇଁ ??????...........


*****************


  ଅଂଶୁ ମା' ସହ ଲନ୍ ରେ ବସି ଭାବୁଥିଲା ଖୁବ୍ ତଲ୍ଲୀନ ହେଇ । କାଶ ଏଇ ପରୀ ହେଇଥାନ୍ତା ତା' ନିଜର । କେଡେ ସୁଖୀ ହେଇଥାନ୍ତା ଜୀବନ ସତେ !...........


  ମାତ୍ର ଜୀବନ ଏତେ ଭାଗ୍ୟଶାଳୀ ନୁହେଁ ଅଂଶୁର । ତା' ସହ ଛନ୍ଦା ହେଇଛି ଅନ୍ୟ କେହି । ଯେ ମା' କୁ ବୋଝ ଭାବେ , ମୁକ୍ତି ଚାହେଁ , ଦୁରେଇ ଦେବାକୁ ଇଚ୍ଛା କରେ । ହାଏ ରେ ବିଧାତା ! ମା' କୁ କି କେହି ନିଜଠୁ ଦୁରେଇ ପାରେ । କିନ୍ତୁ ବୁଝେନା ସ୍ତ୍ରୀ ଆଉ ବୁଝେଇ ପାରେନା ଅଂଶୁ ନା' ସ୍ତ୍ରୀକୁ ନା' ନିଜକୁ । ଖାଲି ଯାହା ଝୁରି ହୁଏ ମନେ ମନେ ଆଉ ହେଇଯାଏ ତ୍ରିଶଙ୍କୁ । କାଶ ପରୀ ଥାନ୍ତା ଜୀବନରେ ସବୁଦିନ ପାଇଁ । କାଶ ...........


*******************


 ସନ୍ଧ୍ୟାର କୋମଳ ଶୀତଳତା ଛୁଇଁ ଯାଉଥିଲା 'ସାହାରା' ର ଚଳଚଞ୍ଚଳ ପରିବେଶ । ପରୀ ବସିଥିଲା ବେଶ ଅନ୍ୟମନସ୍କ ହେଇ । ହୁଏତ ଭାବୁଛି କିଛି ଗଭୀର ଭାବେ । ଦୂରରୁ ଦେଖୁଥିଲା ଅଂଶୁ ଆଉ ଇଚ୍ଛା କରୁଥିଲା କହିବାକୁ , '' ଜାଣ ପକ୍ଷୀର କିଛି ଦୁଃଖ ନଥାଏ !''..............


  


Rate this content
Log in