Saudamini Tripathy

Others

3  

Saudamini Tripathy

Others

ପିତାଙ୍କ ପୂଜା

ପିତାଙ୍କ ପୂଜା

5 mins
127



ଆମ ଓଡ଼ିଆ ସଂସ୍କୃତିରେ ବାର ମାସରେ ତେର ପର୍ବ l ଓଡିଆ ଘରର ପର୍ବରେ ଭଲ ସୁନ୍ଦର ମନଭରା ସୁସ୍ୱାଦୁ ବ୍ୟଞ୍ଜନ ଯୁକ୍ତ ଖାଦ୍ୟ ପ୍ରସ୍ତୁତ ହୋଇଥାଏ l ଖାଇ ପିଇ ମଉଜ ମଜଲିସରେ ଯଦି ଉପଭୋଗ ନହେଲା ତେବେ ପର୍ବର ମଜା ଆସେନା, ରଜ ପର୍ବ ତା' ମଧ୍ୟରୁ ଅନ୍ୟତମ l ଜ୍ୟେଷ୍ଠ ମାସର ସଂକ୍ରାନ୍ତି ପୂର୍ବ ଦିନ ଠାରୁ ପର ଦିନ ପର୍ଯ୍ୟନ୍ତ ତିନି ଦିନ ଧରି ରଜ ପର୍ବ ପାଳିତ ହୁଏ l ରଜ ପୂର୍ବ ଦିନ ରଜ ପାଇଁ ପ୍ରସ୍ତୁତି ଦିନ, ଯାହା ରଜ ସଜବାଜ ଦିନ କୁହାଯାଏ l ରଜ ପର୍ବ ଅର୍ଥାତ୍ ପୃଥିବୀ ମା ରଜସ୍ଵଳା ହୋଇଥାଆନ୍ତି, ଏହି ତିନି ଦିନ ତେଣୁ ମା' ଜାତିର ଅର୍ଥାତ୍ ଝିଅ ,ବୋହୁ,ଭଉଣୀ, କନିଆ ଆଦି ସ୍ତ୍ରୀ ଜାତିର ଲୋକମାନଙ୍କୁ ବିଶ୍ରାମ ଦିଆଯାଏ, ଏପରିକି ପହିଲି ରଜ ଦିନ ବଡି ଭୋରରୁ ଉଠି ମୁଣ୍ଡ କୁଣ୍ଡାଇ, ଗାଧୋଇ ପାଧୋଇ‌ ସଜବାଜ ହୋଇଥାନ୍ତି, ନୂଆ ବସ୍ତ୍ର ପରିଧାନ କରି ଚନ୍ଦନ କୁଙ୍କୁମ ଟିପା ଲଗାଇ,ଅଳତା ଲଗାଇ ବେଶ ହୋଇଥାନ୍ତି lବାପ ଭାଇ ଆଦି ପୁରୁଷ ଲୋକମାନଙ୍କର ଦ୍ଵାରା  ପ୍ରସ୍ତୁତ ଦୋଳିରେ ଝୁଲି ଝୁଲି ତିନି ଦିନ ଯାକ ମଜାରେ ସମୟ କାଟନ୍ତି l ଘରର ରୋଷେଇ, କାଟିବା ,ବାଟିବା ଆଦି ସବୁ କାମ କରିବା ବନ୍ଦ ରହିଥାଏ ସେମାନଙ୍କ ପାଇଁ l ଘର ଘର ବୁଲି ପୂର୍ବ ଦିନରୁ ପ୍ରସ୍ତୁତ ପୋଡ଼ପିଠା, କାକରା, ଆରିସା ଭୁଜା, ଉଖୁଡା, ଚୁଡ଼ା ଭଜା ଆଦି ବିଭିନ୍ନ ଧରଣର ପ୍ରସ୍ତୁତ ଖାଦ୍ୟ ଖାଇ ବୁଲି ଦୋଳିରେ ଝୁଲି ସମୟ କଟାଇ ଥାଆନ୍ତି l ଏହା ଏକ ପ୍ରକାର ବିଶ୍ରାମ ଓ ମନୋରଞ୍ଜନର ବ୍ୟବସ୍ଥା ସମାଜରେ ସ୍ତ୍ରୀ ଲୋକଙ୍କ ପାଇଁ l ତାସ୍, ଲୁଡୁ , କ୍ୟାରମ,ବାଗୁଡ଼ି, ବୋହୁଚୋରି ଆଦି ବିଭିନ୍ନ ପ୍ରକାର ଖେଳରେ ବ୍ୟବସ୍ଥା ହୋଇଥାଏ l  ଦୋଳି ବିଭିନ୍ନ ପ୍ରକାରର ହୋଇଥାଏ ଯଥା ବରଗଛ ଓହଳରେ ଝୁଲା ,ଚକ୍ରି ଦୋଳି ,ବାଉଁଶ  ଦୋଳି l ଏମିତି ବଡ ବଡ ଝୁଲାରେ ସବୁ ଗାଁ ଝିଅ ବୋହୁ ରଜ ପାନ ଖାଇ ସଜବାଜ ହୋଇ ମଉଜରେ ତିନି ଦିନ ଯାକ ସମୟ କାଟନ୍ତି ଆଉ ଗୀତ ଗାଇ ଝୁଲନ୍ତି,-

        " ଆଜି ତ ପହିଲି ରଜ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ସୁନା ମୁକୁଟ ମୋ ଭାଉଜ ପିନ୍ଧନ୍ତି ପାଟ, ରଜ ଦୋଳି ଖେଳିବା ଆସ ହୋଇ ଆମେ ସଜବାଜ "


         ଏମିତି ରଜ ପର୍ବଟିକୁ ଗାଁର ଝିଅ ବୋହୁ କିବା ଧନୀ କିମ୍ବା ଗରିବ ସମସ୍ତେ ଖୁସିରେ ଉପଭୋଗ କରି ଏକାଠି ଦୋଳିରେ ଝୁଲନ୍ତି l ସେଦିନ କିନ୍ତୁ କିଛି ନିଆରା ହେଲା l ସମସ୍ତେ ରଜ ଦୋଳି ପାଖରେ ଏକାଠି ହୋଇଥିବା ବେଳେ ରଜନୀ ବି ସେଠି ସମସ୍ତଙ୍କ ସାଙ୍ଗରେ ଦୋଳି ଖେଳିବାକୁ ଆସିଥାଏ l ଦୋଳିରେ ଉପରକୁ ପେଙ୍ଗା ମାରି ଉଠିଗଲା, ତଳକୁ ଖସିଲା ବେଳକୁ କ'ଣ ହେଲା କେଜାଣି ତଳେ ମୁହଁ ମାଡି ପଡିଗଲା ଦୋଳିରୁ ଖସି କରି l ସମସ୍ତେ ଯାଇ ତାକୁ ଉଠାଇଲେ l ଦେଖିଲେ ତା'ର ବାମ ହାତରେ ମଣିବନ୍ଧ ପାଖରୁ ହାତଟି ଭାଙ୍ଗି ଯାଇଛି l ତାକୁ ତୁରନ୍ତ ହସ୍ପିଟାଲ୍ ନେଇ ଗଲେ ଗାଁ ଲୋକେ l ହାତ ରେ ପ୍ଳାଷ୍ଟର୍ କରି ଡାକ୍ତର ବାବୁ ଦେଖିଲେ ତାକୁ ଦୁଇ ଦିନ ହସ୍ପିଟାଲରେ  ରହିବାକୁ ପଡିବ l ତା' ବାପା କୋଉଠି ମଦ ପିଇ ପଡିଥିବ lଏଗାର ବର୍ଷର ଝିଅଟି ସେ l ପାଞ୍ଚ ବର୍ଷ ବେଳୁ ମା' ଛେଉଣ୍ଡ l କିଛି ଉପାୟ ନପାଇ ତାକୁ ଡାକ୍ତର ବାବୁଙ୍କୁ କହି ଛାଡି ଦେଇ ଆସିଲେ l ଡାକ୍ତର ବାବୁ ଖୁବ୍ ସୁନ୍ଦର ପିଲାଟିକୁ ସ୍ନେହ ଓ ଭରସା ଦେଇ ବୁଝାଇ ଶୁଝାଇ ଚିକିତ୍ସା କଲେ l ପର ଦିନ ବାପା ମଦ ନିଶା ଛାଡିବା ପରେ ଝିଅକୁ ଖୋଜି ଖୋଜି ହସ୍ପିଟାଲରେ ପହଞ୍ଚିଲା l ସେତେବେଳେକୁ ଝିଅକୁ ଖୋଜି ନ ପାଇବାରୁ ଘରକୁ ଫେରି ଆସିଲା l ଭାବିଲା ଭଲ ହୋଇଛି କେଉଁଆଡ଼େ ଚାଲିଗଲା l ନହେଲେ ମତେ ବାହାଘର କରି ବହୁତ ହଇରାଣ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାନ୍ତା l କୋଉ ପୁଅ ହୋଇଛି ଯେ ମତେ ପୋଷିଥାନ୍ତା ରୋଜଗାର କରି, ମତେ ଖୁଆଇଥାନ୍ତା l ମା' କୁ ପିଲାବେଳୁ ଖାଇଲା, କହୁଥିଲା କ'ଣ ନା ବାପା ମୁଁ ଘର କାମ ନକରି ଆଗକୁ ପାଠ ପଢି କିଛି ଜୀବନରେ କରିବି , ଝିଅ ହୋଇଛି ତ କ'ଣ ହେଲା ମୁଁ ଆଗକୁ ବଢିବି ,କିଛି କରିକି ଦେଖାଇବି, ଛତୁଟା କରିବ ରୋଷେଇ ବାସ ଶିଖ୍ କହିଲେ ରୋଜ୍ ସେଇ ଭାତ,ଡାଲି l କ'ଣ କିଛି କାମ ଆସୁନି, ବହି ବସ୍ତାନି ଧରିକି ବସି ଯାଉଛି, ନା ସ୍କୁଲ୍ ଯିବି l ଚୁଲି ଚାଳ କିଛି ବୁଝୁନି, ଭଲ ହୋଇଛି ମୁଣ୍ଡରୁ ବୋଝ ଗଲା l

              ଦୁଇ ଦିନ ପରେ ଯେତେବେଳେ ସୁସ୍ଥ ହୋଇଗଲା ଡାକ୍ତର ବାବୁ ଆସିଲେ, ରଜନୀ ଖୁବ୍ କାନ୍ଦି କାନ୍ଦି କହିଲା ବାବୁ, ମୁଁ ଘରକୁ ଯିବିନି, ମୋର ମାଆ ନାହିଁ, ମୋ ବାପା ମତେ ବହୁତ ପିଟନ୍ତି ମଦ ପିଇ lଏବେ ମୋ ହାତ ଭାଙ୍ଗି ଯାଇଛି ମତେ କାମ ନକଲେ ମାରି ଦେବ ପିଟି ପିଟି l ତେଣୁ ମତେ କିଛି କାମ ଦିଅନ୍ତୁ ମୁଁ ଏଇଠି କରି ରହିଯିବି l

     

               ଦୀର୍ଘ କୋଡ଼ିଏ ବର୍ଷ ଏହା ମଧ୍ୟରେ ବିତି ଯାଇଛି l ବାପା ମଉଡ ମଣି ବୁଢ଼ା ହେଲେଣି l ମାତ୍ର ଦିନେ ଖୁବ୍ ଅସୁସ୍ଥ ହୋଇ ଯିବାରୁ ଗାଁ ପଡୋଶୀ ହସ୍ପିଟାଲ୍ ରେ ନେଇ ଭର୍ତ୍ତି କରାଇଲେ ଚିକିତ୍ସା ପାଇଁ l ସୁଗାର୍ ବଢି ଲିଭର୍ ଖରାପ l ବହୁ ରୋଗର ଚିକିତ୍ସା ପାଇଁ ହସ୍ପିଟାଲରେ କିଛି ଦିନ ରହି ଚିକିତ୍ସା ହେଲେ lସୁସ୍ଥ ହେବାକୁ ଲାଗିଲେଣି l ହେଲେ ଦୃଷ୍ଟିଶକ୍ତି କମଜୋର ପାଇଁ କିଛି ଦେଖିପାରୁ ନଥାନ୍ତି l ଡାକ୍ତର ବାବୁ ଦିଲ୍ଲୀରୁ ଚକ୍ଷୁ ବିଶେଷଜ୍ଞ ଡକାଇ ଥାଆନ୍ତି ରୋଗୀ ମାନଙ୍କର ଚିକିତ୍ସା ପାଇଁ l ମଉଡମଣିଙ୍କୁ ବି ନର୍ସ ଚିକିତ୍ସା ପାଇଁ   ଡ଼ାକ୍ତରଙ୍କ ପାଖକୁ ନେଇଗଲେ l ମଉଡମଣି କିଛି ଦେଖିପାରୁ ନଥାନ୍ତି l କିନ୍ତୁ ଆଖିର କିଛି ଅପରେସନ କରାଇ ଯତ୍ନରେ ତାଙ୍କର ଆଖିର ଦୃଷ୍ଟି ଶକ୍ତି ଫେରି ଆସିବ ବୋଲି ଚିକିତ୍ସା ଚାଲିଥାଏ l ଡାକ୍ତର ମହାଶୟା ଏତେ ସୁନ୍ଦର ବ୍ୟବହାର କରୁଥାନ୍ତି ଯେ ମଉଡମଣିଙ୍କୁ ତାଙ୍କ ଝିଅ ରଜନୀ ମନେ ପଡୁଥାଏ ଯାହାକୁ ଗାଁ ଲୋକେ ରଜ ବୋଲି ଡାକନ୍ତି l କାରଣ ସେ ରଜରେ ଜନ୍ମ ହୋଇଥିଲା ବୋଲି l ପରଦିନ ଆଉ ସମ୍ଭାଳି ନପାରି ବାପାଙ୍କ ମୁହଁରୁ ମୋ ଝିଅ ରଜ ବି ଠିକ୍ ତୁମ ଭଳି ମତେ ଭଲପାଏ, ମୋର ସେବା ଶୁଶ୍ରୁଷା କରେ ,ମୋ ଦେହ ଖରାପ ବେଳେ l ମୁଁ ତାକୁ ନିଶାରେ କେତେ ପିଟେ ,କେବେ ବି ରାଗରେ  ପିଟେ ମାରେ, କେତେ ଗାଳି ମନ୍ଦ କରେ, ମାଆକୁ ଖାଇଛୁ, ମତେ ଖାଇବୁ, ପୁଅ ହୋଇନୁ ତୁ ଝିଅ ବୋଝ ହୋଇଛୁ, କୁଳକୁ ବଦନାମ କରିବୁ l ସେ କିନ୍ତୁ ସବୁ ସହି ଯାଏ ମତେ କୋଳେଇ କାଖେଇ ଉଠେଇ ଆଣି ଘରେ ଖୁଆଇ ପିଆଇ ଯତନ ନିଏ l ମୋ ଯୋଗୁଁ କୁଆଡେ ଗଲା କହି କାନ୍ଦି ପକାଇଲେ, ଆଉ ଧୈର୍ଯ୍ୟ ଧରି ପାରିଲା ନାହିଁ ଡାକ୍ତର ରଜନୀ ,ବାପାଙ୍କୁ ଧରି କାନ୍ଦି କାନ୍ଦି କହିଲା ହଁ ବାପା ମୁଁ ତୁମର ସେହି କୁଳାଙ୍ଗିନୀ ଝିଅ ରଜ, ମୁଁ ବିକଳ ହୋଇ କହୁଥିଲି ନା ବାପା ମୁଁ ପାଠ ପଢିବି, ଜୀବନରେ ଆଗକୁ ବଢିବି ,ମତେ ମାରୁଥିଲ,ପିଟୁଥିଲ ନା? ମୋ ମାଆ ଉପରେ ଯେତେବେଳେ ଭିଜା ମାଟି କାନ୍ଥ ପଡିଗଲା, ରକ୍ତାକ୍ତ ହୋଇ ମା' ହସ୍ପିଟାଲ୍ ଗଲା ଆଉ ଠିକ୍ ଚିକିତ୍ସା ନପାଇ ମୋ ମା' ମଲା, ସେତେବେଳରୁ ମୋ ମନରେ ଅଛି ମୁଁ ଡାକ୍ତର ହେବି ଆଉ ଗରିବ ଲୋକଙ୍କର ମୁକ୍ତ ଚିକିତ୍ସା କରିବି ବାପା l ଆଉ ସେ ସୁଯୋଗ ଦେଲେ ମୋ ପାଳିତ ବାପା ଯେ ଏ ହସ୍ପିଟାଲର ବଡ ଡାକ୍ତର, ଯାହାର ଏ ଡାକ୍ତରଖାନା l ମୋ ହାତ ରଜରେ ଭାଙ୍ଗିବା ଦିନ ଠାରୁ ସେ ମତେ ଚିକିତ୍ସା କରି ଝିଅ କରି ନେଇ ପାଠ ପଢାଇ ଡାକ୍ତର କରାଇଲେ l ସେ ନର ରୂପରେ ନାରାୟଣ ବାପା l ତାଙ୍କ ଯୋଗୁଁ ମୁଁ ତୁମର ପୁଅ ନ ହେଲେ ବି ଝିଅ ହୋଇ କିଛି କରି ପାରିବି ବୋଲି କହି କରି ଦେଖାଇଲି l ମୁଁ ଅପଦାର୍ଥ ନୁହେଁ ବାପା, ଝିଅ ବି କିଛି କମ୍ ନୁହଁ l


ନାରୀ ଜାତିକୁ ସମ୍ମାନ ଦେଇ ସମାଜରେ ରଜ ଆଦି ବହୁତ ପର୍ବ ପାଳନ କରାଯାଏ l ରଜ ପର୍ବ ପରଦିନ ଶିଳ,ଶିଳପୁଆ,କତୁରୀ,କଟୁରୀ ଆଦି ହାତ ହତିଆର ଯାହାକୁ ସ୍ତ୍ରୀ ଲୋକମାନେ ତିନିଦିନ ପାଇଁ ନ ଛୁଇଁଥାନ୍ତି ତାକୁ ହଳଦୀ ପାଣିରେ ଧୋଇ ସିନ୍ଦୂର,ଦୁବ,ବରକୋଳି ପତ୍ର,ଅରୁଆ ଚାଉଳରେ ଲକ୍ଷ୍ମୀ ସ୍ଵରୁପ ପୂଜା କରି ନିୟମିତ କାମ ଆରମ୍ଭ କରିଥାନ୍ତି l ଆଉ ଚାଷୀ ଭାଇ ଖୁସିରେ ବିଲକୁ ଯାଇ ବେଉଷଣ କାମ କରିଥାଏ ନୂତନ ଉନ୍ନତମାନର ଫସଲ ଉତ୍ପାଦନ୍ କରିବା ଆଶାରେ l ସ୍ତ୍ରୀ ହିଁ ଲକ୍ଷ୍ମୀ ସ୍ଵରୂପା l ନାରୀ ତୁମେ ନାରାୟଣୀ l ପୃଥିବୀ ମାତା ବି ନାରୀ ରୂପୀ ମାଆ l ତାଙ୍କର ପୂଜା କରି ଏ ରଜପର୍ବ ସମାପନ ହୁଏ l 


Rate this content
Log in