ଜରାଶ୍ରମ
ଜରାଶ୍ରମ
ଦୁଃଖ ଲେଖିବି କି ସୁଖ ଲେଖିବି ବା ଅଙ୍ଗେ ନିଭାଇଛି ତାହା ଲେଖିବି ?
ବୃଦ୍ଧାଶ୍ରମ ବା ଜରାଶ୍ରମ କାହାକୁ ଭଲ ଲାଗେ ? କିଏ ଘର ଛାଡି ଜରାଶ୍ରମ ଖୁସିରେ ଯାଏ ? ବିଶ୍ଵନିୟନ୍ତା ସୃଷ୍ଟିରେ ପିତାମାତା ବୋଲି ଗୋଟିଏ ସୁନ୍ଦର ଯୋଡି ବନାଇଲେ ଅତି ଯତନରେ l ଭରି ଦେଲେ ସ୍ନେହ,ମମତା ପ୍ରେମ, ପ୍ରୀତି, ତ୍ୟାଗ, ଆଦର ,ଯତ୍ନ ଏମିତି ଅନେକ ଭଲ ଗୁଣ ଯାହା ଅପରିମିତ ଅମୂଲ୍ୟ ଓ ଅଦେଖା ଅଜଣା l ଦୁଇଟି ପ୍ରାଣୀର ଭଲ ପାଇବା ଏକ ମନ ଏକ ଆତ୍ମା ଓ ନିର୍ଣ୍ଣୟର ପରିଣାମ ସନ୍ତାନ, ଯାହା ଝାଟିମାଟି ପତର କୁଡିଆକୁ ବି ସ୍ନେହ ଆଦରର ଛାୟାତଳେ ରୂପ ଦିଏ "ପ୍ରେମର ପ୍ରାସାଦ "ବା "ଘର ଏକ ମନ୍ଦିରରେ" । ପ୍ରେମର ମନ୍ଦିରରେ ଅମାପ ସ୍ନେହ ତ୍ୟାଗ ଦୟା ସେବାର ଇଟା ପଥର ସିମେଣ୍ଟ୍ ଯୋଡେଇ ଜାବର ଶକ୍ତ ମହକରେ ନିଦ୍ରା କଷ୍ଟ ପେଟ ସ୍ବାର୍ଥ ଭୁଲି ,ନଖାଇ ନପିଇ ,ବାଇ ଚଢେଇ ଭଳି ସ୍ନେହ ପ୍ରେମ ମୋହରେ ନିର୍ମାଣ କରନ୍ତି କୁଶଳୀ କଳା କୌଶଳରେ । ଯନ୍ତ୍ରୀ ଭଳି ଅହରହ ଲାଗି ନିର୍ଭୟ ଛତ୍ର ତଳେ ଅଭୟ ଢାଙ୍କୁଣୀରେ ଘୋଡାଇ ରଖି ବଡ କରନ୍ତି ଶିଶୁକୁ କୈଶୋରରେ , ପରେ ଯୁବକ ଅବସ୍ଥାରେ l ସେ ପର୍ଯ୍ୟନ୍ତ ଭାବି ନଥାନ୍ତି ଅଦିନ ମେଘର ଭସା ବାଦଲ କଳା ଘୁମୁସୁର ରୂପ ନେଇ କମର ତୋଡ଼ ଜବାବ ଦେବ ଚାପୁଡ଼ାରେ। ସେ ମାଡ ଏତେ ଅସହ୍ୟ ନିଷ୍ଠୁର ନିର୍ଯାତନା ପୂର୍ଣ୍ଣ ଯେ , କରିଦିଏ ବାସହୀନ, ମୁଣ୍ଡ ଉପରୁ ଉଡ଼ିଯାଏ ଛାତ, ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନପାଇ ଫୋପଡ଼ା ହୁଏ ରାସ୍ତା କଡର ନାଳ ପାଖ କଡକ ଧୂପରେ ବା ଅଜଣା ଅଶୁଣା ବାସସ୍ଥଳୀ ଯାହା ଜଣାଯାଏ ଜରା ନିବାସ ରୂପରେ ।
ହାୟରେ, ମନେ ପଡିଯାଏ ଗନ୍ଧିଆ ମାଆର ସେହି ପୁରୁଣା ଦିନର କଥା । ଚଳଚ୍ଚିତ୍ର ଭଳି ଅନ୍ତରକୁ କୋରି ବିଦାରି ଯନ୍ତ୍ରଣାଦାୟକ ଦୁଃଖ ରସ ନିଗିଡି ଯାଉଛି ଲୁହ ଆକାରରେ ଗଙ୍ଗା ଯମୁନା ଧାର ହୋଇ ।
ହାୟରେ ବିଧାତା ଚାଳ ଛପର ନହେଲେ ଗନ୍ଧିଆ ବାପାକୁ ମୁଁ କେତେ ବକେ l ବର୍ଷା ଆସିଲେ ଚାଳ ସଢି ପାଣି ଗଳିବ , ପିଲାଏ କୋଉଠି ଶୋଇବେ କେମିତି ମୁଣ୍ଡ ଗୁଞ୍ଜିବେ l ହାଟକୁ ଯାଇଥିଲେ ପିଲାଙ୍କ ପାଇଁ ମାଲ ଆଣିବା ଭୁଲିଗଲେ ଚୁଲି ଚାଳ ଏକାଠି କରିଦିଏ ଗର୍ଜନ କରି କମ୍ପାଇ ବକି ଦେଇଯାଏ l ସ୍କୁଲ ପାସ୍ କରି କଲେଜ ଯିବାପାଇଁ ନିଜର ରୋଜଗାରିଆ ଟ୍ରଲି ,ତିନି ଚକିଆ ଗାଡି ଖଣ୍ଡକୁ ବିକି ବ୍ୟବସାୟ ବନ୍ଦକରି ବାପା ଦିନ ମଜୁରି ଖଟି ପଇସା ଯୋଗାଇଲା ପୁଅକୁ ।ପୁଅ ପାଠ ପଢିବ, ବଡ ହାକିମ ହେବ , ଆମ ଦୁଃଖ ଯିବ। ଏକ ବଖରା ଘରେ ମୁଣ୍ଡ ଗେଞ୍ଜି ଦୁଇଟା ଛେଳି ଗୋଟିଏ ଗାଈ, କୁକୁଡା ରଖି ପଇସା ରୋଜଗାର କରି ପିଲାଙ୍କୁ ପଢ଼ାଇଲୁ ବଡ ହେଲେ ଆମକୁ ଦେଖିବାକୁ l ପରୀକ୍ଷା ଦିନ ସକାଳୁ ମନ୍ଦିର ଯାଇ ପୂଜା ମାନସିକ କରି ଆସେ ପିଲା ଭଲ କରି ପରୀକ୍ଷାରେ ଭଲ ଫଳ ଆଣିବାକୁ l ବୁଧେଇ ଓଷା, ଅନନ୍ତ ବ୍ରତ, ଷଠି ଓଷା କରି ନିର୍ଜଳା ଉପବାସ କରେ ପିଲାମାନେ ସୁସ୍ଥ ଦୀର୍ଘଜୀବି ହେବାକୁ l କ୍ଷେତରେ ମରୁଡି ହୋଇ ଦୁଇ ପଇସା ରୋଜଗାର କମ୍ ହେବାରୁ କଣ୍ଟ୍ରୋଲ୍ ଚାଉଳ ଆଣି ନିଜେ ଖାଇ ପିଲାଙ୍କ ହଷ୍ଟେଲ୍ ପଇସା ପଠାଉ ସମୟ ଅନୁସାରେ l କିଛି ପିଲାଙ୍କ ଅସୁବିଧା ନହେଉ ବୋଲି l ଗଣେଶ ପୂଜା , ସରସ୍ଵତୀ ପୂଜା ପାଇଁ ହାଟରେ ବାଡ଼ି ପରିବା ବିକ୍ରି କରି , ନିଜେ ନଖାଇ ପିଲାଙ୍କ ଖର୍ଚ୍ଚ ବାବଦକୁ ପଇସା ପଠାଉ ବଡ ହେଲେ ଚାକିରୀ କଲେ ଆମ ଦୁଃଖ ଯିବ ବୋଲି । ଆମକୁ ଭଲରେ ଦେଖିବେ ପାଖରେ ରଖିବେ, ଚାହୁଁ ଚାହୁଁ ଦୁଃଖର ଦିନ ସରିଯିବ ଦିନ କେଇଟାରେ ଆଖି ପିଛୁଳାକେ l ଜମି ବାଡି ସବୁ କଲେଜ ଫିସ୍ ପାଇଁ ବନ୍ଧା ପକାଇ ପଇସା ପଠାଇଲୁ ,ପୁଅ ରୋଜଗାର କଲେ ମୁକୁଳାଇବା ପାଇଁ l ଏମିତି ବହୁ କଥା କହୁ କହୁ ଭୋ ଭୋ ହୋଇ କାନ୍ଦି ଉଠିଲା ଗନ୍ଧିଆ ମା' ପଡୋଶୀ ଗୌରୀ ମା' ପାଖରେ l ଦୁଇ ଜଣ ପୁଅର ଜନ୍ମଦିନରେ ମନେ ପକାଇ ପୁଅ କାଳେ ଆଜି ଫେରି ଆସିବ ବାଟ ଚାହିଁ ବସି କଥା ହେଉଥାନ୍ତି l
ହଠାତ୍ ଗାଡି ହର୍ଣ୍ଣ୍ ଶବ୍ଦ ଶୁଭିଲା l ଅଲଗା ଖଟରେ ଗନ୍ଧିଆ ବାପା ଶୋଇଛି ମୁହଁକୁ ତଳକୁ ପୋତି l ଲୁହ ଗାମୁଛାରେ ପୋଛି ବାହାରକୁ ଚାହିଁଲା l ଗନ୍ଧମାର୍ଦ୍ଦନ ବାବୁ ଆସିଛନ୍ତି l ପଛରେ ଦୁଇ ଜଣ ଗାର୍ଡ ଚାଲୁଛନ୍ତି ବନ୍ଧୁକ ଧରି l ପାଦରେ ପାଦ ମିଳାଇ l ଆଗରେ ଫୁଲତୋଡ଼ା ଦେଇ ଆଶ୍ରମ ମାଲିକ ସ୍ଵାଗତ କଲେ l ଫୁଲ ବିଞ୍ଚା ହେଉ ଥାଏ ଦୁଇଟି ଝିଅ ଦୁଇ ପଟେ ପ୍ଲେଟ୍ ରେ ଫୁଲ ସଜାଇ ଦୀପ ଜଳାଇ, ପରୀ ଭଳି ସଜ ହୋଇ ଆରତୀ କଲେ l ଗେଟ୍ ଭିତରକୁ ଆସିଲା ପରେ ନୂଆ ହଷ୍ଟେଲ୍ ନିବାସ ନିର୍ମାଣ ହୋଇଥିଲା ଫିତା କାଟି କିଛି ଚେକ୍ ଦେଇ ବାହାରେ ଭାଷଣ ଦେଇ ଗାଡିରେ ବସି ଚାଲି ଗଲେ ଗନ୍ଧମାର୍ଦ୍ଦନ ବାବୁ l ପ୍ରାଇଭେଟ୍ ସେକ୍ରେଟାରୀ ହାତରେ ବାପା ମାଆଙ୍କୁ ଜରା ନିବାସ ପଠାଇ ଶାନ୍ତିରେ ଅଛନ୍ତି ଏୟାର କଣ୍ଡିସନ୍ ରୁମ୍ ରେ ବଡ ପଦବୀରେ ବଡ ଅଧିକାରୀଙ୍କ ପାହ୍ଯାରେ l ପି.ଏ .ମାନେ ପ୍ରାଇଭେଟ୍ ଆସିଷ୍ଟାଣ୍ଟ ଦ୍ଵାରା ବାପା ମା'ଙ୍କୁ ଜରାଶ୍ରମକୁ ପଠାଇ ପଇସା ଭରି ଦିଅନ୍ତି ପ୍ରତି ମାସରେ l ଦିନେ ଦେଖିବାକୁ ଯାଇ ନାହାନ୍ତି କି କୋଉଠି ଅଛନ୍ତି ବୁଝି ନାହାନ୍ତି ନିଜେ l ଭାଷଣ ଶବ୍ଦକୁ ଶୁଣି ଗନ୍ଧିଆ ବାପା ତା' ମା କୁ ଯାଇ କହିଲେ ଆମ ପୁଅ ଗନ୍ଧିଆ ଆସିଛି ମୁଁ ଝରକାରୁ ଦେଖିଛି ଭାଷଣ ସ୍ଵର ବି ଆମ ଗନ୍ଧିଆର l ଶୁଣୁ ଶୁଣୁ ଭଲ କରି l ଜନ୍ମଦିନ ଆଜି ନା ଆସିଛି ଆମ ସଙ୍ଗେ ମିଶିବ ବୋଲି ଦେଖା କରିବାକୁ ଆସିବ , ନେଇଯିବ ଆମକୁ ବୋଧହୁଏ l ଅଫିସ ରେ ଫ୍ରୀ ହେଉ ନାହିଁ ତ କେମିତି ଆଗରୁ ଆସିଥାନ୍ତା l ଚାହିଁ ରହିଲେ ଦୁହେଁ କଥା ହୋଇ ପୁଅର ବାଟକୁ ଅପେକ୍ଷା କରି । ଗନ୍ଧମାର୍ଦ୍ଦନ ବାବୁ ଜାଣି ନାହାଁନ୍ତି ବାପାମାଆ ଏହି ଜରାଶ୍ରମରେ ଅଛନ୍ତି ବୋଲି l ପଚାରିଲେ ବି ନାହିଁ ଟିକେ କାହାରିକୁ l ହଷ୍ଟେଲ ଉଦଘାଟନ ପରେ ଚାଲି ଗଲେ ଗାଡିରେ ବସି l ଚାହିଁ ରହିଥିଲେ ବାପାମାଆ ଦୁହେଁ ଝରକା ଭିତରୁ ଦେଖି l ଲୁହ ପୋଛୁଥାନ୍ତି କାନିରେ ଆଉ ଗାମୁଛାରେ l ଆଶା ତାଙ୍କ ଆଶାରେ ରହିଗଲା l ପୁଅ ପଇସା ଦାନ କଲେ ଜରାଶ୍ରମକୁ ଓ ହଷ୍ଟେଲ କୁ ବଡ଼ଲୋକି ଢଙ୍ଗରେ ଚେକ୍ ରେ l ଜୟକାର ଧ୍ବନିରେ ଷ୍ଟେଜ୍ ଠାରୁ ଗାଡି ପର୍ଯ୍ୟନ୍ତ ଉଛୁଳି ପଡୁଥାଏ । ଆଉ ପେଟ ଭିତରଟା କୋହରେ ଫାଟି ପଡୁଥାଏ ବାପ ମାଆଙ୍କର , କୋହକୁ ଚାପି ରଖୁଥିଲେ ମଧ୍ଯ ଝରକା ଭିତରୁ ଦେଖି ଦୁଇ ହାତ ଟେକି ଆଶୀର୍ବାଦ ଢାଳି ଦେଲେ ଶୁଭକାମନା କରି ଜନ୍ମଦିନରେ ଲୁହ ପୋଛି ପୋଛି ।
