Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Soumya Shubhadarshinee

Others


4  

Soumya Shubhadarshinee

Others


ଫୋନ୍ ନମ୍ବର

ଫୋନ୍ ନମ୍ବର

8 mins 282 8 mins 282


 ବେଳେବେଳେ ଆମେ ଡ଼ିଲିଟ୍ କରିଦେଉ କିଛି ସ୍ମୃତି ଯେମିତି ଅଲୋଡ଼ା ନମ୍ବର । କାମ ସରିଗଲା ପରେ , ନେଣଦେଣ ନାହିଁ ଆଉ ଏଇଆ

ଭାବି । ହେଲେ ସ୍ମୃତିର ନିବୁଜ ସିନ୍ଧୁକ ଭିତରୁ କିଛି କେବେ କ'ଣ ସତରେ ଡିଲିଟ୍ କରିହୁଏ ?


 ହଷ୍ଟେଲର ପୁରୁଣା , ଶିଉଳି ଲଗା ପାଚିରୀ ଉପରୁ ଝାଙ୍କିଲି ପୁଣି ଥରେ ବର୍ଷାରେ । ହଁ , ଏଇ ଘରର ଝରକାରୁ ପରିଷ୍କାର ଦେଖିହୁଏ ହଷ୍ଟେଲ ଭିତର ଆଉ ବର୍ଷା ହେଇଥିଲେ ଆହୁରି ସଫାସଫା ଲାଗେ ସେ ଦୃଶ୍ୟ ।

ଅନେକ ଦିନ ପରେ ଆଜି ଆସିଛି ମୁଁ ସେଇ ସହର । ସେଇ ଘରେ ରହୁଥିବା ୟାଙ୍କର ଜଣେ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ।  


  ବେଏଜ୍ ହଷ୍ଟେଲକୁ ଝିଅ ମାନଙ୍କର ଅବାଧ ଆତଯାତ ଯେତେବେଳେ ସମ୍ଭବ ନୁହେଁ ତେଣୁ ତାଙ୍କଝାଙ୍କ ମଧ୍ୟ ଅସାମାଜିକ । ଶୁଣିଥିଲି ନାନୀଠୁ । ସେଥିପାଇଁ ଭାରି ସତର୍କ ହେଇ ଦେଖେ ମୁଁ କେହି ନଦେଖୁଥିବା ସମୟରେ । ମାନେ ସିଧା ସିଧା ଭାଷାରେ 'ଲୁଚିକି ଦେଖେ ' ।


  ଯଦିଓ ମୁଁ ସେଇ ଝିଅ ବୟସ ପାର ହେଇଗଲିଣି ତଥାପି ଆଜିବି ସହଜ ହେଇପାରିଲି ନାହିଁ , ଝାଙ୍କିଲି ସଭିଙ୍କୁ ବଞ୍ଚେଇ । ହେଲେ ଭାରି ଖୁସି ହେଲି । ଆଜିବି ସେଇ ଦୃଶ୍ୟ ଦେଖିଲି । ସେ ସେମିତି ବସିଥିଲା ପିଣ୍ଡାରେ ଦୁଇ ଗୋଡ଼କୁ ଯୋଡି , ଆଖିରେ ସେମିତି ଚମକ ଥିଲା ଆଉ ଓଠରେ ହସ । 


  ଅବଶ୍ୟ ସେଇଠି ତାକୁ ମୁଁ ଦଶ ବର୍ଷ ତଳେ ଦେଖିଥିଲି । ମୋ ମିଷ୍ଟ୍ର ଯେବେ ସେଇ ହଷ୍ଟେଲରେ ସୁପ୍ରିଟେଣ୍ଡେଣ୍ଡ ଥିଲେ , ମୁଁ ଯେବେ ସେଇଠି କ୍ୟାମ୍ପସରେ ରହୁଥିଲି । ସେବେ ଦେଖିଥିଲି ଆଉ ଆଜି ପୁଣି ।


 ସତରେ ସେ ନଥିଲା , ଏବେ କୁଆଡେ ଅଛି ମୁଁ ଜାଣିନି , ବିଗତ ଦଶ ବର୍ଷ ହେଲା ଦେଖିନି ତାକୁ । ରହୁନି ମୁଁ ଆଉ ଏଇ ସହରରେ । କିନ୍ତୁ ଆଜି ଲାଗିଲା ସେ ସେଇଠି ବସିଛି । ସେମିତି ସେଇ ସ୍ଥିତିରେ । ମୋ ଆଖିର ସହରରେ ସାଇତା ହେଇ ।


 ମେଞ୍ଚେ ଫୁଲ ଆଣିଥିଲା ସେ , ବଣୁଆ ଫୁଲ ହଳଦୀ ରଙ୍ଗର । ପେନ୍ଥା ପେନ୍ଥା ଫୁଲ ଭିତରୁ ଗୋଟେ ସତେଜ ସୁଗନ୍ଧ ଆସୁଥିଲା । ମୁଁ ହୋଲି ଦିନ ଛୁଆଙ୍କୁ ଡାକିଥିଲି । ଘରେ ଛୋଟ କାଟିଆ ଘୋ ଘା ପାଇଁ । ୟାଙ୍କୁ ଭଲ ଲାଗେ କୋଳାହଳ । 


 ଚାରୋଟି ପିଲା ଆସିଥିଲେ , ଆଉ ସେ ବି ସେଇଦିନ ଆସିଥିଲା । ତା' ହାତରେ ଥିବା ଫୁଲ ମେଞ୍ଚାକ ମୋତେ ଦେଇ କହିଲା ,'' ହୋଲିର ଶୁଭେଚ୍ଛା ମ୍ୟାମ୍ ।" 


 ମୁଁ ହସିଲି ଆଉ ଚାଲିଗଲି , କିନ୍ତୁ ତା ପ୍ରତି ସେଦିନହିଁ ଭିନ୍ନ ଅନୁଭବଟେ ସାଇତି ନେଲି । ବଣୁଆ ହେଉ ପଛେ ଫୁଲଟିଏ ଉପହାର ଭାବେ ସେହିଁ ଦେଇଥିଲା ମୋତେ ପ୍ରଥମ ଥର ।


  ଝିଅକୁ କେହି ଫୁଲ ତୋଡା ଦେବା ମୋ ପରିବାର ପାଇଁ ଗ୍ରହଣୀୟ ନଥିଲା କି ସ୍ତ୍ରୀକୁ ଫୁଲ ତୋଡା ଦେଉଥିବା ସ୍ୱାମୀଙ୍କ ସଂକ୍ରାନ୍ତରେ ମୁଁ ଜାଣି ନଥିଲି ।


  ପିଲାଏ ହୋଲି ଖେଳିଲେ ଆଉ ମିଠା ଖାଇଲେ । ତା' ପରେ ଫେରିଗଲେ । ସେ କିନ୍ତୁ ଗଲାନି , ରହିଲା ଢେର ବେଳେ ଯାଏଁ । ପୁଅ ସହ ଖେଳିଲା , ମୋ ସହ କଥା ହେଲା ଆଉ ଲଞ୍ଚ କଲା । ଯିବା ବେଳକୁ ସନ୍ଧ୍ୟା । ଭଲ ଲାଗିଲା ତା' ନୀରିହ ପଣ । 


  ଫୋନ୍ କରୁଥିଲା ବେଳଅବେଳରେ । ଭଲ ମନ୍ଦ , ସୁବିଧା ଅସୁବିଧା କହୁଥିଲା । କାହିଁକି କେଜାଣି ବଡ଼ ନିଜପଣ ଥିଲା ତା' ଭିତରେ । ସମ୍ବଲପୁରର ପିଲାଟି ବଡ଼ ସରଳ ଆଉ ଭାରି ନୀରିହ ଥିଲା । ସେଥିପାଇଁ ବୋଧେ ଅବିଶ୍ୱାସୀ ପୃଥିବୀରେ ବିଶ୍ୱାସ ଖୋଜୁଥିଲା ମୋ ପାଖରେ । 


 ଅନେକ ଥର ଆସୁଥିଲା ସେ , କେବେ ପାଠ ପାଇଁ ତ' କେବେ ପେଟ ପାଇଁ । ହଁ ହଷ୍ଟେଲ ଖାଇବା ରୁଚୁ ନଥିଲା ତାକୁ , କହୁଥିଲା ସେ । ତେଣୁ ବର୍ଷା ସନ୍ଧ୍ୟାରେ ପକୁଡି ଖାଇବାକୁ ଆସୁଥିଲା ନହେଲେ ରବିବାର ଚିକେନ୍ ଖାଇବାକୁ  । ଫୋନ୍ କରି କହୁଥିଲା , 

'' ମ୍ୟାମ୍ ଆଜି କ'ଣ କରିଛନ୍ତି ?'' ମୁଁ ହସୁଥିଲି ଆଉ କହୁଥିଲି , '' ଆରେ ଆସୁନ ଦେଖିବ କଣ ରୋଷେଇ 

ହେଇଛି ।''


 ମୋ ମିଷ୍ଟ୍ର ପିଲାଙ୍କୁ ଭାରି ଭଲ ପାଉଥିଲେ ଆଉ ଭଲ ପଢ଼ୁଥିବା ପିଲାଏ ତାଙ୍କର ଗଣ୍ଠିଧନ ଥିଲେ । ତେଣୁ ଶୁଭୁର ଆତଜାତର କେବେ ପ୍ରତିରୋଧ କରୁନଥିଲେ । ସେ ବେଷ୍ଟ ଷ୍ଟୁଡେଣ୍ଟ ଥିଲା ।


 ଏମିତି ଆସୁଥିବା ଯାଉଥିବା ଭିତରେ ସେ କେବେ ମୋର ନିକଟବର୍ତ୍ତୀ ହେଇଗଲା ମୁଁ ଜାଣିନଥିଲି । ସେବେ ଜାଣିଲି ମୁଁ ଯେବେ ସେ ଚାଲିଗଲା ଖରା ଛୁଟିରେ । 


 ମୁଁ ତାକୁ ଝୁରୁଥିଲି ଏବେ । ଫୋନ୍ କରୁଥିଲି ତାକୁ '' ଶୁଭୁ ତୁମେ କେବେ ଆସିବ ?''


--'' ମ୍ୟାମ୍ ଖୁବ୍ ଶୀଘ୍ର !''


 ଶୁଭ୍ରାଂଶୁ ନାଁ ତା'ର ଆଉ ଡାକ ନାଁ ବାବୁ , ମୁଁ କିନ୍ତୁ ଡାକୁଥିଲି 'ଶୁଭୁ ' । କାହିଁକି ଜାଣିନି ମୋତେ ଭଲ ଲାଗୁଥିଲା ସେ ଡାକ । ସେ ଶିଘ୍ର କହୁଥିଲା ସିନା କିନ୍ତୁ ଖରା ଛୁଟି ତା' ହିସାବରେ ସରେ !


 ମୁଁ ସୁଖୀ ମଣିଷଟେ , ଭଲ ସ୍ୱାମୀ 

ମୋର , ଗେଲ୍ହା ପୁଅ ଆଉ ଶାଶୁଙ୍କୁ ନେଇ ମୋ ଘର । ସଭିଏଁ ଭାରି ଭଲ ପାଆନ୍ତି ମୋତେ । ଅଭାବବୋଧ ନାହିଁ କେଉଁଠି । ଅଵଶ୍ୟକତାଠୁ ଅଧିକ ମିଳିଛି ମୋତେ । କିନ୍ତୁ ତଥାପି ମୁଁ ତାକୁ ଝୁରୁଥିଲି କାହିଁକି ?


 ସେ ଛୋଟ ପିଲାଟିଏ ମୋଠୁ ଦଶ ବର୍ଷ ସାନ । ପାଠ ପଢୁଛି ମୋ ସ୍ୱାମୀଙ୍କ ପାଖରେ । ଆଉ ବର୍ଷୁଟିଏ ପାଇଁ ହିଁ ଆସିଛି । ସବୁ ଜଣା ମୋତେ କିନ୍ତୁ ତଥାପି ତା' ପାଇଁ ଝୁରାପଣ ବଡ଼ ବିଚିତ୍ର । ହେଲେ ସତ ଏଇତକ ମୁଁ ବହୁତ ଝୁରିଲି ତାକୁ । 


 ଏଇ ଦିନ ଗୁଡିକରେ ଭାବିଲି ବହୁତ , ତା' ଅନୁପସ୍ଥିତି ଏତେ ବ୍ୟତିବ୍ୟସ୍ତ କରୁଛି କାହିଁକି ଯେ ?


 ଯେବେ ଆସେ ସେ ଆଣେ ଜିଲିପି , ମୋତେ ଯେଉଁଟା ଭାରି ଭଲ ଲାଗେ । ଖୋଜି ଖୋଜି ଆଣେ କଖାରୁ ଫୁଲ କେଜାଣି କେଉଁ ମାର୍କେଟରୁ । ୟାଙ୍କୁ ଭଲ ଲାଗେନି ଜମା ଦୁଇଟା ଯାକ ଜିନିଷ । ବାହାଘର ବାଦେ ମୁଁ ଭୁଲି ଯାଇଥିଲି ଏଇ ଦୁଇଟିର ସ୍ୱାଦ । ସେ ଆସି ସତେଜ କରିଦେଲା । 


 ବାଛି ବାଛି କମିକ୍ସ ଆଣେ ପୁଅ ପାଇଁ । କାର୍ଟୁନ ଫିଲ୍ମ ସିଡ଼ି ଦେଖାଏ କମ୍ପ୍ୟୁଟରରେ । ଖେଳେ ଖୁବ ଆଉ ପାର୍କ ମଧ୍ୟ ନେଇଯାଏ । ପୁଅବି ଖୋଜେ ତାକୁ ବହୁତ । 


 ବୋଉଙ୍କ ଲାଗି ପାନ , କେତକୀ ଚୂନ , ପାନବାହାର ମସଲା ଆଣେ ତାଙ୍କ ମନ ବୁଝି ।


 ମୁଁ ବିଗିଡିଲେ କୁହେ , "ମ୍ୟାମ୍ ମୁଁ ଷ୍ଟାଇପେଣ୍ଡ ପାଉଛି ପା ' କଣ କରିବି ପଇସା ? ଆପଣ ମୋତେ କେତେ ଟେଷ୍ଟି ଚିକେନ୍ ଖୁଏଇବେ ଏଇନେ । ସେଇ ଲୋଭରେ ପା' ସବୁ ! "ମୁଁ କିଛି ଆଉ କୁହେନି ,ଚିଲ୍ଲି ଚିକେନ୍ ବନାଏ ମନ ଦେଇ । ସେ ଭାରି ଖୁସିରେ ଖାଏ ଆଉ ମୋ ପେଟ ଭରିଯାଏ । 


 ସେଇ ନିରୋଳା ଭାବ ଟିକକ ହଜି ଯାଇଛିତ ସେଥିପାଇଁ ବୋଧେ ଖୋଜୁଛି ମୋ ଆଖି । ସେଇ ଜିଲିପିକୁ ବୋଧେ ଅପେକ୍ଷା କରିଛି ମୋ ମନ । କିନ୍ତୁ ଏସବୁ କ'ଣ ପର୍ଯ୍ୟାପ୍ତ ମନର ଖୁଜୁବୁଜୁ ପାଇଁ , ନା' ଆଉ କିଛି ଅଧିକ ହଲଚଲ କରିଛି ସେ ?......


 ଏବେ ମୋତେ ମୋ ନିଜ ମନ ଅବୁଝା ଲାଗୁଚି । ମୁଁ ଯେମିତି ନିଜକୁହିଁ ଚିହ୍ନି ପାରୁନି । ବୁଝେଇ ପାରୁନି ନିଜକୁ ଟିକିଏବି , ଶୁଭୁ କେବଳ ସୁଦୂର ମୋଚିବାହାଲରୁ ପାଠ ପଢିବାକୁ ଆସିଥିବା ପିଲାଟିଏ । ମୋର କେହି ନୁହେଁ , କେବେ ନଥିଲା କି ହେବାର ନାହିଁ । ଅତି ବେଶିରେ ଆଉ ଚାରି ମାସ ରହିବ ଏଇଠି ଆଉ ପରେ ହଜିଯିବ । 

  ମରୀଚିକା ପାଇଁ ଏମିତି ପ୍ରବଳ ଆକର୍ଷଣ ମଣିଷ ମନରେ ସବୁବେଳେ !.....


 ସେଦିନ ମନେ ପଡିଗଲେ ଆଖି ଲୁହରେ ଭରେ ମୋର । ଛୁଟି ପରେ ଫେରିଥାଏ ସେ , ପୁଳେ ଜିନିଷ ନେଇ । ଗାଁ ରୁ ସରସରିଆ ( ଗୋଟେ ବିଶେଷ ମିଠା ) , କେନ୍ଦୁ , ଜିଲିପି , ଚୁଡ଼ା ମୁଆଁ , ନଡ଼ିଆ , ମାଣ୍ଡିଆ ଆହୁରି ଅନେକ । ସବୁ କୁଆଡେ ମୁଁ ଖାଇବି, ଧେତ୍ ପାଗଳା ! 


 ମୋ ଲାଗି ଏତେ ଶ୍ରଦ୍ଧା ହୁଏତ ପ୍ରଥମଥର କେହି ଦେଖଉଥିଲା । ମୋ ପରିବାର ସହରରେ । ଏଠି କିଏ ଘରକୁ ଆସିଲେ ମିଠା ଟିକେ ଆଣେ କେବଳ ତା' ପୁଣି ମାପିଚୁପି । ମୋ ନିଜ ଘରୁ କେବଳ ଏମିତି ଜିନିଷ ଆସେ ବର୍ଷକୁ ଥରେ ଅଧେ । ଖାସ କରି ରଜ ସାବିତ୍ରୀରେ । ନହେଲେ ଗାଁରୁ ନନା ବହୁତ କମ ଆସନ୍ତି , ତାଙ୍କ ନିଜ ବ୍ୟସ୍ତତା ଭିତରୁ ସମୟ କାଢି । ଭାଇ ଆସିପାରେନା କାରଣ ସେ ବିଦେଶରେ , ବଡ଼ ଆଇ .ଟି କମ୍ପାନିରେ ଚାକିରୀ କରି ବ୍ୟସ୍ତ । ସେ ଆସିଲେ ଅବଶ୍ୟ ଉପହାର ଦିଏ କିନ୍ତୁ ସେଥିରେ ଥାଏ ବିଦେଶୀ ଚକଲେଟ , ଆଧୁନିକ ବେଶ ପୋଷାକ , ଉତ୍କୃଷ୍ଟ ଚମଡା ବ୍ୟାଗ , ଜାତିଜାତିକା ଘର ସଜା ସାଜ ସରଞ୍ଜାମ । ସେଥିରେ ଆତ୍ମୀୟତା ଥାଏ ସତ କିନ୍ତୁ ଗାଁ ମାଟିର ଛୁଆଁ ନଥାଏ । 


 ଶୁଭୁ କିନ୍ତୁ ଯାହା ଆଣିଥିଲା ସେଇତକ ସତରେ ନିଜର ନିଜର ଲାଗିଲା ବହୁତ । ଆଖି ମୋର ଭରିଗଲା । ଏତିକି ବେଳକୁ ପାଗଳା କହିଲା , '' ମ୍ୟାମ୍ ମୁଁ ବହୁତ ମନେ ପକେଇଲି ସଭିଙ୍କୁ ଆଉ ସବୁଠୁ ବେଶି ଆପଣଙ୍କୁ।" 


 ମୁଁ କିନ୍ତୁ କିଛି କହିଲି ନାହିଁ , କହିପାରିଲି ନାହିଁ ମୁଁ ବି ଝୁରିଲିରେ ତୋତେ । କହି ପାରିଲିନି ମୁଁ ବି ଅପେକ୍ଷା କରୁଥିଲି । କାହିଁକି କେଜାଣି ଓଠ ସିଲେଇ କରିଦେଲା କେହି ଯେମିତି । ବହୁତ ଚେଷ୍ଟା ପରେ ମଧ୍ୟ କେବଳ ନିରବ ରହିଲି ଆଉ କାହିଁକି କେଜାଣି କାନ୍ଦିଲି ବହୁତ କାନ୍ଦିଲି । ଏଇ ଏବେବି ଆଖିରେ ଲୁହ ଆସିଗଲାଣି ମୋର । 


 କହି ହୁଏନି କାହିଁକି କେବେ ମନ କଥା ? କାହିଁକି ବନ୍ଧା ହୁଏ ମନ ସମାଜିକ ବନ୍ଧନରେ ? ମୋର କେବଳ ଏତିକିହିଁ କହିବାର ଥିଲା ଯେ , '' ମୁଁ ଝୁରିଲିରେ ତତେ ଶୁଭୁ । ବହୁତ ଖୋଜିଲି ତୋ ଜିଲିପି , ତୋ ହସ , ତୋ କଥା , ତୋ ପାଖରେ ମୋ ଲାଗି ନିରୋଳା 

ଆବେଗ ।''


  କିନ୍ତୁ କହିଲିନି , କାରଣ କହିବା ଉଚିତ ନୁହେଁ । ମୋ ସାମାଜିକ ପରିଚିତି ଏମିତି କଲେଜ ପଢୁଆ ୟଙ୍ଗ ପିଲାକୁ ଝୁରିବାକୁ ମନା କରିଛି । ମନରେ ତା' ଲାଗି ଗୋଟେ କୋମଳ ଭାବକୁ କୁଆଁ ମେଲିବାକୁ ପ୍ରତିରୋଧ କରିଛି । ଧେତ୍ !..........


 ଏଇ ପ୍ରଥମ ଥର ମୋତେ ଅସମାଜିକ ହେବାକୁ ଇଚ୍ଛା ହେଲା । ମନ ହେଲା କହିବି, '' ଶୁଭୁ , ଚାଲ ଯିବା ତୋ ଗାଁ । ମୁଁ ସେଇଠି ନଈ କୂଳରେ ବିଶି ପବନ ଖାଇବି । ବଣରେ ଯାଇ ଗଛରୁ କେନ୍ଦୁ ତୋଳିବି । ବହୁତ ବୁଲିବି ତୋ ସହ ଆଉ ତୋ ପାଖରେ ରହିଯିବି । ଝୁରିବି ନାହିଁ ଆଉ କେବେ । ସଭିଙ୍କୁ ନେଇ ଯିବି ତୋ ସହ । ପୁଅ ମୋର ଖେଳିବ ତୋ ଗାଁ ଦାଣ୍ଡରେ । ଶାଶୁ ତୋ ଜେଜୀ ସହ ସଙ୍ଗାତ ବସିବେ । ଆଉ ସାର୍ ସେଇଠି ଖୋଜିନେବେ ଚାକିରୀଟେ । ସବୁ ସେମିତି ରହିବ ଖାଲି ଯାହା ତୁ ସାମିଲ ହେଇଯିବୁ ମୋ ପୃଥିବୀରେ ।''


ଚେନାଏ ନିରୋଳା ଆତ୍ମୀୟତା ମିଳିଯିବ ମୋତେ ତୋ ସଂସର୍ଗରୁ !


 ଶୁଭୁ ସେମିତି ଆସୁଥିଲା ଘରକୁ , ହସ ଖୁସି ଥିଲା ସବୁଠି । ମୁଁ କିନ୍ତୁ ଏବେ ଆହୁରି ଝୁରୁଥିଲି ତାକୁ । ଆଖି ଆଗରେ ସବୁବେଳେ ରହୁ ସେ ଏଇ ଲୋଭ ହେଉଥିଲା । ବେଳ ଅବେଳରେ ମୁଁ ମୋ ରୋଷେଇ ଘର ଝରକାରୁ ଝାଙ୍କୁ ଥିଲି ହଷ୍ଟେଲ ଭିତରକୁ । କେବେ କେମିତି ଖୁବ୍ ସକାଳୁ ଦିଶୁଥିଲା ସେ ଦାଣ୍ଡରେ ବସିଥିବାର । ଗୋଡ଼ ଦୁଇଟି ଯୋଡି , ଆଖିରେ ଅଳସ ପଣ ନେଇ ବା ମୁହଁରେ ହସ ଚେନାଏ ମାଖି । ଧୀରେ ଧୀରେ ଏଇ ଦେଖିବାର ଇଚ୍ଛା ନିତିଦିନିଆ ହେଇଗଲା ମୋ ପାଇଁ । କେହି କିନ୍ତୁ କେବେ ଜାଣୁନଥିଲେ ମୋର ମନୋଦଶା ।


 ଏମିତି ଗତାନୁଗତିକତା ଭିତରେ ସରିଗଲା ତା' ପାଠ ପଢା । ଯିବାକୁ ବାହାରିଲା ସେ ପୁଣି ତା' ଘରକୁ । ଯିବା ଦିନ ଆସିଥିଲା ମୋ ସହ ଦେଖା କରିବାକୁ । ମୁଁ କିନ୍ତୁ ଦେଖା ଦେଲିନାହିଁ । ଭିତର ଘରେ ଚଦର ଘୋଡ଼ି ହେଇ ଶୋଇକି ରହିଲି । ଏ ଯେତେ ଡାକିଲେ ଶୁଣିଲି ନାହିଁ । ଶୁଭୁ ଫେରିଗଲା , ଆଉ ମୁଁ ସରିଗଲି । 


 ଜାଣିନି କେମିତି ଗୋଟେ ଅଭାଵ ରହିଗଲା ଛାତି ତଳେ । ଆଉ ସେଇତକ ଅସୁସ୍ଥତା ଭରିଲା । ମୋ ଦେହ ସତରେ ଅସୁସ୍ଥ ହେଲା , ମୁଁ ବହୁତ ଝୁରିଲି ତାକୁ । ଫୋନ୍ କଲିନି , କଥା ହେଲିନି । କିନ୍ତୁ ସବୁଦିନ ସେଇ ନମ୍ବର ଉପରେ ଆଖି ପହଁରେଇ ଦୁଃଖି ହେଉଥିଲି । ସେଇଟି ମୋତେ ବହୁତ ଯନ୍ତ୍ରଣା ଦେଉଥିଲା । ଯେମିତି ମୋ ଶତ୍ରୁ , ଭୟ ଲାଗୁଥିଲା କାଳେ କହିଦେବି , '' ଶୁଭୁ ମୁଁ ଝୁରୁଛିରେ ତୋତେ ।''  


 ଅମର୍ଯ୍ୟାଦା ହେବ ଆମ ପରିଚୟର । ପ୍ରଶ୍ନ ଉଠିବ ମୋ ଚରିତ୍ରଉପରେ । ଝଡ଼ ଉଠିବ ମୋ ବ୍ୟବସ୍ଥିତ ଜୀବନରେ । କାରଣ ସେ ମୋତେ କେବଳ ସମ୍ମାନ କରିଛି । ମୁଁ କେବଳ ତା' ଲାଗି ଜଣେ ଶ୍ରଦ୍ଧେୟ ନିଜ ଲୋକ । ଯେ ତାକୁ ଭାରି ଶ୍ରଦ୍ଧା କରନ୍ତି , ଭଲ ମନ୍ଦ ବୁଝନ୍ତି । କିନ୍ତୁ ଝୁରନ୍ତି ନାହିଁ । ଝୁରାପଣ ସମ୍ପର୍କର ପରିଭାଷା ବଦଳେଇ ଦିଏ !



 ସେଦିନ ଏମିତି ବର୍ଷଣ ମୁଖର ଦିନରେ ସେ ଆସିଥିଲା ତା' ମାର୍କ ସିଟ୍ ନେବାକୁ । ଶାଶୁଙ୍କ ସହ ପୁଅ ନଣନ୍ଦଙ୍କ ଘରକୁ ଯାଇଥିଲା ଆଉ ଏ କଲେଜ । ମୁଁ ଏକାକୀ ବସିଥିଲି ଶୁନ୍ୟ ଦୃଷ୍ଟି ନେଇ । ହୁଏତ ଅନ୍ୟମନସ୍କ ଥିବି , ଦରଜା ବନ୍ଦ କରିବାକୁ ଭୁଲି ଯାଇଥିବି । ସେ ଖୋଲା ଦରଜା ଦେଇ ଘରକୁ ଆସି ମୋତେ କୁଣ୍ଢେଇ ପକେଇଲା ଆଉ କହିଲା,

 '' ମ୍ୟାମ୍ ମୁଁ ଆପଣଙ୍କୁ ଛାଡି ଜମା ରହିପାରିବିନି । ମୋତେ ଏଇଠି ରଖି ଦିଅନ୍ତୁ । ''


  ତା' ସ୍ପର୍ଶରେ ମୁଁ ଅପ୍ରସ୍ତୁତ ହେଇଗଲି । ତାକୁ ଏମିତି ଆଶା କରୁନଥିଲି । ବାହାରର ବର୍ଷା ବୋଧେ ତା' ଚେତନାକୁ ଆନ୍ଦୋଳିତ କରିଦେଇଥିଲା । ଆଜିଯାଏଁ ମୁଁ ତା' ପ୍ରତି ଆସକ୍ତ ଥିଲି । କିନ୍ତୁ ଆଜି ସେ ଯେଉଁ ଉପକ୍ରମ କଲା ମୁଁ ସଚେତନ ହେଇଗଲି । ମୋତେ ଖୁବ୍ ଦୋଷୀ ଦୋଷୀ ଲାଗିଲା । ମୁଁ ତାଠୁ ନିଜକୁ ତଡିତ ବେଗରେ ଛଡେଇ ନେଇ ସେଠୁ ଚାଲିଗଲି । 


 ସେ ମୋ ପଛେ ପଛେ ଆସିଲା , ଆଉ ରୋଷେଇ ଘରେ ମୋ ପାଦ ଧରି କାନ୍ଦିଲା ବହୁତ । ତା' କାନ୍ଦୁରା ମୁହଁରେ ମୁଁ ନିଜର ପ୍ରତିଛବି ଦେଖିଲି । ମୁଁ ବି ଠିକ ଏମିତି କାନ୍ଦୁଛି କିନ୍ତୁ ଭିତରେ ଭିତରେ । ମୋତେ ଭୟଙ୍କର ଭାବରେ ଯନ୍ତ୍ରଣା ହେଉଥିଲା ,ଛାତି ଫାଟି ଯାଉଥିଲା । କାରଣ ମୁଁ ବୁଝିଗଲି , ମୋର ମନୋଭାବ ଗୋଟେ କୋମଳ ପିଲାର ମାନସିକତାକୁ କେମିତି କଳୁଷିତ କରିଦେଇଛି । 


  ମୁଁ ହିଁ ଦୋଷୀ ଏଇ କାଣ୍ଡର , କାରଣ ମୋ ଭାବନା ଏଇ ଇଥର୍ ଭିତରେ ପ୍ରସାରିତ ହେଇ ଶୁଭୁକୁ ଏମିତି ଛୁଇଁ ଯାଇଛି ଯେ ତା' ଅପରିପକ୍ୱ ବୟସ ତାକୁ ତୀବ୍ର ଆଲୋଡନ ଭିତରେ ବନ୍ଦୀ କରିଛି । ହେ ପ୍ରଭୁ ଶୁଭୁ ମୋ ପାଇଁ ନଷ୍ଟ ହେଇଯାଇଛି କି ?....... 


  ମୋ ହୃଦସ୍ପନ୍ଦନ ଦ୍ରୁତରୁ ଦ୍ରୁତତର ହେବାକୁ ଲାଗିଲା । ମୁଁ ନିଜର ସମସ୍ତ ଶକ୍ତି ପ୍ରୟୋଗ କରି କହିଲି , '' ଶୁଭୁ ଯାଅ ଫେରିଯାଅ ବର୍ଷା ଛାଡ଼ିଗଲାଣି । ପାଠ ପଢ଼ ଆଉ ନିଜକୁ ପ୍ରତିପାଦିତ କର । ଆଜିର ଘଟଣା ଭୁଲି ଯାଅ । ତୁମେ ଆସିନ ଏଠିକୁ କି ମୁଁ ଭେଟିନି ତୁମ ସହ । ତୁମେ ଶୁଭୁ କେବଳ ଶୁଭୁ । ମୁଁ ତୁମକୁ ହରେଇବାକୁ ଚାହେଁନା ।''


 ଶୁଭୁ ନିଃଶବ୍ଦରେ ଚାଲିଗଲା । ଆଉ କେବେ ନଫେରିବାର ପ୍ରତିଶୃତି ଦେଇଗଲା । ମୁଁ ମୋ ଭିତରର ଭୟଙ୍କର କୋଳାହଳକୁ ଦବେଇ ଦେବାପାଇଁ କିଛି ଗୋଟେ କରିବାକୁ ବ୍ୟାକୁଳ ହେଉଥିଲି । କିଛି ଗୋଟେ ଭାଙ୍ଗିରୁଚି ଦେବାକୁ ମନ ହେଉଥିଲା । ମୁଁ ଚିତ୍କାର କରି କାନ୍ଦିଲି । ମୋ ଭୋ ଭୋ କାନ୍ଦ ଶୁନ୍ୟ ଘରର କାନ୍ଥରେ ପିଟି ହେଇ ମୋ ପାଖକୁ ଫେରି ଆସିଲା । ଆଉ ମୁଁ ମୋ ଫୋନ୍ ରୁ ତା' ନମ୍ବର ଡିଲିଟ୍ କରିଦେଲି । 


  


Rate this content
Log in