Sudeshna Pradhan

Others

5  

Sudeshna Pradhan

Others

ପାଉଁଶ ତଳର ସ୍ବପ୍ନ

ପାଉଁଶ ତଳର ସ୍ବପ୍ନ

6 mins
714



ଏ ଦୁନିଆ ଦୁଇଟି ନିଆଁ ରେ ଗଢ଼ା, ଗୋଟିଏ ଜନ୍ମ ବେଳର ଏନ୍ତୁଡ଼ି ନିଆଁ ଆଉ ଗୋଟେ ଶେଷ କାଳର ନିଆଁ | ଆଉ ଏ ଦୁଇଟି ନିଆଁ ଭିତରେ ମଣିଷର କେତେ ସ୍ବପ୍ନ, କେତେ ଆଶା ନେଇ ଗଢ଼ା ଛୋଟିଆ ସଂସାର | ଏମିତି ଏକ ଛୋଟ ଖୁସିର ସଂସାର ଗଢି ଉଠିଥିଲା ଝୁଲିର | କମବୟସରେ ବାହାହୋଇଥିଲେ ମଧ୍ୟ ଶାଶୁଶଶୁରଙ୍କ ସେବା ଓ ଘରକରଣା ସବୁକିଛି ସେ ଅଳ୍ପଦିନରେ ଶିଖିପାରିଥିଲା ଆଉ ସମସ୍ତଙ୍କୁ ଆପଣାର କରିପାରିଥିଲା |                      

ସମୟ ବଢିଚାଲିଲା ଆଉ ତା ସହ ଝୁଲିର ଜଞ୍ଜାଳ ମଧ୍ୟ |ଝୁଲିର ପ୍ରଥମେ ଝିଅଟିଏ ଜନ୍ମହେଲା | ଗରିବ ପରିବାରର ପ୍ରଥମ ସନ୍ତାନ ଝିଅ ହେଲାବୋଲି ଶାଶୁଶଶୂରଙ୍କ ମନ ଟିକେ ଦୁଃଖ ହେଲା, କିନ୍ତୁ ଝୁଲିର ସ୍ୱାମୀ ଦେବ ବହୁତ ଖୁସିଥିଲା |ସେ କହେ ଘରକୁ ଲକ୍ଷ୍ମୀ ଆସିଲେ ସବୁ ଏଥର ବଦଳିଯିବ |ସତକୁ ସତ ସେ ବର୍ଷ ଦେବର ଜମିରେ ଭଲ ଫସଲ ହେଲା, ସମସ୍ତେ ଖୁସିରେ ଥିଲେ |ଏମିତି ହସ ଖୁସିରେ କିଛି ଦିନ ଗଲାପରେ ଝୁଲିର ପୁଅଟିଏ ହେଲା | ଏଥର ଶାଶୁ ବହୁତ ଖୁସିଥିଲେ | କିନ୍ତୁ ଖୁସିରେ କିଛିଟା ବିଡମ୍ବନା ଦେଖାଗଲା |ବର୍ଷା କମଯୋଗୁଁ ଫସଲ ବି ଭଲ ହେଲାନି | ସେପଟେ ପୁଅଟିର ବାରମ୍ବାର ଦେହଖରାପ ରହୁଥାଏ | ସେମିତି କେମିତି ଦୁଇବର୍ଷ ବିତିଗଲା | ହଠାତ ପୁଅକୁ ଜ୍ୱର ଲାଗିରହିଲା, କେତେ ଡାକ୍ତର ଦେଖାଇଲେ, ସବୁ ପ୍ରକାର ପରୀକ୍ଷା କରାଇଲେ, ଶେଷରେ ସିକିଲିଂ ବାହାରିଲା | ସମସ୍ତଙ୍କ ମନରେ ଦୁଃଖ ଭରିଗଲା | ଭଗବାନ ପୁଅଟିଏ ଦେଲେ ପୁଣି ଏତେ ଦୁଃଖ! ସେପଟେ ପୁଅର ଦେହପାଇଁ ଖର୍ଚ୍ଚକରି ଦେବ ବହୁତ ଗୁଡିଏ ଟଙ୍କା ଧାରକରଜ କରିଥିଲା |ଏସବୁ ବାକି ଶୁଝିବା ପାଇଁ ସେ ସୁରଟ ସୂତାକଳରେ କାମ କରିବାକୁ ନିଷ୍ପତ୍ତି ନେଲା | ଝୁଲି ବି ବାଧ୍ୟ ହୋଇ ଯିବାକୁ ଦେଲା | ସୁରଟରେ ଦେବକୁ କାମମଧ୍ୟ ମିଳିଗଲା | ଦୁଇବର୍ଷ କାମକରିବା ପରେ ଆସ୍ତେ ଆସ୍ତେ ସମସ୍ତ ବାକି ସୁଝିଗଲା |ଏହାପରେ 2019ମସିହା ଦୀପାବଳି ଦିନ ସେ ଗାଁକୁ ଆସିଲା | କିଛିଦିନ ଗାଁରେ ରହିବାପରେ ସେ ଝୁଲିକୁ ପୁଣିଥରେ ସୁରଟ ଯିବାପାଇଁ କହିଲା | ଗାଁରେ ତ କାମଦାମ କିଛି ନାଇଁ, ପିଲାଙ୍କ ଖର୍ଚ୍ଚ ବି ବଢୁଛି | ଝିଅଟି ବଡ ହେଲାଣି | ତେଣୁ ରୋଜଗାର ପାଇଁ ଆଉ କିଛି ବାଟ ନାହିଁ |ଏଥର କିନ୍ତୁ ଝୁଲିକୁ କିଛି ଭଲ ଲାଗୁନଥିଲା, ସେ ଛାଡିବାକୁ ନାରାଜ ହେଲା |ଦେବ ବୁଝାଇଲା, ଆଉ ଗୋଟେ ବର୍ଷ ରହି ଆସିଲେ ଗାଁରେ ଦୋକାନଟିଏ କରିବ, ଆଉ ହଇରାଣ ହେବାକୁ ପଡ଼ିବନି |ପିଲାମାନେ ପାଠ ପଢିବେ, ପୁଅର ଦେହର ରକ୍ଷଣବେକ୍ଷଣ, ଏସବୁ ପାଇଁ ତ ପଇସା ଦରକାର | ଝୁଲି ଦୀର୍ଘ ଶ୍ୱାସ ନେଇ ହଉ କହିଲା | ଦେବ ତାପରଦିନ ବାହାରିପଡିଲା |ଏଥର କିନ୍ତୁ ତାସହ ଆଉଜଣେ ଗରିବ ପିଲାଟିଏ ମଧ୍ୟ୍ ଯିବାକୁ ବାହାରିଛି |ତା ନାମ ଚନ୍ଦ୍ର |ଚନ୍ଦ୍ରର ଏଦୁନିଆରେ ବୁଢୀମାଆଟିକୁ ଛାଡିଦେଲେ ଆଉ କେହିନାହିଁ | ପିଲାଟି ଗାଁରେ ବାଳୁଙ୍ଗା ହୋଇ ବୁଲୁଚି, ବାହାରକୁ ଗଲେ ଦି ପଇସା ରୋଜଗାର କରିବ ବୋଲି ଦେବ ସାଥିରେ ଛାଡ଼ିଛି | ଦୁଇଜଣ ମିଶି ବାହାରିଗଲେ | ପହଁଚିଲା ପରେ କାମରେ ଲାଗି ଘରକୁ ଫୋନ କଲେ | ଏମିତି କିଛିଦିନ ଗଲାପରେ ଆମଦେଶରେ କରୋନା ସଂକ୍ରମଣର ଭୟ ଦିନକୁଦିନ ବୃଦ୍ଧି ଘଟିଲା | ଧୀରେ ଧୀରେ ସବୁ କମ୍ପାନୀ ବନ୍ଦ ହେବାରେ ଲାଗିଲା | ସୁରଟ ପ୍ରବାସୀ ମାନେ ଘରମୁଁହା ହେଲେ | ହେଲେ ଏକାଥରେ ଲକ୍ଷ ଲକ୍ଷ ଲୋକଙ୍କୁ ଟିକଟ ବା ମିଳୁଛି କୋଉଠି | ସୁରଟର ସେ ସମୟର ଦୁର୍ଦଶାର ଚିତ୍ର ମନେ ପଡିଲେ ଏବେବି ଆଖିରୁ ଲୁହ ଆସିଯାଏ |କେତେ ରାଜ୍ୟର ଲୋକ ସାଇକେଲରେ, ଆଉକିଏ ମାଲଗାଡ଼ିରେ ଓହଳି, ଆଉକେଉଁମାନେ ଚାଲି ଚାଲି ତ ଆଉ କେତେ ଜଣ ଟିକଟ ପାଇଁ ଲାଇନରେ ଧାଡି ବାନ୍ଧି ତିନିଚାରି ଦିନ ନ ଖାଇ ଭୋକ ଉପାସରେ ଠିଆହୋଇ ଅପେକ୍ଷା କଲେ ଗାଁକୁ ଫେରିବାକୁ |ରୋଗରୁ ବଞ୍ଚିବାପାଇଁ ଗାଁକୁ ଫେରିବା ବେଳେ ଭୋକରଦାଉ କେତେ ଜଣଙ୍କ ଜୀବନ ନେଇଗଲା |କେତେ ଲୋକ କେତେ ସ୍ବପ୍ନ, କେତେ ଆଶା ନେଇ ଯାଇଥିଲେ କାମ କରିବାକୁ |ହେଲେ ଅକାଳ ଅଚିହ୍ନl ରୋଗ ସବୁ କିଛି ଓଲଟ ପାଲଟ କରିଦେଲା |ସେପଟେ ଦେବ ମଧ୍ୟ ଝୁଲିକୁ ଫୋନ କରି ଗାଁକୁ ଆସିବ ବୋଲି କହିଲା |ଝୁଲି ବହୁତ ଖୁସି ହୋଇଗଲା ପିଲାମାନେ ମଧ୍ୟ ଖୁସିରେ ବାବା କେବେ ଆସିବେ ମାମା ବୋଲି ବାରମ୍ବାର ପଚାରନ୍ତି |ଏପଟେ ଟିକଟ ଅପେକ୍ଷାରେ ଦୁଇଦିନ ଠିଆହୋଇ ରୁମକୁ ଫେରିବାକୁ ପଡୁଥାଏ ଦେବକୁ |ସେପଟେ ଝୁଲି ବ୍ୟସ୍ତ ବିବ୍ରତ ହୋଇ ଚାହିଁ ବସିଥାଏ ଦେବର ଫେରିବା ବାଟକୁ |କେତେ ଭାଗବାନଙ୍କୁ ସେ ନ ଡାକିଚି, ହେଲେ କିଏ ଶୁଣୁଛି ତାକୁ |ସେ ଦିନ କିନ୍ତୁ ଦେବର ଫୋନ ଆସିଲା, ଝୁଲି ଶୁଣିଲା ପରେ ଖୁସି ହୋଇଗଲା, କାରଣ ଦେବର ଟିକେଟ ହୋଇଯାଇଛି, ସେ ଏଥର ଗାଁକୁ ଆସିବ ପିଲାମାନଙ୍କ ପାଇଁ କେତେକଣ ଆଣିଛି, ସେସବୁ ଦେବ ଆଉ ଝୁଲିର ଅଭିମାନ ପାଇଁ ଉପହାର ନେଇଆସିଛି ତାକୁ ଖୁସିକାରାଇବ ବୋଲି |ହେଲେ ଏଇଠି ବି ଅସୁବିଧା ଆସି ପହଁଚିଲା |ଏ ମହାମାରୀ ସମୟରେ ନିଜ ସାଥିରେ ନେଇଥିବା ଗରିବ ମାଆର ବିସିକେଶନ ଚନ୍ଦ୍ର କୁ ସେକେମିତି ବା ଛାଡି ଆସିବ |ନା ନା ସେ ଏତେ ସ୍ୱାର୍ଥପର ନୁହଁ ଯେ ନିଜ ଖୁସିରେ ବିଭୋର ହୋଇ ଆଉ ଜଣକୁ ହଇରାଣ ରେ ପକାଇବ |ତେଣୁ ଦେବ ନିଷ୍ପତ୍ତି ନେଲା ଚନ୍ଦ୍ରର ଟିକଟ ମିଳିଲାଯାଏ ସେ ଅପେକ୍ଷା କରିବ |କାଳେ ଯଦି କିଛି ଘଟିଯିବ କି ଜବାବ ଦେବ ତା ମାଆଙ୍କୁ ? ତେଣୁ ସେଦିନ ଟିକଟ ମିଳିବାସତ୍ୱେ ସେ ଲାଇନ ଛାଡି ରୁମକୁ ଚାଲିଆସିଲା ଚନ୍ଦୁ ସହ |ଏତେଦିନ ଖରାରେ ଠିଆହୋଇ ଦେବର ଦେହଖରାପ ହେଇ ଆସୁଥିଲା |ହେଲେ ସେ ଏହାକୁ ଅଣଦେଖା କରି ଟିକଟ ଚିନ୍ତାରେ ରହିଲା |ଭଗବାନଙ୍କ ଖେଳ ମଧ୍ୟ ଅଜବ, ତାପର ଦିନ ଚନ୍ଦ୍ରର ଟିକଟ ହୋଇଗଲା, ହେଲେ ଦେବର ଆଉ ଟିକଟ ମିଳିଲାନି, ଦେବ ଆଗ ଚନ୍ଦ୍ରକୁ ପଠାଇବାକୁ ବ୍ୟବସ୍ତା କରି ପରେ ସେ ଆସିବ ବୋଲି କହିଲା |ଚନ୍ଦ୍ର ନାରାଜ ଥିଲେ ମଧ୍ୟ ଏ ପରିସ୍ଥିତି ରେ ଆଉ କିଛି ଉପାୟ ନ ଥିଲା |କାଳେ ଜଣେ ଗଲେ ଆଉଜଣେ ଆସିପାରିବ ଭାବି ସେ ଚାଲିଆସିଲା |ଏପଟେ ଝୁଲିର ମନ କିଛି ଭଲ ଲାଗୁନଥିଲା |ସେ ଫୋନ ରେ ବାରମ୍ବାର କଥାହୋଇ ଅଧର୍ଯ୍ୟ ହୋଇପଡୁଥିଲା |ସେପଟେ ଚିନ୍ତା କରି ଦେବର ଦେହମନ ଦୁର୍ବଳ ହେଇପଡୁଥିଲା |ତାପରଦିନ ପୁଣି ତାର ଟିକଟ ମିଳିଗଲା ଏଥର ଯିବାରେ କିଛି ଅସୁବିଧା ନାହିଁ, ସେ ଖୁସିରେ ଝୁଲିକୁ ଫୋନ କରି ଜଣାଇଲା |ଆଉ ପ୍ରସ୍ତୁତି ଆରମ୍ଭ କଲା ଆସିବାକୁ |ସେପଟେ ଝୁଲି କେତେ କଣ ଭାବି ଖୁସି ହେଉଥିଲା |ଏତେଦିନ ପରେ ଭଗବାନ ତା ଡାକ ଶୁଣିଲେ |ସେ ମନେ ମନେ କଣ ସବୁ ସ୍ବପ୍ନ ଦେଖୁଥିଲା |ଦୁଇଦିନ ପରେ ଆସି ପହଞ୍ଚିବେ ତା ସ୍ୱାମୀ |ହେଲେ ତାହାର ଖୁସିକୁ କାହାର ନଜର ଲାଗିଗଲା |ପୁଣି ଥରେ ସେପଟୁ ଫୋନ ଆସିଲା ଦେବ ମୁଁହ ବୁଲାଇ ତଳେ ଚେତା ଶୂନ୍ୟ ହୋଇ ପଡିଯିବାରୁ ପାଖଲୋକେ ମେଡିକାଲ ନେଇଛନ୍ତି |ଝୁଲିର ମୁଣ୍ଡରେ ଅକାଳ ଚଡକ ପଡିଗଲା, ସେ ପାଗଳିପରି କାନ୍ଦି ଉଠିଲା | କଣ କରିବ ମାଇପି ଲୋକଟା ଦିଟା ଛୁଆକୁ ନେଇ କେମିତି ଯିବ | ପରିସ୍ଥିତି ଏତେ ଜଟିଳ ଥିଲା ଯେ ନା କୋଉ ଗାଡି ନା କୋଉ ଟ୍ରେନ ଯାଉଥିଲା | ପୁଣି ଟିକଟ ମିଳିବ ଏତେ କମ ସମୟରେ..l         

ସେ ମନକୁ ଶକ୍ତ କରି ତାସ୍ୱାମୀର ଚିକିତ୍ସା ସେଠି କରିବାକୁ ସାଙ୍ଗ ଭାଇଙ୍କୁ ଅନୁରୋଧ କଲା, ଯାହା ଟଙ୍କା ଲାଗିବ ସେ ପଠେଇବ ବୋଲି କହିଲା | ସେପଟେ ସାଙ୍ଗମାନେ ସହଯୋଗରେ ଲାଗିଥାନ୍ତି, ଡାକ୍ତର ଟେଷ୍ଟ ରିପୋର୍ଟ ରୁ ବ୍ରେନ ରେ ବ୍ଲଡ଼ କ୍ଲଟିଙ୍ଗ ହୋଇଛି କହିଲେ | ଅପରେସନ ବିନା ବଂଚିବା ଅସମ୍ଭବ ବୋଲି କହିଲେ | ଏସବୁ ଶୁଣି ଝୁଲି ଆତ୍ମହରା ହୋଇପଡ଼ିଲା | ଏତେଜଲଦି ଏସବୁ କେମିତି ଘଟିଲା, ଏଇ ଟିକିଏ ଆଗରୁ ତ ସେ କଥା ହୋଇଥିଲା ଭଲରେ | ହେ ପ୍ରଭୁ! ଆହୁରି କି ପରୀକ୍ଷା ନେଉଛ | ହଉ ଯାହା କରୁଛ କର କିନ୍ତୁ ତାଙ୍କୁ ଭଲ କରିଦିଅ |ଏତିକି ଭାବି ସେ ଘରେ ସମସ୍ତଙ୍କୁ ଜଣାଇଲା |ଚାରିଆଡେ ଭାଲେଣି ପଡିଲା |ଅପରେସନ ପାଇଁ ଦଶ ଲକ୍ଷ ଟଙ୍କା କୋଉଠୁ ଆଣିବ ମାଇପିଲୋକଟା |ଶାଶୁ ଶଶୁର ବି କଣ ବା କରିବେ, ମୁଣ୍ଡରେ ହାତ ଦେଇ ଭାଗବାନଙ୍କୁ ଡାକିଲେ |ଝୁଲି କିନ୍ତୁ ହlରି ନ ଥିଲା, ସେ ଗାଁ ର ସରପଞ୍ଚ ଙ୍କୁ ଜଣାଇଲା, ବିଧାୟକ ଙ୍କୁ ନେହୁରା ହେଲା ସହାୟତା ପାଇଁ |ପୁଣି ନିଜ ବାପାମାଙ୍କୁ ଜଣାଇ ଟଙ୍କା ଯୋଗାଡ଼ କରିବାକୁ କହିଲା |ଝିଅର ସାହସରେ ସମସ୍ତେ ହାତ ବଢ଼ାଇଲେ |ଜମିଜୁମା ବନ୍ଧା ପକାଇ ଯେନ ତେନ ଛ ଲକ୍ଷ ଟଙ୍କା ଯୋଗାଡ଼ କରି ପଠାଇଲା |ଅପରେସନ ସରିଲା, ପୁଣି ମେଡ଼ିସିନ ପାଇଁ ଆହୁରି ଟଙ୍କା ଦରକାର |ଝୁଲି ସେପଟେ ଟଙ୍କା ଯୋଗାଡରେ ଲାଗିଥାଏ |ଏପଟେ କିନ୍ତୁ ଦେବର ଚେତା ବହୁସମୟରେ ଆସିଲା, ସେ ବିଳିବିଳେ ଇ ଝୁଲିକୁ ଡାକୁଥିଲା ପୁଣି ଚେତାଶୂନ୍ୟ ହେଇ ପଡୁଥିଲା |ଏସବୁ ଶୁଣି ଝୁଲି ଅଧର୍ଯ୍ୟ ହେଇଗଲା |ସେ ସରକାରଙ୍କୁ ନେହୁରା ହୋଇ ତା ସ୍ୱାମୀଙ୍କୁ ଫେରାଇ ଆଣିବାକୁ କହିଲା |କାଳେ ତା ପାଖକୁ ଆସିଲେ ଉପଯୁକ୍ତ ସେବାପାଇ ସେ ଭଲ ହୋଇଯିବ, କାଳେ ସେ ଝୁଲିକୁ କିଛି କହିବାକୁ ଚାଁହୁଥିବ, ଶେଷରେ ସରପଞ୍ଚ ଆଉ ବିଧାୟକଙ୍କ ସହାୟତାରେ ତାକୁ ଆଣିବାକୁ ଆମ୍ବୁଲାନ୍ସ ର ବ୍ୟବସ୍ଥା ସେଠି କରାଗଲା, କିନ୍ତୁ ବ୍ରେନ ଅପେରସନ ବ୍ୟକ୍ତିକୁ ଏତେ ଦୂର ରୁ ଆଣିବା କେତେଦୂର ବା ସମ୍ଭବ,ଏପଟେ ସମସ୍ତେ ଅଖିଆ ଅପିଆ ଚାହିଁ ରହିଥାନ୍ତି ଦେବର ଫେରିବା ବାଟକୁ |ଗାଁ ର ସବୁ ଲୋକଙ୍କ ମୁଁହରେ ଦୁଃଖ ମିଶା ଅପେକ୍ଷା, କିନ୍ତୁ ଆଉ କେତେ ସମୟ ବା ସେ ଲଢ଼ି ପାରିଥାନ୍ତା ମୃତ୍ୟୁ ସହ, ଶେଷରେ ଅଧବାଟରେ ମୃତ୍ୟୁ କୋଳେଇନେଲା ଦେବକୁ ଦେବପୂରକୁ |ଗାଁ ସାରା କାନ୍ଦ ବୋବାଳିରେ ଫାଟିପଡ଼ିଲା |ଏତେ ଚେଷ୍ଟା ପରେ ବି ଝୁଲି ହରାଇଦେଲା ତା ଦେବକୁ |ପାଗଳି ପରି ଅବାକ ହେଇ ପଡିରହିଲା ଝୁଲି | ସେପଟେ ଶବ ଆଣିବାକୁ ଆମ୍ବୁଲାନ୍ସ ବାରଣ ବାହାନାରେ ଅଧିକ ଟଙ୍କା କହିଲା | ଏଠି ମାନବିକତା ବି ଶବ ପାଲଟିଗଲା |ଶେଷରେ ଗାଁ ଭାଇଙ୍କ ସହାୟତାରେ ଆଉ କିଛି ଅଧିକ ଟଙ୍କା ଦେଇ ଶବକୁ ଅଣାଗଲା ଗାଁକୁ | ଝୁଲିର ଶତ ପ୍ରଚେଷ୍ଟା ରେ ଏତିକି ବି ସମ୍ଭବ ହୋଇପାରିଲା | ହେଲେ ସେ ଯେମିତି ସ୍ଥାଣୁ ପାଲଟି ଯାଇଥିଲା, ସେ ବିଶ୍ୱାସ କରିପାରୁନଥିଲା ଏଇଟା ତା ଦେବ ବୋଲି | ପିଲାମାନଙ୍କ କଥା ଆହୁରି ଶୋଚନୀୟ | ଗାଁ ଲୋକଙ୍କ ସହାୟତାରେ ଶେଷକୃତ୍ୟ କରାଗଲା | ହେଲେ ଝୁଲି କିନ୍ତୁ ଆଜିବି ରହିଛି ତା ଦେବର ଅପେକ୍ଷାରେ | ତା କାନରେ ସେଦିନର କଥା ଆଜିବି ପ୍ରତିଧ୍ୱନିତ ହେଉଛି, ପିଲାଙ୍କ ଦାୟିତ୍ୱ ନେଉଥିବ, ବାପାମାଙ୍କ ଦେଖାଶୁଣା କରୁଥିବ, ମୁଁ ଜଲଦି ଆସିବି, ଆଉ ଆସିଲା ବେଳେ କେତେକଣ ନେଇଆସିବି, ତୁମପାଇଁ ମଧ୍ୟ... ଆଉ ଝୁଲି ଜାଣିପାରୁଥିଲା ଯେ ଏସବୁ ପାଉଁଶ ତଳରେ କୁହୁଳୁଥିବା ତା ମନର ସ୍ବପ୍ନ ଖାଲି....।



Rate this content
Log in