Panchanan Jena

Others

3  

Panchanan Jena

Others

ପାର୍ବଣ

ପାର୍ବଣ

8 mins
421


ରାଣୀଖୁଡୀ ଉଚ୍ଚତର ମଧ୍ୟ ଇଂରାଜୀ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଶ୍ରେଣୀ ଶିକ୍ଷକ ମାର୍କଣ୍ଡ ସାର ଶନିବାର ଦିନ ପ୍ରଥମ ପିରିଅଡରେ କକ୍ଷକୁ ପଶୁ-ପଶୁ , ଚୌକିରେ ବସୁ-ବସୁ, ପାନ ଚୋବା ମୁଁହକୁ ଆହୁରି ରଙ୍ଗିଲା କରି କହିଲେ “ ପାର୍ବଣ ଛୁଟିକୁ ଆଉ ମାତ୍ର ୨୫ ଦିନ ରହିଲା। ଏ ବର୍ଷ ଦଶହରା ଅକ୍ଟୋବର ୨୨ ତାରିଖ ଶନିବାରରେ ପଡୁଛି । ଦେବୀ ହାତିରେ ଆସିବେ ଆଉ ନୌକାରେ ଯିବେ । ତେଣୁ ଫସଲ ଭଲ ହେବ .... ଚାରିଆଡେ ଖୁସିରେ ଖୁସି .....।”

ସମସ୍ତେ କ’ଣ ବୁଝିଲେ କେଜାଣି ଖୁସିରେ କୁରୁଳି ଉଠିଲେ । କେବଳ ତୃତୀୟ ଧାଡିରେ ବସିଥିବା ରଂପା ( ଅଜୟ ) କିଛି ବୁଝିପାରିଲାନି ।ସମସ୍ତେ ହସିଲେ ବୋଲି ସବା ଶେଷରେ ଆପେ ଆପେ ଦାନ୍ତ ନେଫେଡି କେମିତି ଟିକେ ଜିଗିଡି ଦେଲା । ସେ ହସିଲା , ବା ନହସିଲା , ନିଜେ ଜାଣିପାରିଲାନି ।


ମାତ୍ର ପାର୍ବଣ ଶବ୍ଦଟା ତା’ ମଗଜକୁ ଉଠି ଯାଇଥିଲା । ସେ କେବଳ ଜାଣିଥିଲା ଯେ ପାର୍ବଣ ଆସିଲେ ଚଟାବାବୁ ଚୌଧୁରିଗଡ଼ରେ ଦୂର୍ଗା ମେଢ କରିବ ଏବଂ ସେ ଅନନ୍ତା-ବାଣ୍ଠିଆ- ତମ୍ପଡା- ପଦୁ- ବୁଢା-ପୁରିଆ ଇତ୍ୟାଦିଙ୍କ ସାଙ୍ଗରେ ଦଳ-ଦଳ ହୋଇ ମେଢ ଦେଖିବାକୁ ଯିବେ । କେଉଁ ଦିନ କୁଟାବିଡା ଯୋଡାହେବ , କାଦ ମଖା ହେବ, ବାର୍ନିସ ବୋଳାହେବ, ଆଖି ଫୁଟିବ ...... ଦିନରେ ତିନି ଚାରି ଥର ନ ଘୁରି ଆସିଲେ କେମିତି ଭଲ ଲାଗିବନି ।

ପୁଣି ମନେ ପଡିଲା, ଚୌଧୁରୀଗଡର ଗୋବିନ୍ଦରାୟ ମନ୍ଦିରର ଆଗ ପଡିଆରେ ମାର୍ବଲ (କେଟାସ ) ଖେଳ ଓ ସେଫ୍ଟିପୀନ-କଣ୍ଟା ଖେଳ ଆହୁରି ଆକର୍ଷଣୀୟ ହେବ । ଆଗ ବର୍ଷ ସିନା ଘୁନା ମୋତେ ହରେଇ ଦେଇଥିଲା, ଏ ବର୍ଷ ଜିତିକରି ଦେଖେଇଦେବି । ପୁଣି ଏ ବର୍ଷଠାରୁ ଶମ୍ବୁଆ ବେହେରା ଅଦଭୁତିଆ ପଦାରେ ଦୁର୍ଗାପୂଜା ଆରମ୍ଭ କରିବ ବୋଲି ବନା କକା କହୁଥିଲେ । ନିଶ୍ଚୟ କବାଡି ଖେଳ ହେବ । ଅପେରା ନୋହିଲେ ଗଣନାଟ୍ୟ ଆସିବ । ମୁଁ ଏଥର ସବା ଆଗଧାଡିରେ ବସିବି ଏବଂ ଯେତେବେଳେ ଭିଲିୟାନ ହିରୋଇନର ବୁଢାବାପକୁ ଚାବୁକରେ ମାରୁଥିବ, ସେତେବେଳେ ମା’ ପାଞ୍ଚପାଇକା ଆଡିରୁ ଆଣିଥିବା ନାଲିଆମାଟି ହୁଡ଼ା ମାରିବାକୁ ସହଜ ହେବ ।


ପୁଣି ଭବିଲା , କଦଳୀକଁଅରା ରତାଇ ହାଟର ପାର୍ବଣ । ବାପରେ ବାପ । ବିରାଟ ଜନସମୁଦ୍ର । ପୂରା ମାସେ ବସିବ । ଦୋକାନ ବଜାରର କୁରୁକ୍ଷେତ୍ର । ପାଖ-ଆଖ ଶହେ ଖଣ୍ଡ ଗାଁର ଲୋକେ ଆସି ଠୁଳ ହୋଇଯାନ୍ତି । ମାତ୍ର ସବୁଠାରୁ ଆକର୍ଷଣୀୟ ହେଲା କବାଡି ଖେଳ ଓ ରେଫରୀ ବାଙ୍ଗରା ଥନ୍ତଲାପେଟିଆ ଶ୍ରୀନିବାସ ପାଢୀର ହୁଇସିଲ ଏବଂ ଦୌଡ ଆଗଥର ବାପାକାନ୍ଧରେ ବସି ଦେଖିଥିଲି ଜଗାଇ ଭରସେସ ଭୀକାଗଡିଆ ।କି ଗହଳି , ଶୋରିଷ ପକେଇବାକୁ ବି ଜାଗା ନଥିବ ….. ପୁଣି ଏଥର ତ ରାବଣ ପୂଡି।


ମାର୍କଣ୍ଡ ସାରଙ୍କ ପାଞ୍ଚଣ ପାହାର ଟେବୁଲରେ ଧଡାସ କରି ପଡିବା କ୍ଷଣି ରଂପାର ଚୈତନ ଫେରିଲା । ଚାରିଆଡକୁ ଧୀରେ ଧୀରେ ମିଟିକା ମାରିଲା ପରି ଚାହିଁଲା, କାନ-ମୁଁହ ଆଁଉସି ପକେଇଲା ଏବଂ ପଢାରେ ମନ ଦେଲା ।

ବହୁ ଆକାଙ୍ଖିତ ଓ ଚିରବାଞ୍ଛିତ ଦଶହରା ଧୀରେ ଧୀରେ ପାଖେଇ ଆସିଲା । ସ୍କୁଲରେ ଛୁଟି ପଡିଲା । କାହିଁ କେଜାଣି ରଂପାର ମନରେ ଖୁସି ନଥିଲା । କାରଣ ! ପୂଜା –ପାର୍ବଣ ତ କେବଳ ଧନୀ-ଅମିରଙ୍କ ପାଇଁ ।ତା’ ଭଳି ଗରିବ ଘରେ ଜନ୍ମ ନେଇଥିବା ମଳିମୁଣ୍ଡିଆଙ୍କ ପାଇଁ ନୁହେଁ । ତା’ ବୟସର ଶମ୍ଭୁଆ ଦାସ ପୁଅ ଗେଣ୍ଡା ନଡ଼ିଆ-ବରଫ ଖାଇବାବେଳେ , ତା’ ପାଟିରୁ ଆପେ ଆପେ ରସ ବହିପଡେ । ମନେ ହୁଏ , ପଇସା ଥିଲେ ମାଲୁହାପୁଅ ଫତଙ୍ଗା ବରଫବାଲାର ସବୁ ବରଫ କିଣିନିଅନ୍ତା ?


ପୁଣି ଭାବିଲା , ତା’ର ସାଙ୍ଗ ଆନାଦି ଦୁଇ ଭଉଣୀ ମଡି ଓ କଟିକୁ ଧରି ପାର୍ବଣ ଆସିଛି ।ସାପ ବେଲୁନ କିଣି ଦେଉଛି । ସାନ ଭଉଣୀମାନେ ଖୁସିରେ କେମିତି ଡ଼େଉଁଛନ୍ତି ଭାଇ, ସେ ନାଲିଆଟା ନେମୀ ଏଇଟା ନୁହେଁ ....ନା ....ନା.... ଆହା ସେଇଟା...। ମୋ’ ପାଖରେ ପଇସା ଥିଲେ ଆମ ଟୁନା ପାଇଁ ଏକାବେଳକେ ଚାରି-ପାଞ୍ଚଟା ବେଲୁନ ନେଇଯାନ୍ତା। ଗୋଟେ ଫୁଟିଫୁଟିକା ନାଲିଆ , ଗୋଟେ କାଠି ବନ୍ଧା ପୂରା ଟକଟକିଆ ନାଲିଆ , ଗୋଟିଏ କେଁ –କଟରିଆ ସାପ ବେଲୁନ ନିଳିଆ ଏବଂ ଶେଷଟା ହାଇଡ୍ରୋଜେନ ଭରା ସୂତା ବାନ୍ଧା ହଳଦିଆଟା ।ଛାଡିଦେଲେ ଉପରକୁ ଉଠିଯିବ ... ଅନନ୍ତ ଗଗନର କେଉଁ କୋଣକୁ ଉଡିଚାଲିଯିବ । ଆଉ ଯଦି ପଇସା ବଳନ୍ତା , ତା’ ହେଲେ ଚକ୍ରୀ ଓ ଶକ୍ତିମାନ “ ସେଓ ବେଲୁନ “ ନେଇ ନିଅନ୍ତା । ମା’ ରାଗିବ ତ ରାଗୁ । ତା’କୁ କହିବି କେନେ ? ଚୁପ୍ କିନା ଟୁନାକୁ ଦେଇଦେବି ଘର ପଛ ବେତାପି ଗଛ ତଳେ । କେତେ ଖୁସି ହୁଆନ୍ତାନି ?


ଭାବିଲା ଯଦି ବେଲୁନ ବେପାର କରନ୍ତା, ତେବେ ସବୁ ସମସ୍ୟାରୁ ମୁକ୍ତି ମିଳନ୍ତା । ନାଁ.... ନାଁ.... ଅଷ୍ଟମୀ ବାର ଦିନ ଯଦି ବାପା ଦି-କାନ୍ଧି କଦଳୀ ପଦାହାଟରୁ ଆଣିଦିଅନ୍ତେ , ଠାଆରେ ବସି ବସି ପଇସା ଇନକମ କରିଦିଅନ୍ତି ଏବଂ ପାର୍ବଣଟା ଜାକଜମକରେ କଟିଜାଆନ୍ତା । ମାତ୍ର ବାପାଙ୍କ କଡା ମୂର୍ତ୍ତୀ ଓ ବିକଟାଳ ରାଗୁଆ ଚେହେରା ଆଗରେ ଠିଆହେବା କ୍ଷଣି ସବୁ କଳ୍ପନା –ଜଳ୍ପନା ଲାଙ୍ଗୁଡ ଜାକି ଛତ୍ରଭଙ୍ଗ ଦେଲେ .....।

କଦଳୀକଁଅରା ଜୀଉଙ୍କର ପ୍ରସିଦ୍ଧ ପୀଠ ରତାଇ ଗ୍ରାମର ଉତ୍ତର ଦିଗରେ ଅବସ୍ଥିତ ବିରାଟ ହାଟ ଗୋଟିଏ ମାସ ପାଇଁ ହୋଇଯାଏ ଶାରଦୀୟ ପାର୍ବଣର ପେଣ୍ଠସ୍ଥଳୀ । ଧାଡିକି ଧାଡି ଦୋକାନ-ବଜାର ଖୁନ୍ଦା –ଖୁନ୍ଦି ହୋଇ ବସିଥାନ୍ତି । କମା ପଠାଣ ପୁଅ ତାଲେର ବଡ ଜୋତା ଦୋକାନ , ଧିରାସାହୁ ମିଠା ଦୋକାନ , ଆମ୍ବଚୁଆ ଦତ୍ତର ସିଲଭର (ଆଲୁମିନିୟମ ) ଏବଂ ହାର୍ଡ୍ୱାର ଦୋକାନ , ଗଦା ଭାଇର କଂସା ଦୋକାନ , କାଳିଆ ସାହୁର ମନୋହରି ଦୋକାନ । ଏମିତି କେତେ କେତେ ଜାମୁକୁଣ୍ଡାରୁ – ପଞ୍ଚୁପାଲି ଭିତରେ ଥିବା ନାମଜାଦା ଦୋକାନୀ ଛ’ ମାସ ଆଗରୁ ମାଲ କରି ରତାଇ ପାର୍ବଣ ପାଇଁ ଗୋଡ କୋଣ୍ଢେଇ ବସିଥାନ୍ତି । ମାସେ ଧରି ମେଳା । ସାଙ୍ଗକୁ ସାଙ୍ଗ କବାଡି ଖେଳ – ମେଡିନପୁରର ଚିଡିଆଘର ---ପାର୍ବତୀ ଗଣନାଟ୍ୟ । ବିକ୍ରି –ଖର୍ଦିର ଏକ ସୁବର୍ଣ ଯୁଗ କହିଲେ ଭୁଲ ହେବନି ।


ମାତ୍ର ଏସବୁ ହସ-ଖୁସି ମଉଜ-ମଜଲିସ ଭିତରେ ରଂପା ମନରେ ଆଦୌ ଫୁର୍ତି ନଥାଏ । ସାଙ୍ଗ ମେଳରେ ଚୌଧୁରୀଗଡ , ଅଦଭୁତିଆ ପଦା ଦିନରେ ଚାରିଥର ଗଲା , ମାତ୍ର କେମିତିକା ଉପରଠାଉରିଆ ଭାବରେ , କେମିତିକା କୁଣ୍ଠିତ ଓ ଜବରଦସ୍ତିଆ ଭାବରେ ମେଢ ଆଗରେ ଠିଆ ହୋଇଥାଏ । ମାତ୍ର ମନରେ ଦୁଃଖର ପାହାଡ କାରଣ ସାନ-ବଡ ସମସ୍ତେ ପକେଟ ଗରମ କରି ମନକୁ ଚାଙ୍ଗା କରି କଥାରେ ବାଟୁଳି ବାଜୁନଥିବା ଢଙ୍ଗରେ ବେଶ ମୌଜାରେ ବୁଲୁଥାନ୍ତି । ପୁଣି ରଂପାର ଛତି ପକେଟ ଶୂନ୍ୟ, କଣା ପାହୁଲାଟି ମିଳିବାର ନାହିଁ ? ଚପଳମତି ରଂପାକୁ ହାଡ଼େ ହାଡ଼େ ଚିହ୍ନିଛି ଠାକୁମାରାଣୀ ବୁଦ୍ଧିମଣି ଦେବୀ । ପାର୍ବଣ ଚାଲିଛି , ଯାତରା ବସିଛି , ସମସ୍ତଙ୍କ ଘରେ ପିଠା-ପଣା । ରଂପା ଆମର ଦାଣ୍ଡ-ପିଣ୍ଡା ଦୁଲୁକେଇ ଦିଆନ୍ତାଣୀ । କଥା କ’ଣ ? ଠାକୁମା ସବୁ ଜାଣିପାରିଲେ ଏବଂ ବାରିପଛ ବିଡାଗାଦି ଉହାଡକୁ ସରାଗରେ ଡାକିନେଇ ସ୍ନେହିଳ ପରଶଭରା ହାତପାପୁଲିକୁ ମଳିନ ମୁଖମଣ୍ଡଳରେ ବୁଲେଇଆଣିଲେ ଏବଂ ଚାରିଆଡକୁ ନିଘାକାରୀ ଚୂପକିନା ନିଜ ପୁରୁଣା ବାକ୍ସରେ ସଞ୍ଚିତ ୩୦ ଟଙ୍କା, ତିନିଟା ଦଶ ଟଙ୍କିଆ , ଖଣ୍ଡିଆ ପ୍ୟାଣ୍ଟ ପକେଟରେ ପୁରେଇଦେଲେ । କହିଲେ, ସୁନାଟା ପରା ! କାହାକୁ କହିବୁନି , ପାଗଲି-ଟୁନା ହେରିକା ଯେମିତି ଟେର ନ ପାଆନ୍ତି , ସଡା ନ ଶୁଣନ୍ତି । ଆଜି ପାର୍  ଯାଇ ବରଫ ଖାଇବୁ, ଚିଡିଆ ଘର ବୁଲିବୁ , ବରା-ପକୋଡି କିଣି ଖାଇବୁ......ଇତ୍ୟାଦି ........।


ପଇସା ପକେଟରେ ପଡିବା କ୍ଷଣି ରଂପାର ଦେହରେ ଯେମିତି ଓଜନ ଆସିଗଲା ,ଶତ ସିଂହର ପରାକ୍ରମରେ ଯେମିତି ପୂରା ପାର୍ବଣକୁ  କିଣି ଆଣିବ ବୋଲି ଭାବିଲା । ସତେ ଯେମିତି ପାଦ ଆଉ ଭୂଇଁରେ ଲାଗୁନଥିଲା ।ଛାତି ଭିତରେ, ମନ ମଧ୍ୟରେ ଏକ ସୁନେଲି ସ୍ମିତ ହାସ୍ୟରେଖା ଉକୁଟି ଉଠୁଥିଲା । ଆଜି ସବୁ କାମ ଠିକ ଠାକ ବେଶ ସୁରୁଖୁରୁରେ –ସରାଗରେ-ସରଶରେ ଚାଲୁଥିଲା । ବା’ ରେ ବାମ ! ପଇସା କ୍ୟା ନ କରେ କାମ !

“ବନ୍ଧୁଗଣ ! ଆଜି ରତାଇ ହାଇସ୍କୁଲ ପ୍ରାଙ୍ଗଣରେ ଶାରଦୀୟ କବାଡି ଟୁର୍ନାମେଣ୍ଟର ଶୁଭାରମ୍ଭ । ପ୍ରଥମ ମ୍ୟାଚ ଭାନୁପୁର ଭାରସେସ କଟିସାହି । ବିପୁଳ ସଂଖ୍ୟାରେ ଯୋଗଦେଇ ଟୁରନାମେଣ୍ଟକୁ ସାଫଲ୍ୟମଣ୍ଡିତ କରାନ୍ତୁ ।” ଗୋଲକା ପାଢୀର ଡାକବାଜି ଯନ୍ତ୍ରର ତରଂଗ ମନରେ ବିଦ୍ୟୁତ ଖେଳିଦେଲା । ଗାଧୋଇ , ଭାତ ଖାଇ ବାପା ଗଲେ ଶୋଇବାକୁ । ଆମ୍ବ ଗଛ ଛାଇରେ ବୁଲିଆସେ ମା’କୁ କହି ରଂପା ଗଲା ବାରିପଟକୁ । ଠାକୁମା ଖାଲି କଣେଇ କଣେଇ ଆଖିରେ ଆଖିରେ ହିଁ ଜାଣିପାରିଥିଲେ ଏ ନାତି ଟୋକା କୁଆଡେ ଚମ୍ପଟ ମାରିବ ।


ପାରମ୍ପାରିକ ଢଙ୍ଗରେ ଅନନ୍ତା-ପଦୁ-ହାଡିଆ- ନେଉଳ ଇତ୍ୟାଦି ସମସ୍ତେ ଆମ୍ବଳାଆଡ଼ିରେ ଅପେକ୍ଷାରତ । ରଂପା ଆସିଲେ ଏକାବେଳକେ ଛୁ-ମନ୍ତର କରିବେ । ଆଜି ପକେଟ ପୁଣି ଗରମ । ଯେମିତି ଏକା ନିଶ୍ଵାସରେ ଖେଳ ପଡିଆରେ ହାଜର । ପହଞ୍ଚିଲା ବେଳକୁ ଖେଳ ଆରମ୍ଭ ହୋଇଗଲାଣି । ସମସ୍ତେ ରଂପାକୁ କେତେ କ’ଣ କହି ଚାଲିଲେ , ଖେଞ୍ଚି ପକେଇଲେ ; ମାତ୍ର ରଂପାର ମନ ଆଉ କେଉଁଠାରେ ।ଶେଷରେ କଟିସାହି ଭାନୁପୁରକୁ ହରେଇ ପରବର୍ତୀ ସୋପାନରେ ପହଞ୍ଚିଲା ।

ଖେଳ ସରୁ ସରୁ ରାସ୍ତା ପୂରା ପୂରି ଜାମ । ଠେଲା ପେଲାରେ ଦେହ ହାତ ଝାଳେଇ ଗଲା । ପାର୍ବଣ ଆରମ୍ଭ ..... ଦୋକାନ ଧାଡ଼ି ଧାଡ଼ି ହୋଇ ଲାଗିଛି ସମୁଦ୍ରକୋଳରେ ଲାଗିଥିବା ଝାଉଁବଣ ପରି । ପ୍ରଥମେ ଆମେ ସବୁ ଯୋଡି ହୋଇ ତିନି – ଚାରି ଘେରା ବୁଲିଆସିଲେ ।


ଦୁର୍ଗାମେଢ ଆଗରେ ଠିଆହୋଇ ଆଖି ବୁଜି ନମସ୍ତେ କଲେ ।ଶେଷରେ ମନୋହରି ଗଳିରେ ପହଞ୍ଚିଲେ । ରାସ୍ତାର ବାଁ-ଡାହାଣ କଡରେ ଭଳିକି ଭଳି ଖେଳଣା । ଏଠାରେ ରାଜା ସେଠାରେ ରାଣୀ , ଏଠାରେ ଟ୍ୟାଙ୍କ ସେଠାରେ ବନ୍ଧୁକ –ମ୍ୟାସିନଗନ, ଏଠାରେ ଟ୍ରେନ ସେଠାରେ ବଳଦଗାଡି ......। କେହି କେହି ଗୋଟାଏ ଦି’ଟା ଖେଳଣା କିଣିଲା । ରଂପା ଭାବିଲା , ଖେଳଣା ବହୁତ ଦାମୀ , ଏକେଦମ ବେକାର । ଯଦି ଖେଳଣା କୌଣସି କାରଣରୁ ହାତରୁ ଖସିଯିବ , ତାହେଲେ କଥା ସରିଲା, ଚୂର ଚୂର କରି ଭାଙ୍ଗିଯିବ .... ପଇସା ସବୁ ପାଣିରେ ପଡିଯିବ ।

ସାଙ୍ଗମାନେ ଆଗକୁ ବଢିଚାଲିଥିଲେ ଏବଂ ମିଠା ଦୋକାନ ଲାଇନରେ ପହଞ୍ଚିଲେ । କେହି କାଲାଜାମୁନ ଖାଇଲା ତ କେହି ଗରମା-ଗରମ ପକୁଡି ଖାଇଲା । ମାତ୍ର ରଂପା କେବଳ ଅଠା ଅଠା ଜିଭକୁ ଚାଟି ଚାଟି ମନରେ ଉଠିଥିବା ଆଶାର କ୍ଷୁଧାକୁ ଦଳି-ଚକଟି ଖତମ କରିଦେଲା । କାରଣ ଅଭାଗା ପାଖରେ କେବଳ ୩୦ଟି ଟଙ୍କା । ସେ ଖାଲି ଳୋଲୁପ ଦୃଷ୍ଟିରେ ସାଙ୍ଗମାନେ ଖାଉଥିବା ଦେଖି ନୟନ ସୁଖ ମେନ୍ଟାଉଥିଲା ।


ପରବର୍ତ୍ତୀ ଧାଡିରେ ଜୋତାଦୋକାନ – କଂସାପିତ୍ତଳ – ଲୁହା ଦୋକାନ ଆସିଲା । ଏଥିରେ ସାଙ୍ଗମାନଙ୍କର ମନ ଆଦୌ ଲାଗୁନଥିଲା । ହଠାତ ଲୁହା ଦୋକାନରେ ଏକ ଛୋଟ ହେମାଦସ୍ତାକୁ ଦେଖି ରଂପାର ମନ ଲାଖିଗଲା ।ତାକୁ ଲାଗିଲା, ଠାକୁମାର ଦାନ୍ତ ନ ଥିବାରୁ ପାନ ଖାଇବାକୁ ବହୁତ କଷ୍ଟ ପାଉଛି । ଏଇଟା ତାକୁ ଦେଲେ ପାନକୁ ଛେଚି ଖାଆନ୍ତା ଏବଂ ତା’ର ପାକୁଆ ପାଟିକୁ ବି ସୁଆଦିଆ ଲାଗନ୍ତା । ସେ ଦୋକାନୀକୁ ପଚାରିଲା , “ ଛୋଟ ହେମଦସ୍ତା କେତେକରି, କେତେ ଦାମ ନେବ ଭାଇ ?”

“ ଚାଳିଶ ଟଙ୍କା ପଡିବ ?”—ବ୍ୟସ୍ତତା ଭିତରେ ଦୋକାନୀ କହୁ କହୁ କହିଦେଲା ।

ରଂପାର ମନ ମରା ହୋଇଗଲା । ପୁଣି ସାହସ ସଞ୍ଚୟ କରି, ହିମ୍ମତ ଯୋଟେଇ କରି କହିଲା , “ ଠିକ ଠିକ କେତେ ନବ ?”

“ଠିକ ଠିକ ୩୫ ଟଙ୍କା ପଡିବ , ନେବ ତ ନିଅ , ନୋହିଲେ ରାସ୍ତା ଆଗେ ଯାଅ ।”- ଟିକିଏ ଭାରି ଭାରି ଚଢା ଆବାଜରେ ଦୋକାନୀ କହିପକେଇଲା ।

ରଂପା କଥାକୁ ଟିକିଏ କଡା କରି କହିଲା , “୩୦ ଟଙ୍କା ନେବ”, ଏବଂ ଆଗକୁ ଧୀରେ ଧୀରେ ଗଣି ଗଣି ପାହୁଣ୍ଡ କାଢୁଥିଲା କାଳେ ଦୋକାନିଭାଇ ତା’କୁ ପଛରୁ ଡାକିବ ।

ସତକୁ ସତ ଦୋକାନୀ ଗଳାକୁ ସଫାକରି ପଚ୍ଛରୁ ଡାକିଲା ଏବଂ ପଲିଥିନରେ ହେମଦସ୍ତାକୁ ପ୍ୟାକ କରି ଏ ହାତରୁ ଦେଲା ଓ ସେ ହାତରେ ତିନିଟା ୧୦ ଟଙ୍କିଆ ଗଣି କରି ନେଲା । ହେମଦସ୍ତାକୁ ହାତରେ ଚାପିରଖି ସାଙ୍ଗମାନଙ୍କ ଗହଣରେ ଯାଇ ପହଞ୍ଚିଲା ।ଅନନ୍ତା ମଜାକରି କହିଲା, “ ଦେଖରେ ପଦୁ, ରଂପା ଆଣିଛି ହେମଦସ୍ତା , କ’ଣ କରିବୁ, ମସଲା ବେପାର ନା ଆଳୁଦମ ତରକାରୀ ।”

ରଂପା ନିଜ ହେମଦସ୍ତାକୁ ବାଲିରେ ଦୁଲକରି ପକେଇ ଦେଲା ଏବଂ କହିଲା, “ ହିମ୍ମତ ଅଛି ତ ପକା ଦେଖି ତ ଟ୍ରେନ ଓ ଟ୍ୟାଙ୍କ ! ନ ଭାଙ୍ଗିବ ତ ମୋ ନାଁରେ ହଳେ କାଳିଆ କୁକୁର ପାଳିବୁ ।”

ସମସ୍ତେ ଅନନ୍ତାକୁ ଦେଖି ଖତେଇ ହେଲେ ।

ରାତି ଆଠ ପର୍ଯ୍ୟନ୍ତ ମେଳାରେ ବୁଲି ବୁଲି ହାଲିଆ ହୋଇ ଘରକୁ ସମସ୍ତେ ଫେରିଲେ । ରଂପା ଘରେ ନ କହି ଯାଇଥିବାରୁ ପାଦକୁ ଚିପି ଚିପି ପକାଉ ପକାଉ ତରକ-ମରକ ଭାବରେ ଧଡକା ଆଢିଲା ବେଳକୁ ଦେଖିଲା ଠାକୁମା ପିଣ୍ଡାରେ ବସି “ ହରେକୃଷ୍ଣ ହରେରାମ “ ଗାଉଛି । ଜାଣିଲା ବାପା ଘରେ ନାହାନ୍ତି । ଦେହରେ ଜୀବନ ପଶିଲା ।


ଠାକୁମା ଧଡକାର ଶବ୍ଦ ଶୁଣି ଭାବିଲା ରଂପା ଆସିଗଲାଣି । ଈଷାରାରେ ପାଖକୁ ଡାକି ପଚାରିଲା ପାର୍ବଣରେ କ’ଣ ସବୁ ଖାଇଲୁ । ହାତରେ ଏକ ପୋଟଳା ଦେଖି ପଚାରିଲେ – “ ଏ କ’ଣ ଆଣିଛୁ ?”

“ଛୋଟ ହେମଦସ୍ତା “- ରଂପା କହିଲା ।

“କେତେ ପଇସା ନେଲା ?”- ସରାଗରେ ଠାକୁମା ପଚାରିଲେ ।

“୩୦ ଟଙ୍କା ନେଲା “, ରଂପା ଉତ୍ତର ଦେଲା ।

ଠାକୁମା ଗଳା ଜୋରକରି ରାଗିକି କହିଲା , “ କେମିତିକା ଛୁଆ କେଜାଣି , ପାର୍ବଣରେ କିଛି ବି ଖାଇନୁ ? ଭୋକରେ , ଖାଲି ପେଟରେ ଘୂରି ଘୂରି ଚାଲିଆସିଲୁ । ଆସିଲା କ’ଣ ନା ହେମଦସ୍ତା ?ପୂରା ପାର୍ବଣରେ ତୋତେ ଆଉ କିଛି ମିଳିନାନି ନା କ’ଣ ?”

ରଂପା ଅପରାଧୀ ପରି ଚୁପ ଚାପ ଠିଆ ହେଲା ଏବଂ ଧୀରେ ଧୀରେ କହିଲା , “ ଦାନ୍ତ ନ ଥିବାରୁ ତୁ ପାନ ଖାଇପାରୁନୁ । ତୁ ପାନ ଛେଚି ଖାଇବୁ ବୋଲି ଆଣିଛି ।”

ଠାକୁମାର ରାଗ ତୁରନ୍ତ ପାଣିଫୋଟକା ପରି ବାଷ୍ପିତ ହୋଇଗଲା । ମନ ସ୍ନେହରେ ଗଦ ଗଦ ହୋଇ ଉଠିଲା । ସେ ଦୁଇ ହାତକୁ ମେଲାକରି ରଂପାକୁ କୋଳେଇ ନେଲେ ଏବଂ ଉପରକୁ ଚାହିଁ କହିଲେ –“ହେ ଭଗବାନ ! ଛୁଆକୁ ମୋ’ ବୟସ ସବୁ ଦେଇଦେ ।”

ମମତାରେ ସିକ୍ତ ଠାକୁମାର ଆଖି କୋଣରୁ ବଡ ବଡ ଲୋହ ଟୋପା ଠପ ଠପ କରି ଝରିପଡୁଥିଲା ଖୁସିରେ ।



Rate this content
Log in