Padmalaya Mishra

Others

3  

Padmalaya Mishra

Others

ପାନ

ପାନ

2 mins
214


 ମୁଁ ପାନ ଖାଇବାକୁ ଭଲ ପାଏନି । କିନ୍ତୁ ରଜପାନର ମଜା ନିଆରା । ପାଟିରେ ମିଳେଇ ଯାଉଥିବ । ପାନ ସହ ମୋର ବହୁତ ସ୍ମୃତି । ଆମ ଘରେ ଜେଜେବାପାଙ୍କ ନା ଜେଜେମାଆ ଦେଇଥିଲା ପାନୁଆ ବୁଢା । ସକାଳୁ ନିତ୍ୟକର୍ମ ସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ ପରେ ପରେ ଦାଣ୍ଡପିଣ୍ଡାରେ ବସି ପଡିବେ ପାନ ଭାଙ୍ଗିବାକୁ । ଖଣ୍ଡେ ଦିଖଣ୍ଡ ନୁହେଁ ତିରିଶ ଖଣ୍ଡ । ବୋଉ ଜଳଖିଆ ଖାଇବାକୁ ଡାକୁଥିବ କିନ୍ତୁ ସେତକ ପାନ ଭାଙ୍ଗି ଡବା ଭିତରେ ନପୁରେଇଲା ପର୍ଯ୍ୟନ୍ତ ଆସିବେନି । ଏପଟେ ଜେଜେମାଆ ଦିଅଁ ପୂଜା କରୁ କରୁ ପାଟି କରୁଥିବ- ହଁ ହଁ ବୁଢାର କିଛି କାମ ନାହିଁ ବୋଲି ଆଉ କାହାର କିଛି କାମ ନାହିଁ । ଜଗିଥିବେ ସମସ୍ତେ କେତେବେଳେ ପାନ ଭଙ୍ଗା ସରିବ ତ ପ୍ରଭୁ ବିଜେ ହେବେ ଖାଇବାକୁ । ଆଉ ଜେଜେବାପାଙ୍କ ପାଟି ଶୁଭିବ- ହଁ ମୋ ପାନ ଭଙ୍ଗାଠି ଠିପ । ହେଲେ ବୁଢ଼ୀ ଦିଅଁଙ୍କ ଘର ଭିତରେ ସକାଳ ସାତରୁ ଦିନ ବାର ପର୍ଯ୍ୟନ୍ତ କଣ କରୁଛି ପିଲେ ଟିକେ ଦେଖରେ । ଦୁହିଁଙ୍କ ପାଟିରେ ସକାଳୁ ଘର ପଡେ ଉଠେ । 

  ପୁଣି ଚାରିଟା ବେଳେ ଚା' ପିଇବା ପୂର୍ବରୁ ତିରିଶ ଖଣ୍ଡ ପାନ ଭଙ୍ଗା ହେବ । ସାଇଜ ହେଇ ବୁଢା ଆଗୁଣ୍ଠି ସାହାଯ୍ୟରେ ଚୁନ ଲଗା ହୋଇ ପାନ ତିନି ଧାଡିରେ ଥୁଆ ହେବ । ସେଥିରେ ଧୂଳି ଗୁଆ ( ଯେହେତୁ ବାପାଙ୍କ ଦାନ୍ତ ସବୁ ଝଡି ଯାଇଥାଏ ) ପଡେ । ତାପରେ ବାଇଗୀଣି ପତ୍ର ଗୁଣ୍ଡି ମନ୍ଥି ପକାନ୍ତି । ଟିକେ ଖଇର, ପିମ୍ପରମେଣ୍ଟ ବି ପଡେ । ମତେ ଜେଜେଙ୍କ ପାନ ଭଙ୍ଗା ଦେଖିବାକୁ ଭଲ ଲାଗେ । 

 ଜେଜେଙ୍କ ପାନର ସ୍ଵାଦ ଜାଣିବା ପାଇଁ ଦିନେ ତାଙ୍କ ଡବାରୁ ଖଣ୍ଡେ ପାନ କାଢି ଖାଇଦେଲି । ମୋର ମୁଣ୍ଡ ବୁଲେଇ ବାନ୍ତି ହେଲା । ମୁଁ ବେହୋସ ହୋଇଗଲି । ହୋସରେ ଆସିଲା ବେଳକୁ ବୁଢା ବୁଢ଼ୀ ଭିତରେ ରାଇ ରାବଣ ଯୁଦ୍ଧ । ମୁଁ ନିଜେ ଖାଇଛି କହିଲେ ବି ଜେଜେମାଆ ଶୁଣିବାକୁ ନାରାଜ । ପାଟି କରୁଥାଏ ଦଶବର୍ଷ ପିଲାକୁ ପାନ ଖୁଆଇ ପାନୁଆ କରିଦିଅ । ଜୀବନ ଯାକ ଯେତିକି ପାନ ପିଛା ଟଙ୍କା ସରିଲାଣି ଦିମହଲା କୋଠା ବାଡିଆ ହନ୍ତାଣି ।ତା ପରଠୁ ମୁଁ କେବେ ପାନ ଖାଇନି । ବଡ ହେଲା ପରେ ଯାହା ରଜପାନ ଖଣ୍ଡେ ଦିଖଣ୍ଡ ଖାଏ । 

 ଘରେ ଆଇଁଷ ହେବା ଦିନ ନନା କାକା ବୋଉ ଖୁଡି ଯିଏ ଯାହା ବାଟେ ଲୁଚି ଲୁଚି ମିଠା ମସଲା ପକେଇ ଜେଜେଙ୍କ ଡାଲାରୁ ପାନ ଭାଙ୍ଗି ଖାନ୍ତି । 

 ଜେଜେବାପା ଚାଲି ଗଲା ପରେ ତାଙ୍କ ଦଶାହ ଦିନ ଭୋଜିରେ ପାନ ଲାଗିଲା । ଏବେ ଜେଜେଙ୍କ ପାନ ଡାଲା ତାଙ୍କ ସ୍ମୃତି ହୋଇ ତାଙ୍କ ପେଡି ଉପରେ ଥୁଆ ହେଇଛି । ଜେଜେମାଆ ସମସ୍ତଙ୍କ ଅଲକ୍ଷ୍ୟରେ ପାନ ଡାଲାକୁ ଚାହିଁ ଦିଧାର ଲୁହ ଗଡଉଛି ।।



Rate this content
Log in