Birakishore Nayak

Others

4.0  

Birakishore Nayak

Others

ନଣ୍ଡା ବରଗଛ

ନଣ୍ଡା ବରଗଛ

3 mins
318



    ନୂଆହୋଇ ତିଆରି ହେଇଥିବା ଗାଁ ପିଚୁ ରାସ୍ତାରେ ବାଡ଼ି ଖଣ୍ଡକ ଠକଠକ କରି ଚାଲିଥିଲା ହରିବୁଢା l ଆଜିକାଲି ସଞ୍ଜସକାଳେ ସେ ଟିକିଏ ଚାଲବୁଲ କରୁଛି l ଡାକ୍ତର କହିଛନ୍ତି -ଦୈନିକ ଘଣ୍ଟେଅଧେ ଚାଲବୁଲ କରିବା ପାଇଁ l ଦେହର ଶିରାପ୍ରଶିରାରେ ରକ୍ତ କୁଆଡେ ଖେଳିବ, ସୁସ୍ଥ ରହିବ ଦେହଟା l ବୁଢା ଭାବେ, କଣ ଆଉ ସୁସ୍ଥ ହେବ ଦେହ l ବୟସ ତ ଏବେ ଅଶି ଛୁଇଁଲାଣି, ତାରି ସାଙ୍ଗରୁ କେତେ ଜଣ ଚାଲିଗଲେଣି ଆରପାରିକି l ଏବେ ତା ପାଳି l ମରଣକୁ ଅପେକ୍ଷା ଯେମିତି l

     ସଞ୍ଜ ନଇଁ ନଇଁ ଆସୁଥିଲା l ପଶ୍ଚିମ ଆକାଶରେ ସୂର୍ଯ୍ୟ ଅସ୍ତ ହେଇନାହାନ୍ତି l ବୁଡିବା ବୁଡିବା ହେଲେଣି l ଏବେ ଘରକୁ ଫେରିବାକୁ ପଡିବ l ଅନ୍ଧାର ହେଇଗଲେ ବୁଢାକୁ ଆଉ ଭଲ ଦେଖାଯାଉନି ଆଜିକାଲି l ଆସୁ ଆସୁ ହରିବୁଢ଼ା ଛିଡା ହେଇଗଲା ଗୋଟାଏ ନଣ୍ଡା ବରଗଛ ପାଖରେ l ଏଇ ବରଗଛଟlରେ ତା ପିଲାଦିନର ସ୍ମୃତି ସବୁ ସାଇତା ହେଇଛି l ମନେ ଅଛି ସବୁ ବୁଢାର, କେତେ ଝଙ୍କାଳିଆ ଗଛଟାଏ ଥିଲା ଏଇଟା l ତାର ମୋଟାମୋଟା ଡାଳରେ ପିଲାଦିନେ ସାଙ୍ଗସାଥିଙ୍କ ସହିତ ଚଢି କେତେ ଯେ ନଖେଳିଛି ସିଏ l ତାର ଡାଳମାନଙ୍କରୁ ଓହଳ ସବୁ ବାହାରି ମାଟିରେ ଲାଗିଥିଲେ, ତା ପୁଅଭଳି ଟେକିଧରିଥିଲେ ଯେମିତି ତାକୁ l ଖରାଦିନିଆ ଖରାବେଳେ ତା ତଳେ ତ ମେଳା ଲାଗେ ଯେମିତି l ଗାଁର ପିଲାଠାରୁ ବୁଢା ପର୍ଯ୍ୟନ୍ତ ଗ୍ରୀଷ୍ମ ତାତିରୁ ରକ୍ଷାପାଇବାକୁ ତାରି ତଳେ ଜମା ହୁଅନ୍ତି l କେତେ ଶୀତଳ ଲାଗୁଥିଲl ତା ଛାଇରେ ସେତେବେଳେ l ଡାଳଗୁଡିକର ଘଞ୍ଚ ପତ୍ରଗହଳି ଭିତରେ ନାନା ଜାତି ଚଢେଇଙ୍କର କିଚିରିମିଚିରି ଶବ୍ଦସହିତ ପବନର ସୁସୁ ଶବ୍ଦ ମିଶି କାନକୁ ଭାରି ମଧୁର ଲାଗେ l କେଉଁ ମଧୁର ସଂଗୀତର ରାଗିଣୀ ଯେମିତି l କେତେ ଚଢେଇ ଯେ ତା ଡାଳଗୁଡିକରେ ବସାବାନ୍ଧି ରହିଥିଲେ, ତାର ହିସାବ ସିଏ ରଖିଥିଲେ ରଖିଥିବ l ସେଇ ନଣ୍ଡା ବରଗଛଟାକୁ ଦେଖି ଭାରି ଦୁଃଖ ଲାଗୁଥିଲl ହରିବୁଢାକୁ l କେତେ କାଳରୁ ହିଁ ଗଛଟା ଛିଡା ହେଇଥିଲା ସମସ୍ତଙ୍କୁ ତା ଛାଇ ତଳେ ଆଶ୍ରୟ ଦେବା ପାଇଁ ଯେମିତି, କେତେ ପୁରୁଷ ହେବ କେଜାଣି l ଗଲା ସନ ବାତ୍ୟାରେ ସବୁ ଶେଷ ହେଇଗଲା ତାର l ବାତ୍ୟାର ପ୍ରଚଣ୍ଡ ପବନରେ ତା ଡାଳଗୁଡା ସବୁ ଭାଙ୍ଗି ମାଟିରେ ପଡିଲା, ନଣ୍ଡା ହେଇଗଲା ପୁରା | ସେଇ ବାତ୍ୟାରେ ଗୋଟେ ବଡ ଚଡ଼ଚଡ଼ିରେ ପୋଡ଼ିଗଲା ତାର ଗଣ୍ଡିଟା ଯେ, ତା ଦେହରୁ ଆଉ ପତ୍ର କଅଁଳିଲା ନାହିଁ | ମରିଗଲା ସେଦିନ ଏତେ ବଡ଼ ଗଛଟା | ଗାଁ ଲୋକେ ସେଇ ଡାଳସବୁକୁ ହାଣି ନେଇଗଲେ ଜାଳ କରିବାକୁ | ଖାଲି ଯାହା ତା ମଲା ଗଣ୍ଡିଟା ଛିଡାହେଇଛି ଆଜିଯାଏ | ଠିଆହେଇ ସମସ୍ତଙ୍କୁ ଦେଖୁଛି ଯେମିତି | ତା କୋଳରେ ଆଶ୍ରୟ ନେଇଥିବା ଚଢେଇଗୁଡା କୁଆଡେ ଗଲେ ଯେ, ଆଉ ଆସି ନାହାନ୍ତି ଦିନେ | ଏଇ ଗାଁର କେଉଁ ଲୋକ ଯେ ତା ଛାଇରେ ବସିନାହାନ୍ତି, ସେକଥା କେହି କହିପାରିବେ ନାହିଁ | ଜମିବାଡ଼ିକୁ ଯିବାଆସିବା ବେଳେ ଦଣ୍ଡେଘଡିଏ ବସନ୍ତି ସଭିଏଁ କ୍ଲାନ୍ତି ମେଣ୍ଟାଇବା ପାଇଁ | ଗାଈଆଳ ପିଲାତ ପଡିଆରେ ଗାଈ ଛାଡ଼ିଦେଇ ତାରି ମୂଳରେ ବସି ଗୀତର ଲହର ଛାଡେ | ସବୁ କିନ୍ତୁ ଶେଷ ହେଇଯାଇଛି ଆଜିକି, କିଏ ମନେ ପକାଉଛି ତାର ଇତିହାସ | ସ୍ତବ୍ଧ ଚକିତ ଥୁଣ୍ଟାଗଛଟା ଛିଡାହେଇ ଏ ଦୁନିଆକୁ ଉପହାସ କରୁଥିଲା ଯେମିତି |

     ସୂର୍ଯ୍ୟ ବୁଡିଗଲେଣି ପଶ୍ଚିମ ଆକାଶରେ | କଅଁଳ ଅନ୍ଧାରରେ ହରିବୁଢା ବାଡ଼ି ଠକ ଠକ କରି ଫେରିଲା ଘରକୁ | ଘରେ ପହଞ୍ଚିଲା | ସେ ଘରେ ଏକା | ନିଜର ବୋଲି ଯେଉଁମାନେ, କେହି ପାଖରେ ନାହାନ୍ତି | ବୁଢ଼ୀ, ତା ସ୍ତ୍ରୀ କେଉଁ ଗୋଟାଏ ଅଚିହ୍ନା ରୋଗରେ ପଡି ଦିବର୍ଷ ହେଲାଣି ମରି ଗଲାଣି | ଗୋଟିଏ ବୋଲି ପୁଅ ଯେ, ସେ ଚାକିରୀ କରିଛି ବାହାରେ | ବୁଢାମନରେ ଏତିକି ଖୁସି ଯେ, ଜୀବନସାରା ବିଲରେ ଖଟି ଖଟି ପୁଅଟାକୁ ପାଠ ପଢାଇ ମଣିଷ କରିଦେଇଛି, ଭଲ ଚାକିରୀ ଖଣ୍ଡେ ପାଇଛି ସିଏ ସହରରେ | ତାରି ପାଖରେ ବୋହୂଟାବି ରହୁଛି, ନହେଲେ ପୁଅଟା ଚଳିବ କେମିତି |ଚାକିରୀ ବାକିରି କଥା, ନିଜେ ହାତରେ ରାନ୍ଧି ଖାଇ କଣ ଚାକିରୀ କରିପାରିବ ! ଘରେ ଚାବି ପକାଇ ବୁଢା ପୁଅ ପାଖକୁ ସହରକୁ ଚାଲି ଯାଇଥିଲା | କିଛିଦିନ ରହିଲା | ହେଲେ ବୁଢାକୁ ସେଠି ଭଲ ଲାଗିଲାନି | ପୁଅବୋହୂଙ୍କର ବ୍ୟବହାର କେମିତିଗୋଟେ ଖାପଛଡାଭଳି ଲାଗିଲା ବୁଢାକୁ | ପୁଅକୁ କହି ଚାଲିଆସିଲା ଗାଁକୁ | ଯାହାହେଲେ ନିଜ ଗାଁ, ନିଜଘର,ସାହିପଡୋଶୀ, ସାଙ୍ଗସାଥି -କେତେ ଆନନ୍ଦ | ବୁଢା ସେଇ ଦିନଠାରୁ ପୁଅପାଖକୁ କେବେ ଯାଇନି, କି ପୁଅ କେବେ ତା ପାଖକୁ ଯିବାପାଇଁ ଆଉ କହିନାହିଁ | ବାକି ଝିଅ ଦୁଇଜଣ, ଦୂରଗାଁରେ ଭଲ ଭଲ ଘର ଦେଖି ସେମାନଙ୍କୁ ବାହା ଦେଇଛି ବୁଢା | ସଂସାର ଜଞ୍ଜାଳ ଭିତରେ ସେମାନଙ୍କୁ ବି ସମୟ ନାହିଁ ବୁଢା ପାଖରେ ଆସି ରହିବାକୁ | ଆସନ୍ତି କେବେ କେମିତି, ଦେଖିକି ଚାଲି ଯାଆନ୍ତି ସେଇଦିନ | ବୁଢା ବି ଦୁଃଖ କରେନା, ଭାବେ, ତା ଦିନ ତ ସରିଲାଣି, ସେମାନେ ଭଲରେ ରହନ୍ତୁ |

     ବୁଢା ଏକା ଏକା କେମିତି କେମିତି ଚଳିଯାଏ | ପୁଅ ପାଠପଢ଼ା ଓ ଝିଅ ଦୁହିଁଙ୍କର ବାହାଘରରେ ଅଧାରୁ ଅଧିକ ଜମି ବିକ୍ରି ହେଇଯାଇଥିଲା, ଆଉ ଯେଉଁ ଜମି କିଛି ଅଛି, ଭାଗଚାଷରେ ଲାଗିଛି | ଯାହାକିଛି ମିଳୁଛି ସେଥିରୁ, ସେତିକିରେ ଚଳିଯାଏ ବୁଢ଼ା | କେବେ ଗଣ୍ଡେ ଦିନ ବେଳା ରାନ୍ଧିଲେ, ଦୁଇ ବେଳlକୁ ହେଇଯାଏ ସେତିକି, ନହେଲେ ଚୁଡା କି ମୁଢି ଗଣ୍ଡେ ଖାଇଦେଇ ବୁଢା ଚଳେଇନିଏ | ଆଉ କଣ ଆଗଭଳି ଖାଇଲେ ଦେହରେ ଯିବ !

      ଆଜି ଭୋକ ନାହିଁ ବୁଢାକୁ | ଭଲ ବି ଲାଗୁନଥିଲା ମନଟା, ସେ ଅନୁଭବ କରୁଥିଲା, ସେ ବି ଯେମିତି ଗୋଟେ ନଣ୍ଡା ବରଗଛ | ରାତିର ଆକାଶକୁ ଚାହିଁଥିଲା ହରିବୁଢା, ଲାଗୁଥିଲା ଯେମିତି ଆକାଶର ତାରାଗୁଡାକ ଦୁରକୁ ଦୁରକୁ ଚାଲି ଯାଉଛନ୍ତି ସବୁ |


     


Rate this content
Log in