ନଳବଣ
ନଳବଣ
ଚିଲିକା ଭିତରେ ମାଆ କାଳିଜାଇ ପୀଠ l ଭାରି ପ୍ରତ୍ୟକ୍ଷ ମାଆ l ସମସ୍ତେ ମିଶି ଶୀତ ଦିନେ ବାହାରିଲୁ ବୁଲିବାକୁ, ଡ଼ଙ୍ଗା ଟିଏ ରିଜର୍ଭ କଲୁ l ସେଇ ଡଙ୍ଗାରେ ରୋଷେଇ ବ୍ୟବସ୍ଥା ଥାଏ l ଚିଲିକା ହ୍ରଦ ଦେଇ ଚାଲୁଥାଏ ଡ଼ଙ୍ଗା ଆଉ ଟିକି ନାତୁଣୀ କହୁଥାଏ, ଡ଼ଙ୍ଗାରେ ଡୁଗୁ ଚାଲିଲା ଡୁଗୁ ଚାଲିଲା....ଚାଲିଲା l ଏହି କଥା କେଇପଦ ତାର ମତେ ଅତୀତ ର ବହୁ ପଛକୁ ଫେରେଇ ନେଇଥିଲା l
ଆମେ ଦୁଇ ଭଉଣୀ ପରେ ମୋ ଭାଇ ଜନ୍ମ ପରେ ତା ନାମ ବାପା କାଳିଜାଇଙ୍କ ଅନୁଯାୟୀ, କାଳୀକିଙ୍କର ରଖିଥିଲେ ଆଉ ତାକୁ ବର୍ଷେ ହେଲା ପରେ ତାର ପ୍ରଥମ ଚୁଟି କାଳିଜାଇରେ ପକାଇବାକୁ ସ୍ଥିର କରି ସମସ୍ତେ ଯାଇଥିଲୁ ମାଆ କାଳିଜାଇ ମନ୍ଦିରକୁ l ସବୁ ଵିଧି ବିଧାନ ସାରି ଫେରିବା ବେଳକୁ ମୋ ତଳ ଭଉଣୀ ଠିକ ଏମିତି କହୁଥିଲା- ଡଙ୍ଗା ଡୁଗୁ ଡୁଗୁ ଚାଲିଲା l ଆମେ ଭୋକିଲା, ଖାଇବା ଦିଅ l ସେସବୁ କଥା ମନେ ନଥିଲେ ବି ଶୁଣି ଶୁଣି ଲେଖି ହେଇଯାଇଛି ହୃଦୟରେ l ଆଜି ନାତୁଣୀ ଡୁଗୁ କହୁଛି... ଡଙ୍ଗାରେ ଡୁଗୁ ଚାଲିଲା l କେତେ ସାମଞ୍ଜସ୍ୟ କେତେ ଅସାମଞ୍ଜସ୍ୟ ଭାବିଲା ବେଳକୁ ଠିକ ଗହୀରରେ ଦଙ୍ଗା ନାମ ନଳବଣ ଆଉ ସେମିତି ସେଦିନ ବାପା କାଳିଜାଇ କବିତା ଟିକୁ ବୋଲି ବୁଝେଇଥିବା ଭଳି ଆଜି ମୋ ସ୍ୱାମୀ ମଧ୍ୟ ସେହିଭଳି ବୁଝାଇଚାଲିଛନ୍ତି କାଳିଜାଇ କବିତା ଓ କବି ଗୋଦାବରୀଶ ମିଶ୍ରଙ୍କ ବିଷୟରେ l ମୁଁ ଗାଉଥିଲି ଗୋପବନ୍ଧୁଙ୍କ ରେଳ ଉପରେ ଚିଲିକା ଦର୍ଶନର ସେହି କାଳଜୟୀ ପଂକ୍ତି, "ରହ ରହ କ୍ଷଣେ ବାଷ୍ପୀୟ ଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ" ତ ଟିକି ନାତୁଣୀ ଖୁସିରେ ତାଳି ମାରି କହୁଥିଲା, କ୍ଳାପ କ୍ଳାପ ଆଉ ନଳବଣ ପାର ହେଉଥିଲୁ ଆମେ l
