Pratima Das

Others

4.3  

Pratima Das

Others

ନିଷ୍କପଟ

ନିଷ୍କପଟ

4 mins
264


ପବିତ୍ର ଦଶହରାରେ ଆଉ ରହିପାରିଲିନି ଗପଟିଏ ପୋଷ୍ଟ ନ କରି । ମୋ ପ୍ରିୟ ପାଠକ/ପାଠିକାଙ୍କୁ ଅନେକ ଶୁଭେଚ୍ଛା ସହ ଏହି ଗପ “ନିଷ୍କପଟ”।


ବିଘା ପରେ ବିଘା ଜମିରେ ଦୌଡୁଛି ଦୟାଶଙ୍କର। ସର୍ମିଲି...ସର୍ମିଲି.... କେଉଁଠି ତୁ ମା? ଝିଅ କେଉଁଠି ମିଳୁନି । ଦୟାଶଙ୍କର ଜୀବନଠୁ ଅଧିକ ଭଲ ପାଉଥିବା ସାତ ବର୍ଷର ଝିଅ ସର୍ମିଲିକୁ ଖୋଜୁଛି। ସର୍ମିଲି ସର୍ମିଲି ଡାକି ଡାକି ଦୌଡୁଛି। ଦୌଡ଼ି ଦୌଡ଼ି ପହଞ୍ଚି ଗଲା ମାଲିକଙ୍କ ଫାର୍ମର  ରେଷ୍ଟହାଉସ ପାଖରେ।


ଆଜି ମାଲିକଙ୍କ ବଡପୁଅ ଫାର୍ମ ହାଉସରେ ପାର୍ଟି ମନାଇବାକୁ ନିଜର ପୁଅଝିଅବନ୍ଧୁଙ୍କ ସହ ଆସିଛନ୍ତି। ସମସ୍ତେ ମିଶି କ୍ରିକେଟ ଖେଳୁଥିଲେ।ଦୟାଶଙ୍କର ବିକଳ ହୋଇ ଝାଳ ପୋଛି ପୋଛି ପଚାରିଲା, ସାହେବ ଛୋଟ ଝିଅଟେ ଚାଲି ଆସିଛି କି ଏପଟେ? ଦେଖିଛନ୍ତି ?

ଆରେ ନା ନା ଆମେ କାହାକୁ ଦେଖିନୁ,ସାନ ସାହେବ କହିଲେ।

ଦୟାଶଙ୍କର ଫେରି ଆସି ଲଥ କି ବସି ପଡିଛି। ଗୋଡ଼ ନାଠି ହୋଇ ଯାଉଛି।ପାଟିରୁ କଥା ଆଉ ବାହାରୁନି। ପାଖପଡିଶା ଲୋକ ଜମି ଯାଇଛନ୍ତି। ଖଟିଖିଆର ବଳ ବୋଇଲେ କ'ଣ ଆଉ ଯେ !ଏଇ ମଣିଷବଳ ତ !ପାଖ ପଡିଶା ଚୁଗୁଲିମେଳି ସିନା କରନ୍ତି ,ଦେଖିସହି ପାରନ୍ତିନି ଭଲ ବେଳେ। ହେଲେ ମଇଁଷି ଶିଙ୍ଗ ଫଟା ନୀତି.........ବିପଦ ବେଳେ ଆପଣାନ୍ତି। ଏଇତ ତାଙ୍କ ଦୁନିଆଁ।


ଫାର୍ମର ପଶ୍ଚିମ ପଟକୁ କିଛି ପାଖ ପଲା ଲୋକ ଖୋଜି ଯାଇଛନ୍ତି,ଫେରି ନାହାନ୍ତି। ଆଖି ଆଗରେ ନାଚି ଯାଉଛି ସର୍ମିଲି। ସର୍ମିଲିର ମା କାନ୍ଦିକି ଭୂମିରେ ଗଡୁଛି।


ଏହି ଶହେ ଏକର ଫାର୍ମ ହାଉସରେ ସାମାନ୍ୟ ମୂଲିଆଟିଏ ଦୟାଶଙ୍କର। ସୁଦୂର ବିହାରରୁ ପଳାଇଆସିଛି। ପଲାମାରି ରହିଛି ଫାର୍ମ ହାଉସରେ ।ଖଟୁଛି ଖାଉଛି। ସର୍ମିଲିର ମା ସପନା ଉଚ୍ଚ ବିରାଦରିର। ସପନାକୁ ଭଲପାଇଲା ବୋଲି ତାଙ୍କ ବିରାଦରି ଲୋକ ମାରିଦେବାକୁ ବସିଲେ ଦୟାଶଙ୍କରକୁ। ଦୟାଶଙ୍କର ସର୍ମିଲି ମା ସପନାକୁ ଧରି କିଛି ଜଣା ନଥିବା ଟ୍ରେନରେ ଚଢିଗଲା। ଆସିଛିତ ଆସିଛି। ସିଧା ଦିଲ୍ଲୀ। ଇଶ୍ଵରଙ୍କ କୃପା ହେଉ ବା ଦୟାଶଙ୍କରର ଭାଗ୍ୟ କୁହ ସେମାନଙ୍କୁ ମାରିବାକୁ ଆଉ କେହିପିଛା କରିନି ଆଜିଯାଏ।


ରୁଖାଶୁଖା ହେଉପଛେ ସେଇୟାକୁ ଖାଇ, ଏକାଠି ପରିଭଳି ଝିଅଟିକୁ ଧରି ଶାନ୍ତିରେ  ଅଛନ୍ତି ସ୍ବାମୀ ସ୍ତ୍ରୀ। ପଶ୍ଚିମ ପଟକୁ ଯାଇଥିବା ଲୋକ ଫେରି ଆସିଲେ। ସର୍ମିଲି ନାହିଁ କେଉଁଠି। ରାତି ସାତଟା ହେଲାଣି। ଯମୁନା ହାଇୱେ ପଟକୁ ଚାଲି ଯାଇଥିବ ଯଦି ସର୍ମିଲି ପୁଲିସ ନିଶ୍ଚୟ ରଖିଥିବ ଝିଅକୁ। ସେଠି ଭଲଜାତିଆ (କଡ଼ା)ପୁଲିସ କାମ କରନ୍ତି। ଚାଲାଖ ସର୍ମିଲି ବି ପୁଲିସକୁ ବାଟ କଢାଇ , ପୁଲିସ ସାହାଯ୍ୟରେ ଘରକୁ ଆସିପାରିବ।


ସରଳ ନିଷ୍ପାପ ମୁହଁଟି ସର୍ମିଲିର ସମସ୍ତଙ୍କ ପ୍ରିୟ। ପ୍ରଶ୍ନିଳ ଆଖିରେ ସମୁଦ୍ରେ ପ୍ରଶ୍ନ ତା ପାଟିରେ ।ଏଇଟା କ'ଣ ବାବା, ସେଇଟା କଣ ବାବା ପଚାରି ପଚାରି ନୟାନ୍ତ କରିଦିଏ । ଦୟାଶଙ୍କର,ସପନା ଥକିଯାନ୍ତି ନିଜ ଅଳ୍ପ ବୁଦ୍ଧି ବିନିମୟରେ, ସପନାର ଉତ୍ତର ଦେଇ ନପାରି।

ପଲା ଆଉ ପଲା ବାହାର ଚାଷଜମି ଛଡ଼ା କିଛି ନ ଦେଖି ଥିବା ଛୁଆଟି କଣ କରୁଥିବ, କେଉଁଠି ଅଛି ,ଏହା ଭାବି ସମସ୍ତେ ବ୍ୟସ୍ତ ବିବ୍ରତ ହେଉଥିଲେ। ଆଜି ସର୍ମିଲି ବିନା ଘର ଶ୍ମଶାନ ମନେ ହେଉଛି। ଯାହା କରିବା କାଲି ସକାଳେ କରିବା କହି ନିଜ ନିଜ ଘରକୁ ପାଖ ପଡୋଶୀ ଚାଲିଗଲେ।ପାଖପଲାର ପଡ଼ୋଶୀ ରୋଟି ଓ ଲାଉ ସବ୍ଜି ଆଣି , ଆସି ରାଣନିୟମ ପକାଇ ଖୋଇଦେଲା ଦୟାଶଙ୍କର ଆଉ ସପନାକୁ। ରାତିରେ ଓପାସ ଶୋଇଲେ ଛୁଆର ଅମଙ୍ଗଳ ହେବ କହି ।


ରାତି ଜାଙ୍ଗୁଲ ଜାଙ୍ଗୁଲ ଅଛି,ବିକଳ ହୋଇ ଦୟାଶଙ୍କର ଦୌଡୁଛି ସର୍ମିଲି ସର୍ମିଲି ଡାକି ଡାକି। ନା କେଉଁଠି ବି ନାହିଁ। ଝିଅଟିର ବାପାମା  ହେଲେ ମନରେ ଅନେକ ଆଶଙ୍କା ଲାଗିରହିବ ଝିଅ ହଜିଛି ମାନେ। ନରପିଶାଚ ଚାରିପଟେ। ଦିନ ଛ'ଟା ହୋଇ ଗଲାଣି। ଫାର୍ମ ହାଉସ ପଟୁ କିଏ ଆସୁଛି। ଆରେ ସର୍ମିଲି। ମୋ ଧନ। କେଉଁଠି ଥିଲୁ। ତୋ ବିନା ଆମେ ମରିଯାଇଥାନ୍ତୁ। ସିସି କରି ଦେଇଛି ସର୍ମିଲି।ଡ୍ରେସ୍ ଟା ଓଦା। ମା ପାଖରେ ଥିଲେ ରାତିରେ ଉଠାଇ ସିସି କରାଏ ମା। ମା ବିନା ରାତି ସାରା ଏକାଟୁଆ କାଟିଛି। କେଉଁଠି ଥିଲା , କିପରି ଥିଲା ସବୁ ପରେ ପଚାରିବ ଭାବୁଛି ଦୟାଶଙ୍କର। ବାପା ମନରେ ଯାହା ଯାହା ଆଶଙ୍କା ଆସୁଥିଲା ସେ ସବୁ ଝିଅ ଦେହରେ ,ଗୋଡ଼ରେ ,ତଳି ପେଟରେ ହାତମାରି ଦୟାଶଙ୍କର ଛାନଭିନ କରି ଦେଖିଦେଲା। ନା କିଛି ଅସୁବିଧା ନାହିଁ।


ମନୁଷ୍ୟ ସମସ୍ତ ସାମର୍ଥ୍ୟ ହରାଇଦେବା ବେଳେ କେବଳ ଅଦୃଶ୍ୟ ରୂପି ଇଶ୍ଵରଙ୍କୁ ସାମର୍ଥ୍ୟବାନ ମନେ କରେ। ଅଦୃଶ୍ୟଇଶ୍ବରଙ୍କୁ ଗଲା କାଲିଠୁ ଗୁହାରି କରୁଥିବା ଦୟାଶଙ୍କର ହାତଟେକି ଜୁହାର କରିଲା। କୋଟିନିଧି ପାଇଲା ପରି ଝିଅକୁ ଧରି ପଲାକୁ ଆସିଲା। ସର୍ମିଲିର ମା ଝିଅକୁ ପାଇ ହୋସକୁ ଆସିଗଲା। ଝିଅକୁ ନେଇ ଧୁଆପୋଛା କରିଦେଲା। ଶୁଖାଲୁଗା ପିନ୍ଧାଇ ଦେଲା। ଝିଅ ଭାରୀ ଖୁସି ଅଛି। କୁନି ଚଢେଇଟି ଯେପରି ନୁଆ ଦୁନିଆଁ ଦେଖି ଫୁଦକ ଫୁଦକ ଡେଇଁବ ସେମିତି ଡେଉଁଛି,କେତେ କଥା କହୁଛି।


ବାବା ତାର ସବୁ କଥା ଶୁଣେ। ମା ଘର ପାଇଟିରେ ବ୍ୟସ୍ତ ଥାଏ। ବାବା ଆଜି ଝିଅ ମିଳିବା ଖୁସିରେ ଘରେ ଅଛି ,କାମକୁ ଯାଇନି ଝିଅ ସାଙ୍ଗେ କୁନିକୁନି ବିଷୟବସ୍ତୁ ଗପସପ ଚାଲିଛି।

ତୁ ସେତେଦୂର କେମିତି ଗଲୁରେ ମା?

ବାବା ମୁଁ ତୁମ ପଛେ ପଛେ ଗାନା ଗାଇ ଗାଇ ଯାଉଥିଲି। ତୁମେ ହଜିଗଲ।

ଆଛା !ମୁଁ ହଜିଗଲି। ତାପରେ?

ବାବା ସେଇ ଘରର ନୀଳ କାଚ ମୋତେ ଭଲ ଲାଗିଲା। ମୁଁ ସେ ଘରକୁ ଯାଇ ସବୁ ଦେଖିଲି। ମୋତେ ଭଲ ଲାଗିଲା। ଟେବୁଲ୍ ରେ କେତେ ଖାଇବା ଥିଲା। ନାଲି ସେଓ,କଳା ଅଙ୍ଗୁର, କମଳା,ମୋଟା ରୁଟି,କୁକୁଡା ମାଂସ କେତେକଣ। ମୁଁ ବୁଲି ବୁଲି ଖାଇଲି। ବାବା କେତେ ଭାଇ ,ଦିଦି ଆସିଲେ ସେଠିକି। ମୁଁ ପାଟି ଶୁଣି ଡରି ଲୁଚିଗଲି ଖଟତଳେ। ମୋତେ କେହି ଖୋଜିଲେନି। ମୋତେ ଜୋରେ ନିଦ ଲାଗିଲା। ଶୋଇପଡ଼ିଲି ଖଟତଳେ।


ବାବା ଆମର ସେମିତି ଘର ବନେଇବା ନା !ସେ ଘରେ ଯେମିତି ଗାନା ବାଜୁଛି ସେମିତି ଗାନା ବଜାଇବା ଆଉ ନାଚିବା। ବହୁତ ସୁନ୍ଦର ରଙ୍ଗୀନ ଆଲୁଅ ସେ ଘରେ। ତୁମେ ଛିଡା ହୁଅ ବାବା,ମିଶିକି ନାଚିବା । ସେ ଘରେ ଯେତେବେଳେ ଗାନା ଦୁମଦୁମ ହୋଇ ବାଜିଲା ମୋ ନିଦ ଛାଡ଼ିଗଲା। ମୁଁ ଧିରେ ଖଟତଳୁ ସବୁ ଦେଖିଲି।

ବାବା ......ବାବା ତୁମେ ଆମର ସେମିତି ପାଣି କିଣନା ବାବା , ଯେଉଁଥିରୁ ଫେଣ ବାହାରେ। ସେ ଫେଣପାଣିର ଗ୍ଲାସକୁ ସମସ୍ତେ ଚିୟର ଚିୟର କହି ପିଉଥିଲେ। ବାବା ସେମିତି ଫେଣପାଣି ଆମର ଆଣିବା ?


ଆଛା...ଆଣିବା ।

ବାବା ସତରେ ଆଣି ଦେବ । ବାବା ଚାଲ ନାଚିବା ଆମେ। ବାବା ଚାଲନା ! ହେଉ ନାଚିବା। ବାବା ସେଠି ବଡ଼ ଟିଭି ଅଛି।

ଜଣେ ଦିଦି ଆଉ ଭାଇ ସେ ଟିଭି ଦେଖି କେମିତି ଖେଳୁ ଥିଲେ ଜାଣିଛ। ମୁଁ ଖଟତଳୁ ଦେଖୁଥିଲି। ମୋତେ ମଜା ଲାଗିଲା ସେ ଖେଳ ଦେଖିବାକୁ।

ଦୟାଶଙ୍କର ଏକ ବଜ୍ରପାତର ଆଶଙ୍କାର ଅନୁମାନ ଲଗାଇ ଡରି ଡରି ପଚାରିଲେ ,କି ଖେଳ ମା।

ଆସ ବାବା ମୁଁ ଶୋଉଛି। ମୋ ଉପରକୁ ଆସ ବାବା ଶୁଅ ମୋ ଉପରେ। ମୁଁ ସେ ଖେଳ ତୁମକୁ ଶିଖାଇ ଦେବି। ତାପରେ ତୁମେ ଶୋଇବ , ମୁଁ ତମ ଉପରେ......

ଦୟାଶଙ୍କରର ସ୍ତ୍ରୀ ମୁଣ୍ଡ ବୁଲାଇ ଦେଉଥିଲା। ଝିଅକୁ ଟାଣିନେଇ କଣ କଣ ବୁଝାଉଥାଏ। ବଡମାନେ ଏହି ଖେଳ ଖେଳନ୍ତି ବେଟି।


ତୁ ସେ ଭାଇ ଆଉ ଦିଦିଙ୍କ ପରି ବଡ଼ ହୋଇନୁ.......


Rate this content
Log in