ନିରୁତ୍ତର
ନିରୁତ୍ତର
ସେଦିନ ମାୟା କଲେଜରୁ ଫେରୁ ଫେରୁ ହଷ୍ଟେଲ ୱାଡେନ୍ କହିଲା ଯେ ତାର ଘରୁ ଫୋନ୍ ଆସିଥିଲା ଯଥା ଶୀଘ୍ର ଫେରିବା ପାଇଁ । ମାୟା ପୁଣି ଘରକୁ ଫୋନ୍ କଲା ହଠାତ୍ ଘରକୁ ଯିବାର କାରଣ ଜାଣିବା ପାଇଁ । କିନ୍ତୁ ଘରୁ କୌଣସି ଉତ୍ତର ମିଳିଲାନି । ଡାଏରୀ ଭିତରୁ ସାନ ଭାଇ ସିପୁନର ଫୋନ୍ ନମ୍ବର ବାହାର କରି କାରଣ ବୁଝିବାକୁ ଚେଷ୍ଟା କଲା କିନ୍ତୁ ସେ ବି ନ ଜାଣିଲା ପରି କଥାକୁ କଷ୍ଟରେ ଏଡେଇ ଦେଇ ଫୋନ୍ କାଟିଦେଲା । ଅନ୍ତର ଭିତରୁ କଣ ଗୋଟାଏ କୋରଡି ହୋଇଯାଇଥାଏ । ନିଜକୁ ଅଣନିଃଶ୍ଵାସୀ ଅନୁଭବ କରୁଥିଲା । ଅଜଣା ପ୍ରଶ୍ନର ଉତ୍ତର ନ ପାଇ ସତେ ଯେମିତି ସେ ପରୀକ୍ଷାରେ ଫେଲ୍ ହେଇଯିବ । ସମୟଠୁ ଉତ୍ତର ପାଇବା ଆଶା କରିବା ମାୟା ପାଇଁ ଠିକ୍ ଗୋଟେ ମାୟା ଥିଲା । ଆଉ ଡେରି ନକରି ସିଧା ଚାଲିଲା ବସଷ୍ଟାଣ୍ଡ ଆଡ଼କୁ କାନ୍ଧରେ ଖଣ୍ଡେ ବ୍ୟାଗ୍ ଆଉ ସେଥିରେ ଦି ଖଣ୍ଡ କପଡା ଆଉ ପର୍ସ୍ ଭିତରେ କିଛି ଟଙ୍କା । କଟକରୁ ବନ୍ଧାପଥର ଛକ ଯାଏଁ ଦି ଘଣ୍ଟାର ବାଟ ସେଠୁ ପୁଣି ଚାଲି ଚାଲି ଦି କୋଷ ଘରବାଟ । ଆଜି କିନ୍ତୁ ରାସ୍ତା ଖୁବ୍ ଲମ୍ବା ଲାଗୁଛି ସରିବାର ନାଆଁ ଧରୁନି । ଯେନତେନ କରି ସେ ପହଞ୍ଚିଲା ବନ୍ଧା ପୋଖରୀରେ । ଗାଆଁ ବାଟ ଧରୁ ଧରୁ ଛକ ଉପରେ ଥିବା ଚାହା ଦୋକାନୀ ତାକୁ ଆଜି ଅଲଗା ଗୋଟେ ଚାହାଣୀରେ ଚାହିଁଲା । ତା ଉପରୁ ନଜର ହଟୁ ହଟୁ ସାଇକେଲ ଚଢି ଯାଉଥିବା ଭାନୁ କକା ପୁଅ ଫିରୋଜ ବି ତାକୁ ବହୁ ଦୂର ଯାଏଁ ବୁଲି ବୁଲି ଚାହିଁଲା । ଏମାନଙ୍କର କଣ ହେଇଛି ଏମିତି ଏମାନେ ବୁଲି ବୁଲି ଚାହିବାର କାରଣ କଣ ? ସେ କିନ୍ତୁ କାହାକୁ ପଚାରିବା ପାଇଁ ନା ସୁଯୋଗ ପାଉଥିଲା ନା ଶକ୍ତି । ପାଦ ପକେଇ ପକେଇ ଆଗକୁ ଚାଲିଲା । ଗାଁ ମୁଣ୍ଡରେ ପହଞ୍ଚୁ ପହଞ୍ଚୁ ଗୋଟାଏ ଗୋଟାଏ କରି ସମସ୍ତେ ଚାହୁଁଥିଲେ । ଏସବୁ ଦେଖି ତାର ସନ୍ଦେହ ଘନେଇ ଆସୁଥିଲା । ଏକାମୁହାଁ ହେଇ ଚାଲିଲା ସାହି ଭିତରକୁ । ଘର ଆଗରେ କିଛି ଲୋକ ବସିଛନ୍ତି ଓଦା ଲୁଗାରେ । କିଛି ଲୋକଙ୍କ କାନ୍ଦ ବୋବାଳି । ବ୍ୟାଗଟି କାନ୍ଧରୁ ଖସି ସାରିଥାଏ । ତାକୁ ଦେଖି କେହି ଜଣେ ପାଟି କଲା ,, ଆସିଗଲା ଆସିଗଲା ଡାହାଣୀ... ବାପା ବାହାରକୁ ଆସି କହିଲେ ଆସିଗଲୁ ? ଡାହାଣୀ... ମାଆକୁ ତ ଖାଇଲୁ ଆଉ କାଇଁ ଆସିଲୁ ? ...
ମାୟା ଏବେ ତା ଉତ୍ତର ପାଇ ସାରିଥିଲା । ପଥର ପାଲଟି ଯାଇ ପଚାରିଲା " ବୋଉ କାଇଁ?
ବାପା ଉତ୍ତର ଦେଲେ " ଆଉ ନାହିଁ ତୋ ବୋଉ... ଯା କେନାଲ ହୁଡା ତୋଟାକୁ ସେଇଠି ତୋ ବୋଉ ... ସତ କହ ପ୍ରଶାନ୍ତ କିଏ ?? ? କହ? କିଏ ପ୍ରଶାନ୍ତ?
ମାୟା ଏବେ ସବୁ ପ୍ରଶ୍ନର ଉତ୍ତର ପାଇ ନିଜେ ନିରୁତ୍ତର । ସାନୁ ଆଲମାରୀରୁ ଖଣ୍ଡେ କାଗଜ କାଢି ଆଣି କହିଲା" ବାପା ,, ଏଇଟା ସେଇ ପ୍ରଶାନ୍ତ ଆଉ ଆର ସମ୍ପର୍କର ମୂଳପୋଛ ଚିହ୍ନ ।
ତା ମାନେ ନିଳୀମା ନର୍ସ ଧୋକା ଦେଲା । ପ୍ରଶାନ୍ତ ପରି । ମାୟା ଆଖିରୁ ଖାଲି ଅନୁତାପର ନଈ ବହିଯାଉଥାଏ ।
