Pramod Kumar Jena

Others

3  

Pramod Kumar Jena

Others

ନିମନ୍ତ୍ରଣ

ନିମନ୍ତ୍ରଣ

2 mins
14K


ନିମନ୍ତ୍ରଣ

        ସବୁ କଥାକୁ ଅତି ସହଜରେ କହିବାର ଶୈଳୀ ଲିଲିରା ବାପାଙ୍କ ଠାରୁ ଶିଖିବାର ଅଛି l ଯେମିତି ହେଲେ ସେ ହସାଇ ଦେବେ l ସେଥିପାଇଁ ଘରେ ସବୁବେଳେ ହସର ରୋଳ ଲାଗି ରହିଥାଏ l ଅବଶ୍ୟ କେତେବେଳେ କେମିତି ରାଗି ବି ଯାଆନ୍ତି l କିନ୍ତୁ ଖୁବ୍ କମ୍ ସମୟ ପାଇଁ l ଅଫିସରୁ ଘରେ ପହଞ୍ଚୁ ପହଞ୍ଚୁ ଦେଖିଲେ କିଏ ଜଣେ ସ୍ତ୍ରୀ ଲୋକ ତାଙ୍କ ଘରୁ ବାହାରିଗଲେ l କାହିଁ ତାଙ୍କୁ  ଚିହ୍ନା ଚିହ୍ନା ତ ଲାଗିଲାନି l ତାଙ୍କ ଘରୁ ବାହାରିଲେ, ଅଥଚ ତାଙ୍କୁ କିଛି କହିଲେନି l ଭାବିଲେ ବୋଧେ ଘରବାଲାଙ୍କ ପରିଚିତ ହୋଇଥିବେ, ଆଉ ଭୁଲ ବଶତଃ ତାଙ୍କ ଘରକୁ ପଶି ଆସିଛନ୍ତି l ପ୍ରଭାତ ବାବୁ ମାନେ ଲିଲିର ବାପା ଏବେ ବଦଳି ହୋଇ ଆସି ଭଡା ଘରେ ରହୁଛନ୍ତି l ଲିଲି ବୋଉଙ୍କୁ  ପଚାରିଲେ ସେ କିଏ ଆସିଥିଲେ ? ଲିଲି ବୋଉ କହିଲେ ସେ ପଟ ଲାଇନରେ ରହୁଛନ୍ତି l  ଲେଙ୍କା ବାବୁଙ୍କ ସ୍ତ୍ରୀ l ତାଙ୍କ ପୁଅର ବାହାଘର l ନିମନ୍ତ୍ରଣ ପତ୍ର ଦେଇ ଗଲେ l ଏଇ ନିମନ୍ତ୍ରଣ ପତ୍ରରୁ ତାଙ୍କର ନାମ ଜାଣିଲି l ଘର ମାଲିକଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିଲେ, ଆମକୁ ବି ନିମନ୍ତ୍ରଣ କଲେ l ବଢିଆ ହେଲା l ମାଉଁସ ଭାତ ଖାଇବାର ଗୋଟେ ମଉକା ମିଳିଗଲା l ଭୋଜି କେବେ ? ହସି ହସି ପଚାରିଲେ ସେ l ଲିଲି ପାଖ ଘରୁ ଜବାବ ଦେଲା କାଲି ସନ୍ଧ୍ୟା ସାତଟା l ନିଜ ଚିରା ଚରିତ ଢଙ୍ଗରେ କହିଲେ ପ୍ରଭାତ ବାବୁ, ମୁଁ ଆଜି ଖାଇବି ନାହିଁ l କାଲି ଭୋଜି ଅଛି l ସବୁଦିନ ଭଳି ହସର ଲହରି ଘର ସାରା ଖେଳିଗଲା l ଉପହାର କଣ ଦିଆଯିବ ?

          ଲିଲି ବୋଉ କହିଲେ, ବଡ ହୋଟେଲରେ ଆୟୋଜନ କରିଛନ୍ତି ଯେତେବେଳେ ଅତି କମରେ ହଜାରେ ଟଙ୍କା ନ ହେଲେ କଣ ଦେଖା ଯିବ ? ଶେଷରେ ଭାବିଲେ ଖାମରେ ଭରି ଦେଇ ଦେବେ l ସମୟ କାହିଁ ବଜାର ଯାଇ ଉପହାର କିଣିବା ପାଇଁ ?

          ତା ପର ଦିନ ସନ୍ଧ୍ୟା ବେଳକୁ ଲିଲି ଆଉ ତା ବୋଉକୁ ନେଇ ପହଞ୍ଚିଲେ ସେଇ ତାରକା ହୋଟେଲରେ l ଗେଟ୍ ସାମ୍ନାରେ କେହି ଜଣେ କୋଟ୍ ସୁଟ୍ ପିନ୍ଧି ଅତିଥିମାନଙ୍କୁ ପାଛୋଟି ନେଉଥାନ୍ତି l ଭାବିଲେ, ଇଏ ବୋଧେ ଲେଙ୍କା ବାବୁ l ହାତ ଯୋଡି ତାଙ୍କୁ ନିଜ ସହଜ ଢଙ୍ଗରେ ନମସ୍କାର ଜଣେଇଲେ, ପରେ ପରେ ଲିଲିର ବୋଉ ଓ ଲିଲି ମଧ୍ୟ ନମସ୍କାର କଲେ l କିନ୍ତୁ ଇଏ କଣ  ? ପ୍ରତିନମସ୍କାର ଜଣାଇବା ବଦଳରେ ଭ୍ରୂକୁଞ୍ଚନ କରି ଲେଙ୍କା ବାବୁ ଇସାରା କଲେ ତାଙ୍କ ଶ୍ରୀମତିଙ୍କ ଆଡେ, ଏମାନେ କିଏ ? ଶ୍ରୀମତି ଲେଙ୍କା ମଧ୍ୟ ଇସାରାରେ ଜଣେଇ ଦେଲେ, ଯିବାକୁ ଦିଅ l ଏତେ ଅପମାନ ବୋଧେ ଜୀବନରେ କେବେ ହୋଇ ନ ଥିଲା, ସେ ପୁଣି ସାରା ପରିବାର ସହ l କାହା ମୁହଁରେ କିଛି ଭାଷା ନ ଥିଲା l ଖାମଟା ନବ ବିବାହିତା ବଧୂକୁ ଧରେଇ ଦେଇ ଫେରିଲେ l କେହି ତାଙ୍କୁ ନା ପଚାରିଲେ ଖାଇଲେଣି ନା ପଚାରିଲେ ନ ଖାଇ କାହିଁକି ଚାଲି ଯାଉଛନ୍ତି ? ବାଟ ସାରା ସେ ଭାବୁଥିଲେ , ଏମାନେ ଯଦି ଆମକୁ ଚିହ୍ନି ନାହାନ୍ତି, ତେବେ ନିମନ୍ତ୍ରଣ କରୁଥିଲେ କାହିଁକି ? ଯଦି ନିମନ୍ତ୍ରଣ କଲେ, ତେବେ ଖର୍ଚ୍ଚର ହିସାବ ମନେ ମନେ କରି ଆମକୁ ଅପଦସ୍ତ କାହିଁକି କଲେ ? କେଉଁ ଅଧିକାରରେ ? ଆମେ ଆମ ଘରେ ମହାରାଜା l ଏଠି କଣ ଆମେ କାଙ୍ଗାଳୀ ଭୋଜନ କରିବାକୁ ଆସିଥିଲୁ ?  ହଜାରେ ଟଙ୍କାର ମାଂସ ଆଣିଥିଲେ, ତାଙ୍କ ପରିବାର ଗୋଟେ ସପ୍ତାହ ଆରାମରେ ଖାଇଥାନ୍ତେ l

ବାପାଙ୍କ ଢଙ୍ଗରେ ପରିସ୍ଥିତିକୁ ସହଜ କରିବାକୁ ଲିଲି ପଚାରିଲା, କାଲି ଠାରୁ ଭୋକିଲା ଥିଲ, ପେଟ ପୁରିଲା ନା ଆଉ କିଛି ବାକି ଅଛି ?

 

ପ୍ରମୋଦ କୁମାର ଜେନା ©


Rate this content
Log in