ABhimanyu Panda

Others

3  

ABhimanyu Panda

Others

ନୀରବତାର ଭାଷା

ନୀରବତାର ଭାଷା

6 mins
657



ବାପା ..ବାପା .. ଆଡ଼େ ଗଲ ଏଇଠି ବସିଛ । ବାହାରେ ଗାଡ଼ି ଆସିଲାଣି ପରା ବଜାର ସଉଦା ସାରି ଫେରିଲେ ଅନେକ କାମ ଅଛି ଆହୁରି । ସବୁ ମତେ ହିଁ କରିବାକୁ ପଡ଼ିବ । ପୁଅ ସରୋଜର ଡାକରେ ପ୍ରଶାନ୍ତ ବାବୁ କୌଣସି ଉତ୍ତର ନଦେଇ ପୂର୍ବବତ ବସିରହିଥାନ୍ତି ଏକ ପଥର ପ୍ରତିମୂର୍ତ୍ତି ଭଳି । ଆଉ ଟିକେ ପାଖେଇ ଯାଇ ସରୋଜ ବାପାଙ୍କ ପାଖରେ ବସିପଡ଼ିଲା । ଏବେବି ପ୍ରଶାନ୍ତ ବାବୁ ପ୍ରତିକ୍ରିୟା ଶୁନ୍ୟ ! ବାପାଙ୍କ ମୁହଁକୁ ଚାହିଁ ବାପାଙ୍କ ଛଳ ଛଳ ଆଖି ଦେଖି ସରୋଜର ଆଉ ବୁଝିବା ବାକି ନଥିଲା ଯେ ବାପା ଏଠି ଏକାନ୍ତରେ ବସି କାହା କଥା ଭାବୁଛନ୍ତି ।


ପରିସ୍ଥିତିକୁ ବୁଝି ବାପାଙ୍କ ଧ୍ୟାନ ପରିବର୍ତ୍ତନ କରିବା ଲାଗି ସରୋଜ କହିଲା ବାପା ତମେ ଏଇଠି ବସିଛ । ମୁଁ କେତେ ଖୋଜିଲିଣି ତମକୁ ବାହାରେ ଗାଡ଼ି ଆସିଲାଣି ଆସ ଯିବା ଝିଅର ବାହାଘର କରିବ ପରା ! ଆଜି ତା ପସନ୍ଦର ସବୁ ଜିନିଷ ଲୁଗା ପଟା ଗହଣା ଇତ୍ୟାଦି କିଣାକିଣି ସାରିଦେଲେ ଆହୁରି ଅନେକ କାମ ଅଛି । ସେ ବି ଜିଦି ଧରିଛି ତମେ ବି ଯିବ ଆଉ ମୁଁ ବି ଯିବି ତା ସାଙ୍ଗରେ । କାହାର କିଛିବି ଦାୟୀତ୍ୱ ନାହିଁ ସବୁ ମତେ କରିବାକୁ ପଡ଼ୁଛି । ଏତିକି କହି ଅତୀତର ସ୍ମୃତିକୁ ମନେ ପକାଇ ନିଜେ ଭାବବିହ୍ଵଳ ହେଇ ସରୋଜ ବାହାରି ଆସିଲା ବାପାଙ୍କ କୋଠରୀ ବାହାରକୁ । କିଛି ସମୟପରେ ପ୍ରଶାନ୍ତ ବାବୁ ନିଜକୁ ସମ୍ଭାଳି ଝିଅକୁ ସାଙ୍ଗରେ ଧରି ବଜାର ଯିବା ପାଇଁ ଆସିଲେ ।


           ବଜାରରେ ଭାଇ ଆଉ ବାପାଙ୍କ ସାଙ୍ଗରେ ସୁଜାତା ତାର ମନପସନ୍ଦର ସବୁ ଜିନିଷ କିଣୁଥାଏ ଆନନ୍ଦରେ । ଭାଇ ସରୋଜ ଆଉ ବାପା ମଧ୍ୟ କୌଣସି ପ୍ରତିବାଦ ନ କରି ଝିଅ ଇଚ୍ଛାରେ ପ୍ରତ୍ୟେକଟି ଜିନିଷର ମୂଲ୍ୟ ପଇଠ କରିଚାଲିଥାନ୍ତି ଦୋକାନୀ ମାନଙ୍କୁ । ଏଥର ବାକି ରହିଲା ଝିଅ ପସନ୍ଦର କିଛି ସୁନା କିଣିବା । ସମସ୍ତେ ସୁନା ଦୋକାନରେ ପହଞ୍ଚିଗଲେ । ବହୁତ ଦେଖିଲା ପରେ ଝିଅ ସୁଜାତାକୁ ଗୋଟେ ସୁନ୍ଦର ହାର ପସନ୍ଦ ଆସିଲା । ଭାଇ ସରୋଜ ଓ ପ୍ରଶାନ୍ତ ବାବୁଙ୍କୁ ମଧ୍ୟ ହାରଟି ବହୁତ ପସନ୍ଦ ଆସିଲା । କିନ୍ତୁ ଅବସର ପ୍ରାପ୍ତ ଆଦର୍ଶବାଦୀ ଶିକ୍ଷକ ପ୍ରଶାନ୍ତ ବାବୁଙ୍କ ପାଖରେ ହାରଟିର ମୂଲ୍ୟ ପଇଠ କରିବାକୁ କିଛି ଅର୍ଥ କମ ପଡ଼ୁଥିଲା । ଝିଅକୁ ତ ସେ ନିଜକୁ ବନ୍ଧା ପକେଇ ସବୁକିଛି ଦେଇଦବା କୁ ପ୍ରସ୍ତୁତ ଥିଲେ । ଏ ଭିତରେ ପ୍ରଶାନ୍ତ ବାବୁଙ୍କୁ ଅସହଜ ଅବସ୍ଥାରେ ଦେଖି ଦୋକାନର ମାଲିକ ପ୍ରଶାନ୍ତ ବାବୁଙ୍କୁ କହିଲେ - ଆଜ୍ଞା ମୁଁ ବ୍ୟକ୍ତିଗତ ଭାବେ ଆପଣଙ୍କୁ ଜାଣିଛି ଆପଣ ବିନା କିଛି ଦ୍ବିଧାରେ ଝିଅ ପାଇଁ ଏ ହାର କିଣି ନିଅନ୍ତୁ ଯାହା ଅଳ୍ପକିଛି ବାକି ରହିଯିବ ଆପଣ ସମୟ ସୁବିଧା ଦେଖି ଦେଇଦେବେ । ଏ ତ ଝିଅ ବାହାଘର କଥା ଆପଣଙ୍କ ଝିଅ ଆଉ ଆପଣଙ୍କ ପାଖରେ ଅଳି କରିବନି ଆପଣ ଚାହିଁଲେବି ଝିଅର ଅଳି ପୂରଣ କରିପାରିବେନି । କିଏ ଜାଣିଲା କଣ ଅଛି ତା ଭାଗ୍ୟରେ । ମୁଁ ବି ଫୁଲପରି ଦୁଇଟି ଝିଅଙ୍କର ବାପା । ଝିଅ ମାନଙ୍କ ପ୍ରତି ବାପାଙ୍କର ମନୋଭାବ ମୁଁ ଠିକ ବୁଝିଛି ପ୍ରଶାନ୍ତ ବାବୁ । ବେପାରି ହେଲେ ମଧ୍ୟ ମୁଁ ଦୁଇଟି ଝିଅଙ୍କର ବାପା । ଦୋକାନୀର କଥାରେ ପ୍ରଶାନ୍ତ ବାବୁ ଆଶ୍ୱସ୍ତ ହେଲେ । ଅଳ୍ପ କିଛି ବାକି ରଖି ଝିଅ ଲାଗି ତା ମନପସନ୍ଦର ହାରଟି କିଣି ଦେଲେ । ନିଜେ କିନ୍ତୁ ଅତୀତର କାଳୀନ ସ୍ମୃତିରେ ହଜିଗଲେ । ମନେ ପଡ଼ିଗଲା ତାଙ୍କର ବଡ଼ ଝିଅ ସୁନନ୍ଦା କଥା । 


      ସୁନନ୍ଦା ପ୍ରଶାନ୍ତ ବାବୁଙ୍କର ବଡ଼ ଝିଅ । ତିନିଜଣ ପିଲାଙ୍କ ଭିତରେ ସୁନନ୍ଦା ଥିଲା ବଡ଼ । ସୁନନ୍ଦାର ଜନ୍ମ ପ୍ରଶାନ୍ତ ବାବୁଙ୍କୁ ପ୍ରଥମ ପିତୃତ୍ବ ସୁଖ ଦେଇଥିଲା । ଆଦର୍ଶବାଦୀ ପ୍ରଶାନ୍ତ ବାବୁ ଝିଅର ଲାଳନ ପାଳନ ଶିକ୍ଷା ସଂସ୍କାରରେ କୌଣସି ଅଭାବ ରଖିନଥିଲେ । ସୁନନ୍ଦା ପରେ ପରେ ପୁଅ ସରୋଜ ଆଉ ସାନ ଝିଅ ସୁଜାତାର ଜନ୍ମ । ବଡ଼ ମାନେ ବାପାଙ୍କର ଗେଲ୍ହା ପ୍ରଚଳିତ ଲୋକ କଥାକୁ ପ୍ରଶାନ୍ତ ବାବୁ ସାର୍ଥକ କରିଥିଲେ । ବଡ଼ଝିଅ ସୁନନ୍ଦା ପ୍ରଶାନ୍ତ ବାବୁଙ୍କ ଜୀବନ ଥିଲା କହିଲେ ଅତ୍ୟୁକ୍ତି ହବନି । ଝିଅ ସୁନନ୍ଦା ବି କୌଣସି ଗୁଣରେ କମ ନଥିଲା । ଆଖ ପାଖ ଅଞ୍ଚଳରେ ପ୍ରଶାନ୍ତ ବାବୁଙ୍କ ଆଦର୍ଶବାଦୀତା ଆଉ ତାଙ୍କ ଝିଅ ସୁନନ୍ଦାର ସୁଗୁଣର ଚର୍ଚ୍ଚା ହୁଏ । ପାଠ ପଢ଼ାପରେ ପ୍ରଶାନ୍ତ ବାବୁ ଝିଅ ସୁନନ୍ଦା କୁ ଉପଯୁକ୍ତ ବୟସରେ ସୁଯୋଗ୍ୟ ପାତ୍ର ସହ ବାହା ଦେଇଥିଲେ । ଝିଅ ବାହାଘରରେ ପ୍ରଶାନ୍ତ ବାବୁ ନିଜ ସାମର୍ଥ୍ୟ ଠାରୁ ଅଧିକ ଦେଇଥିଲେ କିଛି ଯୌତୁକ ବାବଦକୁ ଆଉ କିଛି ଝିଅର ସୁଖି ବୈବାହିକ ଜୀବନର କାମନା କରି ଦାନ ଦେଇଥିଲେ । 

       ଝିଅ ବାହାଘରର ୨/୩ ମାସ ସବୁ ଠିକ ଚାଲିଥିଲା । ତା ପରେ ପରେ ଆରମ୍ଭ ହେଇଥିଲା ନବବଧୁ ସୁନନ୍ଦା ଉପରେ ଅତ୍ୟାଚାର । ଶାଶୁଘର ଲୋକ ବାରମ୍ବାର ସୁନନ୍ଦା ଉପରେ ଚାପ ପକାଉଥିଲେ ତା ବାପାଙ୍କ ଠାରୁ ଅଧିକରୁ ଅଧିକ ଟଙ୍କା ଆଣିବାକୁ । ଝିଅ ସୁନନ୍ଦା ନିଜର ବାହାଘରରେ ବାପା ନିଜ ସାମର୍ଥ୍ୟ ଠାରୁ ଅଧିକ ଖର୍ଚ୍ଚ କରିବା କଥା ଭଲ ଭାବେ ଜାଣିଥିଲା । ଏ ଯାଏ ବାପାଙ୍କର କରଜ ବି ସୁଝିନି । ସାନ ଭାଇ ସରୋଜର ନୂଆ ନୂଆ ଚାକିରି ସେ ବି ଏକ ଘରୋଇ କମ୍ପାନୀରେ । ତେଣୁ ଶାଶୁଘର ଲୋକଙ୍କର ସମସ୍ତ ଅତ୍ୟାଚାରକୁ ସହିଯାଉଥିଲା ବାପା ଭାଇଙ୍କୁ ନଜଣାଇ । ଝିଅ କିଛି ନଜଣେଇଲେ ବି ପ୍ରଶାନ୍ତ ବାବୁ କିଛି କିଛି କଥାର ସଠିକ ଅନୁମାନ କରିପାରୁଥିଲେ ଆଉ ଝିଅର ଖୁସି ଲାଗି କରଜ ଉପରେ କରଜ କରି ଚାଲିଥିଲେ ଅର୍ଥଲୋଭୀ ଶାଶୂଘର ଲୋକଙ୍କ ସମସ୍ତ ଇଛା ପୁରଣ କରିବାକୁ ଚେଷ୍ଟା କରୁଥିଲେ । ଏମିତି ଦିନେ ସକାଳୁ ଖବର ପହଞ୍ଚିଲା କି ସୀଢୀରୁ ଗୋଡ଼ ଖସି ସୁନନ୍ଦାର ମୃତ୍ୟୁ ହେଇଛି । ପ୍ରଶାନ୍ତ ବାବୁ ଝିଅର ଖବର ଶୁଣିଲା ପରେ ଚେତାଶୂନ୍ୟ ହୋଇଯାଇଥିଲେ । ସେ ଅଞ୍ଚଳରେ ସୁନନ୍ଦାର ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଥାନା ପୋଲିସ ପଞ୍ଜିକରଣ ପରେ ଶବ ଯେତେବେଳେ ଗାଁକୁ ଆସିଥିଲା ଗଛ ପତ୍ର ବି କାନ୍ଦିଥିଲା । ସୁନନ୍ଦା ବଢ଼ିଥିବା ପରିବେଶ ବି ସୁନନ୍ଦାର ମୃତ୍ୟୁରେ ଲୁହ ଝରାଉ ଥିଲା । ସମସ୍ତଙ୍କ ମୁହଁରୁ କେବଳ ଆହାଃ ଶବ୍ଦ ହିଁ ବାହାରୁଥିଲା । ଭାଇ ସରୋଜ ତ ପାଗଳ ହେଇଯାଇଥିଲା । ତା ମୁଣ୍ଡରୁ ବଡ଼ ଭଉଣୀର ସ୍ନେହ ମମତାର ହାତ ସବୁଦିନ ପାଇଁ ଉଠିଯାଇଥିଲା ।


ସୁନନ୍ଦାର ମୃତ୍ୟୁ ପରେ ପ୍ରଶାନ୍ତ ବାବୁ ବି ନିଜକୁ ଏକୁଟିଆ ରଖୁଥିଲେ । ଏକାନ୍ତରେ ଅଲିଅଳୀ ସୁନନ୍ଦା କଥା ଭାବି ଭାବି କେତେ ରାତିଜେ ଅନିଦ୍ରା ରହିଛନ୍ତି ତାର ହିସାବ ନାହିଁ । ପ୍ରଶାନ୍ତ ବାବୁଙ୍କ ଆଖିରୁ ଶ୍ରାବଣ ନୁହେଁ ସୁନାମୀ ଆସେ ସୁନନ୍ଦାର ସ୍ମୃତିରେ । କେହି ଦେଖିପାରନ୍ତିନି ବେଳେବେଳେ ଝିଅର ଫଟ ଦେଖି ବିଲିବିଳେଇ କିଛି କହିପକାନ୍ତି ସୁନନ୍ଦାର ଛୋଟ ବେଳର ଥଙ୍ଗା ଥଙ୍ଗା କଥା କଥା ମନେପକେଇ କେବେ କାନ୍ଦି ପକାନ୍ତି ତ ନିଜ ଗେହ୍ଲା ଝିଅର ଅଳି ଅଝଟ ମନେ ପକାଇ ପାଗଳଙ୍କ ପରି ଏକା ଏକା ହସି ଦିଅନ୍ତି । ସମସ୍ତେ ମାଆ ଙ୍କର ମହାନତା ବିଷୟରେ ବଖାଣନ୍ତି ସେ ସତବି ମା ' ପରି କେହି ମହାନ ନାହାନ୍ତି ଏ ସଂସାରରେ ହେଲେ ବାପାଙ୍କର ବଳିଦାନ ବି କିଛି କମ ନୁହେଁ । ମାଆଙ୍କର ମହାନତା ବଖାଣରେ ଆମେ ସମସ୍ତେ ବାପାଙ୍କର ବଳିଦାନ କୁ ଭୁଲିଯାଉ । ବାପା କିନ୍ତୁ କେବେ ଅଭିଯୋଗ କରନ୍ତିନି ନିଜ ଅବହେଳାରେ ମାଆଙ୍କର କେବେ କେବେ ଅଭିଯୋଗ ବି ଥାଏ । ପ୍ରଶାନ୍ତ ବାବୁଙ୍କୁ ଦେଖିଲେ ଆଜି ଯେ କେହିବି ବାପାଙ୍କର ସ୍ନେହ ଭଲପାଇବା ସନ୍ତାନ ପ୍ରେମର ଚପଳତାକୁ ହୃଦୟଙ୍ଗମ କରିପାରିବ । 

         ସୁଜାତା ବାହାଘରର ନିର୍ଦିଷ୍ଟ ଦିନ ଆସିଗଲା । ସୁରୁଖୁରୁରେ ବରଯାତ୍ରୀ ଚର୍ଚ୍ଚା ବୈଦିକ ବିବାହ କାର୍ଯ୍ୟ ବି ସମ୍ପନ୍ନ ହେଇଗଲା । ଝିଅ ବିଦା ସମୟରେ ପ୍ରଶାନ୍ତ ବାବୁ କିନ୍ତୁ ଘରେ ନଥାନ୍ତି । ଝିଅର ଏକା ଜିଦ ବାପା ନଆସିଲେ ମୁଁ କୁଆଡ଼େବି ଯିବିନି । ଖୋଜା ଖୋଜି ପରେ ପ୍ରଶାନ୍ତ ବାବୁଙ୍କୁ ପୁଅ ସରୋଜ ଗାଁ ମନ୍ଦିରରୁ ସାଙ୍ଗରେ ନେଇ ଭଉଣୀ ସୁଜାତା ଆଗରେ ଠିଆ କରେଇଦେଲେ । ବାପାଙ୍କୁ ଦେଖି ସୁଜାତା କହିଲା ବାପା ମୁଁ ଜାଣିଛି ମୁଁ କେବେବି ସୁନି ନାନୀର ଜାଗା ନେଇପାରିବିନି ନାନୀ ର ପ୍ରତ୍ୟେକ କଥା ଭାବି ଭାବି ତମକୁ ମୁଁ ଅନେକ ଥର କାନ୍ଦିବାର ଦେଖିଛି ପ୍ରତି ସକାଳରେ ତମ ମୁଣ୍ଡ ତଳେ ଥିବା ଭିଜା ତକିଆରେ ତମ ଆଖିର ସୁନାମୀକୁ ମୁଁ ଅନୁଭବ କରିଛି । ମୋ ଲାଗି ତମ ଆଖିରେ ଲୁହ ନାହିଁ ମୁଁ ଜାଣିଛି ବାପା ତମ ଆଖିର ଶୁନ୍ୟତାକୁ ମୁଁ ଅନୁଭବ କରିଛି । ମୁଁ ବି ତମର ଝିଅ । ତମ ସୁନି ପରି ସରଳ ଝିଅ ମୁଁ ନୁହେଁ ବାପା ମୁଁ ଦୁଷ୍ଟ ସୁଜାତା ବାପା । କଥା ଦଉଛି ବାପା ଏ ସମାଜର ପ୍ରତ୍ୟେକଟି ଯୌତୁକ ଲୋଭୀ ଅର୍ଥ ପିପାସୁ ମଣିଷ ମାନଙ୍କର ମୁକାବିଲା କରିବି । ତମକୁ ଗୋଟିଏ କଥା ଦଉଛି କେବେବି ତମକୁ ସନ୍ତାନ ବିରହର କଷ୍ଟ ଅନୁଭବ କରେଇବିନି ମରିବା କୁ ହେବ ସେଇମାନଙ୍କୁ ଯେଉଁ ମାନେ ପ୍ରତିଟି ବାପାଙ୍କ ମୁହଁରୁ ହସ ଛଡ଼େଇ ନେଉଛନ୍ତି ଯେଉଁମାନେ ସବୁ ଝିଅର ବାପାଙ୍କୁ ଝିଅର ସୁରକ୍ଷାକୁ ନେଇ ଭୟଭୀତ କରି ରଖିଛନ୍ତି ସେଇମାନେ ଭୟରେ ରହିବେ । ଏଇ ସବୁ କାମ ବାପାଙ୍କ ବିନା ଆଶୀର୍ବାଦରେ କଣ ପୁରଣ ହେଇପାରିବ ? ମୁଁ ଜାଣିଛି ବାପା ତମ ସୁନି ଗଲାପରେ ତମେ କଥା କହିବା ଭୁଲି ଯାଇଛ । କିଛି ନ କହିଲ ନାହିଁ ତମ ଆଶୀର୍ବାଦର ସେ ଅଭୟ ହାତକୁ ମୋ ମୁଣ୍ଡରେ ନରଖିଲେ ମୁଁ କୁଆଡ଼େ ବି ଯିବିନି । 


     ସୁଜାତା କଥାରେ ନିର୍ଜୀବ ପ୍ରାୟ ପ୍ରଶାନ୍ତ ବାବୁ କହିଲେ କିଏ କହୁଛି ମୋ ଭଲ ପାଇବା କେବଳ ସୁନି ପାଇଁ ଥିଲା ? ତମମାନଙ୍କ ପ୍ରତି ମୋ ମନରେ ସେତିକି ସ୍ନେହ ଅଛି ଯାହା ସୁନି ପାଇଁ ଥିଲା । ଯେଉଁ ଦୁଃଖ ମୁଁ ସୁନି ବିୟୋଗରେ ଅନୁଭବ କରିଛି ତୋ ପାଇଁ ସହିଲାଭଳି ଦକ୍ଷତା ଆଉ ନାହିଁରେ । ଏଇ ଭୟ ମତେ ଭିତରେ ଭିତରେ ଅଧମରା କରି ସାରିଲାଣି । ଆଉ ଚିନ୍ତା ନାହିଁ ଝିଅ । ମୁଁ ନିଜକୁ ଗର୍ବିତ ମନେ କରୁଛି ଯେ ମୁଁ ତୋ ଭଳି ଝିଅର ବାପା । 

       ବାପା ଝିଅଙ୍କ କଥା ଶୁଣି ଉପସ୍ଥିତ ସମସ୍ତଙ୍କ ଆଖିରେ ଲୁହର ଢେଉ ଉଠିଥିଲା ଆଉ ନୂତନ ଦିଗନ୍ତର ଉତ୍ସାହ ଆଉ ଆଶା ଭରି ଦେଇଥିଲା । ପ୍ରଶାନ୍ତ ବାବୁଙ୍କର ନୂଆଜ୍ୱାଇଁ ପ୍ରଶାନ୍ତ ବାବୁଙ୍କ ପାଖକୁ ଆସି - ବାପା ଆପଣଙ୍କ ଉପରେ ଯାହା ବିତି ଯାଇଛି ତାକୁ ତ ମୁଁ ସୁଧାରି ପାରିବିନି ହେଲେ ଭବିଷ୍ୟତରେ ଆପଣଙ୍କ ଜୀବନରେ ସେ ଦୁଃଖର ପୁନରାବୃତ୍ତି ହେବାକୁ ଦେବିନି । ଭଗବାନଙ୍କୁ ପ୍ରାର୍ଥନା କରିବି କି ସେ ମତେ ଝିଅର ବାପା କରନ୍ତୁ । 


       ଏବେ ପ୍ରଶାନ୍ତ ବାବୁଙ୍କ ଆଖିରେ ଆନନ୍ଦରଅଶ୍ରୁ । ତାଙ୍କ ଆଖିରେ ଶ୍ରାବଣର ଅଭିମାନର ଅନ୍ତ ହେଇଛି । ପୁଅ ସରୋଜକୁ ଡାକି ଝିଅକୁ ବାହୁଡ଼ା ଗାଡ଼ିରେ ବସେଇବାର ଆଦେଶ ଦେଇ ଏକ ଲୟରେ ଚାହିଁ ରହିଥାନ୍ତି ଝିଅର ଯିବା ବାଟକୁ । ପୂର୍ଣ୍ଣ ନୀରବରେ । ଆଉ ସେ ନୀରବତାର ବର୍ଣ୍ଣ ବି ସକରାତ୍ମକ ଥିଲା ନା କି ବେଦନା ଦାୟକ ।

              


Rate this content
Log in