ନିଃଶବ୍ଦ ସଂଘରୋଧ
ନିଃଶବ୍ଦ ସଂଘରୋଧ


ସୃଷ୍ଟି ହେଲା ପୃଥିବୀ । ସୃଷ୍ଟି ହେଲେ ଜୀବ ଜଗତ । ଗଛ ଲତା ପାହାଡ ଜଙ୍ଗଲ ପଶୁ ପକ୍ଷୀ ଇତ୍ୟାଦି । ପୁରାତନ ମତ ଅନୁଯାୟୀ ମନୁଷ୍ୟର ସୃଷ୍ଟି ପୂର୍ବରୁ ମାଙ୍କଡମାନଙ୍କ ସୃଷ୍ଟି । ସେମାନଙ୍କୁ ସର୍ବଦା ଏକ ଦଳ ଭିତରେ ଦେଖିବାକୁ ମିଳେ । ସେମାନଙ୍କ ପରବର୍ତ୍ତୀ ପୀଢି ହେଲେ ମାନବ । ସେଥିପାଇଁ ବୋଧହୁଏ ମନୁଷ୍ୟକୁ ଏକ ସାମାଜିକ ପ୍ରାଣୀ କୁହାଯାଏ । ସେଥିପାଇଁ ବୋଧହୁଏ ସୃଷ୍ଟି ହୋଇଛି ସମାଜ ।
ପରସ୍ପର ସହିତ ମିଳିମିଶି ଚଳିବା, ସୁଖ ଦୁଃଖ ଭଲ ମନ୍ଦରେ ଜଣେ ଅନ୍ୟର କାନ୍ଧରେ କାନ୍ଧ ମିଳାଇ ଉପକାରରେ ଆସିବାକୁ ହିଁ ସାମାଜିକ ବନ୍ଧନର ମାନ୍ୟତା ଓ ବନ୍ଧନର ଅନୁମତି ରହିଛି । ସେଥିପାଇଁ ମାନବକୁ ଏକ ସାମାଜିକ ପ୍ରାଣୀର ଆଖ୍ୟା ଦିଆଯାଇଛି ।
ପ୍ରଥାନୁଯାୟୀ ନିଜର ଭିନ୍ନ ଭିନ୍ନ ଆବଶ୍ୟକତା ପୂରଣ କରିବା ପାଇଁ ମନୁଷ୍ୟକୁ ସମୟେ ସମୟେ ଭିନ୍ନ ଭିନ୍ନ ମନୁଷ୍ୟର ସାହାଯ୍ୟ ଲୋଡା ହୋଇଥାଏ । ସେଥିପାଇଁ ବୋଧହୁଏ ଆଦାନପ୍ରଦାନର ପ୍ରଥା ପ୍ରଚଳିତ ହୋଇଅଛି ।
ସେ ଆବଶ୍ୟକୀୟ ସାମଗ୍ରୀ ହେଉ ବା ଭାବ ହେଉ । ତେଣୁ ଛୋଟ ମୋଟ ଆବଶ୍ୟକତା ପାଇଁ ବି ଜଣେ ଅନ୍ୟ ଜଣକ ଉପରେ ନିର୍ଭରଶୀଳ । ଏହାକୁ ହିଁ ଜୀବନ କୁହାଯାଏ ।
ଦେଖାଯାଏ ଯେଉଁ ବ୍ୟକ୍ତି ନିଜ କାର୍ଯ୍ୟରେ ବ୍ୟସ୍ତ ହୋଇ ପାଖ ପଡ଼ୋଶୀଙ୍କ ସହ କଥାବାର୍ତ୍ତା କରିବାକୁ ଇଚ୍ଛା ପ୍ରକାଶ କରେ ନାହିଁ କି ସମୟ ପାଏ ନାହିଁ ତା ପାଇଁ ବହୁ ଶବ୍ଦ ଓ ଢଗଢମାଳି ଥାଏ ସମାଜ ପାଖରେ । ତାକୁ ଅସାମାଜିକ ବ୍ୟକ୍ତି ହିସାବରେ ସମାଜ ଗଣତିରେ ନେଇଯାଏ ।
କୌଣସି ବିବାହ ଓ କିଛି ସାମାଜିକ କାର୍ଯ୍ୟକ୍ରମକୁ ଯିଏ ଯେତେ ଯାକଜମକରେ ପାଳନ କଲା ବା ଯାହାର ଯେତେ ଅତିଥି ଆସିଲେ ତାର ସେତେ ବଡ ନା । ତାକୁ ସମାଜରେ ଧନୀ ଲୋକର ଆଖ୍ୟା ଦିଆଯାଇଛି ।
ସାମାଜିକ ଏକତ୍ରୀକରଣ ଯାହାର ଅଧିକ ତାର ପ୍ରତିଷ୍ଠା ସେତେ ଅଧିକ । ଏହା ହିଁ ବୋଧହୁଏ ସମାଜ । ଜାତି ପ୍ରଥା ଓ ଧନୀ ଗରିବ ଏଇ ସମାଜର ସୃଷ୍ଟି ।
ଯିଏ ନିଜ ଘରର ତିନି ପ୍ରାଣୀକୁ ନେଇ ନିଜର ଛୋଟ ଛୋଟ ଖୁସିକୁ ପାଳନ କରେ ତାକୁ ସମାଜ ଛୋଟ ଲୋକ ନଜରରେ ଦେଖେ । ସେ ମଧ୍ୟ ଅନ୍ୟମାନଙ୍କ ପାଖରେ ନିଜର ମେରୁଦଣ୍ଡକୁ ସିଧା କରି ଛିଡା ହୋଇପାରେ ନାହିଁ । ଏହି ସବୁ ପ୍ରଥା ଓ ମାନସିକତାକୁ ନେଇ ସମାଜ ଗତିଶୀଳ । ପରସ୍ପର ଉପରେ ନିର୍ଭରଶୀଳ ହୋଇ ଏ ଦୁନିଆ ଓ ଏ ସମାଜର ଆଜି ଏ ଅଗ୍ରଗତି ।
ସବୁ ଭିତରେ, ସବୁ ଯୁଗରେ ବି ବଞ୍ଚି ରହିଛି ମାନବିକତା । ଏହି ଧରଣର କିଛି ହାତ ଗଣତି ମନୁଷ୍ୟମାନଙ୍କୁ ନେଇ ଏ ସମାଜ ଆଜି ବଞ୍ଚିଛି । ସେଥିମଧ୍ୟରେ କିଛି ସ୍ୱାର୍ଥବାଦୀ ମଧ୍ୟ ଅଛନ୍ତି । ଧନ, ପ୍ରତିପତ୍ତି, ପ୍ରତିଷ୍ଠା ପଛରେ ଆଜି ଏ ମାନବସମାଜ ଯୋକ ପରି ଲାଗିରହିଛି । ସେଥିପାଇଁ ଯେ କୌଣସି କାର୍ଯ୍ୟ କରିବାକୁ ବି ପଛଘୁଞ୍ଚା ଦେଉ ନାହିଁ ।
ସାହାଯ୍ୟ ପରିବର୍ତ୍ତେ ଅନ୍ୟର ଅପନିନ୍ଦା ଓ କୁତ୍ସାରଟନା, ଅହିତ ଚିନ୍ତାରେ ମଗ୍ନ ଥିବା ମନୁଷ୍ୟମାନଙ୍କୁ ବି ଏ ସମାଜ ଧରି ରଖିଛି । ମାନସିକତା ଏପରି ହୋଇଯାଇଛି ଯେ, କୌଣସି ଧନୀ ଲୋକ ଦେଖିଲେ ତା ସହ କଥା ହୋଇ ମନୁଷ୍ୟ ଭାବେ ତାର ସମାଜରେ ପ୍ରତିଷ୍ଠା ବଢିଗଲା । ମାତ୍ର କୌଣସି ମଧ୍ୟମ ଧରଣର ପଡୋଶୀ ଦେଖିଲେ କୌଣସି କାର୍ଯ୍ୟର ବାହାନା ଦେଖାଇ ଖସି ଆସିବାରେ ନିଜର ଗାରିମା ଦେଖାନ୍ତି । ଏହା ହିଁ ସମାଜ ।
ତଥାପି ସୃଷ୍ଟି ଚାଲିଛି । କିଛି ଆତ୍ମଚେତନଶୀଳ ବ୍ୟକ୍ତି ବିଶେଷଙ୍କ ପାଇଁ ।
ଏହାର ଏକ ନିଦ୍ଦର୍ଶନ ଏହି କ୍ଷୁଦ୍ର ଗଳ୍ପ ମାଧ୍ୟମରେ ।
ବର୍ତ୍ତମାନର ଏହି ଅଗ୍ରଗତିଶୀଳ, ବୈଜ୍ଞାନିକ ଯୁଗରେ ଯେଉଁଠି ମନୁଷ୍ୟ ପାଖରେ ସବୁ ସମାଧାନ ଅଛି ସେଠି ଆଜି ମନୁଷ୍ୟ ହାର ମାନିବାକୁ ବାଧ୍ୟ ହୋଇଛି ଏଇ କରୋନାରୀ ନାମ୍ନୀ ମହାମାରୀ ପାଖରେ ।
ରମା ଏକ ସରକାରୀ କର୍ମଚାରୀ । ନିଜ ସ୍ୱାମୀ ଓ ଝିଅକୁ ନେଇ ତାର କ୍ଷୁଦ୍ର ସଂସାର । ଶାଶୁ ଘରର କିଛି ସମସ୍ୟାକୁ ନେଇ ସେ କିଛି ଦିନ ହେବ ଭଡା ଘର ନେଇ ଏକ କଲୋନୀରେ ରହୁଛି । ତେଣୁ କିଛି ଲୋକଙ୍କର କଥାର ଶରବ୍ୟ ହେବାକୁ ପଡୁଛି ତାକୁ । ବହୁ ମାତ୍ରାରେ ମାନସିକ ଯନ୍ତ୍ରଣା ଓ ଚାପରେ ଦବି ଯାଇଛି ତାର ସ୍ୱାଭିମାନ । ବହୁ ସମୟରେ ବିଭିନ୍ନ ପ୍ରଶ୍ନବାଚୀର ଚାପ ତଳେ ଚାପି ହୋଇଯାଇଛି ସେ ।
ସେଇ ଭିତରେ ସୁଖ ଦୁଃଖର ଏକମାତ୍ର ସାଥି ଓ ନିଜ ସହକର୍ମୀ ନୀତି ହିଁ ତାର ଭରସା । ତାର କି ତା ଝିଅର ଭଲ ମନ୍ଦ ସୁବିଧା ଅସୁବିଧା ବହୁ ସମୟରେ ସମାଧାନର ସୂତ୍ର ପାଲଟିଯାଏ ନୀତି । ଆଜି ମହାମାରୀ କରୋନାର କବଜାରେ ଉଭୟେ ରମା ଓ ତା ସ୍ୱାମୀ । ପ୍ରଥମେ ସ୍ୱାମୀ ପୀଡିତ ହେଲେ ଓ ନିଜ ଘର ମଧ୍ୟରେ ରହିବାର ଅନୁମତି ପାଇଲେ । ତାର ଦୁଇ ଦିନ ପରେ ସେ ନିଜେ ପିଡିତ । କଣ କରିବ କିଛି ବୁଝି ପାରୁନଥିଲା । ଝିଅକୁ ଭାବିଲା ଶାଶୁ ଘରକୁ ପଠାଇ ଦେବ । ସେଠି ତାର ବାପା ଅଛନ୍ତି ତେଣୁ ରହିଯିବ । ମାତ୍ର ତା ମନ କଥା ପଚାରେ କିଏ ।
ଶାଶୁଘରର ମନୋମାଳିନ୍ୟ ପାଇଁ ତ ସବୁଥାଇ ସେ ଆଜି ସଂଘରୋଧରେ । ଘର ଲୋକଙ୍କ ଦୁସ୍ଥ ମାନସିକତାର ଶିକାର ହେଲା ଶେଷରେ । ଝିଅଟି ଭଲ ଥିଲେ ମଧ୍ୟ ତାକୁ ପାଖରେ ରଖିବା ପାଇଁ ଶାଶୁଘର ଲୋକ ଅରାଜି ହେଲେ ।
ଶେଷରେ ଝିଅକୁ ପାଖରେ ରଖି ରହିଲା ହୋମ କ୍ୱାରେନଣ୍ଟାଇନରେ । ଭରସା କିଏ ନା ନୀତି । ସଂଘରୋଧର ଅର୍ଥ ସେ ବହୁ ଆଗରୁ ବୁଝି ସାରିଥିଲା ଯେତେବେଳେ ସେ ଶାଶୁଘରେ ଗୋଟିଏ ରୁମରେ ରହୁଥିଲା । ସେଇ ଭିତରେ ରହିବା, ଖାଇବା, ଶୋଇବା ଓ ନିଜର ନିତ୍ୟକର୍ମ ସାରିବା ସହ ନିଜର ମାନସିକତାକୁ କିପରି ଠିକ ରଖିବ ତାହା ଆଗରୁ ଶିଖି ଯାଇଥିଲା । ଆଜି ଏଇ ଦିନ ଦେଖିବାର ଥିଲା ବୋଲି ବୋଧହୁଏ ଭଗବାନ ଆଗରୁ କେମିତି ରହିବ ଶିଖେଇ ଦେଇଥିଲେ । ସେଥିପାଇଁ ତାଙ୍କୁ ଅଶେଷ ଧନ୍ୟବାଦ ।
କରୋନା ଆକ୍ରାନ୍ତର ମୋହର ଲାଗିଗଲା । ସେଦିନ ପ୍ରକୃତରେ ଜଣା ପଡିଲା ସଂଘରୋଧ କଣ । କହିବା, ଶୁଣିବା ଓ ଅଙ୍ଗେ ନିଭାଇବା ବହୁ ଭିନ୍ନ । ଏବେ ତାର ମହତ୍ତ୍ୱ ହୃଦୟଙ୍ଗମ କଲା ରମା । ଆଶା ଦିଦିମାନେ ଆସି ଛାପ ଦେଇଗଲେ । ସେବେଠାରୁ ଅନ୍ୟ କର୍ମଚାରୀଙ୍କ ଦୃଷ୍ଟିରେ ସେ ହେଇଗଲା ମନୁଷ୍ୟ ମାରି ଜଘନ୍ୟ ଅପରାଧ କରିଥିବା ଆସାମୀ । ଆଖି ଉଠେଇ ଚାହିଁବାକୁ ବି ସେମାନେ ଅପରାଧ ବୋଲି ଭାବିଲେ ।
ଗୃହ ବନ୍ଦୀ ହେଲା ଛୋଟ ଝିଅଟି । ବାଳୁତ ପିଲା, କୋମଳ ମନ ସେ ବା କି ବୁଝେ । ବାପା ସଂଘ ରୋଧ ହେତୁ ତାଙ୍କୁ ଦେଖିବାକୁ ପାଉନି । ଏପଟେ ଜନ୍ମ କରିଥିବା ମାଆ । ପାଖରେ ଥାଇ ବି ଦେଖିବା ସ୍ୱପ୍ନ ହୋଇଯାଉଛି ତା ପାଇଁ ।
ଅଲିଅଳି ଗେହ୍ଲା ଝିଅକୁ ଛୁଇଁ ନ ପାରିବାର ସେ ହୃଦୟବିଦାରକ ସମୟ ଭୋଗିବାକୁ ପଡିବ ବୋଲି ରମା ସ୍ୱପ୍ନରେ ସୁଧା ଭାବି ନଥିଲା । ଛୋଟ ଛୁଆ ଅଝଟ ହୋଇ କିଛି ସମୟ ବାହାରେ ଛିଡା ହେବାକୁ ସମାଜ ଖରାପ ନଜରରେ ଦେଖିଲା ।
ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦେଉଥିବା ନୀତିକୁ ବି ଏକ ପ୍ରକାର ସଂଘରୋଧ କରିଦେଲା ଏ ସମାଜ । ନିଜର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ମଧ୍ୟ ନେହୁରା ହେବାକୁ ପଡିଲା ତାକୁ ।
କିଛି ସମୟ ରମାର ଝିଅ ସହ ଠିଆ ହୋଇ ଝରକା ପାଖରେ କଥା ହେବାଟା ବି ଅସହ୍ୟ ହୋଇଗଲା ଏ ସମାଜ ପାଇଁ । ସେଥିପାଇଁ ନୀତିକୁ ବିରୋଧର ସମ୍ମୁଖୀନ ମଧ୍ୟ ହେବାକୁ
ପଡିଲା ।
ତାହେଲେ ଏହା ହିଁ କଣ ସମାଜ ଓ ତାର ପରିଭାଷା । ନିଜର ଏମିତି ବହୁ ପ୍ରଶ୍ନର ବାଣରେ କ୍ଷତାକ୍ତ ହୋଇଗଲା ରମା ।
ଯାହାର କି ଉତ୍ତର ନଥିଲା ତା ପାଖରେ । ସେ ସେତେବେଳକୁ ବୁଝିଯାଇଥିଲା ଆଜିକାର ସମାଜ ପାଇଁ ସଂଘରୋଧଟି ହେଉଛି ପ୍ରକୃତରେ #ନିଃଶବ୍ଦ_ସଂଘରୋଧ ।