STORYMIRROR

suchismita Panda

Children Stories Inspirational

3  

suchismita Panda

Children Stories Inspirational

ନିଃସ୍ବାର୍ଥୀ ହୃଦୟ

ନିଃସ୍ବାର୍ଥୀ ହୃଦୟ

4 mins
157

      ପଶ୍ଚିମ ଆକାଶ ରକ୍ତିମ ବର୍ଣ୍ଣର ପାଟ ଶାଢୀ ପିନ୍ଧି ସଜେଇ ହୋଇ ବିଦାୟ ନେଉଥାଏ ଗୋଟେ ଦିନ ପାଇଁ । ପୁଣି ପର ଦିନ ଆସିବ ନିଜର କର୍ତ୍ତବ୍ୟ ସୁପରିଚାଳନା କରିବ । ହେଲେ ତା ପୂର୍ବରୁ ସେ ଚାହେଁ ଛୁଟିଟିଏ । ଯେଉଁଥି ପାଇଁ ତା ସମୟ ସରିବା ପରେ ଭାରି ସଜବାଜ ହୋଇ ଚାଲିଯାଉଥାଏ ଦୂରକୁ ଦୂର । ତା ସହ ପୂର୍ବ ଆକାଶେ ଧବଳ ବେଶଧରି ମନ ମୋହି ନେଉଥିବା ଡମ୍ବରୁଧରଙ୍କ ପରିକା ପୂର୍ଣ୍ଣିମୀ ଚନ୍ଦ୍ରର ଆଗମନ ହେଉଥାଏ । ପରିବେଶର ମନଲୋଭା ସୌନ୍ଦର୍ଯ୍ୟରେ ମନ ଯେମିତି ନାନା ଆନନ୍ଦରେ ହଜିଯିବା ପାଇଁ ବାଧ୍ୟ ଥାଏ । ବୋଧହୁଏ କବିଟିଏ ଯଦି ଥାନ୍ତା ଏଇ ଚିତ୍ରକୁ ଦେଖି ନିଜକୁ ସଂଯତ ରଖି ନପାରି କେତେ କେତେ କବିତାକୁ ଜୀବନ୍ତ କରି ସାରିଥାନ୍ତା । ହେଲେ ଏ କଣ ! ଏମିତି ଅବେଳରେ ଶୋଇ ପଡିଛି ସୌରଭ । ଡରି ଯାଇ ଅଳକା ଦୌଡି ଆସେ ସୌରଭକୁ ଉଠେଇବା ପାଇଁ ହେଲେ ତା ପୂର୍ବରୁ ହିଁ ସୁରଭିର କାନ୍ଦ ସୌରଭର ନିଦ ଭାଙ୍ଗି ଦିଏ । 

     ସୌରଭ ଏବଂ ସୁରଭି । ହାତ ଧରା ଧରି ହୋଇ ଗୋଟିଏ ବର୍ଷ ତଳେ ମାତ୍ର ପାଞ୍ଚ ଦିନର ବ୍ୟବଧାନ ମଧ୍ୟରେ କରୋନା କବଳିତ ହୋଇ ଏକା ଛାଡି ଯାଇଥିବା ମାଆ ବାପା ଛେଉଣ୍ଡ ଦୁଇ ଭାଇ ଭଉଣୀ । ଆଗ ଯାହାଙ୍କ ଘନ କୁହୁଡି ପରି ଧୂଆଁଳିଆ ପଛ ମଧ୍ୟ ସେମିତି ଅନ୍ଧକାର । ମହାମାରୀ କରୋନା ଏତେ ନିଷ୍ଠୁର ଯେ ନା ସେମାନଙ୍କୁ ସାଥିରେ ନେଇକି ଗଲା ନା ତାଙ୍କ ପାଇଁ କୌଣସି ସୁରକ୍ଷିତ ଛାତଟିଏ ଛାଡିଦେଲା । ଓଲଟା ଲଦିଦେଲା କଅଁଳ ହାତରେ ବିଶାଳ ଦାୟିତ୍ବ । ମାତ୍ର ସାତ ବର୍ଷର ସୌରଭର କୋଳେ ଦୁଇ ବର୍ଷ ସୁରଭି । ହାଏରେ ବିଧାତା ଏଇ କେମିତି ପ୍ରକାର କଷ୍ଟ । ଯିଏ ନିଜେ ଖାଇବା ଜାଣିନି ଠିକ୍ ରୂପେ ସେ କେମିତି ଏବଂ କଣ ଖୁଆଇ ବଂଚାଇବ କୁନି ଭଉଣୀକୁ ! 

     ସମସ୍ତେ କେବଳ ଆହା କରିଚାଲନ୍ତି । ହେଲେ କେହି ମଧ୍ୟ ତାଙ୍କ କଥା ବୁଝିବାକୁ ନାରାଜ । ସଂପର୍କୀୟ ତ ଅନେକ ହେଲେ ସଭିଙ୍କ ନାନାଦି ଅଭିଯୋଗ କୋଳେଇ ନେଇ ରଖିବା କଥାରେ । କିଏ କହେ କାହା ଘରେ ସୁବିଧା ନାହିଁ ତ ଆଉ କିଏ କହୁଛି ଛୋଟ ପିଲାଙ୍କର କଥା ବୁଝିବାକୁ ବୟସ ଆଉ ନାହିଁ । ଏସବୁ କଥା ସୌରଭ ଶୁଣି ବୁଝିଯାଉଥାଏ ଯେ ତାଙ୍କ ପାଇଁ ଏଇ ବିଶାଳ ସଂସାରରେ କେହି ନାହିଁ । ତେଣୁ ସେ ନିଜ କୁନି ଭଉଣୀର ହାତକୁ ଜାବୁଡି ଧରି କେବଳ ନିଜ ମାଆ ବାପାଙ୍କୁ ମନେ କରି ଏକା ଏକା କବାଟ କୋଣରେ ବସି କାନ୍ଦୁଥାଏ । 

       ଏଭଳି ହୃଦୟଭଙ୍ଗା କଥା ସବୁ ଶୁଣି ତଥା ସୌରଭର ଲୁହ ତା ଆଖିରେ ପଡିବା ପରେ ଅଳକା ନିଜକୁ ଆଉ ସମ୍ଭାଳି ନ ପାରି ସଭିଙ୍କ ବିଚାର ଆଗେ ମୋହର ଲଗେଇ ଘୋଷଣା କରିଦେଇଛି ଯେ ସେ ବଂଚିଛି । ସେ ଏଇ ଦୁଇ ଜଣଙ୍କର ପରିବାର । ତାଙ୍କ ସମସ୍ତ ଭାର ତା ଉପରେ । ଅଳକାର କଥାରେ କୌଣସି ଉତ୍ତର ଆସିବା ପୂର୍ବରୁ ସୌରଭ ଦୌଡି ଆସି ଜାବୁଡି ଧରିଛି ଅଳକାକୁ ଏବଂ ଭୋ ଭୋ କାନ୍ଦି ଚାଲିଛି । ହୃଦୟରେ ଜାବୁଡି ଧରି ଅଳକା ମଧ୍ୟ ଢେର କାନ୍ଦିଛି ।

       ଅଳକା ତିନି ବର୍ଷ ପୂର୍ବରୁ ତାଙ୍କ ଘର ସହ ଜଡିତ । ଘର କାମ କରିବାକୁ ଆସିଥିବା ଅଳକା କେତେବେଳେ ଧୀରେ ଧୀରେ ଘରର ଜଣେ ଆପଣାର ହେଇଗଲା ତାହା ଜଣାଗଲା ନାହିଁ । ହେଲେ ଯେବେଠୁ ନିଜର ହେଇଛି ନିଜର ହେବାର ସବୁ ଦାୟିତ୍ବ ତୁଳାଉଛି । ଏମିତି କି ଶେଷରେ ଦୁଇ ଅନାଥଙ୍କ ଆଶ୍ରୟ ମଧ୍ୟ ହୋଇପଡିଛି । ସେ ଜାଣେନା କେମିତି ସେମାନଙ୍କ କଥା ବୁଝିବ ହେଲେ ତା ହୃଦୟ କହେ ଯେଉଁ ଘର ଦିନେ ତାକୁ ଆଶ୍ରୟ ଦେଇଥିଲା ତାକୁ କଦାଚିତ୍ ବେଘର ହେବାକୁ ଦେବ ନାହିଁ ।

        

         ନୂତନ ଜୀବନର ଆରମ୍ଭ ହୁଏ । ଦୁଇ ଛୋଟ ପିଲାଙ୍କ ଦାୟିତ୍ବ ଯେବେଠୁ ଅଳକାର ହାତରେ ଆସିଛି ସେ ଯେମିତି ସେମିତି ହେଉ ନିଜେ ପଛେ ଭୋକରେ ରହୁ ତାଙ୍କ ପେଟକୁ ଶାନ୍ତ କରୁଛି । ସୌରଭ ମଧ୍ୟ ବହୁତ ବଦଳି ଯାଇଛି ଏଇ ଗୋଟେ ବର୍ଷ ଭିତରେ । କରୋନା ମହାମାରୀ କେତେ ଭୟଙ୍କର ହୋଇପାରେ ସେକଥା ବୁଝିଯାଇ ସବୁବେଳେ ସତର୍କତା ଅବଲମ୍ବନ କରୁଛି । ତତ ସହ ସେ ଅଭାବ ଅନଟନରେ ମଧ୍ୟ କେମିତି ବଂଚିବା କୁ ପଡେ ଶିଖିଗଲାଣି । ପେଟରେ ଜଳୁଥିବା ନିଆଁରେ ପାଣି ଢାଳି କେମିତି ଲିଭେଇ ଦେବାକୁ ପଡେ ତାହା ମଧ୍ୟ ବେଶ ଜାଣେ । ପ୍ରକୃତରେ ଏସବୁ ଅଳକା ପାଇଁ ନୁହେଁ; ପରିସ୍ଥିତି ପାଇଁ ।ସେ ମଧ୍ୟ ବୁଝେ ଅଳକା ଅପାର କଥା । ଯିଏ କାମରୁ ଫେରି ଭୋକରେ ଥାଇ ମଧ୍ୟ ମିଛରେ କହେ ପେଟରେ ଜାଗା ନାହିଁ । ସେଇ ଛାଗା ନଥିବା ପେଟେ କିଛି ଠେଲି ଦେବାକୁ ହିଁ ବେଳେ ବେଳେ ସୌରଭକୁ ଭୋକରେ ରହିବାକୁ ପଡେ । 

       ସୌରଭ ଯେବେ ମନେ କରେ ତାର ବର୍ଷେ ପୂର୍ବର କଥା ସେଇ ହସ ଭରା ଦିନ, ସୁରଭି ସହ ମାଆର ଗେଲ, ବାପାଙ୍କ ସହ ମିଶି ଏକାଠି ଖାଇବା ଆଦି ଦିନ ସବୁର ସ୍ମୃତି ଗୁଡିକୁ ଭାରି ମନ ଦୁଃଖ ହୁଏ । ଗୋଟିଏ ବର୍ଷର ଅନ୍ତର ମାତ୍ର । ସେମାନେ ଥିଲେ କେମିତି ଆଉ ଏବେ ଅଛନ୍ତି କେମିତି । ଏଇ ସବୁ ଭାବିଦେଇ ବେଶ୍ କାନ୍ଦେ ଏକା ଏକା । ହେଲେ ପୁଣି ନିଜକୁ ଦୃଢ କରେ ସୁରଭି ପାଇଁ । ବୁଝେଇନିଏ ମନକୁ ଏଇତ ଜୀବନ । ଭଙ୍ଗା ସ୍ମୃତି କୁ ସଜାଡି ପୁଣି ଚାଲିବାକୁ ହିଁ ପଡିବ । ହେଲେ ଆଗ ଭଳି ଆଉ ଚାଲି ହେବନି କେବେ । ଭଙ୍ଗା କାଚ ଯୋଡି ଦେଲେ ସୁନ୍ଦର ଦେଖା ନଗଲା ପରି ଆଉ କିଛି ବି ସୁନ୍ଦର ହେବନି । କେବଳ ଯାହା ଚିର ଶୂନ୍ୟତାକୁ ଭରିଦେବା ପାଇଁ ଅବିରତ ପ୍ରୟାସ ଚାଲୁଥିବ ଯେମିତି ବର୍ଷେ ଧରି ଚାଲିଆସୁଛି ।

       ୨୦୨୧ ଯାଇ ୨୦୨୨ ଆସି ଯାଇଛି । କେବଳ ଦିନ ଯାହା କଟି ଯାଇଛି ବାପା ମାଆଙ୍କ ବିନା; ତା ଛଡା ଆଉ କୌଣସି ପରିବର୍ତ୍ତନ ଆସିନି । ସେଇ କଷ୍ଟ, ସେଇ ଦାରିଦ୍ର୍ଯ ଓ ବଂଚିବା ପାଇଁ ସଂର୍ଘଷ ଭିତରେ ଜୀବନଟା ଚାଲିଛି ଆଗକୁ । ହଁ ଆଗରେ ଏସବୁ ନଥିଲା କିନ୍ତୁ ପରିସ୍ଥିତି ସବୁ ଦିନ ଦେଖେଇ ଦେଲା । ଠାକୁରଙ୍କୁ ଛାଡି ଦେଇ ଅନାଥ କୁ ସାହା ହୋଇ ଯାହା ଠିଆ ହୋଇଛନ୍ତି ଅଳକା ଦିଦି ବିନା କୌଣସି ସ୍ବାର୍ଥରେ। ଯାହାଙ୍କ ସ୍ନେହ ଆଗରେ ଚିର ରୂଣୀ ହୋଇ , ତାଙ୍କ କୋଳରେ ଶାନ୍ତି ଟିକେ ଖୋଜି ପାଇ କେବଳ ଯାହା ଜୀବନର କିଛି ମାତ୍ରାରେ ଭଙ୍ଗା ଘରଟି ଘର ରୂପେ ଲାଗୁଛି ।

      ଏସବୁ ସତ୍ୟ ଭିତରେ ହଜିଯାଇଥାଏ ସୌରଭ । ପଛ ପଟୁ ସୁରଭିର ମିଠା ଭାଇ ଡାକରେ ସୌରଭ ପୁଣି ସେଇ ଅବସ୍ତବ ଦୁନିଆରୁ ବାସ୍ତବତାକୁ ଫେରିଆସି ହଜିଯାଏ ବର୍ତ୍ତମାନରେ । 

      


Rate this content
Log in