Mamatamanjari Das

Others

3.9  

Mamatamanjari Das

Others

ନାରୀଟିଏ

ନାରୀଟିଏ

2 mins
220


ସ୍ୱପ୍ନ ଦେଖିବା ମନ୍ଦ ନୁହଁ । ସମସ୍ତେ ମନରେ ଆଶା ରଖି ସ୍ୱପ୍ନ ଦେଖନ୍ତି ଏଠାରେ। ମୁଁ ବି ଦେଖେ, ହେଲେ ସାଥିରେ କେହି ଥିଲେ ସ୍ୱପ୍ନ ସାର୍ଥକ ହୁଏ ନାହିଁ । ଆଖିରେ ଆଖି ମିଶେଇ ବର୍ତ୍ତମାନକୁ ସାକାର କରିହୁଏ ସତ। କିନ୍ତୁ ଭବିଷ୍ୟତ ପାଇଁ ଆଶାରଖି ସ୍ୱପ୍ନ ଦେଖିଲେ ପରିଶ୍ରମ କରିବା ପାଇଁ ପଡିବ । ଗଛରେ କଢିଟିଏ ହୁଏ, କଢିରୁ ଫୁଲ । ସ୍ୱଳ୍ପ ସମୟର ଆୟୁଷ ତାର । ସେ ଜାଣି ନଥାଏ ରାତି ପାହିଲେ ସେ କେଉଁଠିକୁ ଯିବ ! ଠାକୁରଙ୍କ ପାଦ ତଳକୁ, ନା ମଶାଣିକୁ, ନା ବେଶ୍ୟାଳୟକୁ।

ଆଶା ତାର ନଥାଏ ବରଂ ନିଜ ଉପରେ ଭରସା ଥାଏ। ସେଥିପାଇଁ ତ ସେ ନିଜର ବାସନା ବିତରି ପରିବେଶକୁ ମହକାଇବା ସହ ପବନ ଦୋଳିରେ ଝୁଲୁଥାଏ ଓ ଜୀବନକୁ ଉପଭୋଗ କରୁଥାଏ। ତା' ଜାଣିବାରେ ଢିଙ୍କିର କାମ ଧାନ କୁଟିବା। ସେ ଯୋଉଠିକୁ ଗଲେ ବି ତା'କାମ କରିବ ନିଶ୍ଚୟ ।

ଠିକ୍ ସେମିତି ଆମ ନାରୀମାନଙ୍କ ଜୀବନ । କଢିଟିଏ ହୋଇ କାହା ଅଗଣାରେ ଫୁଟୁ । କଢି ବେଳରୁ ଫୁଲ ହେବାଯାଏ ଆମ କାନରେ ଗୁରୁମନ୍ତ୍ର ଫୁଙ୍କା ଯାଉଥାଏ ସଠଣା, ଆଉ ସଠଣା । ଟିକି ଟିକି ଆଶା ନେଇ ନାରୀ ଟିଏ ଶାଶୁଘରେ ପାଦ ଥାପେ। ନିଜର ସବୁ କିଛି ଦେଇ ପରକୁ ଆପଣାର କରିବା ପାଇଁ ଚେଷ୍ଟା କରେ। ହେଲେ ପ୍ରତି ବଦଳରେ ନିଃସ୍ୱ ବୋଲି ବାରମ୍ବାର ମନେ ପକେଇ ଉପହାସ କରେ ନିଜକୁ । ସବୁ ସ୍ମୃତି ରଙ୍ଗୀନ ନୁହଁ ସବୁ ଅନୁଭବ ଇନ୍ଦ୍ରଧନୁ ଖେଳାନ୍ତିନି । ସବୁ ରାତି ରତିରେ ଭରେନି । ସବୁ ନିଦ ମଲ୍ଲୀର ମହକରେ ଭାଙ୍ଗେନି। ସବୁ ଥାଇ କିଛି ନ ରହିବାକୁ ଦୁଃଖ କହନ୍ତି । ଆଉ ଆଶା ଥାଇ ବି ନ ଥିଲେ ହତାଶା ହୁଏ ନାରୀଟିଏ । ଏତିକି ଟିକିଏ ନ ରହିଲେ ବି ନିରାଶା କୁହାଯାଏ । ସମସ୍ତଙ୍କୁ ନିଜର କରିବାର ସଂଘର୍ଷ ଭିତରେ ନିଜେ ନିଜଠାରୁ

ଦୂରେଇଯାଏ। ଟିକିଏ ଟିକିଏ ଭୁଲ୍ ପାଇଁ ତାକୁ ଅପମାନର ଶିକାର ହେବାକୁ ପଡେ । ମନର ମଣିଷ ବି ବୁଝେନି ହୃଦୟର ଭାଷା, ସମ୍ପର୍କରେ ଶୂନ୍ୟତା କାମୁଡି ଗୋଡ଼ାଏ । ଟୋପାଏ ସିନ୍ଦୂର ପାଇଁ ଜନ୍ମ ଜନ୍ମାନ୍ତର ଏକ କରି ପାରେ ଯେ ସେ ନାରୀ । ସର୍ବଶ୍ରେଷ୍ଠକୁ ଚାହିଁବା ନାରୀର ପରିଚୟ ।

ପରିବାରକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ପ୍ରତି ମୁହୂର୍ତ୍ତରେ ସେ ହଳା ହଳ ବିଷ ପାନ କରେ । ନାରୀ ପାଇଁ ସମ୍ପର୍କ ମୂଲ୍ୟହୀନ ହୋଇଯାଏ ଯେତେବେଳେ ତା' ହୃଦୟରେ ଶୁନ୍ୟତା କେହି ଦେଖେନି । ଜନ୍ମ ତାର ନିରର୍ଥକ ଯଦି କେହି ତା' ମନରେ ପୁଲକ ଖେଳାଏନି । ନାରୀ କେବେ ଚାହେଁ ନାହିଁ ପ୍ରତି ପତିର ବର୍ଣ୍ଣାଢ଼ ପରିବେଶ । ସେ କେବଳ ଚାହେଁ ଆଶ୍ୱାସନାର ସ୍ନେହ ଭରା ହାତର କୋମଳ ପରଶ । ସବୁ ପୂର୍ଣ୍ଣତା ତା' ପାଇଁ ଦିବା ସ୍ୱପ୍ନ ।

ଦୈନ୍ୟ ମୁନ୍ଦାଏ ଅଥବା ଟୋପେ ସହାନୁଭୂତି ଆଞ୍ଜୁଳା ଭରିପାରେ । ପେଟ ପୁରେନି । ପଦେ ଅଧେ ଦେଖାଣିଆ ଅଶ୍ଵାସନାରେ ଧରିତ୍ରୀ ପହିଲି ଆଷାଢ଼ର ପ୍ରଥମ କେତେ ଉଷ୍ଣ ଚୁମ୍ବନକୁ ଅପେକ୍ଷା କରିଥାଏ ଚାତକ ପରି ।

ନାରୀଟିଏ ବି ସେମିତି ସାରା ଜୀବନ ଟିକି ଟିକି ଆଶା ବୁଣି ଅପେକ୍ଷା କରି ରହିଥାଏ ତାର ପ୍ରିୟ ପୁରୁଷର ସ୍ନେହଶୀଳ ହାତର ପରଶକୁ। ଘନଘଟା ଆଉ ଅବିରତ ବର୍ଷା କେବଳ ପିପାସା ଶାନ୍ତ କରିବାକୁ ସମର୍ଥ ହୁଏ । ନିଦାଘର କେଇଟା ଫୁରୁଫୁରା ବର୍ଷା କଣ କେବେ ଧରା ସୁନ୍ଦରୀର ଚୂର୍ଣ୍ଣ କୁନ୍ତଳକୁ ବି ପ୍ରୀତିସିକ୍ତ କରି ପାରେ ? ବୋଧହୁଏ ନାଁ ।

ତେଣୁ ନାରୀର ସର୍ବାଙ୍ଗ ସୁନ୍ଦର ରୂପ ସେତେବେଳେ ଦେଖାଯାଏ ଯେତେବେଳେ ତାର ପ୍ରିୟ ପୁରୁଷ ତାକୁ ବୁଝେ ଓ ତା ପାଦ ସହ ପାଦ ମିଳେଇ ଚାଲେ । ବାସ୍…ଏଇ ଟିକିଏ ତ ଆଶା ଥାଏ ନାରୀର ତାର ପ୍ରିୟ ପୁରୁଷ ପାଖରୁ ।



Rate this content
Log in